ଓଡ଼ିଶାର ସାମୁଦ୍ରିକ ପରମ୍ପରା କେତେ ପୁରାତନ ତାହା ସଠିକ୍ ଭାବେ ନିରୂପଣ କରିବା ସମ୍ଭବ ନହେଲେ ମଧ୍ୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଅନୁମାନ କରାଯାଏ ଯେ ନୂତନ ପ୍ରସ୍ତର ଯୁଗର ଶେଷ ଭାଗ ବେଳକୁ ଓଡ଼ିଶାର ସାମୁଦ୍ରିକ ସଂପର୍କ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସହିତ ସ୍ଥାପିତ ହୋଇ ତାମ୍ରଯୁଗ ଓ ଲୌହଯୁଗରେ ଏହାର ବିକାଶ ଘଟିଥିଲା। କ୍ରମେ ଏହି ସାମୁଦ୍ରିକ ସଂପର୍କ ଶ୍ରୀଲଙ୍କା, ମାଳଦ୍ବୀପ, ଆଫ୍ରିକା ମହାଦେଶ ଓ ରୋମ୍ ସାମ୍ରାଜ୍ୟ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା। ମାଣିକପାଟଣା, ପାଲୁର, ଶିଶୁପାଳଗଡ଼, ଗୋଳବାଇଶାସନ, ବାମନଘାଟି ଓ ଆହୁରି ଅନେକ ସ୍ଥାନର ପ୍ରତ୍ନତାତ୍ତ୍ବିକ ଖନନରୁ ଏ ବିଷୟରେ ପର୍ଯ୍ୟାପ୍ତ ପ୍ରମାଣ ଉପଲବ୍ଧ ହୋଇଛି। ଏସବୁ ସ୍ଥାନମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଗୋଳବାଇଶାସନର ପ୍ରତ୍ନତାତ୍ତ୍ବିକ ନିଷ୍କର୍ଷ ଉଲ୍ଲେଖଯୋଗ୍ୟ। କାର୍ବନ ଡେଟିଙ୍ଗ ପ୍ରକ୍ରିୟା ଦ୍ବାରା ନିରୂପିତ ସମୟ ସାରଣୀ ଅନୁସାରେ ଖ୍ରୀ.ପୂ. ୨୩୦୦ରୁ ଏଠାରେ ଏକ ପୁରାତନ ସଭ୍ୟତା ଗଢ଼ି ଉଠିଥିଲା। ଏଠାରୁ ପ୍ରାପ୍ତ ପ୍ରତ୍ନତାତ୍ତ୍ବିକ ବସ୍ତୁ ସମୂହରୁ ଏଠାରେ ଏକ ବୋଇତ ନିର୍ମାଣ ଓ ମରାମତି କେନ୍ଦ୍ର ରହିଥିବାର ସୂଚନା ମିଳିଥାଏ। କଳିଙ୍ଗରେ ହସ୍ତୀଯୂଥ ପରିବହନ କରିପାରୁଥିବା ଭଳି ଅତିକାୟ ବୋଇତ ନିର୍ମାଣ ହେଉଥିବାର ପ୍ରମାଣ ବ୍ରହ୍ମେଶ୍ବର ମନ୍ଦିର ନିକଟରୁ ପ୍ରାପ୍ତ ଓ ଅଧୁନା ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ ଦୁଇଟି ପ୍ରସ୍ତର ଫଳକରୁ ମିଳିଥାଏ। ତାମ୍ରଲିପ୍ତ ସହିତ ପାଲୁର ଓ ମାଣିକପାଟଣା ଓଡ଼ିଶାର ପ୍ରମୁଖ ବନ୍ଦର ଥିବା ଗ୍ରିକ୍ ବିଦ୍ୱାନ ଟଲେମି ଓ ହୁଏଂସାଙ୍କ ବିବରଣୀରୁ ଜଣାପଡ଼େ। ଏହି ବନ୍ଦରଗୁଡ଼ିକ ଓଡ଼ିଶାର ସାମୁଦ୍ରିକ ସଂପର୍କ ବ୍ୟାପ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ଖାରବେଳ ହାତୀଗୁମ୍ଫା ଶିଳାଲେଖରୁ ଅନେକ ଆଗରୁ କଳିଙ୍ଗର ଚୀନ ସହିତ ବାଣିଜ୍ୟିକ ସଂପର୍କ ଥିବାର ପ୍ରମାଣିତ ହୁଏ।
ଏହି କ୍ରମରେ ଅତି ପୁରାତନ କାଳରୁ କଳିଙ୍ଗ ଓ ମ୍ୟାନମାର (ବ୍ରହ୍ମଦେଶ) ମଧ୍ୟରେ ଏକ ନିବିଡ଼ ସାମୁଦ୍ରିକ ସଂପର୍କ ଥିବା ପରିଲକ୍ଷିତ ହୁଏ। ଖ୍ରୀ.ପୂ. ସପ୍ତମ ଶତାବ୍ଦୀରେ କିଛି କଳିଙ୍ଗ ଅଧିବାସୀ ସମୁଦ୍ର ପଥରେ ଦକ୍ଷିଣ ବ୍ରହ୍ମଦେଶରେ ପ୍ରବେଶ କରି ଏକ ଉପନିବେଶ ସ୍ଥାପନ କରିଥିଲେ। ସେହି ଅଞ୍ଚଳ ସେତେବେଳେ ‘କଳିଙ୍ଗରଥ୍ଥ’ ନାମରେ ନାମିତ ହୋଇଥିଲା ଓ ଆଧୁନିକ ପେଗୁ, ମ୍ୟାଉଙ୍ଗମ୍ୟା ଓ ବାସେଇନ୍ (ପାଥେଇନ୍) ଅଞ୍ଚଳରେ ବ୍ୟାପ୍ତ ଥିଲା। ଭିକ୍ଷୁ ପାନ୍ନାସାମୀଙ୍କ ଦ୍ୱାରା ଲିଖିତ ଶାସନବଂଶ ଓ ସ୍ଥାନୀୟ ଦନ୍ତକଥା ଅନୁସାରେ ବୁଦ୍ଧଙ୍କ ପ୍ରଥମ ଗୃହୀ ଶିଷ୍ୟ ଉତ୍କଳ (ଉକ୍କଲ)ର ଦୁଇଜଣ ବଣିକ ତାପସୁ ଓ ବିଲ୍ଲିକ ବୁଦ୍ଧଙ୍କଠାରୁ ପ୍ରାପ୍ତ ଆଠଟି କେଶ ସ୍ମୃତିରୁ ତିନୋଟି କେଶ ଓକ୍କାଲାପା (ୟାଂଗୋନ)ର ରାଜାଙ୍କୁ ପ୍ରଦାନ କରିଥିଲେ ଯାହା ଶ୍ୱେଦାଗନ ପାଗୋଡ଼ାରେ ପୂଜା ପାଉଛି। ଖ୍ରୀଷ୍ଟାବ୍ଦ ପ୍ରଥମ ଶତାବ୍ଦୀ ବେଳକୁ କଳିଙ୍ଗରଥ୍ଥକୁ ସ୍ଥାନୀୟ ଅଧିବାସୀମାନେ କରାୟତ୍ତ କରି ନେଇଥିଲେ। ଏହା ସତ୍ତ୍ବେ କଳିଙ୍ଗ ଓ ବ୍ରହ୍ମଦେଶ ମଧ୍ୟରେ ଗଢ଼ିଉଠିଥିବା ସଂପର୍କ ଅତୁଟ ଥିଲା। ବ୍ରହ୍ମଦେଶର ଏକ ଧାର୍ମିକ ଓ ଗୁରୁତ୍ବପୂର୍ଣ୍ଣ ଜନପଦ ଆଧୁନିକ ପ୍ରୋମ ସହର ପୁରୀ ଶ୍ରୀକ୍ଷେତ୍ର ନାମାନୁସାରେ ଶ୍ରୀକ୍ଷେତ୍ର ନାମରେ ନାମିତ ଥିଲା। ଏଠାରୁ ମିଳିଥିବା ଦୁଇଟି ସ୍ବର୍ଣ୍ଣପଟର ଲିପି କଳିଙ୍ଗ ମାଠର ଓ ଗଙ୍ଗବଂଶ ଦ୍ବାରା ବ୍ୟବହୃତ ଲିପି ସହିତ ଅନେକାଂଶରେ ମେଳ ଖାଉଥିବାର ଲକ୍ଷ୍ୟ କରାଯାଏ। ସେଠାର ପାଗାନ ଓ ଥାଟୋଁ ଅଞ୍ଚଳର ମନ୍ଦିର ଏବଂ ପାଗୋଡ଼ା ଗାତ୍ରର ଭାସ୍କର୍ଯ୍ୟ ଓ କଳିଙ୍ଗ ବିଶେଷତଃ ଭୁବନେଶ୍ବର ମନ୍ଦିରଗୁଡ଼ିକର ଭାସ୍କର୍ଯ୍ୟ ମଧ୍ୟରେ ଅତି ମାତ୍ରାରେ ସମାନତା ପରିଲକ୍ଷିତ ହୁଏ। ବ୍ରହ୍ମଦେଶର ଆନନ୍ଦ ମନ୍ଦିର ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ମନ୍ଦିର ଦ୍ବାରା ଅନୁପ୍ରାଣିତ ହୋଇଥିଲା ବୋଲି ଜନଶ୍ରୁତି ଅଛି।
ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ସିଂହପୁରର କଳିଙ୍ଗ ବଂଶୋଦ୍ଭବ ରାଜକୁମାର ବିଜୟ ତାଙ୍କର ଅନୁଗାମୀଙ୍କ ସହ ଉଚ୍ଛୃଙ୍ଖଳତା ପାଇଁ ତାଙ୍କର ପିତା ସିଂହବାହୁଙ୍କ ଦ୍ୱାରା ନିର୍ବାସିତ ହୋଇ ସମୁଦ୍ର ପଥରେ ପହଞ୍ଚିଥିଲେ ଶ୍ରୀଲଙ୍କା (ସିଂହଳ)ରେ ଏବଂ ସେଠାର ମୂଳ ଅଧିବାସୀଙ୍କୁ ଯୁଦ୍ଧରେ ପରାସ୍ତ କରି ଏକ ନୂତନ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଏହା ପରଠାରୁ କଳିଙ୍ଗ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଚମତ୍କାର ସାମାଜିକ ଓ ରାଜନୈତିକ ସଂପର୍କର ଆରମ୍ଭ ହୋଇଥିଲା। ପରବର୍ତ୍ତୀ କାଳରେ ଦ୍ବାଦଶ ଶତାବ୍ଦୀର ଶେଷ ଭାଗରୁ ଆଦ୍ୟ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗ ବଂଶର ନିଶଙ୍କମଲ୍ଲ, ମାଘ ଆଦି ରାଜାମାନେ ସଂପୂର୍ଣ୍ଣ ଶ୍ରୀଲଙ୍କା ଅଥବା ଉତ୍ତର ଶ୍ରୀଲଙ୍କାରେ ରାଜତ୍ବ କରିଥିଲେ। ଭାରତ ମହାସାଗରୀୟ ଦ୍ବୀପଗୁଡ଼ିକ ମଧ୍ୟରେ ସିଂହଳର କଳିଙ୍ଗ ସହିତ ସବୁଠାରୁ ଗଭୀରତମ ଓ ଦୀର୍ଘତମ ସଂପର୍କ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅନେକ ପ୍ରତ୍ନତାତ୍ତ୍ବିକ ଉପଲବ୍ଧି କଳିଙ୍ଗ ଓ ଶ୍ୟାମଦେଶ (ଥାଇଲାଣ୍ଡ) ମଧ୍ୟରେ ଏକ ଦୃଢ଼ ସଂପର୍କର ସୂଚନା ଦିଏ। ଅଶୋକଙ୍କ କଳିଙ୍ଗ ଯୁଦ୍ଧ ପରେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀ ଓ ଦ୍ୱିତୀୟ ପୁଲକେଶୀଙ୍କ କଳିଙ୍ଗ ଆକ୍ରମଣ ପରେ ଖ୍ରୀ. ସପ୍ତମ ଶତାବ୍ଦୀ ବେଳକୁ ଅନେକ କଳିଙ୍ଗବାସୀ ସମୁଦ୍ର ପଥରେ ଶ୍ୟାମଦେଶ ଯାତ୍ରା କରି ସେଠାରେ ବସତି ସ୍ଥାପନ କରିଥିବାର ବିଶ୍ବାସ କରାଯାଏ। ଓଡ଼ିଶାର କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ସହିତ ପ୍ରଭୂତ ସାମଞ୍ଜସ୍ୟ ରଖୁଥିବା ଥାଇଲାଣ୍ଡରେ ପାଳିତ ଲୋଇ କ୍ରାଥୋଙ୍ଗ ପର୍ବ ଏହାର ମୂକସାକ୍ଷୀ। କାର୍ତ୍ତିକ ପୂର୍ଣ୍ଣିମା ଦିନରେ ପାଳିତ ଏହି ପର୍ବରେ ଥାଇ ମହିଳାମାନେ କଦଳୀପଟୁକାରେ ମହମବତି ଜାଳି ଓ ସେଥିରେ ପାନ ଗୁଆ ରଖି ତାକୁ ଜଳରେ ଭସାଇ ଥାଆନ୍ତି।
ଖ୍ରୀ. ପ୍ରଥମ ଶତାବ୍ଦୀ ବେଳକୁ କଳିଙ୍ଗର କାମ୍ବୋଡିଆ (କମ୍ବୋଜ) ସହିତ ମଧ୍ୟ ଏକ ସୁନ୍ଦର ସମ୍ବନ୍ଧର ସୂତ୍ରପାତ ହୋଇଥିଲା। ଭାରତର ଜଣେ ବ୍ରାହ୍ମଣ (କୌଣ୍ତନ୍ୟ) ତାଙ୍କର କିଛି ଅନୁଚରମାନଙ୍କ ସହ କାମ୍ବୋଡିଆ ନିକଟରେ ସମୁଦ୍ରଯାତ୍ରା କରୁଥିବାବେଳେ ସେଠାର ନାଗବଂଶୀୟ ରାଜକୁମାରୀ ସୋମାଙ୍କର ଆକ୍ରମଣର ଶିକାର ହେଲେ। ଏହି ଯୁଦ୍ଧରେ ସେ ସଫଳତାର ସହ ନିଜକୁ ରକ୍ଷା କରିବା ସହିତ ତାଙ୍କର ତୀର ଦ୍ୱାରା ସୋମାଙ୍କ ବୋଇତକୁ କ୍ଷତିଗ୍ରସ୍ତ କରିଦେଇଥିଲେ। ସୋମା କୌଣ୍ତନ୍ୟଙ୍କ ବୀରତ୍ବରେ ମୁଗ୍ଧ ହୋଇ ତାଙ୍କୁ ଦେଇଥିବା ବିବାହ ପ୍ରସ୍ତାବକୁ କୌଣ୍ତନ୍ୟ ସ୍ୱୀକାର କଲେ ଓ ସେଠାରେ ଫୁନାନ ବା କୌଣ୍ଡନ୍ୟ ସାମ୍ରାଜ୍ୟର ମୂଳଦୁଆ ସ୍ଥାପନ କରିଥିଲେ। କୌଣ୍ଡନ୍ୟଙ୍କ ମାତୃଭୂମି ଉପରେ ଐତିହାସିକମାନଙ୍କ ଭିତରେ ମତାନୈକ୍ୟ ଥିଲେ ମଧ୍ୟ ଅଧିକାଂଶ ସେ କଳିଙ୍ଗର ମୂଳ ବାସିନ୍ଦା ବୋଲି ମତପୋଷଣ କରନ୍ତି। ଫ୍ୟୁନାନ୍ ସାମ୍ରାଜ୍ୟସ୍ଥିତ ଏକ ପର୍ବତ ଶ୍ରେଣୀ ମହେନ୍ଦ୍ର ପର୍ବତ ଧର୍ମ ଓ ରାଜନୈତିକ ଦୃଷ୍ଟିକୋଣରୁ ସେ ସାମ୍ରାଜ୍ୟର ପ୍ରାଣକେନ୍ଦ୍ର ଥିଲା। ସେତେବେଳର ଶୈବ ଶାସକମାନେ ସେହି ଅଞ୍ଚଳରୁ ଶାସନ କରିବା ସହିତ ପର୍ବତ ଶିଖରରେ ସ୍ଥାପିତ ଶିବଲିଙ୍ଗ ସେମାନଙ୍କର ଆରାଧ୍ୟ ଦେବତା ଥିଲେ। ସେହିପରି ସେ ସମୟରେ ମହେନ୍ଦ୍ର ଗିରି କଳିଙ୍ଗ ସାମ୍ରାଜ୍ୟର ଏକ ପ୍ରମୁଖ ଏବଂ ପବିତ୍ର ଅଞ୍ଚଳ ହିସାବରେ ପରିଗଣିତ ହେଉଥିଲା ଓ ପର୍ବତ ଶିଖରରେ ସ୍ଥିତ ଗୋକର୍ଣେଶ୍ୱର କଳିଙ୍ଗ ରାଜାମାନଙ୍କର ଇଷ୍ଟଦେବ ଥିଲେ। ସେଠାରେ କୌଣ୍ଡନ୍ୟ କୁଳୀନ ବ୍ରାହ୍ମଣ ବସବାସ କରୁଥିବା ତତ୍କାଳୀନ କଳିଙ୍ଗ ରାଜାମାନଙ୍କ ଦ୍ୱାରା ପ୍ରଦତ୍ତ ତାମ୍ରପଟରୁ ପ୍ରମାଣିତ ହୁଏ। ମହେନ୍ଦ୍ରଗିରି ସମୀପବର୍ତ୍ତୀ ପାଲୁର ସେ ସମୟର ଏକ ପ୍ରଖ୍ୟାତ ବନ୍ଦର ଥିଲା। ତେଣୁ ଅନୁମାନସାପେକ୍ଷ ଯେ କୌଣ୍ଡନ୍ୟ ଓ କଳିଙ୍ଗବାସୀ ମହେନ୍ଦ୍ରଗିରି ଅଞ୍ଚଳରୁ ପାଲୁର ବନ୍ଦର ଦେଇ କମ୍ବୋଡ଼ିଆ ଯାତ୍ରା କରି ସେଠାରେ ବସତି ସ୍ଥାପନ କରିଥିଲେ ଓ ପରବର୍ତ୍ତୀ କାଳରେ ତାଙ୍କର ବଂଶଧର ସ୍ଥାନୀୟ ପର୍ବତ ଶ୍ରେଣୀକୁ ମହେନ୍ଦ୍ର ପର୍ବତ ଏବଂ ତାଙ୍କ ଅଞ୍ଚଳରେ ପ୍ରଖ୍ୟାତ ମିକଙ୍ଗ୍ ନଦୀକୁ ମହାନଦୀ ନାମରେ ନାମିତ କରିଥିଲେ। ଖ୍ରୀ. ତୃତୀୟ ଶତାବ୍ଦୀରେ ଫ୍ୟୁନାନ୍ ଓ କଳିଙ୍ଗର ମୁରୁଣ୍ଡ ରାଜବଂଶ ମଧ୍ୟରେ ରାଜନୈତିକ ସଂପର୍କ ଥିବାର ପ୍ରମାଣ ଚୀନା ପରିବ୍ରାଜକ ସୁ-ୟୂଙ୍କ ବିବରଣୀରୁ ମିଳେ। ଦ୍ବାଦଶ ଶତାବ୍ଦୀର ଶେଷ ଭାଗରେ ସେଠାରେ ନିର୍ମିତ ବିଶ୍ବବିଖ୍ୟାତ ଆଙ୍ଗକୋରବଟ ମନ୍ଦିର ପରିସରର ଅନେକ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ନିର୍ମିତ। ଏଠାରେ ଖୋଦିତ ମୂର୍ତ୍ତିମାନଙ୍କର କଳିଙ୍ଗର ସମସାମୟିକ ମନ୍ଦିର ଗାତ୍ରରେ ଖୋଦିତ ମୂର୍ତ୍ତିମାନଙ୍କ ସହିତ ସମାନତା ପରିଲକ୍ଷିତ ହୁଏ।
ଖ୍ରୀ. ପ୍ରଥମ ଶତାବ୍ଦୀରେ କିଛି ସାହସୀ କଳିଙ୍ଗ ନାବିକ ତାଙ୍କର ଗତାନୁଗତିକ ସୀମାରୁ ବାହାରି ଗଭୀର ସମୁଦ୍ର ଭିତରକୁ ପ୍ରବେଶ କରି ପହଞ୍ଚିଲେ ମାଳୟ (ମାଲେସିଆ) ଓ ଜାଭା ଦ୍ବୀପରେ ଏବଂ ସେଠାରେ ବାଣିଜ୍ୟିକ ସଂପର୍କ ସ୍ଥାପନ କରିବା ସହିତ ବସତି ମଧ୍ୟ ସ୍ଥାପନ କରିଥିଲେ। ଜାଭାର ଏକ ଲୋକୋକ୍ତି ଅନୁସାରେ କଳିଙ୍ଗରୁ ପ୍ରାୟ କୋଡ଼ିଏ ହଜାର ପରିବାର ଆସି ସେଠାରେ ବସବାସ କରିଥିଲେ। ମାଳୟର ଏକ ଦନ୍ତକଥାରେ କଳିଙ୍ଗ ବିଚିତ୍ର ନାମରେ ଜଣେ ଦୈବପୁରୁଷ ସୁନ୍ଦରୀ ନାମ୍ନୀ ଜଣେ ସ୍ଥାନୀୟ କନ୍ୟାକୁ ବିବାହ କରି ସେଠାର ରାଜା ହୋଇଥିବାର ବର୍ଣ୍ଣିତ ଅଛି। ଏ ସବୁ ପଛରେ କୌଣସି ଐତିହାସିକ ପ୍ରମାଣ ନଥିଲେ ମଧ୍ୟ ଏହି କଳିଙ୍ଗବାସୀ ପ୍ରଥମ ଭାରତୀୟ ଭାବରେ ମାଳୟ-ଇଣ୍ଡୋନେସିଆ ଅଞ୍ଚଳରେ ଉପନିବେଶ ସ୍ଥାପନ କରିଥିବାର ସ୍ପଷ୍ଟ ସଂକେତ ଦିଏ। ସେ ସମୟରେ ମାଳୟାଦି ଦ୍ବୀପରେ ସେମାନଙ୍କୁ କ୍ଲିଙ୍ଗ କୁହାଯାଉଥିଲା ଏବଂ ଜାଭା ନିକଟସ୍ଥ ସାରରକୁ କଳିଙ୍ଗ ସାଗର କୁହାଯାଉଥିଲା। ଚୀନା ବିବରଣୀ ଅନୁସାରେ ସପ୍ତମ ଶତାବ୍ଦୀରେ ମଧ୍ୟ ଜାଭାରେ ହୋଲିଙ୍ଗ ନାମରେ ଏକ ସମୃଦ୍ଧ ରାଜ୍ୟ ଥିଲା। ଏହାକୁ ଆଧାର କରି ଐତିହାସିକମାନେ ଜାଭାରେ ପଞ୍ଚମରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠିତ ଥିବାର ମତପୋଷଣ କରନ୍ତି। ପରବର୍ତ୍ତୀ କାଳରେ ଜାଭାରେ ଶାସନ କରୁଥିବା ପ୍ରଖ୍ୟାତ ଶୈଳେନ୍ଦ୍ର ବଂଶ କଳିଙ୍ଗରୁ ଆସି ସେଠାରେ ଶାସନ କରୁଥିଲେ ବୋଲି ଅନେକ ଐତିହାସିକ ମତବ୍ୟକ୍ତ କରନ୍ତି। ତାଙ୍କ ସମୟର ଶିଳାଲେଖର ବିଷୟବସ୍ତୁ ଓ ଲିପିର ସମାନତାରୁ ଏହାର ପ୍ରମାଣ ମିଳେ। ବିଖ୍ୟାତ ବୋରୋବୁଦୁର ବୌଦ୍ଧ ମନ୍ଦିର ଓ ରତ୍ନଗିରି ଏବଂ ଲଳିତଗିରି ବୁଦ୍ଧମୂର୍ତ୍ତିମାନଙ୍କ ମଧ୍ୟରେ ଅଦ୍ଭୁତ ସାମଞ୍ଜସ୍ୟ ଦୃଷ୍ଟିଗୋଚର ହୁଏ। ସେହିଭଳି ସେଠାର ଅଧିକାଂଶ ହିନ୍ଦୁ ମନ୍ଦିର ଉତ୍କଳୀୟ ପୀଢ଼ ଓ ଖାକର ଶୈଳୀରେ ନିର୍ମିତ ହୋଇଥିଲା। ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଲିଖିତ ବିଭିନ୍ନ ଶିଳାଲେଖରେ ଜାଭାର କଳିଙ୍ଗ ସହିତ ଥିବା ଅନ୍ତରଙ୍ଗ ସଂପର୍କ ବିଷୟରେ ଉଲ୍ଲେଖ ରହିଛି।
ପ୍ରାୟ ପ୍ରଥମ ଶତାବ୍ଦୀରେ କଳିଙ୍ଗବାସୀ ବାଲି ସହିତ ବାଣିଜ୍ୟିକ ସଂପର୍କ ସ୍ଥାପନ କରିବା ସହିତ ସେଠାରେ ବସତି ସ୍ଥାପନ କରି ଓଡ଼ିଶା ଓ ହିନ୍ଦୁ ସଂସ୍କୃତିର ପ୍ରସାର କରିଥିଲେ। ଆଜି ମଧ୍ୟ ସେଠାର ପର୍ବପର୍ବାଣି, ଖାଦ୍ୟ ଓ ଭାଷାରେ ଉତ୍କଳୀୟ ପ୍ରଭାବ ଦେଖିବାକୁ ମିଳିଥାଏ। ଏପରିକି ସେଠାରେ ଏକ ଚର୍ତୁଦ୍ଦଶ ଶତାବ୍ଦୀର ଓଡ଼ିଆ ଭାଷା ଓ ଲିପିର ଏକ ଶିଳାଲେଖ ଦେଖିବାକୁ ମିଳେ। ସେଠାର ହିନ୍ଦୁ ଓ ବୌଦ୍ଧ ମାଙ୍ଗଳିକ କାର୍ଯ୍ୟରେ ଜଗନ୍ନାଥ ନାମିତ ଏକ ଶ୍ଳୋକ “କ୍ଷମସ୍ବ ମାଂ ଜଗନ୍ନାଥ..”ର ଆବୃତ୍ତି କରାହୁଏ। ଆଉ ମଧ୍ୟ ସେଠାରେ ସପ୍ତଗଙ୍ଗା ସହ ମହାନଦୀ ଓ ମହେନ୍ଦ୍ରତନୟାଙ୍କୁ ପବିତ୍ର ନଦୀ ହିସାବରେ ପରିଗଣିତ କରାହୁଏ। କଳିଙ୍ଗର ବାଲି ଦ୍ବୀପ ସହ ଥିବା ସଂପର୍କ ଏବେ ବି ଓଡ଼ିଶାର ଜନମାନସକୁ ଆଚ୍ଛନ୍ନ କରି ରଖିଛି। ଏହାର ନିଦର୍ଶନ କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାର ବୋଇତ ବନ୍ଦାଣ ପର୍ବ ଓ ବାଲିଯାତ୍ରାରେ ଦେଖିବାକୁ ମିଳେ।
ମାଳଦ୍ବୀପ (ମାଲଡିଭ)ର ସପ୍ତଦଶ ଶତାବ୍ଦୀର ଐତିହାସିକ ସିହାବୁଦ୍ଦିନଙ୍କ ପୁସ୍ତକ ଓ ସ୍ଥାନୀୟ ଲୋକଗାଥା ଅନୁସାରେ ପ୍ରାୟ ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ କଳିଙ୍ଗ ରାଜକୁମାର ସୁରୁଦାସାରୁଣାଦିତ୍ୟ ତାଙ୍କ ପିତା ବ୍ରହ୍ମାଦିତ୍ୟଙ୍କ ସହିତ ମନୋମାଳିନ୍ୟ ହେବାପରେ କିଛି ସହଚରଙ୍କ ସହିତ ମାଳଦ୍ବୀପ ପହଞ୍ଚି ସେଠାରେ ଆଦିତ୍ୟ (ସୂର୍ଯ୍ୟ) ବଂଶୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ୩୬୨ ଖ୍ରୀଷ୍ଟାବ୍ଦରେ ଲିଖିତ ଏକ ବିବରଣୀ ଅନୁସାରେ ତତ୍କାଳୀନ ରୋମ୍ ସମ୍ରାଟ ଜୁଲିଆନଙ୍କ ସହ ମାଳଦ୍ବୀପ ରାଜାଙ୍କର ସଂପର୍କ ଥିଲା। ଖ୍ରୀ. ଦଶମ ଶତାବ୍ଦୀରେ କଳିଙ୍ଗ ସୋମବଂଶର ରାଜକୁମାର ବାଳାଦିତ୍ୟ ମାଳଦ୍ବୀପ ସୂର୍ଯ୍ୟବଂଶୀୟ ରାଜକୁମାରୀ ଶ୍ରୀମତୀ ଦାମହାରାଙ୍କୁ ବିବାହ କରି ସେଠାରେ ସୋମବଂଶୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ କାଳରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏହି ବଂଶ ୧୩୮୮ ଖ୍ରୀ. ପର୍ଯ୍ୟନ୍ତ ସେଠାରେ ରାଜତ୍ବ କରୁଥିଲା।
ଓଡ଼ିଶାର ସାମୁଦ୍ରିକ ପରମ୍ପରା କେବଳ ନୌବାଣିଜ୍ୟରେ ସୀମିତ ନଥିଲା। ପ୍ରାଚୀନ ଓଡ଼ିଶା ଏକ ସମୁନ୍ନତ ନୌବାଣିଜ୍ୟ ପରମ୍ପରାକୁ ଆଧାର କରି ଭାରତ ମହାସାଗରୀୟ ଦ୍ବୀପ ଓ ଭାରତ ସଂଲଗ୍ନ ଦେଶମାନଙ୍କରେ ଉପନିବେଶ ସ୍ଥାପନ କରିବା ସହିତ ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରସାର କରିବାରେ ଏକ ପ୍ରମୁଖ ଓ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା।
ମୋ: ୯୪୩୭୦୨୬୪୪୯