ପ୍ରାୟ ସପ୍ତାହେ ତଳେ ପ୍ରଧାନ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ଼ ଓ ବିଚାରପତି ପାମିଦିଗନ୍ତମ୍‌ ନରସିମ୍‌ହାଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟର ଏକ ବେଞ୍ଚ ପ୍ରଦାନ କରିଥିବା ଏକ ରାୟ ଦେଶରେ ଅନତି ବିଳମ୍ବେ ବହୁ ପ୍ରତୀକ୍ଷିତ ‘ସାଧାରଣ ନାଗରିକ ସଂହିତା’ (‘ୟୁନିଫର୍ମ ସିଭିଲ୍‌ କୋଡ୍‌’-‘ୟୁସିସି’) ପ୍ରଣୟନ ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏକ ନିଶ୍ଚିତ ପଦକ୍ଷେପ ଭଳି ମନେହୁଏ। ଉତ୍ତରାଖଣ୍ଡ ରାଜ୍ୟ ସରକାର ତାଙ୍କ ରାଜ୍ୟରେ ଏକ ‘ୟୁସିସି’ ପ୍ରଣୟନ ନିମିତ୍ତ ଆରମ୍ଭ କରିଥିବା ଏକ ପ୍ରକ୍ରିୟାକୁ ବିରୋଧ କରି ଆଗତ ଏକ ଆବେଦନକୁ ଖାରଜ କରି ଦେଇଥିବା ଏହି ରାୟରେ ମାନ୍ୟବର କୋର୍ଟ ଏହା ସମ୍ପୂର୍ଣ୍ଣ ରୂପେ ସେଇ ରାଜ୍ୟ ସରକାରଙ୍କର ସାମ୍ବିଧାନିକ ଅଧିକାର ଅନ୍ତର୍ଭୁକ୍ତ ବୋଲି କହିଛନ୍ତି। ଗତ ବର୍ଷ ସେ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ଆଇନରେ ସଂଶୋଧନ ସମ୍ବନ୍ଧରେ ବିଶଦ ପ୍ରସ୍ତାବ ଦେବା ନିମିତ୍ତ ଗଠନ କରିଥିବା କମିଟି ଏହା ଦ୍ବାରା ବସ୍ତୁତଃ ସୁପ୍ରିମ୍‌ କୋର୍ଟଙ୍କର ସ୍ବୀକୃତି ଲାଭ କରିଛି ବୋଲି କୁହାଯାଇପାରେ। ଉତ୍ତରାଖଣ୍ଡ ଭଳି ଗୁଜରାଟ ରାଜ୍ୟ ସରକାର ମଧ୍ୟ ଅବିଳମ୍ବେ ସେଠାରେ ବି ଏକ ‘ୟୁସିସି’ ପ୍ରଣୟନ ଦିଗରେ ପଦକ୍ଷେପ ନେବା ଥୟ, କାରଣ ତାହା ସେଠାରେ ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଏକ ପ୍ରମୁଖ ପ୍ରତିଶ୍ରୁତି ଥିଲା।

Advertisment

ଏଥିପୂର୍ବରୁ ଦେଶରେ ଏକ ‘ୟୁସିସି’ ପ୍ରଣୟନ କରିବା ହେଉଛି ଧାରା ୪୪ ଅନୁସାରେ ସରକାରଙ୍କର ସାମ୍ବିଧାନିକ ଦାୟିତ୍ବ ବୋଲି ସୁପ୍ରିମ୍‌ କୋର୍ଟ ଏକାଧିକ ଥର ସରକାରଙ୍କର ଧ୍ୟାନ ଆକର୍ଷଣ ମଧ୍ୟ କରିଛନ୍ତି। କେନ୍ଦ୍ର ସରକାର କିନ୍ତୁ ପ୍ରସଙ୍ଗର ସ୍ପର୍ଶକାତରତା ଯୋଗୁଁ ଏପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଥିବା ବେଳେ, କେତେକ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେବାକୁ ଆଗେଇ ଆସି ନିଜର ସାମ୍ବିଧାନିକ ଦାୟିତ୍ବ ନିର୍ବାହ କରିବା ପାଇଁ ପ୍ରଦର୍ଶନ କରିଥିବା ଉତ୍ସାହ ଏହି ରାୟ ମାଧ୍ୟମରେ ସର୍ବୋଚ୍ଚ ଅଦାଲତଙ୍କର ସମର୍ଥନ ଲାଭ କରିଛି ବୋଲି କୁହାଯାଇପାରେ।

ଭାରତ ଔପନିବେଶିକ ଶାସନରୁ ମୁକୁଳି ସ୍ବାଧୀନତା ଲାଭ କରିବାର ୭୫ ବର୍ଷ ପରେ ମଧ୍ୟ ଯେଉଁ କେତେକ ଔପନିବେଶିକ ବିଡ଼ମ୍ବନା‌ ତଥାପି ଏଠାରେ ବସା ବାନ୍ଧି ରହିଥିବା ଦେଖାଯାଇଥାଏ, ସେଥିମଧ୍ୟରୁ ଅଗ୍ରଗଣ୍ୟ ଶ୍ରେଣୀର ହେଉଛି ଏକ ସର୍ବଭାରତୀୟ ‘ସାଧାରଣ ନାଗରିକ ସଂହିତା’ର ଅନୁପସ୍ଥିତି ଓ ତା’ ସ୍ଥାନରେ ଏକାଧିକ ଧର୍ମଭିତ୍ତିକ ବ୍ୟକ୍ତିଗତ ଆଇନ ବା ପର୍ସନାଲ୍‌ ଲ’ର ଉପସ୍ଥିତି। ବ୍ରିଟିସ୍‌ ଶାସନ ଏଠା‌େ‌ର ବିଭିିନ୍ନ ଧର୍ମଭିତ୍ତିକ ବ୍ୟକ୍ତିଗତ ଆଇନ ପ୍ରଚଳନ କରିବାର ଅସଲ ଉଦ୍ଦେଶ୍ୟ ଥିଲା ଭାରତୀୟ ସମାଜକୁ ଏକ ଶକ୍ତିଶାଳୀ ଅଖଣ୍ଡ ସତ୍ତାରେ ପରିଣତ ହେବାକୁ ନ ଦେଇ ବିଖଣ୍ଡିତ ଓ ଦୁର୍ବଳ କରି ରଖିବା, ଯାହାଦ୍ବାରା ସେମାନଙ୍କୁ ପଦାନତ କରି ରଖିବା ସହଜ ହେବ। ଏଣୁ ପର୍ସନାଲ୍‌ ଲ’ ମାଧ୍ୟମରେ ବିଭିନ୍ନ ଧର୍ମୀୟ ଗୋଷ୍ଠୀମାନେ ବିବାହ, ବିବାହ ବିଚ୍ଛେଦ, ଭରଣପୋଷଣ, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଆଦି ବ୍ୟାପାରରେ ନିଜ ନିଜର ଧର୍ମରେ ଅନୁସୃତ ପ୍ରଥା ଓ ପରମ୍ପରାମାନ ବଳବତ୍ତର ରଖି ଚାଲିଲେ।

ଲକ୍ଷ୍ୟ କରିବା କଥା ଅପରାଧର ମୁକାବିଲା ପାଇଁ ବ୍ରିଟିସ୍ ଶାସକମାନେ କିନ୍ତୁ ସାରା ଦେଶ ପାଇଁ ଗୋଟିଏ ସାଧାରଣ ସଂହିତା- ‘କ୍ରିମିନାଲ୍‌ ପ୍ରସିଜର୍‌ କୋଡ୍‌’ ବା ସୁପରିଚିତ ‘ସିଆର୍‌ପିସି’ ବଳବତ୍ତର କରିଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ଯଥାର୍ଥ ଥିଲା। ଏହାର ମର୍ମ ହେଲା ଗୋଟିଏ ସାଧାରଣ ଅାପରାଧିକ ମାପକାଠିରେ ସରକାର ନାଗରିକର ଆଚରଣକୁ ତଉଳିବା ଦ୍ବାରା ସରକାରଙ୍କ ପାଇଁ ଅପରାଧ ନିୟନ୍ତ୍ରଣ ଓ ଜନତାକୁ ମଣ କରିବା ସହଜ ହୋଇଥାଏ; ଅପରପକ୍ଷେ ଦେୱାନୀ ବ୍ୟାପାରରେ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କୁ ନିଜ ନିଜର ପରମ୍ପରା ଓ ପ୍ରଥା ଅନୁସରଣ କରିବାର ଅଧିକାର ପ୍ରଦାନ ଦ୍ବାରା ତୁଷ୍ଟୀକରଣ ମାଧ୍ୟମରେ ସେମାନଙ୍କର ଆନୁଗତ୍ୟ ହାସଲ କରିବା ସହଜ ହୋଇଥାଏ। ସ୍ବାଧୀନତା ପରେ ଭାରତ ଅବଲମ୍ବନ କରିଥିବା ନିର୍ବାଚନୀ ଗଣତନ୍ତ୍ର ସହିତ ଏହି ତୁଷ୍ଟୀକରଣ ବ୍ୟବସ୍ଥା ଏତେ ସୁନ୍ଦର ଭାବରେ ଖାପ ଖାଇଗଲା ଯେ, ଅଧିକାଂଶ ରାଜନୈତିକ ଦଳମାନେ ଏପର୍ଯ୍ୟନ୍ତ ସେଥିରେ ଆଉ ପରିବର୍ତ୍ତନ ଘଟାଇବାକୁ କୌଣସି ଆଗ୍ରହ ପ୍ରଦର୍ଶନ କରିନାହାନ୍ତି।

ସେମାନେ କିନ୍ତୁ ଏହା ସ୍ବୀକାର ନ କରି ବ୍ୟକ୍ତିଗତ ଆଇନରେ ଥିବା ବିବିଧତାର ଯଥାର୍ଥତା ପ୍ରତିପାଦନ କରିବା ନିମିତ୍ତ ଧର୍ମନିରପେକ୍ଷତାର ଦ୍ବାହି ଦେଇଥାନ୍ତି। ସ୍ମରଣଯୋଗ୍ୟ ୧୯୭୬ରେ ହୋଇଥିବା ସମ୍ବିଧାନର ୪୨ତମ ସଂଶୋଧନ ମାଧ୍ୟମରେ ସଂବିଧାନର ‘ଆମୁଖ’ (‘ପ୍ରିଆମ୍ବ୍‌ଲ’)ରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଘୋଷଣା କରାଯାଇଥିଲା। ଧର୍ମନିରପେକ୍ଷତାର ଅର୍ଥ କୌଣସି ଧର୍ମୀୟ ବ୍ୟାପାରରେ ରାଷ୍ଟ୍ରର ହସ୍ତକ୍ଷେପ ନିଷେଧ ବୋଲି ତର୍ଜମା କରାଯାଇଥାଏ। ବିବାହ, ବିବାହବିଚ୍ଛେଦ ଆଦି ବ୍ୟାପାରରେ ପ୍ରତ୍ୟେକ ଧର୍ମ ‌େଯହେତୁ ନିଜର ସ୍ବତନ୍ତ୍ର ପ୍ରଥା ଅନୁସରଣ କରିଥାଏ, ତାହାକୁ ଅପସାରିତ କରି ତା’ସ୍ଥାନରେ ଏକ ‘ସାଧାରଣ ନାଗରିକ ସଂହିତା’ର ରୋପଣ ରାଷ୍ଟ୍ର ଦ୍ବାରା ଧର୍ମନିରପେକ୍ଷତାର ଉଲ୍ଲଂଘନ ବୋଲି କୁହାଯାଇଥାଏ। ଏଭଳି ଯୁକ୍ତି ଯେଉଁ ଉଦ୍ଭଟ ପରିସ୍ଥିତିକୁ ଜନ୍ମ ଦେଇଥାଏ, ସେଥିରେ ଗୋଟିଏ ଦେଶ ଭିତରେ ପ୍ରତି ଧର୍ମର ଅନୁଗାମୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିଗତ ଆଇନ ମାଧ୍ୟମରେ ଏକାଧିକ ବିକଳ୍ପ ନ୍ୟାୟିକ ବ୍ୟବସ୍ଥା ବିରାଜମାନ ହୋଇଥା‌ଏ।ଏହା କେବଳ ଉଦ୍ଭଟ ନୁହେଁ, ଏହା ଯେ ଜାତୀୟ ସଂହତିକୁ ଦୁର୍ବଳ କରିଥାଏ, ଏହା ହେଉଛି ଏକ ଅପ୍ରିୟ ସତ୍ୟ।

ବର୍ତ୍ତମାନ ସମୟରେ ପୃଥିବୀ ବ୍ୟାପୀ ଯେଉଁ ଧାରା ବଳବତ୍ତର ଥିବା ଦେଖା ଯାଇଥାଏ, ତାହା ହେଲା ଭିନ୍ନ ଭିନ୍ନ ଗୋଷ୍ଠୀମାନଙ୍କ ମଧ୍ୟରେ ବାଛବିଚାରର ଅନ୍ତ ଘଟାଇ ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା। ଏହି ପରିପ୍ରେକ୍ଷୀରେ ଯଦି କୌଣସି ଏକ ଧର୍ମର ବ୍ୟକ୍ତିଗତ ଆଇନରେ ମହିଳାମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାର ଅନ୍ୟ ଏକ ଧର୍ମର ବ୍ୟକ୍ତିଗତ ଆଇନରେ ସେମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାର ଠାରୁ ଭିନ୍ନ କିମ୍ବା ନ୍ୟୂନ ହୋଇଥାଏ, ତାହା ଏକ ପ୍ରଗତିଶୀଳ ଗଣତାନ୍ତ୍ରିକ ସମାଜର ମୌଳିକ ମୂଲ୍ୟବୋଧ ଓ ଆଭିମୁଖ୍ୟ ସହିତ ଖାପ ଖାଇ ନ ଥାଏ। ଆଜି ଯେଉଁ ଦେଶମାନେ ଉନ୍ନତ ବା ବିକଶିତ ଦେଶ ରୂପେ ପରିଚିତ, ଅତୀତରେ ସେଇ ଦେଶମାନେ ଦିନେ ଏଇଭଳି ବାଛ ବିଚାରମୂଳକ ଆଇନ ବ୍ୟବସ୍ଥା ଦ୍ବାରା ବାନ୍ଧି ହୋଇ ରହିଥିଲେ। ଉଦାହରଣ ସ୍ବରୂପ ଇଂଲାଣ୍ଡର ସାଧାରଣ ଆଇନ ଅନୁସାରେ ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀଙ୍କ ଠାରୁ ପୃଥକ୍‌ କୌଣସି ସ୍ବାଧୀନ ଆଇନଗତ ମର୍ଯ୍ୟାଦା ପ୍ରଦାନ କରାଯାଉନଥିଲା, ସେମାନଙ୍କର ଭୋଟ୍‌ ଦେବାର ଅଧିକାର ନ ଥିଲା, କେତେକ ଉଚ୍ଚମାନର ଶିକ୍ଷାନୁଷ୍ଠାନରେ ସେମାନଙ୍କର ପ୍ରବେଶ ଅଧିକାର ନ ଥିଲା, ଇତ୍ୟାଦି। ଆଜି ଯଦି ସେ ଦେଶର ମହିଳାମାନେ ସେଇଭଳି ବାଛବିଚାର ମୂଳକ ଆଇନ ଦ୍ବାରା ବାନ୍ଧି ହୋଇ ରହିଥାନ୍ତେ, ତେବେ ବ୍ରିଟେନ୍‌ ଏକ ସମୃଦ୍ଧ, ସଭ୍ୟ ସମାଜରେ ପରିଣତ ନ ହୋଇ ଅର୍ଦ୍ଧବିକଶିତ ହୋଇ ପଡ଼ି ରହିଥାନ୍ତା।

ସ୍ବାଧୀନତୋତ୍ତର ଭାରତୀୟ ରାଷ୍ଟ୍ରର ଦାୟିତ୍ବ ହେଉଛି ଆଧୁନିକ ମୂଲ୍ୟବୋଧ ଅନୁସାରେ ପ୍ରତ୍ୟେକ ନାଗରିକକୁ ସମାନ ଆଇନଗତ ଅଧିକାର ପ୍ରଦାନ କରି ସେମାନଙ୍କର ସର୍ବାଧିକ ସମ୍ଭବ ବିକାଶ ସାଧନରେ ସହାୟକ ହେବା। ବାଛବିଚାରମୂଳକ ବ୍ୟକ୍ତିଗତ ଆଇନର ଉପସ୍ଥିତି ହେଉଛି ଏହାର ପରିପନ୍ଥୀ। ଏକ ସର୍ବଭାରତୀୟ ସାଧାରଣ ନାଗରିକ ସଂହିତା ସେଇ ପ୍ରତିବନ୍ଧକୁ ହଟାଇ ଏହି ବିକାଶରେ ସହାୟକ ହେବ।