ଏ ଲେଖକର ପୂର୍ବ ଲେଖାରେ ଉଦ୍ଧୃତ ମହାଦେବ ଦେଶାଇଙ୍କ କବିତା ପଢ଼ି ଅନେକ ପାଠକ ବନ୍ଧୁ ପ୍ରଶ୍ନ କଲେ, ଗାନ୍ଧୀ କ’ଣ ସତରେ ବୁଝିହେଉନଥିଲେ? ସେ କ’ଣ ଖୁବ୍ ରହସ୍ୟମୟ ଥିଲେ?
ଗାନ୍ଧୀ ଯେ ଏକ ରହସ୍ୟ, ଏପରି ଏକ ଅବଧାରଣା କେବଳ ଭାରତରେ ନଥିଲା, ବିଦେଶରେ ବି ଥିଲା। ଗାନ୍ଧୀଙ୍କୁ ନେଇ ଅନେକ ମନଗଢ଼ା କାହାଣୀ ବିଦେଶୀ ଖବରକାଗଜରେ ପ୍ରକାଶ ପାଉଥିଲା। ଗାନ୍ଧୀଜୀଙ୍କ ଅତ୍ୟଧିକ ସରଳତା ଅନେକ ସମୟରେ ଆଶ୍ଚର୍ଯ୍ୟ ଲାଗେ ବୋଲି ଅନେକ ସ୍ୱୀକାର କରନ୍ତି।
୧୯୩୧ ମସିହା ସେପ୍ଟେମ୍ବରରେ ଦ୍ବିତୀୟ ଗୋଲ ଟେବଲ ବୈଠକରେ ଯୋଗ ଦେବାକୁ ଗାନ୍ଧୀଜୀ ଲଣ୍ଡନ ଯାଇଥିଲେ। ସେପ୍ଟେମ୍ବର ୧୪ ତାରିଖରୁ ବୈଠକ ଆରମ୍ଭ ହେବାର ଥିଲା। ଗାନ୍ଧୀ ସେପ୍ଟେମ୍ବର ୧୨ ତାରିଖରେ ଲଣ୍ଡନରେ ପହଞ୍ଚି ଯାଇଥିଲେ। ସେଦିନ ସନ୍ଧ୍ୟାରେ ଲଣ୍ଡନର ଵିନଷ୍ଟନ ରୋଡ୍ର ଫ୍ରେଣ୍ଡଲି ହାଉସରେ ଗାନ୍ଧୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା।
ଫ୍ରେଣ୍ଡଲି ହାଉସର ସେ ସଭା ଥିଲା ଅନନ୍ୟ। ଲଣ୍ଡନରେ ସେଦିନ ବର୍ଷା ସତ୍ତ୍ବେ ସଭାକକ୍ଷରେ ଭିଡ଼ ଜମିଥିଲା। ଲଣ୍ଡନର ଅନେକ ବୁଦ୍ଧିଜୀବୀ, ସାଂସଦ, ପ୍ରଫେସର ଓ ଛାତ୍ର ଉପସ୍ଥିତ ଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ବାହାରେ ପୁଲିସ ମୁତୟନ ହୋଇଥିଲେ। ଖଦି ଧୋତିଟି ପିନ୍ଧି, ଦେହରେ ଏକ ଲମ୍ବା ଖଦି ଶାଲ ଘୋଡ଼ି ହୋଇ ଗାନ୍ଧୀ ମଞ୍ଚ ଉପରେ ବସିଥିଲେ ଏବଂ ବର୍ଷାରେ ଓଦା ହୋଇଯାଇଥିବା ମୁଣ୍ଡକୁ ନିଜ ଶାଲରେ ପୋଛି ହେଉଥିଲେ। ସଭାରେ ବସିଥିବା ଅନେକ ଇଂରେଜ ବୁଦ୍ଧିଜୀବୀ ନିଜକୁ ନିଜେ ପ୍ରଶ୍ନ କରୁଥିଲେ, ଏ କ’ଣ ସେ ଏମ୍.କେ. ଗାନ୍ଧୀ ଯିଏ ସମ୍ରାଟଙ୍କ ସାମ୍ରାଜ୍ୟକୁ ଚ୍ୟାଲେଞ୍ଜ ଦେଉଛନ୍ତି।
ମଞ୍ଚ ସେଦିନ ପରିଚାଳନା କରୁଥିଲେ ଭିକ୍ଟୋରିଆ ସାହିତ୍ୟର ପ୍ରସିଦ୍ଧ ଲେଖକ ଲରେନ୍ସ ହାଉସମ୍ୟାନ। ଗାନ୍ଧୀଙ୍କୁ ସ୍ୱାଗତ ଜଣାଇ ଲରେନ୍ସଙ୍କ ବକ୍ତବ୍ୟ ଥିଲା, ‘ମହାତ୍ମା ଗାନ୍ଧୀ, ଆପଣଙ୍କୁ ମହାତ୍ମା ସମ୍ବୋଧନ କରି ମୁଁ ଖୁସି। ସତ କଥା ହେଲା, ଆପଣଙ୍କ ଦେଶରେ ଆପଣ ବେଶ୍ ଜନପ୍ରିୟ ହେଲେ ବି ମୋ ଦେଶରେ ଅନେକ ଲୋକ ଆପଣଙ୍କୁ ଜାଣନ୍ତି ନାହିଁ। କିନ୍ତୁ ଆପଣ ଏତେ ନିଷ୍ଠାବାନ ଯେ ଅନେକ ଆପଣଙ୍କୁ ସଂଦେହ କରନ୍ତି। ଆପଣ ଏତେ ସରଳ ଯେ ମୋ ପରି ଅନେକଙ୍କୁ ଆପଣ ଏକ ଆଶ୍ଚର୍ଯ୍ୟ ଲାଗନ୍ତି।’
ଗାନ୍ଧୀଙ୍କର ସମ୍ବର୍ଦ୍ଧନାର ଉତ୍ତର ବହୁତ ସଂକ୍ଷିପ୍ତ ଥିଲା। ଗାନ୍ଧୀ କେବଳ ଏତିକି କହିଦେଲେ, ସେ ଓ ତାଙ୍କ ସାଥୀମାନେ ମହାମାନ୍ୟ ସମ୍ରାଟଙ୍କ ନିମନ୍ତ୍ରଣ ପାଇ ଇଂଲଣ୍ଡ ଆସିଛନ୍ତି। ଅହିଂସାରେ ଭାରତକୁ ସ୍ୱରାଜ ମିଳିଲେ ଏହା ସମଗ୍ର ବିଶ୍ୱ ପାଇଁ ଉପାଦେୟ ହେବ।
ଲଣ୍ଡନରେ ଗାନ୍ଧୀଙ୍କ ସଂପର୍କରେ ଫଟୋ ସହ ଅନେକ କାଳ୍ପନିକ କାହାଣୀ ବ୍ରିଟିଶ ଖବରକାଗଜ, ପତ୍ର-ପତ୍ରିକାରେ ପ୍ରକାଶ ପାଇଥିଲା। ଗାନ୍ଧୀଙ୍କୁ ନେଇ କାହାଣୀ ଲେଖିବାରେ ଆଗରେ ଥିଲେ ବିଶିଷ୍ଠ ସାମ୍ବାଦିକ ଜର୍ଜ ଏଡୱାର୍ଡ ଶ୍ଳୋକମ୍ବେ। ଥରେ ସାକ୍ଷାତରେ ଗାନ୍ଧୀ ଶ୍ଳୋକମ୍ବେଙ୍କୁ ବଧେଇ ଜଣାଇ କହିଦେଲେ, “ଆପଣଙ୍କର କଳ୍ପନା ଶକ୍ତି ପାଇଁ ଧନ୍ୟବାଦ ମିଷ୍ଟର ଶ୍ଳୋକମ୍ବେ।”
ଗାନ୍ଧୀଙ୍କ ସରଳତା ଭିତରେ ଯେ ଏକ ରହସ୍ୟମୟ ବ୍ୟକ୍ତିଟିଏ ଲୁଚି ରହିଛି, ଏପରି ଏକ ପ୍ରଚାର ଗାନ୍ଧୀ ଲଣ୍ଡନ ଯିବା ପୂର୍ବରୁ ଭାରତର ତତ୍କାଳୀନ ବଡ଼ଲାଟ ଲର୍ଡ ଇରୱିନ ବ୍ରିଟିସ୍ ସରକାରକୁ ଏକ ରିପୋର୍ଟ ଦେଇ କରିଦେଇଥିଲେ।
ଗୋଲ ଟେବଲ ବୈଠକ ପୂର୍ବରୁ ଇରୱିନଙ୍କ ସହ ଗାନ୍ଧୀଙ୍କର ଏକ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏପରି ଏକ ଆଲୋଚନାକୁ ଵିନଷ୍ଟନ ଚର୍ଚ୍ଚିଲ ବିରୋଧ କରୁଥିଲେ। ଇଂଲଣ୍ଡର ଏକ ଜନସଭାରେ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚିଲଙ୍କ ଏକ ଅରୁଚିକର ମନ୍ତବ୍ୟ ଥିଲା- “ଗାନ୍ଧୀ ଦେଶଦ୍ରୋହ ଅପରାଧରେ ବାରମ୍ବାର ଜେଲ ଯାଉଛି। ସେ ଏକ ଛୋଟକାଟିଆ ଓକିଲ। ଅଧା ଲଙ୍ଗଳା ଫକୀର ପରି ଦେଖାଯାଏ। ଆଲୋଚନା ପାଇଁ ସେ ବଡ଼ଲାଟଙ୍କ ଅଫିସକୁ ଚାଲି ଆସିଲାଣି। ଗାନ୍ଧୀକୁ ଦେଖିଲେ ମୋତେ କିପରି ବାନ୍ତିବାନ୍ତି (ନସିଏଟିଙ୍ଗ) ଲାଗେ।”
ଚର୍ଚ୍ଚିଲଙ୍କ ବିରୋଧ ସତ୍ତ୍ବେ ଇରୱିନଙ୍କ ସହ ଗାନ୍ଧୀଙ୍କର ଆଲୋଚନା ହୋଇଥିଲା ୧୯୩୧ ମସିହା ଫେବ୍ରୁଆରି ୧୭ ତାରିଖ ଅପରାହ୍ଣରେ, ଭାଇସରାୟଙ୍କ ନିଜ ଷ୍ଟଡିରୁମ୍ରେ। ଇରୱିନ ଗାନ୍ଧୀଙ୍କ ସହ କରମର୍ଦ୍ଦନ କରି ଗାନ୍ଧୀଙ୍କୁ ସ୍ୱାଗତ ଜଣାଇଥିଲେ। କୌଣସି ଭାରତୀୟଙ୍କ ସହ ଇରୱିନ କେବେ କରମର୍ଦ୍ଦନ କରୁନଥିଲେ। କାରଣ ଥିଲା, ସାଢ଼େ ଛ ଫୁଟର ଡେଙ୍ଗା ମଣିଷ ଲର୍ଡ ଇରୱିନ, କାଳେ କରମର୍ଦ୍ଦନ ବେଳେ ଭାରତୀୟଙ୍କ ଆଗରେ ନଇଁବାକୁ ପଡ଼ିପାରେ।
ଗାନ୍ଧୀ ଓ ଇରୱିନଙ୍କର ଏହା ଏକ ଦୁଇପାକ୍ଷିକ ଆଲୋଚନା ଥିଲା। ବଡ଼ଲାଟଙ୍କ ସୋଫା ଉପରେ ଦେହରେ ଶାଲ, ଏବଂ ଚକା ପକାଇ ଗାନ୍ଧୀ ବସିଥିଲେ। ଅଳ୍ପ ଦୂରରେ ବସି ନୋଟ କରୁଥିଲେ ବଡ଼ଲାଟଙ୍କ ବ୍ୟକ୍ତିଗତ ସଚିବ ଇମର୍ସନ।
ଗାନ୍ଧୀଜୀ ଲବଣ ସତ୍ୟାଗ୍ରହରେ ଭାଗ ନେଇ ଜେଲରେ ବନ୍ଦୀଥିବା ହଜାର ହଜାର ସତ୍ୟାଗ୍ରହୀଙ୍କ ମୁକ୍ତି କଥା ଦାବିକଲେ। ଭଗତ ସିଂହଙ୍କୁ ଏକ ପରମ ଦେଶଭକ୍ତର ବର୍ଣ୍ଣନା ଦେଇ ତାଙ୍କର ମୁକ୍ତି ପାଇଁ ଭାଇସରାୟଙ୍କୁ ଅନୁରୋଧ କଲେ। ଏବଂ ପ୍ରାୟ ଅଢ଼େଇ ଘଣ୍ଟାର ଆଲୋଚନା ପରେ ସେଦିନ ପାଇଁ ଗାନ୍ଧୀ-ଇରୱିନ ଆଲୋଚନା ଶେଷ ହୋଇଥିଲା। ଆଲୋଚନା ଭିତରେ ଏକ ଲୁଣ ମିଶା ଚା’ କପେ ପିଇଥିଲେ ଗାନ୍ଧୀଜୀ। ଏବଂ ‘ବୋଷ୍ଟନ ଟି ପାର୍ଟି’ର ଉଦାହରଣ ଦେଇ ଗମ୍ଭୀର ଦେଖାଯାଉଥିବା ବଡ଼ଲାଟଙ୍କୁ ଗାନ୍ଧୀ ଟିକିଏ ସହଜ କରିଦେଇଥିଲେ।
ଫେରିବା ବେଳେ ଗାନ୍ଧୀ ସୋଫା ଉପରେ ନିଜ ଶାଲଟି ଛାଡ଼ି ଆସୁଥିଲେ। ଇରୱିନ ଶାଲଟିକୁ ଆଣି ଗାନ୍ଧୀଙ୍କୁ ଦେଇ କହିଦେଲେ, ‘ଏ ଶୀତ ରାତିରେ ଆପଣଙ୍କ ଦେହରେ କିଛି ନାହିଁ, ମିଷ୍ଟର ଗାନ୍ଧୀ। ଏମିତି ତ ଆପଣ ନିଜ ପାଇଁ କିଛି ରଖି ନାହାନ୍ତି। ଶେଷରେ ଏ ଶାଲଟି ବି ଏଠି ଛାଡ଼ି ଯାଉଛନ୍ତି?’
ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇ ୧୯୩୧ ମସିହା ମାର୍ଚ୍ଚ ୧ ତାରିଖରେ ଗାନ୍ଧୀ-ଇରୱିନ ଆଲୋଚନା ଶେଷ ହୋଇଥିଲା ଏବଂ ଆଲୋଚନା ଶେଷରେ ଇରୱିନ ସମ୍ରାଟଙ୍କ ପାଖକୁ ଏକ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ଇରୱିନ ଲେଖିଥିଲେ, ‘ଗାନ୍ଧୀ ଏକ ସରଳ ବ୍ୟକ୍ତି। ବହୁତ ଦୁର୍ବଳ, ପତଳା। ବର୍ତ୍ତମାନର କୌଣସି ଆନ୍ତର୍ଜାତିକ ନେତା ପରି ଦିଶନ୍ତି ନାହିଁ। କିନ୍ତୁ ବହୁତ ବିଚକ୍ଷଣ। ଆଲୋଚନା ବେଳେ ମୁଁ ଖୁବ୍ ସାବଧାନତା ଅବଲମ୍ବନ କରିଥିଲି।’
ଇରୱିନଙ୍କ ଏ ରିପୋର୍ଟ ବ୍ରିଟିସ୍ ଖବରକାଗଜମାନଙ୍କରେ ପ୍ରକାଶ ପାଇଥିଲା। ଲରେନ୍ସ ହାଉସମ୍ୟାନ ଏ ରିପୋର୍ଟ ପଢ଼ିଥିଲେ ନିଶ୍ଚୟ।
ଗାନ୍ଧୀ କିନ୍ତୁ ନିଜେ କହନ୍ତି, ‘ମୋ ଜୀବନ ମୋର ସନ୍ଦେଶ। ମୁଁ ଏକ ଖୋଲା ବହି। କିଛି କଥା ଲୁଚାଇ ନାହିଁ।’
ମୋ-୯୮୬୧୪୬୯୩୨୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/4-1.jpg)