ଜୀବିକା ଅର୍ଜନ ନିମିତ୍ତ ମନୁଷ୍ୟ ଯେଉଁ ସମସ୍ତ ବିଭିନ୍ନ ବୃତ୍ତି ବା ପେସା ଅବଲମ୍ବନ କରିଥାଏ, ସେଥି ମଧ୍ୟରେ ଯାହାକୁ ପ୍ରାଚୀନତମ ବୃତ୍ତିର ମର୍ଯ୍ୟାଦା ବା ଅମର୍ଯ୍ୟାଦା ପ୍ରଦାନ କରାଯାଇଥାଏ, ତାହା ହେଉଛି- ବେଶ୍ୟା ବୃତ୍ତି। ପ୍ରତ୍ନତତ୍ତ୍ବବିତ୍‌ମାନେ ଖ୍ରୀ.ପୂ. ୨୪୦୦ ବର୍ଷ ତଳେ ପ୍ରାଚୀନ ବେ‌ବିଲୋନିଆରେ ଏହି ଯୌନ ଭିତ୍ତିକ ବୃତ୍ତିର ଉପସ୍ଥିତି ସମ୍ବନ୍ଧରେ ପ୍ରମାଣ ଆବିଷ୍କାର କରିଛନ୍ତି। ଏହି ବୃତ୍ତି ମାନବ ସମାଜର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିବାର ଏତେ ଦୀର୍ଘ କାଳ ବିତି ଯାଇଥିଲେ ହେଁ ଏଥିପ୍ରତି କେଉଁ ଭଳି ଆଭିମୁଖ୍ୟ ଗ୍ରହଣ କରାଯିବା ଯୁକ୍ତିଯୁକ୍ତ, ସେ ନେଇ ସମାଜ ଏବେ ବି ଦୋଦୁଲ୍ୟମାନ ଅବସ୍ଥାରେ ରହିଛି। ଏହି ଯୌନ ବ୍ୟବସାୟକୁ ବିରୋଧ କରୁଥିବା ଚିନ୍ତାଧାରା ଏହାକୁ ଏକ ଆପରାଧିକ କାର୍ଯ୍ୟ ରୂପେ ବିଚାର କରି ଏହାକୁ ନିଷେଧ କରିବାକୁ ଚାହୁଁଥିବା ବେଳେ ଏହାର ବିପରୀତ ଚିନ୍ତାଧାରା ଏହାକୁ ସେଇଭଳି ମର୍ଯ୍ୟାଦା ପ୍ରଦାନ କରାଯିବା ସପକ୍ଷରେ ଯୁକ୍ତି କରି ଆସିଛି, ଯେଉଁଭଳି ମର୍ଯ୍ୟାଦା ସମାଜ ଅନ୍ୟ ବୃତ୍ତିମାନଙ୍କୁ ପ୍ରଦାନ କରିଥାଏ।

Advertisment

ଇତିହାସ ସାରା ଅନେକ ଚିନ୍ତାନାୟକମାନଙ୍କର ଅବଦାନ ଉଭୟ ପକ୍ଷର ଯୁକ୍ତିକୁ ପରିପୁଷ୍ଟ କରିଆସିଛି। ଏହି ବିବାଦ ସମ୍ବନ୍ଧରେ ଏକ ସମ୍ୟକ୍ ଧାରଣା ହାସଲ କରିବା ପାଇଁ ଆମେ ସେମାନଙ୍କ ମଧ୍ୟରୁ ଦୁଇଜଣ ମହାନ୍ ମନୀଷୀଙ୍କର ଏ ସମ୍ପର୍କରେ ବିଚାର ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରିବା ଫଳପ୍ରଦ ହେବ। ଜଣେ ହେଉଛନ୍ତି ଅଷ୍ଟାଦଶ ଶତାବ୍ଦୀର ପ୍ରଖ୍ୟାତ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍ ଏବଂ ଅନ୍ୟ ଜଣକ ହେଉଛନ୍ତି ଊନବିଂଶ-ବିଂଶ ଶତାବ୍ଦୀରେ ନିଜର ତୀକ୍ଷ୍‌ଣ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ନାଟକ ଓ ଅନ୍ୟାନ୍ୟ ରଚନାମାନ ମାଧ୍ୟମରେ ସାମାଜିକ ବିଚାର ଓ ଆଚରଣକୁ ଗଭୀର ଭାବରେ ପ୍ରଭାବିତ କରିଥିବା ବ୍ରିଟିସ୍-ଆଇରିସ୍ ନାଟ୍ୟକାର ଜର୍ଜ ବର୍ନାଡ୍ ଶ’। କାଣ୍ଟ୍ ବେଶ୍ୟାବୃତ୍ତିର ତୀବ୍ର ବିରୋଧ କରିଥିବା ବେଳେ ଶ’ ଏହାକୁ ଅନ୍ୟ ବୃତ୍ତିମାନ ସହିତ ସମାନ ମର୍ଯ୍ୟାଦା ପ୍ରଦାନ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିବା ଦେଖାଯାଇଥିଲା।

ବେଶ୍ୟାବୃତ୍ତିକୁ କାଣ୍ଟ୍‌ଙ୍କର ବିରୋଧ ତାଙ୍କର ପ୍ରସିଦ୍ଧ ‘କାଟିଗରିକାଲ୍ ଇମ୍ପରେଟିଭ୍’ ନିୟମ ଉପରେ ଆଧାରିତ ଥିଲା, ଯାହା ଅନୁସାରେ ଅନ୍ୟ ଜଣେ ବ୍ୟକ୍ତିକୁ ନିଜର ଉଦ୍ଦେଶ୍ୟ ଚରିତାର୍ଥ କରିବାର ଏକ ମାଧ୍ୟମ ମାତ୍ର ରୂପେ ବ୍ୟବହାର କରିବା ଗ୍ରହଣୀୟ ନୁହେଁ, କାରଣ ଏହା ସେହି ବ୍ୟକ୍ତିକୁ ଏକ ବସ୍ତୁରେ ପରିଣତ କରିଦେବା ଭଳି ହୋଇଥାଏ। ପ୍ରତ୍ୟେକ ମନୁଷ୍ୟ ଏକ ବୁଦ୍ଧିଧାରୀ ପ୍ରାଣୀ ହୋଇଥିବାରୁ ତା’ର ସ୍ଥାନ ହେଉଛି ଅନ୍ୟ କୌଣସି ପଶୁ ବା ବସ୍ତୁର ଊର୍ଦ୍ଧ୍ବରେ ଏବଂ ତେଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ସେଇଥି ପାଇଁ ଉପଯୁକ୍ତ ସମ୍ମାନ ପାଇବା ପାଇଁ ହକ୍‌ଦାର। ଯୌନ କ୍ଷୁଧା କିନ୍ତୁ ହେଉଛି ଏପରି ଏକ କ୍ଷୁଧା ଯାହା ଅନ୍ୟ ଜଣେ ବ୍ୟକ୍ତିକୁ ଏକ ବସ୍ତୁ ରୂପେ ବ୍ୟବହାର କରିବା ଦ୍ବାରା ହିଁ ପ୍ରଶମିତ ହୋଇଥାଏ। କାଣ୍ଟ୍‌ଙ୍କ ବର୍ଣ୍ଣନା ଅନୁସାରେ ନିଜର ଯୌନ କ୍ଷୁଧା ମେଣ୍ଟିଯିବା ପରେ ଜଣେ ବ୍ୟକ୍ତି ସେ ବ୍ୟବହାର କରିଥିବା ଅନ୍ୟ ବ୍ୟକ୍ତିଟିକୁ ସେହିପରି ଫିଙ୍ଗି ଦେଇଥାଏ, ସତେ ଯେମିତି ସେ ହେଉଛି ଚିପୁଡ଼ି କରି ସବୁତକ ରସ କାଢ଼ି ନିଆ ଯାଇଥିବା ଏକ ଲେମ୍ବୁ। ସେ ବ୍ୟକ୍ତି ପରିଣତ ହୁଏ ପରିତ୍ୟକ୍ତ ଲେମ୍ବୁ ନାମକ ବସ୍ତୁରେ।

କାଣ୍ଟ୍‌ଙ୍କ ମତରେ ବେଶ୍ୟାବୃତ୍ତି ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିର ଏଭଳି ବସ୍ତୁ-କରଣ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ତାହା ଗ୍ରହଣୀୟ ନୁହେଁ। ଯଦି ଗ୍ରାହକର ଯୌନ ସେବା ପ୍ରଦାନକାରିଣୀଙ୍କ ପ୍ରତି ସ୍ଥାୟୀ ଦାୟିତ୍ବବୋଧ ଥାଆନ୍ତା, ତେବେ ଏହି ବସ୍ତୁ-କରଣ ଘଟନ୍ତା ନାହିଁ, କାରଣ ଜଣେ ବ୍ୟକ୍ତି ଭାବରେ ସେବାପ୍ରଦାନକାରିଣୀଙ୍କର ସମଗ୍ର ଅସ୍ତିତ୍ବକୁ ଗ୍ରାହକ ଏହା ଦ୍ବାରା ସ୍ବୀକୃତି ପ୍ରଦାନ କରନ୍ତେ। ସେଇ କାରଣରୁ କାଣ୍ଟ୍ ଯୌନ ସମ୍ପର୍କ ସ୍ଥାପନ ନିମିତ୍ତ ବିବାହକୁ ଏକମାତ୍ର ଗ୍ରହଣୀୟ ବ୍ୟବସ୍ଥା ରୂପେ ଅନୁମୋଦନ ପ୍ରଦାନ କରିଥିଲେ; ବିବାହରେ ପତି ପତ୍ନୀ ପରସ୍ପର ପାଇଁ ଦାୟିତ୍ବଶୀଳ ହେବା ସଙ୍ଗେ ସଙ୍ଗେ ବୁଦ୍ଧିଧାରୀ ପ୍ରାଣୀ ରୂପେ ପରସ୍ପରର ସାମଗ୍ରିକ ଅସ୍ତିତ୍ବକୁ ସ୍ବୀକାର କରିଥାଆନ୍ତି। ଏହି ପାରସ୍ପରିକ ଦାୟିତ୍ବବୋଧ ଅନୁପସ୍ଥିତ ଥିବାରୁ ବିବାହ ବାହାରେ କୌଣସି ସହମତିଭିତ୍ତିକ ଯୌନ ସମ୍ପର୍କ ମଧ୍ୟ କାଣ୍ଟ୍‌ଙ୍କ ପାଇଁ ଗ୍ରହଣୀୟ ହୋଇ ନ ଥାଏ।

ବର୍ନାଡ୍ ଶ’ଙ୍କର ଯେଉଁ ରଚନା ବେଶ୍ୟା ବୃତ୍ତି ପ୍ରତି ତାଙ୍କର ଆଭିମୁଖ୍ୟର ସର୍ବଶ୍ରେଷ୍ଠ ବାହକ, ତାହା ହେଉଛି ୧୮୯୪ରେ ପ୍ରକାଶିତ ତାଙ୍କର ନାଟକ, ‘‘ମିସେସ୍ ୱାରେନ୍‌’ସ ପ୍ରଫେସନ୍’’ (ଶ୍ରୀମତୀ ୱାରେନ୍‌ଙ୍କ ବୃତ୍ତି)। କହିବା ବାହୁଲ୍ୟ, ଶ୍ରୀମତୀ ୱାରେନ୍‌ଙ୍କର ବୃତ୍ତି ବା ପେସା ହେଉଛି- ବେଶ୍ୟାବୃତ୍ତି। ଏହି ବୃତ୍ତିରୁ ସେ ଅର୍ଜନ କରିଥିବା ଆୟ ବଳରେ ମିସେସ୍ ୱାରେନ୍ ତାଙ୍କର ଏକମାତ୍ର ସନ୍ତାନ କନ୍ୟା ଭିଭିକୁ ଶିକ୍ଷା ଲାଭ ପାଇଁ ମର୍ଯ୍ୟାଦାଜନକ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଭର୍ତ୍ତି କରି ପାରିଛନ୍ତି, ଯେଉଁଠି ବୁଦ୍ଧିମତୀ ଭିଭି ଗଣିତ ଶାସ୍ତ୍ରରେ ତା’ର ବିଚକ୍ଷଣତା ପ୍ରଦର୍ଶନ କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଛି। ମା’ଙ୍କର ପେସା ସମ୍ବନ୍ଧରେ କିମ୍ବା ନିଜର ପିତୃ-ପରିଚୟ ସମ୍ବନ୍ଧରେ ଭିଭିର କିନ୍ତୁ କୌଣସି ସ୍ପଷ୍ଟ ଧାରଣା ନାହିଁ।

ଏକ ସମୟରେ ସତ୍ୟ ଆବିଷ୍କାର କରି ଭିଭି ଯେତେ‌େବଳେ ମା’ଙ୍କୁ ଦୋଷ ଦେବା ପାଇଁ ଚେଷ୍ଟା କରିଛି, ନାଟକର ଏକ ଦୃଶ୍ୟରେ ମା’ ଓ ଝିଅ ମୁହାଁମୁହିଁ ହୋଇଛନ୍ତି। ମା’ ତାଙ୍କର କେମ୍ବ୍ରିଜ୍ ପଢ଼ୁଆ ଝିଅର ହୃଦ୍‌ବୋଧ କରାଇ ଦେଇଛନ୍ତି କିପରି ତାଙ୍କର ଦାରିଦ୍ର୍ୟ ଜର୍ଜରିତ ପରିସ୍ଥିତିରୁ ମୁକୁଳିବା ପାଇଁ ଏହି ବୃତ୍ତି ହିଁ ଥିଲା ଏକମାତ୍ର ବାଟ ଏବଂ ଅନ୍ୟ ଯେ କୌଣସି ବୃତ୍ତି ଭଳି ବେଶ୍ୟାବୃତ୍ତି ମଧ୍ୟ ହେଉଛି ଏକ ବିଧିବଦ୍ଧ ବୃତ୍ତି। ମିସେସ୍ ୱାରେନ୍ କନ୍ୟାକୁ ବୁଝାଇ ଦେଇଛନ୍ତି ଯେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଜନ୍ମ ନେଇଥିବା ସେ ଓ ତାଙ୍କ ପରି ଅଗଣିତ ଅନ୍ୟ ଯୁବତୀମାନଙ୍କ ପାଇଁ ସେଥିରୁ ମୁକୁଳି ଅର୍ଥନୈତିକ ନିରାପତ୍ତା ହାସଲ କରିବାର ଏକମାତ୍ର ବାଟ ହେଉଛି ଜଣେ ସ୍ବଚ୍ଛଳ ପୁରୁଷକୁ ପତି ରୂପେ ଲାଭ କରିବା। କିନ୍ତୁ ସବୁ ଯୁବତୀଙ୍କ ପାଇଁ ଏହା ସମ୍ଭବ ହୋଇ ନ ଥାଏ। ଯେଉଁମାନେ ଧନୀକ ପୁରୁଷଟିଏକୁ ପତି ରୂପେ ପାଇ ପାରନ୍ତି ନାହିଁ, ସେମାନଙ୍କ ପାଇଁ ଯେଉଁ ଦ୍ବିତୀୟ ସର୍ବୋତ୍ତମ ବିକଳ୍ପ ଉପଲବ୍‌ଧ ଥାଏ, ତାହା ହେଲା ଏଭଳି ପୁରୁଷଙ୍କୁ ଗ୍ରାହକ ରୂପେ ପାଇବା।

ମିସେସ୍ ୱାରେନ୍ (ପ୍ରକୃତରେ ସେ କାହାରିକୁ ବିବାହ କରି ନ ଥିଲେ) ଏହି ଦ୍ବିତୀୟ ଉପାୟ ଅବଲମ୍ବନ କରି ନିଜ ପାଇଁ ନିରାପତ୍ତା ହାସଲ କରିବା ସହିତ କନ୍ୟା ଭିଭି ପାଇଁ ଏକ ଉଜ୍ଜ୍ବଳ ଭବିଷ୍ୟତ ମଧ୍ୟ ନିଶ୍ଚିତ କରି ପାରିଛନ୍ତି। ତେଣୁ ସେ କ’ଣ ଭୁଲ୍ କରିଛନ୍ତି ବୋଲି ଯେତେବେଳେ କନ୍ୟାକୁ ପଚାରିଛନ୍ତି, ଭିଭି ଅଭିଭୂତ ହୋଇ ତା’ର ମା’ଙ୍କୁ କହିଛି ଯେ ସେ ହେଉଛନ୍ତି ସାରା ଇଂଲାଣ୍ଡ୍‌ରେ ଶ୍ରେଷ୍ଠତମ ବ୍ୟକ୍ତି!

ବେଶ୍ୟାବୃତ୍ତିକୁ କେନ୍ଦ୍ର କରି ଉପର ବର୍ଣ୍ଣିତ ଏହି ଦୀର୍ଘ ବିବାଦରେ ଏ ଯେଉଁ ଦୁଇ ପରସ୍ପର-ବିରୋଧୀ ପକ୍ଷର ଆବିର୍ଭାବ ଘଟିଛି, ଗତ ସପ୍ତାହରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିଥିବା ଏ ସମ୍ପର୍କିତ ଏକ ରାୟ ସ୍ପଷ୍ଟ ଭାବରେ ଯେଉଁ ପକ୍ଷ ସପକ୍ଷରେ ଯାଇଛି ବୋଲି କୁହାଯାଇପାରେ, ତାହା ହେଉଛି ବର୍ନାଡ୍ ଶ’ଙ୍କ ବା ମିସେସ୍ ୱାରେନ୍‌ଙ୍କ ପକ୍ଷ। ନ୍ୟାୟମୂର୍ତ୍ତି ଏଲ୍‌ ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚ୍ ସମ୍ବିଧାନର ଧାରା-୨୧କୁ ଉଦ୍ଧାର କରି କହିଛନ୍ତି ଯେ ଏ ଦେଶରେ ପ୍ରତ୍ୟେକ ନାଗରିକର ସମ୍ମାନର ସହିତ ଜୀବନ ବିତାଇବାର ମୌଳିକ ଅଧିକାର ରହିଛି; ଏବଂ ବେଶ୍ୟା ବୃତ୍ତି ମଧ୍ୟ ହେଉଛି ଏକ ବିଧିବଦ୍ଧ ବୃତ୍ତି ଓ ଯୌନ କର୍ମୀମାନେ ସମ୍ମାନ ପାଇବା ପାଇଁ ଓ ସମାନ ଭାବରେ ଆଇନର ସୁରକ୍ଷା ଲାଭ କରିବା ପାଇଁ ହକ୍‌ଦାର। ସେମାନଙ୍କୁ ହରକତ ନ କରିବା ପାଇଁ ରାୟରେ ପୁଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

କାଣ୍ଟ୍ ଦାର୍ଶନିକସୁଲଭ ଢଙ୍ଗରେ ବିବାହକୁ ଯେଉଁ ଉଚ୍ଚ ଆସନ ପ୍ରଦାନ କରିଥିଲେ, ଶ’ ମିସେସ୍ ୱାରେନ୍‌ଙ୍କ ମାଧ୍ୟମରେ ଅର୍ଥନୈତିକ ଦୃଷ୍ଟିରୁ ତାହାକୁ ବେଶ୍ୟା ବୃତ୍ତିର ଏକ ବିକଳ୍ପ ମାତ୍ର ବୋଲି ଦର୍ଶାଇ ବେଶ୍ୟା ବୃତ୍ତିକୁ ଏକ ସମ୍ମାନଜନକ ବୃତ୍ତି ରୂପେ ଦେଖିବା ପାଇଁ ସମସାମୟିକ ବ୍ରିଟିସ୍ ସମାଜକୁ ଯେଉଁ ଆହ୍ବାନ ଦେଇଥିଲେ, ତାହାର ପ୍ରାସଙ୍ଗିକତା ଏବେ ମଧ୍ୟ ବଳବତ୍ତର ରହିଛି। ଭାରତର ସୁପ୍ରିମ୍ କୋର୍ଟ ଏବେ ଶ’ଙ୍କର ସେଇ ବିଚାର ସହିତ ଏକମତ ହୋଇ ନିଜର ପ୍ରଗତିଶୀଳ ଆଭିମୁଖ୍ୟ ପ୍ରମାଣିତ କରିଛନ୍ତି।