ଜଣେ ରାଜା ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତିଙ୍କୁୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କଲେ। କିନ୍ତୁ ସେହି ବ୍ୟକ୍ତି ଜଣକ ଥିଲେ ଅସାଧୁ। ସେ ରାଜାଙ୍କ ନିକଟତମ ହେବାର ସୁଯୋଗ ନେଇ ଅଜସ୍ର ଅର୍ଥ ହଡ଼ପ କଲେ। କିଛି କାଳ ପରେ ରାଜା ଏ ସଂପର୍କରେ ଜାଣିଲେ ଏବଂ ଅତ୍ୟନ୍ତ ଦୁଃଖିତ ହେଲେ।

Advertisment

ସେ ତାଙ୍କୁ ନିଜ ପାଖକୁ ଡକାଇ ଅତ୍ୟନ୍ତ ଭାରୀ ଗଳାରେ କହିଲେ- ମୋତେ ଆଉ କିଛି କୁହନାହିଁ। ମୋ ସାମନାରୁ ଚାଲିଯାଅ। କାରଣ ତୁମେ ମୋ ସରଳ ବିଶ୍ବାସର ସୁଯୋଗ ନେଇ ମୋ ପ୍ରତି ବିଶ୍ବାସଘାତକତା କରିଛ। ତୁମ ବିଚକ୍ଷଣ ବୁଦ୍ଧି ମୋତେ ପୂର୍ବରୁ ବହୁ ବିପଦରୁ ରକ୍ଷା କରିଥିବାରୁ ମୁଁ ତୁମକୁ କୌଣସି ଦଣ୍ଡ ଦେଉନାହିଁ। ତୁମେ କେବଳ ମୋ ରାଜ୍ୟ ଛାଡ଼ି ଚାଲିଯାଅ।

ପରାମର୍ଶଦାତା ଅତି ସ୍ଥିର ଭାବେ କହିଲେ- ମଣିମା, ମୁଁ ଚାଲିଯିବି। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଅନ୍ତିମ ପରାମର୍ଶଟିଏ ଦେବି। ଆଜି ମୋ ପାଖରେ ସବୁ କିଛି ଅଛି। ପାହାଡ଼ ଉପରେ ପ୍ରାସାଦ, ସମୁଦ୍ର କୂଳରେ ମହଲ, ରାଜଧାନୀରେ ଶଙ୍ଖମର୍ମର ନିବାସ। ରାଜ୍ୟର ସବୁ ଅଞ୍ଚଳରେ ମୋର ଜମିବାଡ଼ି ରହିଛି। ମୁଁ ଯାହା କରିଛି, ସେଥିରେ ମୋର ସାତ ପୁରୁଷ ବସି ଖାଇବେ। ଏବେ ମୋର ଆଉ ବିଶେଷ କିଛି କରିବାର ନାହିଁ। କିନ୍ତୁ ମୋ ପରେ ଆପଣ ଯାହାକୁ ମୋ ସ୍ଥାନରେ ରଖିବେ, ସେ ପୁଣି ମୂଳରୁ ସବୁ କିଛି ଆରମ୍ଭ କରିବ।

ରାଜା ମଧ୍ୟ ବୁଦ୍ଧିମାନ ଥିଲେ। ସେ ତାଙ୍କ ପରାମର୍ଶଦାତାଙ୍କ କଥା ମାନି ତାଙ୍କୁ ଯିବାକୁ ଦେଲେ ନାହିଁ ଓ ପୂର୍ବବତ୍ ପାଖରେ ରଖିଲେ।