ଏବେ ପ୍ରାୟ ସ୍ପଷ୍ଟ ହୋଇଗଲା କି, ୨୦୨୧ରେ ହେବାକୁ ଥିବା ଜନଗଣନା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମ୍ଭବ ନୁହେଁ। ଏହା ପରେ ଏଇ ଦଶକରେ ତାହା କେବେ ହେବ, ଅବା ହେବ କି ନହେବ, ତାହା କୁହାଯାଇପାରିବ ନାହିଁ। ଏହା ଦେଶର ନୀତି ନିର୍ଦ୍ଧାରଣ ପାଇଁ ଏବଂ ବିଶେଷ କରି ବଞ୍ଚିତ ବର୍ଗଙ୍କ ପାଇଁ ଖରାପ ସମ୍ବାଦ ନିଶ୍ଚୟ। ପ୍ରତି ଦଶକର ପ୍ରଥମ ବର୍ଷରେ ହେଉଥିବା ଜନଗଣନାକୁ ହଟାଇବାର ଏବେ କୌଣସି କାରଣ ନାହିଁ। ତେବେ ଆଶଙ୍କା କରାଯାଉଛି କି ବିଜେପିକୁ ଏଥିରୁ ନିର୍ବାଚନ କ୍ଷତିର ଭୟ ଘାରିଛି। ଲାଗୁଛି ଯେମିତି ଦେଶର ଆଉ ଏକ ସଂସ୍ଥା ନିର୍ବାଚନୀ ଗଣିତର ଶିକାର ହେବାକୁ ବସିଛି।

Advertisment

ଆମ ଦେଶରେ ପ୍ରତି ଦଶକରେ ଜନଗଣନା ହେବାର ନିୟମ ରହିଛି। ତେବେ ଏହି ଜନଗଣନା ଦେଶର ଜନସଂଖ୍ୟାର କୌଣସି ସାଧାରଣ ଗଣତି ବା ସର୍ବେକ୍ଷଣ ନୁହେଁ। ଦଶ ବର୍ଷରେ ହେଉଥିବା ଏହି ବିଶେଷ ସର୍ବେକ୍ଷଣରେ ଦେଶର ପ୍ରତିଟି ବ୍ୟକ୍ତିଙ୍କୁ ଗଣାଯାଇଥାଏ, ଏପରିକି ସେ ରାସ୍ତାରେ ରହୁଥିବା ବାସହୀନ ହୁଉନ୍ତୁ ନା କାହିଁକି। ଏଥିରେ ପ୍ରତିଟି ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଲିଙ୍ଗ, ଆୟୁ, ଶିକ୍ଷା ଓ ପେସା ଆଦିର ସୂଚନା ରହିଥାଏ। ପରିବାରର ଜାତି, ଧର୍ମ, ଭାଷା, ବାସଗୃହର ସ୍ବରୂପ, ବିଜୁଳି, ପାଣି ଓ ଇନ୍ଧନର ଉତ୍ସ ସମେତ କିଛି ବଛା ସମ୍ପତିର ଉଲ୍ଲେଖ ରହିଥାଏ। ଏହି ସୂଚନା ଦେଶର ତମାମ ପରିସଂଖ୍ୟାନର ଆଧିକାରିକ ସୂଚନା ହୋଇଥାଏ। ଜନଗଣନାର ଏଇ ଧାରା ଇଂରେଜଙ୍କ ଅମଳରୁ ୧୮୭୨ ମସିହାରୁ ଚାଲି ଆସୁଛି। ତାହା ପରେ ୧୮୮୧ରୁ ଦଶକର ପ୍ରଥମ ବର୍ଷରୁ ତାହା କରିବାର ପ୍ରଥା ଚାଲିଲା। ଏହି ଧାରା କେବଳ ୧୯୪୧ରେ ଭାଙ୍ଗିଥିଲା ଯେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ଚାଲିଥିଲା ଏବଂ ସମଗ୍ର ବିଶ୍ବର ବ୍ୟବସ୍ଥା ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ସ୍ବାଧୀନତା ପରେ ୧୯୫୧ରୁ ୨୦୧୧ ଯାଏ ଦେଶରେ ଯାବତୀୟ ବିପତ୍ତି ସତ୍ତ୍ବେ ନିୟମିତ ସମୟରେ ଜନଗଣନା ହୋଇ ଆସୁଥିଲା। ଏପରିକି ୧୯୭୧ରେ ଯେତେବେଳେ ପାକିସ୍ତାନ ସହ ଯୁଦ୍ଧର ବାତାବରଣ ଥିଲା ଏବଂ ଦେଶରେ ଲୋକସଭା ନିର୍ବାଚନ ଥିଲା, ସେତେବେଳେ ମଧ୍ୟ ସେଇ ବର୍ଷ ଜନଗଣନା ହୋଇଥିଲା।

ଏଇ ଦଶକର ଜନଗଣନା ୨୦୨୧ରେ ହେବାର ଥିଲା। ସେଥିପାଇଁ ପ୍ରସ୍ତୁତିର ପ୍ରଥମ ସୋପାନ ସ୍ବରୂପ ବାସଗୃହ ଓ ପରିବାର ଗଣତି ୨୦୨୦ ଫେବ୍ରୁଆରିରୁ ଅକ୍‌ଟୋବର ମଧ୍ୟରେ ହେବାର ଥିଲା। ମାତ୍ର କରୋନା ମହାମାରୀ ପାଇଁ ତାହାକୁ ସ୍ଥଗିତ ରଖିବାକୁ ପଡ଼ିଲା। ତହିଁ ପରବର୍ଷ କରୋନାର ଦ୍ବିତୀୟ ଲହର ପାଇଁ ତାହାକୁ ପୁନର୍ସ୍ଥଗିତ କରାଗଲା। ତେବେ କରୋନା ହଟିଯିବା ପରେ ମଧ୍ୟ ସରକାର ଜନଗଣନା କରାଇବାର କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ। ଗତବର୍ଷ ୨୦୨୨ରେ ଜନଗଣନା ନ କରାଇବାର କୌଣସି କାରଣ ହିଁ ନଥିଲା। ତେବେ ସରକାର କେବଳ ଏକ ନୂତନ ସମୟସୂଚୀ ଜାରି କଲେ କି ୨୦୨୩ରେ ଜନଗଣନା ହେବ।

ତେବେ ସରକାର ୨୦୨୩ରେ ତାହାକୁ ଟାଳିଦେବା ଲାଗି ଏଯାଏ ଔପଚାରିକ ଘୋଷଣା କରିନାହାନ୍ତି। ମାତ୍ର ଗତ ସପ୍ତାହରେ ଗୃହ ମନ୍ତ୍ରଣାଳୟର ଏକ ଆଦେଶ ମୁତାବକ ରାଜ୍ୟ ସରକାରମାନେ ନିଜର ଶାସକୀୟ ସୀମାରେ ପରିବର୍ତ୍ତନ ଆଣିବାର ସମୟସୀମାକୁ ୨୦୨୩ ଜୁନ୍‌ ଯାଏ ବଢ଼ାଇ ଦିଆଯାଇଛି। ଜନଗଣନା ପୂର୍ବରୁ ପ୍ରାଶାସନିକ ସୀମା ପରିବର୍ତ୍ତନ ଉପରେ ରୋକ ଲଗାଇବା ଅନିବାର୍ଯ୍ୟ। ଏଥିରୁ ଯାହା ବୁଝାପଡୁଛି, ଜନଗଣନାର ପ୍ରଥମ ଚରଣ ଚଳିତବର୍ଷ ଜୁଲାଇ ପୂର୍ବରୁ ଆରମ୍ଭ ହେବନାହିଁ ଏବଂ ତାହାର ଛଅ ମାସ ଭିତରେ ଶେଷ ହେବା ସମ୍ଭବ ନୁହେଁ। ସେଇ ସମୟ ବେଳକୁ ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବ, ତେଣୁ ସେଥିପାଇଁ ଜନଗଣନା ସମ୍ଭବ ନୁହେଁ। ସାରାଂଶ ଏଇଆ ଯେ, ଆଗାମୀ ଲୋକସଭା ନିର୍ବାଚନ ଆଗରୁ ଜନଗଣନା ନ କରିବା ଲାଗି ସରକାର ସଂପୂର୍ଣ୍ଣ ପ୍ରସ୍ତୁତି କରିଦେଇଛନ୍ତି।

ଜନଗଣନା ନହେବା ଦ୍ବାରା କେବଳ ତଥ୍ୟମୂଳକ କ୍ଷତି ହେବ ନାହିଁ। ଦେଶର ଲୋକସଂଖ୍ୟା ଜାଣିବା ଲାଗି ଜନଗଣନା ଜରୁରୀ ନୁହେଁ। ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଏ ବର୍ଷ ଭାରତର ଲୋକସଂଖ୍ୟା ୧୪୧ କୋଟି ଟପିଯିବ ଏବଂ ଚୀନ୍‌ ଲୋକସଂଖ୍ୟା ଆମଠୁ କମ୍‌ ହେବ। ଅର୍ଥାତ୍‌ ୨୦୨୩ରେ ଭାରତ ବିଶ୍ବର ସବୁଠୁ ଜନବହୁଳ ଦେଶ ହୋଇଯିବ। ତାହା ଜାଣିବା ଲାଗି ଆମକୁ ଜନଗଣନା ଲୋଡ଼ା ନାହିଁ। ଜନଗଣନାର ଅସଲି ମହତ୍ତ୍ବ ହେଉଛି- ଏହାଦ୍ବାରା ପ୍ରତି ରାଜ୍ୟ, ପ୍ରତି ଜିଲ୍ଲା, ପ୍ରତି ବ୍ଲକ୍‌, ପ୍ରତି ସହର, ପ୍ରତି ଗାଁ, ପ୍ରତି ଘର ଓ ପ୍ରତି ବର୍ଗର ପୂରା ସାମାଜିକ, ଆର୍ଥିକ ତଥା ଶୈକ୍ଷିକ ଛବି ଦେଶ ସାମ୍ନାକୁ ଆସିବ, ସତେ ଯେମିତି ସମଗ୍ର ଦେଶର ଏକ୍ସ-ରେ ଆମ ଆଖି ଆଗରେ ରହିଛି। ସେହି ପ୍ରକ୍ରିୟାରୁ ମିଳୁଥିବା ତଥ୍ୟ ଦେଶର ନୀତି ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ତେବେ କଥା ଏତିକିରେ ସୀମିତ ରହିନାହିଁ। ଜନଗଣନାର ତଥ୍ୟ ସିଧାସଳଖ ଭାବେ ଦେଶର କିଛି ସାମ୍ବିଧାନିକ ପ୍ରାବଧାନ, ଗରିବ ଓ ଉପେକ୍ଷିତ ବର୍ଗଙ୍କ ଅଧିକାର ସହ ଜଡ଼ିତ। ଉଦାହରଣ ସ୍ବରୂପ, ଦଳିତ ଓ ଜନଜାତି ସମାଜ ପାଇଁ କେତେ ଆରକ୍ଷଣ ହେବା ଉଚିତ, ତାହା ଜନଗଣନା ଉପରେ ଆଧାରିତ ହୋଇଥାଏ। ଗତ ୧୧ ବର୍ଷରେ ଦେଶର ଜନସଂଖ୍ୟାରେ ଦଳିତ ଓ ଜନଜାତି ସମ୍ପ୍ରଦାୟଙ୍କ ଅନୁପାତ ବଢ଼ିଛି, ମାତ୍ର ଜନଗଣନାର ଆଧିକାରିକ ତଥ୍ୟ ନ ମିଳିବା ଯାଏ ସେମାନଙ୍କ ପାଇଁ ଆରକ୍ଷଣରେ ବୃଦ୍ଧି କରାଯାଇପାରିବନି। ଜନଗଣନା ମଧ୍ୟ ସିଧାସଳଖ ଗରିବଙ୍କ ରାସନ୍‌ ସାମଗ୍ରୀ ସହ ଜଡ଼ିତ। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ, ଦେଶର ଗ୍ରାମାଞ୍ଚଳ ଲୋକସଂଖ୍ୟାର ୭୫ ପ୍ରତିଶତ ଓ ସହରାଞ୍ଚଳର ୫୦ ପ୍ରତିଶତଙ୍କୁ ଶସ୍ତାରେ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯିବ। ପୁରୁଣା ଜନଗଣନା ଅନୁଯାୟୀ, ଏହି ସଂଖ୍ୟା ୮୦ କୋଟି ଥିଲା, ମାତ୍ର ୨୦୨୧ରେ ଯଦି ଜନଗଣନା ହୋଇଥା’ନ୍ତା, ତାହା ୯୨ କୋଟି ଛୁଇଁଥା’ନ୍ତା। ଅର୍ଥାତ୍‌ ଠିକଣା ସମୟରେ ଜନଗଣନା ହୋଇନଥିବା କାରଣରୁ ଦେଶର ୧୨ କୋଟି ଲୋକ ଶସ୍ତା ଖାଦ୍ୟସାମଗ୍ରୀରୁ ବଞ୍ଚିତ ରହିଛନ୍ତି।

ଏଇଠି ପ୍ରଶ୍ନ ଉଠେ କି, ସରକାର କାହିଁକି ଠିକ୍‌ ସମୟରେ ଜନଗଣନା କରିବାକୁ ଚାହୁଁ ନାହାନ୍ତି? ଏହାକୁ ୨୦୨୧ରେ ସ୍ଥଗିତ ରଖିବାଟା ବୁଝାପଡ଼ିଲା, କିନ୍ତୁ ତାହା ପରେ ମଧ୍ୟ ତାହାକୁ ଘୁଞ୍ଚାଇବାର କାରଣ କ’ଣ? ନିରୀକ୍ଷଣ କଲେ ଦୁଇଟି କାରଣ ନଜରକୁ ଆସୁଛି ଏବଂ ଦୁର୍ଭାଗ୍ୟର କଥା, ଦୁଇଟି ଯାକ କାରଣ ସହ ଦେଶର ସ୍ବାର୍ଥ ତଥା ପ୍ରାଶାସନିକ ବ୍ୟବସ୍ଥା କି ପରିସଂଖ୍ୟାନର କୌଣସି ସମ୍ପର୍କ ନାହିଁ। ପ୍ରଥମ କାରଣଟି ହେଉଛି, ଜାତିଗତ ଜନଗଣନା ଉପରେ ବଢୁଥିବା ଚାପ। ମୋଦୀ ସରକାରଙ୍କ ଗତ ପାଳିରେ ତତ୍କାଳୀନ ଗୃହମନ୍ତ୍ରୀ ଆଶ୍ବାସନା ଦେଇଥିଲେ ଯେ ଆଗାମୀ ଜନଗଣନାରେ ଜାତିଗତ ତଥ୍ୟକୁ ସାମିଲ କରାଯିବ। ସଂସଦୀୟ କମିଟି ଓ ସରକାରଙ୍କ ପଛୁଆ ବର୍ଗ କମିସନ ତାହାକୁ ମଧ୍ୟ ସୁପାରିସ କରି ସାରିଛନ୍ତି। ଛଅଟି ରାଜ୍ୟ ତାହା ଦାବି କରିଛନ୍ତି ଏବଂ ଏପରିକି ବିହାରରେ ରାଜ୍ୟ ସରକାର ଜାତିଗତ ଗଣନା କରି କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ମୋଦୀ ସରକାର ଜାଣିଛନ୍ତି କି ଜାତିଗତ ଜନଗଣନା ତଥ୍ୟ ବିଜେପିର ରାଜନୀତିକୁ ସୁହାଇବ ନାହିଁ। ସରକାର ଜାତିଗତ ଜନଗଣନା କରିବାକୁ ଚାହୁଁ ନାହାନ୍ତି କି ତାହାକୁ ପ୍ରତ୍ୟାଖ୍ୟାନ କରୁନାହାନ୍ତି। ତେଣୁ ଏପରି ରାଜନୈତିକ ସଂକଟରୁ ବର୍ତ୍ତିବା ପାଇଁ ସହଜ ପନ୍ଥା ହେଲା ଜନଗଣନାକୁ ଟାଳିଦେବା।

ଦ୍ବିତୀୟ କାରଣଟି ଜାତୀୟ ଜନସଂଖ୍ୟା ପଞ୍ଜିକା ସଂଗେ ଜଡ଼ିତ। ୨୦୧୯ରେ ନାଗରିକତା ସଂଶୋଧନ ଆଇନ ପାରିତ କଲା ବେଳେ ସରକାର ଘୋଷଣା କରିଥିଲେ କି ନୂଆ ଜନଗଣନା ସହ ସମଗ୍ର ଦେଶର ଏକ ନୂତନ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ହେବ ଯାହା ଆଧାରରେ ଅବୈଧ ନାଗରିକଙ୍କୁ ଚିହ୍ନଟ କରାଯାଇପାରିବ। ମାତ୍ର ଏହି ଆଇନ ବିରୋଧରେ ସାହିନବାଗ ଭଳି ପ୍ରତିବାଦ ଓ ପୂର୍ବୋତ୍ତର ରାଜ୍ୟରେ ଦେଖାଦେଇଥିବା ବିଦ୍ରୋହ କାରଣରୁ ସରକାରଙ୍କୁ ହାତବାନ୍ଧି ବସିବାକୁ ପଡ଼ିଛି। ବର୍ତ୍ତମାନ ଆଇନଟି କାଏମ ରହିଛି ଏବଂ ସରକାର ତାହାକୁ ଲାଗୁ କରିବା ଉଦ୍ଦେଶ୍ୟରେ ନିୟମ ଗଢ଼ିବା ଲାଗି ଚୁପ୍‌ଚାପ୍‌ ବସିଛନ୍ତି। ଏଠି ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧ ମୋଦୀ ସରକାରଙ୍କର ଅସଲି ଚିନ୍ତା ନୁହେଁ। ସେଇ ବିରୋଧରୁ ତ ସରକାର ରାଜନୈତିକ ଫାଇଦା ଉଠାଇବା କଥା ଚିନ୍ତା କରିପାରନ୍ତି। ତେବେ ମୋଦୀ ସରକାରଙ୍କ ପ୍ରକୃତ ଚିନ୍ତା ହେଉଛି ପୂର୍ବୋତ୍ତର ରାଜ୍ୟରେ ଜାତୀୟ ଜନସଂଖ୍ୟା ପଞ୍ଜିକାର ପ୍ରଭାବ। ଏହା ଆସାମ ଓ ଅନ୍ୟାନ୍ୟ ପୂର୍ବୋତ୍ତର ରାଜ୍ୟରେ ବିଜେପିର ରାଜନୈତିକ ବିସ୍ତାରରେ ପ୍ରତିବନ୍ଧକ ସାଜିବାର ଆଶଙ୍କା ସୃଷ୍ଟି କରିପାରେ। ମୋଟାମୋଟି ଭାବେ ଏହା କୁହାଯାଇପାରିବ କି, ନିର୍ବାଚନରେ ଲାଭକ୍ଷତିର ଏହି ରାଜନୈତିକ ଗଣିତ ଯୋଗୁଁ ଦେଶର ଆଉ ଏକ ଗୁରୁତ୍ବପୂର୍ଣ୍ଣ ସଂସ୍ଥାକୁ ବଳି ଚଢ଼ାଇ ଦିଆଯାଇଛି।