ସ୍ୱାଭିମାନ ଦିବସରୁ ଭାରତରତ୍ନ

ଆଲୋକର ସନ୍ଧାନେ - ଅଭୟ ଦ୍ୱିବେଦୀ

ଓଡ଼ିଶା ବୌଦ୍ଧିକ ଜଗତର ଦିଗବାରେଣୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ‘ଆମ ଓଡ଼ିଶା’ ଆନୁକୂଲ୍ୟରେ ୨୦୦୩ରୁ ଉତ୍କଳଗୌରବ ମଧୁସୂଦନ ଦାସ ଜୟନ୍ତୀ ‘ସ୍ୱାଭିମାନ ଦିବସ’ ରୂପେ ପାଳିତ ହେଉଛି। ଏହି ଉପଲକ୍ଷେ ଆୟୋଜିତ ‘ଆମ ଓଡ଼ିଶା ବକ୍ତୃତାମାଳା’ର ଆଦ୍ୟ ପ୍ରବକ୍ତା ଥିଲେ ରାଷ୍ଟ୍ରନୀତିଜ୍ଞ ତଥା ଓଡ଼ିଆ ଭାଷା ସାହିତ୍ୟର ଯଶସ୍ୱୀ ସାଧକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ପ୍ରାୟ ଦୁଇ ଦଶନ୍ଧି ହେଲା କୁଳବୃଦ୍ଧ ମଧୁସୂଦନଙ୍କୁ ସ୍ମରଣ କରିବା ପାଇଁ ଯେଉଁ ମହତ ଉଦ୍ୟମ ଆରମ୍ଭ ହୋଇଥିଲା, ଆଜି ତାହା ରାଜ୍ୟର ପୁରପଲ୍ଲୀରେ ଆନ୍ଦୋଳନରେ ପରିଣତ ହୋଇଯାଇଛି। ଏହି ଦିବସରେ ପ୍ରତ୍ୟେକ ଓଡ଼ିଆ ନିଜ ଜୀବନଚର୍ଯ୍ୟାରେ ‘ସ୍ୱାଭିମାନ’ ଶବ୍ଦ ପ୍ରୟୋଗ ନିମନ୍ତେ ପ୍ରୟାସ କରିବା ପାଇଁ ବାଧ୍ୟ ହେଉଛନ୍ତି। ‘ସ୍ୱାଭିମାନ’ କହିଲେ ଆମେ କ’ଣ ବୁଝୁ, କ’ଣ ତାହାର ପରିଭାଷା?

ସ୍ୱାଭିମାନ ଶବ୍ଦରେ ଜୀବନର ନିର୍ଯ୍ୟାସ ଅନ୍ତର୍ନିହିତ। ଶ୍ରଦ୍ଧା ଆଶ୍ରିତ ଆସ୍ପର୍ଦ୍ଧା, କରୁଣାସିକ୍ତ ଅହଂକାର ଏବଂ ପ୍ରେମ ସଂଶ୍ଳିଷ୍ଟ ସ୍ୱାର୍ଥର ସମନ୍ୱୟରେ ସ୍ୱାଭିମାନ ଜନ୍ମ ନେଇଥାଏ। ଏହାର ପ୍ରତିବଦଳରେ କୁବେରର ଅମାପ ଭଣ୍ଡାର ତୁଚ୍ଛ ମନେହୁଏ। ପ୍ରଭୂତ କ୍ଷମତା ଓ କ୍ଷମତାର ଦିଗନ୍ତ ବିସ୍ତାରି ରାଜରାସ୍ତା ସାମାନ୍ୟ ବିନ୍ଦୁରେ ପରିଣତ ହୋଇଯାଏ। ସ୍ୱାଭିମାନୀ କାହାରି ପ୍ରତିଦ୍ୱନ୍ଦ୍ବୀ ନୁହେଁ। ସେ ଏକା ଏକା ବାଦଶାହ। ସ୍ୱାଭିମାନ, ବ୍ୟକ୍ତି ସତ୍ତାକୁ ଆଦରି ଥିଲେ ହେଁ, ସାମୂହିକ ଚେତନାର ପ୍ରତିଫଳନ। ପ୍ରତିଟି ଆନ୍ଦୋଳନ ଓ ସଂଗ୍ରାମର ପୃଷ୍ଠଭୂମିରେ ସ୍ୱାଭିମାନ ଅନ୍ତର୍ନିହିତ। ଆମ ରାଜ୍ୟରେ ଭାଷାକୁ କେନ୍ଦ୍ର କରି ଦୁଇଟି ଆନ୍ଦୋଳନ ସଂଗଠିତ ହୋଇଛି- ଭାଷା ସୁରକ୍ଷା ଆନ୍ଦୋଳନ ଓ ଭାଷା ଭିତ୍ତିକ ଆନ୍ଦୋଳନ।

ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ କିଛି ସରକାରୀ ଅଧିକାରୀ ଏବଂ ଓଡ଼ିଆ ଭାଷା ପ୍ରତି ବିଦ୍ୱେଷ ମନୋଭାବ ପୋଷଣ କରୁଥିବା ଅଣଓଡ଼ିଆ କର୍ମଚାରୀଙ୍କ ଦ୍ୱାରା ରାଜ୍ୟରୁ ଓଡ଼ିଆ ଭାଷାକୁ ନିଶ୍ଚିହ୍ନ କରିବା ନିମନ୍ତେ ଯେଉଁ ହୀନ ଚକ୍ରାନ୍ତ ଆରମ୍ଭ ହୋଇଥିଲା, ଏ ଆନ୍ଦୋଳନ ତାହାର ପ୍ରତିବାଦର ସ୍ୱର। ଏହାର ନେତୃତ୍ୱ ନେଇଥିଲେ ଜାତିର ବ୍ୟାସ, ଭାଷା ସାହିତ୍ୟର ସେନାପତି ଫକୀରମୋହନ। ଏ ଆନ୍ଦୋଳନର ସମୟସୀମା ୧୮୭୦-୧୮୭୩ ମସିହା, ମାତ୍ର ତିନି ବର୍ଷ। କିନ୍ତୁ ୧୮୪୦ ମସିହାରୁ ତିନି ଦଶନ୍ଧିର ସୁଦୀର୍ଘ ପୃଷ୍ଠଭୂମି ବିଦ୍ୟମାନ। ବଙ୍ଗ, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶା ଡିଭିଜନ୍ ସହିତ ମିଶାଇ ଗୋଟିଏ ଶାସନ ଅଧୀନରେ ରଖିବା ନିମନ୍ତେ ଯେଉଁ ବ୍ୟାପକ ଆନ୍ଦୋଳନ ସଂଗଠିତ ହୋଇଥିଲା, ତାହା ଭାଷା ଆନ୍ଦୋଳନ ନାମରେ ଅଭିହିତ। ସେହି ଆନ୍ଦୋଳନ ଫଳରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହେଲା। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଶତାବ୍ଦୀର ସୂର୍ଯ୍ୟ ମଧୂସୁଦନ ଦାସ। ଭାଷା ସୁରକ୍ଷିତ ଥିବାରୁ ଆମେ ଭୂମିଟିଏ ପାଇଲେ। ସମଗ୍ର ଦେଶରେ ଭାଷା ଭିତ୍ତିକ ପ୍ରଦେଶ ଗଠନରେ ଓଡ଼ିଶା ହେଉଛି ମାର୍ଗଦର୍ଶକ ଏବଂ ତାହାର କର୍ଣ୍ଣଧାର ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ।

‘ସ୍ୱାଭିମାନ ଦିବସ’ର ସଫଳତା ପରେ, ଆନନ୍ଦର କଥା, ପୁନଶ୍ଚ ସୌମ୍ୟବାବୁଙ୍କ ନେତୃତ୍ୱରେ ସ୍ୱାଭିମାନର ସନ୍ତକ ମଧୁବାବୁଙ୍କୁ ମରଣୋତ୍ତର ‘ଭାରତରତ୍ନ’ ପ୍ରଦାନ ଦାବି ଆନ୍ଦୋଳନର ରୂପ ନେଉଛି। ଏକ କୋଟି ଓଡ଼ିଆଙ୍କ ଦସ୍ତଖତ ସମ୍ବଳିତ ଦସ୍ତାବିଜ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନା ନିମନ୍ତେ ଉଦ୍ୟମ ହେଉଛି। ପ୍ରଶ୍ନ ଉଠେ- ଦୀର୍ଘ ଏତେ ବର୍ଷ ଆମେ ନିରବ ରହିଥିଲେ କାହିଁକି? ସଂକ୍ଷିପ୍ତ ଉତ୍ତର ହେଉଛି- ଆମେ କେବେ ନିରବ ନ ଥିଲେ। ବନ୍ଧୁମାନଙ୍କ ଗହଣରେ ଆଲୋଚନା ପ୍ରସଙ୍ଗରେ ଅବା ମଧୁ ଜୟନ୍ତୀରେ, ଏ ଦାବି ବାରମ୍ବାର ଉଠିଛି। ପ୍ରତି ଓଡ଼ିଆଙ୍କ ପ୍ରାଣରେ ଏ ପ୍ରସଙ୍ଗ ସର୍ବଦା ଉଜ୍ଜୀବିତ ରହିଛି।

କିନ୍ତୁ କେନ୍ଦ୍ର ସରକାରଙ୍କ ନିକଟରେ ବିଧିବଦ୍ଧ, ସଂଗଠିତ ଦାବି ଉପସ୍ଥାପନା ନିମନ୍ତେ ଅନୁକୂଳ ପରିବେଶର ଅପେକ୍ଷା ଥିଲା। ଯଦି ସରକାର କୌଣସି ଦାବିକୁ ସମ୍ବେଦନା ଓ ସହୃଦୟତାର ସହ ବିଚାର ନ କରନ୍ତି, ତେବେ ଆନ୍ଦୋଳନ ପୃଷ୍ଠଭୂମିର ଶକ୍ତି ଏବଂ ସମୟ ଅପଚୟ ହୋଇଥାଏ। ଏହି ମର୍ମରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଏବଂ ବିଜେପି ନେତୃତ୍ୱାଧୀନ ସରକାରଙ୍କର ଓଡ଼ିଶା ପ୍ରତି ଆଭିମୁଖ୍ୟର ତୁଳନାତ୍ମକ ଅନୁଶୀଳନ କରିବା। ସ୍ୱାଧୀନତା ପ୍ରାପ୍ତି ପରଠାରୁ କଂଗ୍ରେସ ସରକାର ଅମଳରେ ଓଡ଼ିଶା କେବଳ ଅବହେଳିତ ହୋଇଛି ତାହା ନୁହେଁ, ଲାଞ୍ଛିତ ଓ ଅପମାନିତ ହୋଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ଭାଗ ସର୍ବଦା ନ୍ୟୂନତମ ରହିଛି।

ସେଥିରେ ଆପତ୍ତି ନାହିଁ, କାରଣ କଂଗ୍ରେସ ହାଇକମାଣ୍ଡଙ୍କ ନଜରରେ ଓଡ଼ିଶାର ସାଂସଦ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ନିମନ୍ତେ ଯୋଗ୍ୟ ନୁହନ୍ତି। କିନ୍ତୁ ବିକାଶ କ୍ଷେତ୍ରରେ? ଅନେକ ପାଠକ ବନ୍ଧୁଙ୍କର ମନେ ଥିବ- ଉପା ମେଣ୍ଟ ସରକାରର ପ୍ରଥମ ପାଳିରେ ଓଡ଼ିଶାର ନେତୃବୃନ୍ଦ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିକଟରେ ରାଜ୍ୟ ନିମନ୍ତେ ଆର୍ଥିକ ସହାୟତା ଦାବି କରିଥିଲେ। ଏହାର ଉତ୍ତରରେ ସ୍ୱଳ୍ପଭାଷୀ, ବିଜ୍ଞ ପ୍ରଧାନମନ୍ତ୍ରୀ ତାଚ୍ଛଲ୍ୟ କରି କହିଥିଲେ- ‘ଟଙ୍କା କ’ଣ ଏଠି ଗଛରେ ଫଳୁଛି?’ ରାଜ୍ୟବାସୀଙ୍କ ପ୍ରତି ଏହାଠାରୁ ବଡ଼ ଅପମାନ ଓ ଲାଞ୍ଛନା କ’ଣ ଥାଇପାରେ? କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ଭାଗ ଅଧିକ ରହିଛି।

ପ୍ରତିଟି ପ୍ରାକୃତିକ ଦୁର୍ବିପାକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଘୋଷଣା କରିଛନ୍ତି- ‘ଓଡ଼ିଶାର ବିକାଶ ନିମନ୍ତେ ଅର୍ଥର ଅଭାବ ରହିବ ନାହିଁ।’ ଏହା ହେଉଛି କେନ୍ଦ୍ର ସରକାରଙ୍କର ଓଡ଼ିଶାବାସୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଆଶ୍ୱାସନା ବାଣୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶାବାସୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଉପହାର। ଜନଜାତି ସଂପ୍ରଦାୟର ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଖୁସିର କଂପନ ସୃଷ୍ଟିହୋଇଛି। ଯଦି ଓଡ଼ିଶାର କଂଗ୍ରେସ ବିଧାୟକ ଓ ସାଂସଦ ନିର୍ବାଚନରେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ନ କରନ୍ତି, ରାଜ୍ୟ ପ୍ରତି ସେମାନଙ୍କର ଅଙ୍ଗୀକାରବଦ୍ଧତା ସ୍ପଷ୍ଟ ହୋଇଯିବ। ବିରୋଧୀଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ, ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀମତୀ ମୁର୍ମୁଙ୍କର ଜୟଲାଭ ସୁନିଶ୍ଚିତ। ସେହି ସମୟରେ ମଧୁବାବୁଙ୍କ ଉଦ୍ଦେଶ୍ୟରେ ‘ଭାରତରତ୍ନ’ ଦାବି ଯଥାର୍ଥରେ ଭଲ ସମୟର ଶୁଭ ସଙ୍କେତ।

ମଧୁବାବୁ ପ୍ରତିଟି ଓଡ଼ିଆର ହୃଦୟ ସିଂହାସନରେ ବିରାଜିତ, ଏହା ପ୍ରମାଣର ଆବଶ୍ୟକତା ରଖେନାହିଁ। କିନ୍ତୁ ଭାରତରତ୍ନ ଦାବି ନିମନ୍ତେ ତାଙ୍କ କୃତି ଓ ଆଦର୍ଶର ଦସ୍ତାବିଜ ଗୁରୁତ୍ୱ ବହନ କରେ। ଏହି ସୀମିତ ପରିସରରେ ତାହାର ବ୍ୟାଖ୍ୟାନ ସମ୍ଭବ ନୁହେଁ। ଜାତିର ଜନକ ମହାତ୍ମା ଗାନ୍ଧୀ ତାଙ୍କ ସାମାଜିକ ଜୀବନର ମାର୍ଗଦର୍ଶକ ଭାବେ ମଧୁବାବୁଙ୍କୁ ବରଣ କରି ଯେଉଁ ଉଚ୍ଚ ଆସନରେ ଅଧିଷ୍ଠିତ କରିଥିଲେ, ତାହାର କେତୋଟି ଦୃଷ୍ଟାନ୍ତ ଏଠାରେ ଅବତାରଣା କରୁଛି। ମହାତ୍ମା ଗାନ୍ଧୀ ‘ଆତ୍ମକଥା’ରେ ଉଲ୍ଲେଖ କରିଛନ୍ତି- ‘ଆଧୁନିକ ସମୟର ତିନିଜଣ ବ୍ୟକ୍ତି ମୋତେ ଗଭୀର ଭାବେ ପ୍ରଭାବିତ କରିଛନ୍ତି।

ଅନ୍ତରଙ୍ଗ ରାୟଚାନ୍ଦଭାଇ, ‘ସ୍ୱର୍ଗ ତମରି ହୃଦୟ ଭିତରେ ଅଛି’ ପୁସ୍ତକର ରଚୟିତା ଟଲଷ୍ଟୟ ଏବଂ ‘ଅନ୍ ଟୁ ଦିସ୍ ଲାଷ୍ଟ’ ପୁସ୍ତକ ମାଧ୍ୟମରେ ରସ୍କିନ ମୋତେ ଆଚ୍ଛନ୍ନ କରି ରଖିଛନ୍ତି।’ ଆଉ ଜଣେ ଯୁଗପୁରୁଷ ଯାହାଙ୍କୁ ମହାତ୍ମା ଗାନ୍ଧୀ ମାର୍ଗଦର୍ଶକ ଭାବେ ଗ୍ରହଣ କରିଥିଲେ, ଅଥଚ ତାଙ୍କ ନାମ ‘ଆତ୍ମକଥା’ରେ ଉଲ୍ଲେଖ ନାହିଁ, ସେ ହେଉଛନ୍ତି ଉତ୍କଳଗୌରବ ମଧୁସୂଦନ ଦାସ। କାରଣ ୧୯୨୦ ମସିହା ଆଦ୍ୟ ସୋପାନ ପର୍ଯ୍ୟନ୍ତ ଘଟଣାବଳୀ ଗାନ୍ଧୀଜୀଙ୍କ ଆତ୍ମକଥାରେ ବର୍ଣ୍ଣନା ଅଛି। ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ସମୟରେ ଦେଶବନ୍ଧୁ ଚିତ୍ତରଂଜନ ଦାସ ଓ ତାଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଥିଲା। ବିଶ୍ୱକବି ରବୀନ୍ଦ୍ରନାଥ ତାହାର ସମାଧାନ ଦାୟିତ୍ୱ ମଧୁବାବୁଙ୍କୁ ଅର୍ପଣ କରିଥିଲେ। ସେହି ଉପଲକ୍ଷେ ୧୯୨୦ ମସିହା ଡିସେମ୍ବରରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ସେହି ପ୍ରଥମ ସାକ୍ଷାତରେ ମହାତ୍ମା ଗାନ୍ଧୀ ମଧୁବାବୁଙ୍କ ରାଷ୍ଟ୍ର-ସମର୍ପିତ ବ୍ୟକ୍ତିତ୍ୱ ସଂପର୍କରେ ଅବଗତ ହୋଇ ଅଭିଭୂତ ହୋଇଯାଇଥିଲେ।

ସେତେବେଳକୁ ମଧୁବାବୁ ଗ୍ରାମ୍ୟ ଜୀବନର ଉତ୍‌ଥାନ ନିମନ୍ତେ ସ୍ୱଦେଶୀ ଢ଼ାଞ୍ଚାରେ କୁଟୀର ଶିଳ୍ପ ନିର୍ମାଣ, ଅସ୍ପୃଶ୍ୟତା ନିବାରଣ ଓ ଅସବର୍ଣ୍ଣ ଗୋଷ୍ଠୀର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା, କୃଷକ ସମାଜର ନ୍ୟାଯ୍ୟ ଅଧିକାର ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ, ମୌଳିକ ଶିକ୍ଷାନୀତି ପ୍ରଣୟନ ପାଇଁ ବିଧାନସଭାରେ ପ୍ରସଙ୍ଗ ଉତ୍‌ଥାପନ, ସମବାୟ ସଂସ୍ଥା ମାଧ୍ୟମରେ ସାମାଜିକ ବିକାଶ ଆଦି ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଯେଉଁ ସମୁଜ୍ଜ୍ବଳ ଦୃଷ୍ଟାନ୍ତ ରଖିଥିଲେ, ସେହି ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ମହାତ୍ମା ଗାନ୍ଧୀ ତାଙ୍କୁ ମାର୍ଗଦର୍ଶକ ଭାବେ ଗ୍ରହଣ କରିଥିଲେ।

୧୯୨୦ରୁ ୧୯୩୪ ମସିହାରେ ମଧୁବାବୁଙ୍କ ମହାପ୍ରୟାଣ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ଆତ୍ମୀୟତା ବୃଦ୍ଧି ପାଇଥିଲା। ଗୋଟିଏ ବକ୍ତବ୍ୟରେ ଗାନ୍ଧୀଜୀ ମଧୁବାବୁଙ୍କୁ ଟଲଷ୍ଟୟଙ୍କ ସମତୁଲ ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ୧୯୩୭ ମସିହା ଅକ୍ଟୋବର ୨୨ ତାରିଖରେ ‘ସର୍ବଭାରତୀୟ ଶିକ୍ଷା ସମ୍ମିଳନୀ’ରେ ଉଦ୍‌ବୋଧନ ଅବସରରେ ଗାନ୍ଧୀଜୀ କହିଥିଲେ- ‘ଦିବଂଗତ ମଧୁସୂଦନ ଦାସ ଥିଲେ ଖ୍ୟାତନାମା ଓକିଲ। କିନ୍ତୁ ସେ ବୁଝିଥିଲେ ହାତ ଗୋଡ଼ର ଉପଯୁକ୍ତ ବିନିଯୋଗ ନହେଲେ ମସ୍ତିଷ୍କ ଦୁର୍ବଳ ହୋଇଯିବ ଓ ସମୟକ୍ରମେ ତାହା ସୈତାନର ଆଡ୍‌ଡ଼ା ପାଲଟିଯିବ। ଟଲଷ୍ଟୟ ମଧ୍ୟ ତାଙ୍କର ଅନେକ କାହାଣୀରେ ଏହି ତତ୍ତ୍ବ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି।’ ୧୯୨୩ ମସିହାରେ ମଧୁବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପର ବର୍ଷ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିବା ପାଇଁ ସାବରମତୀ ଆଶ୍ରମ ଯାଇଥିଲେ।

ସେହି ସମୟରେ ଦୁହେଁ ଦେଶର ଅର୍ଥନୈତିକ ପ୍ରଗତି, ସାମାଜିକ ସ୍ଥିତିରେ ସୁଧାର ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ସଂପର୍କରେ ଗାନ୍ଧୀଜୀ ଉଲ୍ଲେଖ କରିଛନ୍ତି- ‘ମଧୁବାବୁଙ୍କ ସହ ବିସ୍ତୃତ ଆଲୋଚନା ପରେ ମୁଁ ବିଶେଷ ଲାଭବାନ ହୋଇଥିଲି।’ ୧୯୨୫ ମସିହାରେ ଗାନ୍ଧୀଜୀ ‘ଉତ୍କଳ ଟ୍ୟାନେରି’ ପରିଦର୍ଶନରେ ପ୍ରଭାବିତ ହୋଇ ୧୯୨୮ ମସିହାରେ ସାବରମତୀ ଆଶ୍ରମରେ ଏକ ଟ୍ୟାନେରି ପ୍ରତିଷ୍ଠା କରିଥିଲେ। ମହାତ୍ମା ଗାନ୍ଧୀ ଓ ମଧୁବାବୁଙ୍କ ମଧ୍ୟରେ ଚାରିଥର ସାକ୍ଷାତର ଅବଧି ଥିଲା ପ୍ରାୟ ଏକ ସପ୍ତାହ। ଏହି ସ୍ୱଳ୍ପ ସମୟ ସାକ୍ଷାତ ମଧ୍ୟରେ ମହାତ୍ମାଙ୍କ ଅନ୍ତର ଓ ପ୍ରାଣ ଏପରି ପୁଲକିତ ହୋଇଥିଲା, ୧୯୨୫ରୁ ୧୯୩୮ ମସିହା ମଧ୍ୟରେ ସେ ମଧୁବାବୁଙ୍କ ସଂପର୍କରେ ୟଙ୍ଗ୍ ଇଣ୍ଡିଆ, ହରିଜନ, ନବଜୀବନ, ହରିଜନ ବନ୍ଧୁ, ବମ୍ବେ କ୍ରୋନିକଲ୍, ହିନ୍ଦୁ ଆଦି ସମ୍ବାଦପତ୍ର ଓ ପତ୍ରିକାରେ ୧୭ଟି ଆଲେଖ୍ୟ ରଚନା କରିଥିଲେ। ମଧୁବାବୁଙ୍କ ମହାପ୍ରୟାଣରେ ମର୍ମାହତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ ଅବସରରେ ଗାନ୍ଧୀଜୀ କହିଥିଲେ- ‘ମୁଁ ମଧୁବାବୁଙ୍କୁ ଜାଣିବାର ସୌଭାଗ୍ୟ ଅର୍ଜନ କରିଛି।

ସେ ଥିଲେ ମହାନ ଦେଶପ୍ରେମୀ। ଧର୍ମ ସଂପର୍କରେ ତାଙ୍କର ମନୋଭାବ ଅତ୍ୟନ୍ତ ଉଦାର ଥିଲା। ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିଲା। ଯୁବ ସମାଜକୁ ଶ୍ରମର ମର୍ଯ୍ୟାଦା ଶିକ୍ଷା ଦେବା ପାଇଁ ସେ କଟକରେ ଗୋଟିଏ ଟ୍ୟାନେରି ପ୍ରତିଷ୍ଠା କରିଥିଲେ।… ତାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ସମ୍ମାନ ଅର୍ପଣ କରୁଛି।’ ଉତ୍କଳଗୌରବ ମଧୁସୂଦନଙ୍କ ବହୁମୁଖୀ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ଜାତିର ଜନକ ମହାତ୍ମା ଗାନ୍ଧୀ ତାଙ୍କୁ ମାର୍ଗଦର୍ଶକ ଭାବେ ବରଣ କରିଥିଲେ। ଯଥାର୍ଥରେ ମଧୁବାବୁ ହେଉଛନ୍ତି ଭାରତରତ୍ନ।
ମୋ-୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର