କହିପାରିବେ କି ଏମିତି ବେପାରଟିଏ ଅଛି, ଯେଉଁଥିରେ ପ୍ରାୟତଃ ବାକି କାରବାର ହୁଏନାହିଁ, ନଗଦ କାରବାର ହୁଏ, ଟଙ୍କା ଆଦାୟ ପାଇଁ କଳି ଝଗଡ଼ା ନାହିଁ, ଦୋକାନ ଆଗରେ ହୋ ହାଲ୍ଲା ନାହିଁ, ଗରାଖଙ୍କୁ ଦର ଉଚ୍ଚା କରି କହିଲେ ବି ଗରାଖ ଅରାଜି ହୁଅନ୍ତି ନାହିଁ, ଖୁଚୁରା ଫେରେଇବାକୁ ନଥିଲେ ବି ଗରାଖ ମନଦୁଃଖ କରନ୍ତି ନାହିଁ, ଏବଂ ସମସ୍ତ ଗରାଖ ଜିନିଷ କିଣିଲା ବେଳେ ଭଦ୍ରୋଚିତ ବ୍ୟବହାର କରନ୍ତି? ତା’ର ଉତ୍ତରଟି ହେଲା ମଦ ବେପାର। ଏହି ପୃଷ୍ଠଭୂମିରେ ଆମ ରାଜ୍ୟରେ ମଦ କାରବାର ଉପରେ ଏକ ଆଲୋଚନା କରାଯାଉ। ପୁଣି ଆଉ ଏକ ବିଶେଷ କଥା ହେଲା, ଆମ ରାଜ୍ୟର ଅନ୍ୟାନ୍ୟ ନିଗମମାନ ପଛୁଆ ଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ମଦ ନିଗମ କିଭଳି ଅଧିକ ଭଲ ବ୍ୟବସାୟ କରୁଛି!

Advertisment

ଓଡ଼ିଶା ମଦ ନିଗମ ଚାରି ପ୍ରକା‌ର ମଦରେ କାରବାର କରିଥାଏ, ଯଥା: ଦେଶୀ ମଦ, ବିଦେଶରେ ତିଆରି ବିଦେଶୀ ମଦ, ଆମ ଦେଶରେ ତିଆରି ବିଦେଶୀ ମଦ ଓ ବିଅର। ବ୍ୟବସାୟ ପରିଚାଳନା ପାଇଁ ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ବଲାଙ୍ଗୀର, ଚଣ୍ଡିଖୋଲ, ଖୋର୍ଦ୍ଧା, ନିର୍ଗୁଣ୍ଡି-କଟକ, ରାୟଗଡ଼ା ଓ ସମ୍ବଲପୁର ଠାରେ ସମୁଦାୟ ନଅଟି ଡିପୋ ରହିଛି। ଏବେ ଓଡ଼ିଶାରେ ସମୁଦାୟ ୪୩୦୬ଟି ସରକାରୀ ମଦ ଦୋକାନ ଅଛି। ବିଗତ ୫ ବର୍ଷରେ ମଦ ଦୋକାନ ଖୋଲିବାକୁ ଦିଆଯାଉଥିବା ଲାଇସେନ୍‌ସ ଅତି କ୍ଷିପ୍ର ବେଗରେ ବଢ଼ିଛି। ତଥ୍ୟ ହିସାବରେ ୨୦୨୦ ଅପ୍ରେଲ ସୁଦ୍ଧା ଓଡ଼ିଶାରେ ୧୦୮୧ଟି ଠିପି ବନ୍ଦ ମଦ ଦୋକାନକୁ ଲାଇସେନ୍‌ସ ଦିଆଯାଇଛି। କିନ୍ତୁ ମଇ ପହିଲା ୨୦୨୧ରୁ ୨୦୨୨ ଭିତରେ ବିଦେଶୀ ଠିପି ବନ୍ଦ ବିଦେଶୀ ମଦ ଏବଂ ଦେଶୀ ମଦ ପାଇଁ ୧୨୯୬ଟି ନୂଆ ଲାଇସେନ୍‌ସ ଦିଆଯାଇଛି। ଆଗରୁ ସମୁଦାୟ ଯେତିକି ଲାଇସେନ୍‌ସ ଦିଆଯାଇଥିଲା ତା’ଠାରୁ ଅଧିକ ଲାଇସେନ୍‌ସ ଏଇ ବିଗତ ଦେଢ଼ ବର୍ଷରେ ଦିଆଯାଇଛି। ଫଳ ସ୍ୱରୂପ ଆଗରୁ ମଦ ପାଇଁ ଜିଲ୍ଲା

ସଦରମହକୁମାକୁ ଯାଉଥିବା ଲୋକେ ଏବେ ପଞ୍ଚାୟତ ଭିତରେ ଲାଇସେନ୍‌ସ ପ୍ରାପ୍ତ ଦୋକାନରୁ ମଦ ପାଇ ଯାଉଛନ୍ତି। ତୁଳନାତ୍ମକ ଭାବେ ଅନ୍ୟ ରାଜ୍ୟର ମଦ ନିଗମର ରାଜସ୍ବ ୬-୭% ହାରରେ ବୃଦ୍ଧି ପାଉଥିଲା ବେଳେ ବିଗତ ୧୦ ବର୍ଷର ତଥ୍ୟ ଦେଖିଲେ ଜଣାଯାଏ ଯେ ଓଡ଼ିଶା ମଦ ନିଗମର ରାଜସ୍ବ ବାର୍ଷିକ ୧୫-୧୭% ହାରରେ ବୃଦ୍ଧି ପାଉଛି। ୨୦୨୦ରେ ନିଗମର ରାଜସ୍ବ ଥିଲା ୫,୧୫୨ କୋଟି ଏବଂ ଲାଭ ଥିଲା ୨୫ କୋଟି। କରୋନା ବେଳେ ୨୦୨୧ ମସିହାରେ ମଦ କାରବାର ଖୁବ୍‌ ବାଧାପ୍ରାପ୍ତ ହୋଇଥିଲା। ତଥାପି ୨୦୨୧ରେ ନିଗମର ରାଜସ୍ବ ଥିଲା ୩,୯୨୨ କୋଟି ଏବଂ ଲାଭ କରିଥିଲା ୨୧ କୋଟି, ଅର୍ଥାତ୍‌ ବ୍ୟବସାୟରେ ବିଘ୍ନ ଘଟିବା ସତ୍ତ୍ୱେ ନିଗମ ଲାଭ କରିଥିଲା। ଏହାର ଏକ କାରଣ ଥିଲା, ଏହି ସମୟରେ ନିଗମ ଦ୍ୱାରା ମଦର ଦାମକୁ ବୃଦ୍ଧି କରାଯାଇଥିଲା। ଏହା ସତ ଯେ ଦର ବୃଦ୍ଧି ପାଇଲେ ସୁଦ୍ଧା ନିଶାସକ୍ତ ଲୋକେ ତାହା କ୍ରୟ କରିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ସୁତରାଂ, ଓଡ଼ିଶା ମଦ ନିଗମ ପକ୍ଷରୁ ଏହି ମନସ୍ତତ୍ତ୍ବର ଭରପୂର ଉପଯୋଗ କରାଯାଇଥିଲା।
ଏହା ସତ ଯେ ମଦ ବିକ୍ରିରୁ ଓଡ଼ିଶାର ରାଜସ୍ବ ବୃଦ୍ଧି ପାଉଛି, କିନ୍ତୁ ମଦ୍ୟପାନ ଜନିତ ରୋଗ ସକାଶେ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଛନ୍ତି।

ଓଡ଼ିଶା ମଦ ନିଗମର ବ୍ୟବସାୟ ସମ୍ବନ୍ଧୀୟ ଏକ ତଥ୍ୟ କହିଥାଏ ଯେ ଓଡ଼ିଶାରେ ଦେଶୀ ମଦର ବିକ୍ରି ଦିନକୁ ଦିନ ହାରାହାରି ୨୧% ହାରରେ କମିବାକୁ ଲାଗିଛି ଏବଂ ବିଦେଶୀ ମଦର ବିକ୍ରି ପରିମାଣ ପାଖାପାଖି ୮-୧୨% ହାରରେ ବଢ଼ିବାକୁ ଲାଗିଛି। ଅର୍ଥାତ୍‌ ଦେଶୀ ମଦ ପିଉଥିବା ଲୋକେ କ୍ରମେ ବିଦେଶୀ ମଦ ପିଇବା ଆଡ଼କୁ ଢଳୁଛନ୍ତି। ସୁତରାଂ, ଗରିବ ଲୋକେ ମଦରେ ଅଧିକ ବ୍ୟୟ କରିବା ସହିତ ସର୍ବସ୍ବାନ୍ତ ହେଉଛନ୍ତି। ଅନେକ କହନ୍ତି ଯେ ସରକାର ଦରିଦ୍ରମାନଙ୍କୁ ଦେଉଥିବା ଟଙ୍କାକିଆ ବା ମାଗଣା ଚାଉଳକୁ କିଛି ଲୋକ ଖୋଲା ବଜାରରେ ବିକ୍ରି କରି ସେହି ପଇସାରେ ମଦ ପିଇ ଦେଉଛନ୍ତି! ଏହା ଏକ ସାଂଘାତିକ ସ୍ଥିତି! ଏହା ମଧ୍ୟ ସତ୍ୟ ନୁହେଁ ଯେ ମଦ କାରବାରରୁ ଆସୁଥିବା ରାଜସ୍ବ ବନ୍ଦ ହୋଇଗଲେ ଓଡ଼ିଶା ଚଳି ପାରିବ ନାହିଁ।

ବିହାର ଏବଂ ଗୁଜରାଟ ମଦ ନିଷେଧ କରିବା ପରେ ମଧ୍ୟ ଚଳି ପାରିଛନ୍ତି। ଏହି ରାଜସ୍ବ କ୍ଷତିର ଭରଣା ଅନ୍ୟ ଉପାୟରେ କରାଯାଇପାରେ। ଉଦାହରଣ ସ୍ୱରୂପ ଅନେକ ରାଜ୍ୟର ମୁନିସିପାଲିଟିର ରାଜସ୍ବ ଯେତିକି ହାରରେ ବଢୁଛି, ଆମ ରାଜ୍ୟର ସେତିକି ହାରରେ ବଢୁନାହିଁ। ବିଗତ ପାଞ୍ଚ ବର୍ଷର ତଥ୍ୟ ଦେଖିଲେ ଆମ ରାଜ୍ୟରେ ଭୁବନେଶ୍ୱର ମୁନିସିପାଲିଟିକୁ ଛାଡ଼ିଦେଲେ ଅନ୍ୟ ୪ଟି ମୁନିସିପାଲିଟି ସବସିଡି ଏବଂ ଗ୍ରାଣ୍ଟ ପାଇଲା ପରେ ମଧ୍ୟ କ୍ଷତିରେ ଚାଲିଛନ୍ତି। ଏପରିକି ଭୁବନେଶ୍ୱର ମୁନିସିପାଲିଟି ୨୦୧୬, ୨୦୧୭ ଏବଂ ୨୦୨୦ରେ କ୍ଷତିରେ ଥିଲା। ଏଣେ ଗୁଜରାଟର ସମୁଦାୟ ୮ଟି ମୁନିସିପାଲିଟିରୁ ୭ଟି ଲାଭରେ ଚାଲିଛି। ପ୍ରକାଶ ଥାଉ କି ଦେଶର ଅନେକ ମୁନିସିପାଲିଟିର କାର୍ଯ୍ୟଦକ୍ଷତା ଉପରେ ଭରସା କରି ଲୋକମାନେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପଇସା ଲଗେଇଲେଣି। ଦ୍ବିତୀୟରେ ରାଜ୍ୟରେ ଜମି କିଣାବିକାର ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, କିନ୍ତୁ ରାଜ୍ୟ ସରକାରଙ୍କର ବଜେଟ ଜନିତ ତଥ୍ୟ ମୁତାବକ ‘ଲ୍ୟାଣ୍ଡ ରେଭେନ୍ୟୁ’ ବିଗତ ୨ ବର୍ଷ ହେଲାଣି ୧୬% ହାରରେ କମିଛି। ଓଡ଼ିଶାର ‘ଜିଏସଟି’ରୁ ରାଜସ୍ବ ୨୦୧୯-୨୦ରେ ୧୩,୨୦୪ କୋଟି ଥିଲା ବେଳେ, ୧% ଖସି ଆସି ୨୦୨୦-୨୧ରେ ତାହା ୧୩,୦୪୩ କୋଟି ହୋଇଥିଲା। ଏହି କ୍ଷେତ୍ରରେ ମଧ୍ୟ ରାଜ୍ୟର ରାଜସ୍ବ ବଢ଼ିପାରିବ। କିନ୍ତୁ ଏ ସବୁ ଛାଡ଼ି ଓଡ଼ିଶା ମଦ ବେପାରରୁ ରାଜସ୍ବ ଯୋଗାଡ଼ କରିବାରେ ଆଗଭର। ମଦ ବ୍ୟବସାୟରେ ଲାଭ ମାତ୍ର ୧% ରୁ ୨%, କିନ୍ତୁ ଯଦି ରତ୍ନ ପଥର, କପଡ଼ା, କ୍ଷୀର, ଖଣିଜ ଦ୍ରବ୍ୟ, ଫ୍ଲୋରିକଲଚର, କ୍ଷୁଦ୍ରଶିଳ୍ପ ଇତ୍ୟାଦି ବ୍ୟବସାୟର ବୃଦ୍ଧି ଘଟା ଯାଆନ୍ତା, ତେବେ ସେଥିରୁ ଜିଏସଟି ରାଜସ୍ବ ମଦରୁ ଆସୁଥିବା ରାଜସ୍ବ ଠାରୁ କେତେ ଗୁଣ ଅଧିକ ହୁଅନ୍ତା।

୨୦୧୬ ମସିହାରେ ବିହାର ସରକାର ମଦ ନିଷେଧ କରିଥିଲେ। ସେହିପରି ଗୁଜରାଟ ସରକାର ୧୯୬୦ରୁ ମଦ ନିଷେଧ କରିଛନ୍ତି। ନାଗାଲାଣ୍ଡ ୧୯୮୯ରୁ ମଦ ବନ୍ଦ କଲେଣି। ‘ଏଡିଆରଆଇ’ର ରିପୋର୍ଟ ଅନୁସାରେ, ୨୦୧୬ରୁ ବିହାରରେ ମଦ ବନ୍ଦ କରିବା ପରଠୁଁ ସାଧାରଣ ଜନତା ମଦ ଉପରେ ଯେଉଁ ଟଙ୍କା ଖର୍ଚ୍ଚ କରୁଥିଲେ, ତାହା ଏବେ କ୍ଷୀର, ପିନ୍ଧା ବସ୍ତ୍ର ଏବଂ ଘର କରିବା ଇତ୍ୟାଦିରେ ପୂର୍ବ ତୁଳନାରେ ଅଧିକ ପରିମାଣରେ ବ୍ୟୟ କରୁଛନ୍ତି। ତଥ୍ୟ ମୁତାବକ ମଦ ବନ୍ଦ ହେବା ପରେ ବିହାରରେ ସାଧାରଣ ଜନତାଙ୍କର କ୍ଷୀର ଖର୍ଚ୍ଚ ୨୮%, ମହୁ ଖର୍ଚ୍ଚ ୩୮୦%, ଦହି ଖର୍ଚ୍ଚ ୩୦୦% ଏବଂ ପିନ୍ଧା ବସ୍ତ୍ର ଏବଂ ଘର ମରାମତି କରିବା ଖର୍ଚ୍ଚ ଇତ୍ୟାଦିରେ ୧୯% ବୃଦ୍ଧି ପାଇଛି। ମଦ ବନ୍ଦ ଯୋଗୁଁ ଡକାୟତି ଏବଂ ହତ୍ୟା ଯଥାକ୍ରମେ ୬୫% ଏବଂ ୨୮% ହାରରେ ହ୍ରାସ ପାଇଛି। ଓଡ଼ିଶାର କ୍ଷୀର ବେପାର ଜଗତର ବାଦଶାହ ଓମ୍‌ଫେଡ୍‌ ନିମ୍ନଗାମୀ ହେଉଛି। ଓଡ଼ିଶାରେ ବାର୍ଷିକ କ୍ଷୀର ଉତ୍ପାଦନ ମାତ୍ର ହାରାହାରି ୮%। ଦିନକୁ ମୁଣ୍ଡପିଛା କ୍ଷୀର ବ୍ୟବହାର ଯୋଗାଣ ୨୦୧୩ରେ ୧୧୩ ଗ୍ରାମ ଥିଲା ବେଳେ ଏବେ ସାମନ୍ୟ ବଢ଼ି ମାତ୍ର ୧୩୬ ଗ୍ରାମରେ ପହଞ୍ଚିଛି। କିନ୍ତୁ ମଦ ବେପାର ୧୫% ହାରରେ ବୃଦ୍ଧି ପାଉଛି। ପାର୍ଲିଆମେଣ୍ଟର ପ୍ରଶ୍ନୋତ୍ତରରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ବିଗତ ୫ ବର୍ଷରେ ମଦ ମୃତ୍ୟୁ ହାର ବଢ଼ିଛି। ତୁଳନାତ୍ମକ ଭାବେ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଓ ଗୁଜରାଟରେ ମଦ ମୃତ୍ୟୁ କମିଛି। ସରକାରୀ ତଥ୍ୟ ଅନୁସାରେ ମଦ ପିଇ ଗାଡ଼ି ଚଳାଇବା କାରଣରୁ ହେଉଥିବା ଦୁର୍ଘଟଣାର ସଂଖ୍ୟା ୨୦୧୫ରୁ ଆଜି ଯାଏଁ ହାରାହାରି ୨୫% ହାରରେ ବଢ଼ିଛି, ଯେଉଁଠି ମଦ ବନ୍ଦ କରିଥିବା ରାଜ୍ୟ ଗୁଜରାଟ ଓ ବିହାରରେ ତାହା ହାରାହାରି ୫୫- ୬୦% ପ୍ରତିଶତ ହାରରେ କମୁଛି। ସେମିତି ୨୦୧୧-୧୨ରେ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ଜନିତ ଖର୍ଚ୍ଚ ସରକାରଙ୍କର ସମୁଦାୟ ଖର୍ଚ୍ଚର ୩.୩% ଥିଲାବେଳେ ୨୦୨୧ ସୁଦ୍ଧା ତାହା ୫.୫%ରେ ପହଞ୍ଚିଲାଣି। ଏହାର ଗୋଟିଏ କାରଣ ମାତ୍ରାଧିକ ମଦ୍ୟପାନ ଜନିତ ସ୍ବାସ୍ଥ୍ୟ ସମସ୍ୟା।

ତେଣୁ କହିଲେ ଭୁଲ୍‌ ହେବ ନାହିଁ ଯେ ଆମ ରାଜ୍ୟରେ ମଦ କାରବାରକୁ ବନ୍ଦ କରିବା ନେଇ ବା ଏ ସଂଦର୍ଭରେ ବିକଳ୍ପ ଚିନ୍ତନ ଲାଗି ସମୟ ଉପନୀତ ହୋଇଛି। କାରଣ ମଦ ନିଗମର ଲାଭ ରାଜ୍ୟର ସମୂହ ହିତ ଦୃଷ୍ଟିରୁ ଲାଭଦାୟକ ବୋଲି କହି ହେବ ନାହିଁ।
ମୋ: ୯୭୯୧୧୨୧୦୬୮