ଓଡ଼ିଆ ସାଧବ ପୁଅମାନେ ସହସ୍ରାଧିକ ବର୍ଷ ପୂର୍ବରୁ ଦକ୍ଷିଣ ପୂର୍ବ ଏସିଆ ଯାଇ ନୌବାଣିଜ୍ୟ କରୁଥିଲେ। ଯବନମାନେ ବାରମ୍ବାର ଆକ୍ରମଣ କରିବାରୁ ନିଜ ଦେଶର ସୁରକ୍ଷା ଲାଗି ବିଦେଶ ନ ଯାଇ ଯୁବକମାନଙ୍କୁ ସାମରିକ ତାଲିମରେ ନିଯୁକ୍ତ କରାଗଲା। ଏପରିକି ସମୁଦ୍ର ଯାତ୍ରାକୁ ଧର୍ମ ସହିତ ଯୋଡ଼ି ଏ ଦିଗରେ ବାରଣ କରାଗଲା। ଫଳରେ ଦିନେ ସାତ ସମୁଦ୍ର ନିର୍ଭୟରେ ଅତିକ୍ରମ କରୁଥିବା ଓଡ଼ିଆ ଏବେ ଛୋଟ ଯୋଡ଼ (ଛୋଟ ନଈ)ରେ ପହଁରିବାକୁ ଡରୁଛି। ଯଦିଓ ବନ୍ୟା ସମୟରେ ଉପକୂଳ ଅଞ୍ଚଳରେ ବୁଡ଼ି ମରିବା ଏକ ସାଧାରଣ ଖବର; ଶୀତ ଦିନେ ବି ଏହା ଘଟୁଛି। ତେଣୁ ଚାରି ଦିନ ଅନ୍ତରରେ ଜଗତ୍ସିଂହପୁରର ଭଣ୍ଡିସାହି ନିକଟରେ ନଦୀରେ ଜଣେ ଏବଂ କେନ୍ଦ୍ରାପଡ଼ାର ବଗପାଟିଆର ଏକ ପୋଖରୀରେ ତିନି ଜଣ କିଶୋର ମରିବା ନିଶ୍ଚିତ ଭାବେ ବିବ୍ରତ କଲା ଭଳି ଘଟଣା। ଆମେ ବୋଇତ ନିର୍ମାଣରୁ ଆଧୁନିକ ଜାହାଜ ନିର୍ମାଣ ବା ଜାହାଜ ମରାମତି କାମରେ ନ ଲାଗି କାଗଜ ଡଙ୍ଗା ଭସାଇ ସନ୍ତୁଷ୍ଟ। ସାତ ସମୁଦ୍ର ପାର ହୋଇ ବାଣିଜ୍ୟ କରୁଥିବା ଜାତିର ପିଲାଏ ପୋଖରୀ ଓ ଗଡ଼ିଆ ଆଦିରେ ପହଁରି ନ ପାରି ବୁଡ଼ି ମରୁଛନ୍ତି! ଏଭଳି ସ୍ଥିତିରୁ ଉଦ୍ଧାର ପାଇବା ପାଇଁ କିଛି କରାଯିବା ଦରକାର।
ପ୍ରାୟ ୫୦ ବର୍ଷ ପୂର୍ବେ, ଜର୍ମାନୀ ଦେଶରେ ବର୍ଷା କାଳରେ ଚାରି ଜଣ ଛୋଟ ପିଲା ସେମାନଙ୍କ ବାସସ୍ଥାନ ନିକଟସ୍ଥ ଛୋଟ ଜଳାଶ୍ରୟରେ ବୁଡ଼ି ମରିବା ଖବର ପାଇ ଜଣେ ନିଜ ହତା ମଧ୍ୟରେ ପହଁରା ଶିଖିବା ଲାଗି ଛୋଟ ଗଡ଼ିଆ ଖୋଳି ତହିଁରେ ପାଞ୍ଚ ବର୍ଷ ବୟସର ପିଲାମାନଙ୍କୁ ପହଁରା ଶିଖାଇଲେ। ପରେ ପରେ ଚାରି ବର୍ଷ ଓ ତିନି ବର୍ଷର ପିଲାଏ ମଧ୍ୟ ପହଁରା ଶିଖିଲେ। କ୍ରମେ ଏହି ଉଦ୍ୟମର ପ୍ରଭାବରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ବି ପିଲାମାନଙ୍କୁ ପହଁରା ଶିକ୍ଷା ଦିଆଗଲା। ଫଳରେ ପିଲାମାନେ ତ ଆଉ ବୁଡ଼ି ମରିବା ଶୁଣାଗଲା ନାହିଁ; ଜର୍ମାନମାନେ ଦକ୍ଷ ପହଁରାଳି ଭାବେ ପରିଚିତ ହେଲେ। ମୁଁ ବରୀ ଗୋପବନ୍ଧୁ ରମାଦେବୀ ଆଶ୍ରମରେ ରହୁଥିବା ବେଳେ ବରୀ ବ୍ଲକ୍ ନିକଟରେ ଜଣେ ଯୁବକ ନୌକା ବୁଡ଼ିରୁ କିଛି ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରେ ଜଣେ ମହିଳାଙ୍କୁ ଉଦ୍ଧାର କରିବା ସମୟରେ ନିଜେ ବୁଡ଼ି ମଲେ। ଯୁବକ ସୈନ୍ୟ ବିଭାଗରେ କାମ କରି ଅବ୍ୟାହତି ନେଇଥିଲେ ଓ ନିଜେ ଭଲ ପହଁରା ଜାଣିଥିଲେ; କିନ୍ତୁ କେତେକ ସତର୍କତାକୁ ନଜରଅନ୍ଦାଜ କରି ହଠାତ୍ ନଈକୁ ଡେଇଁ ପଡ଼ି ଉଦ୍ଧାର କାମରେ ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଲା। ପର ବର୍ଷ ଆଦର୍ଶନୀୟ ତ୍ୟାଗ ଲାଗି ତାଙ୍କୁ ସର୍ବଭାରତୀୟ ସ୍ତରରେ ମରଣୋତ୍ତର ସମ୍ମାନ ଦିଆଯାଇଥିଲା।
ଏବେ ଅବଶ୍ୟ ବନ୍ୟାର ପ୍ରାଦୁର୍ଭାବ କମିଛି। ତଥାପି ବନ୍ୟା ସମୟରେ କିଛି ଲୋକ ବୁଡ଼ି ମରନ୍ତି। ଅବଶ୍ୟ, ଏବେ ସ୍ନାନ ପାଇଁ କମ୍ ଲୋକ ନଦୀକୁ ଯାଉଛନ୍ତି। ପୂର୍ବୋକ୍ତ ଘଟଣା ଘଟିବା ପର ବର୍ଷ ବରୀ ଆଶ୍ରମ ସହିତ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କ ଉଦ୍ୟମରେ ନୌକା ବୁଡ଼ି ସ୍ଥାନରେ ଏକ ଗଣ ସନ୍ତରଣ କରାଯାଇଥିଲା, ଯହିଁରେ ପ୍ରାୟ ସତୁରିରୁ ଅଧିକ ଲୋକ ଭାଗ ନେଇଥିଲେ ଯାହା ଭିତରେ ଥିଲେ ବାର ବର୍ଷ ବୟସ୍କ କିଶୋରଙ୍କ ଠାରୁ ଆରମ୍ଭ କରି ବାଉନ ବର୍ଷ ବୟସ୍କ ଦରବୁଢ଼ାଙ୍କ ପର୍ଯ୍ୟନ୍ତ। ସେତେବେଳେ ଆକସ୍ମିକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଡଙ୍ଗୀ ଓ ମଟରଗାଡ଼ି ଟ୍ୟୁବ୍ ଏବଂ ଲାଇଫ୍ ଜ୍ୟାକେଟର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଅଂଶଗ୍ରହଣକାରୀମାନେ ଖୁବ୍ ଉତ୍ସାହ ପ୍ରଦର୍ଶନ କରିଥିଲେ।
ଶହେ ବର୍ଷ ପୂର୍ବେ ବନ୍ୟା ସମୟରେ କାଠଯୋଡ଼ି ବୁରୁଜ ଠାରୁ ଅନ୍ୟ ପାରିକୁ ପହଁରି ଯିବା ଓ କିଛି ସମୟ ବିଶ୍ରାମ ପରେ କିଛି ବାଟ ନଦୀ କୂଳେ କୂଳେ ଉପରକୁ ଉଠିଆସି ପୁଣି ପହଁରି ପହଁରି ଖାନନଗର ନିକଟସ୍ଥ ଘାଟରେ ଉଠିବା ଥିଲା ଏକ ବର୍ଷା ଦିନିଆ ଖେଳ। ବିଖ୍ୟାତ ଲେଖକ ବାମାଚରଣ ମିତ୍ର ସେଭଳି ପହଁରାରେ ଭାଗ ନେଉଥିଲେ। ହୀରାକୁଦ ନଦୀବନ୍ଧ ହେବା ପୂର୍ବରୁ ସମ୍ବଲପୁର ଯୁବକମାନେ ମହାନଦୀରେ ପହଁରୁଥିଲେ ଏବଂ ବନ୍ଧ ହେଲା ପରେ ସେମାନେ ସମ୍ବଲପୁର ସହରରେ ଥିବା ବଡ଼ ବଡ଼ ପୋଖରୀରେ ସନ୍ତରଣ କରୁଥିଲେ। ଏ ଦିଗରେ ପୂର୍ବତନ ମନ୍ତ୍ରୀ ଝସକେତନ ସାହୁଙ୍କର ଉଦ୍ୟମ ବିଶେଷ ଉତ୍ସାହଜନକ ଥିଲା। ଏବେ ବି ତାଙ୍କ ନାମରେ ସହରରେ ଏକ ସନ୍ତରଣ କ୍ଲବ୍ ଅଛି ଓ ସେଥିରେ ଯୁବକ ଓ କିଶୋରମାନେ ନିୟମିତ ପହଁରା ତାଲିମ ପାଉଛନ୍ତି। ଏବେ ସମ୍ବଲପୁରର ସନ୍ତରଣକାରୀମାନେ ରାଜ୍ୟର ସବୁଠାରୁ ଦକ୍ଷ ପହଁରାଳି।
ପୁରୀ ସହର ଆଖଡ଼ାର ଯୁବକମାନେ ସମୁଦ୍ରରେ ବେଶ୍ କିଛି ସମୟ ପହଁରୁଥିଲେ। ଏବେ ତାହା କମିଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ୍ରେ ସନ୍ତରଣ ତାଲିମ ଦିଆଯାଏ। କିନ୍ତୁ ସେଥି ପାଇଁ ମୋଟା ଦେୟ ଦେବାକୁ ହୋଇଥାଏ। ସାଧାରଣ ବର୍ଗ ପିଲାଙ୍କ ପାଇଁ ବିଶେଷ ସୁଯୋଗ ନାହିଁ। ତେବେ, ଉଲ୍ଲେଖନୀୟ ଯେ ନିଶା ନିବାରଣ ଆନ୍ଦୋଳନ ସହିତ ନିକଟରେ ସମ୍ପୃକ୍ତ ହୋଇଥିବା ନୀଳମଣି ମିଶ୍ର ତାଙ୍କ ବାସସ୍ଥାନ ସୁନ୍ଦରପଦାରେ ବହୁ ଯୁବକଙ୍କୁ ବିନା ଦେୟରେ ସନ୍ତରଣ ଶିକ୍ଷା ଦେଉଛନ୍ତି।
ନିକଟେର ରାଜ୍ୟରେ ବିଶ୍ୱକପ୍ ହକି ପ୍ରତିଯୋଗିତା ହେବ। ସେ ଦିଗରେ ସରକାର ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ଏ ପରିପ୍ରେକ୍ଷୀରେ ମୋ ମତ ହେଲା ଯେଉଁ ଖେଳରେ ନିପୁଣତା ହାସଲ କଲେ ନଦୀ ଓ ପୋଖରୀରେ ବୁଡ଼ି ମରିବା ଶୁଣାଯିବ ନାହିଁ, ସେ ଦିଗରେ ସରକାର ତଥା ନାଗରିକମାନେ ଟିକିଏ ଧ୍ୟାନ ଦେବା ଉଚିତ। ବାଲିଯାତ୍ରା ସମୟରେ କାଗଜର ଡଙ୍ଗା ଭସାଇବା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସନ୍ତରଣ ପ୍ରତିଯୋଗିତା କରାଗଲେ ତାହା ଏ ଦିଗରେ ଏକ ଭଲ ପଦକ୍ଷେପ ହୁଅନ୍ତା। ଏଥି ଲାଗି ବିଭିନ୍ନ ବ୍ଲକ୍ର ସ୍ଥାନୀୟ ଉତ୍ସାହୀମାନେ ଏବେ ଠାରୁ ଉଦ୍ୟମ କରନ୍ତୁ। ଏଭଳି ସମୟରେ ଅଘଟଣର ଆଶଙ୍କା ଥିବାରୁ ବିଭିନ୍ନ ସତର୍କତାମୂଳକ ବ୍ୟବସ୍ଥା ମଧ୍ୟ କରାଯିବା ଆବଶ୍ୟକ। ଚଳିତ ବର୍ଷ ଠାରୁ ଏ ଦିଗରେ ଉଦ୍ୟମ ହେଉ। ଏଭଳି ସନ୍ତରଣ ପ୍ରତିଯୋଗିତାମାନ କରାଯାଇ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରଖାଗଲେ ଗ୍ରାମାଞ୍ଚଳରେ ଏହା ଉତ୍ସାହ ଜାତ କରିବା ସହିତ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରନ୍ତା।
କେବଳ ପ୍ରତିଯୋଗିତା ନୁହେଁ, ଗାଁର ସମସ୍ତଙ୍କୁ ପହଁରା ଶିଖିବା ଲାଗି ପ୍ରବର୍ତ୍ତାଯାଉ। ସେଥି ଲାଗି ଗ୍ରାମାଞ୍ଚଳର ଦକ୍ଷ ପହଁରାଳିମାନଙ୍କୁ ପ୍ରଶିକ୍ଷକ ଭାବ ନିୟୋଜିତ କରାଯାଇପାରେ। ସେମିତି ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବାର କୌଶଳ ମଧ୍ୟ ଶିକ୍ଷା ଦିଆଯାଉ। ବୁଡ଼ି ଯାଉଥିବା ଲୋକଙ୍କୁ ରକ୍ଷା କରିବାକୁ ହେଲେ କେବଳ ଅନ୍ତର୍ବସ୍ତ୍ର ଛଡ଼ା ଆଉ କିଛି ନ ପିନ୍ଧି ପାଣିକୁ ଓହ୍ଲାଇବା କଥା। କାରଣ ଦେହରେ ବସ୍ତ୍ର ରହିଲେ ତାହା ପାଣିରେ ଓଦା ହୋଇ ଓଜନିଆ ହେବା ସହିତ ଶୀଘ୍ର କ୍ଳାନ୍ତି ଆଣେ ଏବଂ ଉଦ୍ଧାର କାର୍ଯ୍ୟ ବେଳେ ବୁଡ଼ି ଯାଉଥିବା ଲୋକ ପ୍ରାଣ ବିକଳରେ ତାକୁ ଭିଡ଼ି ଧରିଲେ ଉଦ୍ଧାରକାରୀ ମଧ୍ୟ ବୁଡ଼ି ମରିବା ସାର ହୁଏ।
ଆଉ ଅପେକ୍ଷା କାହିଁକି? ପାଣିରେ ବୁଡ଼ି ମରିବାରୁ ରକ୍ଷା ପାଇବା ଲାଗି ସର୍ବନିମ୍ନ ଯେତିକି ବ୍ୟବସ୍ଥା ଦରକାର, ସେତକ ପ୍ରଥମେ ଆମ ତରଫରୁ ଆରମ୍ଭ େହଉ।
ମୋ: ୯୯୩୮୮୯୩୪୪୫