କୌଣସି ଏକ ଯୁଦ୍ଧର ଶେଷ ପରିଣତି କ’ଣ ବୋଲି ଗାନ୍ଧୀଜୀଙ୍କୁ ପ୍ରଶ୍ନ ହେଲେ, ସେ ଉତ୍ତର ଦେଉଥିଲେ, ଯୁଦ୍ଧରେ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ପିଲାମାନେ। ସେମାନେ ସେମାନଙ୍କର ବାପା ଭାଇଙ୍କୁ ଚିର ଦିନ ପାଇଁ ହରାନ୍ତି। ଯୁଦ୍ଧର ଅତର୍କିତ ଆକ୍ରମଣରେ ଯେତେ ଲୋକ ମୃତାହତ ହୁଅନ୍ତି, ସେମାନଙ୍କ ଭିତରେ ଅଧିକାଂଶ ପିଲାଏ ଥାଆନ୍ତି।

Advertisment

ଯୁଦ୍ଧର ଏପରି ଭୟାବହତା ସମ୍ପର୍କରେ ଗାନ୍ଧୀଙ୍କର ଅନେକ ପ୍ରତ୍ୟକ୍ଷ ଅନୁଭୂତି ଥିଲା ଦକ୍ଷିଣ ଆଫ୍ରିକାରେ। ୧୮୯୯ ମସିହାର ବୋ’ର ଯୁଦ୍ଧ ଏବଂ ୧୯୦୬ ମସିହାରେ ସଂଗଠିତ ‘ଜୁଲୁ’ ବିଦ୍ରୋହରେ ଆହତଙ୍କ ସେବା ପାଇଁ ଗାନ୍ଧୀଜୀ ଏକ ଆମ୍ବୁଲାନ୍‌ସ ବାହିନୀରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଇଥିଲେ। ଯୁଦ୍ଧର ବିଭତ୍ସ ଦୃଶ୍ୟକୁ ସେ ଅତି ନିକଟରୁ ଦେଖିଥିଲେ। ଘର ଭିତରୁ ଛୋଟ ପିଲାଙ୍କୁ ଟାଣି ଆଣି ଇଂରେଜ ସୈନିକମାନେ ତାଙ୍କ ବନ୍ଧୁକ ମୁନରେ ଯେପରି ଯନ୍ତ୍ରଣା ଦେଉଥିଲେ, ଗାନ୍ଧୀଙ୍କ ପାଇଁ ତାହା ଥିଲା ମର୍ମନ୍ତୁଦ। ଭବିଷ୍ୟତ ପିଢ଼ି ଇଂରେଜଙ୍କ ବିରୋଧରେ ଯେପରି ଆଉ ଯୁଦ୍ଧ ବା ବିଦ୍ରୋହ କରିବାକୁ ସାହସ ନ କରେ, ଏହା ତାହାର ଏକ ଚେତାବନୀ ବୋଲି ଇଂରେଜ ସୈନିକମାନେ ଗାନ୍ଧୀଙ୍କୁ ସ୍ପଷ୍ଟ କରିଦେଇଥିଲେ। ଯୁଦ୍ଧର ବିଭୀଷିକାକୁ ମନେ ପକାଇ ଗାନ୍ଧୀ ଲେଖିଛନ୍ତି ଯେ ମାନବ ସଭ୍ୟତାର ଆଦି କାଳରୁ ଶାନ୍ତି ପାଇଁ ଏଠି ଅନେକ ଯୁଦ୍ଧ ହୋଇ ସାରିଲାଣି। ଇତିହାସ ଏ ସବୁ ଯୁଦ୍ଧର ହିସାବ ରଖିଛି। ଭୟ ଆଉ ଘୃଣା କିନ୍ତୁ ଶେଷ ହେଉନି। ଯୁଦ୍ଧ ପରେ ଯୁଦ୍ଧ ତେଣୁ ହେଉଛି। ପିଲାମାନେ ହିଁ ଏ ଯୁଦ୍ଧ ରୋକି ପାରିବେ। ଯୁଦ୍ଧଶୂନ୍ୟ ପୃଥିବୀଟିଏ ସେମାନେ ହିଁ ଗଢ଼ି ପାରିବେ।

ମହାଦେବ ଦେଶାଇ ୧୯୩୨ ମସିହା ଅଗଷ୍ଟ ୨୪ ତାରିଖ ତାଙ୍କର ଏକ ଡାଏରିରେ ଗାନ୍ଧୀଙ୍କ ଦୁଇଟି ଚିଠିର ଅବତାରଣା କରିଛନ୍ତି। ପିଲାଙ୍କ ସହ ପତ୍ରାଳାପ କରିବାରେ ଗାନ୍ଧୀଙ୍କୁ ଅମାପ ଆନନ୍ଦ ମିଳୁଥିଲା। କୌଣସି ଛୋଟ ପିଲାଠାରୁ ଚିଠି ପାଇଲେ ସେ ସାଙ୍ଗେ ସାଙ୍ଗେ ତାହାର ଉତ୍ତର ଦେଉଥିଲେ। ନିଜ କାମ କରିବାରେ ଗାନ୍ଧୀଙ୍କର ଯେପରି ନିଷ୍ଠା ଥାଏ, ପିଲାଙ୍କୁ ଚିଠି ଲେଖି ଉତ୍ତର ଦେବାରେ ବି ତାଙ୍କର ସେମିତି ଆଗ୍ରହ ଥାଏ। ଥରେ ଜଣେ ଛୋଟ ପିଲା ଗାନ୍ଧୀଙ୍କୁ ଚିଠି ଲେଖି କହିଲା, ‘ବାପୁ, ଆମେ ଯୁଦ୍ଧ ରୋକିବାକୁ କାମ କରୁଛୁ। ପୋଷ୍ଟର ତିଆରି କରି କାନ୍ଥରେ ମାରୁଛୁ। ଯୁଦ୍ଧ ଖରାପ ବୋଲି କହୁଛୁ।’

ଗାନ୍ଧୀଜୀ ଏହାର ଉତ୍ତରରେ ଲେଖିଲେ, ‘ତୁମ ଚିଠି ପାଇଛି, ଚିଠି ସହ ତୁମ ହାତଅଙ୍କା ଚିତ୍ର ବି ପାଇଛି। ଚିଠି ଏବଂ ଚିତ୍ର ପାଇ ଖୁସିହେଲି। ମୁଁ ଭାବେ, ତୁମ ପରି ପିଲାମାନେ ହିଁ ଯୁଦ୍ଧ ବନ୍ଦ କରି ପାରିବେ। ମୁଁ କିନ୍ତୁ କହିବାକୁ ଚାହେଁ, ତୁମେମାନେ ଯୁଦ୍ଧ ବନ୍ଦ କରିବା କଥା ପିଲାବେଳୁ ଶିଖ। ନିଜ ନିଜ ଭିତରେ କଳି କରନି। ତୁମେ ତୁମ ଭିତରେ ଛୋଟ ଛୋଟ ଯୁଦ୍ଧ କରି ଚାଲିଲେ ବଡ଼ ବଡ଼ ଯୁଦ୍ଧ ବନ୍ଦ କରି ପାରିବନି। ଆମକୁ ଘୃଣା କରୁଥିବା ବ୍ୟକ୍ତିକୁ ଭଲ ପାଇବା ହେଉଛି ଅହିଂସା। ଅହିଂସା ଠାରୁ ଏଠି ଆଉ କିଛି ବଡ଼ ଧର୍ମ ନାହିଁ। ପ୍ରେମ ଠାରୁ ଅଧିକ ଆଉ କିଛି ସୁମଧୁର ଭଲ ଭାଷା ନାହିଁ। ହିଂସାର ବାତାବରଣ ଭିତରେ ଯେଉଁ ଋଷି ପ୍ରଥମେ ଅହିଂସାର ଅସ୍ତ୍ର ଉଦ୍ଭାବନ କଲେ, ସେ ହିଁ ପୃଥିବୀର ସର୍ବଶ୍ରେଷ୍ଠ ଉଦ୍ଭାବକ।’

୧୯୩୧ ମସିହା ଡିସେମ୍ବରରେ ଗାନ୍ଧୀଜୀ ଲଣ୍ଡନ୍‌ରେ ଗୋଲଟେବଲ ବୈଠକ ସାରି ଭାରତ ଫେରିବା ବେଳେ ଇଟାଲୀରେ ତାଙ୍କର ଏକ ଦୁଃଖଦ ଅନୁଭୂତି ଥିଲା। ଏ ଅନୁଭୂତି ଥିଲା ମୁସୋଲିନିଙ୍କ ସହ ସକ୍ଷାତ କଲାବେଳର। ଗାନ୍ଧୀଜୀ ପୋପ୍‌ଙ୍କୁ ସାକ୍ଷାତ୍‌ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ପୋପ୍ ଏ ସାକ୍ଷାତ୍‌ ପାଇଁ ଅନିଚ୍ଛୁକ ଥିଲେ। ଅଥଚ ମୁସୋଲିନି ତାଙ୍କ ତରଫରୁ ଗାନ୍ଧୀଙ୍କ ସହ ସାକ୍ଷାତ୍‌ କରିବାକୁ ନିମନ୍ତ୍ରଣ ଦେଇଥିଲେ। ସେଇଥିପାଇଁ ନିଜେ ଠିକ୍ କରିଥିବା ସକ୍ଷାତକାରର କଠୋର ନିୟମ (ପ୍ରୋଟୋକଲ) ମୁସୋଲିନି ମାନି ନଥିଲେ। ଗାନ୍ଧୀଜୀଙ୍କୁ ପାଛୋଟି ନେବାକୁ ଦ୍ୱାର ପାଖକୁ ନିଜେ ସେ ଚାଲି ଆସିଥିଲେ।

ଗାନ୍ଧୀଙ୍କ ସହ କଥା ମଝିରେ ମୁସୋଲିନି କହିଲେ, ‘ମିଷ୍ଟର ଗାନ୍ଧୀ, ମୁଁ ଶୁଣୁଛି, ଆପଣ ପିଲାମାନଙ୍କର ଅତି ପ୍ରିୟ। ଲଣ୍ଡନ୍‌ରେ ଆପଣ ହୋଟେଲରେ ନ ରହି ‘ମୁରିଏଲ୍ ଲେଷ୍ଟର’ଙ୍କ ଅନାଥାଶ୍ରମରେ ରହୁଥିଲେ। ଆସିଲା ବେଳେ ବିଶ୍ୱଶାନ୍ତି ପାଇଁ ପିଲାମାନେ ତିଆରି କରିଥିବା ଅନେକ ଚିତ୍ର, କ୍ୟାଣ୍ଡେଲ ସାଙ୍ଗରେ ନେଇ ଆସିଛନ୍ତି। ଆପଣ ଏଠି ମୋ’ ବାଳାଶ୍ରମ ଓ ପ୍ରଶିକ୍ଷଣ କେନ୍ଦ୍ର ଦେଖନ୍ତୁ।’ ଗାନ୍ଧୀଙ୍କୁ ବାଳାଶ୍ରମ ବୁଲାଇ ନେବାକୁ ପାଖରେ ଛିଡ଼ା ହୋଇଥିବା ଜଣେ ସେନା ଅଧିକାରୀଙ୍କୁ ମୁସୋଲିନି ନିର୍ଦେଶ ଦେଲେ।

ଗାନ୍ଧୀଙ୍କ ପାଇଁ ସେ ପ୍ରଶିକ୍ଷଣ କେନ୍ଦ୍ରର ଦୃଶ୍ୟ ଥିଲା ଖୁବ୍ ଭୟଙ୍କର। ଛୋଟ ଛୋଟ ପିଲାମାନେ ଯୁଦ୍ଧ ପୋଷାକ ପିନ୍ଧିଥିଲେ। ସମସ୍ତଙ୍କ ହାତରେ ବନ୍ଧୁକ ଥିଲା। ଗାନ୍ଧୀଙ୍କ ପୋଷାକ ଦେଖି ସେମାନେ ହସିବାକୁ ଚାଁହୁଥିଲେ ବି ହସି ପାରୁ ନ ଥିଲେ। ଗାନ୍ଧୀଙ୍କୁ ଯେତେବେଳେ କିଛି କହିବାକୁ କୁହାଗଲା, ଗାନ୍ଧୀ କେବଳ ଗୋଟିଏ ବାକ୍ୟରେ କହିଲେ, ‘ପିଲାମାନେ, ତୁମମାନଙ୍କୁ ଏପରି ସ୍ୱାସ୍ଥ୍ୟବାନ ଦେଖି ମୁଁ ଖୁସି।’ ଫେରିବା ବେଳେ ସେନା ଅଧିକାରୀ ଗାନ୍ଧୀଙ୍କୁ ପଚାରିଲେ, ‘ମିଷ୍ଟର ଗାନ୍ଧୀ, ଆମ ‘ଡ୍ୟୁସ୍’ ( ମୁସୋଲିନିଙ୍କ ଡାକ ନାଁ) ଆପଣଙ୍କୁ କେମିତି ଲାଗିଲେ? ଗାନ୍ଧୀ ଗୋଟିଏ ଶବ୍ଦରେ କହିଲେ, ‘ବୁଚର’ (କଂସେଇ)। ଗାନ୍ଧୀଙ୍କ ସ୍ଥାନରେ ସେଦିନ ଅନ୍ୟ କିଏ ଥିଲେ, ନିଶ୍ଚୟ ତାଙ୍କୁ ମୃତ୍ୟଦଣ୍ଡ ମିଳିଥାଆନ୍ତା। ଯେଉଁ ଦେଶର ଶାସକ କୋମଳମତି ପିଲାଙ୍କୁ ଯୁଦ୍ଧ ପାଇଁ ଅସ୍ତ୍ର ପ୍ରଶିକ୍ଷଣ ଦେଇଥାଏ, ସେ ଆଉ କ’ଣ ହୋଇପାରେ, ଏ ଥିଲା ଗାନ୍ଧୀଙ୍କର ସ୍ୱଗୋତକ୍ତି।

ଏକ ଯୁଦ୍ଧ ବିରୋଧୀ ମାନବ ଧର୍ମ କଥା ପିଲାଙ୍କୁ କହିବା କେବଳ ରାଷ୍ଟ୍ରର କାମ ନୁହେଁ, ଏ କାମ ବାପାମା’ମାନଙ୍କର ମଧ୍ୟ। ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଗାନ୍ଧୀଙ୍କ ଏକ ଅନୁଭୂତି କଥା ବର୍ଣ୍ଣନା ଦେଇ ସି.ଏଫ୍. ଆଣ୍ଡ୍ରିୟୁଜ୍ ତାଙ୍କ ‘ମହାତ୍ମା ଗାନ୍ଧୀ, ହିଜ୍ ଓନ୍ ଷ୍ଟୋରି’ ପୁସ୍ତକରେ ଉଲ୍ଲେଖ କରିଛନ୍ତି, “ବାପୁ ଥରେ ମୋତେ ହସି ହସି କହିଲେ: ‘ବୁଝିଲ ଚାର୍ଲି, ପ୍ରିଟୋରିଆର ଜଣେ ଦମ୍ପତି ତାଙ୍କ ପାଞ୍ଚ ବର୍ଷର ପୁଅକୁ ମୁଁ ଅହିଂସା କଥା କହିବାରୁ ସେମାନେ ମୋତେ ତାଙ୍କ ଘରକୁ ଯିବାକୁ ମନା କରିଦେଲେ। ଦିନେ ତାଙ୍କ ଘରେ ରାତ୍ରି ଭୋଜନ କରିବା ବେଳେ ମୁଁ କାହିଁକି ମାଂସ ନ ଖାଇ ଫଳ ଖାଉଛି ବୋଲି ତାଙ୍କ ପୁଅ ପ୍ରଶ୍ନ କରିଥିଲା। ମୁଁ ତାକୁ ଶାକାହାରୀ ଖାଦ୍ୟର ନୈତିକ ଆଧାର ସପକ୍ଷରେ କହିଥିଲି। କାହାର ଖାଇବା ରୁଚିରେ ଯେ ମୋର କିଛି ବାରଣ ନ ଥାଏ, ଏ କଥା ସ୍ପଷ୍ଟ କରିଦେଇଥିଲି। ମୁଁ ଆସିବା ପରେ ସେ ପିଲାଟି ଆଉ ମାଂସ ଖାଇବ ନାହିଁ ବୋଲି ଜିଦ୍ ଧରିଥିଲା। ଦମ୍ପତି ମୋତେ ଦୋଷ ଦେଇଥିଲେ।

ଦମ୍ପତିଙ୍କ ଅଭିଯୋଗ ଶୁଣି ମୁଁ କହିଦେଇଥିଲି, ‘ପିଲା ସାହସୀ ହେବା ଲାଗି ନୈତିକ ଆତ୍ମଶକ୍ତି ଦରକାର। ପିଲାଙ୍କୁ ଏ କଥା ଶିଖାନ୍ତୁ।’”
ମୋ- ୯୮୬୧୪୬୯୩୨୮