ଏକ ଅତି ପ୍ରଭାବଶାଳୀ ଓ ବେଶ୍ ବିଶ୍ବାସଯୋଗ୍ୟ ବକ୍ତବ୍ୟ ଜରିଆରେ ପେଲେ ଥରେ କହିଥିଲେ- ମୋର ଜନ୍ମ ଘଟିଥିଲା ଫୁଟ୍ବଲ୍ ଖେଳିବା ସକାଶେ, ଯେମିତି ବିଥୋଭେନ୍ ଓ ମାଇକେଲ୍ ଆଂଜେେଲା ଜନ୍ମ ଗ୍ରହଣ କରିଥିଲେ ଯଥାକ୍ରମେ ସଙ୍ଗୀତ ଓ ଚିତ୍ରକଳା ନିମନ୍ତେ। କୁହାଯାଏ ପେଲେ ମଣିଷଟିଏ ଭାବେ ଜନ୍ମ ଲାଭ କରି ଫୁଟ୍ବଲ୍ ଖେଳି ନ ଥିଲେ ସିଏ ଫୁଟ୍ବଲ୍ଟିଏ ହୋଇ ଜନ୍ମ ଗ୍ରହଣ କରିଥାନ୍ତେ। ତାଙ୍କ ଯାଦୁକରୀ ଖେଳ ଫୁଟ୍ବଲ୍କୁ ଏମିତି ଏକ ଧର୍ମରେ ପରିଣତ କରି ଦେଇଥିଲା ଯେ ସେ ଧର୍ମରେ ନାସ୍ତିକ ପାଇଁ ଜାଗା ନ ଥିଲା ଏବଂ ଖୋଦ୍ ପେଲେ ମଣିଷରୁ ଈଶ୍ବରରେ ରୂପାନ୍ତରିତ ହୋଇଯାଇଥିଲେ। ସିଏ ଏତେ ଆଦୃତ, ପରିଚିତ ଓ ଜନପ୍ରିୟ ହୋଇଯାଇଥିଲେ ଯେ ଏକଦା ତାଙ୍କୁ ରେଗାନ୍ ହ୍ବାଇଟ୍ ହାଉସ୍କୁ ପାଛୋଟି ନେଲା ବେଳେ କହିଥିଲେ- ‘‘ମୋ ନାଁ ରୋନାଲଡ୍ ରେଗାନ୍। ମୁଁ ଏବେ ଆମେରିକାର ରାଷ୍ଟ୍ରପତି। ଆପଣଙ୍କ ପରିଚୟ କିନ୍ତୁ ନିଷ୍ପ୍ରୟୋଜନ।’’ ତାଙ୍କ ଅସାଧାରଣ, ଅତୁଳନୀୟ ଖେଳରେ ଅଭିଭୂତ ଅନେକ ଭାବୁଥିଲେ- ପେଲେ ଆଉ କେଉଁ ଗ୍ରହର, ଏକ ‘ଇ.ଟି’ ସତ୍ତା। ଯେତେବେଳେ ତାଙ୍କୁ ଅଗଣିତ ଅତ୍ୟୁତ୍ସାହୀ ଯୀଶୁଙ୍କ ସହ ତୁଳନା କଲେ, ପେଲେ ସେତେବେଳେ ନିଜ ବାଗରେ କହିଥିଲେ- ଏମିତି ଅଞ୍ଚଳ ଅଛି ଯେଉଁଠି, ଲୋକେ ଈଶ୍ବରଙ୍କୁ ଜାଣି ନ ଥାଇପାରନ୍ତି; ହେଲେ ‘ଶୁଣୁଛି’ ପେଲେଙ୍କୁ ଜାଣନ୍ତି।
ବିଶ୍ବ ଫୁଟ୍ବଲ୍ର ଅଦ୍ବିତୀୟ ଲୋକପ୍ରତିମା ଓ କି˚ବଦନ୍ତି ପେଲେଙ୍କ ଜୀବନକାହାଣୀର ଅବତାରଣା ଦାରିଦ୍ର୍ୟ, କ୍ରୀତଦାସତ୍ବ ଓ କୃଷ୍ଣରଙ୍ଗର ଉଲ୍ଲେଖ ବିନା ସମ୍ଭବ ନୁହେଁ। ପିଲା ଦିନେ ପେଲେ ଚିରା ଜୋତା ମୋଜାକୁ, ଫୋପଡ଼ା ହୋଇଥିବା ପଣସକୁ ପୁରୁଣା ଖବରକାଗଜରେ ଗୁଡ଼େଇ ଛିଣ୍ଡାମିଣ୍ଡା ଡୋରରେ ବାନ୍ଧି ତାକୁ ଫୁଟ୍ବଲ୍ ଭାବେ ବ୍ୟବହାର କରି ଖେଳ ଶିଖିବା ଆରମ୍ଭ କରିଥିଲେ। ସେଇଠି ପଡ଼ିଥିଲା ଫୁଟ୍ବଲ୍ର କଳା ମୋତିଙ୍କ ନିଅଁ। ବେଗ, ଆବେଗ, ନୈପୁଣ୍ୟ, ଉତ୍କର୍ଷ, ଆସକ୍ତି, କ୍ଷେତ୍ରଦୃଷ୍ଟି, ଚଳଚଞ୍ଚଳତା ଓ ପ୍ରାଣପ୍ରାଚୁର୍ଯ୍ୟରେ ଭରା ତାଙ୍କ ଖେଳରେ ସମନ୍ବିତ ହୋଇଥିଲା ବ୍ୟକ୍ତିଗତ ପ୍ରତିଭା ତଥା ସାମୂହିକ ପ୍ରଚେଷ୍ଟା। ନିଜ ଗୋଡ଼କୁ ସିଏ କେତେ ଅନାୟାସରେ ରୂପାନ୍ତରିତ କରିପାରୁଥିଲେ କଳାତ୍ମକ କଇଁଚି ଓ ସୃଜନଶୀଳ ଓଲଟ ସାଇକେଲ୍ରେ। ଅନ୍ୟମାନଙ୍କ ଖେଳ ଦର୍ଶକ ମହଲରେ ଶିହରଣ ସୃଷ୍ଟି କରେ ଓ ସେସବୁ ଖେଳାଳି ସମ୍ମାନର ପାତ୍ର ହୁଅନ୍ତି; କିନ୍ତୁ ପେଲେଙ୍କ ଖେଳ ଏଭଳି ସ୍ବାଭାବିକ ଓ ଗଭୀର ଆନନ୍ଦର ଅନୁଭୂତି ଆଣେ ଯେ ତହିଁରୁ ସୃଷ୍ଟ ଏକ ଉତ୍ତୀର୍ଣ୍ଣ ଜୈବିକ ଅନୁଭବର ପ୍ରଭାବରୁ ଖେଳ ଦେଖୁଥିବା ଲୋକ ଭାବି ନିଅନ୍ତି ସତେ ଯେମିତି ସିଏ ନିଜେ ହିଁ ଖେଳୁଛନ୍ତି।
ପେଲେଙ୍କ ଉତ୍ସାହ ଓ ପ୍ରେରଣା ବଳରେ ବ୍ରାଜିଲ୍ର ବସ୍ତି ଓ ସାମାଜିକ ତଳିପେଟରୁ ଟାଣି ହୋଇ ଆସିଥିଲେ ଅନେକ ବେକାର, ଅର୍ଦ୍ଧବେକାର, କ୍ରୀତଦାସ, ସର୍ବହରା ଓ ବର୍ଣ୍ଣସଙ୍କର ଫୁଟ୍ବଲ୍ର ମୋକ୍ଷଦାୟକ ପ୍ରାଙ୍ଗଣକୁ। ଇହୁଦୀ ଭାଷାରେ ‘ପେଲେ’ ଅର୍ଥ ଅଲୌକିକତା, ଚମତ୍କାରିତା। ପେଲେଙ୍କ ଯୋଗୁଁ ଫୁଟ୍ବଲ୍ ଓ ବ୍ରାଜିଲ୍ ପ୍ରତିଶବ୍ଦ ପାଲଟି ଯାଇଥିଲେ। ଆଉ ନିଜେ ପେଲେ ବ୍ରାଜିଲ୍ର ସାଂସ୍କୃତିକ ଅସ୍ମିତାର ଏମିତି ଏକ ଅନିବାର୍ଯ୍ୟ ପ୍ରତୀକ ଓ ପ୍ରତିନିଧି ସାଜି ପାରିଥିଲେ ଯେ ତାଙ୍କୁ ତାଙ୍କ ଦେଶର ଜାତୀୟ ସଂପଦ ଘୋଷଣା କରାଯାଇଥିଲା ଏବଂ ତା’ସହିତ ତାଙ୍କୁ ଅନ୍ୟ ଦେଶକୁ ରପ୍ତାନି କରିବା ବିରୋଧରେ ଆଦେଶନାମା ଜାରି କରାଯାଇଥିଲା। ଅବଶ୍ୟ ସମୟ କ୍ରମେ ବିଚକ୍ଷଣ କୂଟନୀତିଜ୍ଞ ଓ ଆମେରିକାର ବିଦେଶ ମନ୍ତ୍ରୀ ହେନରୀ କିସିଞ୍ଜର୍ଙ୍କ ପ୍ରବର୍ତ୍ତେଇବା ଫଳରେ ପେଲେ ନ୍ୟୁୟର୍କର କସ୍ମସ୍ କ୍ଲବ୍ ପାଇଁ ଖେଳିଥିଲେ ୧୯୭୫ରୁ ୧୯୭୭ ଯାଏଁ। ପଢ଼ିବାକୁ ମିଳେ ସେ କ୍ଲବ୍ ପାଇଁ ଖେଳିଥିବା େଶଷ ମ୍ୟାଚ୍ର ଦ୍ବିତୀୟାର୍ଦ୍ଧରେ ବର୍ଷା ଟୋପା ପଡ଼ିଥିଲା, କାହିଁକି ନା ବିଦାୟ ଦେବା ବେଳେ ଆକାଶ ମଧ୍ୟ କାନ୍ଦିଥିଲା। କିସିଞ୍ଜର୍ ଥିଲେ ଅଧିକନ୍ତୁ, ପେଲେ ଭକ୍ତ। ପେଲେଙ୍କ ଉପରେ ୧୯୯୯ ମସିହାରେ ଲେଖିଥିବା ଏକ ଲେଖା (ପେଲେ- ଦି ଫେନୋଁମେନାଁ)ରେ ସିଏ ଲେଖିଥିଲେ- ନାୟକମାନେ ଏକା ଏକା ଯାତ୍ରା କରନ୍ତି; ସେମାନେ କିନ୍ତୁ ସେତିକିବେଳେ ଅତିକଥା, କି˚ବଦନ୍ତି ହୁଅନ୍ତି, ଯେତେବେଳେ ସେମାନେ ଅନ୍ୟମାନଙ୍କ ଜୀବନକୁ ମହନୀୟ କରନ୍ତି ଓ ଅନ୍ୟମାନଙ୍କ ହୃଦୟତନ୍ତ୍ରୀ ସହ ଗୁନ୍ଥି ହୋଇଯାଆନ୍ତି। ସେଇ କାଟର ମହାତାରକା ଥିଲେ ପେଲେ। ଦାରିଦ୍ର୍ୟ ଛଡ଼ା ତାଙ୍କ କୃଷ୍ଣ ରଙ୍ଗ ଓ ବଂଶଲତାଗତ ଦାସତ୍ବ ସଂପର୍କ କଥା ପଡ଼ିଲେ ପୁଣି ଥରେ କୁହାଯାଏ କଳା ବେଲୁନ୍ ବି ଆକାଶରେ ଉଡ଼େ ଏବଂ ପେଲେ ଥିଲେ ତାଙ୍କ ପରିବାରର ତୃତୀୟ ପ୍ରଜନ୍ମର ଯିଏ କ୍ରୀତଦାସ ଭାବେ ନୁହେଁ, ବରଂ ଜଣେ ସ୍ବାଧୀନ ମଣିଷ ଭାବେ ଜନ୍ମଗ୍ରହଣ କରିଥିଲେ। ୧୮୮୮ ମସିହାରେ ବ୍ରାଜିଲ୍ରୁ ଦାସତ୍ବ ଉଚ୍ଛେଦ କରାଯାଇଥିଲା; ସେ ଯାଏ ତାଙ୍କ ପୂର୍ବପୁରୁଷ ଥିଲେ ଦାସତ୍ବ ବନ୍ଧନରେ।
ସବୁ କି˚ବଦନ୍ତିଙ୍କ ଭଳି ପେଲେଙ୍କୁ ନେଇ ତଥ୍ୟ, ପରିସଂଖ୍ୟାନ, କାହାଣୀ, ଲୋକକଥା ଓ ଉପାଖ୍ୟାନ ଅନେକ। ସିଏ ହିଁ ଏକମାତ୍ର ଖେଳାଳି ଯାହାଙ୍କ ଯୋଗୁଁ ଏକ ଦେଶ ବ୍ରାଜିଲ୍- ତିନିଥର ଫୁଟ୍ବଲ୍ ବିଶ୍ବକପ୍ ଜିଣିପାରିଥିଲା ୧୯୫୮, ୧୯୬୨ ଓ ୧୯୭୦ ମସିହାରେ। ମାତ୍ର ୧୭ ବର୍ଷ ବୟସରେ ବିଶ୍ବକପ୍ ଫୁଟବଲ୍ ଖେଳିବାରେ ସିଏ ସର୍ବକନିଷ୍ଠ ଯଦିଓ ତାଙ୍କ ଦଳର ଜଣେ ବିଶେଷଜ୍ଞ ତାଙ୍କୁ ‘ମେଞ୍ଚଡ଼’ ଭାବୁଥିଲେ, ସିଏ େଖଳନ୍ତୁ ବୋଲି ଚାହୁଁନଥିଲେ। ୧୩୦୦ରୁ ଅଧିକ ମ୍ୟାଚ୍ (୧୩୬୩) ଖେଳି ସିଏ ୧୨୦୦ରୁ ଅଧିକ ଗୋଲ୍ (୧୨୮୧) କରିଥିଲେ ଯାହାର ହାରାହାରି ପ୍ରତି ମ୍ୟାଚ୍ରେ ପ୍ରାୟ ଗୋଟିଏ ଗୋଲ (୦.୯୪ ଗୋଲ୍)। ବିଜୁଳିବତି ବା ବଲ୍ବର ଉଦ୍ଭାବକ ଆମେରିକୀୟ ଥମାସ୍ ଏଡିସନ୍ଙ୍କ ଖାତିର୍ରେ ପେଲେଙ୍କ ମୂଳ ନାଁର ଅଂଶ ବିଶେଷ ଥିଲା ଏଡିସନ୍- ପରେ ହେଲା ଏଡ୍ସନ୍; କାରଣ ଯେଉଁ ବର୍ଷ ପେଲେଙ୍କ ପ୍ରିୟ ସହରରେ ବିଜୁଳି ବଲ୍ବ ପ୍ରଥମେ ଜଳିଥିଲା, ସେଇ ବର୍ଷ ପେଲେଙ୍କ ଜନ୍ମ ଘଟିଥିଲା ଯିଏ କି ପରେ ଫୁଟ୍ବଲ୍ ରସିକଙ୍କ ମନକୁ ନାନା ପ୍ରକାରରେ ଆଲୋକିତ କରି ଚାଲିଥିଲେ। କୁହାଯାଏ ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ନାଇଜେରିଆରେ ଚାଲିଥିବା ଗୃହଯୁଦ୍ଧ ସମୟରେ ଦୁଇ ପ୍ରତିପକ୍ଷ ସମ୍ମତ ହୋଇଥିଲେ ୪୮ ଘଣ୍ଟିଆ ସମର ବିରତି ସକାଶେ; କାରଣ ଦୁଇ ପକ୍ଷର ସଭିଏଁ ଚାହୁଁଥିଲେ ପେଲେଙ୍କ ଖେଳ ଦେଖିବାକୁ। ଅନ୍ୟ ଏକ ଅବସରର କଥା। ଦୁଇଜଣ ବ୍ରିଟିସ ଖେଳାଳି ଖେଳୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ। ଫଳରେ ଜଣେ ଆହତ ହୋଇ ଅନେକ ସମୟ ତଳେ ପଡ଼ି ରହିଲେ। ତାଙ୍କୁ ଉଠେଇବାର ସବୁ ଚେଷ୍ଟା ବିଫଳ ହେଲା ଭଳି ଲାଗିଲା। ଆର ଦଳର ଏଗାର ଜଣକୁ, ଏମାନଙ୍କର ଦଶ ଜଣ। ଭାଳେଣି ପଡ଼ିଗଲା। ଦଳର ଡାକ୍ତର ପୁଣି ଥରେ ଗଲେ ସେ ଆହତ ଖେଳାଳିଙ୍କ ପାଖକୁ। କାନରେ ଗୁରୁମନ୍ତ୍ର ଫୁଙ୍କିଦେଲେ: ତୁ ପରା ପେଲେ; ପେଲେ କ’ଣ ଏତେ ସମୟ ଧରି ଅଚେତ ହୋଇ ତଳେ ପଡ଼ି ରହନ୍ତି! ବାସ୍, ସେତିକି ଶୁଣି ଧଡ୍ଧାଡ୍ ଖେଳାଳି ଜଣକ ଚେଙ୍ଗା ହୋଇ ଉଠିପଡ଼ିଲେ। ଆଉ ତାଙ୍କ ଦଳ ସପକ୍ଷରେ ସ୍କୋର ବୋର୍ଡ ଦେଖେଇଲା: ୫-୦। ଏ ଉପାଖ୍ୟାନଟି ସତ୍ୟ ବୟାନ କରୁଥିବା ଏକ ଆପାତତଃ, ମହତ୍ ମିଥ୍ୟା ହୋଇଥାଇପାରେ! କିନ୍ତୁ ପେଲେଙ୍କ ଅବଦାନ ଦୃଷ୍ଟିରୁ ତାଙ୍କୁ ଏସବୁ ଉପାଖ୍ୟାନ େବଶ୍ ସୁହାଏ।
ଦୁଇ ଜଣ ପୃଥିବୀ ବିଖ୍ୟାତ ଫୁଟ୍ବଲ୍ ଲେଖକ ଓ ବିଦ୍ବାନ୍ ହେଉଛନ୍ତି ଉରୁଗୁଏର ପତ୍ରକାର ଏଡୁଅାର୍ଡୋ ଗାଲେଆନୋ ଏବଂ ଇଂଲଣ୍ଡର ସମୀକ୍ଷକ ବ୍ରିଆନ୍ ଗ୍ଲାନ୍ଭିଲେ। ଗ୍ଲାନ୍ଭିଲେଙ୍କ ମତରେ ପେଲେ ଥିଲେ ଅସାଧାରଣ ମିଜାଜ୍ର, ଖେଳ ପଡ଼ିଆରେ ତୀବ୍ର ସଂଘର୍ଷ ଓ ନାଟକୀୟ ପରିସ୍ଥିତି ସତ୍ତ୍ବେ ସିଏ ସର୍ବଦା ସ୍ଥିତପ୍ରଜ୍ଞ ରହି ପାରୁଥିଲେ। ହେଲେ କସ୍ମସ୍ ପାଇଁ ଖେଳିଥିବା ପେଲେ ପ୍ରସିଦ୍ଧ ୟୁରୋପୀୟ କ୍ଲବ୍ମାନଙ୍କ ପାଇଁ ବି ଖେଳି ନିଜର ପରାକାଷ୍ଠା ପ୍ରତିପାଦନ କରନ୍ତୁ ବୋଲି ଚାହୁଁଥିଲେ ଗ୍ଲାନ୍ଭିଲେ। ଗାଲେଆନୋ ଥିଲେ ବଡ଼ ପ୍ରଶଂସକ ପେଲେଙ୍କ ଖେଳର। ତାଙ୍କ ପାଇଁ ପେଲେଙ୍କ ଖେଳ ଥିଲା ମାନବୀୟ ଅମରତ୍ବର ଆଉ ଏକ ମୂର୍ତ୍ତିମନ୍ତ ନିଦର୍ଶନ। ସିଏ ଚାହୁଁଥିଲେ ପେଲେ ଖୋଲାଖୋଲି ରଙ୍ଗ ବା ବର୍ଣ୍ଣ ପ୍ରସଙ୍ଗ ଉପରେ ସ୍ପଷ୍ଟ ମତ ରଖନ୍ତୁ ବୋଲି।
ଅନେକ ସମୟରେ ପ୍ରଶ୍ନ କରାଯାଏ- ପେଲେ, ମାରାଡୋନା ଓ ମେସିଙ୍କ ଭିତରେ ଶ୍ରେଷ୍ଠ କିଏ? ଆମ ଭିତରୁ ଅନେକ ପେଲେଙ୍କ ଅଲୌକିକ ଖେଳ ସିଧାସଳଖ ଦେଖିବାର ସୁଯୋଗ ପାଇନେ। ମାରାଡୋନା ଥରେ ମେସିଙ୍କୁ ତାଙ୍କ ଉତ୍ତରାଧିକାରୀ ବୋଲି ଘୋଷଣା କରିଥିଲେ। ମେସି କିନ୍ତୁ କହିଥିଲେ- ମତେ ମାରାଡୋନା ହେବାକୁ ଅନେକ ଯୁଗ ଲାଗିଯିବ। ଏବେ ମାରାଡୋନା ଓ ପେଲେଙ୍କର ସ୍ବର୍ଗରେ (!) ଭେଟ ହୋଇ ସାରିଥିବ ଏବଂ ଦୁହେଁ ଫୁଟ୍ବଲ୍ ଖେଳରେ ମସ୍ଗୁଲ ଥିବେ। ସେ ଖେଳରେ ରେଫ୍ରି ଥିବେ ଭଗବାନ। ଖେଳ ଶେଷରେ ମାରାଡୋନା ପେଲେଙ୍କୁ କହୁଥିବେ- ଆପଣଙ୍କୁ ମାନିଗଲି, ଆପଣ ହିଁ ଓସ୍ତାଦ୍। କାହିଁକି ନା ଆପଣ ଫୁଟ୍ବଲ୍ର ରାଜା ଓ ଈଶ୍ବର। ସେଠି ଉପସ୍ଥିତ ଥିବା ଭଗବାନ କହୁଥିବେ- ପେଲେଙ୍କ ଖେଳ ଦେଖି ସାରିବା ପରେ ମୁଁ ବି ଚାହିଁବି ଫୁଟ୍ବଲ୍ ଖେଳିବାକୁ!
ମୋ: ୯୪୩୭୩୦୭୦୭୯