ଷଷ୍ଠ ଦଶକର କଥା। ଥରେ ଗୋଟିଏ ବ୍ରାଜିଲୀୟ ଫୁଟ୍‌ବଲ୍‌ କ୍ଲବ୍‌ ପ୍ରଦର୍ଶନୀ ମ୍ୟାଚ୍‌ଟିଏ ଖେଳିବା ଲାଗି ଇଜିପ୍‌ଟ ଯାତ୍ରା କରୁଥାଏ। ଯାତ୍ରା ପଥରେ ଲେବାନନ୍‌ର ରାଜଧାନୀ ବିରୁଟରେ ଥାଏ ‘ଷ୍ଟପ୍‌ ଓଭର‌୍‌’। କିନ୍ତୁ ବିରୁଟରେ ବିମାନଟି ଅବତରଣ କଲା ପରେ ହଠାତ୍‌ ଦେଖିବାକୁ ମିଳିଲା ଏକ ଅଭାବନୀୟ ଦୃଶ୍ୟ; ଗୋଟିଏ ଉଦ୍‌ଭ୍ରାନ୍ତ ଭିଡ଼ ବିମାନ ବନ୍ଦରେ ପ୍ରବେଶ କରି ବିମନାକୁ ଘେରିଯିବା ସହିତ ଧମକ ଦେଉଥିଲେ ଯେ ସେହି କ୍ଲବ୍‌ ଗୋଟିଏ ଲେବାନିଜ୍‌ ଫୁଟ୍‌ବଲ୍‌ ଟିମ୍‌ ସହିତ ଅନ୍ତତଃ ଗୋଟିଏ ମ୍ୟାଚ୍‌ ଖେଳୁ, ନଚେତ୍‌ ଦଳର ଜଣେ ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଅପହରଣ କରି ନିଆଯିବ। ଅବଶ୍ୟ, ପୁଲିସର ହସ୍ତକ୍ଷେପ ପରେ ବିମାନଟି ବିରୁଟ୍‌ ଛାଡ଼ିଲା ଏବ˚ ଇଜିପ୍‌ଟର ରାଜଧାନୀ କାଇରୋ ସେହି ତରୁଣଙ୍କ ଖେଳରେ ଚମତ୍କୃତ ହେଲା। ସେହି ବ୍ରାଜିଲୀୟ କ୍ଲବର ନାମ ଥିଲା ସାଣ୍ଟୋସ୍‌ ଏବ˚ ଅପହୃତ ହେବାର ସମ୍ଭାବନା ବହନ କରୁିଥିବା ତରୁଣ ଖେଳାଳି ଜଣକ ଥିଲେ ଏଡସନ୍‌ ଆରାଣ୍ଟେସ୍ ଡୋ ନସେମାଣ୍ଟୋ ବା ପେଲେ, ଯିଏ ଷଷ୍ଠ ଦଶକର ଅନ୍ତିମ ଭାଗ ବେଳକୁ ସମଗ୍ର ପୃଥିବୀ ଚିହ୍ନିଥିବା ମାତ୍ର ଦୁଇ ଜଣ ଖେଳାଳିଙ୍କ ମଧୢରୁ ଥିଲେ ଜଣେ ଏବ˚ ଆର ଜଣକ ଥିଲେ କି˚ବଦନ୍ତୀୟ ମୁଷ୍ଟି ଯୋଦ୍ଧା ମହମ୍ମଦ ଅଲ୍ଲୀ। ମହମ୍ମଦ ଅଲ୍ଲୀ ଦୁରାରୋଗ୍ୟ ‘ପାରକିନ୍‌ସନ୍‌’ରେ ପୀଡ଼ିତ ହୋଇ ୨୦୧୬ ମସିହାରେ ପରଲୋକ ଗମନ କଲେ ଏବ˚ ତାହାର ଛଅ ବର୍ଷ ପରେ ଗଲା ୨୯ ତାରିଖରେ ବୃହଦନ୍ତ୍ର କର୍କଟରେ ପେଲେଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁେ ବେଳକୁ ତାଙ୍କ ବୟସ ଥିଲା ବୟାଅଶୀ ବର୍ଷ।

Advertisment

ପେଲେଙ୍କ ପିତା ଥିଲେ ଜଣେ ଫୁଟ୍‌ବଲ୍‌-ବାୟା ପେସାଦାର ଖେଳାଳି, ଯିଏ ଏକ ଭଲ କ୍ୟାରିଅର ଆଶାରେ ସପରିବାର ସାଓ ପାଉଲୋ ଚାଲି ଆସିଥିଲେ। କିନ୍ତୁ, ଏକ ଶାରୀରିକ ଆଘାତ ତାଙ୍କୁ ଚିର ଦିନ ସକାଶେ ଫୁଟ୍‌ବଲ୍‌ ଖେଳିବାରୁ ବଞ୍ଚିତ କରିବା ସହିତ ତାଙ୍କ ପରିବାରକୁ ଚରମ ଦାରିଦ୍ର୍ୟ ଗର୍ଭକୁ ନିକ୍ଷେପ କଲା। ସୁତରା˚, ଏଥିରୁ ବୁଝିହୁଏ ପିତାଙ୍କ ପଦାଙ୍କ ଅନୁସରଣ କରିବାକୁ ଉଦ୍‌ଗ୍ରୀବ କିଶୋର ପେଲେଙ୍କୁ ବିଭିନ୍ନ କ୍ଲବ୍‌ରେ ଖେଳାଇବା ସକାଶେ ତାଙ୍କ ଏକାନ୍ତ ଅନିଚ୍ଛୁକା ମା’ଙ୍କ ଠାରୁ ଅନୁମତି ଲାଭ କରିବା କାହିଁକି ଅତ୍ୟନ୍ତ କଷ୍ଟସାଧୢ ହେଉଥିଲା! ତେବେ, ଚରମ ଦାରିଦ୍ର୍ୟ ମଧୢରେ ଅର୍ଥାର୍ଜନ ସକାଶେ ଷ୍ଟେସନରେ ଜୋତା ପାଲିସ କରୁଥିବା ବାଳକ ପେଲେ, ବେଳ ପାଇଲେ କାଗଜ ଏବ˚ କନା ତିଆରି ବଲ୍‌ ନେଇ ସଡ଼କ ଉପରେ ଖାଲି ପାଦରେ ଖେଳୁଥିଲେ, ଯହିଁରେ କନା-କାଗଜର ପେଣ୍ତୁ ସହିତ ଖାଲି ପାଦ ଦ୍ବୟର ଯୁଗଳବନ୍ଦୀ ଏଭଳି ଐନ୍ଦ୍ରଜାଲିକ ତାଳ ଓ ଲୟ ସୃଷ୍ଟି କରୁଥିଲା ଯେ ତାହାକୁ ନଜରଅନ୍ଦାଜ କରାଯିବା ଅସମ୍ଭବ ଥିଲା। ଏହାର ଅନେକ ବର୍ଷ ପରେ, ୧୯୭୦ ମସିହାର ମେକ୍‌ସିକୋ ବିଶ୍ବକପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ କାଳରେ, ଲାଟିନ ଆମେରିକୀୟ ସୂର୍ଯ୍ୟାଲୋକ ତଳେ ଯେତେବେଳେ ବ୍ରାଜିଲ ଟିମ୍‌ ପାର˚ପରିକ ବ୍ରାଜିଲୀୟ ‘ସାମ୍ବା’ ତାଳରେ ଖେଳି ମ୍ୟାଚ୍‌ଗୁଡ଼ିକୁ ବସ୍ତୁତଃ ନୃତ୍ୟରେ ପରିଣତ କରିବା ସହିତ ଅବଲୀଳା କ୍ରମେ ତୃତୀୟ ଥର ଲାଗି ବିଶ୍ବ କପ୍‌ ଜିଣିବାର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କଲା, ସେତିକି ବେଳେ ଏଭଳି ନୃତ୍ୟର ଅୟମାରମ୍ଭ ଜଣେ ବାଳକର ପଦ ଚାଳନାରେ ସାଓ ପାଉଲୋ ସଡ଼କରେ ଦେଖିଥିବାର ସ୍ମୃତି ଅନେକ ବ୍ରାଜିଲୀୟଙ୍କ ମନରେ ଉଜାଗର ହୋଇ ଉଠିଥିଲା। କୁହାଯାଏ ଯେ ପେଲେ ଓ ତାଙ୍କୁ ପରିବେଷ୍ଟିତ କରିଥିବା ଜାଇରଜିନୋ ବା ଗେର୍ସନ ବା ଟୋଷ୍ଟାଓଙ୍କ ଭଳି ଅତ୍ୟନ୍ତ ପ୍ରତିଭାବାନ ତରୁଣ ତାରକାଙ୍କ ଏହି ଟିମ୍‌ ବ୍ରାଜିଲୀୟ ଫୁଟ୍‌ବଲ୍‌ ଇତିହାସର ସର୍ବଶ୍ରେଷ୍ଠ ଟିମ୍‌।

୧୯୫୦ ମସିହା। ଏକ ଅପରାହ୍‌ଣରେ ରେଡିଓଟିକୁ କାନରେ ଲଗାଇ ଟୁର୍ନାମେଣ୍ଟର ଧାରା ବିବରଣୀ ଶୁଣୁ ଶୁଣୁ ପେଲେଙ୍କ ପିତା ଡୋନ୍‌ଡିନୋ ହଠାତ୍‌ କାନ୍ଦି ପକାଇଲେ; କାରଣ ବିଶ୍ବକପ୍‌ର ଏକ ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ଦିନ ଉରୁଗୁଏ ଠାରୁ ବ୍ରାଜିଲ ପରାସ୍ତ ହୋଇ ଅଗତ୍ୟା ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା। ‘ପୁରୁଷମାନେ କାନ୍ଦନ୍ତି ନାହିଁ’ ବୋଲି ବରାବର କହିଆସୁଥିବା ଡୋନ୍‌ଡିନୋଙ୍କୁ ଏଭଳି ଅବସ୍ଥାରେ ଦେଖି ନଅ ବର୍ଷ ବୟସର ବାଳକ ପେଲେ ସେ ଦିନ ପିତାଙ୍କୁ ଏକ ନିରୀହ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ସେ ନିଶ୍ଚୟ ଦିନେ ବ୍ରାଜିଲ ସକାଶେ ବିଶ୍ବକପ୍‌ଟିଏ ଜିଣିବେ। ଏହାର ଆଠ ବର୍ଷ ବାଦେ ୧୯୫୮ ମସିହାରେ ସେ ଏହି ପ୍ରତିଶ୍ରୁତି ପୂରଣ କଲେ। ବ୍ରାଜିଲ ଦଳ ପକ୍ଷରୁ ଶେଷ ତିନିଟି ମ୍ୟାଚ୍‌ ଖେଳି ଗୋଟିଏ ହ୍ୟାଟ୍ରିକ୍‌ (କନିଷ୍ଠତମ ହ୍ୟାଟ୍ରିକ୍‌ ସ୍ରଷ୍ଟା) ସହିତ ସେ ଦେଲେ ଛଅଟି ଗୋଲ୍‌। ଏହା ସହିତ ବ୍ରାଜିଲର ଆକାଶରେ ଏକ ଚିର ଭାସ୍ବର ତାରକାର ଉଦୟ ହେଲା ଏବ˚ ପରବର୍ତ୍ତୀ କାଳରେ ପୃଥିବୀ ଦେଖିଲା ଅବିଶ୍ରାନ୍ତ ଗୋଲ୍‌ର ବର୍ଷା ତଥା ନୂତନ ମାଇଲ ଖୁଣ୍ଟି ସ୍ଥାପନର ଧାରା; ତାଙ୍କ କ୍ୟାରିଅରରେ ୧୩୬୩ଟି ମ୍ୟାଚ୍‌ରେ ସେ ସ୍କୋର‌୍‌ କଲେ ୧୨୭୯ଟି ଗୋଲ୍‌। ୧୯୫୮ ବିଶ୍ବକପ୍‌ ଖେଳିଲା ବେଳକୁ ତାଙ୍କୁ ମାତ୍ର ୧୭ ବର୍ଷ ବୟସ, ଯାହା ବିଶ୍ବକପ୍‌ ଖେଳିଥିବା କନିଷ୍ଠତମ ଖେଳାଳିଭାବେ ଏକ ରେକର୍ଡ।

୧୯୫୮ ବିଶ୍ବକପ୍‌ ବିଜୟ ପରେ ତାଙ୍କୁ ଖର୍ଦ୍ଦି କରିବା ଲାଗି ଆକୁଳ ୟୁରୋପୀୟ କ୍ଲବ୍‌ମାନଙ୍କ ପ୍ରତିଦ୍ବନ୍ଦ୍ବିତା ପରିପ୍ରେକ୍ଷୀରେ ସେତେବେଳେ ଏକ ଭୟ ସୃଷ୍ଟି ହେଲା ଯେ ବ୍ରାଜିଲରୁ ପେଲେଙ୍କ ପ୍ରସ୍ଥାନ ଦ୍ବାରା ବ୍ରାଜିଲର ଫୁଟ୍‌ବଲ୍‌ ଦୁର୍ବଳ ହୋଇପଡ଼ିବ। ସୁତରା˚, ସ˚ସଦରେ ଏକ ପ୍ରସ୍ତାବ ଗୃହୀତ କରାଯାଇ ପେଲେଙ୍କୁ ‘ରପ୍ତାନିର ଊର୍ଦ୍ଧ୍ବରେ ଥିବା ରାଷ୍ଟ୍ରୀୟ ସ˚ପଦ’ର ମର୍ଯ୍ୟାଦା ପ୍ରଦାନ କରାଗଲା। ତେଣୁ, ବାର୍ଷିକ ୧ ନିୟୁତ ଡଲାରର ବେତନରେ ବ୍ରାଜିଲୀୟ କ୍ଲବ୍‌ ସାଣ୍ଟୋସ ସହ ସେ ଆରମ୍ଭ କରିଥିବା ସ˚ପର୍କ ନିରବଚ୍ଛିନ୍ନ ଭାବେ ୧୯ ବର୍ଷ ଧରି ଅତୁଟ ରହିଲା ଏବ˚ ପେଲେଙ୍କ କୁହୁକ ବଳରେ ତାହା ବିଶ୍ବର ଏକ ଶ୍ରେଷ୍ଠତମ ଫୁଟ୍‌ବଲ୍‌ କ୍ଲବରେ ପରିଣତ ହେଲା। ପେଲେ ଏଭଳି ଲୋକପ୍ରିୟ ହୋଇଥିଲେ ଯେ ‘ସାଣ୍ଟୋସ’ ତାଙ୍କୁ ଧରି ପ୍ରଦର୍ଶନୀ ମ୍ୟାଚ୍‌ମାନ ଖେଳିବା ସକାଶେ ବିଶ୍ବ ତମାମ ଘୂରି ବୁଲିଲା ଏବ˚ ସର୍ବତ୍ର ଜନାରଣ୍ୟରେ ପରିଣତ ହୋଇଥିବା ଷ୍ଟାଡିଅମଗୁଡ଼ିକ ଫୁଟ୍‌ବଲ୍‌ ଖେଳ ନାମରେ ଯାହା ଦେଖୁଥିଲେ ତାହା ଥିଲା ନିରୋଳା ମେଜିକ୍‌। କିନ୍ତୁ ଏହି କ୍ରମରେ ‘ସାଣ୍ଟୋସ୍‌’ର ଅନ୍ୟ ଖେଳାଳିମାନେ ଅବ୍ୟାହତି ବା ବିଶ୍ରାମର ସୁଯୋଗ ପାଉଥିବା ବେଳେ ପେଲେଙ୍କୁ ଶେଷ ସ୍ବେଦ ବିନ୍ଦୁ ପର୍ଯ୍ୟନ୍ତ ଖେଳା ଯାଉଥିଲା; ଏପରିକି ନଅଟି ଏଭଳି ଘଟଣାରେ ପେଲେଙ୍କୁ ଦିନକୁ ଦୁଇଟି ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା। ୧୯୬୨ ଫୁଟ୍‌ବଲ୍‌ ବିଶ୍ବକପ୍‌ରେ ତଳିପେଟ ନିକଟରେ ଆଘାତ ଲାଗି ସେ ସ˚ପୂର୍ଣ୍ଣ ଟୁର୍ନାମେଣ୍ଟ ଖେଳି ପାରି ନ ଥିବାର କାରଣ ଭାବେ ‘ସାଣ୍ଟୋସ୍‌’ ଦ୍ବାରା ପେଲେଙ୍କ ଅତି-ବ୍ୟବହାରକୁ ଦର୍ଶାଯାଇଥାଏ।

୧୯୭୪ ମସିହାରେ ତାଙ୍କ ଅଗଣିତ ପ୍ରଶଂସକଙ୍କୁ ମୁହ୍ୟମାନ କରି ପେଲେ ଫୁଟ୍‌ବଲ୍‌ରୁ ଅବସର ଗ୍ରହଣ କଲେ। ସେହି ବର୍ଷ ଜର୍ମାନିରେ ବିଶ୍ବ କପ୍‌ ଅନୁଷ୍ଠିତ ହେବାକୁ ଯାଉଥାଏ। ସୁତରା˚, ସମଗ୍ର ବ୍ରାଜିଲ ହତାଶା ଭିତରେ ଡୁବିଗଲା। କିନ୍ତୁ ତା’ର ବର୍ଷକ ପରେ ଅଗତ୍ୟା ‘ନ୍ୟୁୟର୍କ କସମସ୍‌’ ନାମକ ଏକ ଆମେରିକୀୟ କ୍ଲବ୍‌ ଲାଗି ଖେଳିବା ସକାଶେ ସେ ପୁନର୍ବାର ପଡ଼ିଆରେ ଅବତୀର୍ଣ୍ଣ ହେଲେ। ସେତେବେଳକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଫୁଟ୍‌ବଲ୍‌ ଥିଲା ଏକ ଅତ୍ୟନ୍ତ ଅପା˚କ୍ତେୟ କ୍ରୀଡ଼ା; ଅଥଚ ତାହା ଜନପ୍ରିୟ ହେଉ ବୋଲି ଚାହୁଁଥିଲେ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ ହେନରି କିସି˚ଜର। ସୁତରା˚, ତାଙ୍କ ଅନୁରୋଧରେ ବ୍ରାଜିଲ ସ˚ସଦରେ ପେଲେଙ୍କୁ ନେଇ ଗୃହୀତ ‘ରିଜଲ୍ୟୁସନ’ ପ୍ରତ୍ୟାହୃତ ହେଲା ଏବ˚ ତା’ ପରେ ପେଲେଙ୍କୁ ରାଜି କରିବା ଲାଗି ଆରମ୍ଭ ହୋଇଥିଲା ବିଧିବଦ୍ଧ ଉଦ୍ୟମ। ସେହି କ୍ରମରେ ଆମେରିକାର ଜନ୍‌.ଏଫ୍‌. କେନେଡି ବିମାନବନ୍ଦରର ଲାଉ˚ଜ୍‌ରେ ଯେତେବେଳେ ଏହି ଅପା˚କ୍ତେୟ ଖେଳର ସୁପର ଲିଗ୍‌ ଟୁର୍ନାମେଣ୍ଟ ସକାଶେ ‘କସ୍‌ମସ୍‌’ କ୍ଲବ୍‌ ପକ୍ଷରୁ ପ୍ରତି ମ୍ୟାଚ୍‌ ପିଛା ମାତ୍ର ୭୫ ଡଲାରରେ ଖେଳାଳିମାନଙ୍କ ଠାରୁ ସ୍ବାକ୍ଷର ଗ୍ରହଣ କରାଯାଉଥିଲା, ସେତିକି ବେଳେ ପେଲେଙ୍କ ଫି’ ବାବଦକୁ କ୍ଲବ୍‌ ପ୍ରଦାନ କରିଥିଲା ୭ ନିୟୁତ ଡଲାର। ପ୍ରକାଶ ଥାଉ କି ସେହି ସମୟରେ କେତେକ ଭୁଲ୍‌ ନିଷ୍ପତ୍ତି କାରଣରୁ ଏକଦା ସର୍ବାଧିକ ବିତ୍ତଶାଳୀ ଖେଳାଳି ପେଲେ କପର୍ଦ୍ଦକଶୂନ୍ୟ ହେବାକୁ ବସିଥିଲେ। ପେଲେଙ୍କ ସହିତ ଆଲୋଚନା ବେଳେ ‘କସ୍‌ମସ୍‌’ କ୍ଲବ୍‌ର ପରିଚାଳନ ଟୋବି ତାଙ୍କୁ କହିଥିଲେ ଯେ ଏ ଯାବତ୍‌ କେବଳ ମ୍ୟାଚ୍‌ ଜିଣୁଥିବା ପେଲେ ‘କସ୍‌ମସ୍‌’ରେ ଖେଳିଲେ ଗୋଟିଏ ରାଷ୍ଟ୍ରକୁ ଜିଣି ପାରିବେ। ତାହା ସତ୍ୟରେ ପରିଣତ ହୋଇଛି। ‘କସ୍‌ମସ୍‌’ ସକାଶେ ମାତ୍ର ତିନି ବର୍ଷ ଖେଳିଥିବା ସତ୍ତ୍ବେ ପେଲେଙ୍କ ଚୁମ୍ବକୀୟ ଉପସ୍ଥିତି ଏବ˚ ପ୍ରଦର୍ଶନ ହେତୁ ଆମେରିକାର ଫୁଟ୍‌ବଲ୍‌ ମରୁ ଏବେ ଶସ୍ୟ ଶ୍ୟାମଳା ହେବା ଆରମ୍ଭ କଲାଣି ଏବ˚ ପୃଥିବୀର ଶ୍ରେଷ୍ଠ ଟିମ୍‌ ତାଲିକାରେ ଏହାର ସ୍ଥାନ ଏବେ ୧୩ ନମ୍ବରରେ।

୨୦୨୨ କାତାର ବିଶ୍ବ କପ୍‌ ବେଳକୁ ପେଲେ ଶଯ୍ୟାଶାୟୀ ଥିଲେ। ସୁତରା˚, କ୍ରୋଏସିଆ ଠାରୁ କ୍ବାର୍ଟର ଫାଇନାଲରେ ହାରି ବିଦାୟ ନେଇଥିବା ବ୍ରାଜିଲ ଦଳ ସକାଶେ ହୁଏ’ତ ତାଙ୍କ ଚକ୍ଷୁ ଅଶ୍ରୁ ସଜଳ ହୋଇ ଉଠିଥିବ! ତେବେ, ବିଶ୍ବକପ୍‌ ସମାପ୍ତି ପରେ ‘ଫିଫା’ ଦ୍ବାରା ପ୍ରକାଶିତ ୨୦୨୨ର ଶ୍ରେଷ୍ଠ ଟିମ୍‌ ତାଲିକାରେ ବ୍ରାଜିଲ ଲାଭ କରିଥିବା ଶୀର୍ଷତମ ସ୍ଥାନ ସମ୍ବନ୍ଧରେ ଖବର ଯଦି ତାଙ୍କ କାନରେ ପଡ଼ିଥିବ, ତେବେ ହୁଏ’ତ ତାଙ୍କ ମୁହଁରେ ସ୍ମିତ ହସଟିଏ ଖେଳିଯାଇଥିବ! କାରଣ ବ୍ରାଜିଲୀୟ ଫୁଟ୍‌ବଲ୍‌ର ନୈସର୍ଗିକ ନୃତ୍ୟର ଜନ୍ମଦାତା ସେ ହିଁ ଥିଲେ; ଯେଉଁ ନୃତ୍ୟ ଏବେ ବି ଅନେକା˚ଶରେ ଅବ୍ୟାହତ ରହିଛି।