ସାହିତ୍ୟର ମୁଖଶାଳା ଶିଶୁ ସାହିତ୍ୟ ବୋଲି କହିଲେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ। ତେବେ, ଶ୍ରେଣୀଗୃହର ଧରାବନ୍ଧା ଘୋଷାପାଠ, ଟିଉସନ ଓ ଟେଲିଭିଜନ ଆଦି ସାହିତ୍ୟ ପଠନର ସୁଖକର ଅନୁଭବକୁ ଶିଶୁ କିଶୋରଙ୍କ ହାତରୁ ଛଡ଼ାଇ ନେଲାଣି। ଏହା ଏକ ବିଡ଼ମ୍ବନା।

Advertisment

ଏବେ ସର୍ବତ୍ର ଅଭିଯୋଗ ହୁଏ ଯେ ପିଲାମାନେ ବହି ନପଢ଼ି ଟିଭି ଦେଖୁଛନ୍ତି କିମ୍ବା କମ୍ପ୍ୟୁଟରରେ ଖେଳ ଖେଳୁଛନ୍ତି। ହୁଏତ କିଛି ଅଭାବବୋଧ ଆମ ଶିଶୁ ସାହିତ୍ୟରେ ପଠନ ସ୍ପୃହାର ଗତିରୋଧ କରିଚାଲିଛି। ଶିଶୁ ସାହିତ୍ୟ ସୃଷ୍ଟିର ବୈଶିଷ୍ଟ୍ୟ ହେଉଛି ଶିଶୁର ସମ୍ବେଦନଶୀଳ ମନସ୍ତତ୍ତ୍ୱକୁ ନେଇ ଆମେ ଉପଯୁକ୍ତ ଓ ଯୁଗପୋଯୋଗୀ ସାହିତ୍ୟ ଯୋଗାଇଦେବା। ପିଲାମାନେ ସାହିତ୍ୟକୁ ଭଲ ପାଇବା ଉଚିତ ଓ ଆଗ୍ରହର ସହ ପଢ଼ିବା ଦରକାର। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସାହିତ୍ୟ ସହଜ ତଥା ବୋଧଗମ୍ୟ ହେବା ମଧ୍ୟ ଏକାନ୍ତ ଆବଶ୍ୟକ। ତେବେ, କିପରି ସାହିତ୍ୟ ପିଲାଟି ଆଗ୍ରହର ସହିତ ପଢ଼ିବ, ପଢ଼ି ଆନନ୍ଦରେ ବିଭୋର ହେବ! ପିଲାଟିର ପ୍ରଥମ ପାଞ୍ଚ-ଛଅ ବର୍ଷର ଅଭିଜ୍ଞତା ଓ ଶିକ୍ଷଣ ତା’ର ବୌଦ୍ଧିକ ତଥା ମାନସିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ତା’ର ବ୍ୟକ୍ତିତ୍ୱ ଗଠନରେ ସଂପୃକ୍ତ ପରିବେଶ ପ୍ରତି ଦୃଷ୍ଟି ଦେଇ ତା ପାଇଁ ସାହିତ୍ୟ ସୃଷ୍ଟି କରିବା ଆବଶ୍ୟକ। ଶୈଶବରେ ଶିଶୁର ମନ ଅତ୍ୟନ୍ତ ସରଳ, ତରଳ ଓ ନମନୀୟ ଥାଏ। ଏହି ସମୟ‌େର ଶିଶୁର ମନଲାଖି ସାହିତ୍ୟରେ ମଜା ଗପ ଓ ଗୀତ ପ୍ରଭୃତି ରହି ତାର ଚିତ୍ତ ରଂଜନ କରୁଥିବା ଉଚିତ। ବୟସ ଅନୁପାତରେ ପିଲାମାନଙ୍କର ସ୍ୱାଭାବିକ ଆଗ୍ରହ ପ୍ରତି ଯତ୍ନବାନ ହୋଇ ସାହିତ୍ୟ ସୃଷ୍ଟି କରାଗଲେ ତାହା ସେମାନଙ୍କୁ ପୁସ୍ତକ ପଠନ ଆଡ଼କୁ ଆକର୍ଷିତ କରିବ। ପିଲାଙ୍କ ଲାଗି ବୈଜ୍ଞାନିକ ଉଦ୍ଭାବନ ବା ଆବିଷ୍କାର କାହାଣୀ କିଂବା ଭ୍ରମଣ କାହାଣୀ ଆଦି ଉତ୍କଣ୍ଠା ଓ କୌତୂହଳ ସୃଷ୍ଟି କରି ସେମାନଙ୍କ ମନକୁ କିଣି ନେଇଥାଏ। ଅତି ଛୋଟ ବୟସର ପିଲାମାନଙ୍କ ଲାଗି ନର୍ସରି ରାଇମ୍‌ ବା ନାନାବାୟା, ବାଇଝାଲିଆ ଗୀତ ଆକର୍ଷଣୀୟ ହୋଇଥିବା ବେଳେ କିଶୋରମାନଙ୍କ ଲାଗି ଆଡଭେଂଚର କାହାଣୀ ରୁଚିପୂର୍ଣ୍ଣ ହୋଇଥାଏ। ସେହି ଦୃଷ୍ଟିରୁ ସପ୍ତମ ଏବଂ ଅଷ୍ଟମ ଦଶକର କିଶୋର-କି‌େଶାରୀମାନଙ୍କ ଲାଗି ବିଶ୍ବ ପ୍ରସିଦ୍ଧ କାହାଣୀଗୁଡ଼ିକର ଚମତ୍କାର ଅନୁବାଦ ବିଶ୍ବ ସାହିତ୍ୟ ଗ୍ରନ୍ଥମାଳା ଶୃଙ୍ଖଳାରେ ମିଳି ସେମାନଙ୍କ ମଧ୍ୟରେ ଅପୂର୍ବ ପୁଲକ ଜାଗ୍ରତ କରୁଥିଲା। ଶିଶୁ ସାହିତ୍ୟରେ ପଶୁ ପକ୍ଷୀଙ୍କୁ ଚରିତ୍ର ଭାବେ ନିଆଗଲେ ଏହା ଅଧିକ ଗ୍ରହଣୀୟ ହୋଇଥାଏ, କାରଣ ଶିଶୁମାନଙ୍କ ମନରେ  ଏଭଳି ପଶୁପକ୍ଷୀଙ୍କ ଲାଗି ସ୍ବାଭାବିକ ଆଦର ଓ ଆଗ୍ରହ ରହିଥାଏ।

କିନ୍ତୁ ଆମ ସାହିତ୍ୟରେ ପିଲାଙ୍କୁ ଅସହଜ ମନେ ହେଉଥିବା ଗୁଡ଼ାଏ ଅଯଥା ଓଜନିଆ ପାଠ ଲଦି ଦିଆଯାଉଛି। ତେଣୁ ଅନେକ ସମୟରେ ପିଲାଙ୍କ ମନରେ ସାହିତ୍ୟ ପ୍ରତି ବିତୃଷ୍ଣା ସୃଷ୍ଟି କରୁଛି ା ବାଲ୍ୟାବସ୍ଥାରେ ସହଜାତ ଜିଜ୍ଞାସା ଯୋଗୁଁ ସେମାନେ କାହିଁକି, କେମିତି ଭଳି ଅସରନ୍ତି ପ୍ରଶ୍ନ ପଚାରିଥାନ୍ତି। ପିଲାମାନଙ୍କୁ ନିଜ ଇଚ୍ଛାରେ, ନିଜସ୍ୱ ଢଙ୍ଗରେ, ନିଜସ୍ୱ ଗତିରେ ଚାରି ପାଖର ଜିନିଷକୁ ପରଖିବାକୁ, ଭାବିବାକୁ, କଳ୍ପନା କରିବାକୁ ଓ ସ୍ୱପ୍ନ ଦେଖିବାକୁ ଶିଶୁ ସାହିତ୍ୟ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ପିଲାର ରୁଚି, ଆଗ୍ରହ ଓ ସାମର୍ଥ୍ୟକୁ ଲକ୍ଷ୍ୟ ରଖି ତା’ ପାଇଁ ସାହିତ୍ୟ ସୃଷ୍ଟି କରାଯିବା ଆବଶ୍ୟକ। ଏବଂ ପରିଶେଷରେ ଏତିକି କୁହାଯାଇପାରେ ଯେ ପିଲାଙ୍କ ସାହିତ୍ୟ ସୃଷ୍ଟି ଶିଶୁ ମନସ୍ତତ୍ତ୍ୱକୁ ବୁଝି ତା’ରି ଆଧାରରେ କରାଯିବା ଦରକାର।
ମୋ: ୮୩୨୭୭୪୦୩୮୩