କିଛି ବର୍ଷ ହେଲା ଆମ ଗଣତନ୍ତ୍ରର ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି ବୋଲି ଉଭୟ ଭାରତୀୟ ଓ ବିଦେଶୀ ବିଦ୍ବାନମାନେ କହୁଛନ୍ତି। ତେବେ ଭାରତର ଲୋକତାନ୍ତ୍ରିକ ପତନର ଏକ ବିଭାବ ପ୍ରତି ଯେତିକି ଧ୍ୟାନ ଦିଆଯିବା କଥା, ସେତିକି ଦିଆ ଯାଇନାହିଁ। ତାହା ହେଉଛି- ଦଳୀୟ ବ୍ୟବସ୍ଥାର ଅବକ୍ଷୟ। ବାସ୍ତବରେ ଗଣମାଧ୍ୟମର ସ୍ବାଧୀନତା ଉପରେ ଆକ୍ରମଣ, ସ୍ବାଧୀନ ଅନୁଷ୍ଠାନଗୁଡ଼ିକର ବଶୀକରଣ ଓ ନିର୍ବାଚନୀ ଚାନ୍ଦାର ଅସ୍ପଷ୍ଟତା ଆଦିକୁ ତୁଳନା କଲେ ଭାରତୀୟ ଗଣତନ୍ତ୍ର କେତେ ତଳକୁ ଖସିଯାଇଛି, ତାହାର ଏକ ସ୍ପଷ୍ଟ ସଂକେତ ମିଳୁଛି।
ଉଦାହରଣ ସ୍ବରୂପ, ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତାଙ୍କ ପୁଅକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ବିଷୟ ଉପରେ ଦୃଷ୍ଟି ପକାଯାଉ। ତରୁଣ ପାଠକପାଠିକାମାନେ ଏହାକୁ ଅତ୍ୟନ୍ତ ସ୍ବାଭାବିକ ବୋଲି ଭାବିବେ, ମାତ୍ର ଦୀର୍ଘ ସ୍ମୃତିଧାରୀ ବ୍ୟକ୍ତିମାନେ ଏହାକୁ ଦ୍ରାବିଡ଼ ମୁନ୍ନେତ୍ରା କଝାଗମ୍ ବା ‘ଡିଏମ୍କେ’ର ସ୍ଥାପନ କାଳୀନ ଆଦର୍ଶର ବିପରୀତ ରୂପରେ ଦେଖିବେ। ‘ଡିଏମ୍କେ’ ଏକ ଲୋକପ୍ରିୟ ଆନ୍ଦୋଳନରୁ ଉତ୍ପନ୍ନ ହୋଇଥିଲା। ଭାରତର ହିନ୍ଦୀଭାଷୀ ଅଞ୍ଚଳର ରାଜନୈତିକ ଆଧିପତ୍ୟ ସମକ୍ଷରେ ତାମିଲ ପରିଚିତିକୁ ଦୃଢ଼ କରିବା ସକାଶେ ଏହି ଆନ୍ଦୋଳନ ଗଢ଼ି ଉଠିଥିଲା। ତାମିଲ ସଂସ୍କୃତିର ମୌଳିକତା ଓ ସ୍ବାଭିମାନର ପ୍ରତିଷ୍ଠା ଯଦିଓ ‘ଡିଏମ୍କେ’ ପଛର ପ୍ରାଥମିକ ପ୍ରେରଣା ଥିଲା, ଜାତି ଓ ଲିଙ୍ଗ ସଂଦର୍ଭରେ ଦେଶର ଉତ୍ତର ଭାଗରେ ପ୍ରଭୁତ୍ବ ଜାହିର କରୁଥିବା ଦଳ କଂଗ୍ରେସ ତୁଳନାରେ ଏହା ଅଧିକ ପ୍ରଗତିଶୀଳ ଆଭିମୁଖ୍ୟ ବହନ କରିଥିଲା। ୧୯୬୭ରେ ତାମିଲନାଡୁରେ ଶାସନ କ୍ଷମତାକୁ ଆସିବା ପରେ ‘ଡିଏମ୍କେ’ ପୂର୍ବ ସରକାର ତୁଳନାରେ ଅଧିକ ଜନ କଲ୍ୟାଣକାରୀ ଶାସନ ପ୍ରବର୍ତ୍ତନ ଦିଗରେ ଆଗଭର ହୋଇଥିଲା।
‘ଡିଏମ୍କେ’ ନିଜକୁ ଏକ ସାଂସ୍କୃତିକ ଗୌରବବାହୀ ସମାଜ ସଂସ୍କାରକ ଦଳ ଭାବେ ଗଢ଼ିବାର ଉଦ୍ୟମ କରିଥିଲା। ଏହା ନିଜକୁ ଏକ ପାରିବାରିକ ମଞ୍ଚରେ ପରିଣତ ହେବାର ସୁଯୋଗ ଦେଇନଥିଲା। ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ସି. ଏନ୍. ଆନ୍ନାଦୁରାଇଙ୍କ ଅକାଳ ମୃତ୍ୟୁ ହୋଇ ନଥିଲେ ହୁଏ’ତ ଏହା ବର୍ତ୍ତମାନ ଯେମିତି ହୋଇଛି, ସେମିତି ହୋଇ ନ ଥା’ନ୍ତା। ତାଙ୍କ ଉତ୍ତରାଧିକାରୀ ଏମ୍ କରୁଣାନିଧି ହିଁ ଡିଏମ୍କେକୁ ଏକ ପାରିବାରିକ ଦଳ ରୂପେ ଗଢ଼ିବାର କାରସାଦି କଲେ। ସେ ହିଁ ନିଜ ପୁଅ ଏମ୍ କେ ଷ୍ଟାଲିନଙ୍କୁ ନିଜର ଉତ୍ତରାଧିକାରୀ ରୂପରେ ପ୍ରସ୍ତୁତ କରିଥିଲେ।
‘ଡିଏମ୍କେ’ ଏପରି ପ୍ରିୟାପ୍ରୀତି ତୋଷଣର ମାର୍ଗ ଆପଣେଇଥିବା ଏକମାତ୍ର ଦଳ ନୁହେଁ। ଅକାଳୀ ଦଳ ‘ଡିଏମ୍କେ’ ଠାରୁ ପୁରୁଣା ବଂଶବାଦୀ ଦଳ। ପ୍ରତିଷ୍ଠାର କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ଦଳର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏକ ଦୃଢ଼ ଶିଖ ପରିଚିତି ପାଇଁ ଲଢ଼ିବା ଏବଂ ତାହାର ରକ୍ଷା କରିବା। ପରେ ପ୍ରକାଶ ସିଂହ ବାଦଲଙ୍କ ନେତୃତ୍ବରେ ହିଁ ଦଳ ଏକ ପାରିବାରିକ ଦଳରେ ପରିଣତ ହୋଇଗଲା। ଶିବସେନା ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ପରି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ ଅନୁରୂପ ପନ୍ଥା ଆପଣେଇଛନ୍ତି। ପ୍ରକୃତରେ ଷ୍ଟାଲିନ ଯେତେବେଳେ ନିଜ ପୁଅ ଉଦୟନିଧିଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କଲେ, ସେତିକି ବେଳେ ଜଣାପଡ଼ିଗଲା ଯେ ସେ ନିଶ୍ଚିତ ରୂପରେ ଉଦ୍ଧବ ଠାକରେ ଓ କେ. ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ସ୍ଥାପିତ ଦୃଷ୍ଟାନ୍ତ ଦ୍ବାରା ଅନୁପ୍ରେରିତ ହୋଇଛନ୍ତି। ସେହିପରି ସମାଜବାଦୀ ପାର୍ଟି, ‘ଆର୍ଜେଡି’ ଓ ‘ଆର୍ଏଲ୍ଡି’ ପରି ଉତ୍ତର ଭାରତୀୟ ଦଳ ମଧ୍ୟ ‘ସାମାଜିକ ନ୍ୟାୟ’ ପ୍ରତି ବୈଚାରିକ ନିଷ୍ଠା କାରଣରୁ ଆବିର୍ଭୂତ ହୋଇଥିଲେ ହେଁ ପିତା ଠାରୁ ପୁତ୍ରକୁ ଦଳୀୟ ନେତୃତ୍ବ ଯାଇ ପାରିବାରିକ ଦଳରେ ପରିଣତ ହୋଇଛନ୍ତି।
ତେବେ, କଥା ହେଲା, ହୁଏ’ତ ଉପରୋକ୍ତ କିଛି ହେଲେ ଘଟି ନ ଥା’ନ୍ତା, ଯଦି ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ଭାରତର ସବୁଠୁ ପୁରୁଣା ଓ ପ୍ରତିଷ୍ଠିତ ରାଜନୈତିକ ଦଳ ଏକ ପାରିବାରିକ ‘ଫାର୍ମ୍’ ବା ଉଦ୍ୟୋଗରେ ପରିଣତ ହୋଇ ନ ଥା’ନ୍ତା। ଆଜିର ଭାରତୀୟ ଜାତୀୟ କଂଗ୍ରେସ କେବଳ ନାମ ଆଧାରରେ ସେହି ମୂଳ ଦଳ ସହିତ ସାମାନ୍ୟ ସାମଞ୍ଜସ୍ୟ ରଖିଛି ମାତ୍ର, ଯେଉଁ ଦଳ ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ମୂଳ କଂଗ୍ରେସର ସବୁଠୁ ଲୋକପ୍ରିୟ ନେତା ମହାତ୍ମା ଗାନ୍ଧୀଙ୍କ ଚାରି ଜଣ ପୁଅ ଥିଲେ; ବ୍ରିଟିସ ଶାସନକୁ ବିରୋଧ କରି ସମସ୍ତେ କେତେ ଥର ଜେଲ୍ ବି ଯାଇଛନ୍ତି। ମାତ୍ର କେହି ଜଣେ ହେଲେ ସ୍ବାଧୀନ ଭାରତର ମନ୍ତ୍ରୀ ହୋଇ ନାହାନ୍ତି; ମନ୍ତ୍ରୀ ହେବା ତ ଦୂରର କଥା, ଏପରିକି ସାଂସଦ ବି ହୋଇ ନାହାନ୍ତି।
ଗାନ୍ଧୀଜୀଙ୍କ ସବା ସାନ ପୁଅ ଦେବଦାସ ଗାନ୍ଧୀଙ୍କୁ ରାଜନୀତିରେ ପ୍ରବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କହିଥିଲେ, ମାତ୍ର ସେ ମନା କରିଥିଲେ ଏବଂ ତା’ ପରିବର୍ତ୍ତେ ସେ ଏକ ଖବରକାଗଜର ସମ୍ପାଦକ ଭାବରେ ଜୀବନ ବିତାଇବାକୁ ପସନ୍ଦ କରିଥିଲେ। ୧୯୪୯ରେ ଦେବଦାସଙ୍କୁ ସୋଭିଏତ ସଂଘରେ ଭାରତର ରାଷ୍ଟ୍ରଦୂତ ଭାବରେ ପଠାଇବା ଲାଗି ନେହରୁ ପ୍ରସ୍ତାବ ରଖିଥିଲେ; ତହିଁ ପର ବର୍ଷ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର ସେସବୁ ଗ୍ରହଣ କରି ଦୃଷ୍ଟାନ୍ତ ରଖିଯିବାକୁ ପସନ୍ଦ ନ କରି ମହାତ୍ମା ଗାନ୍ଧୀଙ୍କ ପୁଅ ପ୍ରତିଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେ ପ୍ରକାର ବିବେଚନାବୋଧ ଏବେ କେବଳ କଂଗ୍ରେସ କାହିଁକି, ଭାରତୀୟ ରାଜନୀତିରେ କୌଣସି ଠାରେ ଦେଖିବାକୁ ମିଳୁନାହିଁ। ଇନ୍ଦିରା ଗାନ୍ଧୀଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ ସଂଜୟ ଓ ରାଜୀବ ଗାନ୍ଧୀ ଅଭିଷିକ୍ତ ହେବା ଦ୍ବାରା ‘ଡିଏମ୍କେ’ ଓ ଅକାଳୀ ଦଳର ନେତା ସେମାନଙ୍କ ସନ୍ତାନମାନଙ୍କର ପଦୋନ୍ନତି ପାଇଁ ପ୍ରୋତ୍ସାହିତ ହୋଇଥିଲେ। ଗୋଟିଏ ପିଢ଼ି ପରେ ସୋନିଆ ଗାନ୍ଧୀ ନିଜ ପୁଅ ରାହୁଳଙ୍କ ଛଡ଼ା ଅନ୍ୟ କାହାକୁ କଂଗ୍ରେସର ପ୍ରମୁଖ ନେତା ଭାବେ ସ୍ବୀକାର କରିବା ଲାଗି ବସ୍ତୁତଃ ମନା କରିବା ଦ୍ବାରା ଭାରତୀୟ ରାଜନୀତିରେ ଏକ ବଂଶବାଦୀ ସଂସ୍କୃତି ବଳବତ୍ତର ରହିବା ଲାଗି ଅଧିକ ପ୍ରୋତ୍ସାହନ ମିଳିଯାଇଛି।
ଏ କଥା ସତ ଯେ ଭାରତରେ ପରିବାର ଆଧାରରେ ଅନେକ ପେସା ଚାଲେ। ମାତା-ପିତାଙ୍କ ପେସା ଆଦରିବା ଲାଗି ପିଲାଙ୍କୁ ପ୍ରାରମ୍ଭିକ ସମର୍ଥନ ମଧ୍ୟ ମିଳିଥାଏ। ଅବଶ୍ୟ ପରିଶେଷରେ ସେମାନଙ୍କ ନିଜସ୍ବ ପାରଦର୍ଶିତା ଉପରେ ସଫଳତା ନିର୍ଭର କରିଥାଏ। ରୋହନ ଗାଭାସ୍କର ନିଜ ପିତାଙ୍କ ଯୋଗୁଁ ଜଣେ କ୍ରିକେଟ୍ ଖେଳାଳି ହୋଇଥିଲେ, ଯଦିଓ ବିଶେଷ ସଫଳ ହୋଇ ପାରି ନ ଥିଲେ। ଚେତେଶ୍ବର ପୂଜାରା ବି ନିଜ ପିତାଙ୍କ ଯୋଗୁଁ କ୍ରିକେଟ୍ ଖେଳାଳି ହୋଇଥିଲେ, କିନ୍ତୁ ସେ ପିତାଙ୍କ ତୁଳନାରେ ଅଧିକ ସଫଳ ହୋଇପାରିଛନ୍ତି। ସେହିପରି ଅଭିଷେକ ବଚନଙ୍କୁ ନିଜ ପିତାଙ୍କ ଯୋଗୁଁ କିଛି ଭୂମିକା ନିଶ୍ଚିତ ମିଳିଥିଲା, ମାତ୍ର ଯେତେ ଚେଷ୍ଟା କରିଥିଲେ ବି ସେ ତାଙ୍କର ପ୍ରସିଦ୍ଧ ପିତା ଅମିତାଭଙ୍କ ସମକକ୍ଷ ହୋଇ ପାରି ନାହାନ୍ତି।
ଖେଳ ହେଉ ବା ସିନେମା, ଆଇନକାନୁନ ହେଉ ବା ସାହିତ୍ୟ; ସବୁଥିରେ ବଂଶବାଦ ବିଦ୍ୟମାନ। ତେବେ ରାଜନୀତିରେ ବଂଶବାଦ ଖରାପ ହିଁ ହୋଇଥାଏ, କାରଣ ସେଥିରେ ଗଣତାନ୍ତ୍ରିକ ସିଦ୍ଧାନ୍ତର ଉଲ୍ଲଂଘନ ଘଟିଥାଏ ଏବଂ ତଦ୍ଦ୍ବାରା କାହିଁ କେତେ ଗୁଣ ଅଧିକ ସଂଖ୍ୟକ ଲୋକ ପ୍ରଭାବିତ ହୋଇ ଥାଆନ୍ତି। ପିତା-ମାତାଙ୍କ ତୁଳନାରେ କମ୍ ଦକ୍ଷ ଓକିଲଙ୍କୁ କମ୍ ମହକିଲ ମିଳିଥା’ନ୍ତି ବା ପିତା-ମାତାଙ୍କ ଅପେକ୍ଷା କମ୍ ଦକ୍ଷ ଡାକ୍ତରଙ୍କ ପାଖକୁ କମ୍ ରୋଗୀ ଆସନ୍ତି। ଅର୍ଥାତ୍ ପିତାମାତାଙ୍କ ସୁନାମର ଲାଭ ଅଦକ୍ଷ ସନ୍ତାନମାନେ ପାଆନ୍ତି ନାହିଁ। କିନ୍ତୁ ରାଜନୀତିରେ ଏଭଳି ଘଟି ନ ଥାଏ। ଯେତେବେଳେ ଷ୍ଟାଲିନ୍ କି ଉଦ୍ଧବ କି କେସିଆର୍ କି ସୋନିଆ ନିଜ ସନ୍ତାନଙ୍କୁ ଦଳରେ ବା ସରକାରରେ ସାମିଲ କରାନ୍ତି, ସେମାନେ ତାହାର ନେତୃତ୍ବ ନିଅନ୍ତି, ଏହା ଅନ୍ୟ ସଦସ୍ୟମାନଙ୍କ ପାଇଁ ଏକ ସନ୍ଦେଶ ପଠାଏ ଯେ ସେମାନଙ୍କର ପ୍ରତିଭା ବା ଜ୍ଞାନ ସତ୍ତ୍ବେ ସେମାନେ ନିଜ ପାଇଁ କେବେ ବି ଶୀର୍ଷ ନେତୃତ୍ବର ଆକାଂକ୍ଷା ରଖି ପାରିବେ ନାହିଁ।
ରାଜନୈତିକ ଦଳକୁ ପାରିବାରିକ କଂପାନିରେ ରୂପାନ୍ତରଣ କରାଯିବା ହେଉଛି ଗଣତାନ୍ତ୍ରିକ ପତନର ସୂଚକ। ଏଭଳି ପତନର ଆଉ ଏକ ଲକ୍ଷଣ ହେଉଛି ରାଜନୈତିକ ଦଳରେ ଏକକ-ନାୟକତ୍ବର ସୃଷ୍ଟି ଏବଂ ଦଳର ସର୍ବମୟ ନେତାଙ୍କୁ ସମର୍ପିତ ଭାବେ ଉପାସନା କରାଯିବାର ପ୍ରବୃତ୍ତି। ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବରେ ଏହାର ଦୃଷ୍ଟାନ୍ତ। ମୋଦୀଙ୍କ ପୂର୍ବରୁ ବିଜେପି କେବେ ବି ଏପରି ବ୍ୟକ୍ତିତ୍ବ ଉପାସନା ଦ୍ବାରା ବନ୍ଦୀ ହୋଇ ନ ଥିଲା ଯାହା ଏବେ ହୋଇଛି। ସେତେବେଳେ ଦଳ ‘ବ୍ୟକ୍ତି ପୂଜା’ର କଡ଼ା ବିରୋଧ କରୁଥିଲା ଏବଂ ଦାବି କରୁଥିଲା କି ସାମୂହିକ ନେତୃତ୍ବ ଓ ଅନ୍ତର୍ଦଳୀୟ ଗଣତନ୍ତ୍ର ତାହାକୁ ଏକଛତ୍ରବାଦୀ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ଠାରୁ ଭିନ୍ନ କରି ରଖିଛି। ବାଜପେୟୀ ତାଙ୍କ ମନ୍ତ୍ରିମଣ୍ଡଳରେ ସେଭଳି ପ୍ରଭୁତ୍ବ ଜାହିର କରୁ ନ ଥିଲେ ଯେପରି ନରେନ୍ଦ୍ର ମୋଦୀ କରୁଛନ୍ତି। ସେହିପରି ବିଜେପିର ମୁଖ୍ୟମନ୍ତ୍ରୀମାନେ କେବେ ବି ନିଜ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଚାଟୁକାରିତାର ଶବ୍ଦ ପ୍ରୟୋଗ କରୁ ନ ଥିଲେ, ଯେମିତି ଏବେ ହେଉଛି। ୨୦୧୪ ମେ’ ମାସ ଠାରୁ କେନ୍ଦ୍ର ସରକାର ଓ ସତ୍ତାରୂଢ଼ ଦଳର ବିପୁଳ ସଂସାଧନ କେବଳ ପ୍ରଧାନମନ୍ତ୍ରୀଙ୍କ ଛବିକୁ ଝଲସାଇବା ପାଇଁ ସମର୍ପିତ।
ନରେନ୍ଦ୍ର ମୋଦୀଙ୍କ ଉପାସନା ଦ୍ବାରା ଭାରତୀୟ ଗଣତନ୍ତ୍ରର କିଭଳି କ୍ଷତି ଘଟିଛି, ସେ ସମ୍ପର୍କରେ ପୂର୍ବରୁ ମୁଁ ଏହି ସ୍ତମ୍ଭରେ ଲେଖିଛି। ତେବେ, ଏହା ଏକ ଚିନ୍ତାର ବିଷୟ ଯେ କେବଳ ବିଜେପି ନୁହେଁ, ଅନ୍ୟ ଦଳଗୁଡ଼ିକ ମଧ୍ୟ ଏଭଳି ଳକ୍ଷଣ ଦ୍ବାରା ପ୍ରଭାବିତ ହେବା ଲକ୍ଷ୍ୟ କରାଯାଉଛି। ଆମ୍ ଆଦମୀ ପାର୍ଟିର ସ୍ଥାପନା ବେଳେ ତାହା ଭ୍ରଷ୍ଟାଚାର ବିରୋଧରେ ନିଜର ଦୃଢ଼ ସ୍ବର ଉତ୍ତୋଳାନ କାରଣରୁ ବ୍ୟାପକ ଜନ ସମର୍ଥନ ହାସଲ କରିଥିଲା। ମାତ୍ର କିଛି ବର୍ଷ ହେଲା ଏହା ଅରବିନ୍ଦ କେଜ୍ରିଵାଲଙ୍କ ମହତ୍ତ୍ବାକାଂକ୍ଷାର ବାହନ ପାଲଟି ଯାଇଛି। ‘ଆପ୍’ର ଅନ୍ୟ ନେତାମାନେ ତାଙ୍କୁ ଅନୁରୂପ ସମ୍ମାନ ପ୍ରଦର୍ଶନ କରୁଛନ୍ତି, ଯେମିତି ବିଜେପିର ନେତାମାନେ ମୋଦୀଙ୍କୁ କରୁଛନ୍ତି। କେଜ୍ରିଵାଲ ଉପାସନାକୁ ଆଗେଇ ନେବା ଲାଗି ଦିଲ୍ଲୀ ସରକାର ପ୍ରବଳ ଅର୍ଥ ବ୍ୟୟ କରୁଛନ୍ତି, ଯେଉଁଭଳି କେନ୍ଦ୍ର ସରକାର ମୋଦୀ ଉପାସନା ପାଇଁ କରୁଛନ୍ତି।
ଜଣେ ବ୍ୟକ୍ତି ଏକାକୀ ଦଳ ବା ରାଜ୍ୟକୁ ପ୍ରତିନିଧିତ୍ବ କରିପାରିବାର ବିଚାରଧାରା ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଉପାସନାରେ ମଧ୍ୟ ଦେଖାଯାଇଛି; ଏପରିକି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କର ମଧ୍ୟ କିଛି ମାତ୍ରାରେ ଉପାସନା ଦେଖିବାକୁ ମିଳୁଛି। ବିଜେପି ପରି ସିପିଆଇ (ଏମ୍) ମଧ୍ୟ ପୂର୍ବରୁ ନିଜର ଅନ୍ତର୍ଦଳୀୟ ଗଣତନ୍ତ୍ର ପାଇଁ ଗର୍ବ ଅନୁଭବ କରୁଥିଲା, ଯାହା ଏବେ ଇତିହାସ ହୋଇଯାଇଛି। ୨୦୨୧ରେ ବାମ ସାମ୍ମୁଖ୍ୟ ପୁନର୍ନିର୍ବାଚିତ ହେବା ପରେ ବିଜୟନ୍ ତାଙ୍କର ସବୁଠୁ ଭଲ ପ୍ରଦର୍ଶନ କରୁଥିବା ଦୁଇ ଜଣ ମନ୍ତ୍ରୀଙ୍କୁ ବରଖାସ୍ତ କରି ଦେଇଥିଲେ।
ଭାରତୀୟ ରାଜନୀତିରେ ଦଳୀୟ ବ୍ୟବସ୍ଥାର ପତନ ଅଳ୍ପ ବହୁତେ ପୂର୍ଣ୍ଣ ହୋଇଛି, ଯେଉଁଥିରେ କିଛି ଦଳ ପାରିବାରିକ ‘ଫାର୍ମ’ରେ ପରିଣତ ହୋଇଛନ୍ତି ତ ଅନ୍ୟ କିଛି ଦଳ ବ୍ୟକ୍ତି ଉପାସକ ପାଲଟି ଯାଇଛନ୍ତି, ଯେଉଁଠାରେ ନେତାଙ୍କୁ ଜଣେ ପ୍ରତ୍ୟକ୍ଷ ଦେବତା ରୂପରେ ପ୍ରତିଷ୍ଠିତ କରାଯାଉଛି। ଯୌକ୍ତିକତା ଦୃଷ୍ଟିରୁ ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅନୁଷ୍ଠାନ, ଯାହାର ଉତ୍ତମ ସ୍ବାସ୍ଥ୍ୟ ଓ ସକ୍ରିୟତା ଉପରେ ଗଣତନ୍ତ୍ର ନିର୍ଭର କରିଥାଏ। ଯଦି ଦଳଗୁଡ଼ିକ ବିନୀତ ବଚସ୍କର ହେବାର ସଂସ୍କୃତିକୁ ଆପଣେଇବେ, ତେବେ ପରିବାର-ପୂଜା ବା ବ୍ୟକ୍ତିତ୍ବ ଉପାସନା ଅନିବାର୍ଯ୍ୟ ହୋଇ ପଡ଼ିବ। ଯଦି କୌଣସି ନେତା ନିଜ ଦଳୀୟ ସହଯୋଗୀଙ୍କଠାରୁ କେବଳ ପ୍ରଶଂସାର ଆଶା ରଖନ୍ତି, ତେବେ ସେ କ’ଣ ସ୍ବାଧୀନ ଗଣମାଧ୍ୟମକୁ ପ୍ରଭାବିତ କରିବାକୁ ଇଚ୍ଛୁକ ହେବେ ନାହିଁ? ଯଦି କୌଣସି ନେତା ଦଳୀୟ ସଦସ୍ୟଙ୍କ ଠାରୁ ଅବାଧ କୃତଜ୍ଞତା ଦାବି କରନ୍ତି, ତେବେ ସେ କ୍ଷମତାସୀନ ହେବା ପରେ ଅମଲାତନ୍ତ୍ର, ପୁଲିସ, ଗଣମାଧ୍ୟମ ବା ନ୍ୟାୟପାଳିକାଠାରୁ ନିଜର ସବୁ ପ୍ରକାର କାର୍ଯ୍ୟ ଲାଗି ସମର୍ଥନ କାହିଁକି ଅବା ଦାବି ନ କରିବେ?