ଭୀଷ୍ମଙ୍କ ସ୍ବଗତୋକ୍ତି

ହିରଣ୍ୟ ମହାନ୍ତି

ଏବେ ଏହି କ୍ଷଣରେ ପ୍ରତିଟି ଦୀର୍ଘଶ୍ବାସ ସହିତ ମୋର ଅହଂକାର ଚୂର୍ଣ୍ଣ ହେବାରେ ଲାଗିଛି। ଅତୀତର ଘଟଣାଟିଏ ଛାୟାଚିତ୍ର ଭଳି ମୋ ମନରେ ଭାସି ଯାଉଛି। ସେ ଦିନ ହସ୍ତିନାରୁ ଯାତ୍ରା ଆରମ୍ଭ କଲା ବେଳେ ସବୁ ଠିକ୍‌ ଥିଲା। ଆକାଶ ଥିଲା ନିର୍ମଳ ଓ ସ୍ବଚ୍ଛ। ପବନର ନିଃଶ୍ବାସ ଖୁବ୍‌ ସ୍ବାଭାବିକ ଥିଲା। ମୁଁ‌ ଉଲ୍ଲସିତ ଥିଲି ଯେ ମୋ ଅଭିଯାନ ସଫଳ ହେବ। ଶକ୍ତିଶାଳୀ ଗାନ୍ଧାର ରାଜ୍ୟକୁ ପରାହତ କରି ଗାନ୍ଧାର ରାଜକନ୍ୟାଙ୍କୁ ହସ୍ତିନା ରାଜପରିବାରର ପୁତ୍ରବଧୂ କରିବି। ଭାବି ନେଇଥିଲି ଏକ ହୀରକ ଯୁଗର ଅୟମାରମ୍ଭ ହେବ ଏବଂ ଏହି ଯୁଗର ସୂତ୍ରଧର ଭାବେ ମୋ ନାମ ମଧ୍ୟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯିବ।

ସାରା ଜୀବନ ମୁଁ ରହି ଆସିଥିଲି ‘ଅକୁତୋଭୟ’। ଜୀବନର ପ୍ରତ୍ୟେକଟି ପ୍ରତିରୋଧ ଓ ପ୍ରତିବନ୍ଧକୁ ସାମନା କରିବାର ସାହସ ମୋର ଥିଲା। ମୋର ଗୁରୁଦେବ ଥିଲେ ପୃଥିବୀକୁ ଏ‌େକାଇଶ ବାର କ୍ଷତ୍ରୀୟଶୂନ୍ୟ କରିଥିବା ମହାନ ପର୍ଶୁରାମ। ତେବେ, ଗାନ୍ଧାର ରାଜଶକ୍ତି ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା। ମୁଁ ଜାଣିଥିଲି ଦୀର୍ଘକାୟ ଓ ଦୃଢ଼ ବପୁବନ୍ତ ଗାନ୍ଧାରମାନେ ଖୁବ୍‌ ଶକ୍ତିଶାଳୀ। ଯୁଦ୍ଧର ଗତି ଯେମିତି ହେବାକୁ ଲାଗିଥିଲା ପ୍ରତୀତ ହେଉଥିଲା ସତେ ଯେମିତି ଗାନ୍ଧାରମାନଙ୍କ ବିଜୟ ଘଟିବ। ଅଗତ୍ୟା ମୋତେ ଗୁରୁ ପର୍ଶୁରାମଙ୍କ ଠାରୁ ଶିକ୍ଷା ଲାଭ କରିଥିବା ଯୁଦ୍ଧର ସୂକ୍ଷ୍ମ ତନ୍ତ୍ର, କଳା ଓ କୌଶଳ ପ୍ରୟୋଗ କରିବାକୁ ବାଧ୍ୟ କରିଥିଲା। ପରିଶେଷରେ ଆମେ ବିଜୟୀ ହେଲୁ। ସ୍ବୟଂ ଗାନ୍ଧାର ନରେଶ ଏବଂ ତାଙ୍କର ବୀର ପୁତ୍ରଗଣ ରଣଭୂମିରେ ଅନ୍ତିମ ନିଦ୍ରା ବରଣ କଲେ। ଗାନ୍ଧାରର ପଥୁରିଆ ରଣଭୂମି ରକ୍ତ ରଂଜିତ ହୋଇ ଯାଇଥିଲା।

ସେ ଦିନ ମୋ ମନରେ ଜାତ ହୋଇଥିଲା ଭରପୂର ଅହଂକାର। ଏତେ ଦୀର୍ଘ କାଳ ପରେ ବି ମୋ ସ୍ମୃତିରେ ତାହା ଭାସି ଉଠେ। କିନ୍ତୁ ଆଜି ମୁଁ ବିସ୍ମିତ ହେଉଛି ଯେ ନିଜର ଭାଗ୍ୟ ନିଜ ହାତରେ ନ ଥିବା ବେଳେ ଅନ୍ୟ କାହାର ଭାଗ୍ୟର ନିୟନ୍ତା ହେବି ବୋଲି ମୁଁ ସେତେବେଳେ ଭାବି ନେଇଥିଲି କିପରି? ଓଃ କି ମୂଢ଼ତା ନ ଥିଲା ସତେ!

ଏକ ମଳିନ ସଂଧ୍ୟା। ପରିତ୍ୟକ୍ତ ଦିଶୁଥିବା ଗାନ୍ଧାର ନରେଶଙ୍କ ତ୍ରିତଳ ପ୍ରାସାଦ ଭିତରକୁ ମୁଁ ପ୍ରବେଶ କଲି। ପ୍ରସାଦର ଅଭ୍ୟନ୍ତରରେ ରାଜୁତି କରୁଥିଲା ଏକ ଭୌତିକ ନିରବତା। ମେହଗାନୀ କାଠରେ ଓ ଗାନ୍ଧାର କଳା ଓ ଭାସ୍କର୍ଯ୍ୟର ନିଖୁଣ ଶୈଳୀରେ ନିର୍ମିତ ସେ ପ୍ରାସାଦ। ସୂର୍ଯ୍ୟ ସେତେବେଳକୁ ଅସ୍ତାଚଳ ଛୁଇଁବାକୁ ଯାଉଥାଆନ୍ତି। ମୁଁ କୋଷମୁକ୍ତ ତରବାରିଟି ଧରି ନିଶୁଣି ଉପରେ ପାଦ ଦେଲି। ଉପରର ପ୍ରଶସ୍ତ ବାରନ୍ଦା ଉପରେ ପଡ଼ି ରହିଥିଲା ସୁରକ୍ଷା କର୍ମୀମାନଙ୍କ ମୃତ ଶରୀର। ରକ୍ତର ବନ୍ୟା ଭିତରେ ଗୋଟିଏ କୋଣରେ ପଡ଼ି ରହିଥିଲା ଏକ କ୍ଷୁଦ୍ର ମୃତ୍ତିକା ନିର୍ମିତ ଶଗଡ଼, କୌଣସି ବାଳକର ଏକ ଖେଳଣା ବୋଧହୁଏ: ମୁଁ ତାକୁ ମୋ ତରବାରି ମୁନରେ ଟେକି ନେଲି। ପ୍ରାସାଦର ସବୁ କକ୍ଷର ଦ୍ବାର ଉନ୍ମୁକ୍ତ କେବଳ ଗୋଟିଏକୁ ଛାଡ଼ି ଓ ସେହି ଅର୍ଦ୍ଧ ଉନ୍ମୁକ୍ତ କକ୍ଷର ଅଭ୍ୟନ୍ତରରୁ ବହିର୍ଗତ ହେଉଥିଲା ଦୀପାଲୋକର ପତଳା ରଶ୍ମି ରେଖା। ବିପଦର ଆଶଙ୍କା‌ରେ ତରବାରି ଉପରେ ମୋ ମୁଷ୍ଟି ଦୃଢ଼ ହୋଇଗଲା। ସନ୍ତର୍ପଣରେ ଦ୍ବାର ଠେଲି ପ୍ରବେଶ କଲି। ଦେଖିଲି ଜଣେ ଅବଗୁଣ୍ଠନବତୀ କନ୍ୟାର ଛାୟା ମୂର୍ତ୍ତି। ମୋର ଉପସ୍ଥିତି ଜାଣିବା ମାତ୍ରେ ଅବଗୁଣ୍ଠନଟିକୁ ଧୀରେ ଉଠାଇ ଦେଇ ଯୋଡ଼ ହସ୍ତରେ ଜଡ଼ସଡ଼ ହୋଇ ସେ କହି ଉଠିଲା, ‘ପ୍ରଣାମ, ଗଙ୍ଗା ପୁତ୍ର, ଆପଣଙ୍କୁ ସ୍ବାଗତ। ଦୁର୍ଭାଗ୍ୟ, ଆପଣଙ୍କୁ ସ୍ବାଗତ ଜଣାଇବାକୁ ଅର୍ଘ୍ୟ ଥାଳି ଧରି ଆସିବା ପାଇଁ ଏଠାରେ ଆଉ କେହି ଜୀବିତ ନାହାନ୍ତି। ମୁଁ ଗାନ୍ଧାରୀ, ଗାନ୍ଧାର ରାଜନନ୍ଦିନୀ। ଗଙ୍ଗା ପୁତ୍ର! ମୋତେ ନେଇଯିବା ଲାଗି କାହାର ଆବଶ୍ୟକତା ଲୋଡ଼ା ନାହିଁ। ମୁଁ ଆପଣଙ୍କ ଅନ୍ଧ ପୁତ୍ରର ପତ୍ନୀ ହୋଇ ଆପଣଙ୍କ ସହିତ ଯାତ୍ରା କରିବା ପାଇଁ ପ୍ରସ୍ତୁତ।

ମୋ ଅଭିଯାନ ସଫଳ ହୋଇଛି ତାହା ହେଲେ, ଏମିତି ଭାବୁଥିଲି ମୁଁ! ସେ ପୁଣି କହି ଉଠିଲା- ‘ମୋର କେବଳ ଦୁଇଟି ଅନୁରୋଧ। ‌େଗାଟିଏ, ଆପଣଙ୍କ ଚକ୍ଷୁହୀନ ପୁତ୍ରଙ୍କୁ ଦେଖି ମୋ ମନରେ କାଳେ କୌଣସି ଉଦ୍‌ବେଳନ ଜାତ ହେବ, ସେଥିପାଇଁ ମୋତେ ମୋ ଆଖି ଦୁଇଟିକୁ ଅନ୍ଧ ପୁଟୁଳିରେ ସାରା ଜୀବନ ବାନ୍ଧି ରଖିବା ପାଇଁ ସ୍ବୀକୃତି ପ୍ରଦାନ କରନ୍ତୁ। ଦ୍ବିତୀୟରେ ଆପଣଙ୍କ ତରବାରି ମୁନରେ ଝୁଲି ରହିଥିବା ଖେଳନାଟି ମୋର କନିଷ୍ଠ ଭ୍ରାତା ଶକୁନିର। ସେହି ପିଲାଟିର ବୟସ ବର୍ତ୍ତମାନ ମାତ୍ର ଛଅ ବର୍ଷ। ତାହାକୁ ମୋତେ ମୋ ସହିତ ଦଶ ବର୍ଷ ପାଇଁ ହସ୍ତିନା ଯିବାକୁ ଅନୁମତି ପ୍ରଦାନ କରନ୍ତୁ।
ସେ ଦିନ ଗାନ୍ଧାରୀଙ୍କର ଦୁଇଟି ଯାକ ଅନୁରୋଧରେ ମୁଁ ରାଜି ହୋ‌ଇଯାଇଥିଲି। ବିଜୟର ଉଲ୍ଲସିତ ଅହଂକାରରେ ଯେମିତି ସବୁ ବର ପ୍ରଦାନ କରିବାକୁ ମୁଁ ରାଜି ଥିଲି।

ଏବେ କୁରୁକ୍ଷେତ୍ରର ଶର ଶଯ୍ୟା ଉପ‌େର ଶାୟିତ ମୁଁ। ଅତୀତର ସେହି ଦୃଶ୍ୟମାନ ମୋ ଚକ୍ଷୁ ଆଗରେ ଭାସି ଉଠୁଛି। ଏବେ ହୃଦ୍‌ବୋଧ କରି ପାରୁଛି ଯେ ହସ୍ତିନାର ଭାଗ୍ୟ ଗଢ଼ିବି ବୋଲି ମୋର ଅହଂକାରକୁ ଦେଖି ନିୟତି ସେତେବେଳେ ହସୁଥିବ ନିଶ୍ଚୟ! କାରଣ ସେ ଦିନ ନିଜ ସ୍ୟାହିରେ ନିୟତି ହସ୍ତିନାର ଲଲାଟ ପଟଳରେ ଭାଗ୍ୟ ଲେଖିଥିଲା, ଯାହା ହେଉଛି ଏହି କୁରୁକ୍ଷେତ୍ର!
ମୋ: ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର