କୈଶୋରରେ ପଦାର୍ପଣ କଲାବେଳକୁ ଉପେନ୍ଦ୍ରଙ୍କ ନିକଟରେ ଦୁଇଟି ବିକଳ୍ପ ଥିଲା- ରାଜପଣ ଓ କବିପଣ। ଉପେନ୍ଦ୍ରଙ୍କ ପିତା ନୀଳକଣ୍ଠ ଏବଂ ପିତାମହ ଧନଞ୍ଜୟ ଉଭୟ ଥିଲେ କବି ଓ ରାଜା। ଉପେନ୍ଦ୍ର କିନ୍ତୁ ରାଜକୀୟ ଉତ୍ତରାଧିକାରୀ ହେବାକୁ ଚାହିଁଲେ ନାହିଁ, ଚାହିଁଲେ ସାରସ୍ୱତ ଉତ୍ତରପୁରୁଷ ଭାବରେ ଖ୍ୟାତ ହେବା ପାଇଁ। ଘୁମୁସରର ଏହି ରାଜପୁତ୍ର ଓଡ଼ିଆ ସାହିତ୍ୟରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଭାବରେ ପ୍ରଥିତଯଶା ହେଲେ।
ଉପେନ୍ଦ୍ର ଭଞ୍ଜଙ୍କ ପୂର୍ବ ପିଢ଼ି ପଞ୍ଚସଖା ଯୁଗରେ ସାହିତ୍ୟର ଆତ୍ମା ଥିଲା ପୁରାଣ ଏବଂ ଭାଷା ଥିଲା ସାବଲୀଳ। ଉପେନ୍ଦ୍ର ପୌରାଣିକ କଥାବସ୍ତୁକୁ ସଂପୂର୍ଣ୍ଣ ପରିହାର କଲେ ନାହିଁ, କିନ୍ତୁ ସାବଲୀଳ ଶବ୍ଦକୁ ଆଦୌ ଗ୍ରହଣ କଲେ ନାହିଁ। ସଂସ୍କୃତ ସମ ଅଳଙ୍କାରର ପ୍ରୟୋଗ ଯେ ଓଡ଼ିଆ ଭାଷାରେ ସମ୍ଭବ, ସେ ତାହା ପ୍ରମାଣ କଲେ। ମହାକବି ମାଘଙ୍କ “ନବ ପଲାଶ ପଲାଶ ବନଂ ପୁରହ” ଶୈଳୀରେ ଉପେନ୍ଦ୍ର ଭଞ୍ଜ “ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ” ରଚନା କରି ଓଡ଼ିଆ ସାହିତ୍ୟରେ ଆଳଙ୍କାରିକ ଯୁଗ ସୃଷ୍ଟି କଲେ। ‘ଲାବଣ୍ୟବତୀ’, ‘ପ୍ରେମ ସୁଧାନିଧି’ ଓ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ପରି କାବ୍ୟଗୁଡ଼ିକ ତାଙ୍କ ଅପୂର୍ବ କାବ୍ୟକଳ୍ପନାର ଫଳଶ୍ରୁତି। କିନ୍ତୁ ‘ବୈଦେହୀଶ ବିଳାସ’, ‘ସୁଭଦ୍ରା ପରିଣୟ’ ଓ ‘କଳା କୌତୁକ’ ଆଦି କାବ୍ୟର ଆଧାର ପୁରାଣ।
ନାରିକେଳ ସମ ତାଙ୍କ କାବ୍ୟ ଭିତରକୁ ପ୍ରବେଶ କରି ନ ପାରି କେହି କେହି ତାଙ୍କୁ ‘ଆତଙ୍କ’ ବୋଲି ଭାବନ୍ତି ତ ଆଉ କେହି ତାଙ୍କ କାବ୍ୟକୁ ‘ଅଙ୍କ’ ପରି ଜଟିଳ ମନେ କରନ୍ତି। କିଏ କେମନ୍ତେ ପୁଣି କହନ୍ତି, ଭଞ୍ଜେ ‘ନାରୀ’ ଆଉ ‘ଡିକ୍ସିନାରୀ’ର କବି। ନାରୀର ଦେହ ଓ ମନର ବର୍ଣ୍ଣନାରେ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀର ପଟାନ୍ତର ନାହିଁ। ବାରଶହ ବଢ଼େଇ କେବେ ସିନା ଶିଳାରେ ଗଢ଼ିଥିଲେ କୋଣାର୍କ, ଉପେନ୍ଦ୍ର ଭଞ୍ଜ କିନ୍ତୁ ଗଢ଼ିଲେ ଶବ୍ଦର କୋଣାର୍କ। ତାଙ୍କ କାବ୍ୟର ଆଭରଣ ରୂପସୀ ନାରୀ, କିନ୍ତୁ ତା’ର ଅନ୍ତଃସ୍ୱର ଦାମ୍ପତ୍ୟ ଜୀବନ। ସେଥିପାଇଁ ତ ତାଙ୍କ ଶ୍ରେଷ୍ଠ କୃତି ‘ବୈଦେହୀଶ ବିଳାସ’, ଯାହା ରାମକଥାର ସଂକ୍ଷିପ୍ତ କାବ୍ୟରୂପ। ସେମିତି, ଶବ୍ଦ ନାହିଁ ତ ସାହିତ୍ୟ କାହିଁ? ଶବ୍ଦସିନ୍ଧୁ ପାରି ହୋଇଥିବା କବିସମ୍ରାଟଙ୍କ ଶବ୍ଦର ଗୂଢ଼ତା ବୁଝିବା ପାଇଁ ଶବ୍ଦକୋଷ ବା ଡିକ୍ସିନାରୀ ଆବଶ୍ୟକ ହେଲେ କ୍ଷତି କ’ଣ?
ରାଜପୁତ୍ର ଜଣକ କବି ହେବା ପାଇଁ ରାଜ୍ୟ ଛାଡ଼ିଦେଲେ, ଅଥଚ କେତେକ ସମାଲୋଚକ ତାଙ୍କଠି ଅହଂଭାବ ଠାବ କଲେ! ଉପେନ୍ଦ୍ର ଭଞ୍ଜ କୁଆଡ଼େ ରବି ତଳେ କବି ବୋଲି କାହାକୁ ମାନନ୍ତି ନାହିଁ। ଅନ୍ୟ କବିମାନଙ୍କ ମସ୍ତକରେ ଚରଣ ରଖିବାକୁ ଆସ୍ପର୍ଦ୍ଧା କରନ୍ତି। ଉପେନ୍ଦ୍ରଙ୍କ ପରି ଜଣେ ପରମ ଶବ୍ଦସାଧକ, ବାଗ୍ଦେବୀଙ୍କ ପ୍ରିୟପୁତ୍ର କ’ଣ ଅହଂକାରୀ ହୋଇପାରନ୍ତେ? ଅସମ୍ଭବ। ତାଙ୍କ ବିନମ୍ରଭାବ ତାଙ୍କ କାବ୍ୟରେ ହିଁ ସ୍ପଷ୍ଟ ପରିଦୃଷ୍ଟ। ‘ବୈଦେହୀଶ ବିଳାସ’ରେ ସେ ଲେଖିଛନ୍ତି:“ବାଲ୍ମିକୀ ବ୍ୟାସ କବି ଯହିଁରେ, ମହାକାବ୍ୟ କେ ପୁରାଣ କରେ, ମହାନାଟକ ବାତସୁତରେ ହେଲେ ରଚିତ ଯେ। ବିହିଲେ କାବ୍ୟ ଯେ କାଳିଦାସେ, ଚମ୍ପୂ ରଚନା ଭୋଜ ନରେଶେ, କୃପାସିଦ୍ଧାଏ ଗୀତ ପ୍ରକାଶେ, ଛାଡ଼ିଲି ଚିନ୍ତା ଯେ।” ଏହାର ଅର୍ଥ ହେଲା, ବାଲ୍ମିକୀ, ବ୍ୟାସ, କାଳିଦାସ, ଭୋଜରାଜ, ହନୁମାନ ଓ ସର୍ବୋପରି କୃପାସିଦ୍ଧା ବଳରାମ ଦାସ ଯେଉଁଠି କାବ୍ୟ ରଚନା କରିଛନ୍ତି, ଏ ହୀନ ଉପେନ୍ଦ୍ର ଭଞ୍ଜ କିଏ? ଏମନ୍ତ ବିନୟ ହିଁ ଭଞ୍ଜଙ୍କ ଭୂଷଣ।
ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟକୁ ପୁଣି ଦରବାରୀ ସାହିତ୍ୟ ବୋଲି ବୋଲନ୍ତି ଥୋକେ। ରାଜାରାଜୁଡ଼ାଙ୍କ ଦରବାରରେ, ଜମିଦାରଙ୍କ ଚୌପାଢ଼ିରେ ବା ହାକିମହୁକୁମାଙ୍କ ସିରସ୍ତାରେ ଉପେନ୍ଦ୍ରଙ୍କ କାବ୍ୟଚର୍ଚ୍ଚା ହେଉଥିଲା ବୋଲି ଅଭିଯୋଗ ହୁଏ। ଏହା ସତ୍ୟ ହୋଇଥିଲେ ବି ଆଦୌ ସାଙ୍ଘାତିକ ନୁହେଁ। ସେତେବେଳେ ଭାରତର ମଉଡ଼ମଣି ମୋଗଲ ବାଦଶାହ ଆଉରଙ୍ଗଜେବ। କରଦ ରାଜାମାନେ ଥିଲେ ତାଙ୍କ ଦାସାନୁଦାସ। ଜିଜିଆ କରରେ ପ୍ରଜାପାଟକ ଅତିଷ୍ଠ। ସାହିତ୍ୟକୁ ପଚାରେ କିଏ? ସେହିପରି ଏକ ଦୁଃସମୟରେ ଦରବାର ମଧ୍ୟରେ ସାହିତ୍ୟ ଆବଦ୍ଧ ହେବାରେ କିଛି ଅସ୍ୱାଭାବିକତା ନ ଥିଲା। ଉପେନ୍ଦ୍ର ଭଞ୍ଜଙ୍କ ପରି କବିମାନେ ଆଡ଼ମ୍ବରପୂର୍ଣ୍ଣ ରଚନା ମାଧ୍ୟମରେ ସାହିତ୍ୟକୁ ବଞ୍ଚାଇ ରଖିବାକୁ ସଫଳ ହୋଇଥିଲେ। ସାହିତ୍ୟର ପ୍ରବହମାନତା ଥରେ ବାଧାପ୍ରାପ୍ତ ହୋଇଥିଲେ ଓଡ଼ିଆ ଭାଷା ହୁଏତ ତା’ର ଅସ୍ତିତ୍ୱ ହରାଇଥା’ନ୍ତା ଏବଂ ଓଡ଼ିଆ ଜାତି ତା’ର ଅସ୍ମିତା। ସେତେବେଳେ ପୁଣି ମୁଦ୍ରଣ ଶିଳ୍ପ ନ ଥିଲା, ପୁସ୍ତକ ଥିଲା କଳ୍ପନା ବହିର୍ଭୂତ। ଶବ୍ଦ, ସଙ୍ଗୀତ ଓ ସ୍ୱର ଥିଲା ଭାଷାର ଜୀବନୀ ଶକ୍ତି। କବି ସମ୍ରାଟ ମସି ବଳରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁରକ୍ଷା ଦେଇଥିଲେ।
ସାହିତ୍ୟ ବିଶେଷତଃ କାବ୍ୟ ଏକ ସଂଜ୍ଞାହୀନ ସୃଷ୍ଟି। କାବ୍ୟ ପାଇଁ ମାର୍ଗ ବା ମାର୍ଗଦର୍ଶିକା ଅବାନ୍ତର। ନା ନାରୀର ସୌନ୍ଦର୍ଯ୍ୟ ନା ଶବ୍ଦର ଚାତୁର୍ଯ୍ୟକୁ କାବ୍ୟରୁ ବାଦ୍ ଦେଇ ହେବ! କାବ୍ୟ କବିତାକୁ ବୁଝାଯାଏ ନାହିଁ, ହୃଦୟରେ ଗ୍ରହଣ କରାଯାଏ। ବୁଝି ହେଉ ବା ନ ହେଉ ଉପେନ୍ଦ୍ରଙ୍କ କାବ୍ୟ ବିମୁଗ୍ଧ କରେ। ତେଣୁ ତାହା ସାର୍ବଜନୀନ। ପଣ୍ଡିତ, ପଥଚାରୀ ଏବଂ କୃଷିଜୀବୀଙ୍କ ଠାରୁ ଆରମ୍ଭ କରି ପୁରନାରୀ ପୁଣି ବାରନାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଉପେନ୍ଦ୍ରଙ୍କ ଗୀତସଙ୍ଗୀତ। ସେହି ଦୃଷ୍ଟିରୁ ପଣ୍ଡିତ ଗୋପବନ୍ଧୁଙ୍କ ଭଞ୍ଜୀୟ କାବ୍ୟକବିତା ଆକଳନର ତୁଳନା ନାହିଁ: “ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ, ପଥେ ପାନ୍ଥ ହୃଷ୍ଟମନା। ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା, ନୃତ୍ୟରଙ୍ଗେ ବାରାଙ୍ଗନା।”
ମୋ: ୯୪୩୭୧୪୩୮୯୬