ମଣିଷ କାହିଁକି ମଦ ପିଏ? ହାଣ୍ଡିଆରୁ ହ୍ବିସ୍କି ପର୍ଯ୍ୟନ୍ତ, ସାକେରୁ ସାମ୍ପେନ୍ ପର୍ଯ୍ୟନ୍ତ... ପୃଥିବୀର ଏମିତି କୌଣସି କୋଣ ଅନୁକୋଣ ନାହିଁ, ଯେଉଁଠି ମଣିଷମାନେ କୌଣସି ନା କୌଣସି ନାମ ବହନ କରୁଥିବା ସୁରାସାର (ଆଲ୍କହଲ୍) ଧାରଣକାରୀ ଏକ ତରଳ ପଦାର୍ଥ ପାନ କରିନଥାନ୍ତି, ଯାହା ହେଉଛି ମଦ। କେତେକ ଜୈବବିଜ୍ଞାନୀ ମାନଙ୍କ ମତ ଅନୁସାରେ ଉପେରାକ୍ତ ପ୍ରଶ୍ନର ଉତ୍ତର ହେଉଛି- ବିବର୍ତ୍ତନ। ଡାର୍ୱିନ୍ଙ୍କର ସୁପରିଚିତ ବିବର୍ତ୍ତନ ତତ୍ତ୍ବ ମାଙ୍କଡ଼ମାନଙ୍କୁ ମନୁଷ୍ୟର ପୂର୍ବପୁରୁଷର ମର୍ଯ୍ୟାଦା ପ୍ରଦାନ କରିଥାଏ। ଏହି ତତ୍ତ୍ବକୁ ଆଧାର କରି ଆଧୁନିକ ଜୈବ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ମନୁଷ୍ୟର ଆଲ୍କହଲ୍ ପ୍ରତି ଥିବା ଏହି ଦୁର୍ବଳତା ସେ ଉତ୍ତରାଧିକାର ସୂତ୍ରରେ ତା’ର ପୂର୍ବପୁରୁଷ ମାଙ୍କଡ଼ମାନଙ୍କ ଠାରୁ ପ୍ରାପ୍ତ ହୋଇଛି।
ମଦର ଦୀର୍ଘକାଳୀନ ପ୍ରଭାବ ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ ସର୍ବଦା କ୍ଷତିକାରକ ହୋଇଥାଏ ବୋଲି ଜଣାଥିେଲ ମଧ୍ୟ, କେତେକ ମନୁଷ୍ୟ ତଥାପି ଏହି ସୁରାସାରପୂର୍ଣ୍ଣ ପାନୀୟର ଦାସତ୍ବ ସ୍ବୀକାର କରିବା ପଛରେ ନିହିତ ଥିବା କାରଣ ହେଉଛି ଏହି ବିବର୍ତ୍ତନୀୟ ଚାପ ବୋଲି ସେମାନେ କହିଥାନ୍ତି, ଯେଉଁ ତତ୍ତ୍ବର ସେମାନେ ନାମକରଣ କରିଛନ୍ତି- ‘‘ମାତାଲ ମାଙ୍କଡ଼ ତତ୍ତ୍ବ’’। ଏହି ତତ୍ତ୍ବ ଆଧାରରେ କାଲିଫର୍ନିଆ ବିଶ୍ବବିଦ୍ୟାଳୟର ଜୈବବିଜ୍ଞାନ ପ୍ରଫେସର ରବର୍ଟ ଡଡ୍ଲି ରଚନା କରିଥିବା ପୁସ୍ତକର ନାମ ମଧ୍ୟ ହେଉଛି: ‘‘ଦି ଡ୍ରଙ୍କ୍ନ ମଙ୍କି’’ (‘‘ମାତାଲ ମାଙ୍କଡ଼’’)। ଏହା ଅନୁସାରେ ମାତ୍ର ୯,୦୦୦ (ନ’ହଜାର) ବର୍ଷ ତଳେ ମନୁଷ୍ୟ ପ୍ରଥମ ଥର ପାଇଁ ମହୁ, ଚାଉଳ ବା ପାଚିଲା ଫଳକୁ ପଚାଇ (ଫର୍ମେଣ୍ଟ କରି) ଆଲ୍କହଲ୍ଧାରୀ ପାନୀୟ ପ୍ରସ୍ତୁତ କରିବା ଆରମ୍ଭ କଲା ବୋଲି ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନରୁ ସାବ୍ୟସ୍ତ ହୋଇଛି; କିନ୍ତୁ ମଦ ସହିତ ମନୁଷ୍ୟର ପ୍ରଥମ ପରିଚୟ ଘଟିଥିଲା ତାହାର ବହୁ ପୂର୍ବରୁ ତା’ର ପୂର୍ବପୁରୁଷ ମାଙ୍କଡ଼ମାନଙ୍କ ମାଧ୍ୟମରେ ପଚମାନ ପାଚିଲା ଫଳରେ ଉତ୍ପନ୍ନ ହେଉଥିବା ଆଲ୍କହଲ୍ ସହିତ ସେମାନଙ୍କର ସମ୍ପର୍କ ସୂତ୍ରରୁ।
ପ୍ରାୟ ଦଶ ନିୟୁତ ବର୍ଷ ତଳେ ଆମର ଏହି ପୂର୍ବପୁରୁଷମାନେ ପ୍ରଥମ କରି ଗଛ ଉପରୁ ତଳକୁ ଓହ୍ଲାଇବା ଆରମ୍ଭ କରି ଭୂଇଁରେ ଝଡ଼ି ପଡ଼ିଥିବା ପଚମାନ ପାଚିଲା ଫଳ, ସାଉଁଟି ଖାଇବା ଆରମ୍ଭ କଲେ, ଯେଉଁଥିରେ ଆଲ୍କହଲ୍ ମାତ୍ରା ବା ‘ଆଲ୍କହଲ୍ ବାଏ ଭଲ୍ୟୁମ୍’ (‘ଏବିଭି’) ମାତ୍ରା ଏକ ବେଶ୍ ଉଚ୍ଚା ୮ ଶତାଂଶ ପର୍ଯ୍ୟନ୍ତ ଛୁଇଁପାରେ। ବିବର୍ତ୍ତନ ଦୃଷ୍ଟିରୁ ସେତେବେଳେ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା; କାରଣଏହି ଆଲ୍କହଲ୍-ଯୁକ୍ତ ଫଳ ଖାଇ ମାତାଲ ହେବା ପରେ ଏକ ମାଙ୍କଡ଼ଠାରେ ଆତ୍ମ ସଚେତନତାର ହ୍ରାସ ଘଟିଥାଏ ଓ ସେ ନିଜକୁ ଗୋଷ୍ଠୀ ସହିତ ଅଧିକ ସାମିଲ କରି ଏକ ସାମାଜିକ ପ୍ରାଣୀରେ ପରିଣତ ହୋଇଥାଏ। ଜୈବବିଜ୍ଞାନୀ ଓ ମନସ୍ତତ୍ତ୍ବବିତ୍ମାନେ ଏକମତ ଯେ ବିବର୍ତ୍ତନବାଦର ‘ଯୋଗ୍ୟତମ ହିଁ ତିଷ୍ଠି ରହେ’ (‘ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ’) ଭଳି ନିଷ୍ଠୁର ନିୟମ ସତ୍ତ୍ବେ ପୃଥିବୀରେ ମନୁଷ୍ୟ ଜାତି ତିଷ୍ଠି ରହିବାରେ ସଫଳ ହୋଇପାରିଛି ଏହି ସାମାଜିକ ବା ଗୋଷ୍ଠୀଗତ ଶକ୍ତି ଯୋଗୁଁ।
ତେବେ ଦଶ ନିୟୁତ ବର୍ଷ ତଳେ ‘ଏକତାରେ ବଳ’ ଆବିଷ୍କାର କରିବାରେ ମଦ ମନୁଷ୍ୟର ପୂର୍ବ ପୁରୁଷମାନଙ୍କୁ ଯଦି ସହାୟକ ହୋଇଥିଲା, ଇତି ମଧ୍ୟରେ ମନୁଷ୍ୟ ନିଜର ମସ୍ତିଷ୍କ ଓ ବୁଦ୍ଧିରେ ଘଟିଥିବା ଚମକପ୍ରଦ ଉନ୍ନତି ସାହାଯ୍ୟରେ ଯେଉଁଭଳି ସୁଦୃଢ଼ ଓ ସୁସଂହତ ସମାଜ ବା ଗୋଷ୍ଠୀ ଗଠନ କରିବାରେ ସଫଳ ହୋଇଛି, ସେଥିରେ ଏଥିପାଇଁ ମଦ ଭଳି କୌଣସି ଆଲକ୍ହଲିକ୍ ପାନୀୟର ଆଉ କୌଣସି ଆବଶ୍ୟକତା ବା ଭୂମିକା ନାହିଁ। କିନ୍ତୁ ଆବଶ୍ୟକତା ନ ଥିଲେ ମଧ୍ୟ ମଦର ଆବେଶକୁ ଅାସିଥିବା ମନୁଷ୍ୟମାନେ ପିଢ଼ି ପରେ ପିଢ଼ି ଆଉ ମଦକୁ ଛାଡ଼ିବାକୁ ପ୍ରସ୍ତୁତ େହାଇନଥାନ୍ତି। ମଦ ପୂର୍ବଭଳି ଏହାର ସେବନକାରୀ ଠାରେ ଆତ୍ମ ସଂଯମ ଓ ଆତ୍ମ ସଚେତନତାର ହ୍ରାସ ଘଟାଇଥାଏ, ଯାହା ବେଳେବେଳେ ସେମାନଙ୍କ ଠାରୁ ମନୁଷ୍ୟ ସୁଲଭ ବୁଦ୍ଧି ବିବେକ ହରଣ କରି ନେଇ ସେମାନଙ୍କୁ ଅତୀତର ସେଇ ମାତାଲ ମାଙ୍କଡ଼ରେ ପରିଣତ କରି ଦେଇଥାଏ।
ନିକଟରେ ‘ଏଆର୍ ଇଣ୍ଡିଆ’ର ଦୁଇଟି ଭିନ୍ନ ଭିନ୍ନ ଫ୍ଲାଇଟ୍ରେ ଏଇଭଳି ଦୁଇଜଣ ମାତାଲ ମାଙ୍କଡ଼ ଭିଆଇଥିବା ଯେଉଁ କାଣ୍ଡ ଦେଶ ବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି (ଯାହା ସୋମବାର ଏହି ସ୍ତମ୍ଭରେ ଆଲୋଚିତ ହୋଇଛି), ତାହା ଯେ କେବଳ ମାନବେତର କୌଣସି ପଶୁ ପକ୍ଷରେ ସମ୍ଭବ, ଏଥିରେ କେହି ଦ୍ବିମତ େହବେ ନାହିଁ। ହୁଏତ ଆଲ୍କହଲ୍ଯୁକ୍ତ ପଚାଫଳ ଖାଇ ମାତାଲ ହୋଇଥିବା ମାଙ୍କଡ଼ଟିଏ କେତେବେଳେ ଅନ୍ୟ ଏକ ମାଙ୍କଡ଼ ଉପରେ ଏଭଳି ପରିସ୍ରା କରି ଦେଇଥିବ, ଯେଉଁଭଳି ମାତାଲ ଯାତ୍ରୀ ଦୁଇଜଣ ସେମାନଙ୍କର ସହଯାତ୍ରୀଙ୍କ ଉପରେ କରି ଦେଇଥିଲେ।
ଏହି ମଦ୍ୟପମାନଙ୍କର ଏତାଦୃଶ ଆଚରଣରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆଜିକାଲି ନୁହେଁ, ପ୍ରଥମ ଶତାବ୍ଦୀର ପ୍ରାଚୀନ ରୋମ୍ର ସଂଯତେନ୍ଦ୍ରିୟ (ଷ୍ଟୋଇକ୍) ଦାର୍ଶନିକ ସେନେକା ସେତେବେଳେ କହିଥିଲେ, ମଦ ‘‘ମନୁଷ୍ୟର ଆତ୍ମାକୁ ପଶୁତୁଲ୍ୟ କରି ଦେଇଥାଏ’’। ସେ କହିଥିଲେ ଯେ ସୁରାପାନ ନିଷ୍ଠୁରତାକୁ ଜନ୍ମ ଦେଇଥାଏ; କାରଣ ବ୍ୟକ୍ତିର ମାନସିକ ସନ୍ତୁଳନ ନଷ୍ଟ ହୋଇ ବର୍ବରତା ପ୍ରବେଶ କରିଥାଏ। ଯେମିତି ବ୍ୟାଧିଗ୍ରସ୍ତ ଶରୀର ବ୍ୟକ୍ତିଠାରେ ବିକୃତି ସୃଷ୍ଟି କରିଥାଏ, ମଦ୍ୟପାନ ସେମିତି ତା’ର ଆତ୍ମାକୁ ପଶୁତୁଲ୍ୟ କରି ଦେଇଥାଏ।
କେହି କେହି ମଦ୍ୟପମାନଙ୍କୁ ଗ୍ରୀକ୍ ଦାର୍ଶନିକ ପ୍ଲାଟୋଙ୍କର ପ୍ରସିଦ୍ଧ ‘ଗୁମ୍ଫା ରୂପକଥା’ରେ ଏକ ଗୁମ୍ଫା ଭିତରେ ବନ୍ଧା ହୋଇ ପଡ଼ିଥିବା ବନ୍ଦୀମାନଙ୍କ ସହିତ ତୁଳନା କରିଥାନ୍ତି। ଏହି ବନ୍ଦୀମାନେ କାନ୍ଥ ଆଡ଼କୁ ମୁହଁ କରି ଏପରି ପଡ଼ିଥାନ୍ତି ଯେ କେବଳ କାନ୍ଥରେ ପଡୁଥିବା ଛାଇ ବ୍ୟତୀତ ଆଉ କିଛି ହେଲେ ଦେଖିପାରନ୍ତି ନାହିଁ। ଏ ଛାଇ ହେଉଛି ସେମାନଙ୍କ ପଛପଟରେ ସେମାନଙ୍କ ଦୃଷ୍ଟି ଅନ୍ତରାଳରେ ଥିବା କେତେକ କଣ୍ଢେଇନଚାଳୀମାନେ ନଚାଉଥିବା କଣ୍ଢେଇମାନଙ୍କର ଛାଇ। ଏହି କଣ୍ଢେଇ ନଚାଳୀମାନେ ଏକ ଜ୍ବଳନ୍ତ ନିଆଁ ସମ୍ମୁଖରେ ସେମାନଙ୍କର କଣ୍ଢେଇମାନଙ୍କୁ ନଚାଇବା ଦ୍ବାରା ଛାଇ ସୃଷ୍ଟି ହୋଇ କାନ୍ଥ ଉପରେ ପଡ଼ିଥାଏ। ଗୁମ୍ଫାରେ ବନ୍ଧା ହୋଇ ପଡ଼ିଥିବା ବନ୍ଦୀମାନେ ଏହି ଛାଇକୁ କିନ୍ତୁ ବାସ୍ତବ ବୋଲି ବିଶ୍ବାସ କରିଥାନ୍ତି।
ମାତାଲ ମଦ୍ୟପ ସେମିତି ତା’ର ବୋତଲରେ ବନ୍ଧା ହୋଇ ପଡ଼ିଥାଏ। ତା’ର ନିଶାସକ୍ତ ଦୁନିଆ ହେଉଛି ପ୍ଲାଟୋଙ୍କ ଗୁମ୍ଫାର ଅନ୍ଧାରି ଦୁନିଆ ଭଳି ଯେଉଁଠି କାନ୍ଥରେ ପଡୁଥିବା ଛାଇ ବାସ୍ତବତାର ଭ୍ରମ ସୃଷ୍ଟି କରିଥାଏ; ଯେଉଁଠି ଅନ୍ୟ ଜଣେ ସହଯାତ୍ରିଣୀଙ୍କ ଆସନ ଏକ ପରିସ୍ରାଗାରର ଭ୍ରମ ସୃଷ୍ଟି କରିଥାଏ। ପ୍ଲାଟୋଙ୍କ ସେଇ ରୂପକଥାରେ ଯଦି ଦୈବାତ୍ ଜଣେ କେହି ବନ୍ଦୀ ବନ୍ଧନମୁକ୍ତ ହୋଇ ବାହାରକୁ ଚାଲିଆସେ, ଉଜ୍ଜ୍ବଳ ସୂର୍ଯ୍ୟାଲୋକରେ ତା’ର ଆଖି ଏପରି ଝଲସି ଯିବ ଯେ ସେ ପୁଣି ଗୁମ୍ଫାର ଅନ୍ଧକାର ମଧ୍ୟକୁ ଫେରିଯିବାକୁ ପସନ୍ଦ କରେ; ମଦ୍ୟପ ପ୍ରକୃତିସ୍ଥ ହେବା ପରେ ପୁଣି ମଦ ବୋତଲ ପାଖକୁ ଫେରିଯିବା ଭଳି।
ଏହି ମାତାଲ ମାଙ୍କଡ଼ମାନେ ପୁଣି ସେମାନଙ୍କର ମନୁଷ୍ୟତ୍ବ ଫେରି ପାଇବାର ଉପାୟ ତା’ହେଲେ କ’ଣ? ଏହାର ଏକ ଉପାୟ ବତାଇ ଥିଲେ ସେଇ ରୋମ୍ର ଆଉ ଜଣେ ଷ୍ଟୋଇକ୍ ଦାର୍ଶନିକ: ଦ୍ବିତୀୟ ଶତାବ୍ଦୀର ସମ୍ରାଟ ମାର୍କସ୍ ଅରେଲିଅସ୍। ସେ ତାଙ୍କର ପ୍ରସିଦ୍ଧ ‘ମେଡିଟେସନ୍ସ’ରେ ଏଇଭଳି କହିଥିଲେ: ଆମ ସମ୍ମୁଖରେ ଯେତେବେଳେ ଖାଦ୍ୟ ପାନୀୟ ପରିବେଷଣ କରାଯାଇଥାଏ, ଆମେ ସେତେବେଳେ ଯାହା ଦେଖିବାକୁ ପାଇଥାଉ, ତାହା ହେଲା- ଏହା ହେଉଛି ଏକ ମାଛର ମୃତ ଦେହ; ଏହା ହେଉଛି ଏକ ପକ୍ଷୀର ମୃତ ଦେହ; ଏହା ହେଉଛି ଏକ ଘୁଷୁରିର ଶବ; ଏହି ବହୁ ପ୍ରଚାରିତ ‘ଫାଲର୍ନିଆନ୍’ ସୁରା ହେଉଛି ଏକ ଅଙ୍ଗୁରର ପଚା ରସ ମାତ୍ର ଏବଂ ଏହି ଲାଲ ବସ୍ତ୍ର ହେଉଛି ଏକ ମାଛର ରକ୍ତରେ ରଞ୍ଜିତ କୌଣସି ମେଣ୍ଢାର ଲୋମ ମାତ୍ର। ବର୍ତ୍ତମାନର ବଦନାମ ପରେ ‘ଏଆର୍ ଇଣ୍ଡିଆ’ର ‘ମହାରାଜା’ ତାଙ୍କର ଯାତ୍ରୀ-ଅତିଥିମାନଙ୍କ ମଧ୍ୟରେ ଏହି ରୋମାନ୍ ମହାରାଜାଙ୍କ ଦର୍ଶନ ପ୍ରସାର କରି ସେମାନଙ୍କର ମୋହ ଭଙ୍ଗ ପାଇଁ ଉଦ୍ୟମ କଲେ କେମିତି ହୁଅନ୍ତା?