ପ୍ରଖ୍ୟାତ ଫକିର ସନ୍ଥ ଜୁନୈଦ୍ଙ୍କୁ ନେଇ ଏ କାହାଣୀ।
ଥରେ ଜୁନୈଦ କୌଣସି ଏକ ସ୍ଥାନକୁ ଯାଉଥିବା ବେଳେ କେଉଁଠାରୁ ଏକ ପଥର ତୀର ବେଗରେ ଆସି ତାଙ୍କ ଗୋଡ଼ରେ ବାଜିଲା। ତାହା ଗଭୀର କ୍ଷତ ସୃଷ୍ଟି କଲା ଏବଂ ଧାର ଧାର ରକ୍ତ ବହିଲା। ସମ୍ଭବତଃ କୌଣସି ବ୍ୟକ୍ତି ଗଛରୁ ଫଳ ଝଡ଼ାଇବା ଲାଗି ପଥର ମାରିଥିଲେ, ଯହିଁରୁ ଏଭଳି ଘଟିଲା।
ସେ ଯାହା ହେଉ, ଜୁନୈଦ୍ କିନ୍ତୁ ତତ୍କ୍ଷଣାତ୍ ନତଜାନୁ ହୋଇ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରି ପ୍ରାର୍ଥନା କରିବାକୁ ଲାଗିଲେ। ଏଥିରେ ବିସ୍ମିତ ହୋଇ ସେଠାରେ ଥିବା ଜଣେ ବ୍ୟକ୍ତି ପଚାରିଲେ- ପଥର ବାଜି ଆପଣ ଆହତ ହେଲେ, ଅଥଚ ଭଗବାନଙ୍କୁ କୃତଜ୍ଞତା ଜଣାଉଛନ୍ତି! ଏହାର କାରଣ?
ଏହା ଶୁଣି ଜୁନୈଦ କେବଳ ଟିକିଏ ହସିଲେ ଏବଂ କହିଲେ- ଏହା ମୁଣ୍ଡରେ ବି ବାଜି ପାରି ଥାଆନ୍ତା!
ଏହି କଥାଟି କହିସାରି ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ କହିଲେ- ଆମେମାନେ ଜୀବନରେ ଯାହା କିଛି ପାଇଛେ, ତାହାକୁ ଈଶ୍ବରଙ୍କ ପ୍ରସାଦ ଭାବେ ଗ୍ରହଣ କରିପାରିଲେ, ମନରୁ ଭୟ ଦୂର ହେବା ସହିତ ଆମେ ଅଦ୍ଭୁତ ଶାନ୍ତି ଲାଭ କରିପାରିବା। କାରଣ ଆମ ଜୀବନରେ ଯେ କୌଣସି ଦୁର୍ଭାଗ୍ୟ ଘଟିଲେ ବି ଏହା ଠାରୁ ଅଧିକ ଦୁର୍ଭାଗ୍ୟ ଯେ ଘଟି ପାରନ୍ତା, ତାହା ଆମେ ସମସ୍ତେ ହୃଦ୍ବୋଧ କରିଥାଉଁ। ସେହି ଦୃଷ୍ଟିରୁ ଯାହା ମିଳିଲା, ତାହା ଈଶ୍ବରଙ୍କ ଆଶୀର୍ବାଦ ବୋଲି ଭାବିନେଲେ ମନେର ଏକ ପ୍ରତ୍ୟୟ ମଧ୍ୟ ସୃଷ୍ଟି ହୋଇଥାଏ ଯେ ଈଶ୍ବରଙ୍କ ଦୃଷ୍ଟି ଆମ ଉପରେ ସର୍ବଦା ରହିଛି।