ରାଜା ବିମ୍ବିସାର ମହାବୀର ଜୈନଙ୍କୁ ଦର୍ଶନ କରିବାକୁ ଦଳବଳ ସହ ଯାଉଥାଆନ୍ତି। ବାଟରେ ସେ ଦେଖିଲେ ତାଙ୍କ ପରମ ମିତ୍ର ରାଜା ପ୍ରସନ୍ନ ମହାବୀରଙ୍କ ଦ୍ବାରା ଦୀକ୍ଷିତ ହୋଇ ଜଣେ ଜୈନ ସାଧୁ ଭାବେ ତପସ୍ୟାରେ ବସିଛନ୍ତି। ରାଜା ପ୍ରସନ୍ନ ଆଖି ବୁଜି ମୂର୍ତ୍ତିବତ୍ ବସିଥାଆନ୍ତି। ବିମ୍ବିସାର ତାଙ୍କ ଧ୍ୟାନରେ ବାଧା ଦେବାକୁ ଚାହିଲେ ନାହିଁ। ତେବେ ପ୍ରସନ୍ନଙ୍କ ସାଧନା ଆଗରେ ମୁଣ୍ଡ ନୁଆଇଁଦେଇ ସେ ଆଗକୁ ଚାଲିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଘୋର ଜଙ୍ଗଲ ଭିତରେ ମହାବୀରଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ସେ ମହାବୀରଙ୍କୁ ପ୍ରଣିପାତ କରି କହିଲେ- ମହାଭାଗ, ମୁଁ ଜଣେ ଅଧମ ସଂସାରୀ। କିନ୍ତୁ ଦେଖନ୍ତୁ ମୋ ମିତ୍ର ପ୍ରସନ୍ନ କିଭଳି ସାଧନାରତ। ସେ ନିଶ୍ଚୟ ମୃତ୍ୟୁ ପରେ ସ୍ବର୍ଗ ଲାଭ କରିବେ।
ମହାବୀର କହିଲେ- ଏବେ ସେ ଯେଉଁ ସ୍ଥିତିରେ ଅଛନ୍ତି ସେ ସ୍ବର୍ଗଲାଭ କରିବେ ଅବଶ୍ୟ। କିନ୍ତୁ ତୁମେ ଯେତେବେଳେ ତାଙ୍କ ଆଗରେ ପ୍ରଣାମ କରୁଥିଲ, ସେତିକି ବେଳେ ମୃତ୍ୟୁବରଣ କରିଥିଲେ ତାହା ସମ୍ଭବ ହୁଅନ୍ତା ନାହିଁ।
ବିମ୍ବିସାର ଅତ୍ୟନ୍ତ ବିସ୍ମିତ ହୋଇ କାରଣ ଜାଣିବାକୁ ଚାହିଲେ।
ମହାବୀର କହିଲେ- ତୁମେ ଯେତେବେଳେ ଆସୁଥିଲ ତୁମ ପଟୁଆରର ସବା ପ୍ରଥମେ ଥିବା ସୈନିକ ନିଜକୁ ନିଜେ ବଡ଼ ପାଟିରେ କହିଦେଲା- ଅପଦାର୍ଥ ରାଜା, ମୁନି ହୋଇଛି! ଏଣେ ତାର ନାବାଳକ ପୁତ୍ରକୁ ଠକି ପାତ୍ରମନ୍ତ୍ରୀମାନେ ରାଜସଂପଦକୁ ଲୁଟିବାରେ ବ୍ୟସ୍ତ! ଏଇ କଥା ପଦକ ପ୍ରସନ୍ନଙ୍କୁ ତତ୍କ୍ଷଣାତ୍ ବିଚଳିତ କରିଦେଲା। ଆଖି ବୁଜି ଧ୍ୟାନରେ ବସିଥିବା ସତ୍ତ୍ବେ ତାଙ୍କ କ୍ରୋଧ ଜର୍ଜର ମନରେ ତରବାରିଟିଏ ଧରି ବାହାରି ପଡ଼ିଲେ। ଠିକ୍ ସେତିକି ବେଳେ ତୁମେ ତାଙ୍କୁ ପ୍ରଣାମ କରୁଥିଲ।
ବିମ୍ବିସାର ବୁଝିପାରିଲେ- କେବଳ ସନ୍ନ୍ୟାସୀ ହୋଇଗଲେ ହୁଏ ନାହିଁ, ଅନ୍ତଃକରଣରେ ଶୁଦ୍ଧତା ଏକାନ୍ତ ଲୋଡ଼ା।