୨୦୧୮ ମସିହାରେ ‘ଫରବିଡେନ ଆଇଲ୍ୟାଣ୍ଡ’ ନାମକ ଏକ ପୁସ୍ତକ ପ୍ରକାଶ ପାଇଲା। ତହିଁରେ ଲେଖକ ଜେରେମି ରବିନ୍ସ ‘ସେଣ୍ଟିନେଲିଜ୍’ ନାମକ ଜନଜାତି ସଂପ୍ରଦାୟ ବାବଦରେ ଲେଖିଥିଲେ। ସେମାନେ ହେଉଛନ୍ତି ଆଣ୍ଡାମାନ ଦ୍ବୀପପୁଂଜର ଏକ ଅଂଶ ଉତ୍ତର ସେଣ୍ଟିନେଲ ଦ୍ବୀପର ବାସିନ୍ଦା। ଜେରେମିଙ୍କ ବର୍ଣ୍ଣନା ଅନୁଯାୟୀ ପ୍ରାୟ ଅଣଷଠି ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଦ୍ବୀପର ଅଧିବାସୀମାନଙ୍କ ଲାଗି ସମୟ ଯେମିତି ପ୍ରାଗୈତିହାସିକ କାଳରୁ ହିଁ ଅଟକି ଯାଇଛି। ନୃତତ୍ତ୍ବ ଅନୁଶୀଳନରୁ ବିଶ୍ବାସ କରାଯାଏ ଯେ ସେମାନେ ୬୦,୦୦୦ ବର୍ଷ ପୂର୍ବରୁ ଯେମିତି ଥିଲେ, ଏବେ ବି ସେମିତି ଅପରିବର୍ତ୍ତିତ ଅବସ୍ଥାରେ ଅଛନ୍ତି। ଦେଖିବାକୁ ସେମାନେ କୃଷ୍ଣକାୟ, ଗେଡ଼ା ଏବଂ ଅତ୍ୟନ୍ତ ହିଂସ୍ର ପ୍ରକୃତିର।
ଉଲ୍ଲେଖଯୋଗ୍ୟ ଯେ ମାର୍କୋପୋଲୋଙ୍କ ୧୨୯୦ ଖ୍ରୀଷ୍ଟାବ୍ଦ କାଳୀନ ଭ୍ରମଣ ବୃତ୍ତାନ୍ତରେ ମଧ୍ୟ ‘ସେଣ୍ଟିନେଲିଜ୍’ମାନଙ୍କ ସଂପର୍କରେ ସୂଚନା ରହିଛି। ତହିଁରେ ସେ ଲେଖିଥିଲେ ଯେ ସେମାନେ ଅତ୍ୟନ୍ତ ନିର୍ମମ ନରଭକ୍ଷୀ ଏବଂ ସେମାନଙ୍କ ମୁହଁର ଆକୃତି କୁକୁର ପରି। ସେ ଲେଖିଥିଲେ ଯେ ସେମାନଙ୍କର ଦ୍ୱୀପ ନିକଟ ଦେଇ ଯିବାର ଅର୍ଥ ବିପଦ ବରଣ କରିବା।
ବିଶେଷ ବିସ୍ମୟର କଥା ହେଲା, ଆଜି ପର୍ଯ୍ୟନ୍ତ ସେମାନେ ସେହି ଭଳି ହୋଇ ରହିଛନ୍ତି। ଭାରତ ସରକାର ସେଠାକୁ ଯିବା ଉପରେ ନିଷେଧାଦେଶ ଲାଗୁ କରିଛନ୍ତି। ତା’ ପୂର୍ବରୁ ସେଠାକୁ ଯାଇଥିବା ବହିରାଗତଙ୍କ ମଧ୍ୟରୁ କାଁ ଭାଁ କେତେ ଜଣ ଜୀବିତ ଫେରିଛନ୍ତି। ବହିରାଗତଙ୍କୁ ସେମାନେ ସର୍ବଦା ଶତ୍ରୁ ବୋଲି ଭାବନ୍ତି ଏବଂ ଧନୁତୀର, ଢେଲା ଏବଂ ନଡ଼ିଆ ନିକ୍ଷେପ କରି ହତ୍ୟା କରନ୍ତି। ସେମାନଙ୍କୁ ଆଧୁନିକ ବିଶ୍ୱ ସହିତ ଯୋଡ଼ିବାର ସମସ୍ତ ଉଦ୍ୟମ ବିଫଳ ରହିଛି।
୧୮୮୦ ମସିହାରେ ମୌରିସ୍ ପୋର୍ଟମ୍ୟାନ ନାମକ ଜଣେ ନୌ-େସନା ଅଧିକାରୀ ଏକ ବିଶାଳ ବାହିନୀ ନେଇ ସେଠାରେ ଓହ୍ଲାଇ ଦୁଇ ଜଣ ବୟସ୍କ ଓ ଚାରି ଜଣ ସେଣ୍ଟିନେଲିଜ୍ ବାଳକଙ୍କୁ ବଳ ପୂର୍ବକ ସାଙ୍ଗରେ ଘେନି ଆଣିଥିଲେ। ଉଦ୍ଦେଶ୍ୟ ଥିଲା, ସେମାନଙ୍କୁ ଆଧୁନିକ ସମାଜ ସହିତ ଯୋଡ଼ିବା। କିନ୍ତୁ ସେମାନେ ମୂଳ ଭୂଖଣ୍ଡରେ ପହଞ୍ଚିବାର ଅଳ୍ପ ଦିନ ମଧ୍ୟରେ ରୋଗଗ୍ରସ୍ତ ହେଲେ ଯହିଁରେ ବୟସ୍କ ଦୁଇ ଜଣ ମୃତ୍ୟୁବରଣ କଲେ। ଏଥିରେ ବିଚଳିତ ହୋଇ ବାଳକମାନଙ୍କୁ ତୁରନ୍ତ ସେହି ଦ୍ବୀପରେ ଛାଡ଼ି ଦିଆଗଲା। ସେମାନଙ୍କର ଅବସ୍ଥା କ’ଣ ହେଲା, ତାହା ଜଣା ନାହିଁ।
ସେଠାକୁ ଯିବାକୁ ବାହାରିଥିବା କିଛି ଦୁଃସାହସୀ ପରିବ୍ରାଜକଙ୍କ ଦୁଃଖଦ ଅନ୍ତ ପରେ ଭାରତ ସରକାର ୧୯୯୬ ମସିହା ଠାରୁ ସେଠାରେ ବାହାର ଲୋକଙ୍କ ପ୍ରବେଶକୁ ନିଷେଧ କରି ଦେଇଛନ୍ତି। ଭାରତର ନୌ-ସେନା ଦିନ ରାତି ଚବିଶ ଘଣ୍ଟା ସେଠାରେ ପହରା ଦେଉଛନ୍ତି।
୧୯୭୪ ମସିହାରେ ‘ନେସନାଲ ଜିଓଗ୍ରାଫି’ର ବୃତ୍ତଚିତ୍ର ନିର୍ମାଣକାରୀ ଦଳ ସେଣ୍ଟିନେଲ ଦ୍ବୀପର ନିକଟବର୍ତ୍ତୀ ହେବା ବେଳକୁ ସେଣ୍ଟିନିଲେଜ୍ମାନଙ୍କ ଦ୍ବାରା ତୀର ବର୍ଷାର ସମ୍ମୁଖୀନ ହୋଇ ସେଠାରୁ ପ୍ରାଣ ବଞ୍ଚାଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ସେମିତି ୧୯୮୧ରେ ଗୋଟିଏ ଜାହାଜ ସେଣ୍ଟିନେଲ ଦ୍ୱୀପ ନିକଟରେ ଅଚଳ ହୋଇଯିବା ପରେ ସେଣ୍ଟିନେଲିଜ୍ମାନଙ୍କ ଆକ୍ରମଣ ଉଦ୍ୟମ ପରେ ସେଥିରେ ଥିବା ୨୮ ଜଣ କର୍ମଚାରୀଙ୍କୁ ଅଗତ୍ୟା ହେଲିକପ୍ଟର ଯୋଗେ ଉଦ୍ଧାର କରିବାକୁ ପଡ଼ିଥିଲା। କିନ୍ତୁ ତ୍ରିଲୋକନାଥ ପଣ୍ଡିତ ଏବଂ ମଧୁମାଳା ଚଟୋପାଧ୍ୟାୟ ନାମକ ବିଖ୍ୟାତ ନୃତତ୍ୱ-ବିଜ୍ଞାନୀ (ଆନ୍ଥ୍ରୋପୋଲୋଜିଷ୍ଟ) ଯଥାକ୍ରମେ ୧୯୬୭ ଏବଂ ୧୯୯୧ ମସିହାରେ ସେଠାକୁ ଯାଇ ଅକ୍ଷତ ଅବସ୍ଥାରେ ଫେରିଥିବାର ଦାବି କରିଥିଲେ। ଏହି ଦୁଇ ଜଣ କୁଆଡ଼େ ସେମାନଙ୍କୁ ଉପହାର ଦେଇ ଆଂଶିକ ବିଶ୍ବାସ ଜିଣିବାରେ ସଫଳ ହୋଇଥିଲେ। ୨୦୦୬ ମସିହାରେ ଦୁଇ ଜଣ ମାଛ ଧରାଳୀଙ୍କ ବୋଟ୍ ରାତିରେ ସମୁଦ୍ର ଭିତରେ ସ୍ଥିର ଭାବେ ଭାସମାନ ଥିବା ବେଳେ ଅଗତ୍ୟା ସମୁଦ୍ର ସ୍ରୋତରେ ଭାସି ସେଣ୍ଟିନେଲ ଦ୍ୱୀପ ନିକଟକୁ ଚାଲି ଆସିଥିଲା। ପର ଦିନ ସକାଳେ ସେମାନେ ସେଣ୍ଟିନେଲିଜ୍ଙ୍କ ହାତରେ ମୃତ୍ୟୁ ବରଣ କରିଥିଲେ। ୨୦୧୮ ମସିହାରେ ଜନ୍ ଆଲେନ କାଓ ନାମକ ଜଣେ ଧର୍ମଯାଜକ ଏହି ଆଦିମ ଅଧିବାସୀଙ୍କ ମନରେ ନବ ଯୁଗର ସ୍ଫୁରଣ କରିବା ଲାଗି ସେଠାକୁ ଯାଇଥିଲେ। କିନ୍ତୁ ସେଣ୍ଟିନେଲିଜମାନେ କାଓଙ୍କୁ ହତ୍ୟା କରି ସେଠାରେ ପୋଡ଼ି ଦେଇଥିଲେ।
ଯଦିଓ ଏବେ ବି କେତେକ ହିଂସ୍ର ଜନଜାତି ପୃଥିବୀର ବିଭିନ୍ନ ଅଞ୍ଚଳରେ ଅଛନ୍ତି, ସବୁଠାରୁ ଅଧିକ ଘାତକ ଜନଜାତି ଭାବରେ ସେଣ୍ଟିନିଲେଜ୍ମାନଙ୍କୁ ହିଁ ବିଚାର କରାଯାଏ। ଏହା ପଛକୁ ରହିଛନ୍ତି କାରିବ, ଆଜଟେକ, ଅଓ, ପାପୁଆନ, ମାସକୋପିରୋ, ପାଲାୱାନ, ସୁରି, ୟାନାମାମି, କୁରୁବେ ଏବଂ କାରିଜ ଭଳି କେତେକ ଜନଜାତି। ଏମାନେ ବିଭିନ୍ନ ଏସୀୟ, କ୍ୟାରିବୀୟ, ଅଷ୍ଟ୍ରେଲୀୟ ଏବଂ ଲାଟିନ ଆମେରିକୀୟ ଦ୍ବୀପରେ ଦେଖାଯାଆନ୍ତି। ଏମାନଙ୍କ ମଧ୍ୟରୁ କେତେକ ସଭ୍ୟତାର ସ୍ପର୍ଶ ପାଇଲେଣି ମଧ୍ୟ।
ସେଣ୍ଟିନେଲିଜ୍ ଭଳି ଜନଜାତିର ଲୋକେ ବାହାର ଦୁନିଆ ସହିତ ସଂପର୍କରେ ଜମାରୁ ଆସି ନ ଥିବାରୁ ସେମାନଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଏତେ ନିରୀହ ଅବସ୍ଥାରେ ଅଛି ଯେ ସେମାନେ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଲେ ରୋଗଗ୍ରସ୍ତ ହୋଇ ସେମାନଙ୍କ ବଂଶ ବୁଡ଼ିଯିବାର ଆଶଙ୍କା ରହିଛି। ତେଣୁ ଭାରତ ସରକାର ସେଣ୍ଟିନେଲିଜ୍ମାନଙ୍କୁ ଏକ ସୁରକ୍ଷା ବଳୟ ମଧ୍ୟରେ ରଖିଛନ୍ତି। ତା’ ଛଡ଼ା ସେମାନେ ଅତି ପ୍ରାଚୀନ ମନୁଷ୍ୟ ସମାଜର ଚିହ୍ନ ସ୍ବରୂପ ବର୍ତ୍ତମାନ ବିଦ୍ୟମାନ ଅଛନ୍ତି, ଯାହା ମଧ୍ୟ କମ୍ ବଡ଼ କଥା ନୁହେଁ। ତେଣୁ ସେମାନଙ୍କ ସଯତ୍ନ ସଂରକ୍ଷଣ ମଧ୍ୟ ଜରୁରୀ।
ମୋ: ୯୯୩୭୮୬୩୫୨୮