ପରମାଣୁ ବିଭୀଷିକା ଓ ଗୋଟିଏ ଚିଠି

ଆଲୋକର ସନ୍ଧାନେ - ଅଭୟ ଦ୍ୱିବେଦୀ

୧୯୪୫ ମସିହା ଅଗଷ୍ଟ ଛ ତାରିଖ ସକାଳ ଆଠଟା ପନ୍ଦର ମିନିଟ୍। ଦ୍ୱିତୀୟ ବିଶ୍ୱଯୁଦ୍ଧର କରାଳ ବିଭୀଷିକା ସମଗ୍ର ବିଶ୍ୱକୁ ଅନ୍ଧକାରାଚ୍ଛନ୍ନ କରି ରଖିଥିଲେ ମଧ୍ୟ ସବୁଦିନ ଭଳି ସେଦିନ ‘ଉଦିତ ସୂର୍ଯ୍ୟର ଦେଶ’ ଜାପାନର ହିରୋସୀମା ସହର ଉପରେ ସୂର୍ଯ୍ୟ ଦେବତା କରୁଣାର ଧାରା ବିକିରଣ କରିଥିଲେ। ସୁନ୍ଦର ମନଲୋଭା ପାଗ। ହିରୋସୀମାର ଆକାଶ ସୀମାରେ ତିନୋଟି ଯୁଦ୍ଧ ଜାହାଜ ପରିଲକ୍ଷିତ ହେଲା। ସମର ଘାଟିର ମୁଖ୍ୟ ସେ ସଂପର୍କରେ ତଥ୍ୟ ସଂଗ୍ରହ କରି ସମସ୍ତଙ୍କୁ ସତର୍କ କରିବା ମୁହୂର୍ତ୍ତରେ ହଠାତ୍ କୋଟିଏ ସୂର୍ଯ୍ୟର ଆଲୋକରେ ହିରୋସୀମାର ଦିଗ୍‌ବଳୟ ଉଦ୍‌ଭାସିତ ହୋଇଉଠିଲା। ପରେ ପରେ ଭୟଙ୍କର ଶବ୍ଦରେ ମେଦିନୀ ଦୁଲୁକି ଉଠିଥିଲା। ଊଣେଇଶ ଶହ ଫୁଟରୁ କ୍ଷେପଣ କରାଯାଇଥିବା ଆମେରିକାର ‘ଲିଟିଲ୍ ବୟ’ ପରମାଣୁ ବୋମା ମାତ୍ର ତେୟାଳିଶ ସେକେଣ୍ଡରେ ସବୁ କିଛି ଧ୍ୱଂସ କରିଦେଲା।

ନିମିଷେକେ ଛଅଷଠି ହଜାର ଲୋକ ପ୍ରାଣ ହରାଇବା ସହିତ ସତୁରି ହଜାର କ୍ଷତ ବିକ୍ଷତ ହୋଇଗଲେ। ୧୯୪୫ ମସିହା ଶେଷ ସୁଦ୍ଧା ଏହାର ପ୍ରଭାବରେ ମୃତକଙ୍କ ସଂଖ୍ୟା ଲକ୍ଷେ ଟପିଥିବାବେଳେ ପାଞ୍ଚ ବର୍ଷ ମଧ୍ୟରେ ଏହା ଦୁଇ ଲକ୍ଷ ଟପିସାରିଥିଲା। ଏହି ଧ୍ୱଂସ ଲୀଳାର ଷୋହଳ ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ହ୍ୟାରି ଟ୍ରୁମାନ୍ ଆସୁରିକ ଉଲ୍ଲାସରେ ଉନ୍ମତ୍ତ ହୋଇ ଘୋଷଣା କରିଥିଲେ – ‘ଷୋହଳ ଘଣ୍ଟା ପୂର୍ବେ ଆମେରିକା ଉଡ଼ାଜାହାଜରୁ ଜାପାନର ହିରୋସୀମା ଉପରେ ବୋମା ବର୍ଷଣ କରାଯାଇ ଶତ୍ରୁ ଅଞ୍ଚଳକୁ ଧ୍ୱଂସ କରାଯାଇଛି। ଏହାର ଶକ୍ତି ୨୦,୦୦୦ ଟନ୍ ଟିଏନ୍‌ଟି ରୁ ଅଧିକ। ସାମରିକ ଇତିହାସରେ ଏ ବୋମାର ତୁଳନା ନାହିଁ।’ ଏହାର ତିନି ଦିନ ପରେ ଅଗଷ୍ଟ ୯ ତାରିଖ ପୂର୍ବାହ୍‌ଣ ଏଗାରଟା ଦୁଇ ମିନିଟ୍‌ରେ ଜାପାନର ନାଗାସାକି ସହର ଉପରେ ଆମେରିକା ଆଉ ଏକ ବୋମା ‘ଫ୍ୟାଟ୍ ମ୍ୟାନ୍‌’ କ୍ଷେପଣ କରିଥିଲା। ପୁନଶ୍ଚ ଚାଳିଶ ହଜାର ପ୍ରାଣ ହରାଇବା ସହିତ ସତୁରି ହଜାର ବ୍ୟକ୍ତି ଆହତ ହେଲେ। ବର୍ଷକ ମଧ୍ୟରେ ମୃତକଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଥିଲା।

ଏହି ଭୟଙ୍କର ଧ୍ୱଂସ ଲୀଳାରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ନିଜକୁ ଅପରାଧୀ ମଣି ଭୋ ଭୋ ରଡ଼ିରେ ଚିତ୍କାର କରିି କହିଥିଲେ ‘ଯଦି ଜାଣିଥାନ୍ତି, ଜର୍ମାନ ପରମାଣୁ ବୋମା ନିର୍ମାଣରେ ସଫଳ ହେବ ନାହିଁ, ତେବେ ବୋମା ତିଆରି ପାଇଁ ମୁଁ ଉଦ୍ୟମ କରି ନ ଥାନ୍ତି।’ ବର୍ଷକ ପରେ ୧୯୪୬ ମସିହାରେ ସେ ପ୍ରକୃତିସ୍ଥ ହେବା ପରେ ଘୋଷଣା କରିଥିଲେ – ‘ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟ ଜୀବିତ ଥିଲେ ବୋଧହୁଏ ବିଶ୍ୱ ଏ ଧ୍ୱଂସଲୀଳାରୁ ବର୍ତ୍ତି ଯାଇଥାନ୍ତା। ହିରୋସୀମା ଏବଂ ନାଗାସାକି ପରମାଣୁ ବୋମାରେ ଧ୍ୱଂସ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଯୁଦ୍ଧ, ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ନୁହେଁ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ନ୍ୟାୟିକ ସିଦ୍ଧାନ୍ତରେ ଅନ୍ତର୍ଜାତୀୟ ଆଇନର ପ୍ରବର୍ତ୍ତନ ସହିତ ମିଳିତ ଜାତିସଂଘକୁ ସୁଦୃଢ଼ କରିବାକୁ ହେବ।’

ଅଗଷ୍ଟ ୨ ତାରିଖ ୧୯୩୯ ମସିହାରେ ଆଇନଷ୍ଟାଇନ୍‌ଙ୍କ ଲିଖିତ ପତ୍ର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜ୍‌ଭେଲଟ୍‌ଙ୍କୁ ବୋମା ନିର୍ମାଣ ନିମନ୍ତେ ପ୍ରୋତ୍ସାହିତ କରିଥିଲା। ଏହାର ପୃଷ୍ଠଭୂମି ଏହିପରି: ୧୯୩୮ ମସିହାରେ ‘ନିଉକ୍ଲିଅର ଫିସନ’ ଆବିଷ୍କାର ବିଜ୍ଞାନ ଜଗତରେ ଉନ୍ମାଦନା ସୃଷ୍ଟି କରିଥିଲା। ସେହି ସମୟରେ ଜର୍ମାନୀ ଦୁଇ ବର୍ଷ ଆଗରୁ ଆଣବିକ ଶକ୍ତି ଉତ୍ପାଦନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରି ସାରିଥାଏ। ଏହାର ଦୁଇଟି ମୁଖ୍ୟ ଉପାଦାନ ‘ଭାରି ଜଳ’ ଏବଂ ‘ୟୁରାନିୟମ’ ନାଜି ନିୟନ୍ତ୍ରିତ ନରୱେ ଏବଂ ଚେକୋସ୍ଲୋଭାକିଆରେ ପ୍ରଚୁର ପରିମାଣରେ ଉପଲବ୍‌ଧ ଥାଏ। କିଛି ସମ୍ବେଦନଶୀଳ ବୈଜ୍ଞାନିକ ଏ ସଂପର୍କିତ ତଥ୍ୟ ଆଇନ୍‌ଷ୍ଟାଇନ୍‌ଙ୍କୁ ଅବଗତ କରାଇଲେ। ସେତେବେଳେ ଆଇନ୍‌ଷ୍ଟାଇନ୍‌ ବିଜ୍ଞାନ ଜଗତର ଭୀଷ୍ମ ପିତାମହ। ଆଇନ୍‌ଷ୍ଟାଇନ୍‌ ଭଲଭାବେ ଜାଣିଥିଲେ ହିଟଲର୍‌ଙ୍କ ହାତରେ ପରମାଣୁ ବୋମ ଭଳି ମାରଣାସ୍ତ୍ର ପଡ଼ିଲେ ବିଶ୍ୱର ଧ୍ୱଂସ ଅନିବାର୍ଯ୍ୟ।

ତେଣୁ ଜର୍ମାନ ଶକ୍ତିକୁ ପ୍ରତିହତ କରିବା ନିମନ୍ତେ ଆମେରିକା ପରମାଣୁ ବୋମା ନିର୍ମାଣ କରିବା ଏକାନ୍ତ ଆବଶ୍ୟକ- ଏହି ମର୍ମରେ ଆମେରିକାର ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟଙ୍କୁ ପତ୍ର ଲେଖିବା ପାଇଁ ବୈଜ୍ଞାନିକମାନେ ଆଇନ୍‌ଷ୍ଟାଇନଙ୍କୁ ଅନୁରୋଧ କଲେ। ବାସ୍ତବରେ ଆମେରିକାର ଲିଓ ଜିଲାଡ୍ ଏବଂ ହଙ୍ଗେରୀର ଏଡଵାର୍ଡ ଟେଲରଙ୍କ ୧୯୩୯ ଅଗଷ୍ଟ ୨ରେ ଲିଖିତ ପତ୍ରରେ ଆଇନ୍‌ଷ୍ଟାଇନ୍‌ କେବଳ ଦସ୍ତଖତ କରିଥିଲେ। ସେ ସମୟରେ ହିଟଲର ପୋଲାଣ୍ଡ୍‌ ଆକ୍ରମଣ କରିବା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ପତ୍ର ପଢ଼ିବା ପରେ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟ କିଛି ସମୟ ନିରବ ରହିଥିଲେ। ବୋଧହୁଏ ପରମାଣୁ ବୋମାର ଭୟାବହତା ଅନ୍ତରରେ ଆକଳନ କରୁଥିଲେ। କିନ୍ତୁ ପର ଦିନ ପରମାଣୁ ବୋମା ନିର୍ମାଣ ନିମନ୍ତେ ସମ୍ମତି ପ୍ରଦାନ କଲେ। ଆମେରିକା ସରକାରଙ୍କ ଏ ଯୋଜନା ‘ମାନ୍‌ହାଟନ୍‌ ପ୍ରୋଜେକ୍ଟ’ ନାମରେ ପ୍ରସିଦ୍ଧ।

ଅଗଷ୍ଟ ମାସରେ ଜାପାନ ଉପରେ ବୋମା ବର୍ଷଣ ପୂର୍ବରୁ ଆମେରିକାର ବୈଜ୍ଞାନିକ ଲିଓ ସିଜାର୍ଡଙ୍କ ସମେତ ‘ମାନ୍‌ହାଟନ୍‌ ପ୍ରୋଜେକ୍ଟ’ରେ ସଂପୃକ୍ତ ସମସ୍ତ ୭୦ ଜଣ ବୈଜ୍ଞାନିକ ରାଷ୍ଟ୍ରପତି ହ୍ୟାରି ଟ୍ରୁମାନଙ୍କୁ ଏକ ନିବେଦନପତ୍ର ପଠାଇଥିଲେ, ଯେଉଁଥିରେ ପରମାଣୁ ବୋମାର ଭୟାବହତା ବର୍ଣ୍ଣନା କରି ଯୁଦ୍ଧରେ ଏହାକୁ ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଥିଲେ। ସେତେବେଳକୁ ଜର୍ମାନୀ ପରାସ୍ତ ହୋଇ ସାରିଥାଏ। ବିଶ୍ୱରେ ଆତଙ୍କର ମାତ୍ରା କମି ଆସିଥାଏ। ଏହା ସତ୍ତ୍ୱେ ଯଦି ପରମାଣୁ ବୋମା ବ୍ୟବହାର କରାଯାଏ, ନୈତିକ ଦୃଷ୍ଟିରୁ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସେମାନେ ସତର୍କ କରାଇ ଦେଇଥିଲେ। ତଥାପି ଯୁଦ୍ଧ ପାଗଳ ରାଷ୍ଟ୍ରପତି ଟ୍ରୁମାନ୍ ଧ୍ୱଂସର କରାଳ ବିଭୀଷିକା ସୃଷ୍ଟି କରିଦେଲେ। ଜାପାନରେ ବୋମା ବର୍ଷଣ ପରେ ଆଲବର୍ଟ ଆଇନ୍‌ଷ୍ଟାଇନ୍ ଜାଣିଥିଲେ, ଗୋଟିଏ ଦେଶରେ ପରମାଣୁ ବୋମା ମହଜୁଦ ରହିଲେ ବିଶ୍ୱର ଅନ୍ୟ ଦେଶମାନେ ବୋମା ନିର୍ମାଣ ପାଇଁ ଆଗେଇ ଆସିବେ।

ଏହାର ପ୍ରତିହତ ନିମନ୍ତେ ୧୯୪୬ ମସିହାରେ ସେ ବିଶ୍ୱର ବଛା ବଛା ସାତ ଜଣ ବୈଜ୍ଞାନିକଙ୍କୁ ନେଇ ‘ଏମର୍ଜେନ୍‌ସି କମିଟି ଅଫ୍ ଆଟମିକ୍‌ ସାଇଣ୍ଟିଷ୍ଟ୍‌ସ’ ନାମକ ଏକ ସଂସ୍ଥା ଗଠନ କଲେ ଏବଂ ବିଶ୍ୱରେ ପରମାଣୁ ବୋମାର ଭୟାବହତା ପ୍ରଚାର କରିବା ସହିତ ବିଶ୍ୱ ନେତୃବୃନ୍ଦଙ୍କୁ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆହ୍ୱାନ କରିଥିଲେ। ଏହି କ୍ଷେତ୍ରରେ ଆଇନ୍‌ଷ୍ଟାଇନ୍‌ଙ୍କ ସହିତ ଆଗେଇ ଆସିଥିଲେ ବିଶ୍ୱର ଅପ୍ରତିଦ୍ୱନ୍ଦ୍ବୀ ଦାର୍ଶନିକ ବର୍ଟ୍ରାଣ୍ଡ୍‌ ରସେଲ ଏବଂ ବିଶିଷ୍ଟ ବୈଜ୍ଞାନିକ ଲିନସ୍ ପଲିଙ୍ଗ୍। କମିଟିର ଆହ୍ୱାନ ସତ୍ତ୍ୱେ ୧୯୪୯ ମସିହା ଅଗଷ୍ଟ ମାସରେ ସୋଭିଏତ ରୁଷିଆ ଆଣବିକ ବୋମା ନିର୍ମାଣ କରିବାରେ ସଫଳ ହେଲା। ପରବର୍ତ୍ତୀ ପଦକ୍ଷେପ ଥିଲା ହାଇଡ୍ରୋଜେନ ବୋମା। ୧୯୫୨ ମସିହା ନଭେମ୍ବର ୧ ତାରିଖରେ ଆମେରିକା ହାଇଡ୍ରୋଜେନ ବୋମାର ସଫଳ ପରୀକ୍ଷା କରିଥିଲା। ଏହା ଥିଲା ହିରୋସୀମା, ନାଗାସାକିରେ କ୍ଷେପଣ କରାଯାଇଥିବା ବୋମାର ୫୦୦ ଗୁଣ ଶକ୍ତିଶାଳୀ। ଏହାର ଉତ୍ତରରେ ସୋଭିଏତ ରୁଷିଆ ୧୯୫୩ ମସିହା ଅଗଷ୍ଟ ୧୨ ତାରିଖରେ ହାଇଡ୍ରୋଜେନ ବୋମା ପରୀକ୍ଷା କଲା। ଜବାବରେ ୧୯୫୪ ମସିହା ମାର୍ଚ୍ଚ ୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଆହୁରି ଶକ୍ତିଶାଳୀ ବୋମା ପରୀକ୍ଷା କରି ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଲା। ସାରା ବିଶ୍ୱ ପ୍ରତି ମୁହୂର୍ତ୍ତରେ ବୋମା ଆତଙ୍କରେ ଶିହରି ଉଠୁଥିଲା।

୧୯୫୫ ମସିହା ଫେବ୍ରୁଆରି ୧୧ ତାରିଖରେ ବ୍ୟସ୍ତ ବିବ୍ରତ ବର୍ଟ୍ରାଣ୍ଡ୍‌ ରସେଲ ମାରଣାସ୍ତ୍ର ଦୌଡ଼ରୁ ବିଶ୍ୱର ସୁରକ୍ଷା ନିମନ୍ତେ ସମାଧାନର ପନ୍ଥା ଆବିଷ୍କାର ପାଇଁ ଆଇନ୍‌ଷ୍ଟାଇନ୍‌ଙ୍କୁ ପତ୍ର ଲେଖିଥିଲେ। ଏହାର ଉତ୍ତରରେ ଆଇନ୍‌ଷ୍ଟାଇନ୍ ଫେବ୍ରୁଆରି ୧୬ ତାରିଖ ପତ୍ରରେ ରସେଲଙ୍କୁ ଲେଖିଥିଲେ – ‘ଆମେ ସମସ୍ତେ ଆଗେଇ ଆସିଲେ ସମାଧାନର ପନ୍ଥା ପ୍ରଶସ୍ତ ହୋଇଯିବ।’ ଏଥିରେ ଉତ୍ସାହିତ ହୋଇ ବର୍ଟ୍ରାଣ୍ଡ୍‌ ରସେଲ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଏକ ଇସ୍ତାହାର ପ୍ରଣୟନ କରିଥିଲେ। ଏହା ‘ରସେଲ-ଆଇନ୍‌ଷ୍ଟାଇନ୍‌ ମାନିଫେଷ୍ଟୋ’ ନାମରେ ଅଭିହିତ। ଆଇନ୍‌ଷ୍ଟାଇନ୍‌, ବର୍ଟାଣ୍ଡ ରସେଲ ଏବଂ ଲିନସ୍ ପଲିଙ୍ଗଙ୍କ ସହିତ ଆଉ ସାତ ଜଣ ନୋବେଲ ବିଜେତା ବୈଜ୍ଞାନିକ ଏହି ଇସ୍ତାହାରରେ ଦସ୍ତଖତ କରିଥିଲେ। ସେହି ବର୍ଷ ଅପ୍ରେଲ ୧୮ ତାରିଖରେ ଆଇନ୍‌ଷ୍ଟାଇନ୍‌ଙ୍କର ଦେହାନ୍ତ ହୋଇଥିଲା। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଂଶ ଶତାବ୍ଦୀର ଶ୍ରେଷ୍ଠତମ ପ୍ରଜ୍ଞାପୁରୁଷଙ୍କର ଏହା ସର୍ବଶେଷ କୃତି ଭାବେ ପରିଚିତ।

ରସେଲ-ଆଇନ୍‌ଷ୍ଟାଇନ୍‌ ଇସ୍ତାହାର ୧୯୫୫ ମସିହା ଜୁଲାଇ ୯ ତାରିଖରେ ଇଂଲଣ୍ଡ୍‌ରେ ଘୋଷଣା କରାଯାଇଥିବାବେଳେ ଜର୍ମାନରେ ସମାନ୍ତରାଳ ‘ମାଇନୁ ଘୋଷଣାନାମା’ ସେହି ବର୍ଷ ଜୁଲାଇ ୧୫ ତାରିଖରେ ପ୍ରକାଶ ପାଇଥିଲା। ଆଣବିକ ମାରଣାସ୍ତ୍ର ବିରୋଧରେ ଏହା ଥିଲା ଦ୍ୱିତୀୟ ଇସ୍ତାହାର। ୧୯୫୮ ମସିହା ଜାନୁଆରିରେ ଲିନସ୍ ପଲିଙ୍ଗ ଆମେରିକାର ଏଗାର ହଜାର ବୈଜ୍ଞାନିକଙ୍କର ଦସ୍ତଖତ ସମ୍ବଳିତ ଏକ ଇସ୍ତାହାର ମିଳିତ ଜାତିସଂଘକୁ ପ୍ରଦାନ କରିଥିଲେ। ଏହି ଇସ୍ତାହାରରେ ଆଣବିକ ଅସ୍ତ୍ର ନିର୍ମାଣ ଉପରେ ସଂପୂର୍ଣ୍ଣ କଟକଣା ଲଗାଯିବା ପାଇଁ ଦାବି କରାଯାଇଥିଲା। ୧୯୬୨ ମସିହାରେ ଆମେରିକା ଆଣବିକ ପରୀକ୍ଷା ପାଇଁ ପୁଣି ସଜବାଜ ହେଉଥିବାବେଳେ ମାର୍ଚ୍ଚ ୧ ତାରିଖରେ ଲିନସ୍ ପଲିଙ୍ଗ ଆମେରିକାର ରାଷ୍ଟ୍ରପତି ଜନ୍ କେନେଡିଙ୍କ ଆଣବିକ ନୀତିର କଠୋର ସମାଲୋଚନା କରି ଅନ୍ତରାତ୍ମାକୁ ଦୋହଲାଇ ଦେଲା ଭଳି ଏକ ପତ୍ର ଲେଖିଥିଲେ, ଯାହାର ପ୍ରଥମ ବାକ୍ୟ ଥିଲା – ‘ଆପଣଙ୍କର ଏପରି ନିର୍ଦ୍ଦେଶନାମା ଇତିହାସରେ ଆପଣଙ୍କୁ ଜଣେ ନିକୃଷ୍ଟତମ ଅନୈତିକ ବ୍ୟକ୍ତି ଏବଂ ମାନବ ଜାତିର ଚରମ ଶତ୍ରୁ ଭାବେ ପରିଚିତ କରାଇବ।’ ୧୯୬୩ ମସିହାରେ ଲିନସ୍ ପଲିଙ୍ଗଙ୍କ ଉଦ୍ୟମର ସୁଫଳ ମିଳିଲା। ସେ ସମୟର ତିନୋଟି ଆଣବିକ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍‌ ରୁଷିଆ ଏବଂ ଇଂଲଣ୍ଡ୍‌ ଆଣବିକ ଅସ୍ତ୍ର ନିର୍ମାଣ ରୋକିବା ନିମନ୍ତେ ୧୯୬୩ ମସିହା ଜୁଲାଇ ୨୫ ତାରିଖରେ ଏକ ଚୁକ୍ତିନାମାରେ ସ୍ୱାକ୍ଷର କଲେ।

ସେହି ବର୍ଷ ଅକ୍ଟୋବର ୧୦ ତାରିଖରୁ ତାହା ଲାଗୁ ହେଲା। ଏପର୍ଯ୍ୟନ୍ତ ବହୁ ରାଷ୍ଟ୍ର ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ନିମନ୍ତେ ଲିନସ୍ ପଲିଙ୍ଗଙ୍କୁ ୧୯୬୨ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଗଲା। ୧୯୫୪ ମସିହାରେ ସେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ନୋବେଲ ପୁରସ୍କାର ଇତିହାସରେ ଦୁଇଟି ଭିନ୍ନ କ୍ଷେତ୍ରରେ ଏକାକୀ ସମ୍ମାନିତ ହେବାରେ ଲିନସ୍ ପଲିଙ୍ଗ ହେଉଛନ୍ତି ବିରଳ ବ୍ୟକ୍ତି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଇନ୍‌ଷ୍ଟାଇନ୍‌, ବର୍ଟ୍ରାଣ୍ଡ୍‌ ରସେଲ ଏବଂ ଲିନସ୍ ପଲିଙ୍ଗଙ୍କ ଭୂମିକା ସର୍ବାଦୌ ପ୍ରଶଂସନୀୟ। ଏହି ତିନି ମହାନ ବ୍ୟକ୍ତିଙ୍କ ଉଦ୍ୟମରେ ୧୯୪୫ ମସିହା ପରେ ଏପର୍ଯ୍ୟନ୍ତ କୌଣସି ଯୁଦ୍ଧରେ ବା ଯୁଦ୍ଧର ଆଳ ଦେଖାଇ ଆଣବିକ ବୋମା ପ୍ରୟୋଗ କରାଯାଇନାହିଁ। ଏହା କମ୍ ଆଶ୍ୱସ୍ତିକର ନୁହେଁ। କିନ୍ତୁ ଯେ ପର୍ଯ୍ୟନ୍ତ ବିଶ୍ୱରୁ ଆଣବିକ ଅସ୍ତ୍ରର ସଂପୂର୍ଣ୍ଣ ବିଲୋପ ନ ଘଟିଛି, ସେପର୍ଯ୍ୟନ୍ତ ମାନବ ଜାତି ବିପଦମୁକ୍ତ ନୁହେଁ।
ମୋ: ୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର