୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଚାଞ୍ଚଲ୍ୟକର ଘୋଷଣା କରି ରାତାରାତି ଦେଶରେ ପ୍ରଚଳିତ ସମସ୍ତ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ ଗୁଡ଼ିକୁ ଅଚଳ କରି ଦେଲେ। ଉଦ୍ଦେଶ୍ୟ- ଯେଉଁମାନେ ନିଜର କଳା ଧନକୁ ଏହି ଉଚ୍ଚ ମୂଲ୍ୟର ନୋଟ୍ ମାଧ୍ୟମରେ ଲୁଚାଇ ରଖିଥିବେ, ସେମାନେ ଧରାପଡ଼ିବା ଭୟରେ ଏହି ନୋଟ୍ ସବୁ ବ୍ୟାଙ୍କ୍ରେ ଜମା କରିବେ ନାହିଁ, ତେଣୁ ଏଇ ଗୋଟିଏ ପ୍ରହାର ଦ୍ବାରା ଦେଶରେ କଳାଧନ ପ୍ରାୟ ମୂଳପୋଛ ହୋଇଯିବ। ଏହି ବିମୁଦ୍ରୀକରଣର ପ୍ରାୟ ଦୁଇ ବର୍ଷ ପରେ ରିଜର୍ଭ ବ୍ୟାଙ୍କ୍ ଯେତେବେଳେ ୨୦୧୭-୧୮ ପାଇଁ ତା’ର ବାର୍ଷିକ ରିପୋର୍ଟ ପ୍ରକାଶ କଲା, ସେଥିରୁ ଜଣା ପଡ଼ିଲା ଯେ ବିମୁଦ୍ରୀକରଣ ଯୋଗୁଁ ଅଚଳ ହୋଇଥିବା ନୋଟ୍ ସବୁର ୯୯.୩ ଶତାଂଶ ଧଳା ଧନ ରୂପେ ପୁଣି ବ୍ୟାଙ୍କ୍ମାନଙ୍କ ପାଖକୁ ଲେଉଟି ଆସିଛି- ଅର୍ଥାତ୍ ପ୍ରାୟ ଶତ ପ୍ରତିଶତ। ଏଭଳି ଘଟିବାକୁ ଯାଉଛି ବୋଲି ଯେତେବେଳେ ଜଣା ପଡ଼ିବାକୁ ଆରମ୍ଭ କଲା, ସେତେବେଳଠାରୁ ଚତୁର ମୋଦୀ ଓ ତାଙ୍କର ଉପଦେଷ୍ଟାମାନେ କାହାଣୀର ମୋଡ଼ ବଦଳାଇ କହିବାକୁ ଆରମ୍ଭ କରିଥିଲେ ଯେ ଦେଶରେ କାଗଜ ନୋଟ୍ ଭଳି ଏକ ଅଦକ୍ଷ ଓ ଅସ୍ବଚ୍ଛ ମାଧ୍ୟମକୁ ମୁଦ୍ରା ରୂପେ ବ୍ୟବହାର କରିବା ପରିବର୍ତ୍ତେ ଦେଶରେ ଡିଜିଟାଲ୍ ମାଧ୍ୟମରେ ଦେଣନେଣର ପ୍ରସାର ଘଟାଇବା ଉଦ୍ଦେଶ୍ୟରେ ବିମୁଦ୍ରୀକରଣ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଫେରସ୍ତ ନୋଟ୍ ସବୁକୁ ଗଣତି କରିବା ମଧ୍ୟ ରିଜର୍ଭ ବ୍ୟାଙ୍କ୍ ପାଇଁ କାଠିକର ପାଠ ଥିଲା, ଯେଉଁଥି ପାଇଁ ରିଜର୍ଭ ବ୍ୟାଙ୍କ୍କୁ ବହୁ ସଂଖ୍ୟକ ନୋଟ୍ ଗଣିବା ମେସିନ୍ କ୍ରୟ କରିବାକୁ ପଡ଼ିଥିଲା ଓ ଅତିରିକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତ କରିବା ଦରକାର ହୋଇଥିଲା। ରିଜର୍ଭ ବ୍ୟାଙ୍କ୍ ଯେଉଁ ନୂଆ ୫୦୦ ଟଙ୍କିଆ ଓ ୨,୦୦୦ ଟଙ୍କିଆ ନୋଟ୍ମାନ ଛପାଇଲା, ସେଥିପାଇଁ ତାକୁ ୮,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା, ଯାହା ୨୦୧୫-୧୬ରେ ନୋଟ୍ ଛପାଇବା ବାବଦରେ ହୋଇଥିବା ଖର୍ଚ୍ଚ, ୩,୪୨୧ କୋଟି ଟଙ୍କାର ଦୁଇ ଗୁଣରୁ ଅଧିକ ଥିଲା। ଏଣେ ରିଜର୍ଭ ବ୍ୟାଙ୍କ୍ ସୂତ୍ରରୁ ଉପଲବ୍ଧ ସୂଚନା ଅନୁସାରେ ୨୦୨୨ ଡିସେମ୍ବର ୨୩ ତାରିଖରେ ଦେଶରେ ପ୍ରସାରିତ ନୋଟ୍ ସବୁ (‘କରେନ୍ସି ଇନ୍ ସର୍କୁଲେସନ୍’)ର ମୋଟ ମୂଲ୍ୟ ଥିଲା ୩୨.୪୨ ଲକ୍ଷ େକାଟି ଟଙ୍କା, ଯାହା ବିମୁଦ୍ରୀକରଣର ଅବ୍ୟବହିତ ପୂର୍ବରୁ ୨୦୧୬ ନଭେମ୍ବର ୪ ତାରିଖରେ ଥିଲା ୧୭.୭୪ ଲକ୍ଷ କୋଟି ଟଙ୍କା। ଅର୍ଥାତ୍ ଉପରୋକ୍ତ ପରିବର୍ତ୍ତିତ କାହାଣୀକୁ ମଧ୍ୟ ବିଫଳ କରି ବିମୁଦ୍ରୀକରଣର ଛ’ ବର୍ଷ ପରେ ଦେଶରେ କାଗଜ ନୋଟ୍ ପ୍ରସାରରେ ସଂକୋଚନ ଘଟିବା ପରିବର୍ତ୍ତେ ବୃଦ୍ଧି ଘଟିଛି ୮୩ ଶତାଂଶ!
ପ୍ରଧାନମନ୍ତ୍ରୀଙ୍କର ସେଇ ମହମ୍ମଦ ତୋଗଲକ୍ ସୁଲଭ ନିଷ୍ପତ୍ତିର କୁପ୍ରଭାବ କେବଳ ଏହି ବିତ୍ତୀୟ କ୍ଷେତ୍ର ମଧ୍ୟରେ ସୀମିତ ନ ଥିଲା; ତାହା ସାଧାରଣ ଜନଜୀବନକୁ ଯେଉଁ ଭଳି ବିପର୍ଯ୍ୟସ୍ତ କରି ଦେଇଥିଲା, ତାହା ଅବର୍ଣ୍ଣନୀୟ। କାରବାର ପାଇଁ ସମ୍ପୂର୍ଣ୍ଣ ରୂପେ କାଗଜ ମୁଦ୍ରା ଉପରେ ନିର୍ଭର କରୁଥିବା ଛୋଟ ଛୋଟ ଶିଳ୍ପ ବ୍ୟବସାୟମାନ ବଜାରରେ ମୁଦ୍ରା ଅଭାବରୁ ଭୁଶୁଡ଼ି ପଡ଼ିଲା କହିଲେ ଚଳେ। ପାଉଣା ପ୍ରଦାନ କରାଯାଇ ନ ପାରିବାରୁ ସେମାନଙ୍କର ଯୋଗାଣ ଶୃଙ୍ଖଳ ଛିଡ଼ି ପଡ଼ିଲା; ପକେଟ୍ରେ ନୋଟ୍ ନ ଥିବାରୁ ଅନେକ ଖୁଚୁରା ଗ୍ରାହକ ଦୋକାନକୁ ଆସିବା ବନ୍ଦ କରି ଦେଲେ। ଅସଂଗଠିତ ଋଣ କାରବାର ମୁଦ୍ରା ମାଧ୍ୟମରେ ହିଁ ହୋଇଥାଏ; କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଏହି ଋଣ ସୂତ୍ର ବନ୍ଦ ହୋଇଗଲା। ଅତ୍ୟନ୍ତ ସୀମିତ ପରିମାଣର ନୂଆ ନୋଟ୍ ପାଇବା ପାଇଁ ବ୍ୟାଙ୍କ୍ ସାମନାରେ ଯେଉଁ ସର୍ପିଳ ଧାଡ଼ିମାନଙ୍କର ଆବିର୍ଭାବ ଘଟିଲା, ସେଥିରେ ଛିଡ଼ା ହୋଇ ଅପେକ୍ଷା କରିଥିବା ଅବସ୍ଥାରେ କେତେ ଗ୍ରାହକ ଯେଉଁ ପରି ଶେଷ ନିଃଶ୍ବାସ ତ୍ୟାଗ କଲେ, ଅତିରିକ୍ତ କାର୍ଯ୍ୟ ଭାର ସମ୍ଭାଳି ନ ପାରି କେତେ ବ୍ୟାଙ୍କ୍ କର୍ମଚାରୀ ମଧ୍ୟ ସମଦଶା ଭୋଗ କଲେ। ସଂକ୍ଷେପରେ କହିଲେ ଛ’ବର୍ଷ ତଳେ ବିମୁଦ୍ରୀକରଣ ନେରନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା ଆଚରିତ ଏକ ଚରମ ଅବିମୃଶ୍ୟକାରିତା ଥିଲା।
କିନ୍ତୁ ଏହା ଅବୈଧ ଥିଲା କି? ସୋମବାର ଦିନ ସୁପ୍ରିମ୍ କୋର୍ଟ ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ବିମୁଦ୍ରୀକରଣ ନିଷ୍ପତ୍ତି ଗ୍ରହଣ କରିବା ଦ୍ବାରା କେନ୍ଦ୍ର ସରକାର କୌଣସି ଆଇନର ଉଲ୍ଲଂଘନ କରି ନାହାନ୍ତି। ବିମୁଦ୍ରୀକରଣ ବିରୋଧରେ ଆଗତ ଆବେଦନର ବିଚାର କରି ସର୍ବୋଚ୍ଚ କୋର୍ଟର ଏକ ପାଞ୍ଚ ଜଣିଆ ବେଞ୍ଚ୍ ସରକାରଙ୍କର ବିମୁଦ୍ରୀକରଣ ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିଛନ୍ତି। ଅବଶ୍ୟ ବେଞ୍ଚ୍ର ପାଞ୍ଚ ଜଣ ବିଚାରପତିମାନଙ୍କ ମଧ୍ୟରୁ ଜଣେ, ଶ୍ରୀମତୀ ବି ଭି ନାଗରତ୍ନା ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଅବୈଧ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ ହେଁ ସେ ମଧ୍ୟ ଅନ୍ୟ ଚାରିଜଣ ବିଚାରପତିମାନଙ୍କ ସହିତ ଏକମତ ହୋଇଥିଲେ ଯେ ବର୍ତ୍ତମାନ ବିମୁଦ୍ରୀକରଣକୁ ଅସିଦ୍ଧ ଘୋଷଣା କରି ବିମୁଦ୍ରୀକରଣ ପୂର୍ବାବସ୍ଥାକୁ ଆଉ ଫେରାଇ ଅଣାଯାଇ ପାରିବ ନାହିଁ।
ସୁପ୍ରିମ୍ କୋର୍ଟ ମୁଖ୍ୟତଃ ତିନି ଗୋଟି କାରଣରୁ ସରକାରଙ୍କର ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ପ୍ରଥମ, ନ୍ୟାୟପାଳିକା ସରକାରଙ୍କର ଅର୍ଥନୈତିକ ନିଷ୍ପତ୍ତି ବିଚାର କରିବା ଉଚିତ ନୁହେଁ; ଦ୍ବିତୀୟ, ସରକାର କୌଣସି ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ନିଷ୍ପତ୍ତି ନେବା ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ସହିତ ପରାମର୍ଶ କରି ପାରନ୍ତି, କିନ୍ତୁ ରିଜର୍ଭ ବ୍ୟାଙ୍କ୍ ଉପରେ ସରକାରଙ୍କର କାର୍ଯ୍ୟ ନିର୍ବାହକାରୀ କ୍ଷମତା ବଳବତ୍ତର ଥାଏ; ଏବଂ ତୃତୀୟ, ଛ’ବର୍ଷ ପରେ ବିମୁଦ୍ରୀକରଣକୁ ଅସିଦ୍ଧ ଘୋଷଣା କରିବା ଦ୍ବାରା କୌଣସି ଉଦ୍ଦେଶ୍ୟ ସାଧିତ ହେବ ନାହିଁ। ପ୍ରକୃତରେ ଦେଖିବାକୁ ଗଲେ ଅଦାଲତ ସମ୍ମୁଖରେ ଉପସ୍ଥାପନ କରାଯାଇଥିବା ମାମଲାଟି ଆଦୌ ଜଟିଳ ନୁହେଁ। ବିମୁଦ୍ରୀକରଣ ହେଉଛି ସରକାର ଗ୍ରହଣ କରିଥିବା ଏକ ଅର୍ଥନୈତିକ ନିଷ୍ପତ୍ତି। ଏହା ଏକ ବୁଦ୍ଧିମାନ ନିଷ୍ପତ୍ତି କିମ୍ବା ନିର୍ବୋଧ ନିଷ୍ପତ୍ତି, ସେ ବିଷୟେର ମତାମତ ଦେଇପାରିବେ ଅର୍ଥନୀତିଜ୍ଞମାନେ ବା ମୁଦ୍ରାନୀତି ବିଶେଷଜ୍ଞମାନେ। ଅଦାଲତଙ୍କ ଇଲାକା ହେଉଛି ଆଇନ; ବିମୁଦ୍ରୀକରଣ ନିଷ୍ପତ୍ତି ଦେଶର ସାମ୍ବିଧାନିକ ବ୍ୟବସ୍ଥା ଓ ଆଇନ କାନୁନ୍ର ଉଲ୍ଲଂଘନ କରୁଛି କି ନାହିଁ, ତାହା ଅନୁଶୀଳନ କରି ରାୟ ଦେବାର ଯୋଗ୍ୟତା ଓ ଅଧିକାର ନିହିତ ଅଛି କେବଳ ନ୍ୟାୟପାଳିକା ଠାରେ।
ଉଦାହରଣ ସ୍ବରୂପ ନାଗରିକଙ୍କ ଉପରେ ଟିକସ ବସାଇବାର ଅଧିକାର ହେଉଛି ରାଷ୍ଟ୍ରର ଏକ ମୌଳିକ ଅଧିକାର। ମନେକର ସରକାର କୃଷି ଆୟ ଉପରେ ଆୟକର ଲାଗୁ କରିବା ପାଇଁ ଏକ ନିଷ୍ପତ୍ତି ନେଲେ। ଏହା ଯଦି ଜନ ସମର୍ଥନ ଲାଭ ନ କରେ ପରବର୍ତ୍ତୀ ନିର୍ବାଚନରେ ଏଥିଯୋଗୁଁ ସରକାର କ୍ଷମତାଚ୍ୟୁତ ହୋଇପାରେ, କିମ୍ବା ନିକଟ ଅତୀତରେ ସରକାର କ୍ଷମା ପ୍ରାର୍ଥନା କରି କୃଷି ସଂସ୍କାର ବିଲ୍ ପ୍ରତ୍ୟାହାର କଲାଭଳି ପଛଘୁଞ୍ଚା ଦେବାପାଇଁ ବାଧ୍ୟ ହୋଇପାରେ। ଏଥିରେ ଅଦାଲତ ହସ୍ତକ୍ଷେପ କରିବାର ଅବକାଶ ନାହିଁ। ବରଂ ବିମୁଦ୍ରୀକରଣ ମାମଲାକୁ ସୁପ୍ରିମ୍ କୋର୍ଟ ବିଚାର ପାଇଁ କାହିଁକି ମୂଳରୁ ଗ୍ରହଣ କଲେ, ତାହା ହେଉଛି ଆଶ୍ଚର୍ଯ୍ୟଜନକ।
ଏଠାରେ ଯାହା ହେଉଛି ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା, ବିମୁଦ୍ରୀକରଣ ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିବା ସତ୍ତ୍ବେ ପରବର୍ତ୍ତୀ ସାଧାରଣ ନିର୍ବାଚନରେ ଆହୁରି ଅଧିକ ଜନସମର୍ଥନ ପ୍ରଦାନ କରି ଭାରତୀୟ ମତଦାତାମାନେ ମୋଦୀ ସରକାରଙ୍କୁ ପୁନରାୟ କ୍ଷମତାସୀନ କରିଛନ୍ତି। ଯେଉଁମାନେ ମୋଦୀଙ୍କୁ ତାଙ୍କର ଏହି ଭୁଲ୍ ପାଇଁ ଶାସ୍ତି ଦେବାକୁ ଚାହାଁନ୍ତି, ସେମାନଙ୍କୁ ରାଜନୀତି ମାଧ୍ୟମରେ ତାହା ହାସଲ କରିବାକୁ ହେବ, ଅଦାଲତ ମାଧ୍ୟମରେ ନୁହେଁ।