ସମସାମୟିକ ଇଉେରାପର ସର୍ବାଧିକ ଲୋକପ୍ରିୟ ସାହିତ୍ୟିକମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ଷ୍ଟେଫାନ୍ ଜ୍ବେଗ୍ ୧୯୪୨ରେ ଲେଖିଥିଲେ: ‘‘ହିଟ୍ଲର୍ଙ୍କୁ ସ୍ବାଗତ କରିବା ପାଇଁ ମୁଦ୍ରାସ୍ଫୀତି ଜର୍ମାନ୍ ଜାତିକୁ ଯେମିତି ତିକ୍ତ ଅନୁଭୂତିପୂର୍ଣ୍ଣ, ଘୃଣା ଜର୍ଜରିତ କରି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରି ଦେଇଥିଲା, ଅନ୍ୟ କିଛି ସେପରି କରି ପାରିନଥିଲା’’। ନାତ୍ସିମାନଙ୍କର ଆବିର୍ଭାବ ପରେ ଅଷ୍ଟ୍ରିଆ ଛାଡ଼ି ପଳାୟନ କରିଥିବା ଜ୍ବେଗ୍ ଯେଉଁ ମୁଦ୍ରାସ୍ଫୀତି କଥା କହିଥିଲେ, ତାହା ପୃଥିବୀର ଅର୍ଥନୈତିକ ଇତିହାସରେ ୧୯୨୦ ଦଶକର ଆଦ୍ୟ ଭାଗରେ ଜର୍ମାନୀରେ ଦେଖା ଦେଇଥିବା ‘ହାଇପର୍ ଇନ୍ଫ୍ଲେସନ୍’ ନାମରେ କୁଖ୍ୟାତ। ତୀବ୍ର ଦରଦାମ ବୃଦ୍ଧି ଦ୍ବାରା ଅତିଷ୍ଠ ହୋଇ ପଡ଼ିଥିବା ଜର୍ମାନ୍ମାନେ ସେମାନଙ୍କୁ ଏଥିରୁ ଉଦ୍ଧାର କରିବା ପାଇଁ କୌଣସି ଏକ ତ୍ରାଣକର୍ତ୍ତାଙ୍କୁ ଅପେକ୍ଷା କରିଥିବା ବେଳେ ହିଟ୍ଲର୍ ନିଜକୁ ସେଇ ଅବତାର ରୂପେ ପ୍ରଦର୍ଶିତ କଲେ। ତା’ପରର ଘଟଣାମାନ ସାରା ପୃଥିବୀର ଇତିହାସର ମୋଡ଼ ବଦଳାଇ ଦେଲା।
ମୁଦ୍ରାସ୍ଫୀତି କିପରି କ୍ଷମତା ପରିବର୍ତ୍ତନରେ ମୁଖ୍ୟ ଭୂମିକା ନିର୍ବାହ କରିପାରେ, ତାହା ହିଁ ସୂଚାଇବା ହେଉଛି ଏଠାରେ ଅତୀତର ପୃଷ୍ଠାରୁ ଷ୍ଟେଫାନ୍ ଜ୍ବେଗ୍ଙ୍କର ଉପରୋକ୍ତ ମନ୍ତବ୍ୟ ଉଦ୍ଧାର କରି ଉପସ୍ଥାପନ କରିବାର ଉଦ୍ଦେଶ୍ୟ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାଚ୍ୟୁତ କରିବା ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀ ଯେଉଁ ଦୀର୍ଘ ପଦଯାତ୍ରା ଅଭିଯାନ ଚଳାଇଛନ୍ତି, ତାହାର ଏକ ମୁଖ୍ୟ ଉପାଦାନ ହେଉଛି ଦେଶରେ ଦୀର୍ଘକାଳ ଧରି ରାଜତ୍ବ କରୁଥିବା ମୁଦ୍ରାସ୍ଫୀତି ପ୍ରତି ଦେଶବାସୀଙ୍କର ଦୃଷ୍ଟି ଆକର୍ଷଣ କରିବା। ଏହି ଯାତ୍ରାର ଏକ ସ୍ଲୋଗାନ୍ ମଧ୍ୟ ହେଉଛି: ‘େମହେଙ୍ଗାଇ ସେ ନାତା ତୋଡ଼ୋ, ମିଲ୍କର୍ ଭାରତ ଯୋଡ଼ୋ’।
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯାତ୍ରା ଆରମ୍ଭ କରିବା ସମୟରେ ମୁଦ୍ରାସ୍ଫୀତି ମଧ୍ୟ ରାହୁଲଙ୍କୁ ସମ୍ପୂର୍ଣ୍ଣ ସାହଚର୍ଯ୍ୟ ପ୍ରଦାନ କରିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ଖାଉଟି ମୁଦ୍ରାସ୍ଫୀତି ହାର ଲଗାତର ବର୍ଷର ତିନି ଚଉଠ କାଳ ଧରି ସର୍ବୋଚ୍ଚ ନିର୍ଦ୍ଧାରିତ ସହନ ସୀମା ୬ ଶତାଂଶ ଉପରେ ରହିବା ପରେ ରିଜର୍ଭ ବ୍ୟାଙ୍କ୍କୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ନିଜର ବିଫଳତାର କାରଣ ବର୍ଣ୍ଣନା କରି ସରକାରଙ୍କ ନିକଟରେ ଏକ ଲିଖିତ ଉତ୍ତର ଦାଖଲ କରିବାକୁ ପଡ଼ିଲା। କିନ୍ତୁ ଯାହା ଜଣାପଡୁଛି ଯାତ୍ରା ଆରମ୍ଭର ଦୁଇ ମାସ ପରେ ନଭେମ୍ବର ଠାରୁ ମୁଦ୍ରାସ୍ଫୀତି ନିଜର ମନୋଭାବରେ ସାମାନ୍ୟ ପରିବର୍ତ୍ତନ ଘଟାଇ ଖାଉଟିମାନଙ୍କ ସହିତ ନିଜର ‘ନାତା’କୁ ଟିକିଏ ଦୁର୍ବଳ କରି ସରକାର ତଥା ରିଜର୍ଭ ବ୍ୟାଙ୍କ୍ ପାଇଁ କିଛିଟା ଆଶ୍ବସ୍ତି ସୃଷ୍ଟି କରିବାକୁ ବୋଧହୁଏ ଆରମ୍ଭ କରିଛି। ନଭେମ୍ବର ପାଇଁ ଯେତେବେଳେ ଖାଉଟି ମୁଦ୍ରାସ୍ଫୀତି ସୂଚନା ପ୍ରକାଶ ପାଇଲା, ଦେଖାଗଲା ତାହା ଦୀର୍ଘ ଅପେକ୍ଷାରେ ବିରତି ଘଟାଇ ୬ ଶତାଂଶ ତଳକୁ ଖସି ହୋଇଛି ୫.୮୮ ଶତାଂଶ। ଏବେ ଗତ ଗୁରୁବାର ଦିନ ପ୍ରକାଶିତ ସୂଚନା ଅନୁସାରେ ସେଇ ଧାରା ବଜାୟ ରହି ଡିସେମ୍ବର ପାଇଁ ମୁଦ୍ରାସ୍ଫୀତି ହାର ହୋଇଛି ତା’ଠାରୁ ମଧ୍ୟ କମ୍, ୫.୭୨ ଶତାଂଶ।
କିନ୍ତୁ ଏଥି ସତ୍ତ୍ବେ ସରକାର ଓ ରିଜର୍ଭ ବ୍ୟାଙ୍କ୍ ପାଇଁ ତଥାପି ଯାହା ଅସୁବିଧାଜନକ, ତାହା ହେଲା ଡିସେମ୍ବରରେ ସମାପ୍ତ ହେଉଥିବା ଚଉଠ (ଅକ୍ଟୋବର, ନଭେମ୍ବର, ଡିସେମ୍ବର) ପାଇଁ ମିଳିତ ଭାବରେ ହିସାବ କଲେ ଦେଖାଯାଏ ଯେ ହାରାହାରି ମୁଦ୍ରାସ୍ଫୀତି ହାର ତଥାପି ୬ ଶତାଂଶ ଉପରେ ରହିଛି: ୬.୧୨ ଶତାଂଶ। ଅସୁବିଧାଜନକ କିନ୍ତୁ ଆଶାଜନକ ମଧ୍ୟ। କାରଣ ମୁଦ୍ରାନୀତି ନିର୍ଦ୍ଧାରଣ କରୁଥିବା ରିଜର୍ଭ ବ୍ୟାଙ୍କ୍ର ‘ମୁଦ୍ରାନୀତି କମିଟି’ (‘ଏମ୍ପିସି’) ଏଇ ଡିସେମ୍ବର ଚଉଠରେ ଖାଉଟି ମୁଦ୍ରାସ୍ଫୀତି ହାର ଏହାଠାରୁ ଅଧିକ ୬.୬ ଶତାଂଶ ହେବ ବୋଲି ପୂର୍ବାନୁମାନ ପ୍ରକାଶ କରିଥିଲା। ଡିସେମ୍ବରରେ ଅନୁଷ୍ଠିତ ସେଇ ବୈଠକରେ ‘ଏମ୍ପିସି’ ଜାନୁଆରି-ମାର୍ଚ୍ଚ ଚଉଠରେ ମୁଦ୍ରାସ୍ଫୀତି ହାର ୫.୯ ଶତାଂଶ ହେବାକୁ ଯାଉଛି ବୋଲି ମଧ୍ୟ ପୂର୍ବାନୁମାନ ପ୍ରକାଶ କରିଛି ଏବଂ ୨୦୨୨-୨୩ ବିତ୍ତବର୍ଷ ପାଇଁ ଏହା ୬.୭ ଶତାଂଶ ହେବ ବୋଲି ସୂଚନା ଦେଇଛି। ଯଦି ନଭେମ୍ବର, ଡିସେମ୍ବରରେ ପରିଲକ୍ଷିତ ଧାରା ଅବ୍ୟାହତ ରହେ, ତେବେ ହୁଏତ ଏହି ପୂର୍ବାନୁମାନରେ ସଂଶୋଧନ କରି ହ୍ରାସ ଘଟାଇବା ଆବଶ୍ୟକ ହୋଇପାରେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଶିରୋନାମା ମୁଦ୍ରାସ୍ଫୀତି’ ବା ‘ହେଡ୍ଲାଇନ୍ ଇନ୍ଫ୍ଲେସନ୍’ ହାର ବର୍ତ୍ତମାନ ୪ ଶତାଂଶ ଉପରେ ରହିଥିବା ବେଳେ (ଏହି ମୁଦ୍ରାସ୍ଫୀତି ହିସାବ କରିବା ବେଳେ ଅନ୍ୟାନ୍ୟ ଦ୍ରବ୍ୟମାନଙ୍କ ସହିତ ଖାଦ୍ୟ ଓ ଇନ୍ଧନ ଦରଦାମକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ, ଯଦିବା ତାହା ଦ୍ରୁତ ପରିବର୍ତ୍ତନଶୀଳ ହୋଇଥାନ୍ତି), ‘ମଞ୍ଜ ମୁଦ୍ରାସ୍ଫୀତି’ ବା ‘କୋର୍ ଇନ୍ଫ୍ଲେସନ୍’ (ଏଥିରୁ ଅସ୍ଥିର ବିବେଚିତ ଖାଦ୍ୟ ଓ ଇନ୍ଧନକୁ ବାଦ୍ ଦିଆଯାଇଥାଏ) ହାର ତଥାପି ୬ ଶତାଂଶର ସାନ୍ନିଧ୍ୟ ତ୍ୟାଗ କରିବାକୁ ଅନିଚ୍ଛା ପ୍ରଦର୍ଶନ କରି ଚାଲିଛି। ଖାଦ୍ୟ ତାଲିକାରେ ପନିପରିବା, ଡାଲି ଓ ଖାଇବା ତେଲ ଦର ବୃଦ୍ଧିରେ ଶିଥିଳତା ଦେଖା ଦେଇଥିବା ବେଳେ ଖାଦ୍ୟଶସ୍ୟ, ମାଛମାଂସ ଓ ଦୁଗ୍ଧଜାତ ପଦାର୍ଥମାନଙ୍କର ଦର ବୃଦ୍ଧି ଅବ୍ୟାହତ ରହିଛି। ନିକଟରେ ଅଶୋଧିତ ତୈଳ ଦରରେ ଯେଉଁ ହ୍ରାସ ଘଟିବା ଦେଖାଯାଇଛି, ତାହା ଦୀର୍ଘସ୍ଥାୟୀ ନ ହୋଇପାେର ବୋଲି ଆଶଙ୍କା ପ୍ରକାଶ ପାଉଛି। ଏଭଳି ଆଶଙ୍କାର ଏକ ମୁଖ୍ୟ କାରଣ ହେଉଛି ଚୀନ୍। ସେ ଦେଶରେ ଅନୁସୃତ ‘ଜିରୋ କୋଭିଡ୍’ ନୀତି ଯୋଗୁଁ ଯେତେବେଳେ କଳକାରଖାନା ଆଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା, ସେତେବେଳେ ଚୀନ୍ର ତୈଳ ଚାହିଦାରେ ତୀକ୍ଷ୍ଣ ସଂକୋଚନ ଘଟିଥିଲା। ଏବେ ଆଭ୍ୟନ୍ତରୀଣ ଚାପ ଯୋଗୁଁ ଚୀନା ସରକାର ସେଇ କଠୋର ନୀତିରେ ଅବସାନ ଘଟାଇବା ପରେ ପୁଣି ଚଳଚଞ୍ଚଳ ହୋଇ ପଡ଼ିଥିବା ଅର୍ଥନୀତିର ତୈଳ େଶାଷରେ ଯେଉଁ ଅନିବାର୍ଯ୍ୟ ବୃଦ୍ଧି ଘଟିବାକୁ ଆରମ୍ଭ କରିଛି, ସେଥିଯୋଗୁଁ ଆନ୍ତର୍ଜାତିକ ଅଶୋଧିତ ତୈଳ ଦରରେ ପୁନରାୟ ବୃଦ୍ଧି ଘଟିବା ଅବଶ୍ୟମ୍ଭାବୀ ବୋଲି ମନେ ହେଉଛି। ଏହା ଉପରେ ନଜର ରଖିଥିବା ବିଶେଷଜ୍ଞମାନଙ୍କ ଅନୁମାନ ଅନୁସାରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାରରୁ ଅଧିକ ହେବାର ଦୃଢ଼ ସମ୍ଭାବନା ରହିଛି। ତେଣୁ ବର୍ତ୍ତମାନ ଦେଖାଯାଇଥିବା ମୁଦ୍ରାସ୍ଫୀତିର ନିମ୍ନମୁଖୀ ଗତି ସତ୍ତ୍ବେ ଅର୍ଥନୀତି ଯେ ନିକଟ ଭବିଷ୍ୟତରେ ମୁଦ୍ରାସ୍ଫୀତି ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ସମ୍ଭାବନା ଉଜ୍ଜ୍ବଳ ନୁହେଁ, ତାହା ବୁଝିବା କଷ୍ଟ ନୁହେଁ।
ଏହି ପରିପ୍ରେକ୍ଷୀରେ ଯେଉଁ ପ୍ରଶ୍ନ ବିଶେଷ ଗୁରୁତ୍ବ ବହନ କରିଥାଏ, ତାହା ହେଲା, ଆଗାମୀ ଫେବ୍ରୁଆରି ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକରେ ରିଜର୍ଭ ବ୍ୟାଙ୍କ୍ର ‘ଏମ୍ପିସି’ ପୁଣି ‘ରେପୋରେଟ୍’ରେ ବୃଦ୍ଧି ଘଟାଇ ଦେଶରେ ସୁଧ ହାରରେ ବୃଦ୍ଧି ଘଟାଇବାକୁ ଯାଉଛି ନା ନାହିଁ? ଯଦି ଏ ପ୍ରଶ୍ନର ଉତ୍ତର ‘ହଁ’ ହୁଏ, ତେବେ ତାହା ହେବ ‘ରେପୋରେଟ୍’ରେ ‘ଏମ୍ପିସି’ ଲଗାତର ଷଷ୍ଠ ଥର ପାଇଁ ଘଟାଇବାକୁ ଯାଉଥିବା ବୃଦ୍ଧି। ‘ଏମ୍ପିସି’ ବର୍ତ୍ତମାନ ପର୍ଯ୍ୟନ୍ତ ଘଟାଇଥିବା ପାଞ୍ଚ ଦଫା ବୃଦ୍ଧି ଦ୍ବାରା ‘ରେପୋରେଟ୍’ରେ ମୋଟ୍ ୨.୨୫ ଶତାଂଶ ବୃଦ୍ଧି ଘଟି ତାହା ହୋଇଛି ୬.୨୫ ଶତାଂଶ। ଏହା ଜଣାଶୁଣା ଯେ ସୁଧହାରରେ ବୃଦ୍ଧି ଅର୍ଥନୈତିକ ଅଭିବୃଦ୍ଧିକୁ ଶ୍ବାସରୁଦ୍ଧ କରିଥାଏ। ଆଗାମୀ ଦିନମାନଙ୍କରେ ଆମେରିକା ସମେତ ଅଧିକାଂଶ ଦେଶ ଏକ ଗୁରୁତର ଅର୍ଥନୈତିକ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେବାକୁ ଯାଉଥିବାର ସମସ୍ତ ଲକ୍ଷଣ ପ୍ରକାଶ ପାଇ ସାରିଲାଣି। ଭାରତକୁ ତେଣୁ ସମୃଦ୍ଧି ପାଇଁ ନିଜର ଆଭ୍ୟନ୍ତରୀଣ ଅଭିବୃଦ୍ଧି ଉପରେ ନିର୍ଭର କରିବାକୁ ହେବ। ଏଣୁ ଯଦିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ଏଥର ମଧ୍ୟ ‘ରେପୋରେଟ୍’ରେ ବୃଦ୍ଧି ଘଟାଇବାକୁ ‘ଏମ୍ପିସି’ ଉଚିତ ମନେ କରେ, ତାହାକୁ ମାତ୍ର ୨୫ ବେସିସ୍ ପଏଣ୍ଟ (୦.୨୫%) ମଧ୍ୟରେ ସୀମିତ ରଖି ‘ରେପୋରେଟ୍’କୁ ୬.୫ ଶତାଂଶରେ ପହଞ୍ଚାଇ ଏହାକୁ ସର୍ବଶେଷ ବୃଦ୍ଧିରେ ପରିଣତ କରିବା ଉଚିତ ହେବ। ରାହୁଲଙ୍କ ଯାତ୍ରା ଯୋଗୁଁ ଭୟଭୀତ ହୋଇ ରିଜର୍ଭ ବ୍ୟାଙ୍କ୍ ଏହାଠାରୁ ଅଧିକ କଠୋର ପଦକ୍ଷେପ ନେବା ଅର୍ଥନୀତି ପାଇଁ କ୍ଷତିକାରକ ହେବ।