ସହରରେ ପଡ଼ିଥିବା ଚମତ୍କାର ସର୍କସ୍ ଯେମିତି ଦିନେ ସରିଯାଏ, ସେମିତି ଚଳିତ ବିଶ୍ବ କପ୍ ହକିର ରୋମାଞ୍ଚ ଆସନ୍ତା ରବିବାର ଦିନ ସରିଯିବ। ହେଲେ ଏଥରକ ମଧ୍ୟ ଭାରତ ଗଲା ବିଶ୍ବ କପ୍ର ଭାଗ୍ୟ ଭୋଗିବା ସବୁ ହକି ପ୍ରେମୀ ଭାରତୀୟଙ୍କ ମନ ଖରାପ କରି ଦେଇଛି। କୋରିଆକୁ ବାଦ୍ ଦେଲେ ଅନ୍ୟ କୌଣସି ଏସୀୟ ଦଳ ଶେଷ ଆଠଟି ଦଳ ଭାବେ ରହିପାରିଲେ ନାହିଁ। ଏସିଆରୁ ହକି କ’ଣ ଅନ୍ୟ ମହାଦେଶକୁ ସମ୍ପୂର୍ଣ୍ଣ ଚାଲିଯିବ କି? ଏମିତିରେ ତ ଏକଦା ଅନ୍ୟତମ ହକି ବୃହତ୍ ଶକ୍ତି ଭାବେ ବିବେଚିତ ହେଉଥିବା ଏସିଆର ପାକିସ୍ତାନକୁ ସାଂପ୍ରତିକ ସଂସ୍କରଣଟିରେ ଦେଖିବାକୁ ମିଳିନଥିଲା। ଏସବୁ ରହିବା ନ ରହିବା, ବିଜୟ ପରାଜୟ ସତ୍ତ୍ବେ ଅନ୍ୟ ସବୁ ଖେଳ ଭଳି ହକି ବି ତା ବାଟରେ ଆଗେଇ ଚାଲେ। କିନ୍ତୁ କ୍ରମାଗତ ଦ୍ବିତୀୟ ଥର ପାଇଁ ଆମ ଦେଶରେ ଓ ଓଡ଼ିଶାରେ ବିଶ୍ବ କପ୍ ହକିର ଆୟୋଜନ ଭୁବନେଶ୍ବର-ରାଉରକେଲାରେ ସମ୍ଭବ ହୋଇପାରିବା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ତଥା ସଫଳତା, ଯେଉଁଥିପାଇଁ ସଂପୃକ୍ତ ସବୁ ପକ୍ଷ ସ୍ବାଭାବିକ ଭାବେ ପ୍ରଶଂସା ଓ ଅଭିନନ୍ଦନର ପାତ୍ର। ଏହା ସର୍ବଜନ ବିଦିତ ଯେ ୨୦୩୩ ମସିହା ଯାଏ ଭାରତୀୟ ଜାତୀୟ ପୁରୁଷ ଓ ମହଳା ହକିର ପ୍ରାୟୋଜକ ହେବା ନିମନ୍ତେ ଓଡ଼ିଶା ଅଙ୍ଗୀକାରବଦ୍ଧ। ଥରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ- ଖେଳରେ ବିନିଯୋଗ ମାନେ ଯୁବଶକ୍ତିରେ ବିନିଯୋଗ ଓ ଯୁବଶକ୍ତିରେ ବିନିଯୋଗ ଅର୍ଥ ଭବିଷ୍ୟତରେ ବିନିଯୋଗ। ଡୁନ୍ ସ୍କୁଲ୍ରେ ପଢୁଥିଲା ବେଳେ ନବୀବ ବାବୁ ନିଜ ସ୍କୁଲ୍ର ହକି ଦଳ ପାଇଁ ଗୋଲ୍ ରକ୍ଷକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ହକିର ଗଡ଼ ରୂପେ ପରିଗଣିତ ହେଉଥିବା ସୁନ୍ଦରଗଡ଼ ସମ୍ବନ୍ଧରେ ତାଙ୍କ ମତ- ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲା ମୋଟାମୋଟି ହକି ବାଡ଼ି ଧରି ଚାଲି ଶିଖନ୍ତି।
ଧ୍ୟାନଚାନ୍ଦଙ୍କୁ ବାଦ୍ ଦେଇ ଭାରତୀୟ, ବିଶ୍ବ ହକିର ଏକ ପୂର୍ଣ୍ଣାଙ୍ଗ ଜୀବନୀ ପରିକଳ୍ପନା କରିବା ଅସମ୍ଭବ। ସିଏ ଥିେଲ ହକିର ଯାଦୁକର ନିଜର ଅସାଧାରଣ ବଲ୍ ନିୟନ୍ତ୍ରଣ ଓ ଗୋଲ୍ ଦେଇ ପାରୁଥିବା ଦକ୍ଷତା ପାଇଁ। କୁହାଯାଏ ବିଶ୍ବ ଫୁଟ୍ବଲ୍ରେ ପେଲେ, କ୍ରିେକଟ୍ରେ ବ୍ରାଡ୍ମ୍ୟାନ ଓ ବକ୍ସିଂରେ ମହମ୍ମଦ ଅଲ୍ଲୀ ଯାହା ଥିଲେ ବିଶ୍ବ ହକି ପାଇଁ ଧ୍ୟାନଚାନ୍ଦ ତାହା ଥିଲେ। ତାଙ୍କ ବାବଦରେ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ମନ୍ତବ୍ୟ ଥିଲା ଏମିତିଆ- ମୋ ବ୍ୟାଟ୍ରୁ ରନ୍ ବାହାରିଲା ଭଳି ଆପଣଙ୍କ ହକି ବାଡ଼ିରୁ ଗୋଲ୍ ବାହାରୁଛି। ଏ କଥା ବ୍ରାଡ୍ମ୍ୟାନ ଧ୍ୟାନଚାନ୍ଦ୍ଙ୍କୁ ଭେଟି କହିଥିଲେ। ଧ୍ୟାନଚାନ୍ଦ ହକିକୁ ଜୀବନ୍ତ ଯାଦୁରେ ପରିଣତ କରିବା ସହିତ ନିଜେ ମଧ୍ୟ କି˚ବଦନ୍ତିରେ ପରିଣତ ହୋଇଯାଇଥିଲେ। ତାଙ୍କ ପ୍ରକୃତ ନାଁ ଥିଲା ଧ୍ୟାନ ସିଂ। ହେଲେ ରାତିରେ ଜହ୍ନ ବା ଚାନ୍ଦ ଉଇଁବା ପରେ ବି ପଡ଼ିଆରେ ଅନବରତ ହକି ଅଭ୍ୟାସ କରୁଥିବାରୁ ଲୋକେ ତାଙ୍କୁ ଡାକିଲେ ଧ୍ୟାନଚାନ୍ଦ। ତାଙ୍କର ଅନ୍ୟତମ ପ୍ରାରମ୍ଭିକ ପ୍ରଶିକ୍ଷକ ପଙ୍କଜ ଗୁପ୍ତା ଥରେ ଭବିଷ୍ୟବାଣୀ ଶୁଣେଇଥିଲେ- ଧ୍ୟାନ ଭବିଷ୍ୟତରେ ନିଶ୍ଚେ ଚାନ୍ଦ ଭଳି ଚମକିବ। ୧୯୨୮, ୧୯୩୨ ଓ ୧୯୩୬ ମସିହାର ଅଲିମ୍ପିକ୍ ହକିରେ ଭାରତ ସ୍ବର୍ଣ୍ଣ ଜିଣିବାରେ ଧ୍ୟାନଚାନ୍ଦଙ୍କର ଅତୁଳନୀୟ ଅବଦାନ ଥିଲା। ୧୯୩୬ ବର୍ଲିନ୍ ଅଲିମ୍ପିକ୍ରେ ଧ୍ୟାନଚାନ୍ଦଙ୍କ ଚମତ୍କାର ଖେଳରେ ବିମୋହିତ ହିଟ୍ଲର ତାଙ୍କୁ ସମ୍ମାନ ପୂର୍ବକ ଜର୍ମାନୀର ନାଗରିକତ୍ବ ଓ ଜର୍ମାନ ସେନାରେ କର୍ନେଲ୍ ପଦ ଯାଚିଥିଲେ ଯାହାକୁ କି ଧ୍ୟାନଚାନ୍ଦ ଗ୍ରହଣ କରିବାକୁ ବିନମ୍ରତାର ସହ ମନା କରି ଦେଇଥିଲେ। ଆମ୍ଷ୍ଟର୍ଡାମ୍ଠାରେ ୧୯୨୮ ମସିହାରେ ଖେଳା ଯାଇଥିବା ଅଲିମ୍ପିକ୍ ହକିରେ ଧ୍ୟାନଚାନ୍ଦଙ୍କ ଅତିମାନବୀୟ ଖେଳକୁ ସନ୍ଦେହ କରି ପ୍ରତିପକ୍ଷ ହଲାଣ୍ଡ ତାଙ୍କ ହକି ବାଡ଼ିକୁ ଭାଙ୍ଗି ଦେଖିବାକୁ ଚାହିଁଥିଲା; ତା’ ଭିତରେ କାଳେ ଚୁମ୍ବକ ଥିବ ବୋଲି! ହଲାଣ୍ଡକୁ ହତାଶ ହେବାକୁ ପଡ଼ିଲା। ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଧ୍ୟାନଚାନ୍ଦଙ୍କ ଏକ ଅଦ୍ଭୁତ ପ୍ରତିମୂର୍ତ୍ତି ଅଛି। ସେଥିରେ ତାଙ୍କର ଚାରି ହାତ। ଆଉ ପ୍ରତି ହାତରେ ଗୋଟେ ଗୋଟେ ହକି ବାଡ଼ି। ହକି ବାଡ଼ି ନୁହେଁ ତ କୁହୁକ ବାଡ଼ି। ଆମ ଦେଶର ଜାତୀୟ ଖେଳ ହକି। ଆଉ ଯଥାର୍ଥରେ ହକିର କି˚ବଦନ୍ତି ଲୋକପ୍ରତିମା ଧ୍ୟାନଚାନ୍ଦଙ୍କ ସମ୍ମାନରେ ତାଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ ରୂପେ।
ହକି ଖେଳରୁ ଅବସର ନେବା ପରେ ଧ୍ୟାନଚାନ୍ଦ କିନ୍ତୁ ହକି ପ୍ରତି ତାଙ୍କ ମମତା ଓ ଦାୟିତ୍ବବୋଧ ଭୁଲି ନ ଥିଲେ। ୧୯୬୯ ମସିହା। ଏମିତିଆ ଏକ ଜାନୁଆରି ମାସ। ନିଷ୍ପତ୍ତି ନିଆଗଲା ଧ୍ୟାନଚାନ୍ଦଙ୍କୁ ବାରବାଟୀ ଅଣାଯିବ, ଯେଉଁଠି ସିଏ ଓଡ଼ିଶାର ହକି ଖେଳାଳିଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ େଦବେ। ଖାଇବା ଓ ରହିବା ବାହାରେ ତାଙ୍କୁ ମାସିକ ହଜାରେ ଟଙ୍କା ମିଳିବାର ବନ୍ଦୋବସ୍ତ କରାଯାଇଥିଲା। ରହୁଥିଲେ ସିଏ ବାରବାଟୀ ଷ୍ଟାଡିଅମ୍ ଭିତରେ। ଖାଲି ହକି ପ୍ରଶିକ୍ଷଣ ଦେବାରେ ସିଏ ନିଜକୁ ସୀମିତ ରଖିନଥିଲେ। ଫୁରସତ୍ ପାଇଲେ ଯାଇ ଭେଟୁଥିଲେ ଜ୍ଞାନମଣ୍ଡଳର ପ୍ରଣେତା ବିନୋଦ କାନୁନ୍ଗୋଙ୍କୁ। ସେତେବେଳେ ଜ୍ଞାନମଣ୍ଡଳର ଦପ୍ତର ସେଇ ବାରବାଟୀ ଷ୍ଟାଡିଅମ ଭିତରେ ଥାଏ। ସେଠି ସିଏ ନାଲି ଚା ପିଇବା ଭିତରେ ଅମୃତ ବଜାର ପତ୍ରିକା ଓ ଷ୍ଟେଟ୍ସ୍ମ୍ୟାନ୍ ପଢ଼ି ନେଉଥିଲେ। ସରଳ, ସୁଶୀଳ ଓ ଅମାୟିକ ଧ୍ୟାନଚାନ୍ଦ ତାଙ୍କ ପୁଅ ହକି ଖେଳାଳି ଅଶୋକ କୁମାରଙ୍କୁ ପରାମର୍ଶ ଦେଉଥିଲେ- କଟକ ଯାଉଛୁ, ମନ ଦେଇ ହକି ଖେଳିବୁ; କିନ୍ତୁ ସମୟ କାଢ଼ି ଜ୍ଞାନମଣ୍ଡଳ ଯାଇ ବିନୋଦ ବାବୁଙ୍କୁ େଭଟିବାକୁ ନ ଭୁଲୁ ଯେମିତି! ଧ୍ୟାନଚାନ୍ଦ ହକି ଛଡ଼ା ଜ୍ଞାନ ଓ ପୁସ୍ତକର ମହତ୍ତ୍ବ ବେଶ୍ ବୁଝିଥିଲେ। ଏ ସବୁ ଉପାଖ୍ୟାନର ତଥ୍ୟ ଜାଣିବାକୁ ମିଳେ ଏକାଧିକ ସୂତ୍ରରୁ, ଯାହା ଭିତରେ ସାମିଲ ଅନେକ କଟକ, ବାରବାଟୀ, ହକି, ଧ୍ୟାନଚାନ୍ଦ ଓ ବିନୋଦ ବିଶାରଦ।
ନିକଟରେ ଲୋକାର୍ପିତ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିଅମର ନାମକରଣଟି ବିର୍ସା ମୁଣ୍ଡାଙ୍କ ସାଙ୍ଗକୁ ଆଉ ଜଣେ ବିଖ୍ୟାତ ବ୍ୟକ୍ତିତ୍ବଙ୍କ କଥା ମନେ ପକାଇଦିଏ ଯାହାଙ୍କ ଜିଲ୍ଲା ବିର୍ସାଙ୍କ ଜିଲ୍ଲା ଭଳି ଝାଡ଼ଖଣ୍ଡର ଖୁଣ୍ଟି ଓ ଯାହାଙ୍କ ପ୍ରଜାତିକ ପରିଚୟ ବିର୍ସାଙ୍କ ସହ ସମାନ। ସିଏ ହେଲେ ଜୟପାଲ ସିଂହ ମୁଣ୍ଡା ଯିଏ କି ୧୯୨୮ ମସିହାର ଅଲିମ୍ପିକ୍ରେ ଭାରତୀୟ ହକି ଦଳର ନେତୃତ୍ବ ନେଇଥିଲେ ଏବଂ କହିବା ବାହୁଲ୍ୟ ସେ ଦଳରେ ସାମିଲ ଥିଲେ ଧ୍ୟାନଚାନ୍ଦ। ହକି ଦଳର ଅଧିନାୟକ ପଦ ସକାଶେ ତାଙ୍କୁ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଛାଡ଼ିବାକୁ ପଡ଼ିଥିଲା, ଛୁଟି ନ ମିଳିବାରୁ ଓ ବର୍ଷେ ଅଧିକ ଟ୍ରେନିଂ ନେବା ପାଇଁ କୁହାଯିବାରୁ। ଜୟପାଲ ଅକ୍ସଫୋର୍ଡରେ ପଢ଼ିଥିଲେ ଓ ଅକ୍ସଫୋର୍ଡରେ ବିଶ୍ବବିଦ୍ୟାଳୟ ହକି ଦଳ ପାଇଁ ଖେଳିଥିଲେ। ସମୟ କ୍ରମେ ସିଏ ରାୟପୁର ରାଜକୁମାର କଲେଜର ଅଧ୍ୟକ୍ଷ ହୋଇଥିଲେ, ଆଦିବାସୀ ମହାସଭା ଓ ଝାଡ଼ଖଣ୍ଡ ପାର୍ଟି ଆରମ୍ଭ କରିଥିଲେ ଏବଂ ଭାରତର ସଂବିଧାନ ପ୍ରଣୟନ ସଭାର ପ୍ରଭାବଶାଳୀ ସଦସ୍ୟ ସାବ୍ୟସ୍ତ ହୋଇଥିଲେ ଓ ସେ ସଭାରେ ଆଦିବାସୀଙ୍କ ଅଧିକାର, ମର୍ଯ୍ୟାଦା ଓ ଗଣତାନ୍ତ୍ରିକ ଜୀବନଧାରା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗମାନ ଉପସ୍ଥାପନ କରିଥିଲେ।
ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଦାବି ସିଏ ପ୍ରଥମେ ଉଠେଇଥିଲେ। ତାଙ୍କ ଚିନ୍ତାଚେତନା ସମ୍ବଳିତ ସ୍ବଲିଖିତ ଏକ ପୁସ୍ତକ ହେଲା- ‘ଆଦିବାସୀଡମ’ ଓ ଆତ୍ମଜୀବନୀର ନାମ ‘ଲୋ ବୀର ସେନ୍ଦ୍ରା’। ଛୋଟନାଗପୁରର ଆଦିବାସୀମାନେ ତାଙ୍କୁ ସମ୍ବୋଧନ କରୁଥିଲେ ମରାଙ୍ଗ୍ ଗୋମ୍କେ; ଅର୍ଥାତ୍ ମହାନ୍ ନେତା। ୧୯୨୮ ଅଲିମ୍ପିକ୍ ଭାରତୀୟ ହକି ଦଳର ସେଇ ମରାଙ୍ଗ୍ ଗୋମ୍କେ ସବୁ ଖେଳାଳିଙ୍କ ପାଇଁ ନୂଆ ପୋଷାକର ବ୍ୟବସ୍ଥା କରିଥିଲେ। ୧୯୩୬ ମସିହାର ଅଲିମ୍ପିକ୍ରେ ଭାରତୀୟ ହକି ଦଳ ସହ ସାମିଲ ଜଣେ ପରିଚାଳକ ଗୋପନରେ ଏକ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଭାରତୀୟ ପତାକା କାଢ଼ି ବାହାର କରିଥିଲେ। କିନ୍ତୁ ତାହା ଉଡ଼େଇ ପାରିନଥିଲେ ଭାରତ ପରାଧୀନ ଥିବାରୁ। ୧୯୪୮ରେ ବିଜୟୀ ଭାରତୀୟ ଦଳ ଜାତୀୟ ପତାକା ଉଡ଼େଇ ପାରିଥିଲେ ଲଣ୍ଡନ ଅଲିମ୍ପିକ୍ ସମୟରେ, ଯେଉଁଠି ଭାରତ ଇଂଲାଣ୍ଡକୁ ହରେଇଥିଲା। ‘‘ଗୋଲ୍ଡ’’ (୨୦୧୮) ଚଳଚ୍ଚିତ୍ରର କାହାଣୀ ଏହି ୧୯୪୮ ପ୍ରସଙ୍ଗ ଆଧାରିତ।
ଷୋହଳ ବର୍ଷ ତଳ ୨୦୦୭ ମସିହାର କଥା। ସ୍ବାଧୀନ ମାଲୟେସିଆର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଥାଏ। ସେହି ସମାରୋହରେ ସାମିଲ େହବା ପାଇଁ ସେଠାକାର ସରକାରଙ୍କ ନିମନ୍ତ୍ରଣ କ୍ରମେ ଏକ ସାତଜଣିଆ ଭାରତୀୟ ପତ୍ରକାର ଦଳରେ ଯାଇଥାନ୍ତି ଓଡ଼ିଶାର ଜଣେ ଅତି ପ୍ରତିଭାବାନ ପତ୍ରକାର। ଦାୟିତ୍ବରେ ଥିବା ଗାଇଡ୍ ଜଣକ ତାଙ୍କୁ ବିମାନଘାଟୀରୁ ହୋଟେଲକୁ ନେଉଥାନ୍ତି। ବାଟରେ ଆଳାପ ଛଳରେ ସିଏ ପତ୍ରକାରଙ୍କୁ ତାଙ୍କ ରାଜ୍ୟ ବାବଦରେ ପଚାରିଲେ। ପତ୍ରକାର ଜଣକ ପୁରୀ, କୋଣାର୍କ, ମହାନଦୀ, ଚିଲିକା, ଓଡ଼ିଶୀ ଓ ସମ୍ବଲପୁରୀ ଶାଢ଼ି ଆଦିର ଅବତାରଣା କରି ଓଡ଼ିଶାକୁ ଚିହ୍ନେଇବାକୁ ଚେଷ୍ଟା କଲେ। ମାତ୍ର ବିଦେଶିନୀ ଗାଇଡ୍ ଜଣକ କିଛି ଧରିପାରିଲେ ନାହିଁ। ହଠାତ୍ ପତ୍ରକାରଙ୍କ ଦୃଷ୍ଟିରେ ପଡ଼ିଲା ରାସ୍ତାକଡ଼ର ଏକ ବିରାଟ ହୋର୍ଡିଂ ଯେଉଁଥିରେ କି ସୁଲତାନ୍ ଅଜ୍ଲନ୍ ଶାହା ହକି କପ୍ରେ ଭାଗ ନେଉଥିବା ଦଳମାନଙ୍କର ଅଧିନାୟକଙ୍କର ଚିତ୍ର ଶୋଭା ପାଉଥିଲା। ପିଣ୍ଡରେ ସତେ ଯେମିତି ପ୍ରାଣ ପଶିଲା ପତ୍ରକାରଙ୍କର। ଭାରତୀୟ ଦଳର ଅଧିନାୟକ ଦିଲୀପ ତିର୍କୀଙ୍କ ଚିତ୍ର ଆଡ଼କୁ ଇଙ୍ଗିତ କରି ସେ କହିଲେ ଇଏ ହେଉଛନ୍ତି ଆମ ଦେଶର ଅଧିନାୟକ ଓ ସିଏ ଯେଉଁ ରାଜ୍ୟର ମୁଁ ସେଇ ରାଜ୍ୟର। ଗାଇଡ୍ ଜଣକ ଆନନ୍ଦରେ କୁରୁଳି ଉଠିଲେ। ସାମୟିକ ପରିଚୟ ସଂକଟର ସମାଧାନ ଘଟେଇଥିଲା ହକି। ଦିଲୀପଙ୍କ ହକି ଖେଳକୁ ପରିଚିତ କରିବା ପାଇଁ ବି କୁହାଯାଏ- ହୋମ୍ ଗ୍ରୋନ୍, ୱାର୍ଲଡ୍ କ୍ଲାସ୍। ସିଏ ଭାରତୀୟ ହକିର ଅନ୍ୟତମ ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାରୁ ଯେଉଁଠିକାର ତୃଣମୂଳ ପ୍ରୟାସ, ଅଭ୍ୟାସ, ସ୍ବପ୍ନ ଓ ଅଭିଳାଷ ବାଟେ ହକି ଉଭୟ କୁହୁକ ପ୍ରାୟ ଖେଳ ଆଉ ଉଚ୍ଛ୍ବାସ ଭରା ଜୀବନଶୈଳୀରେ ପରିଣତ ହୋଇଯାଇଛି।
ମୋ: ୯୪୩୭୩୦୭୦୭୯