ଗଲା ଗୁରୁବାର ଦିନ ପ୍ରକାଶିତ ବା ପ୍ରସାରିତ ଯେଉଁ ସମ୍ବାଦଟି ଭାରତର କ୍ରୀଡ଼ା-କ୍ଷେତ୍ର, ବିଶେଷ କରି ଖେଳକୁଦ ଜଗତ୍ରେ ଆଲୋଡ଼ନ ସୃଷ୍ଟି କରିଛି, ତାହା ହେଲା ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ବିଷୟ ଧରା ପଡ଼ିବା ଏବ˚ ତଦ୍ଦ୍ବାରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଶୃଙ୍ଖଳାରୁ ଅଗତ୍ୟା ବାଦ୍ ପଡ଼ି ଭାରତର ପଦକ ଲାଭର ସମ୍ଭାବନାକୁ ମଳିନ କରିବା। ତେବେ, ପ୍ରକାଶ ଥାଉ କି ଗଲା ଡିସେମ୍ବର ମାସରେ ତାଙ୍କ ଠାରୁ ସ˚ଗୃହୀତ ନମୁନା ପରୀକ୍ଷଣରେ ଯଦିଓ ସେ ବିଫଳ ହୋଇଛନ୍ତି; ଦ୍ବିତୀୟ ନମୁନାର ପରୀକ୍ଷା ପରେ ହିଁ ତାଙ୍କ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ କରାଯାଇପାରେ, ଯାହା ତାଙ୍କୁ ହୁଏ’ତ ଚାରି ବର୍ଷ ଲାଗି ସମସ୍ତ ପ୍ରତିଯୋଗିତାରୁ ବାସନ୍ଦ କରିବ। ତେବେ, ଏହି ଘଟଣା ଘଟିବା ପରେ ଯେଉଁ ପାଠକପାଠିକାମାନେ ଏହି ସ˚ଦର୍ଭରେ କିଞ୍ଚିତ ଅନୁଶୀଳନ କରିଥିବେ, ସେମାନେ ଖୁବ୍ ସମ୍ଭବ ଏକ ଅସ୍ବସ୍ତିକର ତଥ୍ୟ ଓ ସତ୍ୟର ସାମନା କରି ମୁହ୍ୟମାନ ହୋଇଥିବେ ଯେ ଇତିମଧ୍ୟରେ ଭାରତୀୟ କ୍ରୀଡ଼ା କ୍ଷେତ୍ର କୃତ୍ରିମ ଉପାୟରେ ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେଉଥିବା ନିଷିଦ୍ଧ ଡ୍ରଗ୍ ସେବନର ‘ମକ୍କା’ରେ ପରିଣତ ହୋଇଯାଇଛି।
ଜଣା ପଡ଼ିଥାଏ ଯେ ଦୂତିଙ୍କ ନମୁନାରେ ‘ଆନ୍ଡାରାଇନ୍’ ଏବ˚ ‘କୋଷ୍ଟାରାଇନ୍’ ନାମକ ଦୁଇଟି ରାସାୟନିକ ଦ୍ରବ୍ୟର କଣିକା ମିଳିଛି, ଯାହା ଏକ ‘ଆନାବୋଲିକ୍ ଏଜେଣ୍ଟ୍’ ଏବ˚ ‘ଵର୍ଲଡ ଆଣ୍ଟି ଡୋପି˚ ଏଜେନ୍ସି’ ବା ‘ଵାଡା’ ଦ୍ବାରା ନିଷେଧ କରାଯାଇଥିବା ରାସାୟନିକ ଦ୍ରବ୍ୟର ତାଲିକାରେ ସ୍ଥାନିତ। ଉଲ୍ଲେଖଯୋଗ୍ୟ ଯେ ଏହି ରାସାୟନିକ ଦ୍ରବ୍ୟ ମହିଳାଙ୍କ ଠାରେ ହରମୋନ ସନ୍ତୁଳନରେ ପରିବର୍ତ୍ତନ ଘଟାଇ ସେମାନଙ୍କ ଶାରୀରିକ ଶକ୍ତି ଓ କ୍ରୀଡ଼ା ପ୍ରଦର୍ଶନରେ ଉନ୍ନତି ଆଣିଥାଏ। କହିବା ଅନାବଶ୍ୟକ ଯେ ଶହେ ଏବ˚ ଦୁଇ ଶହ ମିଟର ଦୌଡ଼ରେ ଜାତୀୟ ରେକର୍ଡ ଧାରିଣୀ, ‘ଵର୍ଲଡ ୟୁନିଭର୍ସିଟି ସ୍ପୋର୍ଟସ ଟୁର୍ନାମେଣ୍ଟ’ରେ ସ୍ବର୍ଣ୍ଣ ପଦକ, ଦୁଇଟି ଏସୀୟ କ୍ରୀଡ଼ା ରୌପ୍ୟ ପଦକ ସମେତ ଅନେକ ଆନ୍ତର୍ଜାତିକ ପଦକର ଅଧିକାରିଣୀ ତଥା ଦୁଇଟି ଅଲି˚ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିବା ଦୂତି ତାଙ୍କ ଏକ ଦଶନ୍ଧିର କ୍ୟାରିଅରରେ ନିୟମିତ ଭାବେ ଅସ˚ଖ୍ୟ ନମୁନା ପରୀକ୍ଷଣ ପ୍ରକ୍ରିୟା ମଧୢ ଦେଇ ଯାଇଥିବେ। ସୁତରାଂ, ପ୍ରଥମ ଥର ସକାଶେ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଅଗତ୍ୟା ତାଙ୍କ ଗରିମାମୟ ଉପଲବ୍ଧିକୁ ନିମିଷକେ ଧୂଳିସାତ୍ କରିଦେବାକୁ ବସିଥିବା ଭଳି ଘଟଣାକୁ ତାଙ୍କର ଅନେକ ପ୍ରଶଂସକ ଗ୍ରହଣ କରି ପାରି ନାହାନ୍ତି।
ସେମାନଙ୍କ ଧାରଣା ଯେ ଏଭଳି କାର୍ଯ୍ୟଟିଏ ତାଙ୍କ ଅଗୋଚରରେ ହୁଏ’ତ ଘଟିଯାଇଥିବ! ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ କେତେକ ତରୁଣ ଖେଳାଳି ରାତାରାତି ଚମକପ୍ରଦ ତାରକାରେ ପରିଣତ ହେବାର ଉଚ୍ଚାଭିଳାଷ କାରଣରୁ ଏଭଳି ବିପଦ ବରଣ କରିବାର ସାହସ ଜୁଟାଇ ପାରୁଛନ୍ତି; ଯାହା ପ୍ରଚୁର ସଫଳତା, ଯଶ ଏବ˚ ଅର୍ଥ ଲାଭ କରି ସାରିଥିବା ଦୂତି କରନ୍ତେ ନାହିଁ। ଯଦିଓ ଦୂତି ଦୃଢ଼ ଭାେବ କହିଛନ୍ତି ଯେ ଦକ୍ଷତା ବୃଦ୍ଧି ସକାେଶ ସେ କୌଣସି ଔଷଧ କଦାଚିତ୍ ସେବନ କରି ନାହାନ୍ତି, ତଥାପି ଏତିକି ସ୍ପଷ୍ଟ କରିଛନ୍ତି ଯେ ୨୦୨୧ ମସିହାରେ ପଟିଆଲାରେ ଅଭ୍ୟାସକାଳୀନ କେତେକ ଶାରୀରିକ ଆଘାତ ଏବ˚ ପୀଡ଼ା ମୋଚନ ସକାଶେ ସେ କିଛି ଔଷଧ ସେବନ କରିଥିଲେ। ସେହି ଔଷଧରେ ଏଭଳି ନିଷିଦ୍ଧ ରାସାୟନିକ ଦ୍ରବ୍ୟର ଅ˚ଶ ରହି ଯାଇଥିବା ସମ୍ଭବ କି? କିନ୍ତୁ ଏହା ମଧୢ ଏକ ବାସ୍ତବତା ଯେ ଅଜ୍ଞତା କାରଣରୁ ଶାରୀରିକ ଅସୁସ୍ଥତା ସକାଶେ କୌଣସି ଔଷଧ ସେବନ କରି ‘ଡୋପି˚’ ପରୀକ୍ଷଣରେ ବିଫଳ ହେବାର ଦୃଷ୍ଟାନ୍ତ ବର୍ତ୍ତମାନ ମିଳିବାର ସମ୍ଭାବନା ଅତି ନଗଣ୍ୟ, କାରଣ ଆଜିକାର ଖେଳାଳି ଓ କୋଚ୍ମାନେ ଏ ସ˚ଦର୍ଭରେ ଅତ୍ୟନ୍ତ ସଚେତନ ଏବ˚ ବିଜ୍ଞ। ସେହି ଦୃଷ୍ଟିରୁ ବିଚାର କଲେ ଦୂତିଙ୍କ ଦ୍ୟୁତି ମ୍ଳାନ ହେବାର କ୍ଷଣ ଯେ ଉପସ୍ଥିତ ହୋଇ ସାରିଛି, ତାହା ଏକ କଠୋର ବାସ୍ତବତା।
ଏହି ପରିପ୍ରେକ୍ଷୀରେ ‘ଵାଡା’ ପକ୍ଷରୁ ପ୍ରକାଶିତ ୨୦୧୯ ମସିହାର ରିପୋର୍ଟରୁ ଯେଉଁ ଅତ୍ୟନ୍ତ ଲଜ୍ଜାଜନକ ବିଷୟଟି ଉନ୍ମୋଚିତ ହୋଇଥାଏ, ତାହା ହେଲା ପୃଥିବୀରେ ସର୍ବାଧିକ ସ˚ଖ୍ୟକ ‘ଡୋପି˚’ ମାମଲାରେ ଛନ୍ଦି ହୋଇଥିବା ଦେଶଙ୍କ ମଧ୍ୟରେ ରୁଷିଆ ଏବ˚ ଇଟାଲୀ ପରେ ଭାରତର ସ୍ଥାନ ହେଉଛି ତୃତୀୟ। ଏଣେ, ‘ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍’ ବା ‘ଏ.ଆଇ.ୟୁ.’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ କହିଲାଣି ଯେ କେବଳ ୨୦୨୨ରେ ୬୨ ଜଣ ଭାରତୀୟ ‘ଡୋପି˚’ ପରୀକ୍ଷାରେ ବିଫଳ ହୋଇଛନ୍ତି, ଯାହା ଗତ ବର୍ଷ ଲାଗି ସମଗ୍ର ପୃଥିବୀରେ ଦ୍ବିତୀୟ ସର୍ବାଧିକ; ଏବ˚ ଗତାନୁଗତିକ ଭାବେ ୮୭ଟି ମାମଲା ସହିତ ପ୍ରଥମ ସ୍ଥାନରେ ରୁଷିଆ ସର୍ବାଗ୍ରେ ବିଦ୍ୟମାନ। ପ୍ରକାଶ ଥାଉ କି ମହିଳା ଡିସକସ୍ ଫିଙ୍ଗାଳି କମଳପ୍ରୀତ କୌରଙ୍କ ସହିତ ‘ଡୋପି˚’ ମାମଲାରେ ଧରାପଡ଼ିଥିବା ଭାରତୀୟ ମହିଳା ଖେଳାଳିଙ୍କ ସ˚ଖ୍ୟା ୧୭ରେ ପହଞ୍ଚିଛି। ଗଲା ବର୍ଷ ‘ଡୋପି˚’ ପରୀକ୍ଷାରେ ଧରା ପଡ଼ି ଚାରି ଜଣ ଭାରତୀୟ ଖେଳାଳି ବର୍ମି˚ହାମରେ ଅନୁଷ୍ଠିତ ‘କମନ୍େଵଲ୍ଥ ଗେମ୍ସ’ରେ ଅ˚ଶ ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ, ଯେଉଁମାନଙ୍କ ମଧୢରେ ଅନ୍ତର୍ଭୁକ୍ତ ଥିଲେ ପଦକ ସମ୍ଭାବନା ବହନ କରିଥିବା ଦ୍ରୁତ ଧାବିକା ଏସ୍. ଧନଲକ୍ଷ୍ମୀ ଓ ‘ଟ୍ରିପଲ ଜ˚ପର୍’ ଏଶ୍ବର୍ଯ୍ୟା ବାବୁ। ଭାରତୀୟ ଖେଳକୁଦକୁ ଅସାଧୁତାର ରାହୁଗ୍ରାସ ସ˚ପର୍କରେ ଏଥିରୁ ଏକ ଧାରଣା ମିଳି ନ ଥାଏ କି?
ଦୂତିଙ୍କ ବିଷୟରେ ଆଲୋଚନା କଲା ବେଳେ ୨୦୧୪ ମସିହାରେ ସେ ସମ୍ମୁଖୀନ ହୋଇଥିବା ଏକ ଅଯାଚିତ ଲା˚ଛନା ବିଷୟ ସ୍ମରଣକୁ ଆସିଥାଏ, ଯହିଁରେ ‘ଇଣ୍ଟରନେସନାଲ ଆଥଲେଟିକ୍ ଆସୋସିଏସନ ଫେଡେରେସନ’ ବା ‘ଆଇ.ଏ.ଏ.ଏଫ୍.’ ପକ୍ଷରୁ ତାଙ୍କୁ ସମସ୍ତ ପ୍ରତିଯୋଗିତାରୁ ବାସନ୍ଦ କରି ଦିଆଯାଇଥିଲା, ଯାହାର କାରଣ ଥିଲା ତାଙ୍କ ଶରୀରରେ ମାତ୍ରାତିରିକ୍ତ ପୁରୁଷ ହରମୋନର ଉପସ୍ଥିତି, ଯାହା ତାଙ୍କୁ ସାଧାରଣ ମହିଳାଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ କରିବା ସହିତ ସଫଳତା ପ୍ରଦାନ କରୁଛି। ତେବେ, ଏହାକୁ ଅନ୍ୟାୟୋଚିତ ବୋଲି ଆଖ୍ୟା ଦେଇ ଦୂତି ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ମକଦ୍ଦମା ମଧୢ କରିଥିଲେ। ଦୂତିଙ୍କ ଏହି ସ˚ଘର୍ଷର କଥା ‘ଦ ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ହୋଇଥିଲା, ଯାହାର ଶୀର୍ଷକ ଥିଲା ‘ଫାଇଟି˚ ଫର ଦି ବଡି ସି ଵାଜ୍ ବର୍ନ୍ ଵିଥ୍’ (ଯେଉଁ ଶରୀର ଧରି ଜନ୍ମ, ତା’ ଲାଗି ସ˚ଘର୍ଷ) ଏବ˚ ଲେଖିକା ଥିଲେ ଜୁଲିଏଟ୍ ମାକର। ଉଲ୍ଲେଖଯୋଗ୍ୟ ଯେ ଏହା ପରେ ‘ଆଇ.ଏ.ଏ.ଏଫ୍.’ ପକ୍ଷରୁ ନିୟମରେ ପରିବର୍ତ୍ତନ ଘଟାଯାଇ ଶହେ ଏବ˚ ଦୁଇ ଶହ ମିଟର ଦୌଡ଼ ସ୍ପର୍ଦ୍ଧାକୁ ଏଭଳି ବାସନ୍ଦରୁ ବାଦ ଦିଆଯାଇଛି। ସୁତରା˚, ଦୂତି ପୁନର୍ବାର ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନେକ ପାଠକପାଠିକା ଅବଗତ ଥିବେ ଯେ ଦୂତିଙ୍କ ସ˚ଘର୍ଷକୁ ଉପଜୀବ୍ୟ କରି ଏକ ସଫଳ ବଲିଉଡ୍ ସିନେମା ମଧୢ ନିର୍ମିତ ହୋଇଛି, ଯାହାର ନାମ ‘ରଶ୍ମୀ ରକେଟ୍’। ସେହି ଦୃଷ୍ଟିରୁ ବିଚାର କଲେ ଦୂତି ଚାନ୍ଦଙ୍କ ଲାଗି ଆପଣା ସମ୍ମାନ ରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ଉଠିଥିବ।
ଅନେକ ସମୟରେ ଏହା ମଧୢ ଦେଖିବାକୁ ମିଳିଥାଏ ଯେ ସଫଳତାର ଶୀର୍ଷରେ ଥିବା କେତେକ ଖେଳାଳି ବୟସ ବୃଦ୍ଧି ସହିତ ଦକ୍ଷତା ହ୍ରାସକୁ ସ୍ବୀକାର କରି ନ ପାରି ଅଗତ୍ୟା ଅସାଧୁତାର ଆଶ୍ରୟ ନେଇ ଥାଆନ୍ତି। ଏହାର ସର୍ବାଧିକ ବଡ଼ ଦୃଷ୍ଟାନ୍ତ ଲାନ୍ସ ଆର୍ମଷ୍ଟ୍ରଙ୍ଗ, ଯାହାଙ୍କ ସମକକ୍ଷ ସାଇକେଲ ଚାଳନାକାରୀ ପୃଥିବୀ ପୃଷ୍ଠରେ ଜନ୍ମ ଲାଭ କରି ପାରିବା ନେଇ ଗୋଟିଏ ସମୟରେ ସନ୍ଦେହ ପ୍ରକଟ କରାଯାଉଥିଲା। ତେଣୁ, ସାତଟି ‘ଟୁର ଡି ଫ୍ରାନ୍ସ’ ସମ୍ମାନ ଜିଣିଥିବା ଲାନ୍ସ ଆର୍ମଷ୍ଟ୍ରଙ୍ଗ ଦୀର୍ଘ କାଳ ଧରି ପ୍ରଦର୍ଶନ ଅଭିବୃଦ୍ଧିକାରୀ ଡ୍ରଗ୍ସ ସେବନ କରିଥିବା କଥା ଯେତେବେଳେ ସ୍ବୀକାର କଲେ, ସମଗ୍ର ପୃଥିବୀ ସ୍ତବ୍ଧ ହୋଇଯାଇଥିଲା। ଏହା ପରେ ସ୍ବାଭାବିକ ଭାବେ ତାଙ୍କ ଠାରୁ ସମସ୍ତ ପଦକ ଓ ସମ୍ମାନ ଛିନ୍ନ କରି ନିଆଯାଇଥିଲା। ଏବଂ ଅପବାଦର ଦିଗ୍ବଳୟରେ ଅସ୍ତମିତ ହେଉଥିବା ଲାନ୍ସ ଆର୍ମଷ୍ଟ୍ରଙ୍ଗ ସତେ ଯେମିତି କହି ଦେଇଗଲେ ଯେ ରକେଟ୍ ଯେତେ ଊର୍ଦ୍ଧ୍ବଗାମୀ ହେଉଥାଏ, ସେତେ ଫମ୍ପା ଓ ଅନ୍ତଃସାରଶୂନ୍ୟ ମଧୢ ହୋଇ ଚାଲିଥାଏ!
ଏବେ ଉପସ˚ହାରରେ ପୃଥିବୀର ଦ୍ରୁତତମ ଧାବକ ରୂପେ ଏ ପର୍ଯ୍ୟନ୍ତ ଅମ୍ଳାନ କୀର୍ତ୍ତିମାନ ବଜାୟ ରଖିଥିବା ଜାମାଇକୀୟ ୟୁସେନ ବୋଲ୍ଟଙ୍କ ଏକ ସାକ୍ଷାତକାରକୁ ମନେ ପକାଇବା। ତହିଁରେ ତାଙ୍କ ସଫଳତାର ରହସ୍ୟ ବିଷୟକ ପ୍ରଶ୍ନରେ ସେ ଅତ୍ୟନ୍ତ ସ୍ବାଭାବିକ ଭାବେ ଉତ୍ତର ଦେଇଥିଲେ ଯେ ‘କେବଳ କଠିନ ଅଭ୍ୟାସ।’ ତା’ ପରେ କ୍ଷଣିକର ନିରବତା ପରେ ସେ ତହିଁରେ ଯେଉଁ ଗୋଟିଏ ବାକ୍ୟ ସ˚ଯୋଗ କରିଥିଲେ, ତାହା ଥିଲା: ଅଭ୍ୟାସ କଲା ବେଳେ ପ୍ରତିଦିନ ମୁଁ ମରିଥାଏ। କହିବା ଅନାବଶ୍ୟକ ଯେ ଅଭ୍ୟାସ କାଳରେ ପ୍ରତ୍ୟହ ମୃତ୍ୟୁ ଲାଭ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି ହିଁ ପରିଶେଷରେ ଅମର ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖନ୍ତି। ତାହା ବଦଳରେ ଅମରତ୍ବ ହାସଲର ଅନ୍ୟ ଯେ କୌଣସି ଉପାୟ ଅକାଳ ମୃତ୍ୟୁର କାରଣ ହୋଇପାରେ।