ବିଦ୍ୟାଳୟ ବାହୁଡ଼ା

ଶିକ୍ଷାବିତ୍‌ମାନେ ଶିକ୍ଷାଦାନ ପ୍ରତି ବହନ କରିଥିବା ଏକ ପାରମ୍ପରିକ ଆଭିମୁଖ୍ୟକୁ ଇଂରେଜୀରେ ‘ଏସେନ୍‌ସିଆଲିଜ୍‌ମ’ ରୂପେ ଅଭିହିତ କରାଯାଇଥାଏ, ଯାହା ଅନୁସାରେ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଜ୍ଞାନବୃଦ୍ଧି ଓ ଚରିତ୍ରଗଠନ ନିମିତ୍ତ ଆବଶ୍ୟକ ‘ଏସେନ୍‌ସିଆଲ୍‌ସ’ ଅର୍ଥାତ୍‌ ମୌଳିକ ଉପାଦାନମାନ ଦ୍ବାରା ସଜ୍ଜିତ କରିବା। ଏହା ଅନୁସାରେ ପିଲାଟିଏ ତା’ର ଶିକ୍ଷାଲାଭ ସମୟର ପ୍ରଥମ ନ’ ଦଶ ବର୍ଷ ନିଜକୁ ଗଣିତ, ବିଜ୍ଞାନ, ଭାଷା, ସ‌ାହିତ୍ୟ, ଇତିହାସ ଆଦି ଶିଖିବାରେ ନିୟୋଜିତ କରିଥାଏ। ଏହି ବ୍ୟବସ୍ଥା ବାଲ୍ୟାବସ୍ଥାରେ ଶିକ୍ଷାର୍ଥୀମାନଙ୍କ ଠାରେ କେତେକ ଦକ୍ଷତା ଏବଂ ମଞ୍ଜ ମୂଲ୍ୟବୋଧର ମୂଳଦୁଆ ପକାଇବାକୁ ଲକ୍ଷ୍ୟ ରଖିଥାଏ, ଯାହା ବାକି ଜୀବନ ସାରା ସେମାନଙ୍କର ବ୍ୟକ୍ତିତ୍ବର ଅଂଶରେ ପରିଣତ ହୋଇ ଭବିଷ୍ୟତରେ ବିଭିନ୍ନ ନିଷ୍ପତ୍ତି ନେବାରେ ଓ ବିକଳ୍ପ ପସନ୍ଦ କରିବାରେ ସେମାନଙ୍କୁ ଦିଗ୍‌ଦର୍ଶନ ଦେବ।

ଚିରାଚରିତ ଭାବରେ ଏଭଳି ଶିକ୍ଷାଦାନ ସଂଘଟିତ ହୋଇଥାଏ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ, ଯାହାର ନାମ ହେଉଛି ଶ୍ରେଣୀ ଗୃହ। ଶିକ୍ଷାଦାନ ସହିତ ‌େଶ୍ରଣୀ ଗୃହର ସମ୍ପର୍କ ଏପରି ସ୍ବାଭାବିକ ଓ ଅବିଚ୍ଛେଦ୍ୟ ମନେ ହୋଇଥାଏ ଯେ, ଯଦି ଯୁକ୍ତି ଛଳରେ ପ୍ରଶ୍ନ କରାଯାଆନ୍ତା ଯେ କେଉଁ ଏକ ରାକ୍ଷସ ଆସି ଯଦି ଦେଶସାରା ସମସ୍ତ ବିଦ୍ୟାଳୟରେ ଦୀର୍ଘ ଦୁଇ ବର୍ଷ କାଳ ତାଲା ପକାଇ ଦିଅନ୍ତା, ତେବେ ଛାତ୍ରଛାତ୍ରୀମାନେ ଏହା ଦ୍ବାରା କିଭଳି ପ୍ରଭାବିତ ହୁଅନ୍ତେ?, ତେବେ ଏକ ସର୍ବସମ୍ମତ ଉତ୍ତର ବୋଧହୁଏ ହୁଅନ୍ତା ଯେ ସେମାନଙ୍କର ବୌଦ୍ଧିକ ବିକାଶ ନିଃସନ୍ଦେହରେ ଦୁଇ ବର୍ଷ ପାଇଁ ପଛେଇ ଯାଆନ୍ତା। ବାସ୍ତବରେ ଏହିପରି ଏକ ରାକ୍ଷସ ଚୀନା କରୋନା ଭୂତାଣୁ ଜନିତ କୋଭିଡ୍‌-୧୯ ପାଣ୍ଡେମିକ୍‌ ରୂପରେ ଆବିର୍ଭୂତ ହୋଇ ଦେଶର ସମସ୍ତ ଶ୍ରେଣୀଗୃହମାନଙ୍କୁ ଦୁଇ ବର୍ଷ ଧରି ବନ୍ଦ କରି ଦେବା ପରେ ଏବେ ପିଲାମାନେ ଶିକ୍ଷାୟତନମାନଙ୍କୁ ଫେରିଛନ୍ତି; ଏହି ପ୍ରଶ୍ନ ଆଉ ଏକ ତାର୍କିକ ସ୍ତରରେ ନ ରହି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରାସଙ୍ଗିକତା ଆହରଣ କରିଛି।

ତେବେ ଏ ପ୍ରଶ୍ନର ଉତ୍ତର କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉପରେ ଅନୁମାନ କରାଯାଇଥିବା ଭଳି ସିଧାସଳଖ ହେବ ନାହିଁ, କାରଣ ପାଣ୍ଡେମିକ୍‌ ଯୋଗୁଁ ଶ୍ରେଣୀଗୃହ ବନ୍ଦ ରହିଥିଲେ ହେଁ ଇଣ୍ଟର୍‌ନେଟ୍‌, ମୋବାଇଲ୍‌ ଫୋନ, ଲ୍ୟାପ୍‌ଟପ ଆଦି ଡିଜିଟାଲ୍‌ ସାଧନ ବ୍ୟବହାର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ ଅବ୍ୟାହତ ରଖିବାକୁ ଉଦ୍ୟମ କରାଯାଇଥିଲା। ଏଣୁ ଏକ ସର୍ବେକ୍ଷଣ ବିନା ଛାତ୍ରଛାତ୍ରୀମାନଙ୍କର ଉପରୋକ୍ତ ‘ଏସେନ୍‌ସିଆଲ୍‌ସ’ ଭିତ୍ତିକ ବୌଦ୍ଧିକ ବିକାଶ ପାଣ୍ଡେମିକ୍‌ ଦ୍ବାରା କିଭଳି ପ୍ରଭାବିତ ହୋଇଛି, ସେ ସମ୍ବନ୍ଧରେ ନିଶ୍ଚିତ ହେବା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଚାରି ବର୍ଷ ପରେ ସଦ୍ୟ ପ୍ରକାଶିତ ୨୦୨୨ ପାଇଁ ‘ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେସନ୍‌ ରିପୋର୍ଟ’ (‘ଏସର୍‌’) ନାମକ ସର୍ବେକ୍ଷଣ ପ୍ରସୂତ ରିପୋର୍ଟ ଏହି ସଂଶୟ ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ।

ପାଣ୍ଡେମିକ୍‌ ଯୋଗୁଁ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣରେ ଡିଜିଟାଲ୍‌ ସାଧନମାନଙ୍କର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ି ଶିକ୍ଷା କ୍ଷେତ୍ରରେ ଏକ ପ୍ରାବିଧିକ ବିପ୍ଳବର ଯେ ସୂତ୍ରପାତ ହେଲା, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଆରମ୍ଭ ସମୟରେ ଏହି ବିପ୍ଳବ ବହନ କରୁଥିବା ଏକ ଅନ୍ତର୍ନିହିତ ପାତର ଅନ୍ତର ମୂଳକ ଚରିତ୍ର ଅର୍ଥନୈତିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଯେଉଁଭଳି ଅସୁବିଧାରେ ପକାଇଥିଲା, ତାହା ନିୟମିତ ଚର୍ଚ୍ଚାର ବିଷୟରେ ପରିଣତ ହୋଇଥିଲା। ଏହି ବର୍ଗର ଶିକ୍ଷାର୍ଥୀମାନଙ୍କ ପାଖରେ ମୋବାଇଲ୍‌ ଫୋନ୍‌ ବା ଲ୍ୟାପଟପ୍‌ଟିଏ ଉପଲବ୍‌ଧ ନ ଥିବା ସହିତ ଇଣ୍ଟରନେଟ୍‌ ସଂଯୋଗ ପାଇବା ନିମିତ୍ତ ଡେଟା କ୍ରୟ କରିବା ଶକ୍ତି ମଧ୍ୟ ଉପଲବ୍‌ଧ ନ ଥିଲା। ଅନେକ ଉପାନ୍ତ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ପ୍ରସାରଣକାରୀ ଭିତ୍ତିଭୂମିର ଅନୁପସ୍ଥିତି ମଧ୍ୟ ଏକ ଗୁରୁତର ସମସ୍ୟା ରୂପେ ଉଭା ହୋଇଥିଲା।

କିନ୍ତୁ ‘ଏସର୍‌ ୨୦୨୨’ ରିପୋର୍ଟ ଅନୁସାରେ ପରବର୍ତ୍ତୀ ସମୟରେ ଏହି ଡିଜିଟାଲ୍‌ ବୈଷମ୍ୟରେ ଉନ୍ନତି ଘଟିଛି। କୋଭିଡ୍‌-୧୯ର ଆବିର୍ଭାବ ପୂର୍ବରୁ ଦେଶର ୩୬ ଶତାଂଶ ପରିବାରରେ ସ୍ମାର୍ଟ‌୍ ଫୋନ୍‌ ଉପଲବ୍‌ଧ ‌ଥିବା ବେଳେ ୨୦୨୨ରେ ଏହାର ଦୁଇଗୁଣରୁ ଅଧିକ ୭୪ ଶତାଂଶ ପରିବାର ପାଖରେ ସ୍ମାର୍ଟ‌୍ ଫୋନ୍‌ ଥିବା ଦେଖାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା, ‘ଏସର୍‌ ୨୨’ ସର୍ବେକ୍ଷକମାନେ ପ୍ରକାଶ କରିଛନ୍ତି ଯେ ସେମାନେ ଯେଉଁ ଦିନ ସର୍ବେକ୍ଷଣ ପାଇଁ ପହଞ୍ଚିଥିଲେ, ସେଦିନ ସେମାନେ ସମ୍ପୃକ୍ତ ଦଶଟି ସ୍ମାର୍ଟ‌୍ ଫୋନ୍‌ ଥିବା ପରିବାର ମଧ୍ୟରୁ ୯ଟି ସେମାନଙ୍କର ସ୍ମାର୍ଟ‌୍ ଫୋନ୍‌ରେ ଇଣ୍ଟର୍‌ନେଟ୍‌ ସଂଯୋଗ ଉପଲବ୍‌ଧ ଥିବା କହିଥିଲେ। ଶିକ୍ଷାଦାନ ଆଉ ପୂର୍ବଭଳି କେବଳ ଶ୍ରେଣୀଗୃହଭିତ୍ତିକ ନ ହୋଇ ସେଥି ସହିତ ଡିଜିଟାଲ୍‌ ମାଧ୍ୟମ ବ୍ୟବହାର କରୁଥିବା ଏକ ମିଶ୍ରିତ ରୂପ ପରିଗ୍ରହଣ କରିସାରିଲାଣି ବୋଲି ଏକ ସଚେତନତା ଦେଶସାରା ବ୍ୟାପି ଗଲାଣି ବୋଲି ସର୍ବେକ୍ଷକମାନେ ଆବିଷ୍କାର କରିଥିଲେ।

ଯଦିବା ପାଣ୍ଡେମିକ୍‌ ପ୍ରଭାବରେ ଦୁଇ ବର୍ଷ କାଳ ଶ୍ରେଣୀ ଗୃହରେ ଶିକ୍ଷାଦାନ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ନିଶ୍ଚିତ ରୂପେ ବାଧାପ୍ରାପ୍ତ ହୋଇଛି, ଏହି ପ୍ରାବିଧିକ ବିପ୍ଳବ ଯେ ‌େ‌କତେକାଂଶରେ ଉଦ୍ଧାରକର୍ତ୍ତାର ଭୂମିକା ନିର୍ବାହ କରିଛି, ତାହା ‘ଏସର୍‌ ୨୨’ ସର୍ବେକ୍ଷଣରୁ ଜଣାଯାଇଛି। ରିପୋର୍ଟ ଅନୁସାରେ ମୌଳିକ ପଠନ ଦକ୍ଷତାରେ ସ୍ଖଳନ ଘଟି ତାହା ୨୦୧୨ ପୂର୍ବବର୍ତ୍ତୀ ସ୍ତରକୁ ଖସି ଯାଇଛି, ଯଦିବା ଏଥିରେ ରାଜ୍ୟ-ରାଜ୍ୟ ମଧ୍ୟରେ ପାର୍ଥକ୍ୟ ପରିଦୃଷ୍ଟ ହୋଇଛି। ଛାତ୍ରଛାତ୍ରୀମାନଙ୍କର ଅଙ୍କ କଷିବା ଦକ୍ଷତାରେ ମଧ୍ୟ ସ୍ଖଳନ ଘଟିଥିଲେ ହେଁ, ପଠନ ଦକ୍ଷତାରେ ଘଟିଥିବା ସ୍ଖଳନର ତୀବ୍ରତା ତୁଳନାରେ ତାହା କମ୍‌ ହୋଇଥିବା ଦେଖାଯାଇଛି।
ଏଥିରୁ ମନେହୁଏ ସର୍ବେକ୍ଷଣ ଦ୍ବାରା ସାବ୍ୟସ୍ତ ହୋଇଛି ଯେ ଶିକ୍ଷା ଗ୍ରହଣ ଆଉ କେବଳ ଶ୍ରେଣୀ ଗୃହର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନୁହେଁ।

ଯଦି ତାହା ହୋଇଥାନ୍ତା, ତେବେ ଆଜି ଯେଉଁମାନେ ତୃତୀୟ ଶ୍ରେଣୀର ଛାତ୍ର, ସେମାନଙ୍କର ପଠନ କ୍ଷମତା ପ୍ରାୟ ଶୂନ୍ୟ ହୋଇଥାନ୍ତା କହିଲେ ଚଳେ। ଏହାର କାରଣ, ସେମାନେ ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ ପାଣ୍ଡେମିକ୍‌ ସମୟରେ ବିଦ୍ୟାଳୟ ବାହାରେ ବିତାଇଛନ୍ତି- ଅର୍ଥାତ୍‌ ସେଇ ଦୁଇବର୍ଷ ପାଇଁ ସେମାନେ ଶ୍ରେଣୀ ଗୃହରେ ଆଦୌ ଶିକ୍ଷା ଲାଭ କରିନାହାନ୍ତି। ତଥାପି ‘ଏସର୍‌ ୨୨’ ସର୍ବେକ୍ଷଣରେ ଦେଖାଯାଇଛି ଯେ ତୃତୀୟ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୦ ଶତାଂଶ ପ୍ରଥମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିଷୟବସ୍ତୁ ପାଠ କରିପାରୁଛନ୍ତି। ଏହା ବିଭିନ୍ନ କାରଣମାନଙ୍କ ମଧ୍ୟରୁ କୌଣସି ବା ସମସ୍ତ କାରଣମାନଙ୍କର ଉପସ୍ଥିତି ଯୋଗୁଁ ଘଟିଥାଇପାରେ। ଡିଜିଟାଲ୍‌ ମାଧ୍ୟମ‌ର ଉପଯୋଗ, ଘରୋଇ ଶିକ୍ଷକଙ୍କ ଦ୍ବାରା ଶିକ୍ଷା‌ଦାନ, ପିତାମାତା କିମ୍ବା ଜ୍ୟେଷ୍ଠ ଭାଇଭଉଣୀମାନଙ୍କ ଦ୍ବାରା ଶିକ୍ଷାଦାନ ଆଦି ଏହି କାରଣମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥାନ୍ତି।

ତେବେ ଏହା ଅନସ୍ବୀକାର୍ଯ୍ୟ ଯେ ଶ୍ରେଣୀଗୃହ ବାହାରେ ବିଦ୍ୟାଲାଭ କେତେକାଂଶରେ ସମ୍ଭବ ‌େହାଇଥିଲେ ମଧ୍ୟ ବିଦ୍ୟାଳୟ ପରିସର ମଧ୍ୟରେ ସାଙ୍ଗସାଥୀ ଓ ଶିକ୍ଷକମାନଙ୍କ ସହିତ ସମ୍ପର୍କ ସ୍ଥାପନ ଓ ଭାବ‌ର ଆଦାନପ୍ରଦାନ ଦ୍ବାରା ଶିକ୍ଷାର୍ଥୀମାନଙ୍କର ଯେଉଁଭଳି ବ୍ୟକ୍ତିତ୍ବର ବିକାଶ ଘଟିଥାଏ ଏବଂ ମୂଲ୍ୟବୋଧ ରୂପ ‌େନଇଥାଏ, ତାହା ବିଦ୍ୟାଳୟମୁକ୍ତ ଶିକ୍ଷା ଦ୍ବାରା ସମ୍ଭବ ହେବ ନାହିଁ। ଏଣୁ ‘ଏସର୍‌ ୨୨’ରୁ ଉପଲବ୍‌ଧ ଅନ୍ୟ ଏକ ତଥ୍ୟ ବେଶ୍‌ ଆଶ୍ବସ୍ତି ସୃଷ୍ଟି କରିଥାଏ। କାରଣ, ଏକ ଆଶଙ୍କା ପ୍ରକାଶ ପାଉଥିଲା ଯେ ପାଣ୍ଡେମିକ୍‌ ଯୋଗୁଁ ବିଦ୍ୟାଳୟକୁ ଆସିବା ଅଭ୍ୟାସ ଭାଙ୍ଗିଗଲେ, ପରବର୍ତ୍ତୀ ସମୟରେ ବିଦ୍ୟାଳୟରେ ପ୍ରବେଶ ସଂଖ୍ୟାରେ ସ୍ଖଳନ ଘଟିଚାଲିବ। କିନ୍ତୁ ରିପୋର୍ଟ‌୍ ଅନୁସାରେ ଦେଖାଯାଇଛି ଯେ ବିଦ୍ୟାଳୟମାନଙ୍କରେ ନାମଲେଖା ସଂଖ୍ୟାରେ ବୃଦ୍ଧି ପାଇ ୨୦୧୮ ଠାରୁ ମଧ୍ୟ ସାମାନ୍ୟ ଅଧିକ ହୋଇଛି। ଉ‌େଲ୍ଲଖଯୋଗ୍ୟ, ଏଥିରେ ସରକାରୀ ବିଦ୍ୟାଳୟମାନଙ୍କର ଅଂଶରେ ବି‌େଶଷ ବୃଦ୍ଧି ଘଟିବା ଦେଖାଯାଇଛି। ହୁଏତ ପାଣ୍ଡେମିକ୍‌ ଯୋଗୁଁ ଆୟରେ ହ୍ରାସ ଘଟିଥିବା ହେତୁ ପିତାମାତାମାନେ ଅପେକ୍ଷାକୃତ କମ୍‌ ଖର୍ଚ୍ଚସାପେକ୍ଷ ସରକାରୀ ବିଦ୍ୟାଳୟମାନଙ୍କୁ ପସନ୍ଦ କରୁଛନ୍ତି; କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ‌େହଲା ପିଲାମାନେ ପୁଣି ବିଦ୍ୟାଳୟକୁ ଫେରି ଆସୁଛନ୍ତି ଯେଉଁଠି ହିଁ ‘ଏସେନ୍‌ସିଆଲିଜ୍‌ମ’ର ଆଦର୍ଶ ଲକ୍ଷ୍ୟ ‌ସାଧନ ସମ୍ଭବ ହେବ ଓ ଭବିଷ୍ୟତରେ ନାଗରିକମାନଙ୍କର ପରିପୂର୍ଣ୍ଣ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିବ।

ସମ୍ବନ୍ଧିତ ଖବର