ଥ‌େର ରାଜାଙ୍କ ଜଣେ ପ୍ରିୟ ଅମାତ୍ୟ ବଜାରରେ କୌଣସି ସଉଦା କିଣୁଥିବା ବେଳେ ଜଣେ ବ୍ୟକ୍ତି ସହିତ ତାଙ୍କର ବଚସା ହୋଇଗଲା ଏବଂ ରାଗରେ ତମତମ ହୋଇ ଲୋକଟି ଅମାତ୍ୟଙ୍କ ଗାଲରେ ଗୋଟିଏ ଶକ୍ତ ଚଟକଣା ଲଗାଇ ପଳାଇଗଲା। ଅମାତ୍ୟ ଜଣକ ସେହି ଲୋକ ବିରୋଧରେ ରାଜାଙ୍କ ନିକଟରେ ଅଭିଯୋଗ କଲେ। ଲୋକଟି ମଧ୍ୟ ନିଜ କୃତକର୍ମ ଲାଗି ଅନୁତାପ କରିବାକୁ ଲାଗିଲା।

Advertisment

ରାଜାଙ୍କ ପ୍ରିୟ ଅମାତ୍ୟଙ୍କୁ ମାଡ଼ ମାରିବାକୁ ସାହସ କରିଥିବା ଲୋକକୁ ଧରି ଆଣିବା ଲାଗି ରାଜା ଆଦେଶ ଦେଲେ। କିନ୍ତୁ ଅଧିକ ବାଟ ଯିବାକୁ ହେଲା ନାହିଁ, ଲୋକଟି ରାଜ ଉଆସ ଆଡ଼େ ଆସୁଥିବା ଦେଖି ରକ୍ଷୀମାନେ ତାକୁ ଧରି ନେଇ ରାଜାଙ୍କ ଆଗରେ ଛିଡ଼ା କରାଇଲେ।

ଲୋକଟି ରାଜାଙ୍କ ପାଦ ତଳେ ପଡ଼ିଯାଇ ନିଜ କୃତକର୍ମ ଲାଗି କ୍ଷମା ଭିକ୍ଷା କଲା। କିନ୍ତୁ ଅମାତ୍ୟ ଚାହୁଁଥିଲେ ଯେ ତାକୁ ଉପଯୁକ୍ତ ଶାସ୍ତି ମିଳୁ, ଯାହା ତାଙ୍କ ମନକୁ ଶୀତଳ କରିବ।
ରାଜା କିନ୍ତୁ ଲୋକଟିକୁ କେବଳ ତାଗିଦ କରି ଛାଡ଼ି ଦେଲେ। ଏହା ଦେଖି ଅମାତ୍ୟ ଜଣକ ହତାଶ ହୋଇ କହିଲେ- ମହାରାଜ, ଆପଣ ଏ କ’ଣ କଲେ? ଦେଖିଲେ ତା’ ଆଘାତରେ ମୋ ଗାଲର ଅବସ୍ଥା କ’ଣ ହୋଇଛି? ଆପଣ ତାକୁ ଛାଡ଼ି ଦେଲେ କାହିଁକି?

ରାଜା କହିଲେ- ରକ୍ଷୀମାନେ ଯେଉଁ ଲୋକକୁ ଧରି ଆଣିଲେ ସେ ତୁମକୁ ଆଘାତ କରିଥିବା ଲୋକ ନ ଥିଲା। ତାକୁ ଦଣ୍ଡ ଦେଇଥାନ୍ତି କେମିତି? ତା’ର ପଶ୍ଚାତ୍ତାପରୁ ଲାଗୁଛି ଯେ ତୁମକୁ ଆଘାତ କରିଥିବା ଲୋକଟିର ଆବିର୍ଭାବ ଆଉ ହେବ ନାହିଁ। ତା’ର ଅନୁତାପ ହିଁ ତା’ ଲାଗି ଦଣ୍ଡ।