ମାନ୍ୟବର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମାତ୍ର ଅଳ୍ପ କିଛି ଦିନର ବ୍ୟବଧାନରେ ଯେଉଁ ଗୋଟିଏ ବିବାଦାସ୍ପଦ ପ୍ରସଙ୍ଗକୁ ଦୁଇ ଥର ଉଠାଇଲେଣି, ତାହା ପ୍ରକୃତରେ ଏକ ପ୍ରଶ୍ନ ଯେ ସ˚ସଦ ଦ୍ବାରା ସୃଷ୍ଟ କୌଣସି ଆଇନର ତର୍ଜମା କରି ଇଚ୍ଛା କଲେ ତାହାକୁ ଅଚଳ କରି ଦେବାର ଅଧିକାର ଓ କ୍ଷମତା ସୁପ୍ରିମ୍‌ କୋର୍ଟର ଅଛି କି? ପ୍ରକାଶ ଥାଉ କି ଉପରାଷ୍ଟ୍ରପତିଙ୍କ ଦ୍ବାରା ଉତ୍‌ଥାପିତ ପ୍ରଶ୍ନର ମୂଳଟି ନିହିତ ଅଛି ସୁପ୍ରିମ୍‌ କୋର୍ଟଙ୍କ ସେହି ନିଷ୍ପତ୍ତିରେ, ଯାହା ବିଚାରପତି ନିଯୁକ୍ତି ପରିପ୍ରେକ୍ଷୀରେ ୨୦୧୪ ମସିହାରେ ଆସିଥିବା ‘ନେସନାଲ ଜୁଡିସିଆଲ୍‌ ଆପଏଣ୍ଟମେଣ୍ଟ କମିସନ’ ବା ‘ଏନ୍‌.ଜେ.ଏ.ସି’ ଆଇନକୁ ରଦ୍ଦ କରିଦେଇ ପୂର୍ବର ‘କଲେଜିଅମ ବ୍ୟବସ୍ଥା’କୁ କାଏମ ରଖିଥିଲା। ଉପରାଷ୍ଟ୍ରପତି ମହୋଦୟଙ୍କ ଦୃଷ୍ଟିରେ ଏକ ଗଣତନ୍ତ୍ରରେ ଆଇନ ପ୍ରଣୟନ କରିବା ସଂଦର୍ଭରେ ବ୍ୟବସ୍ଥାପକ ସଭା ବା ସ˚ସଦର ସାର୍ବଭୌମ କ୍ଷମତାକୁ ବିଚାର ବିଭାଗ ବା ସୁପ୍ରିମ୍‌ କୋର୍ଟ କୌଣସି ପ୍ରକାରେ ଖର୍ବ କରି ପାରିବ ନାହିଁ; ଯାହା ଏକ ବିତର୍କିତ ପ୍ରଶ୍ନ ରୂପେ ଆବିର୍ଭୂତ ହୋଇଛି। ପୁଣି ଏହା ଏଭଳି ଏକ ବିଡ଼ମ୍ବିତ ପ୍ରଶ୍ନ ଯେ ଏହାର ସ୍ପଷ୍ଟ ଉତ୍ତରଟିଏ ପାଇବା ମଧୢ ଏକ ଦୁରୂହ ବ୍ୟାପାର। ତେବେ ଏ ସ˚ଦର୍ଭରେ ଏକ କ୍ଷୁଦ୍ର ବିମର୍ଶ ସକାଶେ ଯଦି ଏଠାରେ ଅବକାଶ ମିଳିଛି, ତାହାକୁ ମଧୢ ହାତଛଡ଼ା କରାଯାଇ ନ ପାରେ।

Advertisment

ଏ ପରିପ୍ରେକ୍ଷୀ‌େର ପ୍ରଥମେ ଏହି ବିବାଦର ପ୍ରକୃତ ମଞ୍ଜି ନିକଟକୁ ଯିବା, ଯାହା ୧୯୭୩ ମସିହାର କେଶବାନନ୍ଦ ଭାରତୀ ମାମଲାର ଶୁଣାଣି କାଳରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ୧୩ ଜଣିଆ ବେଞ୍ଚ ଦ୍ବାରା ‘ବେସିକ୍‌ ଷ୍ଟ୍ରକଚର‌୍‌ ଡକ୍‌ଟ୍ରିନ୍‌’ ବା ‘ମୂଳ ଗଢ଼ଣ ସିଦ୍ଧାନ୍ତ’ ଭାବେ ରୂପ ପାଇଥିଲା। ଏହି ପ୍ରକ୍ରିୟାରେ ସ˚ବିଧାନର ‘ବେସିକ୍‌ ଷ୍ଟ୍ରକ୍‌ଚର୍‌’ ବା ‘ମୂଳ ଗଢ଼ଣ’କୁ ନିର୍ଦ୍ଦିଷ୍ଟ ରୂପେ ସ˚ଜ୍ଞାବଦ୍ଧ କରି ମାନ୍ୟବର ବେଞ୍ଚ ସ୍ପଷ୍ଟ ଭାବେ କହିଥିଲେ ଯେ ସ˚ସଦ ଦ୍ବାରା ପ୍ରଣୀତ କୌଣସି ନୂଆ ଆଇନ ବା ସ˚ଶୋଧନ ଯେମିତି ସ˚ବିଧାନର ମୂଳ ଗଢ଼ଣକୁ କ୍ଷତି ନ ପହଞ୍ଚାଏ; ଉଦାହରଣ ସ୍ବରୂପ ସ˚ବିଧାନରେ ଉଲ୍ଲିଖିତ ନାଗରିକଙ୍କ ମୌଳିକ ଅଧିକାରମାନ ଯେମିତି କୌଣସି ଆଇନ ଦ୍ବାରା କ୍ଷୁଣ୍ଣ ହୋଇ ନ ଯାଏ! ଉଲ୍ଲେଖ ଥାଉ କି ‘ବେସିକ୍‌ ଷ୍ଟ୍ରକଚର୍‌’କୁ ପରିଭାଷିତ କଲା ବେଳେ ମୂଳ ଗଢ଼ଣର ଯେଉଁ ଉପାଦାନଗୁଡ଼ିକୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି, ତହିଁରେ ‘ଜୁଡିସିଆରି ରିଭ୍ୟୁ’ ବା ‘ବିଚାର ବିଭାଗର ସମୀକ୍ଷା’ ଅନ୍ତର୍ଭୁକ୍ତ, ଯାହାକୁ ଉପରାଷ୍ଟ୍ରପତି ମହୋଦୟ ସ˚ସଦର କ୍ଷମତାକୁ ଖର୍ବ କରୁଥିବା ଏକ ପଦକ୍ଷେପ ବୋଲି ବିଚାର କରିଥାଆନ୍ତି। ତାଙ୍କ ମତାନୁସାରେ ଏକ ଗଣତନ୍ତ୍ରରେ ନିର୍ବାଚିତ ଜନ-ପ୍ରତିନିଧିମାନଙ୍କ ଦ୍ବାରା ଆଇନ ପ୍ରଣୟନ କରିବାର କ୍ଷମତା କ୍ଷେତ୍ରଟି ସମସ୍ତ ବାହ୍ୟ ହସ୍ତକ୍ଷେପର ଊର୍ଦ୍ଧ୍ବରେ ରହିବା ଆବଶ୍ୟକ। ଏହି ପ୍ରସଙ୍ଗରେ ଉପରାଷ୍ଟ୍ରପତିଙ୍କ ସପକ୍ଷବାଦୀମାନେ ଆହୁରି ପାଦେ ଆଗେଇ ଯାଇ କହିଥାନ୍ତି ଯେ ‘ବେସିକ୍‌ ଷ୍ଟ୍ରକ୍‌ଚର୍‌’ ଭଳି ଏକ ଧାରଣା ସ˚ବିଧାନ ପ୍ରଣେତାମାନଙ୍କ ମସ୍ତିଷ୍କରେ ନ ଥିଲା, ଯାହା ଆଜିକୁ ଅର୍ଦ୍ଧ ଶତାବ୍ଦୀ ତଳେ ଆପଣା ଆଧିପତ୍ୟ ପ୍ରଦର୍ଶନ ସକାଶେ ଉଦ୍‌ଗ୍ରୀବ ବିଚାର ବିଭାଗ ଉଦ୍ଭାବନ କରିଛି। କିନ୍ତୁ ଏଠାରେ ସ୍ମରଣଯୋଗ୍ୟ ଯେ ସପ୍ତମ ଦଶକର ମଧୢ ଭାଗରେ ଏକଛତ୍ରବାଦୀ ଆଭିମୁଖ୍ୟଧାରିଣୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ସ˚ବିଧାନର ମୂଳ ଆଦର୍ଶକୁ ଆଘାତ ପହଞ୍ଚାଇଲା ଭଳି ଧାରାବାହିକ ଭାବେ ଅଣାଯାଉଥିବା ସ˚ବିଧାନ ସ˚ଶୋଧନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇବା ଲାଗି ମାନ୍ୟବର ସର୍ବୋଚ୍ଚ ଅଦାଲତ (କେଶବାନନ୍ଦ ଭାରତୀ ମକଦ୍ଦମାରେ) ଏଭଳି ଏକ ନିଷ୍ପତ୍ତି ଶୁଣାଇଥିଲେ। ତେବେ ସେ ଯାହା ହେଉ, ବର୍ତ୍ତମାନ ମାନ୍ୟବର ଉପରାଷ୍ଟ୍ରପତିଙ୍କ ମତର ଯୌକ୍ତିକତା ଉପରେ ଏକ ସ˚କ୍ଷିପ୍ତ ଆଲୋଚନା କରାଯାଉ।

ଏଥିରେ ଦ୍ବିରୁକ୍ତି ନାହିଁ ଯେ ଗଣତନ୍ତ୍ରର ଉପାସନା ସ୍ଥଳ ଭାବେ ଅଭିହିତ ସ˚ସଦ ଠାରେ ଆଇନ ପ୍ରଣୟନ କରିବାର ଅଖଣ୍ତ କ୍ଷମତା ନିହିତ ଅଛି। କିନ୍ତୁ, ପ୍ରଶ୍ନ ହେଲା ସ˚ସଦ ଦ୍ବାରା ପ୍ରଣୀତ କୌଣସି ଆଇନ ଅକାଟ୍ୟ କି? ବା ବିଶେଷ ସ୍ଥିତିରେ କୌଣସି ଆଇନକୁ ରଦ୍ଦ ବା ପରିବର୍ତ୍ତନ କରିବାର ସାର୍ବଭୌମ କ୍ଷମତା କ’ଣ କେବଳ ସ˚ସଦ ନିକଟରେ ହିଁ ରହିବ? ଏଭଳି ସ୍ଥଳେ ସରକାର ଗଢ଼ିଥିବା ଏକ ରାଜନୈତିକ ଦଳ ସଂସଦରେ ତାର ସଂଖ୍ୟା ଗରିଷ୍ଠତାର ବଳରେ ଆପଣା ଆଭିମୁଖ୍ୟ ବା ପ୍ରତିଶ୍ରୁତି ଚରିତାର୍ଥ କରିବା ଲାଗି ପ୍ରଣୟନ କରୁଥିବା କୌଣସି ଆଇନ ଯଦି ସେହି ଦଳକୁ ଭୋଟ ଦେଇ ନ ଥିବା ନାଗରିକମାନଙ୍କ ହିତର ପ୍ରତିକୂଳରେ ଯାଏ, ତେବେ ସେମାନଙ୍କୁ ତହିଁରୁ ସୁରକ୍ଷା ମିଳିବ କିଭଳି? ୨୦୧୯ ମସିହା ନିର୍ବାଚନରେ ପଡ଼ିଥିବା ସମୁଦାୟ ପ୍ରାୟ ୬୧ କୋଟି ୪୭ ଲକ୍ଷଟି ଭୋଟରୁ ଭାରତୀୟ ଜନତା ପାର୍ଟି ପ୍ରାୟ ୨୩ କୋଟି ଭୋଟ ପାଇ ସରକାର ଗଢ଼ିଥିବା ବେଳେ କ˚ଗ୍ରେସ ପାଇଥିବା ଭୋଟର ସ˚ଖ୍ୟା ଥିଲା ପ୍ରାୟ ୧୨ କୋଟି; ଯାହା ସ୍ପଷ୍ଟ କରେ ଯେ କ˚ଗ୍ରେସର ଜନାଧାର ମଧୢ ଅତ୍ୟନ୍ତ ବିଶାଳ। ସୁତରାଂ, ଏହି ବିଶାଳ ଜନ ସମୂହ ଉପରେ ସେମାନଙ୍କ ଆଶାର ବିପରୀତରେ ଯାଉଥିବା କୌଣସି ଆଇନ ଲଦି ଦିଆଯାଇ ପାରିବ କି?

ଏଭଳି ସ୍ଥଳେ ଏକ ସ୍ବାଧୀନ ଅନୁଷ୍ଠାନ ଦ୍ବାରା ଶଂସିତ ଆଇନର ସମୀକ୍ଷାର ଆବଶ୍ୟକତା ପଡ଼ିଥାଏ। ଦ୍ବିତୀୟରେ ବାରମ୍ବାର ଦଳ ପରିବର୍ତ୍ତନ କରୁଥିବା ସା˚ସଦମାନେ ରାତାରାତି ସେମାନଙ୍କ ରାଜନୈତିକ ମତାଦର୍ଶରେ ପରିବର୍ତ୍ତନ ଘଟାନ୍ତି। ଏଭଳି ସ୍ଥଳେ ସ˚ସଦ ଚିନ୍ତାଧାରା ବା ମତାଦର୍ଶର ଯେଉଁ ତାରଲ୍ୟ ଦ୍ବାରା ପୀଡ଼ିତ ହୋଇଥାଏ, ସେଥିରେ ଅକ୍ଷୟ ଆଇନମାନ ସୃଷ୍ଟି କରିବାର ନିରଙ୍କୁଶ କ୍ଷମତା ଅବିମୃଶ୍ୟକାରୀ ହେବା ଭଳି ମନେ ହୋଇ ନ ଥାଏ କି? ଏ ପରିପ୍ରେକ୍ଷୀରେ ‘ଏଡିଆର‌୍‌’ ଦ୍ବାରା ପ୍ରକାଶିତ ଏକ ପରିସ˚ଖ୍ୟାନ କହିଥାଏ ଯେ ୨୦୧୪ ମସିହାରୁ ୨୦୨୧ ମସିହା ମଧୢରେ ପ୍ରାୟ ଚାରି ଶହ ସା˚ସଦ ସେମାନଙ୍କ ଦଳ ଥରେ ବା ଏକାଧିକ ଥର ପରିବର୍ତ୍ତନ କରି ସାରିଛନ୍ତି, ଯହିଁରେ ପେଣ୍ତୁଲମର ଦୋଳନ ତୁଲ୍ୟ ସେମାନେ ନିଜ ପୂର୍ବ ମତାଦର୍ଶର ସ˚ପୂର୍ଣ୍ଣ ବିପରୀତ ରାଜନୈତିକ ଆଦର୍ଶକୁ ଲଂଫ ମାରିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଭୋଟ ଦେଇଥିବା ନାଗରିକମାନଙ୍କ ପ୍ରତିନିଧିତ୍ବ ସେମାନେ କରିଥାଆନ୍ତି ବୋଲି କୁହାଯାଇ ପାରିବ କି? ତୃତୀୟରେ, ଏକ ବିବ୍ରତକାରୀ ପରିସ˚ଖ୍ୟାନ କହିଥାଏ ଯେ ଚଳିତ ସ˚ସଦରେ ୪୩ ପ୍ରତିଶତ ସା˚ସଦଙ୍କ କୌଣସି ନା କୌଣସି ଆପରାଧିକ ପୃଷ୍ଠଭୂମି ରହିଛି। ଆଇନ ପ୍ରଣୟନରେ ଏଭଳି ସା˚ସଦମାନଙ୍କ ସ˚ପୃକ୍ତି ପ୍ରକ୍ରିୟାଟିକୁ ସନ୍ଦେହାସ୍ପଦ କରି ପକାଇବା ସ୍ବାଭାବିକ ନୁହେଁ କି? ସୁତରା˚, ସୁପ୍ରିମ୍‌ କୋର୍ଟ ଦ୍ବାରା କୌଣସି ଆଇନର ସମୀକ୍ଷା ଯୁକ୍ତିଯୁକ୍ତ ଭଳି ମନେ ହୋଇଥାଏ।

କିନ୍ତୁ, ପ୍ରଶ୍ନ ଉଠେ ଯେ ଏଭଳି ସ୍ଥିତିରେ ସୁପ୍ରିମ୍‌ କୋର୍ଟ ଯେଉଁ ଏକାଧିପତ୍ୟ ଲାଭ କରିଛନ୍ତି ତା’ ଉପରେ ଅଙ୍କୁଶ ଲାଗିବ କେମିତି? ଏହି ପରିପ୍ରେକ୍ଷୀରେ ଅଦାଲତଗୁଡ଼ିକ ଦ୍ବାରା ଏକଚାଟିଆ ଭାବେ ନିଆଯାଉଥିବା ନିଷ୍ପତ୍ତିମାନର ଦୃଷ୍ଟାନ୍ତ ଦେଇ କୁହାଯାଇଥାଏ ଯେ ବସ୍ତୁତଃ ଏକ ‘ଆକ୍ଟିଭିଷ୍ଟ’ରେ ପରିଣତ ହୋଇଥିବା ଅଦାଲତଗୁଡ଼ିକ ସରକାରୀ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବାର ଏକ ଧାରା ସୃଷ୍ଟି କଲେଣି। ସେହି ଦୃଷ୍ଟିରୁ ‘ଏନ୍‌.ଜେ.ଏ.ସି.’ ଆଇନକୁ ରଦ୍ଦ କରି ପୂର୍ବବତ୍‌ କଲେଜିଅମ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ସକାଶେ ସୁପ୍ରିମ୍‌ କୋର୍ଟ ନେଇଥିବା ନିଷ୍ପତ୍ତିର ଉଦାହରଣ ଦେଇ ସେମାନେ କହିଥାଆନ୍ତି ଯେ ବିଚାରପତିମାନେ ନିଜେ ନିଜକୁ ନିଯୁକ୍ତ କରିବା ଯୁକ୍ତିସ˚ଗତ କି? ସୁତରାଂ, ବିଚାର ବିଭାଗର ଏକାଧିପତ୍ୟକୁ ନିୟନ୍ତ୍ରଣ କରିବ କିଏ? ଅବଶ୍ୟ ଏହା ସତ ଯେ କଲେଜିଅମ ବ୍ୟବସ୍ଥାରେ ନିଯୁକ୍ତି ପାଉଥିବା ବିଚାରପତିମାନଙ୍କ ନାମର ତାଲିକା ସରକାରଙ୍କ ନିକଟକୁ ଯାଇଥାଏ, ଯେଉଁଠି ସରକାର ଚାହିଁଲେ ତାଙ୍କ ପରାମର୍ଶ ପ୍ରଦାନ କରି ପାରନ୍ତି ବା ହସ୍ତକ୍ଷେପ କରି ପାରନ୍ତି। ତେବେ ସେ ଯାହା ହେଉ, ଏହି ପ୍ରସଙ୍ଗ ଯେ ଅତ୍ୟନ୍ତ ସ୍ପର୍ଶକାତର ଏଥିରେ ସନ୍ଦେହ ନାହିଁ। ସୁତରା˚, ଏ ବିଷୟରେ ବ୍ୟାପକ ଓ ଗଭୀର ବିତର୍କ ହେବା ଆବଶ୍ୟକ।

ଏହି ପରିପ୍ରେକ୍ଷୀରେ ଭାରତୀୟ ଗଣତନ୍ତ୍ରର ଦୁଇ ମଥାନ ‘ସ˚ସଦ’ ଏବ˚ ‘ସୁପ୍ରିମ୍‌ କୋର୍ଟ’ଙ୍କ ମଧୢରେ ଜାତ ବିବାଦ ପଞ୍ଚତନ୍ତ୍ର କାହାଣୀର ଭାରୁଣ୍ତ ପକ୍ଷୀ ଉପାଖ୍ୟାନ ସ୍ମରଣକୁ ଆଣିଥାଏ। ଦୁଇଟି ମୁଣ୍ତ ଏବ˚ ଗୋଟିଏ ଶରୀର ବିଶିଷ୍ଟ ଭାରୁଣ୍ତ ପକ୍ଷୀର ଗୋଟିଏ ମୁଣ୍ତ ଅନ୍ୟ ମୁଣ୍ତ ଉପରେ କ୍ରୋଧାନ୍ବିତ ହୋଇ ପ୍ରତିଶୋଧ ନେବା ସକାଶେ ଏକ ବିଷଫଳ ଭକ୍ଷଣ କରି ଦେଇଥିଲା। ଅନ୍ୟ ମୁଣ୍ତଟିର ବିକଳ ବାରଣକୁ କର୍ଣ୍ଣପାତ କରି ନ ଥିବା ଦ୍ବିତୀୟ ମୁଣ୍ତର ଅପରିଣାମଦର୍ଶିତା ପରିଶେଷରେ ଭାରୁଣ୍ତ ପକ୍ଷୀର ମୃତ୍ୟୁର କାରଣ ହୋଇଥିଲା। ଆମେ ଆଶା କରିବା ଯେ ଭାରୁଣ୍ତ ପକ୍ଷୀ ତୁଲ୍ୟ ଏକ ଆତ୍ମଘାତୀ କଳହ ଆମ ଗଣତନ୍ତ୍ର ନ ଦେଖୁ! ଏହାର ଏକ ଦୂରଦର୍ଶୀ ସମାଧାନ ସମ୍ଭବ ହେଉ।