ବାଦଶାହ ଆକବରଙ୍କ ଦରବାରରେ ଥରେ ଜଣେ ତୋଷାମଦିଆ ଭାଟ ଆସି ପହଞ୍ଚିଲେ। ପ୍ରତି କ୍ଷଣ ସେ ଉପମା-ଅଳଙ୍କାରମାନ ଦେଇ ବାଦଶାହଙ୍କ ନାମରେ ଭଣିତା କଲେ। ତାହା ଆଦୌ ବିଶ୍ବାସଯୋଗ୍ୟ ହୋଇ ନ ଥିଲେ ସୁଦ୍ଧା ସଭାସଦ ଚୁପ୍ ରହିଲେ। କିଏ ମୁହଁ ଖୋଲିବ? କାଳେ ସମ୍ରାଟ ଭୁଲ୍ ବୁଝିବେ! ଏମିତି ଥରେ ସେ କହିଲେ ବାଦଶାହ ଆକବର ହେଉଛନ୍ତି ସ୍ବୟ˚ ବିଶ୍ବ-ସମ୍ରାଟଙ୍କ ଠାରୁ ମଧ୍ୟ ଅଧିକ କ୍ଷମତାର ଅଧିକାରୀ। ପ୍ରଶ˚ସାର ମାତ୍ରା ଅଧିକ ହୋଇଥିବାରୁ ଆକବର ନିଜେ କିଛି ନ କହି ସଭାରେ ଉପସ୍ଥିତ ବୀରବଲଙ୍କ ମତ ଲୋଡ଼ିଲେ। ବୀରବଲ ଆଦୌ କାଳବିଳମ୍ବ ନ କରି କହିଲେ, ‘ଏଥିରେ କୌଣସି ସ˚ଶୟ ନାହିଁ ଏବ˚ ତା’ର ପ୍ରମାଣ ହେଲା ଯେ ବିଶ୍ବ-ସମ୍ରାଟ ଜଣେ ତୋଷାମଦକାରୀ କବିକୁ କେବେ ବି ନିଜ ରାଜ୍ୟରୁ ତଡ଼ିପାର କରି ପାରିବେ ନାହିଁ, କାରଣ ତାଙ୍କ ଅଧିକାର କ୍ଷେତ୍ର ବାହାରେ କୌଣସି ସ୍ଥାନ ନାହିଁ। ଅଥଚ ମୋଗଲ ସମ୍ରାଟ ଚାହିଁଲେ ଏଭଳି ଅପତତ୍ତ୍ବକୁ ତତ୍କ୍ଷଣାତ୍ ନିଜ ରାଜ୍ୟରୁ ତଡ଼ି ଦେଇ ପାରିବେ।’ କହିବା କଥାର ମର୍ମ ବୁଝିପାରି ବାଦଶାହ ସେହି କ୍ଷଣି ତୋଷାମଦିଆ କବିକୁ ତଡ଼ି ଦେଲେ।
ଏହି ଧରଣର ଆକବର-ବୀରବଲ କାହାଣୀ ଶହ ଶହ ସ˚ଖ୍ୟାରେ ରହିଛି ଏବଂ ସେହି ଶୃଙ୍ଖଳାରେ ସମୟକ୍ରମେ ନୂଆ ନୂଆ କାହାଣୀ ମଧ୍ୟ ଯୋଡ଼ି ହେଉଛି। ଉଦ୍ଦେଶ୍ୟ- ‘ଚୁଟକୁଲା’ ଅବତାରରେ ଶ୍ରୋତାର ମନୋର˚ଜନ। ମାତ୍ର ଗହୀରେଇ ଦେଖିଲେ ଏହି କାହାଣୀସବୁର ଏକ ମହତ୍ତ୍ବପୂର୍ଣ୍ଣ ସାମାଜିକ ପକ୍ଷ ମଧ୍ୟ ରହିଛି। ଏହି କାହାଣୀଗୁଡ଼ିକରେ ବୀରବଲ ସର୍ବଦା ମହାନ ସମ୍ରାଟ ଆକବରଙ୍କ ତୁଳନାରେ ବୁଦ୍ଧିରେ ଆଗୁଆ। ଦ୍ବିତୀୟତଃ, ସେ ଶକ୍ତିଶାଳୀ ସମ୍ରାଟଙ୍କୁ ସର୍ବଦା ଉଚିତ ମାର୍ଗ ଦେଖାନ୍ତି। ଏକ ବଡ଼ କଥା ହେଲା ସମ୍ରାଟ ଏହା ଦ୍ବାରା ଅପମାନିତ ହୁଅନ୍ତି ନାହିଁ। ଏବଂ ସବୁଠାରୁ ଅଧିକ ବଡ଼ କଥା, ତାଙ୍କ ବୁଦ୍ଧି ସାଧାରଣ ବା ଲୌକିକ ସ୍ତରର ଏବ˚ ସେ ସାଧାରଣ ବ୍ୟକ୍ତିଙ୍କ ପ୍ରତିନିଧିତ୍ବ କରନ୍ତି। କାହାଣୀ ଜରିଆରେ ଇଙ୍ଗିତ କରାଯାଇଛି ଯେ ସାଧାରଣ ବ୍ୟକ୍ତିର ବୁଦ୍ଧିକୁ କଦାପି ନଜରଅନ୍ଦାଜ କର ନାହିଁ!
ମଧ୍ୟକାଳୀନ ଇତିହାସର ଗବେଷକମାନଙ୍କ ମତରେ ଅଷ୍ଟାଦଶ ଶତାବ୍ଦୀରେ ଅର୍ଥାତ୍ ଉଭୟ ଆକବର ଓ ବୀରବଲଙ୍କ ଦେହାବସାନର ଅନ୍ୟୂନ ଶହେ ବର୍ଷ ପରେ ଏହି କାହାଣୀ ସବୁର ଅଭ୍ୟୁଦୟ ଘଟିଥିଲା। ତେଣିକି କାହାଣୀର ସ˚ଖ୍ୟାରେ ନିରନ୍ତର ବୃଦ୍ଧି ହୋଇ ଚାଲିଛି। ବୀରବଲଙ୍କୁ ପ୍ରତୀକ ମନେ କରି ସାଧାରଣ ବୁଦ୍ଧିର ଶ୍ରେଷ୍ଠତା ପ୍ରଦର୍ଶନ କରୁଥିବା ଏହି କାହାଣୀମାନରେ ନିହିତ ଇଙ୍ଗିତ ଶାସକ ବର୍ଗ ପାଖରେ ହୁଏତ ପହଞ୍ଚି ପାରୁ ନ ଥିବ; କିନ୍ତୁ ସାଧାରଣ ଲୋକଙ୍କୁ ଏହା ପ୍ରବୋଧନା ଦେଇଥାଏ ଯେ ସେମାନେ ହୀନବଳ ନୁହନ୍ତି ବା ସେମାନଙ୍କ ବୁଦ୍ଧି ଅନେକ ସମୟରେ ପ୍ରଜ୍ଞା ସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରେ! ବିଜୟନଗର ସମ୍ରାଟ କୃଷ୍ଣଦେବ ରାୟ (୧୫୦୯-୨୯)ଙ୍କ ଦରବାରରେ ତେନାଲି ରାମା, ନଦୀଆ ରାଜାଙ୍କ ଦରବାରର ଗୋପାଳ ଭାଣ୍ତ ଏବ˚ ଓଡ଼ିଶାର ନୟାଗଡ଼ ରାଜଦରବାରରେ ଯଦୁମଣି ମହାପାତ୍ର ଆଦିଙ୍କୁ ମଧ୍ୟ ବୀରବଲଙ୍କ ପ୍ରତିକୃତି ରୂପେ ଦେଖିହେବ। ଅନ୍ୟ ପକ୍ଷରେ, ଏଭଳି ପ୍ରତ୍ୟେକଟି ମଜାଳିଆ କାହାଣୀ ଆଞ୍ଚଳିକ ସର୍ଜନା-ଜଗତର ପରିଧିକୁ ବିସ୍ତାରିତ କରିଥାଏ।
ଏମିତିରେ ବୀରବଲ ହେଲେ ମୋଗଲକାଳୀନ ଜଣେ ଐତିହାସିକ ଚରିତ୍ର। ଆକବର ତାଙ୍କୁ ଉପାଧି ସୂତ୍ରରେ ‘ରାଜା ବୀରବଲ’ ନାମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ମହେଶ ଦାସ (୧୫୨୮-୧୫୮୬) ଏବ˚ ଜନ୍ମ ସ୍ଥାନ ଉତ୍ତରପ୍ରଦେଶର କଳ୍ପି। ପ୍ରଥମେ ସେ ମଧ୍ୟପ୍ରଦେଶର ରେଵା ରାଜାଙ୍କ ପାଖରେ କାର୍ଯ୍ୟ କରୁଥିଲେ। ବ୍ରଜ ଭାଷା, ସ˚ସ୍କୃତ ଏବ˚ ପାର୍ସୀ ଭାଷାର ସେ ଜଣେ ବିଦ୍ବାନ ଥିଲେ। ବ୍ରଜ ଭାଷାରେ ସେ ଅନେକ ପଦ୍ୟ ମଧ୍ୟ ରଚନା କରିଥିଲେ। ତାଙ୍କ ‘ହାଜିର ଜବାବ’ ବା ପ୍ରତ୍ୟୁତ୍ପନ୍ନମତିର ଖବର ପାଇ ଆକବର ତାଙ୍କୁ ନିଜ ଦରବାରକୁ ଅଣାଇଥିଲେ। ତାଙ୍କ ସହ ଆକବରଙ୍କ ନିବିଡ଼ ବନ୍ଧୁତାକୁ ମୋଗଲ ଦରବାରର ଜଣେ ରୂଢ଼ିବାଦୀ ସଭାସଦ୍ ଅବଦୁଲ କ୍ବାଜିର ବଦାୟୁନୀ ଆଦୌ ପସନ୍ଦ କରୁ ନ ଥିଲେ। ବଦାୟୁନୀଙ୍କ ମନରେ କ୍ଷୋଭ ଥିଲା ଯେ ଆକବର ଧାର୍ମିକ ଉଦାରବାଦୀ ନୀତିର ପକ୍ଷଧର ଏବ˚ ବୀରବଲ ଉକ୍ତ ନୀତିର ଜଣେ ମୁଖର ପ୍ରଶ˚ସକ। ଆକବର ଯେତେବେଳେ ‘ଦୀନ-ଇ-ଇଲାହୀ’ ନାମରେ ଏକ ଧାର୍ମିକ ଦର୍ଶନ ଆରମ୍ଭ କଲେ, ସେତିକି ବେଳେ ତା’ର ଏକମାତ୍ର ଗ୍ରହୀତା ଥିଲେ ବୀରବଲ। ଉକ୍ତ ଦର୍ଶନକୁ ଗ୍ରହଣ କରିବା ପାଇଁ ଆକବର କୌଣସି ନିର୍ଦ୍ଦେଶ ଦେଇ ନ ଥିଲେ ବୋଲି ମୋଗଲ ଅନ୍ତଃପୁରରେ ମଧ୍ୟ କେହି ତାକୁ ଆପଣାଇ ନ ଥିଲେ। ବୀରବଲଙ୍କ ସହ ବାଦଶାହଙ୍କ ବନ୍ଧୁତା ଏତେ ନିବିଡ଼ ଥିଲା ଯେ ଆକବର ଫତେହପୁର ସିକ୍ରୀ ରାଜପ୍ରାସାଦରେ ତାଙ୍କ ରହଣି ପାଇଁ ଏକ ମହଲ ମଧ୍ୟ ପ୍ରଦାନ କରିଥିଲେ। ଏକାଧିକ ସାମରିକ ଅଭିଯାନରେ ବୀରବଲ ଥିଲେ ମୋଗଲ ସମ୍ରାଟଙ୍କ ସହଗାମୀ।
ଆକବରଙ୍କ ଅନ୍ତରଙ୍ଗ ସଭାସଦ ବୀରବଲଙ୍କ ମୃତ୍ୟୁ ଥିଲା ଅତ୍ୟନ୍ତ ଦୁଃଖାନ୍ତକ। ସେତେବେଳେ ଆଫଗାନିସ୍ତାନ ଥିଲା ମୋଗଲ ସାମ୍ରାଜ୍ୟର ଅ˚ଶବିଶେଷ। ସେଠାରେ ୟୁସୁଫଜାଇ ଆଦିବାସୀ ଗୋଷ୍ଠୀ ବାରମ୍ବାର ମୋଗଲ ସାମ୍ରାଜ୍ୟ ବିରୋଧରେ ବିଦ୍ରୋହ କରୁଥିଲେ। ୧୫୮୫ରେ ଆରମ୍ଭ ହୋଇଥିବା ୟୁସୁଫଜାଇ ବିଦ୍ରୋହର ଦମନ ପାଇଁ ଆକବର ଏକ ବିଶାଳ ମୋଗଲ ସେନା ପଠାଇଲେ। ବୀରବଲଙ୍କୁ ଏହି ସାମରିକ ଅଭିଯାନର ଦାୟିତ୍ବ ଦେଲେ। ଏହି ସମୟରେ ଫେବ୍ରୁଆରି ୧୫୮୬ରେ ମୋଟ ଆଠ ହଜାର ମୋଗଲ ସେନା ଓ ବୀରବଲଙ୍କୁ ୟୁସୁଫଜାଇ ବିଦ୍ରୋହୀମାନେ ହତ୍ୟା କଲେ। ମୋଗଲ ସେନା ସକାଶେ ଏହା ଥିଲା ଏକ ଦାରୁଣ ପରାଜୟ। ହତ୍ୟା ପରେ ବୀରବଲଙ୍କ ମରଶରୀରର ଉଦ୍ଧାର ମଧ୍ୟ କରାଯାଇ ପାରି ନ ଥିଲା। ଆକବରଙ୍କ ଲାଗି ଏକ ବଡ଼ ଅବସୋସ ରହିଗଲା ଯେ ନିଜ ବନ୍ଧୁଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁଯାୟୀ ସ˚ପନ୍ନ ହୋଇ ପାରିଲା ନାହିଁ। ଆବୁଲ ଫଜଲଙ୍କ ବିବରଣୀ ଅନୁଯାୟୀ, ବୀରବଲଙ୍କ ମୃତ୍ୟୁ ସମ୍ବାଦ ଏବ˚ ଶବ ଉଦ୍ଧାର ନ ହେବାର ସୂଚନା ଆକବରଙ୍କୁ ଏତେ ମାତ୍ରାରେ ବ୍ୟଥିତ କରିଥିଲା ଯେ ଦୁଇ ଦିନ ଧରି ସେ ଅଖିଆ ରହିଗଲେ ଏବ˚ ଦରବାରକୁ ମଧ୍ୟ ଆସିଲେ ନାହିଁ।
ବୀରବଲଙ୍କୁ ନାୟକ ଚରିତ୍ରରେ ରଖି ସୃଷ୍ଟି ହୋଇଥିବା ଅସ˚ଖ୍ୟ କାହାଣୀ ହୁଏତ ସତ୍ୟ ନୁହେଁ, ମାତ୍ର ଆକବରଙ୍କ ସହ ବୀରବଲଙ୍କ ନିବିଡ଼ ବନ୍ଧୁତା ଆଦୌ ମନଗଢ଼ା ନୁହେଁ। ବୀରବଲଙ୍କ ପ୍ରତ୍ୟୁତ୍ପନ୍ନମତି ସମ୍ଭବତଃ ଥିଲା ବନ୍ଧୁତା ପଛର ମୁଖ୍ୟ ଆଧାର। ପରବର୍ତ୍ତୀ କାଳରେ ଏହା ଆକବର-ବୀରବଲ କାହାଣୀମାନର ଆଧାର ହେଲା ଓ ଲୋକଙ୍କ ମୁଖରେ ଏବଂ ମନରେ ବସା ବାନ୍ଧିଲା। ବୀରବଲ ଜଣେ ମୋଗଲ ସଭାସଦ ତୁଳନାରେ ଅଧିକ ପରିଚିତି ପାଇଲେ ଲୌକିକ ବୁଦ୍ଧିର ଅଲୌକିକ ପ୍ରୟୋଗକାରୀ ଭାବେ। କ୍ରମେ ଲୋକ ନିଜକୁ ସୁହାଇଲା ଭଳି ଏବଂ ନିଜ ବୁଦ୍ଧିରୁ ଆକବର-ବୀରବଲ କାହାଣୀମାନ ତିଆରି କଲେ ଏବଂ ଇତିହାସକୁ ନିଜ ଢଙ୍ଗରେ ଗଢ଼ିଲେ। ଇତିହାସର ରଚନା ଓ ପୁନଃରଚନା ପ୍ରକ୍ରିୟାକୁ ଚିହ୍ନିବା ପାଇଁ ଏହି ଉପାଖ୍ୟାନ କ’ଣ ଯଥେଷ୍ଟ ଖୋରାକ ଯୋଗାଏ ନାହିଁ?
[email protected]