ସାମ୍ରାଜ୍ୟ ଓ ସାହିତ୍ୟ ପରସ୍ପର ପରିପୂରକ; କଦବା କେମିତି ପରିପନ୍ଥୀ। ଏହା ଅବିସମ୍ବାଦିତ ଯେ ବ୍ରିଟିସ ସାମ୍ରାଜ୍ୟ ଇଂରେଜୀ ଭାଷାସାହିତ୍ୟକୁ ବିଶ୍ୱଜନୀନ କରିଛି। ସେହିପରି, ସମ୍ରାଟ କପିଳେନ୍ଦ୍ର ଦେବଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ମହାଭାରତ ରଚିତ ହୋଇଥିବା ସର୍ବଜନବିଦିତ। କିନ୍ତୁ ସମ୍ରାଟ ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଓଡ଼ିଶାରେ ରାଜନୈତିକ ସାମ୍ରାଜ୍ୟ ସଙ୍କୋଚନ ଏବଂ ସାରସ୍ୱତ ସାମ୍ରାଜ୍ୟ ବିସ୍ତାର ଏକକାଳୀନ ସଂଘଟିତ ହୋଇଥିଲା, ଯାହା ଓଡ଼ିଶା ଇତିହାସରେ ଏକ ଉଲ୍ଲେଖନୀୟ ବିରୋଧାଭାଷ।
ଏହି କାଳଖଣ୍ଡ ଓଡ଼ିଆ ସାହିତ୍ୟରେ ପଞ୍ଚସଖା ଯୁଗ ଭାବରେ ଖ୍ୟାତ। ତିନିଟି ମହାକାବ୍ୟ ‘ରାମାୟଣ’, ‘ଭାଗବତ’ ଓ ‘ହରିବଂଶ’ ରଚିତ ହୋଇଥିଲା ଏହି ସମୟ ମଧ୍ୟରେ। ସନ୍ଥ ବଳରାମ ଦାସ ଓଡ଼ିଆ ଭାଷାରେ ଯେଉଁ ରାମାୟଣ ରଚନା କରିଥିଲେ, ତାହା ‘ଦାଣ୍ଡୀ ରାମାୟଣ’ ବା ‘ଜଗମୋହନ ରାମାୟଣ’ ଭାବରେ ଜଣାଶୁଣା। ଗୋସ୍ୱାମୀ ତୁଳସୀଦାସ ସୁପ୍ରସିଦ୍ଧ ‘ରାମ ଚରିତ ମାନସ’ ଲେଖିବାର ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଓଡ଼ିଆ ରାମାୟଣ ଆତ୍ମପ୍ରକାଶ କରିଥିଲା। ଓଡ଼ିଆ ଦାଣ୍ଡୀ ରାମାୟଣ ରଚନାର ଶହେ ବର୍ଷରୁ ଅଧିକ ସମୟ ପରେ ପୁଣି ବଙ୍ଗ ଭାଷାରେ ରଚିତ ହୋଇଥିଲା କୃତ୍ତିବାସ ରାମାୟଣ। ସେହିପରି ‘ହରିବଂଶ’ ଅନ୍ୟ ଏକ ଓଡ଼ିଆ ମହାଗ୍ରନ୍ଥ ଯାହାର ରଚୟିତା ସନ୍ଥ ଅଚ୍ୟୁତାନନ୍ଦ ଦାସ। ତେବେ ଓଡ଼ିଶାର ସର୍ବାଧିକ ଜନପ୍ରିୟ ଗ୍ରନ୍ଥ ଅତିବଡ଼ୀ ଜଗନ୍ନାଥ ଦାସ କୃତ ଭାଗବତ ମଧ୍ୟ ଏହି କାଳଖଣ୍ଡର ଅବଦାନ।
ସମ୍ରାଟ ପ୍ରତାପରୁଦ୍ର ଦେବ ବିଜୟନଗରର ରାଜା କୃଷ୍ଣଦେବ ରାୟଙ୍କ ଠାରୁ ପରାଜିତ ହେଉଥିବା ବେଳେ, ଓଡ଼ିଶାର ପ୍ରତି ନଗ୍ର ଓ ଗ୍ରାମରେ ‘ଭାଗବତ ଟୁଙ୍ଗି’ ଖୋଲାଯାଇ ଦୈନିକ ଭାଗବତ ପାଠ କରାଯାଉଥିଲା। ଯଶୋବନ୍ତ ଓ ଅନନ୍ତ ପଞ୍ଚସଖା ଯୁଗର ଅନ୍ୟ ଦୁଇଜଣ କାଳଜୟୀ ସ୍ରଷ୍ଟା।
ତେବେ ଏହି ତିନି ମହାଗ୍ରନ୍ଥ ଏବଂ ତତ୍ପୂର୍ବରୁ ରଚିତ ମାଟିର ମହାକବି ସାରଳାଙ୍କ ‘ମହାଭାରତ’ ଓଡ଼ିଆ ଭାଷାର ଚାରିଟି ସଶକ୍ତ ସ୍ତମ୍ଭ ଭାବରେ ପରିଗଣିତ ଯାହା ଉପରେ ଓଡ଼ିଆ ସାହିତ୍ୟର ସୁରମ୍ୟ ସୌଧ ଦଣ୍ଡାୟମାନ।
ସେହି କାଳର ଅନ୍ୟ ଏକ ବିଶେଷତ୍ୱ ସଂସ୍କୃତ ଭାଗବତର ଟିକା ରଚନା। ସେତେବେଳେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ପଦମଣ୍ଡନ କରିଥିଲେ ଶ୍ରୀଧର ସ୍ୱାମୀ ଯିଏ ଭାଗବତର ଆଦି ଟିକାକାର ଭାବରେ ଭାରତ ବିଖ୍ୟାତ। ସେହି ସମୟରେ ପୁଣି ଓଡ଼ିଶା ବାହାରର ଦୁଇଜଣ ମନୀଷୀ ପୁରୀରେ ଅବସ୍ଥାନ କରୁଥିଲେ- ବଙ୍ଗପ୍ରଦେଶାଗତ ଶ୍ରୀ ଚୈତନ୍ୟ ଓ କାମାକ୍ଷା କାମରୂପବାସୀ ଶ୍ରୀମନ୍ତ ଶଙ୍କରଦେବ। ଯୁବସନ୍ନ୍ୟାସୀ ନିମାଇଁ ୨୮ ବର୍ଷ ବୟସରେ ନବଦ୍ୱୀପରୁ ନୀଳାଚଳ ଆସିଥିଲେ ଏବଂ ୫୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ। ଶ୍ରୀମନ୍ତ ଶଙ୍କରଦେବ ଦୁଇ ଦଫାରେ ଶ୍ରୀକ୍ଷେତ୍ରରେ ଦଶନ୍ଧି ପ୍ରାୟ କାଳ କାଟିଥିଲେ। ଏହି ଦୁଇ ମହାତ୍ମାଙ୍କ ସାଧନାର ଭୂମି ଥିଲା ଜଗନ୍ନାଥ ପୁରୀ।
ସେକାଳରେ ପୁରୀ ଥିଲା ପୂର୍ବଭାରତର ଧର୍ମଦ୍ୱାର, ଜ୍ଞାନବିଜ୍ଞାନ, ସିଦ୍ଧିସାଧନାର କେନ୍ଦ୍ରସ୍ଥଳ। ଶ୍ରୀମନ୍ତ ଶଙ୍କରଦେବ ଓଡ଼ିଆ ଭାଗବତ ଓ ଭାଗବତ ଟୁଙ୍ଗି ଦ୍ୱାରା ପ୍ରଭାବିତ ହୋଇଥିଲେ, ନିଜ ଜନ୍ମଭୂମି ଆସାମର ଗ୍ରାମଗ୍ରାମାନ୍ତରେ ପ୍ରତିଷ୍ଠା କରିଥିଲେ ‘ନାମଘର’।
ଯୁବସନ୍ନ୍ୟାସୀ ନିମାଇଁ ଚୈତନ୍ୟରେ ରୂପାନ୍ତରିତ ହୋଇଥିଲେ ପୁରୀର ମହତୀ ମାଟିରେ। ଅତିବଡ଼ୀଙ୍କ ଓଡ଼ିଆ ଭାଗବତ ପାଠ କରି ଶ୍ରୀ ଚୈତନ୍ୟ ଅବଶ୍ୟ ମୁଗ୍ଧ ହେଉଥିଲେ, କିନ୍ତୁ ଭାଗବତର ଗୂଢ଼ ତତ୍ତ୍ୱ ସେ ଶିଖିଥିଲେ ଶ୍ରୀଧର ସ୍ୱାମୀଙ୍କ ଠାରୁ। ଶ୍ରୀମନ୍ଦିରସ୍ଥିତ ବଟଗଣେଶ ନିକଟରେ ଜଗନ୍ନାଥ ଦାସଙ୍କ ସହିତ ଭେଟ ହେବା ପରେ ଦୁଇ ସନ୍ଥ ପରସ୍ପରକୁ ଦୀର୍ଘ ସମୟ ଧରି ନିବିଡ଼ ଆଶ୍ଳେଷରେ ବାନ୍ଧି ରଖିଥିଲେ। କୁହାଯାଏ, ଶ୍ରୀ ଚୈତନ୍ୟ ଦେବ ହିଁ ପୂଜ୍ୟପାଦ ଜଗନ୍ନାଥ ଦାସଙ୍କୁ ଅତିବଡ଼ ବା ଅତିବଡ଼ୀ ଆଖ୍ୟା ଦେଇଥିଲେ।
କେବଳ ଭାଗବତ ତତ୍ତ୍ୱ ନୁହେଁ, ବୈଷ୍ଣବ ତତ୍ତ୍ୱ ମଧ୍ୟ ଶ୍ରୀ ଚୈତନ୍ୟ ଶିକ୍ଷା କରିଥିଲେ ଓଡ଼ିଶା ଭୂଇଁରେ। ପ୍ରତାପରୁଦ୍ର ଦେବଙ୍କ ମହାମନ୍ତ୍ରୀ ରାୟ ରାମାନନ୍ଦ ପଟ୍ଟନାୟକ ପରମ ବୈଷ୍ଣବ ଭାବରେ ସୁଖ୍ୟାତ ଥିଲେ। କିନ୍ତୁ କର୍ତ୍ତବ୍ୟ ଦାୟରେ ରହୁଥିଲେ ରାଜମହେନ୍ଦ୍ରୀରେ। ଶ୍ରୀ ଚୈତନ୍ୟ ପୁରୀରୁ ରାଜମହେନ୍ଦ୍ରୀ ଯାତ୍ରା କରିଥିଲେ ରାୟ ରାମାନନ୍ଦଙ୍କୁ ସାକ୍ଷାତ କରିବା ପାଇଁ। ଯୁଦ୍ଧର ଘନଘଟା ସତ୍ତ୍ୱେ ରାୟ ରାମାନନ୍ଦ ଶ୍ରୀ ଚୈତନ୍ୟଙ୍କୁ ବୈଷ୍ଣବ ତତ୍ତ୍ୱ ବୁଝାଇ କହିବାରେ କାର୍ପଣ୍ୟ କରି ନ ଥିଲେ। ଶ୍ରୀ ଶ୍ରୀ ଚୈତନ୍ୟ ଚରିତାମୃତରେ ଉଲ୍ଲେଖ ରହିଛି, “ଏ ସବ ଶିଖାଇଲ ମୋରେ ରାୟ ରାମାନନ୍ଦ।”
ଏବେ ପୁଣି ପରମଶାସ୍ତ୍ର ଭାଗବତ ପାଖକୁ ଫେରିବା। ମାତା ପଦ୍ମାବତୀଙ୍କ ଆଦେଶ ଓ ଅନୁନୟରେ ଲିଖିତ ଭାଗବତ ଓଡ଼ିଆ ସାହିତ୍ୟର ଅନନ୍ୟ ଆଧ୍ୟତ୍ମ୍ୟ ଗ୍ରନ୍ଥ ଏବଂ ଭାଷା ପ୍ରବନ୍ଧ। ସରଳ ନବାକ୍ଷରୀ ଛନ୍ଦରେ ରଚିତ ଏହି ମହାନ୍ ଗ୍ରନ୍ଥ ଓଡ଼ିଆ ଜାତିର ପ୍ରାଣ ସ୍ପନ୍ଦନ। ଓଡ଼ିଶାରେ କେବଳ ନୁହେଁ, ସମଗ୍ର ଭାରତ ଭୂଖଣ୍ଡରେ ଏବଂ ବିଶେଷତଃ ପୂର୍ବ ଭାରତରେ ଏହାର ଖ୍ୟାତି ଓ ବ୍ୟାପ୍ତିର ତୁଳନା ନାହିଁ। ସନାତନ ବିଦ୍ୟାବାଗୀଶଙ୍କ ବଙ୍ଗ ଭାଷାରେ ଲିଖିତ ‘ଭାଷାବନ୍ଧ ଭାଗବତ’ରେ ଅନେକତ୍ର ଓଡ଼ିଆ ଭାଗବତର ସ୍ପର୍ଶ ସ୍ପଷ୍ଟ। ବିଦ୍ୟାବାଗୀଶ ନିଜେ ସ୍ୱୀକାର କରିଛନ୍ତି ଯେ ବଙ୍ଗ ପ୍ରଦେଶର ଗାଁ ଗଣ୍ଡାରେ ବୁଲିବୁଲି ସେ ଉପଯୁକ୍ତ ଭାଷା ପାଇପାରିଲେ ନାହିଁ। ତେଣୁ ଦଶମ ସ୍କନ୍ଧର ଅନୁବାଦ ପ୍ରକରଣରେ ଜଗନ୍ନାଥ ଦାସଙ୍କ ପଦାବଳୀକୁ ଅବିକଳ ଗ୍ରହଣ କଲେ। ତାଙ୍କ ଭାଷାରେ,
“ଏ ହେତୁ ଉତ୍କଳ ଭାଷା କରିଲ ଲିଖନ, ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ।”
ଏଠାରେ ଉଲ୍ଲେଖ ପ୍ରାସଙ୍ଗିକ ଯେ ରାଜନୈତିକ ସାମ୍ରାଜ୍ୟରେ ଉତ୍ଥାନ ଓ ପତନ ଅବଶ୍ୟମ୍ଭାବୀ, କିନ୍ତୁ ସାଂସ୍କୃତିକ ଓ ସାରସ୍ୱତ ସଫଳତା ଗୋଟେ ଜାତି ଲଲାଟରେ ଶାଶ୍ୱତ ବିଜୟ ତିଳକ। ପରାଜୟ ଭିତରେ ବିଜୟ ଓଡ଼ିଆ ଜାତିର ସ୍ବାତନ୍ତ୍ର୍ୟ।
ମୋ: ୯୪୩୭୧୪୩୮୯୬