‘‘ମୁଁ ଯଦି ଦିନେ ସକାଳେ ପୋଟୋମାକ୍ ନଦୀର ପାଣି ଉପରେ ଚାଲି ଚାଲି ଏ କୂଳରୁ ସେ କୂଳକୁ ଚାଲିଯାଏ, ସେଦିନ ଅପରାହ୍ଣରେ ସମ୍ବାଦପତ୍ରମାନଙ୍କରେ ଶିରୋନାମା ଛାପା ହୋଇଥିବା ଦେଖାଯିବ: ‘ରାଷ୍ଟ୍ରପତି ପହଁରା ଜାଣିନାହାଁନ୍ତି’।’’ ଏହା ଥିଲା କୌଣସି ଏକ କାହାଣୀର ଚମକପ୍ରଦ ସକାରାତ୍ମକ ଦିଗ ରହିଥିଲେ ମଧ୍ୟ ତାହାର ଏକ ନକାରାତ୍ମକ ଦିଗ ଉଣ୍ଡି ବାହାର କରି ପ୍ରସାର କରିବାର ପ୍ରବଣତାକୁ ଉପହାସ କରି ଆମେରିକାର ରାଷ୍ଟ୍ରପତି ଲିଣ୍ଡନ୍ ଜନ୍ସନ୍ ପ୍ରଦାନ କରିଥିବା ଏକ ଚଟୁଳ ମନ୍ତବ୍ୟ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସ୍ବିଜର୍ଲାଣ୍ଡର ଡାଭସ୍ଠାରେ ଆୟୋଜିତ ‘ୱାର୍ଲଡ୍ ଇକନୋମିକ୍ ଫୋରମ୍’ ସମ୍ମିଳନୀ ସହିତ ତାଳ ଦେଇ ଜାନୁଆରି ୧୫ରେ ପ୍ରକାଶିତ ‘ଅକ୍ସଫାମ୍’ ରିପୋର୍ଟ ଭାରତ ସମ୍ବନ୍ଧରେ ବହନ କରିଥିବା ମନ୍ତବ୍ୟକୁ ସେଇଭଳି ପହଁରା ଜାଣିନଥିବା ଶ୍ରେଣୀର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏହାର ତିନି ମାସ ପୂର୍ବେ ବହୁମୁଖୀ ଦାରିଦ୍ର୍ୟ ସମ୍ବନ୍ଧରେ ଜାତିସଂଘ ଦ୍ବାରା ପ୍ରକାଶିତ ‘୨୦୨୨ ୟୁଏନ୍ଡିପି ରିପୋର୍ଟ’ ଅନୁଯାୟୀ ଭାରତ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧୫ ନିୟୁତ (୪୧.୫ କୋଟି) ଦେଶବାସୀଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠାଇବାରେ ସଫଳ ହୋଇଛି। ‘ଆନ୍ତର୍ଜାତିକ ମୁଦ୍ରାପାଣ୍ଠି’ (‘ଆଇଏମ୍ଏଫ୍’) କରିଥିବା ଏକ ଆକଳନ ଅନୁଯାୟୀ ୨୦୧୯ ଓ ୨୦୨୦ର ପାଣ୍ଡେମିକ୍ ବର୍ଷରେ ମଧ୍ୟ ଭାରତରେ ଚରମ ଦାରିଦ୍ର୍ୟ (ଏକ୍ସଟ୍ରିମ୍ ପଭର୍ଟି) ଜନସଂଖ୍ୟାର ଏକ ଶତାଂଶର ତଳେ ରହିଥିଲା। ତାଜା ତଥ୍ୟ ସଂଗ୍ରହ କରି ପୃଥିବୀରେ ଦାରିଦ୍ର୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରୁଥିବା ‘ୱାର୍ଲଡ୍ ପଭର୍ଟି କ୍ଲକ୍’ର ଆକଳନ ଅନୁସାରେ ୨୦୨୪ ସୁଦ୍ଧା ଭାରତରେ ଚରମ ଦାରିଦ୍ର୍ୟ ପ୍ରପୀଡ଼ିତମାନଙ୍କର ଅନୁପାତ ଜନସଂଖ୍ୟାର ୩ ଶତାଂଶ ତଳକୁ ଖସି ଯିବ।
କିନ୍ତୁ ଭାରତର ଏସମସ୍ତ ଉପଲବ୍ଧିକୁ ଆଡ଼େଇ ଦେଇ ନିଜକୁ ପୃଥିବୀର ଏକ ପ୍ରମୁଖ ଦାରିଦ୍ର୍ୟ-ବିରୋଧୀ ଏନ୍ଜିଓ ରୂପେ ପ୍ରଦର୍ଶିତ କରୁଥିବା ‘ଅକ୍ସଫାମ୍’ର ଭାରତ ଶାଖା ‘ଅକ୍ସଫାମ୍ ଇଣ୍ଡିଆ’ ପ୍ରକାଶ କରିଥିବା ‘ସର୍ଭାଇଭାଲ୍ ଅଫ୍ ଦି ରିଚେଷ୍ଟ: ଦି ଇଣ୍ଡିଆ ସପ୍ଲିମେଣ୍ଟ’ ପରି ଏକ ବିଦ୍ରୂପାତ୍ମକ ଶୀଷର୍କ ବହନ କରୁଥିବା ରିପୋର୍ଟ ପ୍ରସାର କରିଥିବା ଯେଉଁ ସୂଚନା ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରି ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହା ହେଲା, ୨୦୨୧ରେ ଭାରତରେ ଦେଶର ମୋଟ ସମ୍ପଦର ୪୦.୫ ଶତାଂଶ ଜନସଂଖ୍ୟାର ମାତ୍ର ଉପର ଏକ ଶତାଂଶ ଲୋକଙ୍କ ଦଖଲରେ ଥିବା ବେଳେ ଜନସଂଖ୍ୟାର ତଳ ଅର୍ଦ୍ଧେକ (୫୦ ଶତାଂଶ) ଲୋକଙ୍କ ମାଲିକାନାରେ ଅଛି ମାତ୍ର ତିନି ଶତାଂଶ ସମ୍ପଦ। ସାରା ପୃଥିବୀ ପାଇଁ ଉଦ୍ଦିଷ୍ଟ ‘ଅକ୍ସଫାମ୍’ ରିପୋର୍ଟରେ ସେହିପରି ମଧ୍ୟ ଦର୍ଶାଯାଇଛି ଯେ ବିଗତ ଦୁଇ ବର୍ଷ ମଧ୍ୟରେ ପୃଥିବୀର ସର୍ବାଧିକ ଧନୀ ଏକ ଶତାଂଶ ଲୋକ ଯେତିକି ସମ୍ପଦ ଠୁଳ କରିଛନ୍ତି, ତାହା ହେଉଛି ବାକି ୯୯ ଶତାଂଶ ଲୋକ ଠୁଳ କରିପାରିଥିବା ସମ୍ପଦର ପ୍ରାୟ ଦୁଇ ଗୁଣ।
ଏହା ସୁବିଦିତ ଯେ ଅକ୍ସଫାମ୍ ଏହି ସମୟରେ ହିଁ ତା’ର ଏହି ରିପୋର୍ଟ ପ୍ରକାଶ କରିବାର ଅନ୍ୟତମ ଉଦ୍ଦେଶ୍ୟ ହୋଇଥାଏ ଡାଭସ୍ଠାରେ ଏକତ୍ର ହୋଇଥିବା ପୃଥିବୀର ଶୀର୍ଷ ସ୍ଥାନୀୟ ଧନୀକ, ଉଦ୍ୟୋଗପତି, ରାଜନେତାମାନଙ୍କୁ ପୃଥିବୀରେ ବିରାଜମାନ କରୁଥିବା ଅର୍ଥନୈତିକ ଅସମାନତା ସମ୍ବନ୍ଧରେ ସଚେତନ କରାଇ ଲଜ୍ଜିତ କରିବା, ଯାହା ସେମାନଙ୍କୁ ଏହାର ଦୂରୀକରଣ ଦିଗରେ ପଦକ୍ଷେପ ନେବା ପାଇଁ ଚାବୁକ୍ ସଦୃଶ କାର୍ଯ୍ୟ କରିବ। ଆୟ ଓ ସମ୍ପଦ ବଣ୍ଟନରେ ଅସମାନତା ପ୍ରତି ଏଭଳି ବିରୋଧ ପ୍ରକାଶ ଏକ ଉଚ୍ଚମନା ଚିନ୍ତାଧାରା ଭଳି ମନେ ହେଉଥିେଲ ମଧ୍ୟ ପ୍ରସଙ୍ଗଟି ଏପରି ସିଧାସଳଖ ନୁହେଁ। ତେବେ ସେଥିପ୍ରତି ଦୃଷ୍ଟି ନିକ୍ଷେପ କରିବା ପୂର୍ବରୁ ପ୍ରଥମେ ଦେଖାଯାଉ ଖୋଦ୍ ଅକ୍ସଫାମ୍ର ଆଚରଣ ଏହି ଉତ୍ତମ ଚିନ୍ତାଧାରା ସହିତ କେତେଦୂର ମେଳ ଖାଇଥାଏ।
ମହାନ୍ ଉଦାରପନ୍ଥୀ ଅଷ୍ଟ୍ରୀୟ ଅର୍ଥନୀତିଜ୍ଞଙ୍କ ନାମ ବହନ କରୁଥିବା ମର୍ଯ୍ୟାଦାଜନକ ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ‘ଲୁଡ୍ୱିଗ୍ ଭନ୍ ମାଇଜେସ୍ ଇନ୍ଷ୍ଟିଚ୍ୟୁଟ୍’ (ସଂକ୍ଷେପରେ ‘ମାଇଜେସ୍ ଇନ୍ଷ୍ଟିଚ୍ୟୁଟ୍’) କେବଳ ‘ଅକ୍ସଫାମ୍’ର ଆମେରିକୀୟ ଶାଖା (ଏହା ହେଉଛି ପୃଥିବୀ ସାରା ଥିବା ଅକ୍ସଫାମ୍ର ୨୧ଟି ଶାଖା ମଧ୍ୟରୁ ଗୋଟିଏ ମାତ୍ର)ର ଅନୁଶୀଳନ କରି ୨୦୧୭ରେ ପ୍ରକାଶ କରିଥିବା ଏ ସମ୍ପର୍କିତ ନିମ୍ନରେ ପ୍ରଦତ୍ତ କେତେକ ତଥ୍ୟ ଏଥିପାଇଁ ପ୍ରଣିଧାନଯୋଗ୍ୟ। ଖୋଦ୍ ‘ଅକ୍ସଫାମ୍ ୟୁନାଇଟେଡ୍ ଷ୍ଟେଟ୍ସ’ର ବିତ୍ତୀୟ ବିବରଣୀ ଅନୁସାରେ ଆମେରିକାରେ ଏହି ସଂସ୍ଥାର େମାଟ ନେଟ୍ ପରିସମ୍ପତ୍ତିର ମୂଲ୍ୟ ଥିଲା ପ୍ରାୟ ୬୯ ନିୟୁତ ଡଲାର୍। ‘ଅକ୍ସଫାମ୍’ ଏକ ବ୍ୟକ୍ତି ହୋଇନଥିଲେ ମଧ୍ୟ ଏକ ବ୍ୟକ୍ତି ଭଳି ଏହା ମଧ୍ୟ ହେଉଛି ଏକ ଆଇନ୍ଗତ ସତ୍ତା। ତାତ୍ପର୍ଯ୍ୟର କଥା, ଆମେରିକୀୟ ‘ଅକ୍ସଫାମ୍’ର ମାଲିକାନାରେ ଥିବା ଏହି ସମ୍ପଦ ଥିଲା ପୃଥିବୀର ୯୯.୭ ଶତାଂଶ ଲୋକମାନେ ମାଲିକ ହୋଇଥିବା ସମ୍ପଦଠାରୁ ଅଧିକ।
ଏହା ପୃଥିବୀରେ ସମ୍ପଦ ବଣ୍ଟନରେ ଥିବା ବୈଷମ୍ୟର ଏକ ଚରମ ଉଦାହରଣ ନୁହେଁ କି? ‘ମାଇଜେସ୍ ଇନ୍ଷ୍ଟିଚ୍ୟୁଟ୍’ ‘ଅକ୍ସଫାମ୍ ୟୁଏସ୍’ର ଏହି ସମ୍ପଦକୁ ସେଠାରେ ଥିବା ତା’ର ୩୫୧ ଜଣ କର୍ମଚାରୀମାନଙ୍କ ମଧ୍ୟରେ ଭାଗ କରି ଦେଖିଲା ସେମାନଙ୍କର ମୁଣ୍ଡପିଛା ସମ୍ପଦ ହେଉଛି ପ୍ରାୟ ୨ ଲକ୍ଷ ଡଲାର୍, ଯାହା ତଥାପି ପୃଥିବୀର ୯୨.୫ ଶତାଂଶ ଲୋକଙ୍କର ମୁଣ୍ଡପିଛା ସମ୍ପଦ ଅପେକ୍ଷା ଅଧିକ ଥିଲା।
ତା’ପରେ, ପ୍ରକାଶିତ ସୂଚନା ଅନୁସାରେ ‘ଅକ୍ସଫାମ୍ ୟୁଏସ୍’ ତା’ର କର୍ମଚାରୀମାନଙ୍କୁ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ବାବଦରେ ବର୍ଷକୁ ପ୍ରାୟ ୩୪ ନିୟୁତ ଡଲାର୍ ବ୍ୟୟ କରିଥାଏ, ଯାହା ହେଉଛି ତା’ର ବଜେଟ୍ର ୩୮ ଶତାଂଶ। ଏହାର ଅର୍ଥ ସେମାନଙ୍କର ମୁଣ୍ଡପିଛା ଆୟ ହେଉଛି ୯୭,୫୦୦ ଡଲାର୍। ଯଦି ‘ଅକ୍ସଫାମ୍ ୟୁଏସ୍’ ଏକ ‘ଦେଶ’ ହୋଇଥାନ୍ତା ତେବେ କାତାର୍ ଓ ଲକ୍ସେମ୍ବର୍ଗ ପରକୁ ‘ଅକ୍ସଫାମ୍ ୟୁଏସ୍୍ ଦେଶ’ର ମୁଣ୍ଡପିଛା ଜାତୀୟ ଆୟ ହୋଇଥାନ୍ତା ତୃତୀୟ ସର୍ବୋଚ୍ଚ ବୋଲି ‘ମାଇଜେସ୍ ଇନ୍ଷ୍ଟିଚ୍ୟୁଟ’ ଦର୍ଶାଇଛି। ସିଙ୍ଗାପୁର, ସ୍ବିଡେନ୍, ନର୍ୱେ, ଆମେରିକା ଆଦି ଦେଶମାନେ ଏବାବଦରେ ‘ଅକ୍ସଫାମ୍ ୟୁଏସ୍’ର ପଛରେ ରହିଥାନ୍ତି। ନିଃସନ୍ଦେହରେ ଦାତବ୍ୟ ସମ୍ବଳ ବ୍ୟବହାର କରି ‘ଅକ୍ସଫାମ୍’ ନିଜର ଏହି ‘ଦେଶ’ରେ ନିଜର ପ୍ରତିଶ୍ରୁତି ପୂରଣ କରି ‘‘ଦାରିଦ୍ର୍ୟ, କ୍ଷୁଧା ଓ ଅନ୍ୟାୟର ସ୍ଥାୟୀ ସମାଧାନ’’ ସମ୍ଭବ କରିପାରିଛି!
କହିବା ବାହୁଲ୍ୟ ‘ଅକ୍ସଫାମ୍’ର ଏହି କିସମର ଦାରିଦ୍ର୍ୟ ବିରୋଧୀ ଅଭିଯାନ ଏକ ସୁପରିଚିତ ଭ୍ରମାତ୍ମକ ବାମପନ୍ଥୀ ଯୁକ୍ତି ଉପରେ ପ୍ରତିଷ୍ଠିତ, ଯାହା ଅନୁସାରେ ଧନୀ ଓ ଦରିଦ୍ରମାନଙ୍କର ଏକତ୍ର ଉପସ୍ଥିତି ପ୍ରମାଣ କରିଥାଏ ଯେ ଗରିବମାନଙ୍କୁ ଗରିବ କରି ହିଁ ଧନୀ ମାନେ ଧନୀ ହୋଇଛନ୍ତି। ଏଭଳି ବିଚାର ଧରି ନେଇଥାଏ ଯେ ସତେ ଯେମିତି ଜାତୀୟ ସମ୍ପଦର ପରିମାଣ ହେଉଛି ସ୍ଥିର ଏବଂ ଦରିଦ୍ରଙ୍କ ଭାଗ ହ୍ରାସ ପାଇଲେ ହିଁ ଯାଇ ଧନୀଙ୍କ ଭାଗ ବୃଦ୍ଧି ପାଇଥାଏ। ଉଦ୍ୟୋଗୀମାନେ ଯେ ନିଜର ଉଦ୍ଯୋଗ ବଳରେ ମୋଟ ଜାତୀୟ ସମ୍ପଦରେ ବୃଦ୍ଧି ଘଟାଇଥାନ୍ତି, ଯାହା ସେମାନଙ୍କୁ ଲାଭବାନ କରିବା ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଲାଭବାନ କରାଇଥାଏ, ଏହା ଏହି ସଂସ୍ଥାମାନେ ଜାଣି ନ ଜାଣିଲା ଭଳି ଅଭିନୟ କରିଥାନ୍ତି।
ଏହି ନୀତିଗତ ଶଠତା ବ୍ୟତୀତ ଭାରତ ସମ୍ବନ୍ଧରେ ଅକ୍ସଫାମ୍ ପ୍ରକାଶ କରିଥିବା ରିପୋର୍ଟରେ ନିହିତ ବିଭିନ୍ନ ବୈଷୟିକ ପ୍ରମାଦମାନ ମଧ୍ୟ ବ୍ୟାପକ ଭାବରେ ଆଲୋଚିତ ହେଉଛି। ଉଦାହରଣ ସ୍ବରୂପ ଏଥିରେ ପ୍ରଦତ୍ତ ପରିସଂଖ୍ୟାନ ଆଧାରରେ ହିସାବ କଲେ ଜଣାଯାଏ ଯେ ଆୟ ଅନୁଯାୟୀ ଭାରତର ଜନସଂଖ୍ୟାର ନିମ୍ନାର୍ଦ୍ଧର ହାରାହାରି ଆୟ ହେବ ସମଗ୍ର ଜନସଂଖ୍ୟାର ହାରାହାରି ଆୟ ଠାରୁ ଅଧିକ! ଗାଣିତିକ ନିୟମ ଅନୁସାରେ ଏହା ଅସମ୍ଭବ। ସେଇଭଳି ୨୦୧୧-୧୨ର ତଥ୍ୟ ଭିତ୍ତିରେ ଅନୁଶୀଳନ କରି ଅକ୍ସଫାମ୍ ଏକ ନିର୍ଣ୍ଣୟରେ ଉପସ୍ଥିତ ହୋଇଛି ଯେ ଆୟ ଅନୁଯାୟୀ ଭାରତର ଜନସଂଖ୍ୟାର ନିମ୍ନାର୍ଦ୍ଧ ସେମାନଙ୍କର ଆୟର ୬.୭ ଶତାଂଶ କେତେକ ଖାଦ୍ୟ ଓ ଅଣ ଖାଦ୍ୟ ଦ୍ରବ୍ୟ କ୍ରୟ କଲା ବେଳେ ଟିକସ ବାବଦରେ ପୈଠ କରିଥାନ୍ତି। ଏବଂ ଏହି ପଦାର୍ଥମାନଙ୍କ ଉପରେ ଆଦାୟ ହେଉଥିବା ମୋଟ ଟିକସ ପରିମାଣର ୬୪.୩ ଶତାଂଶ କୁଆଡ଼େ ସଂଗ୍ରହ ହୋଇଥାଏ ଜନସଂଖ୍ୟାର ଏହି ଦରିଦ୍ର ନିମ୍ନାର୍ଦ୍ଧ ଠାରୁ। କିନ୍ତୁ ସତ କଥା ହେଲା ‘ଅକ୍ସଫାମ୍’ ସୂଚାଇଥିବା ଅଧିକାଂଶ ଦ୍ରବ୍ୟ ଉପରେ ଜିଏସ୍ଟି ଲାଗୁ ହୋଇନଥାଏ, କିମ୍ବା ଗରିବମାନେ ତାହା ସାମୟିକ ଭାବରେ କ୍ରୟ କରିଥାନ୍ତି, କିମ୍ବା ଆଦୌ କ୍ରୟ କରି ନଥାନ୍ତି ବୋଲି ଅନୁଶୀଳନରୁ ଜଣାପଡ଼ିଛି। ଏଣୁ ସେମାନେ ମୋଟ ଟିକସର ଏତେ ବିଶାଳ ଅଂଶ କିପରି ବହନ କରନ୍ତି, ତାହା ବୁଝା ପଡୁନାହିଁ। ରିପୋର୍ଟଟି ଏଇଭଳି ଅନ୍ୟାନ୍ୟ ଭ୍ରାନ୍ତି ବା ମିଥ୍ୟାଚାରରେ ପୂର୍ଣ୍ଣ। କିନ୍ତୁ ଆଜିର ‘ପୋଷ୍ଟଟ୍ରୁଥ୍’ ବା ‘ସତ୍ୟୋତ୍ତର’ ଯୁଗରେ ଯେଉଁଠି ପ୍ରଚାରିତ ମତବାଦ ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ, ସେଠି ତଥ୍ୟଭିତ୍ତିକ ସତ୍ୟ ଗୌଣ ଭୂମିକା ଗ୍ରହଣ କରି ମୁହଁ ଲୁଚାଇବାକୁ ବାଧ୍ୟ ହୋଇ ନ ଥାଏ କି?