ଇତିହାସର ଏହା ଏକ ବିଡ଼ମ୍ବନା ଯେ ମୁକ୍ତଚିନ୍ତକ, ସମାଜ ସଂସ୍କାରକ, ମାନବବାଦର ପ୍ରବକ୍ତା ଓ ବୌଦ୍ଧିକ ଅନୁସନ୍ଧିତ୍ସୁ ବ୍ୟକ୍ତିମାନେ ସେମାନଙ୍କ ସମସାମୟିକ ସମାଜରେ ବହୁ ବିରୋଧର ସମ୍ମୁଖୀନ ହୋଇଛନ୍ତି, ଅପଯଶ ପାଇଛନ୍ତି ଓ ଏପରିକି ସହିଦ ହୋଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ସେମାନେ ସେମାନଙ୍କ ସମୟ ଠାରୁ ବହୁ ଆଗରେ ଥାଆନ୍ତି। ତେବେ ସେମାନେ ଯେଉଁ ବୌଦ୍ଧିକ ଆଲୋଡ଼ନ ବା ସାମାଜିକ କ୍ରାନ୍ତିର ବାର୍ତ୍ତାବହ ହୋଇଥାନ୍ତି ତାହା କାଳକ୍ରମେ ସାମାଜିକ ଧାରାରେ ଗୃହୀତ ହୋଇଥାଏ। ସାମୂହିକ ଜୀବନର ଗୁଣାତ୍ମକ ବିକାଶରେ ସେମାନେ ପଥପ୍ରଦର୍ଶକ ଭାେବ ସମ୍ମାନର ଅଧିକାରୀ ହୋଇଥାନ୍ତି। ଯେଉଁମାନେ ବିଚାରଶୀଳତା ଓ ମାନବିକତା ଆଧାରରେ ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଛନ୍ତି ସେମାନଙ୍କୁ ସମସାମୟିକ ସମାଜ ପ୍ରଥମରେ ଗ୍ରହଣ କରିନାହିଁ, ବରଂ ବହୁ ବିରୋଧ କରି ଆସିଛି। ସମାଜର ରକ୍ଷଣଶୀଳ, ରୂଢ଼ିବାଦୀ ଓ ଚରମପନ୍ଥୀ ବ୍ୟକ୍ତିମାନେ ସମାଜର ସ୍ଥିତାବସ୍ଥାରେ ପରିବର୍ତ୍ତନ ଚାହାନ୍ତି ନାହିଁ। ଫଳରେ ସଂସ୍କାର-ପ୍ରୟାସୀ ଓ ବିଚାରଶୀଳ ବୁଦ୍ଧିଜୀବୀମାନେ ସେମାନଙ୍କ ସମୟରେ ବିରୋଧର ସମ୍ମୁଖୀନ ହୋଇଥାନ୍ତି।
ଇତିହାସର ଅସଂଖ୍ୟ ଉଦାହରଣ ଭିତରୁ ଏଠାରେ କେତୋଟିର ଅବତାରଣା କରାଯାଇପାରେ। ପ୍ରାଚୀନ ଗ୍ରୀକ୍ ସଭ୍ୟତାର ଦାର୍ଶନିକ ଓ ଚିନ୍ତକ ପ୍ରୋଟାଗୋରାସ (ଖ୍ରୀ.ପୂ. ୪୮୫-୪୧୦) ମତ ଦେଇଥିଲେ ଯେ ମଣିଷ ହିଁ ସବୁର ପରିମାପକ। ତାଙ୍କର ଏହି ଭାବଧାରା ପାଇଁ ସେ ପରଂପରା ବିରୋଧୀ ବୋଲି ନିନ୍ଦିତ ହୋଇ ଏଥେନ୍ସରୁ ବିତାଡ଼ିତ ହୋଇଥିଲେ। ସତ୍ୟସନ୍ଧାନୀ ଓ ନୀତିବାଦୀ ସକ୍ରେଟିସ (ଖ୍ରୀ.ପୂ. ୪୭୦-୩୯୯) ତାଙ୍କର ସ୍ବାଧୀନ ଚିନ୍ତା ପାଇଁ ଧର୍ମ ବିରୋଧୀ ବୋଲି ଅଭିଯୁକ୍ତ ହୋଇ ମୃତ୍ୟୁଦଣ୍ଡ ପାଇଥିଲେ। ୟୁରୋପୀୟ ନବଜାଗରଣ ଯୁଗରେ ବହୁ ମୁକ୍ତଚିନ୍ତକ ଓ ବୈଜ୍ଞାନିକ ଜ୍ଞାନ ରାଜ୍ୟକୁ ଅମୂଲ୍ୟ ଅବଦାନ ଦେଇ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ବା ସହିଦ ହୋଇଛନ୍ତି। ଜିଉ ଦାର୍ଶନିକ ବେନେଡିକ୍ଟ ସ୍ପିନୋଜା (୧୬୩୨-୧୬୭୭) ତାଙ୍କର କ୍ରାନ୍ତିକାରୀ ବିଚାର ପାଇଁ ସାମାଜିକ ବାସନ୍ଦର ସମ୍ମୁଖୀନ ହୋଇ ନାନା ନିର୍ଯାତନା ସହିଛନ୍ତି। ଚିକିତ୍ସା ବିଜ୍ଞାନର ଦୁଇ ଜନକ ହେଲେ ଆଣ୍ଡ୍ରିଆସ ଭେସାଲିଅସ (୧୫୧୪-୧୫୬୪) ଓ ମାଇକେଲ ସର୍ଭେଟସ (୧୫୧୧-୧୫୫୩)। ସେମାନେ ଗୁପ୍ତରେ ମୃତ ଶରୀରର ବ୍ୟବଚ୍ଛେଦ କରିଥିବାରୁ ସେମାନଙ୍କୁ ଧର୍ମଦ୍ରୋହୀ ବୋଲି ଅଭିହିତ କରାଯାଇ ବହୁ ନିର୍ଯାତନା ଦିଆଯାଇଛି। ଜ୍ଞାନ ଅସୀମ, ଅନ୍ତିମ ସତ୍ୟ କିଛି ନାହିଁ, ଧର୍ମଶାସ୍ତ୍ରର ଜ୍ଞାନ ଅସତ୍ୟ ହେବା ସମ୍ଭବ ବୋଲି ପ୍ରସାର କରିଥିବାରୁ ଜିଓର୍ଡାନୋ ବ୍ରୁନୋଙ୍କୁ (୧୫୪୮-୧୬୦୦) ସର୍ବସାଧାରଣରେ ଖୁଣ୍ଟରେ ବାନ୍ଧି ପୋଡ଼ି ହତ୍ୟା କରାଯାଇଛି। ପଦାର୍ଥ ବିଜ୍ଞାନର ଜନକ ଗାଲିଲିଓ (୧୫୬୪-୧୬୪୨) ସୂର୍ଯ୍ୟକୈନ୍ଦ୍ରିକ ମତବାଦର ପ୍ରବକ୍ତା ହୋଇଥିବାରୁ ତାଙ୍କୁ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଛି।
ମୁକ୍ତ-ଚିନ୍ତକ ଓ ସତ୍ୟସନ୍ଧାନୀ ପ୍ରଜ୍ଞାବାନ ବ୍ୟକ୍ତିମାନଙ୍କ ପ୍ରତି ଧାର୍ମିକ ଚରମପନ୍ଥୀ ଲୋକମାନେ ସର୍ବଦା ଅସହିଷ୍ଣୁତାର ମନୋଭାବ ପୋଷଣ କରିବା ଏକ ସୁବିଦିତ ଘଟଣା। ବୈଜ୍ଞାନିକ, ହେତୁବାଦୀ ଓ ମୁକ୍ତ ଚିନ୍ତକମାନେ ତଥ୍ୟ ଆଧାରରେ ବା ଯଥାର୍ଥ ଯୁକ୍ତି ଆଧାରରେ ନିଜର ସିଦ୍ଧାନ୍ତର ପ୍ରସାର କରିଥାନ୍ତି, ତେଣୁ ସେସବୁର ଏକ ସାର୍ବଜନୀନ ଆଧାର ରହିଥାଏ। ପରନ୍ତୁ ମୁକ୍ତ ମନୋଭାବ ବା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପୋଷଣ କରୁନଥିବା ବ୍ୟକ୍ତିମାନେ ଧାର୍ମିକ ବିଶ୍ବାସ ବା ପରଂପରାରୁ ଯେଉଁ ଭାବନା ପାଇଥାନ୍ତି ତାହାକୁ ସତ୍ୟ ବୋଲି ଗ୍ରହଣ କରନ୍ତି ଓ ସେଥିରେ କୌଣସି ପରିବର୍ତ୍ତନକୁ ସହ୍ୟ କରିପାରନ୍ତି ନାହିଁ। ଏହାକୁ ସାମ୍ପ୍ରତିକ ପରିଭାଷାରେ ଉତ୍ତର-ସତ୍ୟ ବା ପୋଷ୍ଟଟ୍ରୁଥ୍ କୁହାଯାଉଛି। ତଥ୍ୟ ବା ଯୁକ୍ତିର ଆଧାର ନ ଥାଇ କେବଳ ବିଶ୍ବାସକୁ ସତ୍ୟର ସ୍ବୀକୃତି ଦେବା ହେଉଛି ଉତ୍ତର-ସତ୍ୟ। ଉତ୍ତର-ସତ୍ୟ ମାନବିକତା ଓ ଜ୍ଞାନର ବିକାଶ କ୍ଷେତ୍ରରେ କିପରି ଏକ ପ୍ରତିବନ୍ଧ ତାହାର ବହୁ ରୋମାଞ୍ଚକର କାହାଣୀ ଇତିହାସରୁ ଜଣାପଡ଼େ। ଧର୍ମଶାସ୍ତ୍ରର ବାଣୀକୁ ଅଲଂଘନୀୟ ଓ ଶାଶ୍ବତ ମନେ କରିବା କାରଣରୁ ହିଁ ଧର୍ମାନ୍ଧ ଲୋକମାନେ ମୁକ୍ତଚିନ୍ତକମାନଙ୍କୁ ନିର୍ଯାତନା ଦେଇଆସିଛନ୍ତି। ୟୁରୋପୀୟ ନବଜାଗରଣ ଓ ଜ୍ଞାନଦୀପ୍ତି ଯୁଗରେ ଧର୍ମ ଓ ବିଜ୍ଞାନ ମଧ୍ୟରେ ଏହି କାରଣରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତେବେ ବୈଜ୍ଞାନିକ ଜ୍ଞାନ ତଥ୍ୟଭିତ୍ତିକ, ପ୍ରଣାଳୀବଦ୍ଧ, ପ୍ରଗତିଶୀଳ, ନୂତନ ତଥ୍ୟ ଆଧାରରେ ପରିବର୍ତ୍ତନଶୀଳ ଓ ସାର୍ବଜନୀନ ହୋଇଥିବାରୁ ବିଜ୍ଞାନର ବିକାଶକୁ ଧର୍ମାନ୍ଧତା ପ୍ରତିରୋଧ କରିପାରିନାହିଁ। ବିଜ୍ଞାନର ବିକାଶ ଓ ତଦାଶ୍ରୟୀ ପ୍ରଯୁକ୍ତି ମନୁଷ୍ୟକୁ ଆଜିର ସ୍ଥିତିରେ ପହଞ୍ଚାଇଛି।
ୟୁରୋପୀୟ ସଭ୍ୟତାରେ ବିଜ୍ଞାନ ଓ ଧର୍ମ ଭିତରେ ଯେଉଁ ଦ୍ବନ୍ଦ୍ବ ବା ସଂଘର୍ଷର ପରିବେଶ ନବଜାଗରଣ ଯୁଗରେ ସୃଷ୍ଟି ହୋଇଛି, ଆମ ଦେଶରେ ସେପରି ହୋଇନାହିଁ କାରଣ ଆଧୁନିକ ବିଜ୍ଞାନକୁ ଆମର ସେପରି କିଛି ଅବଦାନ ନାହିଁ। ଅପରପକ୍ଷରେ ଭାରତୀୟ ସଭ୍ୟତାରେ ଧାର୍ମିକ ବିଶ୍ବାସ ଓ ସମାଜ ସଂସ୍କାର ମଧ୍ୟରେ ସର୍ବଦା ଦ୍ବନ୍ଦ୍ବର ପରିବେଶ ସୃଷ୍ଟି ହୋଇଛି। ପ୍ରାଚୀନ କାଳରୁ ଏପର୍ଯ୍ୟନ୍ତ ଧାର୍ମିକ ପରଂପରା ଓ ସଂସ୍କାର ମଧ୍ୟରେ ବିଭେଦ ଓ ବିରୋଧ ରହିଆସିଛି। ବର୍ଣ୍ଣବାଦ ଓ ଜାତିବାଦ ତଥା ପାରଲୌକିକ ବିଶ୍ବାସ ଓ କର୍ମକାଣ୍ଡ ବିରୋଧରେ ବୌଦ୍ଧ ଧର୍ମ ଥିଲା ଏକ ସାଂସ୍କୃତିକ ବିପ୍ଳବ। ସାମାଜିକ ସମତା, ଇହଲୌକିକ ଜୀବନବୋଧ ଓ ନୈତିକ ଆଚରଣକୁ ଶ୍ରେୟ ଭାବରେ ଗ୍ରହଣ କରୁଥିବା ବୌଦ୍ଧ ଧର୍ମକୁ ଆମ ଦେଶରୁ ଲୋପ କରାଗଲା। ମହାନ ଦାର୍ଶନିକ ଚାର୍ବାକଙ୍କର ବାସ୍ତୁବାଦୀ ଓ ଇହଲୋକବାଦୀ ଭାବଧାରା କାରଣରୁ ଇତିହାସର କୌଣସି କାଳଖଣ୍ଡରେ ତାଙ୍କର ସମସ୍ତ କୃତିକୁ ନଷ୍ଟ କରିଦିଆଗଲା।
ବ୍ରିଟିସ ଶାସନ କାଳ ମଧ୍ୟରେ ଜ୍ୟୋତିରାଓ ଫୁଲେ (୧୮୨୭-୧୮୯୦) ଯେତେବେଳେ ଶୂଦ୍ର ଓ ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ଆଲୋକ ପହଞ୍ଚାଇବା ପାଇଁ ପ୍ରୟାସ କଲେ, ତାଙ୍କୁ ଭୟଙ୍କର ଭାବରେ ବିରୋଧ କରାଯିବା ଘଟଣା ସୁବିଦିତ। ଊନବିଂଶ ଶତାବ୍ଦୀର ବିଶିଷ୍ଟ ସଂସ୍କାରକ ରାଜା ରାମମୋହନ ରାୟ (୧୭୭୨-୧୮୩୩) ବ୍ରାହ୍ମସମାଜ ପ୍ରତିଷ୍ଠା କରି ସତୀଦାହ ପ୍ରଥାକୁ ବନ୍ଦ କରିବାକୁ ସ୍ବର ଉଠାଇ ବହୁ ବିରୋଧର ସମ୍ମୁଖୀନ ହୋଇଥିଲେ। ତେବେ ଏହି ସାମାଜିକ କୁପ୍ରଥାକୁ ବନ୍ଦ କରିବାକୁ ସରକାର ନିୟମ କଲେ। ଭାରତୀୟ ସମାଜ-ସଂସ୍କାର ଇତିହାସରେ ବିଂଶ ଶତାବ୍ଦୀର ଦୁଇ ପ୍ରମୁଖ ବ୍ୟକ୍ତିତ୍ବ ହେଲେ ପେରିୟାର (୧୮୭୯-୧୯୭୩) ଓ ବାବାସାହେବ ଆମ୍ବେଦକର (୧୮୯୧-୧୯୫୬)। ପେରିୟାର ଥିଲେ ଜାତିପ୍ରଥା, ଅସ୍ପୃଶ୍ୟତା, ବାଲ୍ୟବିବାହ, ପ୍ରତିମା ପୂଜା ଇତ୍ୟାଦି ଅସଂଖ୍ୟ ସାମାଜିକ ପ୍ରଥାର ବିରୋଧୀ ତଥା ସାମାଜିକ ସମତା, ବ୍ୟକ୍ତି ମର୍ଯ୍ୟାଦାବୋଧ, ମହିଳା ସଶକ୍ତୀକରଣ, ପରିବାର ନିୟନ୍ତ୍ରଣ ଇତ୍ୟାଦି ବହୁ ସଂସ୍କାରବାଦୀ କାର୍ଯ୍ୟକ୍ରମର ପଥପ୍ରଦର୍ଶକ। ତେବେ ସେ ଉଚ୍ଚ ବର୍ଗର ଲୋକମାନଙ୍କ ଦ୍ବାରା କେତେ ସମାଲୋଚିତ ଓ ବିରୋଧର ସମ୍ମୁଖୀନ ହୋଇଛନ୍ତି ତାହା ତାଙ୍କ ଜୀବନୀରୁ ଜଣାପଡ଼େ। ସେହିପରି ସାମାଜିକ ନ୍ୟାୟ, ମାନବିକ ଅଧିକାର ଓ ସାମାଜିକ ଗଣତନ୍ତ୍ରର ମହାନ ପ୍ରବକ୍ତା ଥିଲେ ଆମ୍ବେଦକର। ବିଦେଶରୁ ଉଚ୍ଚ ଶିକ୍ଷା ହାସଲ କରିଥିବା ଆମ୍ବେଦକର ଧର୍ମାନ୍ଧ ରକ୍ଷଣଶୀଳ ଲୋକମାନଙ୍କ ଦ୍ବାରା ଅସ୍ପୃଶ୍ୟ ବିବେଚିତ ହେଉଥିଲେ। ଦଳିତମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଓ ସମାଜରୁ ଅସ୍ପୃଶ୍ୟତା ଦୂର କରିବା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ କେତେ ବିରୋଧର ସମ୍ମୁଖୀନ ହୋଇଛନ୍ତି ତାହା ଆଜି ଇତିହାସର କାହାଣୀ।
ଏକ ସୁସ୍ଥ, ସମତାଭିତ୍ତିକ ଓ ସାମାଜିକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଯେଉଁମାନେ ବୈଚାରିକ ସ୍ତରରେ ଓ କାର୍ଯ୍ୟକ୍ଷେତ୍ରରେ ସଂପୃକ୍ତି ବ୍ୟକ୍ତ କରିଛନ୍ତି ସେମାନେ ବହୁ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏହା ଇତିହାସର ବିଡ଼ମ୍ବନା। ଆମେରିକା ପରି ଏକ ସଭ୍ୟ ସମାଜରେ ବର୍ଣ୍ଣବୈଷମ୍ୟ ବିରୋଧରେ ପଦକ୍ଷେପ ପାଇଁ ଆବ୍ରାହମ ଲିଙ୍କନ (୧୮୦୯-୧୮୬୫) ଓ ମାର୍ଟିନ ଲୁଥର କିଙ୍ଗ୍ ଜୁନିୟର (୧୯୨୯-୧୯୬୮)ଙ୍କୁ ସହିଦ ହେବାକୁ ପଡ଼ିଛି। ଅହିଂସା ଓ ସତ୍ୟାଗ୍ରହ ପରି ବିଚାର ଦେଇଥିବା ଓ ସର୍ବୋଦୟ ସମାଜର ସ୍ବପ୍ନ ଦେଖିଥିବା ମହାତ୍ମା ଗାନ୍ଧୀ (୧୮୬୯-୧୯୪୮) ମଧ୍ୟ ଧର୍ମାନ୍ଧ ବିଚାରର ସାଂପ୍ରଦାୟିକ ଶକ୍ତି ଦ୍ବାରା ନିହତ ହୋଇଛନ୍ତି। ଜ୍ଞାନବିଜ୍ଞାନର ବିକାଶ ଓ ମାନବବାଦର ପ୍ରସାର କ୍ଷେତ୍ରରେ ଅମୂଲ୍ୟ ଅବଦାନ ଦେଇଥିବା ଇତିହାସର କୀର୍ତ୍ତିଧାରୀ ବ୍ୟକ୍ତିମାନେ ନିଜ ସମସାମୟିକ ସମାଜରେ ଅପଯଶ ପାଇବା ବା ଜୀବନ ଦେବା ସଭ୍ୟତାର ବିଡ଼ମ୍ବନା।
ସମାଜରୁ ଅଜ୍ଞତା, ଅନ୍ଧବିଶ୍ବାସ, କୁସଂସ୍କାର ଓ ଭେଦଭାବ ଦୂର କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ସମାଜର ଆଲୋକବର୍ତ୍ତିକା। ସେମାନେ ପ୍ରାୟତଃ ସମାଜ ସଂସ୍କାରକ ବା ହେତୁବାଦୀ ଚିନ୍ତକ ହୋଇଥାନ୍ତି। କିଏ ହେତୁବାଦୀ ଓ ତାଙ୍କର ସାମାଜିକ ଆଚରଣ କେତେ ଭଲ ବା ମନ୍ଦ ତାହା ଏକ ଭିନ୍ନ ପ୍ରସଙ୍ଗ। ବ୍ୟକ୍ତିର ଆଚରଣ ମୂଲ୍ୟାୟନ କରିବା ପାଇଁ ବିଭିନ୍ନ ନୈତିକ ମାନଦଣ୍ଡ ରହିପାରେ। କିନ୍ତୁ ‘ହେତୁବାଦ’ ଏକ ଜୀବନ-ଦର୍ଶନ ଯାହା କେତେକ ସିଦ୍ଧାନ୍ତ ଉପରେ ଆସ୍ଥା ସ୍ଥାପନ କରିଥାଏ। ବିଚାରଶୀଳତା ବା ‘ରେସନାଲିଟି’ର ପ୍ରାଧାନ୍ୟ ଉପରେ ହେତୁବାଦ ଗୁରୁତ୍ବ ପ୍ରଦାନ କରିଥାଏ। ସମସ୍ତ ବସ୍ତୁନିଷ୍ଠ ଜ୍ଞାନ କ୍ଷେତ୍ରରେ ସାର୍ବଜନୀନ ବୈଜ୍ଞାନିକ ପଦ୍ଧତିକୁ ଏକ ସ୍ବୀକାର କରିଥାଏ। ମୁକ୍ତ ମନ, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ବିଚାରଶୀଳତାର ମହତ୍ତ୍ବ ହେତୁବାଦର ସୈଦ୍ଧାନ୍ତିକ ଭିତ୍ତି। ସେହିପରି ଏକ ମାନବିକ ବିଚାର ଓ ସମ୍ବେଦନଶୀଳ ଦୃଷ୍ଟିଭଙ୍ଗୀ ହେତୁବାଦର ଅନ୍ୟ ଏକ ଆଦର୍ଶ। ପ୍ରତ୍ୟେକ ବ୍ୟକ୍ତିର ମର୍ଯ୍ୟାଦାକୁ ସ୍ବୀକାର କରିବା ଓ ମଣିଷ-ମଣିଷ ଭିତରେ କୌଣସି ଭେଦଭାବ ନ କରିବା ହେତୁବାଦର ଆଦର୍ଶ।
ପ୍ରତ୍ୟେକ ବ୍ୟକ୍ତିର ମର୍ଯ୍ୟାଦାକୁ ସ୍ବୀକାର କରିବା ଓ ମଣିଷ ମଣିଷ ଭିତରେ କୌଣସି ଭେଦଭାବ ନ କରିବା ହେତୁବାଦର ଆଦର୍ଶ। ଏହି ଆଦର୍ଶରୁ ତଥା ମାନବିକ ଅନୁଭୂତିରୁ ଅନ୍ୟ ଏକ ନିଷ୍କର୍ଷ ଆସିଥାଏ। ତାହାନୁଯାୟୀ ସଭ୍ୟତାର ସକଳ ବିକାଶ ବା ପ୍ରଗତି ମାନବିକ ପ୍ରୟାସ ଓ ଅନୁସନ୍ଧିତ୍ସାର ପରିଣାମ। ଏକ ଆଦିମ ସ୍ଥିତିରୁ କେତେ ସ୍ତର ଓ ସୋପାନ ଦେଇ ସଭ୍ୟତାର କ୍ରମବିକାଶ ଘଟିଛି। କୌଣସି ବିକାଶ ଆକାଶରୁ ଖସି ନାହିଁ ବା କେଉଁ ଦେବତାର ଆଶୀର୍ବାଦରୁ ମିଳିନାହିଁ। ମାନବୀୟ ଅନୁସନ୍ଧିତ୍ସା ଓ ବିଚାରଶୀଳ ପ୍ରୟାସରୁ ହିଁ ଜ୍ଞାନବିଜ୍ଞାନର ବିକାଶ ଓ ବିଭିନ୍ନ ସଭ୍ୟ ମୂଲ୍ୟବୋଧର କ୍ରମବିକାଶ ଘଟିଛି। ନୀତି, ନୈତିକତା ହେଉଛି ସାମାଜିକ କର୍ତ୍ତବ୍ୟ। ‘‘ଆମେ ଅନ୍ୟ ପ୍ରତି ସେହିଭଳି ଆଚରଣ କରିବା ଯେଉଁଭଳି ଆଚରଣ ଅନ୍ୟମାନେ ଆମ ପ୍ରତି କରନ୍ତୁ ବୋଲି ଆମେ ଆଶା କରିବା’’- ଏହା ହେତୁବାଦର ନୈତିକ ଆଦର୍ଶ। ଜୀବନ ଓ ସମାଜର ଗୁଣାତ୍ମକ ଉତ୍କର୍ଷ ସାଧନ ହିଁ ହେତୁବାଦର ଲକ୍ଷ୍ୟ। ସମାଜ ସେହି ଲକ୍ଷ୍ୟ ଦିଗରେ ଯେତେ ଅଗ୍ରସର ହେବ, ସମାଜ ସେତେ ଅଧିକ ପ୍ରଗତିଶୀଳ ହେବ। ହେତୁବାଦୀ ସଂସ୍କାରକ, ଦାର୍ଶନିକ ଓ ବୈଜ୍ଞାନିକମାନେ ଏହି ଜୀବନବୋଧର ବାର୍ତ୍ତା ସାର୍ବଜନୀନ ଭାବେ ଦେଇ ଆସିଛନ୍ତି।
ମୋ: ୯୪୩୮୫୪୭୮୯୫