ଦୀର୍ଘ ଆଠ ବର୍ଷ ଧରି ପାଇକ ବିଦ୍ରୋହର ରକ୍ତାକ୍ତ ଗଣ ସଂଗ୍ରାମରେ ବିରାମ ପଡ଼ିବା ସହିତ ଏକ ଯୁଗର ଅବସାନ ହୋଇଗଲା। ଲିଭିଗଲା ସ୍ୱାଧୀନତା ସଂଗ୍ରାମର ଶେଷ ଦୀପଶିଖା, ଆସିଲା ଏକ ଅନ୍ଧକାରମୟ ଯୁଗ। ସମଗ୍ର ଦେଶ ଇଂରେଜମାନଙ୍କର କର କବଳିତ ହୋଇଗଲା। ଅନେକ ସ୍ୱାଭିମାନୀ ଦେଶପ୍ରେମୀ ବନ୍ଧୁମାନଙ୍କର ପ୍ରଶ୍ନ, ଏ ସଂଗ୍ରାମର ଅନ୍ତ ହେଲା କିପରି? ପାଇକ ବିଦ୍ରୋହର ମହାନାୟକ ଦୁର୍ଦ୍ଦାନ୍ତ ସେନାପତି ବକ୍ସି ଜଗବନ୍ଧୁ କ’ଣ ଅସ୍ତ୍ରତ୍ୟାଗ କଲେ? କିଏ ଦେବ ଏହାର ଉତ୍ତର!
ଇତିହାସର ଅନ୍ଧକାର ଭିତରେ ଥିବା ଏକ ଅନାଲୋଚିତ ଅଧ୍ୟାୟର ଆଲୋଚନା କରିବା। ଦେଶର ଜନସାଧାରଣ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନସାଧାରଣଙ୍କ ମନରେ ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କରିବା ପାଇଁ କେତେକ ପଦକ୍ଷେପ ନେଇଛନ୍ତି। ପାର୍ଲାମେଣ୍ଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୭ ମସିହାର ବଜେଟ୍ ଉପସ୍ଥାପନ କରି ପ୍ରକାଶ କଲେ ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚାରିଟି ଘଟଣାର ଜାତୀୟ ସ୍ତରରେ ମହାସମାରୋହରେ ପାଳିତ ହେବ ଓ ସେଥିପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ସେ ସବୁ ହେଲା ଭାରତ ସ୍ୱାଧୀନତାର ୭୦ ବର୍ଷ ପୂର୍ତ୍ତି, ସାବରମତୀ ଆଶ୍ରମ ଓ ଚମ୍ପାରଣ କୃଷକ ଆନ୍ଦୋଳନର ଶତବାର୍ଷିକୀ ଓ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୋଧରେ ହୋଇଥିବା ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ପାଳନ। ସମସ୍ତ ଦେଶବାସୀ ଗାନ୍ଧୀଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ସାବରମତୀ ଆଶ୍ରମର ଗରିମାମୟ ଇତିହାସ ବିଷୟରେ ଅବଗତ।
ଇଂରେଜମାନଙ୍କ ସମସ୍ତ ନିର୍ଦ୍ଦେଶକୁ ଅମାନ୍ୟ କରି ଗାନ୍ଧୀଜୀ ଚମ୍ପାରଣ କୃଷକ ଆନ୍ଦୋଳନରେ ଯୋଗଦେଇ ତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ। ଇଂରେଜମାନଙ୍କ ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ଥିଲା ଏକ ରକ୍ତାଣ ଗଣସଂଗ୍ରାମ, ଯାହା ୧୮୧୭ରୁ ୧୮୨୫ ମସିହା ପର୍ଯ୍ୟନ୍ତ ଚାଲିଥିଲା। ଆମେ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ ଯେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଏ ମହାନ ମୁକ୍ତି ସଂଗ୍ରାମକୁ ଏକ ସ୍ୱାଧୀନତା ସଂଗ୍ରାମ ଭାବରେ ଅଭିହିତ କରି ତା’ର ଦ୍ୱିଶତବାର୍ଷିକୀ ପାଳନ କରିବା ପାଇଁ ଏବଂ ଏ ଯୁଦ୍ଧର କେନ୍ଦ୍ରସ୍ଥଳୀ ବରୁଣେଇ ପାହାଡ଼ର ଗିରିଦୁର୍ଗ ଠାରେ ଏକ ଆକର୍ଷଣୀୟ ସ୍ମାରକୀ ନିର୍ମାଣ କରିବାକୁ ବଜେଟ୍ରେ ବ୍ୟବସ୍ଥା କରିଥିଲେ। କେନ୍ଦ୍ର ସରକାର ଏଥିପାଇଁ ପ୍ରାଥମିକ ଭାବରେ ବଜେଟ୍ରେ ୯୦ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। ଆମର ସେତେବେଳେର ପେଟ୍ରୋଲିଅମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇ.ଓ.ସି.ଏଲ. ଟ୍ରଷ୍ଟ ଫଣ୍ଡରୁ ୯୦ କୋଟ ଟଙ୍କା ମଧ୍ୟ ଏଥିପାଇଁ ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଓଡ଼ିଶାର ଏ ମହାନ ସ୍ମାରକୀ ନିର୍ମାଣ ହୋଇପାରିନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ପାଇକ ବିଦ୍ରୋହ ଭଳି ଏକ ରକ୍ତାକ୍ତ ଗଣ ସଂଗ୍ରାମକୁ ଇଂରେଜମାନେ ବିଦ୍ରୋହର ଆଖ୍ୟା ଦେଇ ଏହାର ଗରିମାକୁ ଅବନମିତ କରିବାକୁ ଚେଷ୍ଟା କରିଛନ୍ତି।
ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ଉତ୍ସବକୁ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଉଦ୍ଘାଟନ କରି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯାହାସବୁ ତାଙ୍କ ଆବେଗଭରା ଉଦ୍ବୋଧନରେ କହିଥିଲେ ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ପାଇକ ବିଦ୍ରୋହର ଏ ରକ୍ତାକ୍ତ ଗଣସଂଗ୍ରାମ ସିପାହି ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିବାରୁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ପରିଗଣିତ କରାଯାଇପାରେ। ସେତେବେଳେ ବିଜ୍ଞାନ ଭବନ ଜନତାଙ୍କର ଆନନ୍ଦ ଧ୍ୱନି ଓ କରତାଳି ମାଡ଼ରେ ପ୍ରକମ୍ପିତ ହୋଇଉଠିଥିଲା। ରାଷ୍ଟ୍ରପତି ମହୋଦୟ କହିଲେ ଯେ ଆମର ଇତିହାସକୁ ଇଂରେଜମାନେ ଲେଖିଛନ୍ତି। କୌଣସି ବିଜେତା ବିଜିତର ଇତିହାସକୁ ପ୍ରଶଂସା କରେ ନାହିଁ। ସେମାନେ ତାଙ୍କର ଆକ୍ରମଣ ଓ ବିଜୟକୁ ଗରିମାମୟ କରିବା ସହ ଇତିହାସର ପ୍ରକୃତ ସତ୍ୟକୁ ପ୍ରକାଶ ନ କରି ପରାଜିତ ଶକ୍ତିକୁ ନ୍ୟୂନ ଓ ହେୟ କରି ଦର୍ଶାଇବା ସ୍ବାଭାବିକ। ସେହି କ୍ରମରେ ଇଂରେଜ ଐତିହାସିକମାନେ ଇତିହାସରେ ଆମର ସ୍ୱାଧୀନତା ସଂଗ୍ରାମ, ପାଇକ ବିଦ୍ରୋହକୁ କାଳ୍ପନିକ ତଥ୍ୟ ଦେଇ ଅବନମିତ କରିଛନ୍ତି। ଦୁର୍ଭାଗ୍ୟର ବିଷୟ ହେଉଛି ଆମର ଐତିହାସିକମାନେ ପ୍ରକୃତ ସତ୍ୟକୁ ଉଦ୍ଘାଟନ ନକରି ଇଂରେଜ ଐତିହାସିକମାନଙ୍କ ଲିଖିତ ଇତିହାସକୁ ଅନୁସରଣ କରୁଛନ୍ତି। ଆମ ଦେଶର ଐତିହାସିକମାନେ ସାହସ ସଂଗ୍ରହ କରି ଏ ଜାତିର ପ୍ରକୃତ ଇତିହାସ ଲେଖିବା ଉଚିତ। ଯିଏ ଦେଶର ଇତିହାସ ଲେଖେ ତା’ ଭିତରେ ଦେଶପ୍ରେମର ଝଲକ ରହିବା ଆବଶ୍ୟକ। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରକାଶ କରିଥିବା ଏ ମହାନ ସତ୍ୟକୁ ଗର୍ବ ସହକାରେ ଆମେ ଗ୍ରହଣ କରୁଛୁ।
ବର୍ତ୍ତମାନର ଆଲୋଚ୍ୟ ବିଷୟ ହେଉଛି ପାଇକ ବିଦ୍ରୋହର ଅନ୍ତ ହେଲା କିପରି? ଆମର ପ୍ରାୟ ଅଧିକାଂଶ ଐତିହାସିକ ଲେଖିଛନ୍ତି ଯେ ବକ୍ସି ଜଗବନ୍ଧୁ ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଶେଷରେ ଇଂରେଜମାନଙ୍କ ପାଖରେ ଆତ୍ମସମର୍ପଣ କଲେ। ଏହା ପ୍ରକୃତରେ ଇଂରେଜମାନଙ୍କର ମନଗଢ଼ା କାହାଣୀ। ଆମର ବିଶିଷ୍ଟ ଐତିହାସିକ ଡକ୍ଟର ଭବାନୀ ଚରଣ ରାୟ ତାଙ୍କର ‘ବକ୍ସି ଜଗବନ୍ଧୁ: ଦି ପାଥ୍ ଫାଇଣ୍ଡର୍ ଅଫ ଫ୍ରିଡମ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ’ ପୁସ୍ତକରେ ଏ ସଂପର୍କରେ ବହୁ ଯୁକ୍ତି ସହ ଯାହା ପ୍ରକାଶ କରିଛନ୍ତି ତାହା ପ୍ରଣିଧାନ ଯୋଗ୍ୟ। ଦୀର୍ଘ ୮ ବର୍ଷ ଧରି ସଂଗ୍ରାମ ପରେ ଯେତେବେଳେ ଦେଖାଗଲା ଯେ ଇଂରେଜମାନେ ସମଗ୍ର ଦେଶରେ ତାଙ୍କର ଶାସନକୁ ଦୃଢ଼ୀଭୂତ କରିସାରିଥିବାରୁ କେବଳ ଗରିଲା ଯୁଦ୍ଧକରି ଇଂରେଜମାନଙ୍କୁ ପରାଜିତ କରିବା ସମ୍ଭବ ନୁହେଁ। ଏଣେ ଇଂରେଜ ଶାସନର ଅତ୍ୟାଚାରରେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକ ଦେଉଥିଲେ। ଲୋକଙ୍କ ଉପରେ ବିଭିନ୍ନ ପ୍ରକାର ଟିକସ ବସାଇ, ଜମିର ଖଜଣାକୁ ବର୍ଦ୍ଧିତ କରି, ପାଇକ ଓ ଦଳେଇ ଦଳବେହେରାମାନଙ୍କର ଜାଗିର ଜମିକୁ ଉଚ୍ଛେଦ କରି ସେମାନଙ୍କୁ ସର୍ବହରା କରି ଦିଆଗଲା।
ଇଂରେଜ ଶାସନର ଚାପରେ ରାଜା ଓ ଜମିଦାରମାନେ ବକ୍ସି ଜଗବନ୍ଧୁଙ୍କୁ ଯୁଦ୍ଧ ଚଳାଇ ରଖିବାକୁ ଯେଉଁ ଆର୍ଥିକ ଓ ଅନ୍ୟ ସାହାଯ୍ୟ ଦେଉଥିଲେ ତାହା ସେମାନେ ବନ୍ଦ କରିଦେଲେ। ସେଥିପାଇଁ ଏକ ବିରାଟ ପାଇକ ସେନା ରଖିବା ପାଇଁ ବକ୍ସି ଅକ୍ଷମ ହେଲେ। ଅନେକ ପାଇକ ନିଜ ପରିବାରକୁ ବଞ୍ଚାଇବା ପାଇଁ ନିଜ ଘରକୁ ଫେରିଗଲେ। ଲଢ଼େଇ କରି ଇଂରେଜୁ ବିତାଡ଼ିତ କରିବା ଆଉ କେବେ ସମ୍ଭବ ନୁହେଁ ବୋଲି ସେମାନଙ୍କର ବଦ୍ଧମୂଳ ଧାରଣା ହୋଇଗଲା। ଫଳରେ ଏକ ସୀମିତ ସେନାବାହିନୀ ନେଇ ଗରିଲା ଯୁଦ୍ଧ ଚାଲୁ ରଖିବାକୁ ବକ୍ସି ବାଧ୍ୟହେଲେ। ଏଭଳି ପରିସ୍ଥିତିର ସୁଯୋଗ ନେଇ ଇଂରେଜ ଶାସକ ବାରମ୍ବାର ଘୋଷଣା କରି ଚାଲିଲେ ଯେ ବକ୍ସି ଯଦି ଆତ୍ମସମର୍ପଣ କରନ୍ତି, ଆମେ ତାଙ୍କର କୌଣସି କ୍ଷତି କରିବୁ ନାହିଁ। ସେ ସମସ୍ତ ସମ୍ମାନ ସହ ବସବାସ କରିବେ। ବକ୍ସି ଜଗବନ୍ଧୁଙ୍କ ଭଳି ଦୁର୍ଦ୍ଦାନ୍ତ ସେନାପତି ତଥା ଦେଶଭକ୍ତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ତା’ ପରେ ବକ୍ସିଙ୍କ ଦୁଇ ରାଣୀ, ପୁତ୍ର, ପୋଷ୍ୟପୁତ୍ର ସମସ୍ତ ପରିବାରକୁ ବାରବାଟି ଦୁର୍ଗରେ ବନ୍ଦୀ କରି ରଖାଗଲା। ବକ୍ସି ତଥାପି ମୁଣ୍ଡ ନୁଆଁଇଲେ ନାହିଁ। ଶେଷରେ ବକ୍ସିଙ୍କର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରିଦିଆଗଲା। ତଥାପି ବକ୍ସି ଅବିଚଳିତ ରହିଲେ ଓ କୌଣସିମତେ ଇଂରେଜ ଶାସନ ପାଖରେ ଆତ୍ମସମର୍ପଣ କରିବେ ନାହିଁ ବୋଲି ଘୋଷଣା କଲେ। ଶେଷରେ ଇଂରେଜ ଶାସକ ତାଙ୍କର କୂଟନୈତିକ ଚାଲ ଖେଳିଲେ। ବକ୍ସିଙ୍କର ପରମ ବନ୍ଧୁ ନୟାଗଡ଼ ରାଜାଙ୍କୁ ବକ୍ସିଙ୍କ ସହିତ ଯୁଦ୍ଧର ପରିସମାପ୍ତି ପାଇଁ ପ୍ରବର୍ତ୍ତାଇବାକୁ ପ୍ରେରଣ କଲେ।
ନୟାଗଡ଼ ରାଜା ବକ୍ସିଙ୍କର କେବଳ ପରମ ବନ୍ଧୁ ଓ ପରାମର୍ଶଦାତା ନଥିଲେ, ସେ ପାଇକ ବିଦ୍ରୋହ ଚାଲୁ ରଖିବା ପାଇଁ ସବୁ ପ୍ରକାର ସାହଯ୍ୟ ମଧ୍ୟ କରୁଥିଲେ। ନୟାଗଡ଼ର ଘନ ଜଙ୍ଗଲ ଭିତରେ ଗୋପନରେ ନୟାଗଡ଼ ରାଜା ବକ୍ସିଙ୍କ ସହିତ ଆଲୋଚନା ଆରମ୍ଭ କଲେ। ସେ କହିଲେ, ‘ସମଗ୍ର ଭାରତବର୍ଷ ବର୍ତ୍ତମାନ ଇଂରେଜମାନଙ୍କ କର କବଳିତ ଓ ତାଙ୍କର ଶାସନକୁ ଆଉ ଗରିଲା ଯୁଦ୍ଧ କରି ହଟାଇବା ସଂପୂର୍ଣ୍ଣ ଅସମ୍ଭବ। ଏ ବାସ୍ତବ ସତ୍ୟକୁ ସାଧାରଣ ଲୋକ ଓ ପାଇକମାନେ ଜାଣିସାରି କୌଣସି ମତେ ଶାନ୍ତିରେ ବଂଚି ରହିବାକୁ ଚାହାଁନ୍ତି। ଆପଣ ଗରିଲା ଯୁଦ୍ଧରୁ ନିବୃତ୍ତ ନହେଲେ ଏହା ସମ୍ଭବ ହେବ ନାହିଁ। ଆପଣଙ୍କର ଓ ମୋର ବନ୍ଧୁତା ଯୋଗୁଁ ସେମାନଙ୍କର କେତେକ ସର୍ଦ୍ଦାର ଓ ଦଳପତି ମୋତେ ଏଭଳି ଅନୁରୋଧ କରିଛନ୍ତି।’ ଏ କଥା ଶୁଣି ବକ୍ସି ଜଗବନ୍ଧୁ ସ୍ତବ୍ଧ ହୋଇଗଲେ। ସେ କହିଲେ, ‘ସାଧାରଣ ଲୋକ ଓ ପାଇକମାନେ ଯଦି ଆଉ ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି, ଶାନ୍ତି ପ୍ରତିଷ୍ଠା ପାଇଁ କହୁଛନ୍ତି ବକ୍ସି କ’ଣ ତା’ହାଲେ ତା’ର ନିଜ ସ୍ୱାର୍ଥ ପାଇଁ ଲଢ଼େଇ କରୁଛି! ସାଧାରଣ ଲୋକ ଓ ପାଇକମାନେ ତ ମୋର ଜୀବନ।
ତେଣୁ ମୁଁ ଏ ଘନ ଜଙ୍ଗଲ ଭିତରେ ଶେଷରେ ମୃତ୍ୟୁବରଣ କରିବି ସିନା କୌଣସି ପରିସ୍ଥିତିରେ ଆତ୍ମ ସମର୍ପଣ କରି ମୋ ଜାତିର ଗର୍ବ ଓ ଗୌରବକୁ ଅବନମିତ କରିପାରିବି ନାହିଁ।’ ନୟାଗଡ଼ ରାଜା କହିଲେ, ‘ଆପଣଙ୍କୁ ଆତ୍ମସମର୍ପଣ କରିବା କଥା କିଏ କହୁଛି! କାରଣ ଇଂରେଜମାନେ ଜାଣନ୍ତି ଜୀବନ୍ତ ଓ ମୃତ ବକ୍ସି ତାଙ୍କ ଶାସନ ପାଇଁ ବିପଦ। ବକ୍ସିଙ୍କୁ ଯଦି କୌଣସିମତେ ମାରିଦିଆଯାଏ, ହୁଏତ ପାଇକମାନେ ତାଙ୍କ ପ୍ରାଣପ୍ରିୟ ସେନାପତିଙ୍କ ପାଇଁ ପୁଣି ଥରେ ବିଦ୍ରୋହ ଆରମ୍ଭ କରିଦେବେ। ଏ ଭଳି ଆଶଙ୍କା ସେମାନଙ୍କର ଅଛି। ଇଂରେଜ କମିସନର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇଂରେଜ ଭଳି ଏକ ବୀର ଜାତି, ବକ୍ସିଙ୍କ ଭଳି ଏକ ମହାନ ବିପ୍ଳବୀ ଓ ଦେଶଭକ୍ତଙ୍କୁ ଆଉ ଆତ୍ମସମର୍ପଣ କଥା କହିବ ନାହିଁ। ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ, ଲୋକଙ୍କୁ ସୁଶାସନ ଦେବା ପାଇଁ ଆପଣଙ୍କ ସହିତ ଏକ ବୁଝାମଣା ହେବ। ବକ୍ସି କେବଳ କଥା ଦେବେ ଯେ ସେ ଗରିଲା ଯୁଦ୍ଧ ବନ୍ଦ କରିବେ। ଆମେ ତାଙ୍କୁ ସସମ୍ମାନେ ବାସ କରିବା ପାଇଁ ବ୍ୟବସ୍ଥା କରିବୁ।
ଯେଉଁ କଥା ପାଇଁ ତାଙ୍କର ସନ୍ଦେହ ହେଉଛି, ଯେ ଇଂରେଜ ଅତ୍ୟାଚାର ଆହୁରି ବଢ଼ିବ ତାହା କେବେ କରାଯିବ ନାହିଁ। ଆମେ ଲୋକଙ୍କୁ ସୁଶାସନ ଓ ନ୍ୟାୟ ଦେବୁ। ବହୁ ପ୍ରକାର ଟିକସ ବନ୍ଦ କରାଯିବ। ବାଜ୍ୟାପ୍ତ ଜାଗିରି ଜମିର ପୁନର୍ବିଚାର କରିବୁ ଓ ଅନେକ କ୍ଷେତ୍ରରେ ତାଙ୍କୁ ଫେରାଇ ଦେବୁ। ଆମେ ଶାନ୍ତି ଚାହୁଁ।’ ବକ୍ସି କହିଲେ, ‘ଯେତେବେଳେ ଜନସାଧାରଣ ଓ ପାଇକମାନେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି, ସେମାନଙ୍କ ବାଟରେ ମୁଁ ଅନ୍ତରାୟ ହେବି ନାହିଁ। ସେମାନେ ସଂଗ୍ରାମ କରି ଅନେକ କଷ୍ଟ ଓ ଯନ୍ତ୍ରଣା ସହିଲେଣି। ବକ୍ସି ଜଗବନ୍ଧୁ ଆଉ ଏ ଜାତିର ଜନସାଧାରଙ୍କର ସଂପର୍କ ଅଭେଦ୍ୟ। ସେମାନେ ମୋର ଜୀବନ। ସେମାନଙ୍କ ପାଇଁ ମୁଁ ସବୁ ତ୍ୟାଗ କରିପାରିବି। କିନ୍ତୁ ହେ ମୋର ପ୍ରିୟ ବନ୍ଧୁ! ଇଂରେଜମାନେ ଏ ସବୁ ସର୍ତ୍ତ ପାଳନ କରିବେ ତ!’ ନୟାଗଡ଼ର ରାଜା କହିଲେ ଯେ ଇଂରେଜମାନେ ତାଙ୍କ ସ୍ୱାର୍ଥ ପାଇଁ ଶାନ୍ତି ଚାହୁଁଛନ୍ତି। ତା’ ପରେ ଖୋର୍ଦ୍ଧାରେ ଇଂରେଜ ଶାସକ ନୟାଗଡ଼ ରାଜ ଉଆସରେ ବକ୍ସିଙ୍କ ସହ ଆଲୋଚନା କଲେ ଓ ସମସ୍ତ ସର୍ତ୍ତରେ ରାଜିହେଲେ। ସେ ସ୍ପଷ୍ଟ ଭାବରେ କହିଲେ ‘ଏ ବୁଝାମୁଣା ନୁହେଁ ଏହା ହେଉଛି ସନ୍ଧି। ସନ୍ଧି ତ ବହୁ ଯୁଦ୍ଧ ପରେ ହୋଇଛି। ଆମେ ଆପଣଙ୍କ ଏ ମହାନ ରାଜ୍ୟରେ ନିରୁପଦ୍ରବ ଓ ଶାନ୍ତିପୂର୍ଣ୍ଣ ଶାସନ ଚାହୁଁ। ଆପଣଙ୍କ ଭଳି ଏକ ବୀର ଯୋଦ୍ଧା ଦେଶପ୍ରେମୀ, ବୀର ପୁରୁଷଙ୍କ ସହିତ ଆମେ କେବେ ପ୍ରତାରଣା କରିବୁ ନାହିଁ।
ଆପଣ ସସମ୍ମାନେ କଟକରେ ବାସ କରିବେ। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେବ।’ ସେତେବେଳର ପରିସ୍ଥିତି ଓ ଇଂରେଜ ଶାସକଙ୍କର ଦୃଢ଼ ଜବାବକୁ ବିଚାର କରି ବକ୍ସି ଯୁଦ୍ଧ ବନ୍ଦ କରିବାକୁ ରାଜି ହେଲେ। ବକ୍ସିଙ୍କ ମନରେ ବିଶ୍ୱାସ ହେଲା ଯେ ଇଂରେଜ ଶାସନ ତାଙ୍କର ସବୁ ସର୍ତ୍ତ ପାଳନ କରିବେ।
ତା’ପରେ ବକ୍ସି ଜଗବନ୍ଧୁଙ୍କୁ ହାତୀ ପିଠିରେ ବସାଇ ସସମ୍ମାନେ କଟକକୁ ଆସିବାର ବ୍ୟବସ୍ଥା କରାଗଲା ଏବଂ ସେଠାରେ ତାଙ୍କ ପାଇଁ ଉଦ୍ଦିଷ୍ଟ ବାସଭବନରେ ସେ ଅବସ୍ଥାନ କଲେ। ଏ ବୀରପୁରୁଷ ରାଜ୍ୟରେ ପ୍ରଜାମାନଙ୍କର ମଙ୍ଗଳ ପାଇଁ ଅସ୍ତ୍ର ଛାଡ଼ିଲେ ସିନା ପରାଧୀନ ମାତୃଭୂମିରେ ଅଧିକ ଦିନ ବଂଚିପାରିଲେ ନାହିଁ। ମାତୃଭୂମିର ପରାଧୀନତାର ଗ୍ଳାନିରେ ବିକ୍ରମ କେଶରୀ ବକ୍ସି ଜଗବନ୍ଧୁ ଛଟପଟ ହୋଇ ୧୮୨୯ ଜାନୁଆରି ୨୪ରେ ଏ ସଂସାରରୁ ବିଦାୟ ନେଲେ। ବକ୍ସି ଜଗବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଶାର ଏକ ଗରିମାମୟ ଯୁଗର ଅବସାନ ହେଲା।
ରାଜ୍ୟପାଳ, ଆନ୍ଧ୍ର ପ୍ରଦେଶ