ବୁଲା ଗାଈଗୋରୁଙ୍କ ସମସ୍ୟା

ଏବେ ସହର ହେଉ କି ଗାଁ, ରାଜପଥ ହେଉ କି ଚାଷ ଜମି, ସବୁଠି ଗାଈ, ବଳଦ ଓ ଷଣ୍ଢମାନଙ୍କୁ ଦିନ ରାତି ଦେଖିବାକୁ ମିଳୁଛି। ଯେତେବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରି ସେଲସିଅସ ରହି ଜନଜୀବନକୁ ଦୁର୍ବିଷହ କରି ପକାଇଥିଲା, ସେତିକି ବେଳେ ଏହି ଗୃହପାଳିତ ପଶୁମାନେ ଗୁହାଳରୁ ନିର୍ବାସିତ, ଖାଦ୍ୟ ପାଣି ବିବର୍ଜିତ ହୋଇ ଇତଃସ୍ତତ ଘୂରି ବୁଲିବାକୁ ବାଧ୍ୟ ହେଲେ। ଆମ କୃଷିପ୍ରଧାନ ଜୀବନରେ ଗାଈ, ବଳଦ ଓ ଷଣ୍ଢ ଆଦି ଅଙ୍ଗାଙ୍ଗୀ ରୂପେ ଜଡ଼ିତ। ଆମ ପୂଜା-ପାର୍ବଣ ସଂସ୍କୃତି ଓ ପରଂପରାରେ ଗୋ ଜାତିର ସଂପୃକ୍ତି ଓ ସ୍ଥାନ ବିଷୟରେ କିଏ ବା ନ ଜାଣେ? କିନ୍ତୁ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଗୋ ଜାତିର ଯତ୍ନ ଓ ରକ୍ଷଣାବେକ୍ଷଣ ନେଇ ଯେଉଁ ଆଗ୍ରହ ବା ନିଷ୍ଠା ପ୍ରଦର୍ଶିତ ‌େହଉଥିଲା, ତାହା ସଂପ୍ରତି ନିଷ୍ପ୍ରଭ ହୋଇପଡ଼ିଥିବା ଦେଖାଯାଉଛି, ଯାହା ଏକ ଦୁର୍ଭାଗ୍ୟର ବିଷୟ।

ଏବେ କୃଷି ପାରଂପରିକ ପଦ୍ଧତି ଛାଡ଼ି ଯନ୍ତ୍ର ନିର୍ଭର ହେଲାଣି, ଯାହା ଯୁଗୋପଯୋଗୀ ମଧ୍ୟ। କିନ୍ତୁ ତଦ୍ଦ୍ବାରା ବଳଦଗୁଡ଼ିକ ସ୍ବାଭାବିକ ଭାବେ ଅପାଂକ୍ତେୟ ହୋଇ ପଡ଼ିଛନ୍ତି। ତେଣୁ ଅନେକ ସ୍ଥାନରେ ଗାଈ ଠାରେ ଅଣ୍ଡିରା ବାଛୁରୀ ଜନ୍ମ ହେଲେ ତାକୁ କିଛି ଦିନ ପରେ ପରିତ୍ୟକ୍ତ କରି ଦିଆଯାଉଛି ଯାହା ଏବେ ବୁଲା ଷଣ୍ଢଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟାଇଛି। ଏହା ମନୁଷ୍ୟର କପଟାଚରଣର ଉଦାହରଣ। ଏବେ ବି ଗାଈଗୁଡ଼ିକ ଗୁହାଳରେ ଶୋଭା ପାଉଛନ୍ତି, ଯାହାର କାରଣ ସେମାନଙ୍କ ଦୁଗ୍‌ଧୋହାର ପାଳକମାନଙ୍କ ଲାଗି ଆର୍ଥିକ ଲାଭ ପ୍ରଦାନ କରୁଛି। ତେଣୁ ‌େଯଉଁ ଦିନ ଗାଈଟି ବୟସାଧିକ୍ୟ ହେତୁ ଆଉ କ୍ଷୀର ଦେବା ଅବସ୍ଥାରେ ରହୁନାହିଁ, ତାକୁ କଂସେଇକୁ ବିକ୍ରି କରି ଦିଆଯାଉଛି ବା ବାହାରେ ବୁଲିକାକୁ ଛାଡ଼ି ଦିଆଯାଉଛି।

କିନ୍ତୁ ଏହି କପଟାଚାରର ତୀବ୍ରତା ସେତିକି ବେଳେ ଦେଖିହୁଏ, ଯେତେବେଳେ ଗାଈଗୁଡ଼ିକ ସାମୟିକ ଦୁଗ୍‌ଧ ଦେବା ସ୍ଥିତିରେ ନ ଥିଲେ ସେମାନଙ୍କୁ ଘରୁ ବାହାର କରି ଦିଆଯାଏ ଏବଂ ପୁଣି ସେମାନେ ସନ୍ତାନ ଜନ୍ମ ଦେଇ ପୁଣି ଦୁଗ୍‌ଧ ଦେବା ଯୋଗ୍ୟ ହୋଇଗଲେ, ସେମାନଙ୍କୁ ଗୁହାଳରେ ବାନ୍ଧି ଦୁଗ୍‌ଧ ଅମଳ କରାଯାଏ। ସେମିତି କୃତ୍ରିମ ପଦ୍ଧତିର ପ୍ରଜନନ ହେତୁ ଷଣ୍ଢମାନଙ୍କର ଆବଶ୍ୟକତା ମଧ୍ୟ ନାହିଁ କହିଲେ ଚଳେ। ଏଭଳି ପରିସ୍ଥିତିରେ ଗାଈଗୋରୁଗୁଡ଼ିକ ଘୂରିବୁଲି ବିଲବାଡ଼ିରେ ଫସଲ ନଷ୍ଟ କରିବା ବା ରାସ୍ତାଘାଟ ଅବରୋଧ କରି ଦୁର୍ଘଟଣାର କାରଣ ହେବା ଉଦ୍‌ବେଗ ସୃଷ୍ଟି କରିଛି। ଏଣୁ ବୁଲା ଗୋରୁମାନଙ୍କ ତତ୍ତ୍ବାବଧାନ ଲାଗି ଗୋଶାଳା ନିର୍ମାଣ କରାଯାଉ। ବେଙ୍ଗାଲୁରୁ ବା ଅନ୍ୟାନ୍ୟ କେତେକ ସ୍ଥାନରେ ଗୋଶାଳାରୁ ବାହାରୁଥିବା ଗୋବରରୁ ଜୈବ ସାର ଏବଂ ମୂତ୍ରକୁ ସଂଗ୍ରହ କରି ଚିକିତ୍ସା ସକାଶେ ବ୍ୟବହାର କରାଯାଉଛି। ଆମ ରାଜ୍ୟରେ ମଧ୍ୟ ସେଭଳି ଉଦ୍ୟମ କରାଯିବା ଉଚିତ।
ମଙ୍ଗଳା ପ୍ରସାଦ ମହାନ୍ତି
ପୂର୍ବତନ ସଚିବ, ଓଡ଼ିଶା ରାଜ୍ୟ ରେଡକ୍ରସ, ଭୁବନେଶ୍ବର

ସମ୍ବନ୍ଧିତ ଖବର