ପ୍ରତି ଘଣ୍ଟାରେ ୧୨୦୬ ଜଣ ହିସାବରେ ଚବିଶ ଘଣ୍ଟାରେ ବା ପ୍ରତିଦିନ ପ୍ରାୟ ୨୯ ହଜାର ବ୍ୟକ୍ତି ପ୍ରାଣ ହରଉଥିବା ଆମ ଦେଶ ଭାରତରେ କୌଣସି ଜଣେ ସାଧାରଣ ବ୍ୟକ୍ତିର ଅନଶନ ମୃତ୍ୟୁ ସାଧାରଣତଃ କାହାରି ମନରେ କିଛି ରେଖାପାତ କରି ନ ଥାଏ। ସେଥିପାଇଁ ସରକାରଙ୍କର ନିଷ୍ପତ୍ତି ବିରୋଧରେ ଦଶଦିନକାଳ ଅନଶନ କରି ଶେଷକୁ ସୁଦୂର ରାଜସ୍ଥାନ ଜୟପୁରରେ ୭୨ ବର୍ଷ ବୟସ୍କ ଜୈନ ସାଧୁ ସୁଗେୟାସାଗର ମହାରାଜ ଆଖି ବୁଜିଦେଲେ। ମାତ୍ର ତାଙ୍କର ମୃତ୍ୟୁ ବ୍ୟର୍ଥ ଯାଇନାହିଁ।
କାରଣ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ପୂର୍ବ ଆଦେଶକୁ ଫେରାଇ ନେଇ କହିଛନ୍ତି ଯେ ଝାଡ଼ଖଣ୍ଡର ପାରଶନାଥ ଜୈନ ତୀର୍ଥ ସମ୍ମେଦ ଶିଖରର ବଜାରୀକରଣ ହେବ ନାହିଁ କିମ୍ବା ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ ନାହିଁ। ଏହି ନିଷ୍ପତ୍ତି ଟିକିଏ ଆଗରୁ ନିଆଯାଇଥିଲେ ସୁଗେୟାସାଗରଙ୍କ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା। ଜୈନମୁନି ସୁଗେୟାସାଗର ମହାରାଜ ୨୫ ଡିସେମ୍ବରରୁ ଜୟପୁରର ସ˚ଘିଜୀ ମନ୍ଦିରରେ ଅନଶନ ଆରମ୍ଭ କରିଥିଲେ ଏବ˚ ଦଶମ ଦିନରେ ତାଙ୍କର ପରଲୋକ ହୋଇଥିଲା। ଏହି ସନ୍ନ୍ୟାସୀ ଯେଉଁ ସ୍ଥାନଟିର ବଜାରୀକରଣର ପ୍ରତିବାଦ ଜଣାଇ ଜୀବନ ହରେଇ ଦେଲେ ସେ ସ୍ଥାନ ସହ ଜୈନ ଧର୍ମର ତେଇଶ ତୀର୍ଥଙ୍କରଙ୍କ ମଧୢରୁ କୋଡ଼ିଏ ଜଣଙ୍କ ମୋକ୍ଷପ୍ରାପ୍ତ ଘଟଣା ଜଡ଼ିତ ଏବ˚ ସବାଶେଷ ତୀର୍ଥଙ୍କର ପାରଶନାଥଙ୍କ ନାମାନୁସାରେ ଏହି ସ୍ଥାନଟି ନାମିତ।
କୌଣସି ଦାବି ସପକ୍ଷରେ ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଅନଶନ କରିବାର ପରମ୍ପରା ଭାରତରେ ବେଶ୍ ପୁରୁଣା। ଅନ୍ୟ ଅନେକ କଥା ଭଳି ଏହି ଅହି˚ସ କୌଶଳର ଶ୍ରେୟ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଯାଇଥାଏ। ସେ ତାଙ୍କ ଜୀବନରେ ଥରେ କି ଦିଥର ନୁହେଁ ପନ୍ଦର ଥର ଅନଶନ କରିଥିଲେ ଏବ˚ ନିଜର ନିଷ୍ପତ୍ତି ବଦଳେଇବାଲାଗି ବ୍ରିଟିଶ ଶାସନକୁ ଏକପ୍ରକାର ବାଧ୍ୟ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ପରେ ଖୁବ୍ ବେଶି ଜନନେତା ଏହି ଅନଶନ ପରି କୃଚ୍ଛ୍ର ସାଧନାକୁ ଆପଣେଇ ନ ଥିଲେ ମଧ୍ୟ ରାଜନୈତିକ ଦାବି ହାସଲ ନିମନ୍ତେ ଅନଶନ ଅନ୍ୟ ଏକ ସଫଳ ଆୟୁଧ ଭାବରେ ବ୍ୟବହୃତ ହୋଇଆସିଛି। ୧୯୪୭ରେ ଭାରତ ସ୍ବାଧୀନ ହେବା ଆଗରୁ ଏ ଧରଣର ବହୁଚର୍ଚ୍ଚିତ ଅନଶନ ଥିଲା, ଯତୀନ ଦାସଙ୍କ ଅନଶନ, ଯିଏ ୧୯୨୯ ଜୁଲାଇ ୧୩ ତାରିଖରେ ଲାହୋର ଜେଲ୍ରେ ଥିବା ସମୟରେ ଭାରତୀୟ ଏବ˚ ବ୍ରିଟିଶ ବନ୍ଦୀ ଉଭୟଙ୍କ ପାଇଁ ସମାନ ଅଧିକାର ଦାବି କରି ଅନଶନ କରିଥିଲେ ଏବ˚ ସେହି ଅନଶନ ଯୋଗୁ ହିଁ ସେପ୍ଟେମ୍ବର ୧୩ ତାରିଖରେ ତାଙ୍କର ପ୍ରାଣହାନି ଘଟିଥିଲା।
ଦେଶ ସ୍ବାଧୀନ ହେବାପରେ, ୧୯୫୨ ମସିହାରେ ପୋଟ୍ଟି ଶ୍ରୀରାମୁଲୁଙ୍କ ଅନଶନ ଓ ପରଲୋକ ସ୍ବତନ୍ତ୍ର ରାଜ୍ୟ ଭାବେ ଆନ୍ଧ୍ର ପ୍ରଦେଶର ଗଠନ ନିଷ୍ପତ୍ତିକୁ ତ୍ବରାନ୍ବିତ କରିଥିଲା। ଏପ୍ରକାର ପନ୍ଥା ଅନୁସରଣ କରି ସଫଳ ହେବା ଦିଗରେ ଶେଷତମ ନେତା ହେଉଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଉପର ଆଲୋଚିତ ଦାବି ଏବ˚ ଅନଶନଗୁଡ଼ିକ ମୁଖ୍ୟତଃ ରାଜନୈତିକ ହୋଇଥିଲାବେଳେ ସୁନ୍ଦରଲାଲ ବହୁଗୁଣାଙ୍କ ଚିପ୍କୋ ଆନ୍ଦୋଳନ ପରିବେଶର ସୁରକ୍ଷା ନିମନ୍ତେ ଅଭିପ୍ରେତ ଥିଲା। ଥରେ ୪୫ ଦିନ ଏବ˚ ଆଉ ଥରେ ୭୪ ଦିନ ପାଇଁ ବହୁଗୁଣା ତେହରି ବନ୍ଧ ନିର୍ମାଣର ବିରୋଧ କରି ଅନଶନ କରିଥିଲେ। ବହୁଗୁଣାଙ୍କ ଦାବିର ବିଚାର ପାଇଁ ଦେଶର ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ୨୦୧୧ ମସିହାରେ ହରିଦ୍ବାରର ୩୫ ବର୍ଷ ବୟସ୍କ ସାଧୁ ସ୍ବାମୀ ନିଗମାନନ୍ଦ ଗଙ୍ଗାନଦୀର ସୁରକ୍ଷା ଦାବିକରି ଅନଶନ କରିଥିଲେ ଏବ˚ ଭାରତ ସରକାର କିମ୍ବା ଉତ୍ତରାଖଣ୍ତ ସରକାର କେହି ତାଙ୍କର ଦାବି ପ୍ରତି ସମ୍ମାନ ନ ଜଣାଇବାରୁ ୧୧୫ ଦିନର ଅନଶନ କରି ସେ ପ୍ରାଣ ହରେଇଥିଲେ।
ସ୍ବାମୀ ନିଗମାନନ୍ଦ କିମ୍ବା ଜୈନ ସାଧୁ ସୁଗେୟାସାଗରଙ୍କ ଅନଶନ ପଛରେ ଯେଉଁ କାରଣ ନିହିତ ତାହା ବ୍ୟକ୍ତିଗତ ସ୍ବାର୍ଥକୈନ୍ଦ୍ରିକ ନୁହେଁ ତାହା ବହୁଜନହିତାୟ। ବଜାରୀକରଣ, ପର୍ଯ୍ୟଟନର ବିକାଶ ଏବ˚ ପ୍ରଚାରପ୍ରସାର ବିଷଚକ୍ରରେ ପଡ଼ି ଭାରତର ପ୍ରାୟ ସବୁ ପ୍ରାକୃତିକ ସୁଷମାମଣ୍ତିତ ସ୍ଥାନଗୁଡ଼ିକ ଧ୍ବ˚ସାଭିମୁଖୀ। କେହି ଏକଥା କହୁନାହିଁ ଯେ ଲେହ, ଲଦାଖ, ସିମଳା, ଦାର୍ଜିଲି˚ ଅଥବା କୋଡ଼ାଇକନାଲ ପରି ସୁନ୍ଦର ସ୍ଥାନ ଲୋକଲୋଚନରେ ଅନ୍ତରାଳରେ ରହିବା ଆବଶ୍ୟକ। କେହି ଏକଥା କହୁନାହିଁ ଯେ ଏଭେରେଷ୍ଟ, କାଞ୍ଚନଜଙ୍ଗା ଅଥବା ସେହିପରି ପର୍ବତ ଶିଖର ଆରୋହଣରୁ ବୁଦ୍ଧିମାନ ମଣିଷ ବଞ୍ଚିତ ହେବା ଦରକାର। ମାତ୍ର ବଜାରୀକରଣର ଚାହିଦା ଏବ˚ ପରିବେଶଗତ ପ୍ରୟୋଜନ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। ଦୁର୍ଭାଗ୍ୟର କଥା ଯେ ସେହି ସନ୍ତୁଳନ ଏବେ ଅସମ୍ଭବ ଭାବେ ନଷ୍ଟଭ୍ରଷ୍ଟ ହୋଇଯାଇଛି, ଯାହାର ପରିଣାମ ସ୍ବରୂପ ମାଉଣ୍ଟ୍ ଏଭେରେଷ୍ଟରେ ମଧ୍ୟ ‘ଟ୍ରାଫିକ୍ ଜାମ୍’ ସମସ୍ୟା ଦେଖାଦେଇଛି ଏବ˚ ଶୈଳନିବାସ ନିକଟ ନିର୍ଜନ ସ୍ଥାନର ନଦୀ, ଝରଣା, ଯେଉଁଠି ବ୍ରିଟିଶମାନେ ବନଶୀ ପକେଇ ମାଛ ଧରୁଥିଲେ ତାହା ଏବେ ପ୍ଲାଷ୍ଟିକ୍ ଆବର୍ଜନାର ଅଳିଆଗଦା ପାଲଟିଛି। ଏସବୁ ଦେଖି ବୁଦ୍ଧିଜୀବୀମାନେ ହାହାକାର କରୁଛନ୍ତି ଏବ˚ କବି ଲେଖୁଛନ୍ତି ଯେ ‘‘ଈଶ୍ବର ଆମକୁ ଅମରାବତୀ ଉପହାର ଦେଇଥିଲେ, ଆମେ ତାହାକୁ ନର୍କରେ ପରିଣତ କରିଦେଲୁ।’’
ବଜାରୀକରଣର ନାଗଫାଶ ଏବ˚ ବିଜ୍ଞାପନ ପ୍ରଚାର କିଭଳି ଗୋଟିଏ ସୁନ୍ଦର ପରିବେଶକୁ ନଷ୍ଟଭ୍ରଷ୍ଟ କରିଦିଏ ତାହାର ବଡ଼ ଉଦାହରଣ ଲଦାଖ। ହିନ୍ଦୀ ଚଳଚ୍ଚିତ୍ର ସୁପରଷ୍ଟାର ଅମୀର ଖାନ୍ଙ୍କ ‘ଥ୍ରୀ ଇଡିୟଟ୍’ର ଶେଷ ଦୃଶ୍ୟ ଲଦାଖରେ ଉତ୍ତୋଳିତ ହୋଇଥିଲା। ଚଳଚ୍ଚିତ୍ରର ସେହି ଦୃଶ୍ୟ, ଯେଉଁଠି ନାୟିକା କରୀନା କପରୁ ହଳଦିଆ ରଙ୍ଗର ସ୍କୁଟର ଚଢ଼ି ନାୟକ ଅମୀରଙ୍କୁ ଭେଟିବାକୁ ଆସୁଛନ୍ତି ସେଇଟିର ସୁଟି˚ ଲଦାଖରେ ହୋଇଥିଲା। ଫିଲ୍ମଟିର ସଫଳତା ପରେ ଲଦାଖରେ ପର୍ଯ୍ୟଟକମାନଙ୍କର ଭିଡ଼ ଆଶାତୀତ ଭାବେ ବଢ଼ିଚାଲିଲା। ଉଦ୍ଯୋଗୀ ଟ୍ରାଭେଲ୍ ଏଜେଣ୍ଟ୍ମାନେ କରୀନାଙ୍କ ସ୍କୁଟର ଆରୋହଣ ଦୃଶ୍ୟର ବିରାଟ ଫ୍ଲେକ୍ସ ସହ ଆଲୋଚ୍ୟ ସିନେମାର ପୋଷ୍ଟର ଲଗେଇ ଓ ତା’ ପାଖରେ ଏକ ସ୍କୁଟର ଥୋଇ ପ୍ରଚାର କଲେ- ଏଇ ହେଉଛି ସେହି ସ୍ଥାନ, ଏଇଟି ହେଉଛି ସେଇ ସ୍କୁଟର ଏବ˚ ଏଇ ପାଙ୍ଗଙ୍ଗ୍ ହ୍ରଦ ହେଉଛି ସେଇ ମଧୁର ମିଳନର ନିରବ ସାକ୍ଷୀ, ସ୍ବାଗତମ୍। ପର୍ଯ୍ୟଟକମାନଙ୍କର ଭିଡ଼ରେ ଲଦାଖ ପରି ନିର୍ଜନ ସ୍ଥାନ ଏବେ ଜନାକୀର୍ଣ୍ଣ, ଯାନବାହନର କାନଫଟା ହର୍ଣ୍ଣ ଶବ୍ଦରେ ତା’ର ନିର୍ଜନତା କ୍ଷତାକ୍ତ। ଦାୟିତ୍ବହୀନ ପର୍ଯ୍ୟଟକଙ୍କ ଗାଡ଼ିର ଚକାତଳେ ଛୋଟ ଛୋଟ ପଶୁ ନିହତ ଏବ˚ ମିନେରାଲ ପାଣି ଓ ବିଅର ବୋତଲ, ପ୍ଲାଷ୍ଟିକ୍ ଖୋଳ ଆଦି ଆବର୍ଜନାରେ ପରିବେଶ ପ୍ରଦୂଷିତ।
ଲୋକପ୍ରିୟ ସିନେମାର ଗୋଟିଏ ଦୃଶ୍ୟ ଶାନ୍ତ ସୁନ୍ଦର ପରିବେଶକୁ ସବୁଦିନ ପାଇଁ ଧ୍ବସ୍ତ କରିଦେଲା ବୋଲି ସ୍ଥାନୀୟ ବାସିନ୍ଦାମାନଙ୍କର ଅଭିଯୋଗ। ବ୍ରିଟିଶ ରାଜ ସମୟରେ ଗ୍ରୀଷ୍ମକାଳୀନ ରାଜଧାନୀର ଗୌରବ ଲାଭ କରିଥିବା ସିମଳା ଅତ୍ୟଧିକ ବଜାରୀକରଣ ଏବ˚ ପର୍ଯ୍ୟଟକ ଆଗମନ କାରଣରୁ ବହୁଦିନୁ ସ୍ବଭାବ ହରେଇବସିଛି। ଚାରିଆଡ଼େ ଅନିୟନ୍ତ୍ରିତ ଭାବେ ପାହାଡ଼ ଭଙ୍ଗା ଚାଲିଛି ଓ ଗଢ଼ିଉଠୁଛି ହୋଟେଲ୍, କୋଠାବାଡ଼ି। ବିକାଶର ଏଇ ଅଶ୍ଳୀଳ ଆଲିଙ୍ଗନକୁ ରୋକିବା ପାଇଁ କୌଣସି ସରକାର ଚାହୁନାହାନ୍ତି। କେବଳ ସିମଳା ନୁହେଁ, କୁଲୁ, ମାନାଲି, ଦାର୍ଜିଲି˚, ନୈନିତାଲ, ଉଟି- ଭାରତର ପ୍ରତ୍ୟେକ ପର୍ଯ୍ୟଟନ କ୍ଷେତ୍ର ଆଜି ଏକାପ୍ରକାର ସମସ୍ୟାରେ ଜର୍ଜରିତ। ଏବେ ଧର୍ମପୀଠଗୁଡ଼ିକୁ ମଧ୍ୟ ସେହି ରାସ୍ତାରେ ଯିବାଲାଗି ବ୍ୟବସ୍ଥା କରାଯାଉଛି! ହିନ୍ଦୁ ଦର୍ଶନରେ କେବଳ ଅର୍ଥ, କାମ ନୁହେଁ ଧର୍ମ ଏବଂ ମୋକ୍ଷକୁ ସମାନ ଗୁରୁତ୍ବ ଦିଆଯାଇଛି। ଭାରତବର୍ଷ ତା’ର ମୁନି, ଋଷି, ବେଦ, ଉପନିଷଦ, ଧର୍ମ ବିଶ୍ବାସ, ଦର୍ଶନ ଏବଂ ଯୋଗବିଦ୍ୟା ପାଇଁ ଜଗତ ବିଖ୍ୟାତ। ଆମ ମୁନି ଋଷିମାନେ ଏକାନ୍ତବାସକୁ ଗୁରୁତ୍ବ ଦେଉଥିଲେ ଏବଂ ଶଙ୍କରାଚାର୍ଯ୍ୟ ନିର୍ଜନ ଜାଗାରେ ପୀଠମାନ ସ୍ଥାପନ କରିଥିଲେ। ସେ ଦୃଷ୍ଟିରୁ ପାରଶନାଥ କ୍ଷେତ୍ରର ଆଧୁନିକୀକରଣ ସ୍ପୃହଣୀୟ ନୁହେଁ।
ସହରୀକରଣର ଆକ୍ରମଣରେ ଭାରତ ତା’ର ଚିତ୍ର ଓ ଚରିତ୍ର ଉଭୟ ଦ୍ରୁତ ଗତିରେ ହରେଇ ବସୁଛି। ଦିନେ ଏଠି ଜଙ୍ଗଲ, ଝରଣା ଓ ନଈ ଥିଲା- ଏକଥା ହୁଏତ ପରୀ କାହାଣୀ ପାଲଟିଯିବ। ପରୀ କାହାଣୀ ପାଲଟିଯିବ ଏକଥା ଯେ- ଆକାଶ ଦିନେ ଧୂମାଭ ନୁହେଁ, ନୀଳ ଥିଲା। କୋଭିଡ୍ ଉପରାନ୍ତ ଉତ୍ପୀଡ଼କ ଅବସ୍ଥା ଆମକୁ ଏ ଦିଗରେ ସକ୍ରିୟ ଓ ସଚେତନ କରିବ ବୋଲି ଆଶା କରାଯାଉ।