ଚନ୍ଦ୍ରହାସେ ବାଳା ଆସିବେ ଚନ୍ଦ୍ରଭାଗା ସୁନ୍ଦରୀ

ବହୁବଚନ - ବିଜୟ ନାୟକ

ଭୁବନେଶ୍ୱରର ମାଳମାଳ ଦେଉଳର ଅର୍ଗଳି ଡେଇଁଗଲା ପରେ କେଦାରଗୌରୀ ମନ୍ଦିର ନିକଟରେ ସ୍ୱତଃ ଅଟକି ଯାଏ ପାଦ, ଶୁଭିଯାଏ କାରୁଣ୍ୟ-କଲ୍ଲୋଳ! କେଉଁ ପ୍ରତ୍ୟୁଷ ବା ଗୋଧୂଳିରେ ଚନ୍ଦ୍ରଭାଗାର କଳ୍ପିତ ମୁହାଣରେ ପାଦ ଦେଲା କ୍ଷଣି ଅନ୍ୟମନସ୍କତା ଘାରେ। ନଦୀର ନାମ ଚନ୍ଦ୍ରଭାଗା ନା ନାରୀର ନାମ ଚନ୍ଦ୍ରଭାଗା ବୁଝି ବି ବୁଝିହୁଏ ନାହିଁ। କେଉଁ ଉଷାକାଳରେ ବାଲେଶ୍ୱରର ଦିଗଦିଗନ୍ତରେ ଦିଶିଯା’ନ୍ତି ଅନିନ୍ଦିତା ଉଷାଯୋଷା ତ କେଉଁ ନିଶାର୍ଦ୍ଧରେ ଅବା ନାୟିକା ନନ୍ଦିକାଙ୍କ ରୁଣୁଝୁଣୁ ପାଉଁଜିର ଲାଳିତ୍ୟରେ କାଠଯୋଡ଼ି ତୀର ହୁଏ ତଲ୍ଲୀନ। ଚିଲିକା କୂଳ କିନ୍ତୁ ମୁଖରିତ ହୁଏ କଳାଧଳା ଘୋଡ଼ା ଟାପୁର କର୍କଶ ନାଦରେ।

ଏସବୁ ଦୃଶ୍ୟଦୃଶ୍ୟାନ୍ତରର ଆଢୁଆଳରେ ଥା’ନ୍ତି ଜଣେ କୃଶ ଶରୀର ସମ୍ପନ୍ନ ଅଥଚ ପୃଥୁଳ ନିଶଯୁକ୍ତ କବି, କବି ନୁହଁନ୍ତି ତ କବିଶ୍ରେଷ୍ଠ ରାଧାନାଥ ରାୟ। ସମସ୍ତ ବାଦ, ବିବାଦ ଓ ଅପବାଦ ସତ୍ତ୍ୱେ ତାଙ୍କ କାବ୍ୟ ନାୟକ ଓ ନାୟିକାମାନେ ଆଜି ମଧ୍ୟ ଝଟକନ୍ତି ସନ୍ଧ୍ୟାତାରା ପରି ଓଡ଼ିଆ କାବ୍ୟାକାଶରେ। ଅଥଚ ରାଧାନାଥଙ୍କ କାବ୍ୟର ଭୂମି ଓ ଭୂମିକା କିଛି ବି ଓଡ଼ିଆ ନୁହେଁ। କିନ୍ତୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂଘାତରୁ ଜାତ ରାଧାନାଥୀୟ କାବ୍ୟସମ୍ଭାର ଉଭୟ ଭାବ ଓ ଭଙ୍ଗୀରେ ଅପାରମ୍ପରିକ।

ଗ୍ରିକ୍ କବି ଓଭିଡ୍‌ଙ୍କ ପିରାସ ଓ ଥିସ୍ ବି କାହାଣୀରୁ ଖିଅ ଆଣି ଚଷର ‘ଲିଜେଣ୍ଡ ଅଫ ଗୁଡ୍ ଵିମେନ୍’ ଏବଂ ସେକ୍ସପିଅର ‘ମିଡ୍ ସମର ନାଇଟ୍ ଡ୍ରିମ୍’ ରଚନା କରିଥିଲେ। ତାହାରି ଭିତ୍ତିରେ ରାଧାନାଥ ଲେଖିଲେ ‘କେଦାରଗୌରୀ’ କାବ୍ୟ। ପୁନଶ୍ଚ ଓଭିଡ୍‌ଙ୍କ ‘ମେଟାମର୍ଫସିସ’ ପୁସ୍ତକର ‘ଆପୋଲୋ ଓ ଡାଫ୍ ନେ’ ପ୍ରେମକଥା ଆଧାରରେ ରଚିତ ହେଲା ରାଧାନାଥଙ୍କ ‘ଚନ୍ଦ୍ରଭାଗା’। ସେହିପରି ‘ନନ୍ଦିକେଶରୀ’ କାବ୍ୟର ବିଷୟବସ୍ତୁ ଗ୍ରିକ୍ ପୁରାଣର ‘ସିଲା’, ଓଭିଡ୍‌ଙ୍କ ‘ମେଟାମର୍ଫସିସ’ରେ ‘ସିଲାନିସ୍ କାହାଣୀ’, ବାଇରନ୍‌ଙ୍କ ‘ସିଜ୍ ଅଫ୍ କୋରିନ୍ଥ’ ଏବଂ ୱିଲିଅମ୍ ମୋରିସ୍‌ଙ୍କ ‘ଆଟ୍ ଲାଣ୍ଟା ରେସ୍’ରୁ ଆନୀତ। ମେଟାମର୍ଫସିସ୍ ଓ ଆଟ୍ ଲାଣ୍ଟା ରେସ୍ ପୁଣି ‘ଉଷା’ କାବ୍ୟର ଏବଂ ଆସ୍ କାଇଲାସ୍‌ଙ୍କ ‘ଆଗାମେନନ୍’ ଓ ସେକ୍ସପିଅରଙ୍କ ‘ହାମ୍‌ଲେଟ୍’ ‘ପାର୍ବତୀ’ କାବ୍ୟର ଉତ୍ସ। ପୁନଶ୍ଚ ‘ଚିଲିକା’ କାବ୍ୟ ଉପରେ ସ୍କଟ୍‌ଙ୍କ ‘ଲେଡି ଅଫ୍ ଦ ଲେକ୍’ର ପ୍ରଭାବ ତ ‘ମହାଯାତ୍ରା’ ଉପରେ ମିଲଟନ୍‌ଙ୍କ ‘ପାରାଡାଇଜ୍ ଲଷ୍ଟ’ର ଛାୟା ସ୍ପଷ୍ଟ।

ଏମନ୍ତ ନିର୍ବିଚାର ପାଶ୍ଚାତ୍ୟ କଥାବସ୍ତୁ ଆହରଣ, ଚନ୍ଦ୍ରଭାଗାଙ୍କ କନ୍ଦୁକ କ୍ରୀଡ଼ା ପରି ଅବାସ୍ତବ ଘଟଣାର ବର୍ଣ୍ଣନା ଏବଂ ‘ପାର୍ବତୀ’ କାବ୍ୟରେ ପିତା-ପୁତ୍ରୀ ପ୍ରେମର ନିନ୍ଦିତ କାହାଣୀ ଅବତାରଣା ପାଇଁ ରାଧାନାଥ ଜୀବଦ୍ଦଶା ମଧ୍ୟରେ ଏବଂ ମରଣତୀରେ ଯେପରି ସମାଲୋଚନାର ଶରବ୍ୟ ହୋଇଛନ୍ତି, ତାହା ଭାରତୀୟ ସାରସ୍ୱତ ଇତିହାସରେ ବିରଳ। ‘କୋଣାର୍କେ’ କାବ୍ୟରେ ପଣ୍ଡିତ ନୀଳକଂଠ ଦାସଙ୍କ କଟାକ୍ଷ ବୋଧହୁଏ ରାଧାନାଥଙ୍କ ବିଜାତୀୟ ଚିନ୍ତାଧାରା ପ୍ରତି ଆକ୍ଷେପର ଶୀର୍ଷ: “ଚନ୍ଦ୍ରହାସେ ବାଳା ଆସିବେ ଚନ୍ଦ୍ରଭାଗା ସୁନ୍ଦରୀ, ଯବନାନି କବିନାୟିକା ନାଟିତକ ଆଚରି।”

ଏସବୁ ସତ୍ତ୍ୱେ ରାଧାନାଥ ଯେ ଆଧୁନିକ ଓଡ଼ିଆ କାବ୍ୟର ଯୁଗସ୍ରଷ୍ଟା ଏବଂ ଅତ୍ୟନ୍ତ ପ୍ରଭାବଶାଳୀ କବି, ଏଥିରେ ସନ୍ଦେହ ନାହିଁ। ନୀଳକଂଠ ରାଧାନାଥଙ୍କୁ ସମାଲୋଚନା କରିବାକୁ ଯାଇ ନିଜ ଅଜାଣତରେ ରାଧାନାଥୀୟ ଶୈଳୀର ଶିକାର ହୋଇଛନ୍ତି ବୋଲି କତିପୟ ସାହିତ୍ୟ-ସମାଲୋଚକମାନଙ୍କ ମତ। ବିଦେଶୀ ଚିତ୍ର ଓ ଚରିତ୍ରକୁ ରାଧାନାଥ ଓଡ଼ିଶାର ପୃଷ୍ଠଭୂମିରେ ଏପରି ଗୁମ୍ଫିତ କରିଛନ୍ତି ଯେ ଜନସାଧାରଣଙ୍କ ଦୃଷ୍ଟିରେ କେଦାରଗୌରୀ, ଚନ୍ଦ୍ରଭାଗା, ଉଷା ଓ ନନ୍ଦିକା ଷୋଳଣା ଓଡ଼ିଆ ବାଳା। ଓଡ଼ିଶାର ସାଧାରଣ ସ୍ଥାନମାନ ରାଧାନାଥଙ୍କ ଲେଖନୀରେ ଅସାଧାରଣ ବିଭୂତିମଣ୍ଡିତ ହୋଇଛନ୍ତି। ଏସବୁ ତ ରାଧାନାଥଙ୍କ ଅଦ୍ଭୁତ କଳ୍ପନା ଶକ୍ତିର ଫଳଶ୍ରୁତି। ପୁନଶ୍ଚ ଓଡ଼ିଶାର ନଦନଦୀ, ପୁରପଲ୍ଲୀ, ଖେଟଖର୍ବଟ, ବନଗିରି ରାଧାନାଥଙ୍କ ଶବ୍ଦର ଲାଳିତ୍ୟରେ ଯେପରି ଜୀବନ୍ତ ହୋଇଛନ୍ତି, ତାହାର ନଜିର କାହିଁ? ତା’ ଛଡ଼ା ପାଶ୍ଚାତ୍ୟ କଥା, କାହାଣୀ ଓ କିଂବଦନ୍ତିକୁ ଓଡ଼ିଶାର ଲୋକକଥା ସହିତ ରାଧାନାଥ ଏପରି ଭାବରେ ମିଶାଇ ଦେଇଛନ୍ତି ଯେ ସେସବୁକୁ ବହିରାଗତ ବୋଲି ମନେ କରିବା ଅସମ୍ଭବ। ସୂର୍ଯ୍ୟଦେବଙ୍କୁ ଦେଖି ପଳାୟନ କରୁଥିବା ଚନ୍ଦ୍ରଭାଗା ଦିଶୁଛନ୍ତି ସୁନ୍ଦରତର- “ପଳାୟନେ ପୁଣି ସୁନ୍ଦରୀ ଦିଶେ ସୁନ୍ଦରତର”। ଏହାକୁ ସାଧାରଣ ପାଠକଟିଏ ମିଛ ମଣିବ କାହିଁକି? କିଏ ବା କାହିଁକି ଅବିଶ୍ୱାସ କରିବ ଯେ “କେଦାରଗୌରୀ କିଶୋରକିଶୋରୀ ଥିଲେ ଭୁବନ-ଈଶ୍ୱରେ”! ଯେଉଁ କଳ୍ପନା ବାସ୍ତବ ପରି ପ୍ରତୀତ ହୁଏ, ସେଠି ଉଭୟ ସୃଷ୍ଟି ଓ ସ୍ରଷ୍ଟା ତ ସର୍ବୋତ୍ତମ।

ରାଧାନାଥଙ୍କ ଶବ୍ଦର ଇନ୍ଦ୍ରଜାଲରେ ଗିରି ଗିରୀନ୍ଦ୍ର ତ ସର ସାଗର ପାଲଟିଛି। ଏଇ ଯେମିତି ମୟୂରଭଞ୍ଜର ଶିମିଳିପାଳ ରାଧାନାଥଙ୍କ ଲେଖନୀରେ ‘ଶାଳ୍ମଳୀ ଶୈଳ’, ଭଦ୍ରକର ଦପାନାୟକାଣୀ ‘ଦେବୀନାୟିକା’, ପୁଣି ନୟାଗଡ଼ର ମଲାଗୁଣୀ ନଈ ‘ନଦୀ ମନ୍ଦାକିନୀ’ ଏବଂ ସର୍ବୋପରି ଚିଲିକା ହ୍ରଦ ନୁହେଁ, ‘ଉତ୍କଳ-କମଳା-ବିଳାସ-ଦୀର୍ଘିକା’। ଅମିତ୍ରାକ୍ଷର ଛନ୍ଦ, ଉପଧାମିଳନ, ବ୍ୟଙ୍ଗ, ବିୟୋଗାନ୍ତକ ଉପସଂହାର ଆଦି ନୂତନ ଉପାଦାନ ଓଡ଼ିଆ କାବ୍ୟକୁ ରାଧାନାଥଙ୍କ ଅଭିନବ ଅବଦାନ। ରାଧାନାଥ ମଧ୍ୟ ଉତ୍କଳୀୟ ଜାତୀୟତାର ଅନ୍ୟତମ ଆଦି ପ୍ରବର୍ତ୍ତକ: “ପାହିଲାଣି ଘୋର ତାମସୀ ଯାମିନୀ, ଫୁଟିବ ଉତ୍କଳ-ଭାଷା-କମଳିନୀ”।

ରାଧାନାଥଙ୍କ ଆହରଣର ସୀମା ନାହିଁ, ସୀମା ନାହିଁ ତାଙ୍କ ବିତରଣର। ତାଙ୍କ ପାଶ୍ଚାତ୍ୟ ଦୃଷ୍ଟି ତୀବ୍ର, ତାଙ୍କ ପ୍ରାଚ୍ୟ ପ୍ରୀତି ଅପ୍ରମିତ। ଆଧୁନିକ ଓଡ଼ିଆ କାବ୍ୟ ସମ୍ଭାର ତାଙ୍କ ବିନା ନିଃସ୍ୱ ହୋଇ ଯାଇ ନ ଥା’ନ୍ତା କି?
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର