ବିତ୍ତୀୟ-ରାଜନୈତିକ ଜଗତରେ ଏକ ଜେଫ୍ରି ଆର୍ଚର୍ ସୁଲଭ ରହସ୍ୟ-ରୋମାଞ୍ଚଭରା କାହାଣୀ ରୂପେ ଆବିର୍ଭୂତ ହୋଇଥିବା ହିଣ୍ଡେନ୍ବର୍ଗ-ଆଦାନି ଲଢ଼େଇ ଗତ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଏକ ଅପ୍ରତ୍ୟାଶିତ ନୈତିକ ମୋଡ଼ ନେବା ଦେଖାଯାଇଥିଲା, ଯେତେବେଳେ ‘ଆଦାନି ଏଣ୍ଟର୍ପ୍ରାଇଜେସ୍’ ତା’ର ସମ୍ପୂର୍ଣ୍ଣ ହୋଇଥିବା ୨୦,୦୦୦ କୋଟି ଟଙ୍କାର ସେଆର୍ ବିକ୍ରି (‘ଏଫ୍ପିଓ’) ବାତିଲ କରିଦେଲା ବୋଲି କମ୍ପାନିର ମାଲିକ ଗୌତମ ଆଦାନି ଘୋଷଣା କରି ଦେଲେ। ସେ କହିଥିଲେ ଯେ ଯେହେତୁ କମ୍ପାନିର ସେଆର୍ ମୂଲ୍ୟରେ ତୀକ୍ଷ୍ଣ ସ୍ଖଳନ ଘଟିବାରେ ଲାଗିଛି, ସେତେବେଳେ ଏହି ସେଆର୍ ବିକ୍ରିକୁ କାଏମ ରଖି କମ୍ପାନିର ପୃଷ୍ଠପୋଷକମାନଙ୍କୁ କ୍ଷତିରେ ପକାଇବା ‘‘ନୈତିକତା ଦୃଷ୍ଟିରୁ ଠିକ୍ ହୁଅନ୍ତା ନାହିଁ।’’ ସେ ଘୋଷଣା କରିଥିଲେ ଯେ କ୍ରେତାମାନେ ପଇଠ କରିଥିବା ଅର୍ଥ ସେମାନଙ୍କୁ ଫେରସ୍ତ କରାଯିବା ପ୍ରକ୍ରିୟା ଆରମ୍ଭ େହାଇଗଲାଣି।
ଯେଉଁ କମ୍ପାନି ବିରୋଧରେ ‘ସର୍ଟ ସେଲର୍’ ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଗୁରୁତର ଅନିୟମିତତା ଅଭିଯୋଗମାନ ପ୍ରକାଶ କରି ବର୍ତ୍ତମାନର ଝଡ଼ ସୃଷ୍ଟି କରିଛି, ସେଇ କମ୍ପାନି ଦ୍ବାରା ଏଭଳି ନୈତିକ ଆଚରଣ ପ୍ରଦର୍ଶନ ନିଶ୍ଚିତ ରୂପେ ଏକ ବିରୋଧାଭାସ ଭଳି ପ୍ରତୀୟମାନ ହୋଇଥାଏ। ହିଣ୍ଡେନ୍ବର୍ଗର ଅଭିଯୋଗ ଅନୁସାରେ ଯେଉଁ ଆଦାନି ବର୍ତ୍ତମାନ ନିବେଶକମାନଙ୍କ ପ୍ରତି ଏଭଳି ନ୍ୟାୟୋଚିତ ଆଚରଣ ପ୍ରଦର୍ଶନ କରୁଛନ୍ତି, ସେଇ ଆଦାନି ତାଙ୍କ କମ୍ପାନି ପ୍ରତି ନିବେଶକମାନଙ୍କୁ ଆକୃଷ୍ଟ କରିବା ନିମିତ୍ତ ବିଭିନ୍ନ କୌଶଳ ଅବଲମ୍ବନ କରି ବଜାରରେ କମ୍ପାନିର ସେଆର୍ ମୂଲ୍ୟରେ ଏପରି କୃତ୍ରିମ ବୃଦ୍ଧି ଘଟାଇଥାନ୍ତି ଯେ ମାତୃ ସ୍ଥାନୀୟ ‘ଆଦାନି ଏଣ୍ଟର୍ପ୍ରାଇଜେସ୍’ର ସେଆର୍ର ବିକ୍ରୟ ମୂଲ୍ୟ ତାହାର ଆୟର ୫୦୦ ଗୁଣ ହେବା ଦେଖାଯାଇଥାଏ (‘ପି/ଇ େରସିଓ’)। ଅବିଶ୍ବାସ୍ୟ ଭାବରେ ଦଶଟି ଆଦାନି କମ୍ପାନି ମଧ୍ୟରୁ ଅନ୍ୟତମ, ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ‘ଆଦାନି ଗ୍ରିନ୍ ଏନର୍ଜି’ ନାମକ କମ୍ପାନିର ‘ପି/ଇ ରେସିଓ’ ହେଉଛି ୮୦୦ରୁ ଅଧିକ। ଏହା କିପରି କଳ୍ପନାତୀତ ସ୍ତରର ହୋଇଥାଏ, ତାହା ହୃଦୟଙ୍ଗମ କରିବା ନିମିତ୍ତ ଆମେରିକାର ମୁଖ୍ୟତଃ ଟେକ୍ନୋଲୋଜି କମ୍ପାନିମାନଙ୍କର ସେଆର୍ କ୍ରୟବିକ୍ରୟ ବଜାର ‘ନାସ୍ଡାକ୍’ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। କୋଭିଡ୍ ପାଣ୍ଡେମିକ୍ ଯୋଗୁଁ ୨୦୨୧ରେ ଯେତେବେଳେ ଟେକ୍ନୋଲୋଜି ସେଆର୍ମାନଙ୍କର ମୂଲ୍ୟରେ ଏକ ବିସ୍ଫୋରକ ବୃଦ୍ଧି ଦେଖାଦେଇଥିଲା, ସେତେବେଳେ ମଧ୍ୟ ନାସ୍ଡାକ୍ ସେଆର୍ ଇଣ୍ଡେକ୍ସ ପାଇଁ ‘ପି/ଇ ରେସିଓ’ ଥିଲା ୩୦ରୁ କମ୍।
ହିଣ୍ଡେନ୍ବର୍ଗର ହିସାବ ଅନୁସାରେ ଯଦି ଆଦାନି କୃତ୍ରିମ ଉପାୟରେ ନିଜ କମ୍ପାନିମାନଙ୍କର ସେଆର୍ ମୂଲ୍ୟରେ ବୃଦ୍ଧି ଘଟାନ୍ତେ ନାହିଁ, ତେବେ ସେଗୁଡ଼ିକର ବାସ୍ତବ ମୂଲ୍ୟରେ ୮୫ ଶତାଂଶ ସ୍ଖଳନ ଘଟନ୍ତା! ଏହି କୃତ୍ରିମ ଉପାୟ ଉପରେ ଆଲୋକପାତ କରିବାକୁ ଯାଇ ହିଣ୍ଡେନ୍ବର୍ଗ କହିଛି ଯେ ମରିସସ୍ ତଥା ବିଦେଶର ଅନ୍ୟ ସ୍ଥାନମାନଙ୍କରେ ଥିବା ଯେଉଁ ସଂସ୍ଥାମାନ ଏତେ ଉଚ୍ଚ ମୂଲ୍ୟ ଦେଇ ଆଦାନି କମ୍ପାନିମାନଙ୍କର ସେଆର୍ କ୍ରୟ କରିଥାନ୍ତି, ସେମାନେ କୌଣସି ସ୍ବାଧୀନ ନିବେଶକ ସଂସ୍ଥା ନୁହଁନ୍ତି, ସେମାନେ ପ୍ରକୃତରେ ଆଦାନି ପରିବାରର କା’ ରୂପେ କାର୍ଯ୍ୟ କରିଥାନ୍ତି। ସେଇମାନେ ହିଁ ଆଦାନି ଗ୍ରୁପ୍ର କମ୍ପାନିମାନଙ୍କ ସେଆର୍ କ୍ରୟ ବିକ୍ରୟ କରି ଜାଣିଶୁଣି ସେଗୁଡ଼ିକର ମୂଲ୍ୟ ଆକାଶଛୁଆଁ କରି ଦେଇଥାନ୍ତି। ହିଣ୍ଡେନ୍ବର୍ଗ କହିବା ଅନୁଯାୟୀ ଆଦାନି କମ୍ପାନିମାନେ ଋଣ ଭାରରେ ବୁଡ଼ିଥିଲେ ମଧ୍ୟ ଓ ପାଖରେ ଯଥେଷ୍ଟ ନଗଦ ସମ୍ବଳ ନଥିଲେ ମଧ୍ୟ, ଏହି ଉଚ୍ଚା ସେଆର୍ ମୂଲ୍ୟ ସେମାନେ ଉତ୍ତମ ବିତ୍ତୀୟ ସ୍ବାସ୍ଥ୍ୟର ଅଧିକାରୀ ହୋଇଥିବାର ଏକ ଭ୍ରମ ଧାରଣା ସୃଷ୍ଟି କରିଥାଏ। ହିଣ୍ଡେନ୍ବର୍ଗ ମଧ୍ୟ ଅଭିଯୋଗ କରିଛି ଯେ ଦେଶ ବାହାରେ ଥିବା ଏହି ତଥାକଥିତ ନିବେଶକ ସଂସ୍ଥାମାନଙ୍କର ଆଦାନି କମ୍ପାନିମାନଙ୍କ ସହିତ ରହିଥିବା ସମ୍ପର୍କ ମାଧ୍ୟମରେ ଆଦାନି ନିଜର ବ୍ୟବସାୟରେ ଘଟୁଥିବା କ୍ଷତି ଲୁଚାଇଥାନ୍ତି ଓ କଳାଧନକୁ ଧଳା କରିଥାନ୍ତି।
ଅବଶ୍ୟ ୪୧୩ ପୃଷ୍ଠା ଦୀର୍ଘ ଏକ ଉତ୍ତର ମାଧ୍ୟମରେ ଆଦାନି ଗ୍ରୁପ୍ ହିଣ୍ଡେନ୍ବର୍ଗର ଏ ସମସ୍ତ ଅଭିେଯାଗକୁ ଖଣ୍ଡନ କରିଛି। ତେବେ ଏକ ନିର୍ଭରଯୋଗ୍ୟ ଅନୁସନ୍ଧାନ ବିନା କିଏ ସତ କହୁଛି, ସେ ସମ୍ବନ୍ଧରେ ନିଶ୍ଚିତ ହେବା ସମ୍ଭବ ନୁହେଁ। କିନ୍ତୁ ସେଆର୍ ବଜାରରେ ଆଦାନି କମ୍ପାନିମାନଙ୍କର ସେଆର୍ ମୂଲ୍ୟରେ ଯେଉଁଭଳି ତୀକ୍ଷ୍ଣ ସ୍ଖଳନ ଘଟିଛି, ତାହା ଦେଖି ମନେହୁଏ ନିବେଶକମାନେ ହିଣ୍ଡେନ୍ବର୍ଗର ଅଭିଯୋଗକୁ କିଛି ମାତ୍ରାରେ ବିଶ୍ବାସ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ‘ଏଫ୍ପିଓ’ ପ୍ରତ୍ୟାହାର ପଦକ୍ଷେପ ଆଦାନି ଗ୍ରୁପ୍ ସମ୍ପର୍କରେ ଏକ ନୈତିକ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ‘ଏଫ୍ପିଓ’ ପ୍ରତ୍ୟାହାର ନିଶ୍ଚିତ ରୂପେ ଆଦାନି ଗ୍ରୁପ୍ର ଏକ ଉଚ୍ଚ ନୈତିକ ମୂଲ୍ୟବୋଧର ପରିଚାୟକ େହାଇଥାଏ। କିନ୍ତୁ ଯଦି ହିଣ୍ଡେନ୍ବର୍ଗ ଆକ୍ରମଣ ଘଟିନଥାନ୍ତା, ‘ଏଫ୍ପିଓ’ ପ୍ରତ୍ୟାହାର ପ୍ରଶ୍ନ ଉଠିନଥାନ୍ତା ଓ କାରବାର ଯଥାପୂର୍ବ ଚାଲିଥାନ୍ତା, ତେବେ ଆଦାନି ଗ୍ରୁପ୍ର ଆଚରଣକୁ ନୈତିକ ବିବେଚନା କରାଯାଆନ୍ତା ନା ଅନୈତିକ ବିବେଚନା କରାଯାଆନ୍ତା?
ବୋଧହୁଏ ଏ ପ୍ରଶ୍ନର ଉତ୍ତର ନିହିତ ଅଛି ଊନବିଂଶ ଶତାବ୍ଦୀର ବ୍ରିଟିସ୍ ଗଣିତଜ୍ଞ-ଦାର୍ଶନିକ ୱିଲିଅମ୍ କିଙ୍ଗ୍ଡନ୍ କ୍ଲିଫର୍ଡ ତାଙ୍କର ପ୍ରସିଦ୍ଧ ନିବନ୍ଧ, ‘ଦି ଏଥିକ୍ସ ଅଫ୍ ବିଲିଫ୍’ (‘ବିଶ୍ବାସର ନୈତିକତା’)ରେ ବ୍ୟବହାର କରିଥିବା ଏକ ରୂପ କଥାରେ। ଚିନ୍ତନ ପରୀକ୍ଷା ନିମିତ୍ତ ଉଦ୍ଦିଷ୍ଟ ଏହି କାଳ୍ପନିକ କାହାଣୀ ଅନୁସାରେ ଏକ ଜାହାଜର ମାଲିକ ତାଙ୍କ ଜାହାଜଟିକୁ ଦଳେ ଯାତ୍ରୀଙ୍କୁ ବହନ କରି ଏକ ଜଳଯାତ୍ରାରେ ପଠାଇବା ପୂର୍ବରୁ ଅବଗତ ଥିଲେ ଯେ ପୋତଟି କେତେକ ମରାମତି ଆବଶ୍ୟକ କରୁଥିଲା। କିନ୍ତୁ ମରାମତି େକବଳ ବ୍ୟୟସାପେକ୍ଷ ନୁହେଁ, ସମୟସାପେକ୍ଷ ମଧ୍ୟ ହୋଇଥାଏ, ଯେଉଁ ସମୟରେ ଜାହାଜଟିକୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ। ଅତଏବ ଜାହାଜଟି ନିରାପଦରେ ତା’ର ଯାତ୍ରା ସମ୍ପୂର୍ଣ୍ଣ କରିବା ନେଇ ମାଲିକଙ୍କ ମନରେ ସନ୍ଦେହ ଥିଲେ ମଧ୍ୟ ସେ ଈଶ୍ବର ଯାତ୍ରୀମାନଙ୍କୁ ରକ୍ଷା କରିେବ ବୋଲି ବିଶ୍ବାସ କରି ଜାହାଜଟିକୁ ଜଳଯାତ୍ରାରେ ପ୍ରେରଣ କରିଦେଲେ। ଈଶ୍ବର କିନ୍ତୁ ତାଙ୍କ ମନୋବାଞ୍ଛା ପୂରଣ କଲେ ନାହିଁ; ଜାହାଜଟି ମଝି ଦରିଆରେ ଡୁବିଗଲା ଓ ସମସ୍ତ ଯାତ୍ରୀ ସଲିଳ ସମାଧି ଲଭିଲେ। ଜାହାଜ ମାଲିକ ବୀମା କମ୍ପାନି ଠାରୁ ଏକ ବଡ଼ ଅଙ୍କର କ୍ଷତିପୂରଣ ପାଇଲେ। ଯଦି ପ୍ରଶ୍ନ ହୁଏ ଜାହାଜ ମାଲିକଙ୍କର ଏତାଦୃଶ ଆଚରଣ ନୈତିକ ଥିଲା ନା ଅନୈତିକ ଥିଲା, କେହି ଜଣେ ହେଲେ ମଧ୍ୟ ଦ୍ବିମତ ହେବେ ନାହିଁ ଯେ ଏହା ସମ୍ପୂର୍ଣ୍ଣ ରୂପେ ଅନୈତିକ ଥିଲା।
ଏଥର ମନେ କରାଯାଉ ଯେ ଜାହାଜଟି ପ୍ରକୃତରେ କିନ୍ତୁ ନିରାପଦରେ ତା’ର ଯାତ୍ରା ସମାପ୍ତ କରି ଫେରିଆସିଲା, ଯାତ୍ରୀମାନଙ୍କର କୌଣସି କ୍ଷତି ଘଟିଲା ନାହିଁ କିମ୍ବା ମାଲିକଙ୍କର ମଧ୍ୟ କୌଣସି କ୍ଷତି ଘଟିଲା ନାହିଁ। ଏଥର କୁହନ୍ତୁ ଜାହାଜ ମାଲିକଙ୍କର ଆଚରଣ ନୈତିକ ବା ଅନୈତିକ ଥିଲା? କ୍ଲିଫର୍ଡଙ୍କ ରାୟ ହେଲା- ଅନୈତିକ। କାରଣ, ସେ ଜାହାଜ ମାଲିକ ତାଙ୍କ ପୋତର ଦୁର୍ବଳତା ସମ୍ବନ୍ଧରେ ଅବଗତ ଥାଇ ମଧ୍ୟ ସେଇଟିକୁ ଜଳଯାତ୍ରାରେ ନିୟୋଜିତ କରି ଯାତ୍ରୀମାନଙ୍କୁ ସେମାନଙ୍କ ଅଗୋଚରରେ ବିପଦ ମୁହଁକୁ ଠେଲି ଦେଇଥିଲେ, ଯଦିବା ସୌଭାଗ୍ୟକ୍ରମେ ସେମାନେ ରକ୍ଷା ପାଇଗଲେ ଓ ଜାହାଜ ମାଲିକଙ୍କର ମନ୍ଦ ଉଦ୍ଦେଶ୍ୟ ଧରା ପଡ଼ିଲା ନାହିଁ। ହିଣ୍ଡେନ୍ବର୍ଗ ତୋଫାନ ଯୋଗୁଁ ଆଦାନି ଜାହାଜ ବୁଡ଼ିଯିବାରୁ ସେ ଧରାପଡ଼ିଛନ୍ତି; ଯଦି ଏହା ଘଟି ନ ଥାନ୍ତା, ତେବେ ସମସ୍ତ ଅନିୟମିତତା ସତ୍ତ୍ବେ ଆଦାନି ଜାହାଜ ତା’ର ଜଳଯାତ୍ରା ଅବ୍ୟାହତ ରଖିଥାନ୍ତା, ଯାହା କ୍ଲିଫର୍ଡଙ୍କ ବିଚାରରେ ହେଉଛି ଅନୈତିକ। ଧରାପଡ଼ିବା ପରେ ‘ଏଫ୍ପିଓ’ ପ୍ରତ୍ୟାହାର ସେଥିରେ କୌଣସି ପରିବର୍ତ୍ତନ ଘଟାଇବ ନାହିଁ।
ତେବେ ଏହା ମଧ୍ୟ ସତ ଯେ ହିଣ୍ଡେନ୍ବର୍ଗ ଝଡ଼ ବିଶାଳ ଆଦାନି ଶିଳ୍ପ ସାମ୍ରାଜ୍ୟର ଅସ୍ତିତ୍ବ ବିପନ୍ନ କରିପାରିବ ନାହିଁ। (ଏହି ସାମ୍ରାଜ୍ୟରେ ଅନ୍ତର୍ଭୁକ୍ତ ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇସ୍ରାଏଲରେ ବଡ଼ ବଡ଼ ପୋତାଶ୍ରୟମାନ, ଭାରତରେ ଥିବା ଶସ୍ୟ ସାଇତିବା ଗୋଦାମ କ୍ଷମତାର ୩୦ ଶତାଂଶ, ଭାରତରେ ବିଦ୍ୟୁତ୍ ସରବରାହ ଲାଇନ ସବୁର ଏକ-ପଞ୍ଚମାଂଶ; ବିମାନ ବନ୍ଦର କ୍ଷମତାର ଏକ-ଚତୁର୍ଥାଂଶ; ସିମେଣ୍ଟ ଉତ୍ପାଦନର ଏକ-ପଞ୍ଚମାଂଶ ଏବଂ ସିଙ୍ଗାପୁର ସହିତ ମିଳିତ ଉଦ୍ୟୋଗରେ ପ୍ରତିଷ୍ଠିତ ଭାରତର ବୃହତ୍ତମ ଖାଦ୍ୟ କମ୍ପାନି)। ଆଶା, ହିଣ୍ଡେନ୍ବର୍ଗ ଆଘାତରୁ ଶିକ୍ଷା ଲାଭ କଲା ପରେ ଆଦାନି ନିଜର ବିଶ୍ବାସ ଓ ଆଚରଣରେ ଏଭଳି ନୈତିକ ପରିବର୍ତ୍ତନ ଘଟାଇବେ ଯେମିତି ଏଣିକି ଆଉ କେବେ ହେଲେ ଦଦରା ଜାହାଜକୁ ଜଳଯାତ୍ରା ବ୍ୟବସାୟରେ ନିୟୋଜିତ କରିବେ ନାହିଁ।