ଚଳିତ ମାସ ପାଳନ ହେବାକୁ ଯାଉଥିବା ଅଜମିର ଉର୍ସ ଉତ୍ସବ ଏଭଳି ସାର୍ବଜନୀନ ଶ୍ରଦ୍ଧା ଓ ପ୍ରେମର ପ୍ରତୀକ, ଯାହା ସଂପ୍ରତି ଆସ୍ଥା ସଂକଟ ଦ୍ବାରା ମୁହ୍ୟମାନ ହୋଇ ପଡ଼ିଥିବା ପୃଥିବୀ ଲାଗି ଏକ ଆଶ୍ବାସନାମୂଳକ ସନ୍ଦେଶ ପ୍ରେରଣ କରିଥାଏ। ଏହି ଉତ୍ସବ ଯାହାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ ସେ ହେଉଛନ୍ତି ଖ୍ବାଜା ଗରିବୁନ୍‌ ନୱାଜ ହଜ୍‌ରତ ମୋଇନୁଦ୍ଦିନ ଚିସ୍ତି, ଯିଏ ବିବିଧତା ମଧ୍ୟରେ ଏକତା ସୃଷ୍ଟି ତଥା ସାର୍ବଜନୀନ ପ୍ରେମ ଭାବ ସଂଚାର କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଯେଉଁ ସୁଫି ସନ୍ଥମାନେ ଭାରତର ଭୂମିରେ ବିଚରଣ କରି ଶ୍ରଦ୍ଧା ଓ ପ୍ରେମର ବାର୍ତ୍ତା ପ୍ରସାର କରିଥିଲେ, ସେମାନଙ୍କ ମଧ୍ୟରେ ଖ୍ବାଜା ହଜ୍‌ରତ ମୋଇନୁଦ୍ଦିନ ଚିସ୍ତି, ହଜ୍‌ରତ ବାବା ଫରିଦୁଦ୍ଦିନ, ହଜ୍‌ରତ କୁତୁବୁଦ୍ଦିନ ବଖତିଆର କାକି ଏବଂ ହଜ୍‌ରତ ନିଜାମୁଦ୍ଦିନ ଔଲିଆ ଇତ୍ୟାଦି ଥିଲେ ପ୍ରମୁଖ। ଦରିଦ୍ରଙ୍କ ଅଧିକାର ପାଇଁ ସଂଘର୍ଷ ତଥା ଜାତିପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଏହି ସନ୍ଥ ଗଣ ବିଭିନ୍ନ ଧର୍ମ, ଜାତି, ଭାଷା ଓ ବର୍ଗ ନିର୍ବିଶେଷରେ ଲୋକଙ୍କୁ ଅାଧ୍ୟାତ୍ମିକ ସୁତ୍ରରେ ଏକତ୍ର କରି ପାରିଥିଲେ। ସେମାନଙ୍କ ଉଚ୍ଚାଦର୍ଶର ପ୍ରେରଣାରେ କେବଳ ଯେ ଆମ ଦେଶରେ ‌ଅନେକ ସୁଫି ସନ୍ଥ ସୃଷ୍ଟି ହୋଇଥିଲେ, ତାହା ନୁହେଁ, ଏଠାରେ ଅନେକ ବହିରାଗତ ସୁଫି ସନ୍ଥ ଓ ବିଦ୍ବାନଙ୍କ ସମାଗମ ମଧ୍ୟ ଘଟିଥିଲା।

Advertisment

ଏମାନଙ୍କ ମଧ୍ୟରୁ ସବୁଠାରୁ ପ୍ରତିଷ୍ଠିତ ଓ ଲୋକପ୍ରିୟ ସୁଫି ସନ୍ଥ ଥିଲେ ଖ୍ବାଜା ହଜରତ ମୋଇନୁଦ୍ଦିନ ଚିସ୍ତି ଅଜମିରୀ (୧୧୪୩-୧୨୩୬)। ସମଗ୍ର ଭାରତ ଉପମହାଦେଶରେ ସେ ହେଉଛନ୍ତି ସର୍ବାଧିକ ସମ୍ମାନାସ୍ପଦ ସୁଫି ସନ୍ଥ, ଯାହାଙ୍କୁ ସୁଲତାନ-ଏ-ହିନ୍ଦ୍ ବା ଅଖଣ୍ଡ ଭାରତର ଆଧ୍ୟାତ୍ମିକ ସମ୍ରାଟ ବୋଲି ମଧ୍ୟ ଅଭିହିତ କରାଯାଏ। ଇରାନର ସିସ୍ତାନରେ ୧୧୪୩ରେ ଜନ୍ମିତ ହଜ୍‌ରତ ମୋଇନୁଦ୍ଦିନ ମଦିନାରେ ଥିବା ବେ‌େଳ ଭାରତ ଆସିବ‌ା ଲାଗି ପୈଗମ୍ବର ମହମ୍ମଦ ତାଙ୍କୁ ସ୍ବପ୍ନାଦେଶ କରିଥିଲେ। ତେଣୁ ସେ ଇରାକ, ଇରାନ, କେନ୍ଦ୍ର-ଏସିଆ, ଆଫଗାନିସ୍ତାନ ଦେଇ ପାଖାପାଖି ୧୧୯୫ ମସିହାରେ ଭାରତରେ ପଦାର୍ପଣ କରିଥିଲେ। ସେ ରାଜସ୍ଥାନର ଅଜମିରରେ ତାଙ୍କର ଆସ୍ଥାନ ପ୍ରତିଷ୍ଠା କରିଥିଲେ। ସମଗ୍ର ମାନବ ଜାତିର ସେବା ହିଁ ଥିଲା ତାଙ୍କ ମୂଳମନ୍ତ୍ର। ପ୍ରାରମ୍ଭରେ ସେ ଅନେକ ବିରୋଧର ସମ୍ମୁଖୀନ ହୋଇଥ‌ିଲେ ମଧ୍ୟ ତାଙ୍କର ଆଚରଣ, ଉଚ୍ଚାରଣ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ହଜାର ହଜାର ଲୋକ ତାଙ୍କର ଅନୁଗାମୀ ହୋଇଥିଲେ। ତାଙ୍କ ପ୍ରବଚନର ସରଳତା ଏବଂ ମାଧୁର୍ଯ୍ୟ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଖ୍ବାଜାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଖାନ୍‌କା’ ବା ଆଧ୍ୟାତ୍ମିକ ଶିବିରରେ ହିନ୍ଦୁ, ମୁସଲମାନ, ଶିଖ ନିର୍ବିଶେଷରେ ସବୁ ଧର୍ମର ଲୋକ ଏକତ୍ର ହୋଇ ଶ୍ରଦ୍ଧା ଓ ପ୍ରେମର ଆଧ୍ୟାତ୍ମିକ ଭାବରେ ତଲ୍ଲୀନ ହେଉଥିଲେ।

କିଂବଦନ୍ତି ଅଛି ଯେ ଅଜମିରର ଅନ୍ନା ସାଗର କୂଳରେ ସେ ତାଙ୍କର କିଛି ଅନୁଗାମୀଙ୍କୁ ନେଇ ଏକ କୁଡ଼ିଆ ତିଆରି କରି ରହୁଥିଲେ। କିନ୍ତୁ, କିଛି ସ୍ଥାନୀୟ ଲୋକ ତାଙ୍କର ବିରୋଧ କରିବାରୁ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ତେବେ ଏହା ପରେ ଆନ୍ନା ସାଗର ଶୁଖି ଯାଇଥିଲା ଏବଂ ସେଠାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନେ ପଶ୍ଚାତ୍ତାପ କରିବା ପରେ ଖ୍ବାଜା ପୁଣି ସେହି ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ପୁଣି ସେହି ଅଞ୍ଚଳକୁ ସୁଦିନ ଫେରି ଆସିଥିଲା।

ରାଜା ମହାରାଜାମାନେ ତାଙ୍କର ଭକ୍ତ ଥିଲେ, କିନ୍ତୁ ସେ ଥିଲେ ଜଣେ ଫକିର। ତାଙ୍କୁ ମିଳୁଥିବା ସମସ୍ତ ଉପହାରକୁ ସେ ଦରିଦ୍ର ଲୋକମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଥିବାରୁ ତାଙ୍କୁ ‘ଗରିବୁନ୍‌ ନୱାଜ’ ବା ଗରିବଙ୍କ ତ୍ରାଣକର୍ତ୍ତା ବୋଲି କୁହାଯାଏ। କୁହାଯାଏ ଯେ ତାଙ୍କର ମାତ୍ର ଗୋଟିଏ ବସ୍ତ୍ର ଥିଲା, ଯାହାକୁ ସେ ଦୈନିକ ସଫା କରି ପିନ୍ଧୁଥିଲେ। ତାଙ୍କ ପରଲୋକ ପରେ ସେହି ବସ୍ତ୍ରର ଓଜନ ୧୬ କିଲୋ ବୋଲି ଜଣାପଡ଼ିଥିଲା। ସେହି ଗୋଟିଏ କପଡ଼ାକୁ ସେ ରଫୁ କରି ପରିଧାନ କରୁଥିଲେ। ସେ ଜୀବିତ ଥିବା ବେଳେ ତାଙ୍କର କୌଣସି ସଂପତ୍ତି ନଥିଲା। କିନ୍ତୁ ଶରୀର ତ୍ୟାଗ କରିବା ପରେ ସେ ପାଲଟି ଯାଇଛନ୍ତି ସାର୍ବଜନୀନ ଅାଧ୍ୟାତ୍ମିକ ସଂପଦ।

ତାଙ୍କ ସ୍ମୃତିରେ ପ୍ରତିଷ୍ଠା ହୋଇଥିବା ଅଜମିର ଦରଘା ହେଉଛି ହିନ୍ଦୁ, ମୁସଲିମ, ଶିଖ ଇତ୍ୟାଦି ସମସ୍ତ ଧର୍ମାବଲମ୍ବୀଙ୍କର ପବିତ୍ର ସଙ୍ଗମ ସ୍ଥଳ। ଦେଶବିଦେଶ‌ରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଏହି ଦରଘା ଦର୍ଶନ କରନ୍ତି। ମନ୍ଦିର ଉପରେ ହିନ୍ଦୁଙ୍କର ଅଧିକାର ବା ମସଜିଦ ଉପରେ ମୁସଲମାନଙ୍କର ଅଧିକାର ଥାଇପାରେ, କିନ୍ତୁ ଦରଘା ହେଉଛି ଏପରି ଏକ ପବିତ୍ର ସ୍ଥାନ ଯାହା ଉପରେ ଧର୍ମ, ଜାତି ନିର୍ବିଶେଷରେ ସମସ୍ତଙ୍କର ସମାନ ଅଧିକାର ରହିଛି। ସମଗ୍ର ମାନବ ଜାତି ପାଇଁ ଏହା ହେଉଛି ଭାରତୀୟ ସଂସ୍କୃତିର ଏକ ଅନନ୍ୟ ସନ୍ଦେଶ। ଧର୍ମ ବିଶ୍ବାସକୁ ନେଇ ଆଜି ସଙ୍କଟ‌େର ଉପନୀତ ମାନବଜାତି ପାଇଁ ଖ୍ବାଜା ମୋଇନୁଦ୍ଦିନ ଚିସ୍ତି ହେଉଛନ୍ତି ସାର୍ବଜନୀନ ଶ୍ରଦ୍ଧା‌, ପ୍ରେମ ଓ ସେବାର ପ୍ରତୀକ।