ଚୁଗୁଲି ଅଭ୍ୟାସ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ଗୋଟିଏ ବଦ୍‌ ଅଭ୍ୟାସ ଆରମ୍ଭ ହେଲା। ଏଣିକି ସେ ରାଜାଙ୍କ ଠାରେ ଅନ୍ୟର ଚୁଗୁଲି କରିବାକୁ ଲାଗିଲେ। ଅନ୍ୟର ଚୁଗୁଲି ଶୁଣିବାକୁ ଅଧିକାଂଶ ଭଲ ପାଆନ୍ତି। ତେଣୁ ରାଜା ମଧ୍ୟ ପ୍ରଥମେ ପ୍ରଥମେ ତାହା ଭଲ ପାଇଲେ, କିନ୍ତୁ କ୍ରମେ ତାହା ଅସହ୍ୟ ହେଲା। ସେ ଭାବିଲେ ମୁଲ୍ଲା ପକ୍କା ବଦମାସ।

ତେଣୁ ସେ ଦିନେ ମୁଲ୍ଲାଙ୍କୁ କହିଲେ- ମୁଲ୍ଲା, ତୁମର ଏଭଳି ଅଭ୍ୟାସ ଭଲ ନୁହେଁ। ତୁମେ ଆଜି ମୋ ପାଖରେ ଅନ୍ୟମାନଙ୍କ ଚୁଗୁଲି କରୁଛ! ସେମିତି ମୁଁ ଯେଉଁଠାରେ ନ ଥିବି, ସେଠାରେ ତୁମେ ମୋର ମଧ୍ୟ ଚୁଗୁଲି କରୁଥିବ! ଆଗରୁ ତ ତୁମର ଏମିତି ଅଭ୍ୟାସ ନ ଥିଲା।

ମୁଲ୍ଲା କହିଲେ- ନା ଜାହାଁପନା, ଏ ଅଭ୍ୟାସ ମୁଁ ଏବେ ମାତ୍ର ଆରମ୍ଭ କରିଛି। କାରଣ ମୁଁ ଜଣେ ଭଲ ଲୋକ ହୁଏ ବୋଲି ମୋ ପତ୍ନୀ ଚାହେଁ।
ରାଜା କହିଲେ- ସେଥିରେ ଅସୁବିଧା କ’ଣ? ତୁମ ଭଳି ଅଖାଡୁଆ ଲୋକ ସୁଧୁରି ଯାଉ ବୋଲି ତୁମ ପତ୍ନୀ ଚାହିଁବା ସ୍ବାଭାବିକ। ତେଣୁ ତୁମେ ନିଜକୁ ସୁଧାର। ନିଜର ଖରାପ ଗୁଣକୁ ବଦଳାଅ। ଅଥଚ, ତୁମେ ଆଉ ଗୋଟିଏ ଖରାପ ଗୁଣ ହାସଲ କରିସାରିଲଣି!

ମୁଲ୍ଲା କହିଲେ- ଜାହାଁପନା, ଆପଣ ପୂରା କଥାଟି ଶୁଣି ନାହାନ୍ତି। ମୋ ପତ୍ନୀ କହିଲା- ତୁମେ ଭାରି ମିଛୁଆ। ପ୍ରଥମେ ସତ କଥା କହିବା ଅଭ୍ୟାସ କର। ତେଣୁ ତାହା ମାନିଲି। କିନ୍ତୁ ସେଥିରେ ଭାରି ଅସୁବିଧା। ଲୋକଙ୍କ ସାମନାରେ ତାଙ୍କ ବିଷୟରେ ସତ କଥା କହିବା କହିବା ଅର୍ଥ ହେଲା ଧୁମ ଗାଳି ବା ବେଳେ ବେଳେ ମାଡ଼ ମୂଲେଇବା। ତେଣୁ, ଦେଖିଲି ଆଗରେ ନ କହି ପିଠି ପଛରେ କହିବା ଭଲ। ମୁଁ ଏବେ କେବଳ ସତ କହୁଛି ଯାହାକୁ ଆପଣ ଚୁଗୁଲି ବୋଲି କହୁଛନ୍ତି!

ସମ୍ବନ୍ଧିତ ଖବର