ସୁଖ ଓ ଦୁଃଖ କାହିଁକି?

କଥାଟିଏ - ଯାଯାବର

ଜଣେ ଲୋକ ଚିରନ୍ତନ ସୁଖ ଲାଭ କରିବା ଲାଗି ତପସ୍ୟା କଲା। କିଛି ଦିନ ପରେ ଈଶ୍ବର ଉଭା ହୋଇ କହିଲେ- ବାବୁ, ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ। କ’ଣ ମାଗୁଛ ମାଗ।
ଯୁବକ ଭାବିଲା, ମୁଁ ତ ସୁଖ ପାଇବା ଲାଗି ତପସ୍ୟା କରୁଥିଲି। ଏବେ ଆଉ କ’ଣ ଅଲଗା କଥା ମାଗିବି?

ତେଣୁ ସେ ଚିରନ୍ତନ ଆନନ୍ଦର ବର ମାଗି ଆଣିଲା। ତା’ ପର ଠାରୁ କେବଳ ଆନନ୍ଦର ଝର ବର୍ଷିବାକୁ ଲାଗିଲା। ଚତୁର୍ଦ୍ଦିଗରେ ଆନନ୍ଦ। କେବଳ ଆନନ୍ଦ ହିଁ ଆନନ୍ଦ। ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ବିତିଗଲା। ଏବେ କ୍ରମେ ଆନନ୍ଦ ବି ବିରକ୍ତି ଆଣିଦେଲା। କିଛି ଟିକିଏ ବଦଳିବାର ନାହିଁ। ଚିରନ୍ତନ ଆନନ୍ଦର ପ୍ରଭାବରେ ବିରକ୍ତି ଓ ଆନନ୍ଦ ବି ଏକାକାର ହୋଇଗଲେ।
ଦିନେ ସେ ବସିଥିବା ବେଳେ ଈଶ୍ବର ପୁଣି ଉଭା ହେଲେ। ସେ ତାକୁ ପଚାରିଲେ- କିରେ ବାବୁ! ଆନନ୍ଦରେ ଅଛୁ ତ?

ଲୋକଟି କହିଲା- ଭଗବାନ, ଆଉ ଆନନ୍ଦ ବି ଆନନ୍ଦ ଦେଉନାହିଁ। ହସି ଚାଲିଛି କିନ୍ତୁ ପୁଲକ ନାହିଁ। ଲୋକେ ବେଳେ ବେଳେ ବିଭିନ୍ନ କାରଣରୁ ଖୁସିରେ ଉତ୍‌ଫୁଲ୍ଲିତ ହେବାର ଦେଖୁଛି, କିନ୍ତୁ ବୁଝିପାରୁନାହିଁ ସେମାନେ ସେମିତି କେମିତି ହୋଇପାରୁଛନ୍ତିି!
ଈଶ୍ବର କହିଲେ- ଜାଣିଥିଲି ଯେ ତୁ ଯାହା ମାଗିବୁ ସେଥିରେ ତୁ ଦିନେ ପଥରରେ ପରିଣତ ହେବା ସାର ହେବ। ମୁଁ ନିର୍ବୋଧ ନୁହେଁ ଯେ ସୁଖ ଓ ଦୁଃଖର ଦୁନିଆ ରଚିଛି। ଦୁଃଖ ଥିଲେ ଯାଇ ତୁମେ ଆନନ୍ଦକୁ ଉପଭୋଗ କରିପାରିବ। ଚିରନ୍ତନ ଆନନ୍ଦରେ ଆନନ୍ଦ ବି ବିଚିକିଟିଆ ଲାଗିବ।

ସମ୍ବନ୍ଧିତ ଖବର