ଜି-୨୦ରେ ଶିକ୍ଷା ଓ ଦକ୍ଷତା ବିକାଶର ସମ୍ଭାବନା

ଧର୍ମେନ୍ଦ୍ର ପ୍ରଧାନ ( ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର)

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ୨୦୨୩ରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଓ ବିଚାରବିମର୍ଶ ଗୁରୁତ୍ୱର ସହ ଜାରି ରହିଛି। ଏଭଳି ସ୍ଥିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଚଳିତ ଜି-୨୦ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ଅତୀତର ସମ୍ମିଳନୀ ଠାରୁ କିପରି ଭିନ୍ନ ହେବ?

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉକ୍ତିରେ, ଭାରତ ହେଉଛି ଏକ ସୂକ୍ଷ୍ମ ବିଶ୍ୱ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ଏକତାର ଏହି ଜାଗତିକ ଭାବନାକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରିବ। ସେଥିପାଇଁ ‘ବସୁଧୈବ କୁଟୁମ୍ବକମ୍‌’ର ସିଦ୍ଧାନ୍ତ ଉପରେ ଆମର ବିଷୟବସ୍ତୁ- ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଆଧାରିତ।

ବିଶ୍ବରେ ଜନସଂଖ୍ୟା ବିସ୍ଫୋରଣ ନାନା ସମସ୍ୟାକୁ ଜନ୍ମ ଦେଇଛି। ଲୋକମାନଙ୍କର ପ୍ରବାସ, ଦ୍ରୁତ ସହରୀକରଣ, ଉପଲବ୍‌ଧାତାରେ ଅସମାନତା ତଥା ସମ୍ବଳକୁ ନେଇ ସଂଘର୍ଷ ଭଳି ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି। ସବୁଠୁ ଦୁଃଖର ବିଷୟ ହେଉଛି ଗତ ତିନି ବର୍ଷ ମଧ୍ୟରେ ଆମେ ସମସ୍ତେ କିଛି ତିକ୍ତ ଅନୁଭୂତିରୁ ଶିକ୍ଷା ଲାଭ କରିଛୁ ଏବଂ ତାହା ହେଉଛି ସ୍ଥାନୀୟ ସ୍ତରରେ ସଂକ୍ରମିତ ହେଉଥିବା ପ୍ରାଣଘାତୀ ଭୂତାଣୁ ସଂକ୍ରମଣକୁ ବ୍ୟବସ୍ଥାଗତ ଭାବେ ମୁକାବିଲା କରିବା। ଏହା ସମସ୍ତଙ୍କ ଆଗରେ ସମ୍ପୂର୍ଣ୍ଣ ମାନବଜାତିକୁ ବିବ୍ରତ କରିବା ଭଳି ଏକ ପ୍ରଶ୍ନ ଛିଡ଼ା କରିଛି: ମଣିଷ ହେବାର ଅର୍ଥ କ’ଣ?

ମଣିଷ ହେବାର ଅର୍ଥ ହେଉଛି, ଜୀବନର ଅନ୍ତର୍ନିହିତ ସଂଯୋଗକୁ ଗଭୀର ବୋଧଜ୍ଞାନ ମାଧ୍ୟମରେ ବୁଝିବା। ଆହୁରି, ମଣିଷ ହେବାର ଅର୍ଥ ହେଉଛି ସବୁ ପ୍ରତିକୂଳ ପରିସ୍ଥିତିରେ ସାମୂହିକ କଲ୍ୟାଣର ବିସ୍ତାର ଲାଗି ନିରନ୍ତର ପ୍ରୟାସ କରିବା। ଅସ୍ତିତ୍ୱର ଅନ୍ତର୍ନିହିତ ସଂଯୋଗ ନିମନ୍ତେ ବ୍ୟାପକ ଆକାରରେ ଆପୋସ ବୁଝାମଣା, ସହଭାଗିତା ଓ ସମାଧାନର ଆବଶ୍ୟକତା ରହିଛି ଏବଂ ଏହା ଜି-୨୦ ଶିଖର ସମ୍ମିଳନୀ ଭଳି ବହୁପକ୍ଷୀୟ ମଞ୍ଚର ମହତ୍ତ୍ବକୁ ରେଖାଙ୍କିତ କରିଥାଏ।

ପ୍ରଥମ ଥର ପାଇଁ, ବହୁପକ୍ଷୀୟ ମଞ୍ଚର ଗୁରୁତ୍ୱ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ର ପରିଧିକୁ ବିସ୍ତାର କରିବା ଲାଗି ପ୍ରୟାସ କରିଛନ୍ତି। ଏଥିପାଇଁ କିଛି ଦିନ ପୂର୍ବରୁ ଗ୍ଲୋବାଲ୍ ସାଉଥ୍ ବା ତୃତୀୟ ବିଶ୍ବର ୧୨୫ଟି ଦେଶକୁ ନେଇ ‘‘ଭଏସ ଅଫ୍ ଗ୍ଲୋବାଲ୍ ସାଉଥ ଶିଖର ସମ୍ମିଳନୀ’’ ଆୟୋଜନ କରାଯାଇଥିଲା। ‘‘ଏକ ସ୍ୱର, ଏକ ଉଦ୍ଦେଶ୍ୟ’’ ବିଷୟବସ୍ତକୁ ନେଇ ଆୟୋଜିତ ଏହି ସମ୍ମିଳନୀ ଗୋଟିଏ ସହଭାଗୀ ମଞ୍ଚରେ ସବୁ ତୃତୀୟ ବିଶ୍ବ ରାଷ୍ଟ୍ରର ଦୃଷ୍ଟିକୋଣ ଏବଂ ପ୍ରାଥମିକତା ଉପସ୍ଥାପନ କରିବା ଲାଗି ଏକ ସୁଯୋଗ ଆଣି ଦେଇଥିଲା।

ଭାରତର ଜି-୨୦ ଅଧ୍ୟକ୍ଷତା କେବଳ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ। ଏଥିରେ ବିଶ୍ବ ନାଗରିକ ସୃଷ୍ଟି କରିବାର ବିଚାର ଏବଂ ବିଶ୍ବ ବ୍ୟବସ୍ଥାର ସାମଗ୍ରିକ ବିକାଶ ପାଇଁ ମୂଳଦୁଆ ପକାଇବାର ଉଦ୍ଦେଶ୍ୟ ନିହିତ। ଏକ ସ୍ୱଚ୍ଛ, ସୁସ୍ଥ, ଶାନ୍ତିପୂର୍ଣ୍ଣ, ପ୍ରଯୁକ୍ତି ଦୃଷ୍ଟିରୁ ପ୍ରତିଦ୍ୱନ୍ଦ୍ୱୀ ତଥା ଦୀର୍ଘସ୍ଥାୟୀ ରୂପରେ ବିକଶିତ ବିଶ୍ବ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଆମର ଶିକ୍ଷା ଓ କୌଶଳ ବିକାଶ ପ୍ରଣାଳୀ ବା ଇକୋସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଦୀର୍ଘ ୩୪ ବର୍ଷ ପରେ ଦେଶକୁ ଏକ ନୂଆ ଶିକ୍ଷା ନୀତି ମିଳିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଉପଲବ୍‌ଧତା, ସମାନତା, ଗୁଣବତ୍ତା, ସୁଲଭତା ଏବଂ ଉତ୍ତରଦାୟିତ୍ୱର ମୌଳିକ ସିଦ୍ଧାନ୍ତ ଉପରେ ଆଧାରିତ। ଜି-୨୦ର ସହଭାଗୀ ସଂକଳ୍ପ ହାସଲ କରିବା ଲାଗି ଭାରତ ଏକ ପଥପ୍ରଦର୍ଶନକାରୀ ଶକ୍ତି ଭାବେ କାର୍ଯ୍ୟ କରୁଛି।

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସୁନିଶ୍ଚିତ କରିବା, ଶିକ୍ଷା କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ଭୂମିକା, ଦକ୍ଷତା ନିର୍ମାଣ ଓ ଭବିଷ୍ୟତର କାର୍ଯ୍ୟ ପାଇଁ ଜୀବନବ୍ୟାପୀ ଅଧ୍ୟୟନ ଏବଂ ଗବେଷଣା ସହଭାଗିତାକୁ ସୁଦୃଢ଼ କରିବା ଆଦି ଚାରିଟି ପ୍ରାଥମିକତା ବିଷୟ ଉପରେ ବିଭିନ୍ନ କାର୍ଯ୍ୟକ୍ରମ, ବିଚାରବିମର୍ଶ ଏବଂ ଜ୍ଞାନର ଆଦାନପ୍ରଦାନ କରାଯିବ। ଏହା ମାଧ୍ୟମରେ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ର ଭାବନା ପ୍ରତିଫଳିତ ହେବ।
ନିପୁଣ ଭାରତ, ଖେଳନା ଆଧାରିତ ଶିକ୍ଷାଦାନ, ୨୦୦ ଟିଭି ଚାନେଲ, ଜାତୀୟ ଶିକ୍ଷା ପ୍ରଯୁକ୍ତି ମଞ୍ଚ, ଜାତୀୟ କ୍ରେଡିଟ୍ ଫ୍ରେମୱର୍କ ଠାରୁ ଆରମ୍ଭ କରି ଏଆଇ/ଏମଏଲ ଭଳି ନୂଆ ଯୁଗର ପ୍ରଯୁକ୍ତି ଆଧାରିତ କୌଶଳ ପ୍ରୟୋଗଶାଳା ଗଠନ, ଅଟୋମେସନ କ୍ଷେତ୍ରରେ ପ୍ରଯୁକ୍ତିଗତ ବିକାଶ ପର୍ଯ୍ୟନ୍ତ ଭାରତ ପାଖରେ ରହିଥିବା ନୂଆ ବିଚାର, ଶିକ୍ଷା ଓ ଅଭ୍ୟାସର ଏକ ବ୍ୟାପକ ଦିଗ ବିଷୟରେ ଜି-୨୦ ଶିକ୍ଷା ଓ ଦକ୍ଷତା କାର୍ଯ୍ୟଗୋଷ୍ଠୀକୁ ଅବଗତ କରାଯାଇ ପାରିବ।

ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଶିକ୍ଷା କାର୍ଯ୍ୟଗୋଷ୍ଠୀର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ଚେନ୍ନାଇ, ଅମୃତସର, ଭୁବନେଶ୍ବର ଓ ପୁଣେ ଠାରେ ଏକାଧିକ ସେମିନାର ଏବଂ ଅଧିକାରୀଙ୍କ ବୈଠକ ଆୟୋଜନ କରାଯିବ। ଜାନୁଆରି ଠାରୁ ଜୁନ୍ ମଧ୍ୟରେ ବିଭିନ୍ନ ବଛା ବଛା ବିଷୟବସ୍ତୁ ଉପରେ ଏସବୁ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ଶେଷରେ ପୁଣେ ଠାରେ ଜି-୨୦ ଶିକ୍ଷା ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ।
ଗୋଟିଏ ମଞ୍ଚରେ ଉଚ୍ଚ ଶିକ୍ଷାନୁଷ୍ଠାନ, ଦାତବ୍ୟ ସଂଗଠନ ଏବଂ ଡିଜିଟାଲ ପ୍ରଯୁକ୍ତି କ୍ଷେତ୍ର ଏକାଠି ହେବାକୁ ଯାଉଥିବାରୁ ଏହା ‘‘ଭାରତର ଏକ ବିଶେଷ ମୁହୂର୍ତ୍ତ’’କୁ ପ୍ରତିଫଳିତ କରିବ। ଏଥିରେ ୟୁନେସ୍କୋ, ୟୁନିସେଫ, ଓଇସିଡି, ଏନସିଇଆରଟି, ୟୁଜିସି, ସିବିଏସଇ, ଏନଏସଡିସି, ଆଇଆଇଟି, ଆଇଆଇଏସସି ବାଙ୍ଗାଲୋର, ଟିଆଇଏସଏସ ମୁମ୍ବାଇ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ଜ୍ଞାନ ସହଯୋଗୀମାନେ ସାମିଲ ହେବେ।

ଦକ୍ଷତା ବିକାଶକୁ ଦେଖିଲେ, ବିଶ୍ବରେ ଜନସାଂଖ୍ୟିକ ପରିବର୍ତ୍ତନ ଏବଂ ଉଦ୍ୟୋଗ ୪.୦, ୱେବ ୩.୦ ଏବଂ ବିସ୍ତାରିତ ବାସ୍ତବତା ପ୍ରଯୁକ୍ତି ଭଳି ଜ୍ଞାନକୌଶଳ ଆଧାରିତ ପରିବର୍ତ୍ତନର ପ୍ରଭାବ ଏବେ ଦେଖିବାକୁ ମିଳୁଛି ଯାହାକି ନିକଟ ଭବିଷ୍ୟତରେ ନିଯୁକ୍ତି କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବ। ଉପରୋକ୍ତ ପ୍ରାଥମିକତା କ୍ଷେତ୍ରର ଉଦ୍ଦେଶ୍ୟ ହେଉଛି କୌଶଳ ବିକାଶ, ପୁନଃକୌଶଳ ବିକାଶ ଓ ଉନ୍ନତ କୌଶଳ ବିକାଶ (ସ୍କିଲିଂ, ରିସ୍କିଲିଂ ଓ ଅପସ୍କିଲିଂ) ତଥା ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଦେବା। ଏହା ମାଧ୍ୟମରେ ଭବିଷ୍ୟତର ଦକ୍ଷତା ପ୍ରଦାନ କରିବା ପାଇଁ ମାନବୀୟ ଓ ସଂସ୍ଥାଗତ କ୍ଷମତାକୁ ବଢ଼ାଇବା ଲାଗି ଆବଶ୍ୟକ ରଣନୀତି ଓ ଉପାୟ ଉପରେ ବିଚାରବିମର୍ଶ କରିବା।
ଜି-୨୦ ତୃତୀୟ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ (ଇଡବ୍ଲୁଜି) ବୈଠକର ଅଂଶବିଶେଷ ଭାବେ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟକୁ ‘‘ଭବିଷ୍ୟତର କାର୍ଯ୍ୟ ସନ୍ଦର୍ଭରେ ସାରା ଜୀବନ ଶିକ୍ଷଣକୁ ପ୍ରୋତ୍ସାହନ ଦେବା ଲାଗି କ୍ଷମତା ନିର୍ମାଣ’’ର ପ୍ରାଥମିକତା ଆଧାରିତ କ୍ଷେତ୍ରରେ ନେତୃତ୍ୱ ନେବାର ଦାୟିତ୍ୱ ଦିଆଯାଇଛି।

ଏ ଦିଗରେ ଏକ ପଦକ୍ଷେପ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଉପରୋକ୍ତ ବିଷୟବସ୍ତୁ ଉପରେ ଆସନ୍ତା ୨୪ ଏପ୍ରିଲ ୨୦୨୩ରେ ଭାରତୀୟ ପ୍ରାଦ୍ୟୋଗିକୀ ସଂସ୍ଥାନ (ଆଇଆଇଟି) ଭୁବନେଶ୍ବର ଠାରେ ଏକ ସେମିନାର ଆୟୋଜନ କରିବ। ଉପରୋକ୍ତ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ, ଆଇଆଇଟି ଭୁବନେଶ୍ବର ଠାରେ ୨୪ରୁ ୨୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଭବିଷ୍ୟତର କାର୍ଯ୍ୟ ଉପରେ ତିନିଦିନିଆ କୌଶଳ ପ୍ରଦର୍ଶନୀ ଆୟୋଜନ କରାଯିବ।

ବର୍ଷର ପ୍ରଥମାର୍ଦ୍ଧ ସାରା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷାବିତ୍‌ମାନଙ୍କୁ ନେଇ ଜି-୨୦ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ପ୍ରଶ୍ନୋତ୍ତର, ବିତର୍କ, ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଭଳି ବୌଦ୍ଧିକ କାର୍ଯ୍ୟକ୍ରମ ସହିତ ସାଇକେଲ ରାଲି, ପତାକା ଶୋଭାଯାତ୍ରା ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ଥାନୀୟ ଭାବନା ସହିତ ଛାତ୍ରଛାତ୍ରୀଙ୍କ ସର୍ବଭାରତୀୟ ଭାଗୀଦାରିକୁ ପ୍ରୋତ୍ସାହିତ କରାଯିବ ଯାହା ବାସ୍ତବରେ ଏକ ଅନ୍ତର୍ଜାତୀୟ ଅଭିଜ୍ଞତାକୁ ପ୍ରଦର୍ଶିତ କରିବ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଭାରତର ଜି-୨୦ ଲକ୍ଷ୍ୟ ସମାବେଶୀ, ମହତ୍ତ୍ବାକାଂକ୍ଷୀ, କାର୍ଯ୍ୟୋନ୍ମୁଖୀ ଓ ନିର୍ଣ୍ଣାୟକ ହେବ ତଥା ଭାରତର ଅଧ୍ୟକ୍ଷତା ଉପଶମ, ସମନ୍ୱୟ ଓ ଆଶା ନେଇ ଆସିବ।

ସମ୍ବନ୍ଧିତ ଖବର