ପିଲାଦିନେ ଶାଗ ଖା’ ବୋଲି କହିଲେ ଉହୁଁ ଉହୁଁ ହେଉଥିବା ସତ୍ୟେନ୍ଦୁକୁ ବୁଝାଇବାକୁ ଯାଇ ତା’ ବୋଉ ବରାବର କହୁଥିଲେ: ବାବୁରେ, ତୋ ଦେହ ଭଲ ରହିବ, କେବେ ବେମାର ହେବୁନି ବୋଲି ତୋତେ ଶାଗ ଖା’ ଶାଗ ଖା’ ବୋଲି କହୁଛି। ହେଲେ, ତୁ ମୋତେ ପାଣି ପିଆଇ ଦେଉଛୁ। ଦୋକାନର ଭଳିକି ଭଳି ଜଳଖିଆ ନ ମିଳିଲେ ଖାଇବିନି ବୋଲି ଅଡ଼ି ବସୁଛୁ ସିନା, ଜାଣିଛୁ କି ନାଇଁ ଅଳ୍ପ ବୟସରେ ବାହା ହୋଇ ଏ ଘରକୁ ବୋହୂ ପିଲା ହୋଇ ଆସୁ ଆସୁ ତୋ ଜେଜେମା’ ମୋତେ କ’ଣ କହିଥିଲେ? କହିଥିଲେ: ମା’ ଲୋ, ସକାଳ ମାନେ ଜାଣିବୁ ଯେ ପଖାଳ ଖାଇବା ବେଳ! ଆମ ଝିଅବୋହୂଙ୍କ ପାଇଁ ପଖାଳ ଗଣ୍ଡାକ ହିଁ ଥୁଆ। ବାସ୍ ଶାଗ ଖରଡ଼ ଆଉ ପଖାଳ ଖାଅ!
ସତ୍ୟେନ୍ଦୁ ତା’ ବୋଉଙ୍କ ଠାରୁ ଅନେକ ବାର ଶୁଣିଛି କେମିତି ଯେତେ ଖଟା, ଭଜା, ଆଚାର ଆଦି ଥିଲେ ବି ଘର ବାରିରୁ ଯେ କୌଣସି ଶାଗ ମୁଠେ ତୋଳି ଖରଡ଼ି ପକାଇ ତା’ ସହିତ ସଜ ହେଉ ଅବା ବାସି ପଖାଳ କଂସାଏ ଗେଫି ଦେଇ ଦିହ ମନ ଏକା ବେଳକେ ଥଣ୍ଡା କରି ନେବା ତାଙ୍କର ଏକରକମ ଅଭ୍ୟାସ ପାଲଟି ଯାଇଥିଲା। ବୋଉ କହୁଥିଲେ: ତୁମମାନଙ୍କ ଭଳି ବାହାରର ଖଜା ଭୁଜା ଆଡ଼ିକି କେବେ ବି ମନ ବଳାଇନି। ପଖାଳ ଆଉ ଶାଗରେ ମହା ତୃପ୍ତି।
ଏବେ ଶାଗ ବିଷୟକ ଏ କଥାମାନ ସତ୍ୟେନ୍ଦୁକୁ ସେତେବେଳେ ମନେ ପଡ଼ିଲା, ଯେବେ ସେଦିନ ବଜାରରେ ପରିବାପତ୍ର କିଣୁଥିବା ବେଳେ ହଠାତ ତା’ କାନରେ ବାଜିଲା ଗୋଟେ ଚିତ୍କାର ଧର୍ମୀ ଡାକ: ବାବୁମାନେ ଆଉ ମା’ମାନେ, ମନ ଦେଇ ଶୁଣନ୍ତୁ, ଆପଣଙ୍କ ଦେହର ରକ୍ତ କାଇଁରେ କ’ଣ ବଢ଼ିଯିବ, ଆଖିକୁ ବଢ଼ିଆ ଦିଶିବ, ସାରା ଦେହରେ ଶକ୍ତି ଭରିଯିବ, ରୋଗ ଆପଣଙ୍କ ଆଡ଼କୁ ଭୁଲ୍ରେ ବି ଆସିବନି, ଆପଣମାନେ ସବୁବେଳେ ଚେଙ୍ଗା ହୋଇ ରହିଥିବେ। ଆମ ଦୋକାନରେ ମିଳୁଥିବା ଭିଟାମିନ୍ ଏବେ ଆହୁରି ଶସ୍ତା ହୋଇଗଲା। ମାତ୍ର ଦଶ ଟଙ୍କାରେ ଭିଟାମିନ୍। ଶସ୍ତାରେ ସୁବିଧାରେ କିଣି ଖାଆନ୍ତୁ ଓ ରୋଗକୁ ଦୂରେଇ ରଖନ୍ତୁ। ସୁସ୍ଥ ରହନ୍ତୁ।
ଏ କୁହାଟରେ ସତ୍ୟେନ୍ଦୁ ଚମକି ପଡ଼ି ଦେଖେ ତ ରାଧେଶ୍ୟାମ ତା’ ଦୋକାନରେ ଅଲଗା କରି ଗୋଟେ ବଡ଼ ଟେବୁଲ ପକାଇ ତା’ ଉପରେ ଭଳିକି ଭଳି ଶୀତ ଦିନିଆ ଶାଗର ପସରା ମେଲି ଗରାଖଙ୍କୁ ଡାକି ଚାଲିଛି। ୟା ଭିତରେ ପରିବା ଅତି ଶସ୍ତା ହେବା ଜନିତ କାରଣରୁ ପରିବା ବିକାଳିଙ୍କ ଦୁରବସ୍ଥା ନେଇ ସତ୍ୟେନ୍ଦୁ ଯାହା ଶୁଣିଥିଲା, ତା’ର ବାସ୍ତବ ଚିତ୍ର ଏବେ ଦୃଶ୍ୟମାନ ତା’ ଆଗରେ। ହେଲେ କ’ଣ କରିବ, ବୋଉ କହି କହି ଥେୟା ହୋଇ ଯିବା ପରେ ତା’ ପତ୍ନୀ ସୁତପା ଓ ଝିଅ ଦୁହେଁ ଯେତେ କହିଲେ ବି ସତ୍ୟେନ୍ଦୁ ଶାଗ ଖାଉନାହିଁ। ଏଣେ ଅକଳରେ ପଡ଼ିଥିବା ରାଧେଶ୍ୟାମ ଏତେ ଶସ୍ତାରେ ଏତେ କିସମର ଶାଗ ବିକୁଛି ଆଉ ବିକିବା ଲାଗି ବିଚରା ଯାହା କହୁଛି, ଠିକ୍ ତ କହୁଛି! ଚଢ଼ା ଫି’ ନେଇ ଡାଏଟିଂର ଇଲମ ବିକୁଥିବା ମହା ବିଶାରଦମାନେ ଆଉ ଅଧିକ କ’ଣ କହି ପକାଇଥାନ୍ତି କି?
ଏବେ ପତ୍ନୀଙ୍କୁ ଫୋନ କଲା ସତ୍ୟେନ୍ଦୁ। ତାଙ୍କୁ ରାଧେଶ୍ୟାମର ଡାକ ଶୁଣାଇବା ସହ କହିଲା: ‘ଜାଣ ଯେ ଆଜି ବଜାରରେ ଶାଗ ଭାସୁଛି। ଦେଖି ଭାରି ଭଲ ଲାଗୁଛି, ଶୁଣିଲ ତ ରାଧେଶ୍ୟାମ କେମିତି ଶସ୍ତାରେ ବିକୁଛି!’
ଶାଗ ନାଁ ଶୁଣିଲେ ମୁହଁ ମୋଡ଼ି ଆସିଥିବା ସତ୍ୟେନ୍ଦୁ ଆଜି ଶାଗ ଆଣିବା କଥା କହୁଥିବାରୁ ସୁତପା ଆଚମ୍ବିତ। ସେ କହିଲେ: ଦେଖ ତୁମେ ତ କେବେ ଶାଗ ଖାଅନି। ତେଣୁ ତୁମ ପସନ୍ଦ କ’ଣ ମୁଁ କହି ପାରିବିନି। ତେବେ ସଜନା ଶାଗ ଯଦି ଥାଏ, ଜରୁର୍ ଆଣିବ। ଶାଗମୁଗ ବନେଇବି। ଭାରି ପୌଷ୍ଟିକ, ବ୍ଲଡ୍ ପ୍ରେସର କମାଇ ଦିଏ। ବହୁ ଦିନରୁ ଶାଗମୁଗ ବନାଇବାର ଇଚ୍ଛା ଆଜି ପୂରଣ ହେବ।
କିନ୍ତୁ ସତ୍ୟେନ୍ଦୁ ପାଇଁ ଶାଗର ଫର୍ମାଇସି ସରି ନ ଥିଲା। ବଡ଼ ଝିଅ କହିଲା- ବାପା, ପାଳଙ୍ଗ ଶାଗ ଆଣିଦେବ। ଆଉ ତା’ ସହିତ ପନିର ବି। ‘ପାଳଙ୍ଗ ପନିର’ ଭାରି ସୁଆଦିଆ। ସାନ ଝିଅର ବରାଦ ଥିଲା ମେଥି ଶାଗ। ମେଥି ଶାଗର ପରଟା ତା’ ଭାଷାରେ ଲାଜୱାବ୍।
ଶାଗକୁ ନେଇ ପତ୍ନୀ ଓ ଝିଅଙ୍କ ବରାଦମାନ ପରେ ସତ୍ୟେନ୍ଦୁର ମନେ ପଡ଼ି ଯାଉଥିଲା ଶାଗ ପଖାଳ ଖାଇ ଦେହ ମନ ଭଲ ରଖିବାର କାଇଦା ନେଇ ବୋଉର କଥାମାନ।
ହଠାତ ରାଧେଶ୍ୟାମ ପଚାରିଲା, ‘କ’ଣ ଭାବୁଛନ୍ତି ସାର୍? କୋଉ ଶାଗ ଦେବି କହନ୍ତୁ।’
ସବୁ ଥର ବଜାରରୁ ସତ୍ୟେନ୍ଦୁ ଫେରୁଥିବା ଦୃଶ୍ୟରେ ଏଥର ଗୋଟିଏ ବ୍ୟତିକ୍ରମ ଥିଲା। ଏଥର ହାତରେ ପରିବା ବ୍ୟାଗ ସହ ଥିଲା କେବଳ ଶାଗରେ ଭରା ଗୋଟିଏ ବ୍ୟାଗ। ସତ୍ୟେନ୍ଦୁକୁ ମନେ ହେଉଥିଲା ତା’ ଚିର ଉଦାସ ମନରେ ସତେ ଅବା ଶାଗର ସବୁଜିମା ଭରି ଯାଉଛି! କୋଉଠୁ ଆସିଲା ଏ ପ୍ରେରଣା? ସେ ଭାବୁଥିଲା ଏଣିକି ନିୟମିତ ଭାବେ ଶାଗ ଖାଇ ‘ଶାଗଖିଆ’ ପାଲଟି ଯିବ ଓ ରାଧେଶ୍ୟାମ କହୁଥିବା ପରି ତା’ ଦିହ ଓ ମନକୁ ଚେଙ୍ଗା କରି ଦେବ।
ମୋ: ୯୪୩୭୯୦୯୬୭୫