ଜଣେ ଉଦ୍ୟୋଗପତି ପ୍ରବଳ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିଲେ। ସେ ଜନ୍ମ ହୋଇଥିଲେ ଏକ ଅତ୍ୟନ୍ତ ଦରିଦ୍ର ପରିବାରରେ। ବହୁ ପରିଶ୍ରମ କରି ବହୁ ଯାତନା ସହି ସେ ପାଠ ପଢ଼ିଲେ। ଜୀବନରେ ପ୍ରତିଟି ସୋପାନରେ ସେ ସ˚ଘର୍ଷର ସାମନା କଲେ। ବ୍ୟବସାୟ ଆରମ୍ଭରେ ବି ଭାଗ୍ୟ ସହାୟକ ନ ଥିଲା। କିନ୍ତୁ ସେ ହାରିଗଲେ ନାହିଁ। ବାରମ୍ବାର ଲାଗି ରହି ବ୍ୟବସାୟକୁ ଚଳାଇଲେ ବଢ଼ାଇଲେ ଏବ˚ ଶେଷରେ ସଫଳ ହେଲେ।
ଥରେ ତାଙ୍କ ବିଷୟରେ ଲେଖିବାକୁ ଚାହୁଁଥିବା ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ- ଆପଣ ଯାହା କିଛି ହାସଲ କରିଛନ୍ତି ତା’ର ଶ୍ରେୟ କାହାକୁ ଯିବ?
ଉଦ୍ୟୋଗପତି କହିଲେ- ସବୁ ସେଇ ଭଗବାନଙ୍କ ଦୟା।
ସାମ୍ବାଦିକ କହିଲେ- ଆପଣ ନିଜ ସାମର୍ଥ୍ୟ, ଦକ୍ଷତା ତଥା ଇଚ୍ଛାଶକ୍ତି ବଳରେ ଆଜି ଏତେ ଉଚ୍ଚକୁ ଆସିପାରିଛନ୍ତି। ତଥାପି ଆପଣ କେମିତି କହୁଛନ୍ତି ଯେ ସବୁ ଈଶ୍ବରଙ୍କ ଦୟା ବୋଲି? ୟେ ତ କର୍ମବାଦୀଙ୍କ କଥା ନୁହେଁ, ଭାଗ୍ୟବାଦୀଙ୍କ କଥା ଭଳି ଶୁଭୁଛି।
ଉଦ୍ୟୋଗପତି କହିଲେ- ଏଭରେଷ୍ଟ ଆରୋହଣ କରିବା ଲାଗି ଯେତିକି ଲୋକ ଉଦ୍ୟମ କରନ୍ତି ତା’ର ମାତ୍ର ଅଳ୍ପ କିଛି ପ୍ରତିଶତ ସଫଳ ହୁଅନ୍ତି। ପୁଣି ଅତ୍ୟନ୍ତ ପଟୁ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିବାର ଠିକ୍ ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସଫଳତା ହାତ ପାହାନ୍ତାରୁ ସବୁଦିନ ଲାଗି ଖସିଯାଇପାରେ। ସମସ୍ତେ ତ ପରିଶ୍ରମ କରନ୍ତି, କିନ୍ତୁ ସଫଳତା ସେମାନେ ପାଆନ୍ତି ଯାହାଙ୍କ ଉପରେ ଈଶ୍ବରଙ୍କ କରୁଣା ଥାଏ। ଧରନ୍ତୁ ମୋର ଅକାଳ ମୃତ୍ୟୁ ହୋଇଥାଆନ୍ତା, ତେବେ ମୋର ସମସ୍ତ ଦକ୍ଷତା ଓ ସାମର୍ଥ୍ୟ ସତ୍ତ୍ବେ ମୁଁ ଯାହା ପାଇଛି ପାଇଥାଆନ୍ତି କି? ତେଣୁ ମୋତେ ବଞ୍ଚାଇ ରଖିବା ହେଉଛି ତାଙ୍କର ସବୁଠାରୁ ବଡ଼ ଦୟା।