ବୁଦ୍ଧିମାନ ନିର୍ବୋଧ

ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ’ର ବାଚସ୍ପତି ନାନ୍‌ସି ପେଲୋସି (ରାଜନୈତିକ ଦୃଷ୍ଟିରୁ ରାଷ୍ଟ୍ରପତି ଏବ˚ ଉପରାଷ୍ଟ୍ରପତିଙ୍କ ପରେ ତୃତୀୟ ସର୍ବାଧିକ କ୍ଷମତାଶାଳୀ ପଦଧାରୀ)ଙ୍କ ଦ୍ବାରା ମାତ୍ର କିଛି ଘଣ୍ଟା ଲାଗି ତାଇଵାନ ପରିଦର୍ଶନ ଏବ˚ ସେହି କାରଣରୁ କ୍ରୋଧ ଜର୍ଜର ଚୀନ ଦ୍ବାରା ତାଇଵାନକୁ ଘେରାବନ୍ଦୀ କରି କ୍ଷେପଣାସ୍ତ୍ର ନିକ୍ଷେପ କରାଯିବା ଭଳି ଘଟଣାର ଘନଘଟା ସହିତ ପୃଥିବୀ ଇତିହାସରେ ମନୁଷ୍ୟ ନିର୍ବୋଧତାର ଅସରନ୍ତି ଦୃଷ୍ଟାନ୍ତଗୁଡ଼ିକ ସହିତ ଆଉ ଗୋଟିଏ ଯୋଡ଼ି ହୋଇ ଯାଇଛି। ଏହାର କାରଣ ପେଲୋସିଙ୍କ ଏହି ଭ୍ରମଣ କେବଳ ମାତ୍ର ଏକ ନିରୀହ ବୁଲି ଚାଲିଯିବା ମାତ୍ର ନ ଥିଲା; ତାହା ଚୀନ ଠାରେ ତୀବ୍ର ଏକ ମର୍ମଦାହ ସୃଷ୍ଟି କରିବ ବୋଲି ସେ ନିଶ୍ଚିତ ଥିବେ; ଯାହା କୌଣସି ଅସତର୍କ କ୍ଷଣରେ ଏକ ଯୁଦ୍ଧକୁ ଜନ୍ମ ଦେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ମଧୢ ତାଙ୍କୁ ଜଣା ଥିବ। ଏହା ମଧୢ ସ୍ବାଭାବିକ ଯେ ଚୀନ ସରକାରଙ୍କ ଘୋର ବାରଣ ସତ୍ତ୍ବେ ପେଲୋସିଙ୍କ ତାଇଵାନ ପରିଦର୍ଶନ ଚୀନା ଅହ˚କାରକୁ ଏଭଳି ଆଘାତ ପହଞ୍ଚାଇଥିବ ଯେ ତାଇଵାନ ଉପରେ ଆକ୍ରମଣ ଜରିଆରେ ଏହି ଜ୍ବାଳାର ପ୍ରଶମନ ସମ୍ଭବ ବୋଲି ଚୀନ ପକ୍ଷରୁ ବିଚାର କରାଯାଉଥିବ। ସେହି ଦୃଷ୍ଟିରୁ ଅଧିକା˚ଶ ରାଜନୈତିକ ପର୍ଯ୍ୟବେକ୍ଷକ ଏହି ସମଗ୍ର ପ୍ରକରଣକୁ ଅତ୍ୟନ୍ତ ଅନାବଶ୍ୟକ ଏବ˚ ଯୌକ୍ତିକତାହୀନ ବୋଲି ଅଭିହିତ କରିଥାଆନ୍ତି। କିନ୍ତୁ କେଉଁ ରାଜନୈତିକ ଦୁରାଗ୍ରହ ଏଭଳି ଅଯୌକ୍ତିତାକୁ ଜନ୍ମ ଦେଇପାରେ, ତାହା ମଧୢ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଏଠାରେ ପ୍ରକାଶ ଥାଉ କି ଚୀନ ଏବ˚ ତାଇଵାନ ମଧୢରେ ତିକ୍ତ ସ˚ପର୍କର ଜଟିଳତାକୁ ପ୍ରାଞ୍ଜଳତା ପ୍ରଦାନ କରିବା ସକାଶେ ଏହି ସ୍ତମ୍ଭରେ ଉପଲବ୍‌ଧ ସ୍ଥାନ ଯଥେଷ୍ଟ ହେବ ନାହିଁ। ତେବେ ଚୁମ୍ବକରେ କେବଳ ଏତିକି ଜାଣିବା ଆବଶ୍ୟକ ଯେ କ୍ଷୁଦ୍ର ଦ୍ବୀପ ତାଇଵାନ ଯାହା ନିଜକୁ ‘ରିପବ୍ଲିକ୍‌ ଅଫ୍‌ ଚାଇନା’ ବୋଲି ଅଭିହିତ କରିଥାଏ, ଏହା ମଧୢ ଦାବି କରିଥାଏ ଯେ ତାହା ହିଁ ହେଉଛି ପ୍ରକୃତ ଚୀନ ସରକାର, ଏବ˚ ସ˚ପ୍ରତି ଚୀନ୍‌ ବୋଲି ସାରା ପୃଥିବୀରେ ସ୍ବୀକୃତ ଭୂଖଣ୍ତ ବା ‘ପିପୁଲ୍‌ସ ରିପବ୍ଲିକ୍‌ ଅଫ୍‌ ଚାଇନା’ ହେଉଛି ମାଓ ସେତୁ˚ଙ୍କ ବିପ୍ଳବ ବଳରେ କମ୍ୟୁନିଷ୍ଟଙ୍କ ଦ୍ବାରା ଅଧିକୃତ ଏକ ଅବୈଧ ସରକାର। ଉଲ୍ଲେଖ ଥାଉ କି କମ୍ୟୁନିଷ୍ଟ ବିପ୍ଳବୀମାନଙ୍କ ଦ୍ବାରା ଅଧିକୃତ ହେବା ପୂର୍ବରୁ ଚାଇନା ମୂଳ ଭୂଖଣ୍ତଟି ମଧୢ ‘ରିପବ୍ଲିକ୍‌ ଅଫ୍‌ ଚାଇନା’ ଭାବେ ପରିଚିତ ଥିଲା ଏବ˚ ବିଦ୍ରୋହ କାରଣରୁ ସୃଷ୍ଟ ଗୃହ ଯୁଦ୍ଧରେ ପରାଜିତ ଶାସନ ମୁଖ୍ୟ ଚାଙ୍ଗ କାଇ-ସେକ୍‌ ୧୯୪୯ ମସିହାରେ ଏହି କ୍ଷୁଦ୍ର ଦ୍ବୀପ ତାଇଵାନକୁ ପଳାୟନ କରି ସେଠାରେ ‘ରିପବ୍ଲିକ୍‌ ଅଫ୍‌ ଚାଇନା’ ସରକାର ପ୍ରତିଷ୍ଠା କରିବା ସହିତ ତାହା ହିଁ ପ୍ରକୃତ ଚୀନ ସରକାର ବୋଲି ଦାବି କରିଥିଲେ।

ପ୍ରକାଶ ଥାଉ କି ୧୯୭୧ ମସିହା ଅକ୍ଟୋବର ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ‘ପିପୁଲ୍‌ସ ରିପବ୍ଲିକ ଅଫ୍‌ ଚାଇନା’ ବା କମ୍ୟୁନିଷ୍ଟ ଚୀନା ଆନ୍ତର୍ଜାତିକ ସ୍ବୀକୃତି ଲାଭ କରି ଜାତିସ˚ଘରେ ପ୍ରବେଶ କରି ନ ଥିବା ପର୍ଯ୍ୟନ୍ତ ଚାଙ୍ଗ କାଇ-ସେକ୍‌ଙ୍କ ଜଣେ ପ୍ରତିନିଧି ଜାତିସ˚ଘରେ ଚୀନର ପ୍ରତିନିଧିତ୍ବ କରୁଥିଲେ। କିନ୍ତୁ, ୧୯୭୧ ମସିହାରେ ‘ଏକକ ଚୀନା ରାଷ୍ଟ୍ର ନୀତି’ ବା ‘ଵାନ୍‌ ଚାଇନା ପଲିସି’ ଅନୁସାରେ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରର ସ୍ବୀକୃତି ଲାଭ କରିବା ପରେ ‘ପିପୁଲ୍‌ସ ରିପବ୍ଲିକ୍‌ ଅଫ୍‌ ଚାଇନା’ ଏକ ରାଷ୍ଟ୍ରର ବୈଧତା ଲାଭ କଲା ଏବ˚ ଚାଙ୍ଗ କାଇ-ସେକ୍‌ଙ୍କ ପ୍ରତିନିଧି ଜାତିସ˚ଘରୁ ଅପସାରିତ ହେଲେ। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ତାଇଵାନ ଜାତିସ˚ଘରେ ସ୍ଥାନ ଲାଭ କରି ପାରିନାହିଁ, ଯଦିଓ ଏହି କ୍ଷୁଦ୍ର ଦ୍ବୀପଟି ପୃଥିବୀର ସର୍ବାଧିକ ବିକଶିତ ଅଞ୍ଚଳ ଓ ସଫଳତମ ଗଣତନ୍ତ୍ରର ଏକ ଉଦାହରଣୀୟ ମଡେଲ୍‌ରେ ପରିଣତ ହୋଇ ପାରିଛି।

ଏହି ପରିପ୍ରେକ୍ଷୀରେ ଚୀନ ମୂଳ ଭୂଖଣ୍ତ ସହିତ ଏହି କ୍ଷୁଦ୍ର ଦ୍ବୀପର ମନୋମାଳିନ୍ୟ ଯେ ଅତ୍ୟନ୍ତ ସ୍ବଭାବିକ, ତାହା ହୃଦ୍‌ବୋଧ କରିହୁଏ। କିନ୍ତୁ ଏକ କମ୍ୟୁନିଷ୍ଟ ଚୀନ ତୁଳନାରେ ଉଦାରବାଦୀ ଗଣତନ୍ତ୍ର ରୂପେ ତାଇଵାନର ଅଧିକ ସଫଳତା ଚୀନ ସକାଶେ କ୍ରମେ ଅସହନୀୟ ହୋଇ ଉଠୁଥିବା ପରିଲକ୍ଷିତ ହୋଇଥାଏ। ପୃଥିବୀର ସଫଳତମ ଗଣତନ୍ତ୍ରର ତାଲିକାରେ ତାଇଵାନର ସ୍ଥାନ ଏକାଦଶ ଏବ˚ ଏସିଆରେ ସ୍ଥାନ ସର୍ବାଗ୍ରେ। ଜନସ˚ଖ୍ୟାର ସାନ୍ଦ୍ରତା ଦୃଷ୍ଟିରୁ ତାଇଵାନ୍‌ ଚୀନ ତୁଳନାରେ ଅଧିକ ସଘନ ହୋଇଥିଲେ ସୁଦ୍ଧା ତାଇଵାନରେ ହାରାହାରି ମୁଣ୍ତ ପିଛା ଆୟ, ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥ ଶକ୍ତି ରୂପେ ଆସ୍ଫାଳନ କରୁଥିବା ଚୀନର ହାରାହାରି ମୁଣ୍ତ ପିଛା ଆୟର ପାଞ୍ଚ ଗୁଣରୁ ଅଧିକ। ତାଇଵାନର ଔଦ୍ୟୋଗିକ ଉପଲବ୍‌ଧି ବାବଦରେ କେବଳ ଏଥିରୁ ଅନ୍ଦାଜ ଲଗାଯାଇ ପାରିବ ଯେ ପୃଥିବୀରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ‘କ˚ପ୍ୟୁଟର ମାଇକ୍ରୋ ଚିପ୍‌’ର ପ୍ରାୟ ୭୫ ପ୍ରତିଶତ ଏହି କ୍ଷୁଦ୍ର ଦ୍ବୀପରେ ପ୍ରସ୍ତୁତ ହୋଇଥାଏ। ସେହି ଦୃଷ୍ଟିରୁ କମ୍ୟୁନିଷ୍ଟ ଚୀନର ଅଭୂତପୂର୍ବ ବିକାଶର ଗାଥାକୁ ମଳିନ କରି ଦେଇଥାଏ ଏହି କ୍ଷୁଦ୍ର ଉଦାରବାଦୀ ଗଣତନ୍ତ୍ର ଯହିଁରେ କମ୍ୟୁନିଷ୍ଟ ଚୀନ ନିଜ ରାଜନୈତିକ ମତାଦର୍ଶର ଶ୍ରେଷ୍ଠତ୍ବ ଦାବି କରିବାର ସୁଯୋଗ ମଧୢ ପାଇ ନ ଥାଏ।

ପ୍ରକାଶ ଥାଉ କି ନାନ୍‌ସି ପେଲୋସିଙ୍କ ତାଇଵାନ ଗସ୍ତକୁ ଚୀନ ‘ଏକକ ଚୀନ୍‌ ରାଷ୍ଟ୍ର’ ପଲିସିର ତୀବ୍ର ଉଲ୍ଲ˚ଘନ ବୋଲି ବିବେଚନା କରି ଚୀନ୍‌ ଏଭଳି ତୀବ୍ର ପ୍ରତିକ୍ରିୟା ପ୍ରଦର୍ଶନ କରିଛି। କହିବା ଅନାବଶ୍ୟକ ଯେ କୋଭିଡ୍‌ ପରବର୍ତ୍ତୀ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ଚୀନ ମଧୢରେ ମନୋମାଳିନ୍ୟ ବୃଦ୍ଧି ପାଇଛି ଏବ˚ ତାହା କ୍ରମେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏଭଳି ସ୍ଥଳେ ନାନ୍‌ସି ପେଲୋସିଙ୍କ ତାଇଵାନ ଗସ୍ତ ପଛରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଆଭିମୁଖ୍ୟକୁ ଅପରିଣାମଦର୍ଶୀ ବୋଲି ଅଭିହିତ କରାଯାଇପାରେ। କହିବା ବାହୁଲ୍ୟ ଯେ ବିଗତ ପାଞ୍ଚ ମାସ ଧରି ଚାଲୁ ରହିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯେଉଁ ଭଳି ପରିବେଶ ଏବ˚ ସମୀକରଣମାନ ସୃଷ୍ଟି କଲାଣି, ତହିଁରୁ ଆଶଙ୍କା ହୁଏ ଯେ ଚୀନ ଦ୍ବାରା ତାଇଵାନ ଉପରେ ଆକ୍ରମଣ ମଧୢ ଏକ ଅତି ସମ୍ଭବ ବ୍ୟାପାର; ଏବ˚ ତାହା ଆଉ ଯାହା କରୁ କି ନ କରୁ ସମଗ୍ର ପୃଥିବୀକୁ ଆହୁରି ଅଧିକ ଦୁର୍ଦଶାଗ୍ରସ୍ତ କରି ପକାଇବ।

ଏଥିରେ ସନ୍ଦେହ ନାହିଁ ଯେ ଏକବି˚ଶ ଶତାବ୍ଦୀରେ ଯଦି କୌଣସି ନିର୍ଦ୍ଦିଷ୍ଟ ଘଟଣାକୁ ଏକ କାଳ ବିଭାଜିକା ରୂପେ ବିଚାର କରାଯିବ, ତେବେ ତାହା ହେବ କୋଭିଡ୍‌ ପାନ୍‌ଡେମିକ୍‌। କାରଣ ଏହା ସମଗ୍ର ପୃଥିବୀରେ ଏକ ଚୀନ ବିରୋଧୀ ଆଭିମୁଖ୍ୟ ସୃଷ୍ଟି କରିବା ସହିତ ଚୀନ ଏବ˚ ଅବଶିଷ୍ଟ ବିଶ୍ବ; ଏଭଳି ଦୁଇଟି କେନ୍ଦ୍ର ସୃଷ୍ଟି କରିଥିଲା। ତେବେ କ୍ରମେ ଚୀନ୍‌ ତା’ ନିଜ ପକ୍ଷରେ ରୁଷିଆ ବା ଇରାନ ଭଳି ୟୁରୋ-ଆମେରିକୀୟ ବିରୋଧୀ ରାଷ୍ଟ୍ରଗୁଡ଼ିକୁ ଏକତ୍ର କରି ନିଜକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି। କୋଭିଡ୍‌ ପାନ୍‌ଡେମିକ୍‌ ଯୁକ୍ତରାଷ୍ଟ୍ର ଆମେରିକା ବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଯେଉଁ ଭଳି ଭୟାବହ ପରିସ୍ଥିତି ସୃଷ୍ଟି କଲା, ସେଥିରେ ଏକ ପ୍ରଭୁ ରାଷ୍ଟ୍ର ରୂପେ ଯୁକ୍ତରାଷ୍ଟ୍ର ଆମେରିକାର ଛବି ଅବଶ୍ୟ ମଳିନ ପଡ଼ିଥିଲା। ଏକଛତ୍ରବାଦୀ ଚୀନ କିନ୍ତୁ କୋଭିଡ୍‌ ପରିଚାଳନାରେ ଯୁକ୍ତରାଷ୍ଟ୍ର ଆମେରିକା ବା ପାଶ୍ଚାତ୍ୟ ଉନ୍ନତ ଗଣତନ୍ତ୍ରଗୁଡ଼ିକ ତୁଳନାରେ ଅଧିକ ଉନ୍ନତ ପ୍ରଦର୍ଶନ କଲା।

ସମ୍ଭବତଃ ଆମେରିକା ଏହାକୁ ଏକ ପରାଜୟ ବୋଲି ବିବେଚନା କରିଥିବ! ଏହା ସହିତ ଆଫଗାନିସ୍ତାନରୁ ଆମେରିକାର ପଳାୟନ ଏବ˚ ସ˚ପ୍ରତି ରୁଷିଆ ଉପରେ ଜାରି ଆମେରିକୀୟ ନେତୃତ୍ବାଧୀନ ଅର୍ଥନୈତିକ ପ୍ରତିବନ୍ଧର ପ୍ରଭାବଶୂନ୍ୟତା ନିଶ୍ଚିତ ଭାବେ ଯୁକ୍ତରାଷ୍ଟ୍ର ଆମେରିକାକୁ ଏଭଳି ଦ୍ବିଧାଗ୍ରସ୍ତ କରି ପକାଇଥିବ ଯେ ନିଜ ପ୍ରଭୁତ୍ବକୁ ପୁନର୍ବାର ଚମକାଇବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଚାର କରିଥିବେ, ଯାହାର ପ୍ରମାଣ ଏବେ ମିଳିଛି ଏହି ଦୁୁଇଟି ଘଟଣାରୁ- ଗୋଟିଏ ଆଲ୍‌ କାଏଦାର ମୁଖ୍ୟ ଅଲ୍‌ ଜଵାହିରିର ହତ୍ୟା ଏବ˚ ଦ୍ବିତୀୟଟି ଚୀନର ବାରଣ ସତ୍ତ୍ବେ ପେଲୋସିଙ୍କ ଦ୍ବାରା ତାଇଵାନ ଗସ୍ତ। କିନ୍ତୁ ସତ କହିଲେ ଜଵାହିରିର ହତ୍ୟା ମାନବ ଜାତି ଲାଗି ଯଦି ଏକ ଆଶୀର୍ବାଦ ବୋଲି ବିଚାର କରାଯାଏ, ତେବେ ପେଲୋସିଙ୍କ ତାଇଵାନ ଗସ୍ତ ଏହାର ବିପରୀତ ଆଶଙ୍କା ସୃଷ୍ଟି କରିଥାଏ। ଆମ ସମ୍ମୁଖରେ ପୁଟିନ ନାମକ ଜଣେ ବ୍ୟକ୍ତିଙ୍କ ଅହ˚ ପୂର୍ତ୍ତି ଲାଗି ଗୋଟିଏ ରାଷ୍ଟ୍ର ଧ୍ବ˚ସସ୍ତୂପରେ ପରିଣତ ହେବାର ଦୃଷ୍ଟାନ୍ତ ଦଣ୍ତାୟମାନ। ସେମିତି ଯଦି ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅହ˚କାରକୁ ସନ୍ତୁଷ୍ଟ କରିବା ଲାଗି ତାଇଵାନ ମଧୢ ସମଦଶା ଭୋଗେ, ତେବେ ତାହା ହେବ ଏ ମାନବ ଜାତି ଲାଗି ସର୍ବାଧିକ ଦୁର୍ଭାଗ୍ୟର ବିଷୟ।

କୋଭିଡ୍‌ର ଯାବତୀୟ ଭୟାବହତା ସତ୍ତ୍ବେ ସର୍ବାଧିକ ଫଳପ୍ରଦ ଗବେଷଣା ଓ ଟିକା ଉତ୍ପାଦନ କରି ଯୁକ୍ତରାଷ୍ଟ୍ର ଆମେରିକା ତାର ସର୍ବଶ୍ରେଷ୍ଠତ୍ବର ପରାକାଷ୍ଠା ପ୍ରତିପାଦନ କରି ସାରିଛି। କିନ୍ତୁ ବୁଦ୍ଧିମାନ ମନୁଷ୍ୟର ନିର୍ବୋଧତା ହେଲା ସେ ତାର ପ୍ରଭୁତ୍ବ ପ୍ରତିପାଦନ କରିବା ଲାଗି ଏଭଳି ଏକ ଶାନ୍ତ ବିଜୟ ନୁହେଁ, ସମ୍ଭବତଃ ଯୁୁଦ୍ଧ ବା ସଂଘାତ ଲୋଡ଼ିଥାଏ। ପ୍ରସଙ୍ଗ କ୍ରମେ ଆଜି ହେଉଛି ହିରୋସୀମା ଦିବସ; ବୁଦ୍ଧିମାନଙ୍କ ନିର୍ବୋଧତା କି ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ, ତାହା ଆଜିର ଦିନରେ ସତସ୍ତରି ବର୍ଷ ତଳେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର