ସ୍ୱାମୀ ବିବେକାନନ୍ଦ- ଏହି ନାମ ଉଚ୍ଚାରଣ କରିବା ମାତ୍ରେ ଅନ୍ତରରେ ଅଖଣ୍ଡ ଛନ୍ଦ ଓ ଅନିର୍ବଚନୀୟ ମାଧୁରୀର ଅନନ୍ତ ଧାରା ପ୍ରବାହିତ ହୋଇଯାଏ। ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ସନାତନ ପରଂପରାର ପ୍ରଥମ ସନ୍ନ୍ୟାସୀ ଯିଏ ସ୍ୱର୍ଗକୁ ତୁଚ୍ଛ କରି ସଂସାରକୁ ଭଲ ପାଇଥିଲେ, ଦେବଦେବୀଙ୍କ ପୂଜାକୁ ଅଣଦେଖା କରି ଦରିଦ୍ର ଓ ଅସହାୟ ବ୍ୟକ୍ତିର ଆରାଧନା କରିଥିଲେ ଏବଂ ବ୍ୟକ୍ତିଗତ ମୋକ୍ଷ ଅପେକ୍ଷା ସାମାଜିକ ଓ ଆର୍ଥିକ ଶିଡ଼ିର ନିମ୍ନ ପାହାଚରେ ବାସ କରୁଥିବା ବ୍ୟକ୍ତିଙ୍କର ଜୀବନର ମାନ ବୃଦ୍ଧି ନିମନ୍ତେ ସଂକଳ୍ପ ନେଇଥିଲେ। ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ପ୍ରଥମ ସନ୍ନ୍ୟାସୀ ଯିଏ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଧର୍ମର ପରିପନ୍ଥୀ ଭାବେ ଗ୍ରହଣ ନ କରି ଦୁଇଟି ମଧ୍ୟରେ ସମନ୍ୱୟର ଧାରା ପ୍ରତିଷ୍ଠା କରିଥିଲେ। ତାଙ୍କରି ପ୍ରେରଣାରେ ଆଜିର ବେଙ୍ଗାଲୁରୁସ୍ଥିତ ‘ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ସାଇନ୍‌ସ’ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ। ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ପ୍ରଥମ ସନ୍ନ୍ୟାସୀ ଯାହାଙ୍କ ଉଦ୍ୟମରେ ସନାତନ ଧର୍ମର ମହତ୍ତ୍ୱ ସାରା ବିଶ୍ୱରେ ସ୍ୱୀକୃତି ପାଇଥିଲା। ସାହିତ୍ୟରେ ନୋବେଲ ବିଜେତା ଶାନ୍ତି, ସହାବସ୍ଥାନର ଅଗ୍ରଦୂତ ରୋମା ରୋଲାଁ ଥରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କୁ ପତ୍ରରେ ପଚାରିଥିଲେ- ମୁଁ ଭାରତ ବର୍ଷକୁ ଜାଣିବାକୁ ଚାହେଁ। ଦୟାକରି ମୋତେ ମାର୍ଗଦର୍ଶନ କରନ୍ତୁ। ଗୁରୁଦେବ ଉତ୍ତର ଦେଇଥିଲେ- ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କରନ୍ତୁ। ଭାରତର ଅନ୍ତରାତ୍ମା ସ୍ୱତଃ ଉଦ୍‌ଭାସିତ ହୋଇ ଉଠିବ। ପ୍ରକୃତରେ ସେ ଥିଲେ ଭାରତୀୟ ଅନ୍ତରାତ୍ମାର ମୁକୁର।

Advertisment

୧୮୮୬ ମସିହାରେ ଶ୍ରୀରାମକୃଷ୍ଣଙ୍କ ମହାପ୍ରୟାଣ ପରେ ୧୮୮୮ ମସିହାରୁ ୧୮୯୨ ମସିହା ପର୍ଯ୍ୟନ୍ତ ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ପ୍ରତ୍ୟକ୍ଷ କରିବା ପାଇଁ ପରିବ୍ରାଜକ ଜୀବନ ବିତାଇଥିଲେ। ଏହି ପାଞ୍ଚ ବର୍ଷ ମଧ୍ୟରେ ସେ ସମାଜର ସବୁ ବର୍ଗର ବ୍ୟକ୍ତି ରାଜା ମହାରାଜା, ଦୁଃଖୀ ଦରିଦ୍ର, ବିଦ୍ୱାନ ନିରକ୍ଷର, ହିନ୍ଦୁ ମୁସଲମାନଙ୍କ ସଂସ୍ପର୍ଶରେ ଆସି ନିଷ୍ପେଷିତ, ଅସହାୟ ବ୍ୟକ୍ତିଙ୍କର ଯନ୍ତ୍ରଣା ଅନୁଭବ କରିଥିଲେ। ୧୮୯୨ ଡିସେମ୍ବରରେ କନ୍ୟାକୁମାରୀରେ ଏକ ଶିଳାଖଣ୍ଡ ଉପରେ ତିନି ଦିନ ତିନି ରାତି ଧ୍ୟାନରେ ବସିଥିଲେ। ସେ ମଧ୍ୟରେ ତାଙ୍କ ଅନ୍ତରରେ ଭାରତ ବର୍ଷର ଗୌରବୋଜ୍ଜ୍ବଳ ଅତୀତ, ଅସହାୟ ବର୍ତ୍ତମାନ ଓ ଉଜ୍ଜ୍ବଳ ଭବିଷ୍ୟତ ଉଦ୍‌ଭାଷିତ ହୋଇଥିଲା। ଭାରତବର୍ଷର ପୁନଃଜାଗରଣ ନିମନ୍ତେ ସେ ଏକ ସଂକଳ୍ପ ନେଇଥିଲେ ଯାହା ‘କନ୍ୟାକୁମାରୀ ସଂକଳ୍ପ’ ନାମରେ ଅଭିହିତ।

୧୮୯୩ ମସିହାରେ ଆମେରିକା ଚିକାଗୋ ଧର୍ମ ମହାସମ୍ମେଳନରେ ଯୋଗଦେବା ଘଟଣା ଇତିହାସରେ ପରିଣତ ହୋଇଯାଇଛି। ୧୮୯୩ ସେପ୍‌ଟେମ୍ବର ୧୧ ତାରିଖ ଚିକାଗୋ ବିଶ୍ୱ ଧର୍ମ ମହାସଭା ପ୍ରଥମ ଦିବସରେ ପ୍ରାୟ ୩୦୦୦ ଦର୍ଶକଙ୍କ ଉପସ୍ଥିତିରେ ଦଶଟି ଧର୍ମର ୧୭ ଜଣ ପ୍ରତିନିଧି ଉଦ୍‌ବୋଧନ ଦେଇଥିଲେ, ୫ ଜଣ ଥିଲେ ଭାରତୀୟ। ସ୍ୱାମୀଜୀ ଥିଲେ ପ୍ରଥମ ଦିବସର ତ୍ରୟୋଦଶତମ ଏବଂ ଅପରାହ୍‌ଣ ଅଧିବେଶନର ଷଷ୍ଠ ବକ୍ତା। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜନ୍ ହେନରୀ ବାରୋଜ ପ୍ରଥମ ଅଧିବେଶନରେ ସ୍ୱାମୀଜୀଙ୍କ ଉଦ୍‌ବୋଧନ ସଂପର୍କରେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି, “ବିବେକାନନ୍ଦ ଦର୍ଶକମାନଙ୍କୁ ‘ଆମେରିକାର ଭଉଣୀ ଓ ଭାଇମାନେ’ ସମ୍ବୋଧନ କରିବା ପରେ ସେମାନେ ହର୍ଷ ଉଲ୍ଲାସରେ ଉତ୍‌ଫୁଲ୍ଲିତ ହୋଇ ବେଶ୍ କିଛି ମିନିଟ୍ ପାଇଁ ଆନନ୍ଦରେ କରତାଳି ଦେଇଥିଲେ।”

ଶ୍ରୀରାମକୃଷ୍ଣ ପରମହଂସଙ୍କ ଭାଷାରେ- ‘ନରେନ୍ ହେଉଛି ଉନ୍ମୁକ୍ତ ତରବାରି, ଯିଏ ସର୍ବଦା ସଂଗ୍ରାମ ନିମନ୍ତେ ପ୍ରସ୍ତୁତ।’ ଶତାବ୍ଦୀବ୍ୟାପୀ ସୁପ୍ତ ଜାତିକୁ ଜାଗ୍ରତ କରିବା ନିମନ୍ତେ ସ୍ୱାମୀ ବିବେକାନନ୍ଦ ତମାମ ଜୀବନ ସଂଗ୍ରାମ କରିଥିଲେ। ତାଙ୍କର ବିଶ୍ୱାସ ଥିଲା ଅବିନଶ୍ୱର ଆତ୍ମା ଭଳି ଭାରତର ଜୀବନସ୍ରୋତ ନିରନ୍ତର ପ୍ରବହମାନ, ଯାହାର ଆଦି ଏବଂ ଅନ୍ତ ଆକଳନ କରିବା ସହଜ ନୁହେଁ। କେବଳ ସାମୟିକ ଭାବେ ଏହି ଜାତି, ଅତୀତର ଗୌରବୋଜ୍ଜ୍ୱଳ ଅଧ୍ୟାୟ ଭୁଲି ଯାଇଥିବାରୁ ହତଶ୍ରୀ ହୋଇପଡ଼ିଛି। ତେଣୁ ଆତ୍ମବିଶ୍ୱାସ ଫେରାଇ ଆଣିବା ନିମନ୍ତେ ସେ ଅତୀତକୁ ବାରମ୍ବାର ସ୍ମରଣ କରାଉଥିଲେ। ସ୍ୱାମୀଜୀଙ୍କ ସଂଗ୍ରାମ ଦୁଇଟି ପରିପ୍ରେକ୍ଷୀରେ ପର୍ଯ୍ୟବସିତ- ପ୍ରତ୍ୟକ୍ଷ ଓ ପରୋକ୍ଷ। ସାମାଜିକ, ଅର୍ଥନୈତିକ ଓ ଆଧ୍ୟାତ୍ମିକ ସଂସ୍କାର ନିମନ୍ତେ ସେ ପ୍ରତ୍ୟକ୍ଷ ସଂଗ୍ରାମରେ ଲିପ୍ତ ଥିଲେ। ଶ୍ରୀରାମକୃଷ୍ଣ ମିଶନ ପ୍ରତିଷ୍ଠା ପରେ ଏହାର କାର୍ଯ୍ୟଧାରା ତ୍ୱରାନ୍ୱିତ ହୋଇଥିଲା। ମୁକ୍ତି ସଂଗ୍ରାମରେ ସ୍ୱାମୀଜୀଙ୍କର ଭୂମିକା ଥିଲା ପରୋକ୍ଷ। ସେ ବହୁ ଭାବରେ ସଶସ୍ତ୍ର ସ୍ୱାଧୀନତା ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇଥିଲେ। ସେ ସମୟରେ ଯେଉଁ ବିପ୍ଳବୀମାନେ ଗିରଫ ହୋଇଥିଲେ, ସମସ୍ତଙ୍କ ନିକଟରୁ ଆନନ୍ଦମଠ, ବନ୍ଦେ ମାତରମ ସହିତ ସ୍ୱାମୀ ବିବେକାନନ୍ଦଙ୍କ ଉଦ୍‌ବୋଧନୀ ପୁସ୍ତିକା ମିଳିଥିଲା।

ପୂଜା ମନ୍ତ୍ରରେ ଦେବଦେବୀଙ୍କୁ ଆରାଧନା କରାଯାଏ। ସ୍ୱାମୀଜୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଯୁବ ପିଢ଼ିକୁ ଉଦ୍‌ବୁଦ୍ଧ କରିବା ପାଇଁ ଦେଶମାତୃକାର ଆରାଧନା ନିମନ୍ତେ ‘ସ୍ୱଦେଶ ମନ୍ତ୍ର’ ରଚନା କରିଥିଲେ, ଯାହା ୧୮୯୯ ମସିହାରେ ‘ଉଦ୍‌ବୋଧନ’ ପତ୍ରିକାରେ ପ୍ରକାଶ ପାଇଥିଲା- ‘ହେ ବୀର! ସାହସ ଅବଲମ୍ବନ କର। ସଦର୍ପେ କହ, ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ। କହ- ମୂର୍ଖ ଭାରତବାସୀ, ଦରିଦ୍ର ଭାରତବାସୀ, ବ୍ରାହ୍ମଣ ଭାରତବାସୀ, ଚଣ୍ଡାଳ ଭାରତବାସୀ ମୋର ଭାଇ। ସଦର୍ପରେ ଡାକି କହ- ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବଦେବୀ ମୋର ଈଶ୍ୱର। ଭାରତର ସମାଜ ମୋର ଶିଶୁ ଶଯ୍ୟା, ଯୌବନର ଉପବନ, ବାର୍ଦ୍ଧକ୍ୟର ବାରାଣସୀ।’ ଏ ଉଦ୍‌ବୋଧନ ଶୁଣିଲେ ପ୍ରାଣରେ ପୁଲକ ସୃଷ୍ଟି ହୁଏ। ‘ଆମେରିକାର ଭଉଣୀ ଓ ଭାଇମାନେ’ ବକ୍ତବ୍ୟ ପୂର୍ବରୁ ଏଇ କେତୋଟି ଶବ୍ଦର ସମ୍ବୋଧନରେ କ’ଣ ଶକ୍ତି ଥିଲା ଯେ ୩୦୦୦ରୁ ଅଧିକ ସମବେତ ଗୁଣୀ ଓ ଜ୍ଞାନୀ ଶୁଣିବା ମାତ୍ରେ ଦଣ୍ଡାୟମାନ ହୋଇ ଦୁଇ ମିନିଟ୍ କାଳ କରତାଳି ଧ୍ୱନିରେ ସ୍ୱାମୀଜୀଙ୍କୁ ଅଭିନନ୍ଦନ ଜଣାଇଥିଲେ? ଶବ୍ଦ ଯେତେବେଳେ ହୃଦୟରୁ ପରିସ୍ଫୁଟ ହୁଏ, ତାହା ହୃଦୟକୁ ସ୍ପର୍ଶ କରେ। ସେତେବେଳେ ଶରୀର ଓ ପ୍ରାଣ ପୁଲକିତ ହେବା ସ୍ୱାଭାବିକ।

୧୮୯୭ ମସିହାରେ ସ୍ୱାମୀଜୀ ଆମେରିକା ଓ ୟୁରୋପରୁ ଫେରିବା ପରେ ଯେଉଁ ଉଦ୍‌ବୋଧନ ଦେଇଥିଲେ ତାହା ‘କଲମ୍ବୋରୁ ଆଲମୋରା’ ବକ୍ତୃତାମାଳା ନାମରେ ପରିଚିତ। ଏଥିରେ ସେ ଶିକ୍ଷାର ପ୍ରସାର, ସାମାଜିକ ଉତ୍‌ଥାନ ସହିତ ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ ଆହ୍ୱାନ ଦେଇଥିଲେ। ପାଶ୍ଚାତ୍ୟର ସମୃଦ୍ଧି ଏବଂ ଭାରତର ଆଧ୍ୟାତ୍ମିକ ଦିଗ୍‌ଦର୍ଶନ ସମନ୍ୱୟରେ ନୂତନ ରାଷ୍ଟ୍ର ନିର୍ମାଣ ନିମନ୍ତେ ତାଙ୍କର ଆହ୍ୱାନ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ସେ ପାଶ୍ଚାତ୍ୟର ଜ୍ଞାନକୌଶଳ ଓ ଶୃଙ୍ଖଳା ଜ୍ଞାନର ଯଥେଷ୍ଟ ପ୍ରଶଂସା କରୁଥିବାବେଳେ ଶିକ୍ଷିତ ଭାରତୀୟଙ୍କର ‘ପାଶ୍ଚାତ୍ୟ ଅନୁକରଣ’କୁ କଠୋର ଶବ୍ଦରେ ନିନ୍ଦା କରୁଥିଲେ। ନିଜ ଦେଶର ଐତିହ୍ୟ ସ୍ମରଣ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ, କିନ୍ତୁ ଅତୀତସର୍ବସ୍ୱ ଜୀବନ ବିତାଇବା ପାଇଁ ବାରଣ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କର ପ୍ରତିଟି ଉଦ୍‌ବୋଧନକୁ ସ୍ୱାଧୀନତା ସଂଗ୍ରାମର ବିପ୍ଳବୀମାନେ ସ୍ୱଦେଶ ମନ୍ତ୍ର ଭାବେ ଗ୍ରହଣ କରିଥିଲେ। “ଚାରି କୋଟି ଇଂରେଜ ଆମ ତିରିଶ କୋଟି ଭାରତୀୟଙ୍କୁ ଶାସନ କରୁଛନ୍ତି, ଏହାଠାରୁ ବଡ଼ ଲଜ୍ଜା କ’ଣ ଥାଇପାରେ? ଏହାର ଏକମାତ୍ର କାରଣ ହେଉଛି ଚାରି କୋଟି ଜନତା ସେମାନଙ୍କର ଇଚ୍ଛା ଶକ୍ତି ଗୋଟିଏ କେନ୍ଦ୍ରରେ ଘନୀଭୂତ କରିବାରେ ସମର୍ଥ ହୋଇପାରିଥିବା ବେଳେ, ଆମେ ତିରିଶ କୋଟି ଜନତା ପରସ୍ପର ଠାରୁ ଏତେ ପୃଥକ୍‌ ଯେ ଆମ ଭିତରେ ସାମାନ୍ୟତମ ସମନ୍ୱୟ ପ୍ରତିଷ୍ଠା ସମ୍ଭବ ହୋଇ ପାରିନାହିଁ। ଫଳରେ ଆମେ ଭୀରୁ ଏବଂ ଦୁର୍ବଳ ପାଲଟି ଯାଇଛୁ। ...ଯେତେବେଳେ ଗୋଟିଏ ଜାତି ଦୁର୍ବଳ ହୋଇଯାଏ, ସେତେବେଳେ ରୋଗର ଜୀବାଣୁଗୁଡ଼ିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ତନ୍ତ୍ରୀକୁ ଆକ୍ରମଣ କରନ୍ତି। ଜାତିର ଇଛାଶକ୍ତି କେନ୍ଦ୍ରୀଭୂତ ହୋଇପାରିଲେ ଆମେ ଆପଣାଛାଏଁ ସମୃଦ୍ଧ ହୋଇଯିବା।’’ ୧୮୯୭ ମସିହା ଫେବ୍ରୁଆରି ୧୪ ତାରିଖରେ ମାଡ୍ରାସରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସ୍ୱାମୀଜୀଙ୍କ ଏହି ଉଦ୍‌ବୋଧନ ସାରା ଦେଶରେ ଶିହରଣ ସୃଷ୍ଟି କରିଥିଲା।

୧୯୦୫ ମସିହା ଜୁଲାଇ ମାସରେ ଭାଇସରୟ ଲର୍ଡ କର୍ଜନ ବେଙ୍ଗଲକୁ ଭାଗ କରିବା ପରେ ପ୍ରବଳ ଜନମତ ପ୍ରକାଶ ପାଇଲା। ବ୍ରିଟିସ୍‌ ସରକାର ବିରୋଧରେ ସଶସ୍ତ୍ର ଆନ୍ଦୋଳନ ଭୟାନକ ରୂପ ନେଲା। ବାଧ୍ୟ ହୋଇ ସରକାର ୧୯୧୧ ମସିହାରେ ବେଙ୍ଗଲର ପୁନଃମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଲେ ଏବଂ ବଙ୍ଗ ଭଙ୍ଗ ଆନ୍ଦୋଳନର ରୂପରେଖ ଜାଣିବା ନିମନ୍ତେ ତଦନ୍ତ କମିଟି ଗଠନ କଲେ। ୧୯୧୪ ମସିହାରେ ଆଇ.ବି. ମୁଖ୍ୟ ଚାର୍ଲସ୍ ଟେଗାର୍ଟ ପ୍ରଦାନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି- ‘ରାମକୃଷ୍ଣ ମିଶନ ହେଉଛି ଜାତୀୟତାବାଦୀ ଆନ୍ଦୋଳନର କେନ୍ଦ୍ରବିନ୍ଦୁ। ମିଶନ ସହିତ ବହୁ ବିପ୍ଳବୀ ସଂପୃକ୍ତ ଅଛନ୍ତି। ବିବେକାନନ୍ଦଙ୍କ ରଚିତ ଉଦ୍‌ବୋଧନୀ ପୁସ୍ତିକାକୁ ବିପ୍ଳବୀମାନେ ପାଠ୍ୟପୁସ୍ତକ ଭାବେ ଗ୍ରହଣ କରୁଛନ୍ତି।’ ୧୯୦୮ ମସିହା ଅଲିପୁର ଷଡ୍‌ଯନ୍ତ୍ର ମାମଲାରେ ଆଲମୋରା ଶ୍ରୀରାମକୃଷ୍ଣ ମିଶନ ମାୟାବତୀ ଆଶ୍ରମର ସ୍ୱାମୀ ପ୍ରଜ୍ଞାନାନନ୍ଦ (ଦେବବ୍ରତ ବସୁ) ସଂପୃକ୍ତ ଥିବାର ପ୍ରମାଣ ମିଳିଥିଲା। ଏହି ମାମଲାରେ ଅରବିନ୍ଦ ଘୋଷ ମଧ୍ୟ ସଂପୃକ୍ତ ଥିଲେ।

୧୯୧୩ ମସିହା ବରିସାଲ ଷଡ୍‌ଯନ୍ତ୍ର ମାମଲାରେ ୪୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ଥିଲେ ଅନୁଶୀଳନ ସମିତି ଓ ରାମକୃଷ୍ଣ ମିଶନର ସଦସ୍ୟ। ୧୯୧୫ ମସିହା ଲାହୋର ଷଡ୍‌ଯନ୍ତ୍ର ମାମଲାର ମୁଖ୍ୟ ରାସବିହାରୀ ବୋଷଙ୍କ ସମେତ ଆଉ ପାଞ୍ଚ ଜଣ ରାମକୃଷ୍ଣ ମିଶନର ସଦସ୍ୟ ଥିଲେ। ୧୯୧୬ ମସିହାରେ ବେଙ୍ଗଲ ଗଭର୍ଣ୍ଣର ଲର୍ଡ କାରମାଇକାଲ୍ ସରକାରଙ୍କୁ ରିପୋର୍ଟ ଦେଇ ଦର୍ଶାଇଥିଲେ- “ବିବେକାନନ୍ଦଙ୍କ ବାଣୀ ଦେଶରେ ଜାତୀୟତା ଭାବ ସୃଷ୍ଟି କରିଛି। ଅନେକଙ୍କ ମତରେ ସେ ହେଉଛନ୍ତି ସ୍ୱାଧୀନତା ଆନ୍ଦୋଳନର ଗୁରୁ। ବିବେକାନନ୍ଦଙ୍କ ସେହି ବାଣୀକୁ ଅରବିନ୍ଦ ଘୋଷ ପ୍ରଭାବଶାଳୀ ଅସ୍ତ୍ର ରୂପେ ପ୍ରୟୋଗ କରୁଛନ୍ତି। ବିବେକାନନ୍ଦଙ୍କ ଅନେକ ଲେଖାରେ ରାଜଦ୍ରୋହ ସ୍ପଷ୍ଟ ପ୍ରତିଫଳିତ। ...ମଠଗୁଡ଼ିକ ରାଜନୈତିକ ଆଶ୍ରୟ ସ୍ଥଳରେ ପରିଣତ ହୋଇଛି। ଆଶ୍ରମ ନାମରେ ଆତଙ୍କବାଦୀ କେନ୍ଦ୍ର ପ୍ରତିଷ୍ଠା ହୋଇଛି।’

ସ୍ୱାମୀଜୀଙ୍କ ଉନ୍ମୁକ୍ତ ଓ ଉଦାର ଚିନ୍ତାଧାରାରେ ଯୁବପିଢ଼ିକୁ ଉଦ୍‌ବୁଦ୍ଧ କରିବା ପାଇଁ ୧୯୮୫ ମସିହାରୁ ତାଙ୍କ ଜନ୍ମ ଦିବସକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଉଛି। ସ୍ୱାମୀଜୀ ଥରେ ଘୋଷଣା କରିଥିଲେ- ‘ ମୁଁ ଏପରି ଏକ ସମାଜର ସ୍ୱପ୍ନ ଦେଖେ, ଯେଉଁଠି ବେଦ, ବାଇବେଲ ଓ କୋରାନର ଆବଶ୍ୟକତା ନ ଥିବ। ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ପ୍ରତିଟି ଧର୍ମ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇପାରିବ। କୌଣସି ଧର୍ମ ଶ୍ରେଷ୍ଠ ନୁହେଁ, କୌଣସି ଧର୍ମ ଏକମାତ୍ର ସତ୍ୟ ନୁହେଁ।’ ଏହି ଉଦ୍‌ଘୋଷଣା ହେଉଛି ଉଦାର ଓ ଉନ୍ମୁକ୍ତ ଚିନ୍ତାଧାରର ଦୃଷ୍ଟାନ୍ତ। ଜଣେ ସନ୍ନ୍ୟାସୀ ଆମ ଯୁବପିଢ଼ିର ଆଦର୍ଶ, ଏହା ସ୍ମରଣ କରିବା ମାତ୍ରେ ଆନନ୍ଦରେ ପ୍ରାଣ ପୁଲକିତ ହୋଇଯାଏ।
ମୋ: ୯୪୩୭୧୯୧୩୫୦