ଏ ଭିତରେ ୫ଜି ମୋବାଇଲ୍ ଇଣ୍ଟର୍ନେଟ୍ର ଆଗମନ ଫଳରେ ଭାରତରେ ଇଣ୍ଟର୍ନେଟ୍ର ବେଗ ବହୁଗୁଣ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ ଏବେ ଇଣ୍ଟର୍ନେଟ୍ ବେଗ ତୁଳନାରେ ଏହି ସେବା ହାସଲ ଲାଗି ଗଣିବାକୁ ପଡୁଥିବା ପାଉଣା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ୟୁନାଇଟେଡ୍ କିଙ୍ଗଡମ୍ର ୱେବ୍ସାଇଟ୍ ‘କେବଲ୍ ଡଟ୍ କୋ ଡଟ୍ ୟୁକେ’ ୨୩୩ ଦେଶର ୫,୨୯୨ଟି ମୋବାଇଲ୍ ଡେଟା ପ୍ଲାନ୍ର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛି। ଏହା ଦର୍ଶାଉଛି ଯେ ୨୦୨୨ ମସିହାରେ ମୋବାଇଲ୍ ଇଣ୍ଟର୍ନେଟ୍ ବ୍ୟବହାର ଲାଗି ଗଣିବାକୁ ପଡୁଥିବା ପାଉଣା ଦୃଷ୍ଟିରୁ ସବୁଠାରୁ ଶସ୍ତା ସେବା ମିଳୁଥିବା ଦେଶ ଇସ୍ରାଏଲ୍ ହୋଇଥିବା ବେଳେ ସବୁଠାରୁ ବ୍ୟୟବହୁଳ ଦେଶ ହେଉଛି ସେଣ୍ଟ ହେଲିନା। ଇସ୍ରାଏଲ୍ରେ ଏକ ଗିଗାବାଇଟ୍ (ଜିବି) ଡେଟା ବ୍ୟବହାର ଲାଗି ହାରାହାରି ମାତ୍ର ୦.୦୪ ଡଲାର୍ ବ୍ୟୟ କରିବାକୁ ପଡ଼ିଥାଏ। ଏ ଦେଶର ତିନି-ଚତୁର୍ଥାଂଶ ଜନସଂଖ୍ୟା ନିକଟରେ ସ୍ମାର୍ଟଫୋନ୍ ରହିଛି, ଯାହା ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ମଧ୍ୟ ଅଧିକ।
ସେହିପରି ଇଟାଲିରେ ୧ ଜିବି ଡେଟା ଲାଗି ଦ୍ବିତୀୟ ସର୍ବନିମ୍ନ (୦.୧୨ ଡଲାର୍) ମୂଲ୍ୟ ଦେବାକୁ ପଡ଼ିଥାଏ। ଆଜି ଇଟାଲିର ୯୫% ଅଞ୍ଚଳରେ ୫ଜି ନେଟ୍ଵର୍କ ଉପଲବ୍ଧ। ଏହା ପଛକୁ ସାନ୍ ମାରିନୋ (୦.୧୪ ଡଲାର୍) ଓ ଫିଜି (୦.୧୫ ଡଲାର୍) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ଭାରତ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଭାରତରେ ୧ ଜିବି ଡେଟା ବ୍ୟବହାର ପାଇଁ ହାରାହାରି ୦.୧୭ ଡଲାର୍ ଖର୍ଚ୍ଚ ହୋଇଥାଏ। ଦକ୍ଷିଣ ଆମେରିକା ଓ ଆଫ୍ରିକାର ସୁଦୂର ଦ୍ବୀପ ରାଷ୍ଟ୍ରମାନଙ୍କରେ ମୋବାଇଲ୍ ଇଣ୍ଟର୍ନେଟ୍ ଦର ସର୍ବୋଚ୍ଚ ରହିଛି। ୟେମେନ୍ (୧୬.୫୮ ଡଲାର୍), ଟୋକିଲାଉ (୧୭.୮୮ ଡଲାର୍), ସାଓ ଟୋମି ଓ ପ୍ରିନ୍ସିପି (୨୯.୪୯ ଡଲାର୍), ଫାକ୍ଲାଣ୍ଡ୍ ଆଇଲାଣ୍ଡ୍ସ (୩୮.୪୫ ଡଲାର୍) ଓ ସେଣ୍ଟ ହେଲିନା (୪୧.୦୬ ଡଲାର୍) ହେଉଛନ୍ତି ପୃଥିବୀର ପାଞ୍ଚଟି ସବୁଠାରୁ ବ୍ୟୟବହୁଳ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ଉପଲବ୍ଧ ଦେଶ। ତୁଳନା କଲେ ଜଣାପଡ଼େ ଯେ ସେଣ୍ଟ ହେଲିନାର ଦର ଇସ୍ରାଏଲ୍ ଠାରୁ ହଜାରେ ଗୁଣରୁ ମଧ୍ୟ ଅଧିକ। ବିଶ୍ବ ସ୍ତରରେ ୧ ଜିବି ଡେଟାର ହାରାହାରି ଦର ୩.୧୨ ଡଲାର୍ ହୋଇଥିବା ବେଳେ ଦକ୍ଷିଣ ଆମେରିକା (୪.୯୬ ଡଲାର୍) ହେଉଛି ସବୁଠାରୁ ବ୍ୟୟବହୁଳ ମହାଦେଶ।