ମହାରାଷ୍ଟ୍ର ‘ଅଗାଡ଼ି’!

୨୦୧୯ ମସିହା ନଭେମ୍ବର ମାସରେ ମହାରାଷ୍ଟ୍ରରେ ଯେଉଁ କୌତୂହଳପ୍ରଦ ରାଜନୈତିକ ନାଟକର ଶୁଭାରମ୍ଭ ହୋଇଥିଲା, ତାର ଦ୍ବିତୀୟ ଅଙ୍କ ଏବେ ଆରମ୍ଭ ହୋଇଛି। ଏହି ନାଟକର ପ୍ରଥମ ଅଙ୍କରେ ଦେଖିବାକୁ ମିଳିଥିଲା ବିଜେପି ଓ ଶିବସେନା ଦ୍ବାରା ହୋଇଥିବା ପ୍ରାକ୍‌ ନିର୍ବାଚନ ମେଣ୍ଟ ପ୍ରତି ଅବଜ୍ଞା ପ୍ରଦର୍ଶନ ପୂର୍ବକ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ବାରା ଏନ୍‌.ସି.ପି. ଏବ˚ କ˚ଗ୍ରେସ ପ୍ରତି ସମର୍ଥନ ଜ୍ଞାପନ ଏବ˚ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ବା ଏମ୍‌.ଭି.ଏ. ନାମକ ଏକ ନୂତନ ମେଣ୍ଟ ସରକାରର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀ ରୂପେ କ୍ଷମତା ଅଧିକାର (ମରାଠୀ ଭାଷାରେ ଅଘାଡ଼ିର ଅର୍ଥ ସାମ୍ମୁଖ୍ୟ)। ଅନେକଙ୍କ ସ୍ମରଣରେ ରହିଥିବ ଯେ ସେହି ନିର୍ବାଚନରେ ବିଜେପି ୧୦୬ଟି ଏବ˚ ଶିବସେନା ୫୫ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ; ସୁତରା˚, ଅନାୟାସରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ସମ୍ଭବ ହୋଇପାରିଥାଆନ୍ତା। କିନ୍ତୁ ମୁଖ୍ୟମନ୍ତ୍ରୀ ହେବାର ମହତ୍ତ୍ବାକା˚କ୍ଷା ଉଦ୍ଧବ ଠାକରେଙ୍କୁ ଶିବସେନାର ପାର˚ପରିକ ରାଜନୈତିକ ମତାଦର୍ଶର ବିପରୀତରେ ଯାଇ ଆଜନ୍ମ ଶତ୍ରୁ କ˚ଗ୍ରେସ ଓ ଏନ୍‌ସିପି ସହିତ ସନ୍ଧି କରିବାକୁ ପ୍ରେରିତ କରିଥିଲା। ସି˚ହାସନ ଦଖଲର ଛକାପ˚ଝା ମଧୢରେ ସେତେବେଳେ ଯେଉଁ ‘ଡାର୍କ‌୍‌ କମେଡି’ଟି ଅଭିନୀତ ହୋଇଥିଲା, ତାହା ଥିଲା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରଦର୍ଶିତ ବିଜେପିର ଦେବେନ୍ଦ୍ର ଫଡ଼ନାବିସଙ୍କ ଦ୍ବାରା ଅଚାନକ ନିଶାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ, ଯାହାକୁ ସମ୍ଭବ କରିବା ଲାଗି ଏକ ‘କାମିଓ’ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଅଜିତ ପାଵାର; ଏନ୍‌.ସି.ପି. ମୁଖ୍ୟ ଶରଦ ପାଵାରଙ୍କ ପୁତୁରା, ଯିଏ କିଛି କକ୍ଷଚ୍ୟୁତ ଏନ୍‌.ସି.ପି. ବିଧାୟକଙ୍କ ସମର୍ଥନର ପ୍ରତିଶ୍ରୁତି ନେଇ ମଞ୍ଚକୁ ଆସିଥିଲେ। କିନ୍ତୁ ଖୁବ୍‌ ଶୀଘ୍ର ଦେବେନ୍ଦ୍ର ଫଡ଼ନାବିସଙ୍କୁ ଏକ ହାସ୍ୟାସ୍ପଦ ସ୍ଥିତିରେ ପକାଇ ପ୍ରଥମ ଅଙ୍କର ସମାପ୍ତି ଘଟିଥିଲା, ଯହିଁରେ ଅବାଟରେ ଯାଇଥିବା ପୁଅ ଘରକୁ ଫେରିବା ଭଳି ଅଜିତ ପାଵାର ନିଜ ପରିବାରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବ˚ ‘ଏମ୍‌.ଭି.ଏ.’ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଉଦ୍ଧବ ଠାକରେଙ୍କ ‘ୟୁ ଟର୍ନ’ ଅଗତ୍ୟା ଫଡ଼ନାବିସଙ୍କୁ ଏକ ‘ଅଗାଡ଼ି’ରେ ପରିଣତ କରି ଦେଇଥିଲା।

ସେହି ଘଟଣାର ପ୍ରାୟ ୨ ବର୍ଷ ୭ ମାସ ପରେ ବର୍ତ୍ତମାନ ନାଟକର ଦ୍ବିତୀୟ ଅଙ୍କର ସୂତ୍ରପାତ ହୋଇଛି, ଯହିଁରେ ଫଡ଼ନାବିସ ପ୍ରମାଣ କରି ଦେଇଛନ୍ତି ଯେ ସେ ଅନ୍ତତଃ ‘ଅଗାଡ଼ି’ ନୁହନ୍ତ; ଓଲଟି ଉଦ୍ଧବ ଠାକରେ ଏକ ‘ଅଗାଡ଼ି’ ତୁଲ୍ୟ ପରିତ୍ୟକ୍ତ ହୋଇ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ରାଜନୈତିକ ନାଟକକୁ ନିରୀକ୍ଷଣ କରୁଥିବା ପର୍ଯ୍ୟବେକ୍ଷକମାନେ କହନ୍ତି ଯେ ଏହି ନୂତନ ଅଙ୍କଟି ପ୍ରଥମ ଅଙ୍କ ଭଳି ସ୍ବଳ୍ପ ଅବଧିର ହୋଇ ନ ପାରେ ଏବ˚ ଆଗକୁ ଅନେକ ନାଟକୀୟ ମୋଡ଼ ସୃଷ୍ଟି ହୋଇ ଏହାକୁ ଉତ୍କଣ୍ଠାପୂର୍ଣ୍ଣ କରି ରଖିବ।

ଦ୍ବିତୀୟ ଅଙ୍କର ପ୍ରାରମ୍ଭ ହେଉ ହେଉ ଦେଖିବାକୁ ମିଳିଥିବା ପ୍ରଥମ ନାଟକୀୟ ମୋଡ଼ଟି ହେଲା ଅଣଚାଳିଶ ଜଣ ଶିବସେନା ବିଧାୟକଙ୍କୁ ସାଙ୍ଗରେ ଧରି ବିଜେପି ସହିତ ମେଣ୍ଟ କରିଥିବା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦାସୀନ ହେବା। ସ୍ବ୍ବୟ˚ ଦେବେନ୍ଦ୍ର ଫଡ଼ନାବିସଙ୍କ ମୁଖ ନିସୃତ ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି, କାରଣ ଏଭଳି ଏକ ସ୍ଥିତିରେ ଫଡ଼ନାବିସ ମୁଖ୍ୟମନ୍ତ୍ରୀ ହେବା ସ୍ବାଭାବିକ ହୋଇଥାଆନ୍ତା। ପୁଣି ଏହା ଠାରୁ ଯାହା ଅଧିିକ ବିସ୍ମୟକର, ତାହା ହେଲା ସରକାରରେ ନ ରହିବାକୁ ସ୍ଥିର କରିଥିବା ଫଡ଼ନାବିସ ବିଜେପିର ଶୀର୍ଷ ନେତୃତ୍ବର ଆଗ୍ରହ କାରଣରୁ ଉପ ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିବା। ଏକଦା ମୁଖ୍ୟମନ୍ତ୍ରୀ ରହିଥିବା ଫଡ଼ନାବିସଙ୍କ ସକାଶେ ଏହା ଏକ ପଦ-ଅବନତି ରୂପେ ମଧୢ ଅନେକତ୍ର ବିବେଚନା କରାଯାଉଛି। ସୁତରା˚, ଏଭଳି ଏକ ପ୍ରକରଣରେ ବିଜେପିର ଏକ ଦୂରଦୃଷ୍ଟିସ˚ପନ୍ନ ଯୋଜନା ବା ପ୍ରକାରାନ୍ତରେ ଏକ ଚକ୍ରାନ୍ତର ଆଭାସ ମିଳିଥାଏ। ହୋଇପାରେ, ଏହାର ଉଦ୍ଦେଶ୍ୟ ଠାକରେ ପରିବାରକୁ ଏକ ରାଜନୈତିକ ‘ଶୂନ’ରେ ପରିଣତ କରିଦେବା; କାରଣ ନୂତନ ମୁଖ୍ୟମନ୍ତ୍ରୀ ରୂପେ ସିନ୍ଦେ ଶିବସେନା ଉପରେ ନିଜ ପ୍ରଭୁତ୍ବକୁ ଦୃଢ଼ କରିପାରିବେ, ଯଦ୍ଦ୍ବାରା ଦଳ ଉପରେ ଠାକରେ ପରିବାରର ପ୍ରଭାବ ନିଷ୍ପ୍ରଭ ହୋଇଯିବ। ଉଲ୍ଲେଖନୀୟ ଭାବେ ସିନ୍ଦେ ନିଜକୁ ବାଲାସାହେବ ଠାକରେଙ୍କ ଏକାନ୍ତ ଅନୁରକ୍ତ ଶିବ ସୈନିକ ରୂପେ ଅଭିହିତ କରିଛନ୍ତି; କାରଣ ସେ ଅବଗତ ଯେ ଶିବସେନାର ଚୁମ୍ବକୀୟ କ୍ଷେତ୍ର ଏବେ ସୁଦ୍ଧା ବାଲାସାହେବ ଠାକରେଙ୍କ ନାମକୁ କେନ୍ଦ୍ର କରି ବିଦ୍ୟମାନ ରହିଛି ଏବ˚ ଇତିମଧ୍ୟରେ ନିଜ ପିତାଙ୍କ କଠୋର ମତାଦର୍ଶର ସ˚ପୂର୍ଣ୍ଣ ଓଲଟା ଦିଗରେ ଯାଇ ଉଦ୍ଧବ ଠାକରେ ନୈତିକ ଭାବେ ବାଲାସାହେବଙ୍କ ‘ଲିଗାସି’କୁ ଅନେକା˚ଶରେ ହରାଇ ସାରିଛନ୍ତି।

ଅନେକ ପର୍ଯ୍ୟବେକ୍ଷକ ଶିବସେନାକୁ କ୍ଷମତାରେ ସ୍ଥାପନ କରାଯିବା ପଛରେ ଏକ ଭିନ୍ନ ଉଦ୍ଦେଶ୍ୟ ମଧ୍ୟ ଦେଖିଥାଆନ୍ତି। ସେମାନେ କହନ୍ତି ଯେ ଏହା ଜରିଆରେ ଆସନ୍ତା ‘ବୃହତ୍‌ ମୁମ୍ବାଇ ମୁନିସିପାଲିଟି କର୍ପୋରେସନ୍‌’ ବା ‘ବିଏମ୍‌ସି’ର ନିର୍ବାଚନରେ ଅଧିକ ସଫଳତା ହାସଲ କରିବା ସହିତ ନିଜ ଉପସ୍ଥିତିକୁ ଦୃଢ଼ କରିବାକୁ ବିଜେପି ଇଚ୍ଛୁକ। କହିବା ଅନାବଶ୍ୟକ ଯେ ଶିବସେନାକୁ ଗାଦିସୀନ କରାଇ କ୍ଷମତା ଲାଳସାରେ ଦ୍ରବୀଭୂତ ହେଉ ନ ଥିବା ଏକ ଦଳ ରୂପେ ନିଜକୁ ପ୍ରଦର୍ଶିତ କରିବାକୁ ବିଜେପି ଚେଷ୍ଟିତ, ଯାହା ଦଳ ପ୍ରତି ଜନ ସମର୍ଥନ ବୃଦ୍ଧିରେ ସହାୟକ ହୋଇପାରେ ଏବ˚ ଯାହାର ସୁଫଳ ‘ବିଏମ୍‌ସି’ ନିର୍ବାଚନରେ ମିଳିବାର ସମ୍ଭାବନା ରହିଛି। ମହାରାଷ୍ଟ୍ରରେ କ୍ୟାଡର‌୍‌ ଭିତ୍ତିକ ରାଜନୀତିର ଗୁରୁତ୍ବ ଦୃଷ୍ଟିରୁ ଏହା ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

କିନ୍ତୁ ଏ ସମସ୍ତ ଘଟଣାକ୍ରମ ପଛରେ ଏକ କୁଚକ୍ରୀ ଅଭିସନ୍ଧି ଥିବା ନେଇ ସନ୍ଦେହ ମୃଦୁ ବିଶ୍ବାସହାନିର ବାତାବରଣ ମଧ୍ୟ ସୃଷ୍ଟି କଲାଣି। କେତେକଙ୍କ ମତରେ ଏକନାଥ ସିନ୍ଦେଙ୍କୁ ଶାସନାରୂଢ଼ କରି ତାଙ୍କ ଦ୍ବାରା କିଛି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର କ୍ଷଣକୁ ସମ୍ଭବତଃ ବିଜେପି ଅପେକ୍ଷା କରିବ; ଯାହା ରାଜ୍ୟରେ ଏକ ଶିବସେନା ବିରୋଧୀ ମନୋଭାବ ସୃଷ୍ଟି କରି ୨୦୨୪ ନିର୍ବାଚନ ବେଳକୁ ଶିବସେନାକୁ ଦୁର୍ବଳ କରି ଦେଇପାରେ। ଯଦି ଏଭଳି ଘଟେ, ତେବେ ପ୍ରକାରାନ୍ତରେ ବିଜେପି ଲାଗି ସଫଳତାର ମାର୍ଗ ପ୍ରଶସ୍ତ ହେବ। କହିବା ଅନାବଶ୍ୟକ ଯେ ଏଭଳି ସ୍ଥିତିରେ ଅବକ୍ଷୟିଷ୍ଣୁ ଶିବସେନାର ତ୍ରାଣକର୍ତ୍ତାର ଦାୟିତ୍ବ ନିର୍ବାହ କରିବାର ରାଜନୈତିକ ବିଚକ୍ଷଣତା ଓ ବ୍ୟକ୍ତିତ୍ବର ଚମକ ଏକନାଥ ସିନ୍ଦେଙ୍କ ଠାରେ ନାହିଁ। ତେଣୁ ଏହି ଭଳି ବିଭିନ୍ନ କଳ୍ପନାଜଳ୍ପନା ଓ ସନ୍ଦେହର ସଘନ ପରିବେଶରେ ଏକ ଚମକପ୍ରଦ ସଫଳତା ସତ୍ତ୍ବେ ସିନ୍ଦେଙ୍କ ଚେହେରାରେ ସ୍ବାଭାବିକ ଉଲ୍ଲାସ ଦେଖିବାକୁ ମିଳୁନାହିଁ। ଗଲା ଗୁରୁବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏକ ନିରନ୍ତର ମୃଦୁ ହସ ସହିତ ସହଜ ଠାଣିରେ ଫଡ଼ନାବିସଙ୍କୁ ଦେଖିବାକୁ ମିଳିଥିବା ବେଳେ ଏକନାଥ ସିନ୍ଦେ ଦିଶୁଥିଲେ ବିଷଣ୍ଣ ଓ ଗମ୍ଭୀର; ସତେ ଯେମିତି ଏକ ଅନାଗତ ଭବିଷ୍ୟତ ତାଙ୍କୁ ଆଶଙ୍କା ଜର୍ଜର କରି ରଖିଛି, ଯହିଁରେ ଘଟଣାଚକ୍ରରେ ଠାକରେଙ୍କ ଭଳି ସେ ମଧୢ ପରିତ୍ୟକ୍ତ ହୋଇଯିବା ଖୁବ୍‌ ସମ୍ଭବ ବୋଲି ତାଙ୍କ ମନର କେଉଁ ଏକ କୋଣରେ ଭୟ ଉକୁଟି ଉଠୁଥିବ।

କିନ୍ତୁ ଏ ସବୁ ସତ୍ତ୍ବେ ମନେ ରଖିବା ଉଚିତ ଯେ ଉଦ୍ଦବ ଠାକରେଙ୍କୁ ଯେଉଁମାନେ ‘ଅଗାଡ଼ି’ ବୋଲି ଧରି ନେଇଛନ୍ତି, ସେମାନେ ଅଚିରେ ଭ୍ରମାତ୍ମକ ବୋଲି ସାବ୍ୟସ୍ତ ମଧୢ ହୋଇ ପାରନ୍ତି। କାରଣ ଶିବସେନାର ଅଗଣିତ କ୍ୟାଡର‌୍‌ ଠାକରେ ପରିବାରକୁ ହିଁ କ୍ଷମତାର ଉତ୍ସ ବୋଲି ବିଚାର କରିଥାଆନ୍ତି। ଏ ପର୍ଯ୍ୟନ୍ତ ଶିବସେନାର ବିଭାଜନ ଘଟିନାହିଁ, ଯାହା ଘଟିଛି ତାହା ହେଲା କ୍ଷମତା କେନ୍ଦ୍ରରେ ପରିବର୍ତ୍ତନ। ଦଳର ସ୍ଥିତି ନ ସୁଧୁରିଲେ ଭବିଷ୍ୟତ୍‌ରେ ବିଭାଜନ ଅନିବାର୍ଯ୍ୟ। ଏବ˚ ଯଦି ତାହା ଘଟେ, ଏହା ବିଚିତ୍ର ନୁହେଁ ଯେ ବାଲାସାହେବଙ୍କ ଜୈବିକ ଉତ୍ତରାଧିକାରୀ ଭାବେ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଶିବସେନା ଅଧିକ ସମର୍ଥନ ଲାଭ କରିପାରେ। ଘଟଣାକ୍ରମେ ସେ ମଧୢ ନିଜ ପିତାଙ୍କ ରାଜନୈତିକ ମତାଦର୍ଶକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରି ନିଜ ଭିତ୍ତିକୁ ଅଧିକ ଦୃଢ଼ କରିପାରନ୍ତି। ସୁତରା˚, ସେ ମଧୢ ସାବ୍ୟସ୍ତ କରିଦେଇପାରନ୍ତି ଯେ ସେ ‘ଅଗାଡ଼ି’ ନୁହନ୍ତି।

ସମ୍ବନ୍ଧିତ ଖବର