ଫୁଟ୍‌ବଲ୍‌ ହେଉଛି ବିଶ୍ୱର ସବୁଠୁଁ ଲୋକପ୍ରିିୟ ଖେଳ। ବିଶ୍ୱର ସବୁ ଦେଶ ଏହି ଖେଳ ଖେଳିଥାନ୍ତି। ତେବେ ଛୋଟ ଛୋଟ ଦେଶମାନେ ଫୁଟ୍‌ବଲ୍‌ ଖେଳରେ ବିଶେଷ ସଫଳତା ଅର୍ଜନ କରିଥିଲା ବେଳେ ଭାରତ, ଚୀନ ଓ ଆମେରିକା ପରି ଦେଶମାନେ ଏହି ଖେଳରେ ସେତେ ସଫଳତା ଅର୍ଜନ କରି ନାହାନ୍ତି। ଭାରତ, ଚୀନ ପରି ବିଶାଳ ଦେଶମାନେ ବିଶ୍ୱକପ୍ ମଧ୍ୟକୁ ପ୍ରବେଶ ମଧ୍ୟ କରି ପାରିନାହାନ୍ତି। ତେବେ ବିଶ୍ୱ କପ୍‌କୁ ଭାରତ ପ୍ରବେଶ କରି ନ ଥିଲେ ମଧ୍ୟ ଏ ଦେଶର ଅନେକ ଅଞ୍ଚଳରେ ଫୁଟ୍‌ବଲ୍‌ ହେଉଛି ଏକ ଧର୍ମ। ସେଠାକାର ଦର୍ଶକମାନେ ଫୁଟ୍‌ବଲ୍‌ ପାଇଁ ପାଗଳ। ବିଶେଷ କରି ପଶ୍ଚିମବଙ୍ଗ ଓ କେରଳରେ। ଅବଶ୍ୟ ଏହା ସତ୍ୟ ଯେ, ଗଲା ଶତାବ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକ‌େର କଲିକତା ଥିଲା ଭାରତୀୟ ଫୁଟ୍‌ବଲ୍‌ର ପ୍ରାଣକେନ୍ଦ୍ର। ଏହି ମହାନଗରୀରେ ମୋହନବାଗାନ, ଇଷ୍ଟବେଙ୍ଗଲ ପରି ବିଖ୍ୟାତ ଫୁଟ୍‌ବଲ୍‌ ଦଳମାନ ଥିଲେ ଓ ଆଜି ବି ଅଛନ୍ତି। ସେ ଦଳମାନଙ୍କରେ ସେତେବେଳେ ଚୁନି ଗୋସ୍ୱାମୀ, ପି. କେ. ବାନାର୍ଜୀଙ୍କ ପରି ବିଖ୍ୟାତ ଖେଳାଳିମାନେ ଥିଲେ।

Advertisment

ଏବେ ଭାରତରେ ଫୁଟ୍‌ବଲ୍‌ ଏତେ ଶକ୍ତିଶାଳୀ ହୋଇ ନ ଥିଲେ ମଧ୍ୟ ଓ କ୍ରିକେଟ୍‌ ଅତୁଳନୀୟ ଜନପ୍ରିୟତା ଲାଭ କରିବା ସହିତ ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ ଫୁଟ୍‌ବଲ୍‌ ପ୍ରତି ଏ ଦେଶରେ ବ୍ୟାପକ ଶ୍ରଦ୍ଧା ରହିଛି, ଯାହା ଅତି ଅସ୍ୱାଭାବିକ ମନେ ହୁଏ।

ଏହା କ’ଣ ପାଇଁ ଘଟୁଛି, ସେ କଥାକୁ ମଧ୍ୟ ଧ୍ୟାନ ଦିଆଯାଇପାରେ। ମନେ ହେଉଛି ଜଗତ୍‌କରଣ, ଇଣ୍ଟରନେଟ୍‌ର ପ୍ରଭାବ ଇତ୍ୟାଦି ହେତୁ ଭାରତ ଭଳି ଫୁଟ୍‌ବଲ୍‌ରେ ସଫଳ ହେଉ ନ ଥିବା ଦେଶରେ ମଧ୍ୟ ଏ ଖେଳ ଏତେ ଲୋକପ୍ରିୟତା ପାଉଛି। କଲିକତାରେ ୧୮୭୨ରେ ମୋହନବାଗାନ ଦଳ ସୃଷ୍ଟି ହୋଇଥିଲା ଓ ୧୯୧୪ରେ ଏହି ପ୍ରଥମ ଭାରତୀୟ ଦଳଟି ଆଇ.ଏଫ୍.ଏ. ସିଲ୍‌ଡ ଫାଇନାଲରେ ଗୋଟିଏ ବ୍ରିଟିସ ଦଳକୁ ପରାସ୍ତ କରିଥିଲା। ସେତେବେଳେ ମୋହନବାଗାନର ଖେଳାଳିମାନେ ଖାଲି ପାଦରେ ଖେଳୁଥିଲେ। ସେହି ଖେଳରେ ବିଜୟ ଶାସିତ (ଭାରତୀୟ) ଜାତିର ଶାସକ (ବ୍ରିଟିସ) ଜାତି ଉପରେ ବିଜୟ ବୋଲି ପରିଗଣିତ ହୋଇଥିଲା। ଏବେ ପଶ୍ଚିମବଙ୍ଗ ଓ କେରଳ ସହିତ ଗୋଆରେ ମଧ୍ୟ ଫୁଟ୍‌ବଲ୍‌ର ଲୋକପ୍ରିୟତା ବଢ଼ିଛି ଓ ସେଠାରେ ଭାରତୀୟ ସୁପର ଲିଗ୍ (ଆଇ.ଏସ୍.ଏଲ୍.) ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି।

ଏଥର ଯେତେବେଳେ ଆର୍ଜେଣ୍ଟିନା ଓ ଫ୍ରାନ୍‌ସ ମଧ୍ୟରେ ବିଶ୍ୱକପ୍ ଫାଇନାଲ ଅନୁଷ୍ଠିତ ହେଲା, ସେତେବେଳେ ଭାରତର ଅଧିକାଂଶ ଅଞ୍ଚଳ ଆର୍ଜେଣ୍ଟିନା ଆଡ଼କୁ ଢଳିଥିଲେ। ଲିଓନେଲ ମେସି ହେଲେ ଆର୍ଜେଣ୍ଟିନାର ଏକ ପ୍ରକାର ଆରାଧ୍ୟ ଦେବତା। କେରଳ ଓ ପଶ୍ଚିମବଙ୍ଗରେ ସେତେବେଳେ ଏମିତି ଫୁଟ୍‌ବଲ୍‌ର ବାତାବରଣ ସୃଷ୍ଟି ହୋଇଥିଲା, ସତେ ଯେମିତି ଭାରତ ହିଁ ଫାଇନାଲରେ ଖେଳୁଛି। ସେଠାକାର ରାସ୍ତା କଡ଼ରେ ଲିଓନେଲ ମେସିଙ୍କର ବିରାଟ ବିରାଟ ହୋର୍ଡିଂ ଲଗାଗଲା ଓ ଆର୍ଜେଣ୍ଟିନାର ନୀଳ ଓ ଧଳା ରଙ୍ଗରେ ସାରା ସହର ଓ ରାଜ୍ୟ ରଙ୍ଗମୟ ହୋଇଗଲା। ଦେଖାଗଲା ବିଶ୍ୱର ବିଖ୍ୟାତ ଫୁଟ୍‌ବଲ୍‌ ତାରକାମାନଙ୍କର ପ୍ରଶଂସକମାନଙ୍କ ସଂଖ୍ୟା ସର୍ବାଧିକ ଥିଲା ଭାରତରେ। ଭାରତରେ ଦେଖାଗଲା, ରୋନାଲ୍‌ଡୋ ଏବଂ ମେସି ହେଉଛନ୍ତି ସବୁରି ମୁହଁର ନାମ। ଅବଶ୍ୟ, ଭାରତରେ ବ୍ରାଜିଲ ଦଳର ମଧ୍ୟ ଅନେକ ସମର୍ଥକ ଅଛନ୍ତି। ଯେତେବେଳେ ବ୍ରାଜିଲ କ୍ୱାର୍ଟର-ଫାଇନାଲରେ କ୍ରୋଏସିଆ ଠାରୁ ହାରିଗଲା, ସେତେବେଳେ ଅନେକ ବ୍ରାଜିଲ ସମର୍ଥକ ସେମାନଙ୍କର ଟେଲିଭିଜନ ସେଟ୍‌କୁ ଭାଙ୍ଗି ପକାଇଲେ। କିନ୍ତୁ ଦେଖାଗଲା, ଭାରତରେ ବ୍ରାଜିଲର ସମର୍ଥକ ଯେତେ କମିଲେ, ଆର୍ଜେଣ୍ଟିନାର ସମର୍ଥକମାନେ ସେତେ ବଢ଼ିଲେ। ସେତେବେଳେ ସାରା ଦେଶରେ କେବଳ ନୀଳ ଓ ଧଳା ପଟିମାନ ଦିଶିଲେ, ଯାହା ଆର୍ଜେଣ୍ଟିନାର ପତାକାର ରଙ୍ଗ। ଆର୍ଜେଣ୍ଟିନାର ବିଜୟକୁ ଏକ ପ୍ରକାର ଭାରତର ବିଜୟ ବୋଲି ଧରି ନିଆଗଲା। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଳ ଗାନ୍ଧୀ ଆଦି ଟୁଇଟ୍‌ କରି ଆର୍ଜେଣ୍ଟିନା ଦଳକୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ।

ଏଠାରେ ଗୋଟିଏ କଥା ଉଲ୍ଲେଖନୀୟ ଯେ କେରଳ, ପଶ୍ଚିମବଙ୍ଗ ଓ ଗୋଆ ପରି ଫୁଟ୍‌ବଲ୍‌ପ୍ରେମୀ ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗ ଓ କେରଳ ହେଉଛନ୍ତି କମ୍ୟୁନିଷ୍ଟମାନଙ୍କର ଗଡ଼। ତେବେ କମ୍ୟୁନିଷ୍ଟମାନେ ବିଶ୍ୱରେ ପ୍ରଥମ ଥର ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ କେରଳରେ ୧୯୫୯ରେ ଜିତିଥିଲେ, ଯେତେବେଳେ ଇ.ଏମ୍.ଏମ୍. ନମ୍ବୁଦିରିପଦ ସେଠାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ଯଦିଓ ଅଳ୍ପ କେଇ ମାସ ପରେ ତାଙ୍କ ସରକାରକୁ କେନ୍ଦ୍ର ସରକାର ଭାଙ୍ଗି ଦେଲେ। ଉଲ୍ଲେଖଯୋଗ୍ୟ ଯେ ଆର୍ଜେଣ୍ଟିନା ଓ ତା’ର ହିରୋ ଲିଓନେଲ ମେସିଙ୍କ ସହ କେରଳ, ପଶ୍ଚିମବଙ୍ଗ ଲୋକଙ୍କର ଆଉ ଏକ ବିଚିତ୍ର ସମ୍ପର୍କ ରହିଛି। କେରଳର ଲୋକମାନେ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ତାଙ୍କ ଦଳ ବୋଲି ସମ୍ବୋଧନ କରୁଥିଲେ। ଏହାର ଏକ ବଡ଼ କାରଣ ହେଉଛି ଜଣେ ବିଶ୍ୱ ବିଖ୍ୟାତ କମ୍ୟୁନିଷ୍ଟ ନେତା ଚେ ଗୁଏଭାରା ହେଉଛନ୍ତି ଆର୍ଜେଣ୍ଟିନାର ଲୋକ। ଆର୍ଜେଣ୍ଟିନାରେ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ସେଠାକାର ଜନସାଧାରଣ ନିଜର ମୁକ୍ତି ଓ ନ୍ୟାୟ ପାଇଁ ଲଢ଼ି ଆସିଛନ୍ତି। ବୋଧହୁଏ, ଏହି ରାଜନୈତିକ ଓ ଆଦର୍ଶଗତ ସାମ୍ୟ ହିଁ ଆର୍ଜେଣ୍ଟିନାକୁ ପଶ୍ଚିମବଙ୍ଗ ତଥା କେରଳ ସହ ସମ୍ପୃକ୍ତ କରାଇ ପାରିଥିଲା। ବିଶ୍ୱ ବିଖ୍ୟାତ କମ୍ୟୁନିଷ୍ଟ ନେତା ଚେ ଗୁଏଭାରା ଆର୍ଜେଣ୍ଟିନାର ଲୋକ ହୋଇଥିବାରୁ କେରଳ, ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ସମର୍ଥକମାନେ ସେହି ଦେଶ ଆଡ଼କୁ ଢଳିବା ସ୍ୱାଭାବିକ। ଯେତେବେଳେ ଆର୍ଜେଣ୍ଟିନା ବିଶ୍ୱ କପ୍ ପାଇଁ ଯୋଗ୍ୟତା ହାସଲ କରିଥିଲା, ସେତେବେଳେ ପଶ୍ଚିମବଙ୍ଗର ରାସ୍ତାଘାଟ ଆନନ୍ଦ ଓ ସ୍ଫୂର୍ତ୍ତିରେ ମୁଖର ହୋଇ ଉଠିଥିଲା। ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌ ଖେଳା ହେବା ପର୍ଯ୍ୟନ୍ତ ଆର୍ଜେଣ୍ଟିନା ପ୍ରତି ପଶ୍ଚିମବଙ୍ଗରେ ସେହି ସମର୍ଥନ ରହି ଆସିଥିଲା। କେରଳରେ ମେସିଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ସମର୍ଥନ ଥିଲା। ସେଠାରେ ମେସିଙ୍କର ଏକ ୧୦ ମିଟର ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଲୋକମାନେ ନିଜ ଘରକୁ ନୀଳ ଓ ଧଳା ପଟିରେ ସଜାଇଲେ।

ଏବେ ବିଶ୍ୱକପ୍ ଫୁଟ୍‌ବଲ୍‌ର ସମାପ୍ତି ଘଟିଛି। ଆର୍ଜେଣ୍ଟିନାର ସମର୍ଥକମାନେ ଏବେ ମଧ୍ୟ ବିହ୍ବଳ ଅବସ୍ଥାରେ ଅଛନ୍ତି। ଯେତେବେଳେ କ୍ୱାତାରର ଷ୍ଟାଡିୟମରେ ମେସି ବିଶ୍ୱକପ୍ ଗ୍ରହଣ କଲେ, ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଭାରତୀୟ ଚଳଚ୍ଚିତ୍ରର ତାରକା ଦୀପିକା ପାଦୁକୋନ। ତେବେ ମେସିଙ୍କର ଭାରତୀୟ ସମର୍ଥକମାନେ ଫୁଟ୍‌ବଲ୍‌ ପଡ଼ିଆରୁ ଶୀଘ୍ର ତାଙ୍କୁ ହରାଇବେ। କାରଣ ଏବେ ତାଙ୍କୁ ୩୬ ବର୍ଷ ବୟସ ହେଲାଣି ଓ ସେ ଫୁଟ୍‌ବଲ୍‌ରୁ ଶୀଘ୍ର ଅବସର ଗ୍ରହଣ କରିବେ। ତେବେ, ଭାରତର ଫୁଟ୍‌ବଲ୍‌ ପ୍ରେମୀମାନେ ଅନ୍ତତଃ ମେସିଙ୍କୁ ଖେଳିବାର ‌େଦଖିଛନ୍ତି, ଯାହା ଏକ ସାନ୍ତ୍ବନା, ଯେମିତି ସେହି ଦେଶର ଡିଏଗୋ ମାରାଡୋନାଙ୍କୁ ଟେଲିଭିଜନରେ ଏବଂ କଲିକତାର ସଲ୍‌ଟ ଲେକ ଷ୍ଟାଡିୟମରେ ପ୍ରତ୍ୟକ୍ଷ ଭାବେ ଦେଖିଥିଲେ।

ତେବେ ଏଠାରେ ଆଉ ଏକ କଥା ହେଉଛି, କିଛି ଦିନ ପରେ ଭାରତର ଦର୍ଶକମାନେ ପୁଣି କ୍ରିକେଟ୍‌ ଜଗତକୁ ଫେରିଯିବେ। ଆଉ କେତେ ମାସ ପରେ ସେମାନେ ଫୁଟ୍‌ବଲ୍‌ ପଛରେ ଆଉ ପାଗଳ ପ୍ରାୟ ଗୋଡ଼ାଇବେ ନାହିଁ। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଭାରତ କାହିଁକି ଫୁଟ୍‌ବଲ୍‌ରେ ଆଦୌ ଉପରକୁ ଉଠି ପାରୁନାହିଁ ଓ ବିଶ୍ୱ ଫୁଟ୍‌ବଲ୍‌ରେ ୧୦୦ ସ୍ଥାନରୁ ଉପରେ ଅଛି।

ଦିନ ଥିଲା, କ୍ରିକେଟ୍‌ରେ ମଧ୍ୟ ଭାରତ ବହୁତ ତଳେ ଥିଲା। ଇଂଲାଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟ ଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ସହ ଭାରତ ଯେ ଦିନେ ପ୍ରତିଦ୍ୱନ୍ଦ୍ୱିତା ସ୍ତରକୁ ଆସିପାରିବ, ସେ କଥା ସେତେବେଳେ କେହି ଭାବି ପାରୁ ନ ଥିଲେ। ଭାରତରେ ସେତେବେଳେ କେହି ଦ୍ରୁତ ବା ଫାଷ୍ଟ୍‌ ବୋଲର୍‌ ନ ଥିଲେ। ଅନ୍ୟ ଦେଶର ଫାଷ୍ଟ୍‌ ବୋଲର୍‌ମାନଙ୍କୁ ଖେଳିବାକୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ସକ୍ଷମ ହେଉ ନ ଥିଲେ। ଗୋଟିଏ ସମୟ ଥିଲା ଯେତେବେଳେ ଭାରତୀୟ ଦଳ ୧୦୦ରୁ କମ୍ ରନ୍‌ରେ ଅଲ୍ଆଉଟ୍ ହୋଇ ଯାଉଥିଲେ। କିନ୍ତୁ ପ୍ରଚେଷ୍ଟା ଯୋଗୁଁ ଭାରତରେ ଆଜି ବିଶ୍ୱ ଶ୍ରେଣୀର ଫାଷ୍ଟ୍‌ ବୋଲରମାନେ ତିଆରି ହୋଇ ଗଲେଣି ଓ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରେ କେତେ ଜଣ ବିଶ୍ୱ ଶ୍ରେଣୀର ଅଟନ୍ତି। ଯଦି କ୍ରିକେଟ୍‌ରେ ପୂର୍ବର ଦୈନ୍ୟ ଅବସ୍ଥାରୁ ଆଜିର ଏତେ ଦକ୍ଷ ଅବସ୍ଥାକୁ ଭାରତୀୟମାନେ ଆସିପାରିଛନ୍ତି, ଫୁଟ୍‌ବଲ୍‌ରେ ସେମାନେ ସେହି ଦକ୍ଷତା ପ୍ରଦର୍ଶନ କରି ପାରିବେ ନାହିଁ କାହିଁକି? ନିଜର ଶାରୀରିକ ଶକ୍ତିର ବୃଦ୍ଧି ଘଟାଇ ଭାରତୀୟ ଖେଳାଳିମାନେ ଭଲ ଫାଷ୍ଟ୍‌ ବୋଲର ଓ ବ୍ୟାଟ୍‌ସମ୍ୟାନ ହୋଇ ପାରିଛନ୍ତି।

ଶାରୀରିକ ସାମର୍ଥ୍ୟ ଦୃଷ୍ଟିରୁ ୱେଷ୍ଟ ଇଣ୍ଡିଜର କୃଷ୍ଣକାୟମାନେ ଗୋଟିଏ ସମୟରେ ଅପରାଜେୟ ପରି ମନେ ହେଉଥିଲେ। କିନ୍ତୁ ଆଜି ଭାରତ ସେହି କୃଷ୍ଣକାୟମାନଙ୍କ ସହ ବେଶ୍ ଲଢ଼ି ପାରୁଛି ଓ କ୍ରିକେଟ୍‌ରେ ଏକ ପ୍ରକାର ଅପରାଜେୟ ମନେ ହେଉଥିବା ୱେଷ୍ଟ ଇଣ୍ଡିଜକୁ ପଛରେ ପକାଇ ପାରିଛି।

ଫୁଟ୍‌ବଲ୍‌ରେ ମଧ୍ୟ ଗୋଟିଏ ଉଲ୍ଲେଖନୀୟ ଘଟଣା ଘଟିଛି। ୟୁରୋପ ଏକ ଶ୍ୱେତାଙ୍ଗ ମହାଦେଶ ହୋଇଥିଲେ ମଧ୍ୟ ତଥା ଅତୀତରେ ଇଂଲାଣ୍ଡ, ଫ୍ରାନ୍‌ସ, ଜର୍ମାନି, ଇଟାଲି, ନେଦରଲାଣ୍ଡସ୍, ବେଲଜିୟମ ଆଦି ଦେଶମାନଙ୍କରେ ଫୁଟ୍‌ବଲ୍‌ ଦଳମାନଙ୍କରେ କେବଳ ଶ୍ୱେତାଙ୍ଗ ଖେଳାଳି ଥିଲେ ମଧ୍ୟ ଏବେ ସେହି ଦେଶମାନଙ୍କରେ ଅନେକ କୃଷ୍ଣକାୟ ଖେଳାଳି ଦିଶିଲେଣି। ଫ୍ରାନ୍‌ସ ପରି ଦେଶର ସଂଖ୍ୟାଧିକ ଫୁଟ୍‌ବଲ୍‌ ଖେଳାଳି ହେଉଛନ୍ତି କୃଷ୍ଣକାୟ। ଆଫ୍ରିକାରୁ ଆସି ସେମାନେ ୟୁରୋପର ନାଗରିକ ହୋଇ ଗଲେଣି। ଫ୍ରାନ୍‌ସର ପୂର୍ବ ଉପନିବେଶମାନଙ୍କରୁ ସେମାନେ ଆସି ସେ ଦେଶର ନାଗରିକ ଓ ଫୁଟ୍‌ବଲ୍‌ ଖେଳାଳି ହୋଇ ଯାଇଛନ୍ତି। ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ, ଆଲଜେରିଆ ଆଦିରେ ଆରବ ଜାତିର ‌ଲୋକ ଫୁଟ୍‌ବଲ୍‌ରେ ସଫଳତା ଅର୍ଜନ କରିଛନ୍ତି।

ସାଉଦି ଆରବ ଦଳରେ ତାଙ୍କ ନିଜ ଦେଶର ଖେଳାଳି ଏକ ପ୍ରକାର କେହି ନାହାନ୍ତି। ଆଫ୍ରିକାରୁ ଆସି ସାଉଦି ଆରବର ନାଗରିକ ହୋଇଥିବା କୃଷ୍ଣକାୟମାନେ ହେଉଛନ୍ତି ଏବେ ସେ ଦେଶର ଫୁଟ୍‌ବଲ୍‌ ଖେଳାଳି। ସେ ଦେଶର ନାଗରିକମାନଙ୍କର ଦେହର ରଙ୍ଗ ଓ ସେ ଦେଶର ଫୁଟ୍‌ବଲ୍‌ ଖେଳାଳିମାନଙ୍କର ଶରୀରର ରଙ୍ଗ ତଥା ଚେହେରା ସମ୍ପୂର୍ଣ୍ଣ ବିପରୀତ।

ଭାରତରେ ଏବେ ଫୁଟ୍‌ବଲ୍‌ର ଆଇ.ଏସ୍.ଏଲ୍. ଲିଗ୍ ଖେଳା ଯାଉଛି, ଯେଉଁଥିରେ ବିଭିନ୍ନ ଦଳମାନଙ୍କରେ ଅଧା ବିଦେଶୀ ଖେଳାଳି ରହୁଛନ୍ତି। ଓଡ଼ିଶା ଏଫ୍.ସି. ଦଳରେ ଜଣେ ମଧ୍ୟ ଓଡ଼ିଆ ଖେଳାଳି ନାହାନ୍ତି। ଏଣୁ ଏହି କ୍ଷେତ୍ରରେ ଭାରତ ତା’ର ଫୁଟ୍‌ବଲ୍‌ ଖେଳାଳିମାନଙ୍କର ଶକ୍ତି, ଦକ୍ଷତା ଓ ଟେକ୍‌ନିକ୍‌ ବା କୌଶଳ ବୃଦ୍ଧି କରାଇବା ଉଚିତ। ତା’ ହେଲେ କ୍ରିକେଟ୍‌ ପରି ଭାରତୀୟମାନେ ଫୁଟ୍‌ବଲ୍‌ରେ ମଧ୍ୟ ଭଲ କରିପାରିବେ। ଏହି ଖେଳରେ ଅବଶ୍ୟ ଶକ୍ତିର ଯଥେଷ୍ଟ ଆବଶ୍ୟକତା ଅଛି। କିନ୍ତୁ ତା’ ଅପେକ୍ଷା ଅଧିକ ଆବଶ୍ୟକତା ରହିଛି କୌଶଳର ଯାହାକୁ ଭାରତର ଖେଳାଳିମାନେ ବିକାଶ କରିବା ଆବଶ୍ୟକ। ଫୁଟ୍‌ବଲ୍‌ ହେଉଛି ଏକ ‘ସଫ୍‌ଟ ପାୱାର’ ବା କୋମଳ ଶକ୍ତି। ଏଥିରେ ବିଜୟ ହାସଲ କରୁଥିବା ଦଳମାନେ ବିଶ୍ୱରେ ନାମ କମାଇଥାନ୍ତି। ଆର୍ଜେଣ୍ଟିନା ଏବେ ବିଶ୍ୱରେ ଏକ ଅର୍ଥ-କାଙ୍ଗାଳ ଦେଶ। ସେ ଦୃଷ୍ଟିରୁ ଆନ୍ତର୍ଜାତିକ ମୁଦ୍ରାକୋଷ (ଆଇ.ଏମ୍.ଏଫ୍.)ର ଋଣ ଉପରେ ଏ ଦେଶ ନିର୍ଭରଶୀଳ। ଭାରତ ଏତେ ଖରାପ ଅବସ୍ଥାରେ ନାହିଁ। ତେଣୁ ଭାରତ ଉଦ୍ୟମ କଲେ ଫୁଟ୍‌ବଲ୍‌ ବିଜୟୀ ଦେଶରେ ମଧ୍ୟ ପରିଣତ ହୋଇପାରିବ।
ମୋ-୯୪୩୭୦୨୦୨୯୦