ପାଟିରୁ ଖସିଗଲେ

ବିକଳ୍ପ ବିଶ୍ବ - ଭଗବାନପ୍ରକାଶ

ପ୍ରଥମ ଘରେ ନ ପଶୁଣୁ ଚାଳ ବାଜିଲା ଭଳି ଦେଶର ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି ଏକ ପୁରୁଣା ରାଜନୈତିକ ଦଳର ଦୁଇ ଜଣ ବରିଷ୍ଠ ସଭ୍ୟ। ଜଣେ ତାଙ୍କୁ ‘ଇଭିଲ୍‌ ସ୍ପିରିଟ୍‌’ ବା ଆସୁରିକ ପରମ୍ପରାର ପ୍ରତିନିଧି କହିଥିବା ବେଳେ ଆଉ ଜଣେ ତାଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ପରିହାସ କରିଛନ୍ତି। ଦ୍ବିତୀୟ ଜଣକ କ˚ଗ୍ରେସ ନେତା ଅଧୀର ର˚ଜନ ଚୌଧୁରୀ- ଏବେ ଲୋକସଭା ସଦସ୍ୟ। ଏହି ବିଷୟ ନେଇ ଓଡ଼ିଶା ବିଧାନସଭା ଓ ଭାରତ ପାର୍ଲାମେଣ୍ଟ୍‌ରେ ପ୍ରବଳ ପ୍ରତିବାଦର ଝଡ଼ ସୃଷ୍ଟି ହେବା ପରେ ଅଧୀର ର˚ଜନ ନିଜ ଆଶାଳୀନ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଦ୍ରୌପଦୀଙ୍କୁ କ୍ଷମା ମାଗିଛନ୍ତି ଏବ˚ କହିଛନ୍ତି ଯେ ସେ ଜାଣିଶୁଣି ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିନାହାନ୍ତି। ଏହା ପ୍ରକୃତରେ ଥିଲା ତାଙ୍କର ‘ସ୍ଲିପ୍‌ ଅଫ୍‌ ଟଙ୍ଗ୍‌’, ଅର୍ଥାତ୍‌ ପାଟିରୁ ଖସିଯାଇଥିଲା। ଦ୍ରୌପଦୀ ନିଜର ପଦମର୍ଯ୍ୟାଦା ରକ୍ଷା କରି ଏ ପର୍ଯ୍ୟନ୍ତ ଶାନ୍ତ ରହିଛନ୍ତି।

ମହାଭାରତରେ ପାଣ୍ତବ ପତ୍ନୀ ଦ୍ରୌପଦୀ ଥିଲେ ଏକ ମର୍ଯ୍ୟାଦାବନ୍ତ ସ୍ବାଭିମାନୀ ମହିଳା। ତାଙ୍କ ବସ୍ତ୍ର ହରଣ ଉଦ୍ୟମ କାରଣରୁ କୌରବମାନଙ୍କ ବ˚ଶ ନାଶ ହୋଇଥିଲା। ତାଙ୍କ ପ୍ରତି ଯେଉଁମାନେ ଅପଶବ୍ଦ ପ୍ରୟୋଗ କରିଥିଲେ ଓ ଯେଉଁମାନେ ଏସବୁ ଦେଖି ଶୁଣି ପ୍ରତିବାଦ ନ କରି ଚୁପ୍‌ ରହିଥିଲେ, ସେ ସମସ୍ତେ ଯୁଦ୍ଧ ହାରିଯାଇଥିଲେ ଓ ପ୍ରାଣ ହରାଇଥିଲେ। ସେଇ ପରିପ୍ରେକ୍ଷୀରେ ଅଧୀର ର˚ଜନ ସର୍ବସାଧାରଣରେ ବ୍ୟକ୍ତିଗତ ଭାବରେ ମାନନୀୟା ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିବା ବିଳମ୍ବିତ ହେଲେ ବି ଏକ ଉଚିତ ନିଷ୍ପତ୍ତି। ଆମ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁଠାରେ ନାରୀଙ୍କୁ ସମ୍ମାନ ଓ ପୂଜା କରାଯାଏ, ‘ରମନ୍ତି ତତ୍ର ଦେବତା।’ ଆମର ମାନ୍ୟବର ବିଧାୟକ ଓ ସା˚ସଦମାନେ ଏ ବିଷୟରେ ସଦା ସତର୍କ ରହିବା ଆବଶ୍ୟକ। ଏଥିପାଇଁ ତାଲିମ ଆବଶ୍ୟକ। ଦକ୍ଷ ନେତା ହେବା ପାଇଁ ଭାଷା ଉପରେ ସଂଯମ ଓ ଦକ୍ଷତା ପ୍ରଥମ ଆବଶ୍ୟକତା।

ବିଶିଷ୍ଟ ଦାର୍ଶନିକ ଓ ରାଜନୀତିଜ୍ଞ ତଥା ଯୁକ୍ତରାଷ୍ଟ୍ର ଆମେରିକାର ଜନକ ଭାବେ ସମ୍ମାନିତ ବେନ୍‌ଜାମିନ୍‌ ଫ୍ରାଙ୍କ୍‌ଲିନ୍‌ (୧୭୦୬-୧୭୯୦)ଙ୍କ ମତରେ ଗୋଡ଼ ଖସିଯିବା ଅପେକ୍ଷା ପାଟିରୁ କଥା ଖସିଯିବା ଅଧିକ ମାରାତ୍ମକ। ଯେପରିକି ଧନୁରୁ ଥରେ ଶର ବାହାରିଗଲେ ଆଉ ଫେରେ ନାହିଁ। ମୁହୂର୍ତ୍ତକରେ ଆମର ଅନ୍ୟ ପ୍ରତି କ୍ରୋଧ ଓ ଅସଦ୍‌ଭାବନା ଶବ୍ଦ ରୂପ ନେଇ ଆଘାତ କରିଥାଏ। କଠୋର ବଚନ ଓ କଟାକ୍ଷ ଜିହ୍ବାକୁ ବିଷାକ୍ତ କରିଦିଏ। ଶାସ୍ତ୍ରରେ ଉକ୍ତି ଅଛି- ଲକ୍ଷ୍ମୀ ବସତି ଜିହ୍ବାଗ୍ରେ – ଜିହ୍ବାଗ୍ରେ ମିତ୍ର ବାନ୍ଧବାଃ/ଜିହ୍ବାଗ୍ରେ ଶତ୍ରୁ ମିତ୍ରାଣି – ଜିହ୍ବାଗ୍ରେ ବିଷମ ମୃତମ୍‌। ତିନି ଇଞ୍ଚିଆ ଜିଭ ଅଗରେ ଅଛି ଅମୃତ ଓ ବିଷ, ଶତ୍ରୁ ଓ ମିତ୍ର, ସୁଖ ଓ ଦୁଃଖ, ବନ୍ଧନ ଓ ମୁକ୍ତି।

ତେଣୁ ଆମେ ସେ ଜିଭକୁ କେମିତି ବ୍ୟବହାର କରିବା, ତା ଉପରେ ଆମ ପାରିବାରିକ, ସାମାଜିକ ଓ ରାଜନୈତିକ ସମ୍ପର୍କ ନିର୍ଭର କରିବ। ଏବେ ବିକଳ୍ପ ଚିକିତ୍ସା ବିଶାରଦମାନେ ଏହାକୁ କହୁଛନ୍ତି ‘ଟକ୍‌ ଥେରାପି।’ ଯେଉଁ ଡାକ୍ତରମାନେ ରୋଗୀ ସହ ଭଲ ଭାବରେ କଥା ହୁଅନ୍ତି, ତାଙ୍କ ଔଷଧ ଭଲ କାମ କରେ। ସନ୍ଥ କବୀର କହନ୍ତି ଏପରି ବାଣୀ ବୋଲ ଯାହା ନିଜର ଓ ଅନ୍ୟର ମନକୁ ଶୀତଳ କରେ। କେବଳ ଶବ୍ଦର ଅପବ୍ୟବହାର ଯୋଗୁଁ ଆମ ଜୀବନରେ ଅନେକ ଦୁର୍ଘଟଣା ଘଟିଥାଏ। ତେଣୁ ମାପିଚୁପି, ଭାବିଚିନ୍ତି ମନ୍ତବ୍ୟ ପ୍ରକାଶ କଲେ ଜୀବନର ଅନେକ ସମସ୍ୟାର ସମାଧାନ ମନକୁ ମନ ହୋଇଯାଏ।

ସେଇଥି ପାଇଁ ବୋଧହୁଏ ଈଶ୍ବର ଆମକୁ ଦି’ଟା କାନ ଓ ଗୋଟିଏ ପାଟି ଦେଇଛନ୍ତି ଏବ˚ ଭାଷାକୁ ନିୟନ୍ତ୍ରଣରେ ରଖିବାକୁ ଜିଭ ଦେଇଛନ୍ତି। ଗୌତମ ବୁଦ୍ଧ ରସନା ସ˚ଯତ ପାଇଁ ମୌନ ବ୍ରତ ରଖିବାକୁ କହିଛନ୍ତି। ଗାନ୍ଧୀ ପ୍ରତ୍ୟେକ ସୋମବାର ମୌନ ରହୁଥିଲେ। ସେଦିନ କାହା ସହ କଥା ହେଉ ନ ଥିଲେ। ନିହାତି ଜରୁରୀ ଆବଶ୍ୟକତା ପଡ଼ିଲେ କାଗଜ କଲମର ସାହାଯ୍ୟ ନେଉଥିଲେ। ସେ ଦିନ ସେ ପ୍ରାତଃ ଭ୍ରମଣରେ ବି ଯାଉ ନ ଥିଲେ ଏବ˚ ବାକି ପଡ଼ିଥିବା କାମ ସବୁ ସାରୁଥିଲେ। ଥରେ ସାମ୍ବାଦିକମାନେ ପଚାରିଲେ- ଲୋକଙ୍କ ପାଇଁ କିଛି ବାର୍ତ୍ତା ଦିଅନ୍ତୁ। ଗାନ୍ଧୀ ପାଞ୍ଚଟି ଶବ୍ଦରେ ତାର ଉତ୍ତର ଦେଇ କହିଥିଲେ- ‘ମାଇ ଲାଇଫ୍‌ ଇଜ୍‌ ମାଇ ମେସେଜ୍‌- ଅର୍ଥାତ୍ ମୋ ଜୀବନ ହେଉଛି ମୋ ବାର୍ତ୍ତା।’ ସେ ଭାବୁଥିଲେ ଯେ ମିଛ କଥା, ସତ କଥା ଠାରୁ ଆଗ ମୁହଁରୁ ବାହାରିଯାଏ। ଏବ˚ ଯେଉଁ ଲୋକ ବେଶି କଥା ହୁଅନ୍ତି, ସେ କଥାରେ ସତ ଅପେକ୍ଷା ବେଶି ମିଛ ଥାଏ। ସାଇଲେନ୍‌ସ ବା ନିରବତା ଶବ୍ଦ ଓ ବାକ୍ୟକୁ ଜିଭ ତଳେ ବନ୍ଦୀ କରି ରଖେ। ପାଟିରୁ ଖସିବାକୁ ଦିଏ ନାହିଁ। ସେଇ ପାଟି ବି ବେଳେ ବେଳେ ପାଟି କରେ। ବିଜ୍ଞ ଲୋକମାନେ ତାକୁ ନିରବତାର ଅସ୍ତ୍ର ଦ୍ବାରା ନିୟନ୍ତ୍ରଣ କରିଥାନ୍ତି। ମୁଖରତାକୁ ମୁଖ ଜେଲ୍‌ଖାନାରେ କଇଦୀ କରି ଦିଅନ୍ତି।

ବୁଦ୍ଧ କହୁଥିଲେ ଯୁକ୍ତି, ତର୍କ, ବିତଣ୍ତା କରୁଥିବା ଲୋକଙ୍କୁ ଉତ୍ତର ଦେବା ପାଇଁ ଅଯଥା ସମୟ ନଷ୍ଟ କର ନାହିଁ। ପ୍ରକୃତ ଉତ୍ତର ନିରବ ରହିବା। ଯେଉଁମାନେ ପ୍ରଗଳ୍‌ଭ ଓ ବାଚାଳ ବା ପ୍ରଳାପ କରନ୍ତି, ଯେଉଁମାନେ କ୍ରୋଧୀ ଓ ପରନିନ୍ଦା କରନ୍ତି, ଯେଉଁମାନେ ଉଚ୍ଚ ସ୍ବରରେ କଥାଭାଷା ହୁଅନ୍ତି, ଯେଉଁମାନଙ୍କ କଥା ଶୁଣିଲେ ବିରକ୍ତ ଲାଗେ, ରାଗ ଲାଗେ, ଯେଉଁମାନଙ୍କ ଦେଶ, କାଳ, ପାତ୍ର ଜ୍ଞାନ ନ ଥାଏ, ସେମାନଙ୍କ ଆଗରେ ମୌନ ରୁହ ବା ସେ ସ୍ଥାନ ତ୍ୟାଗ କର। କାରଣ ସେମାନଙ୍କୁ ଯୁକ୍ତିରେ ଜିତି ପାରିବ ନାହିଁ। ଆମ ଦେଶରେ ମୂର୍ଖ ଓ ମୁଖରଙ୍କ ସ˚ଖ୍ୟା କ୍ରମେ ବଢ଼ିବାରେ ଲାଗିଚି। ‘ଦର୍ଦ୍ଦୁର ରାବ ଶୁଣି ନିରବ ପିକ; ମୂର୍ଖ ସଭାରେ ମୂକ ଯଥା ଧାର୍ମିକ।’ ଅର୍ଥାତ୍‌ ବେଙ୍ଗ ଯାହାଙ୍କ ରଡ଼ି ଆଗରେ କୋଇଲି ବି ମଉନ ପଡ଼ିଯିବା ଭଳି ମୂର୍ଖଙ୍କ ସଭାରେ ଧାର୍ମିକ ନିରବ ରହେ।

ବିଧାନସଭା ଓ ପାର୍ଲାମେଣ୍ଟରେ ସଦସ୍ୟମାନଙ୍କ ଉଚ୍ଚାରଣ ଓ ଆଚରଣକୁ ନିୟନ୍ତ୍ରଣ କରନ୍ତି ବାଚସ୍ପତି। ଅଧୀର ର˚ଜନଙ୍କ ଭଳି ଏବେ କର୍ଣ୍ଣାଟକ ବିଧାନସଭାରେ ଜଣେ ସଦସ୍ୟ ରେପ୍‌ ବା ବଳାତ୍କାର ଉପରେ ଦେଇଥିବା ଏକ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟକୁ ବିବରଣୀରେ ସ୍ଥାନ ଦିଆଗଲା ନାହିଁ- ଯେମିତି ଠେଙ୍ଗୁଆ, ବିଧବା, ରାଣ୍ତ, ବିକଳାଙ୍ଗ, ଅନ୍ଧ, କାଲା ଭଳି ଶବ୍ଦ। ମାନ୍ୟବରମାନେ କେଉଁ ଶବ୍ଦ, ବାକ୍ୟ, ଭାଷା ବ୍ୟବହାର କରିପାରିବେ ନାହିଁ, ଲୋକସଭା ସେକ୍ରେଟାରିଏଟ୍‌ ତା’ର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି। ଏହାକୁ ସା˚ସଦମାନଙ୍କ ମୁହଁ ବନ୍ଦ କରିବା ପାଇଁ ଏକ ଷଡ୍‌ଯନ୍ତ୍ର ବୋଲି ମଧ୍ୟ ପ୍ରତିବାଦ ହେଲାଣି। ସେଇ ତାଲିକାରେ ସହସ୍ରାଧିକ ନିଷିଦ୍ଧ ଶବ୍ଦମାନ ଅଛି ଓ ନୂଆ ଯୋଡ଼ାଯାଉଚି। ଏଠାରେ ତା’ର କେତେ ଗୋଟି ଉଦାହରଣ: ଜୁମ୍‌ଲାଜୀବୀ (ଯେଉଁମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରନ୍ତି), କୋଭିଡ୍‌ ପ୍ରସାରକ, ଦୁର୍ନୀତିଗ୍ରସ୍ତ, ବିନାଶ ପୁରୁଷ, ମିଛୁଆ, ତାନାଶାହ (ଏକଛତ୍ରବାଦୀ), ଫ୍ରଡ୍‌ (ଧୋକେବାଜ), ହିପୋକ୍ରାଟ୍‌, ହୁଲିଗାନ୍‌, ଡ୍ରାମାବାଜ୍‌, ଶକୁନୀ, ଖାଲିସ୍ତାନୀ, ବିଶ୍ବାସଘାତୀ, ଚାମଚାଗିରି, ଖୁନ୍‌ସେ କ୍ଷେତି (ରକ୍ତରେ ଖେଳୁଥିବା ବ୍ୟକ୍ତି) ଇତ୍ୟାଦି। ତେଣୁ ଭାଷା ଓ ଶବ୍ଦ ବ୍ୟବହାର ବେଳେ ଅତ୍ୟନ୍ତ ସତର୍କ ହେବାକୁ ପଡ଼େ। ଅନେକ ସମୟରେ ଆମେ ଅତ୍ୟନ୍ତ ଉତ୍ତେଜିତ ହୋଇ ଏହିଭଳି ବର୍ଜିତ ଶବ୍ଦ ଓ ବିଶେଷଣମାନ ପ୍ରୟୋଗ କରି ପଶ୍ଚାତ୍ତାପ କରୁ। ‘ସ୍ଲିପ୍‌ ଅଫ୍‌ ଟଙ୍ଗ୍‌’ ଭଳି ଆଉ ଏକ ଅଭିବ୍ୟକ୍ତିକୁ ଇଂରେଜୀରେ କହନ୍ତି- ‘ଟଙ୍ଗ୍‌ ଇନ୍‌ ଚିକ୍‌’ ବା ଗାଲ ଭିତରେ ଜିଭ ରଖି ବ୍ୟକ୍ତିଗତ ଥଟ୍ଟା, ତାମସା, ମଜାକ୍‌ ଆଦି କରିବା।

ପରିବାର କୈୖନ୍ଦ୍ରିକ ଭାରତୀୟ ସମାଜରେ ଗୋଟିଏ ବିବାହ ଦ୍ବାରା ଅନେକ ସମ୍ପର୍କ ସୃଷ୍ଟି ହୁଏ- ଯଥା ପିତା-ମାତା, କକା-ଖୁଡ଼ୀ, ଦଦେଇ-ଦେଠେଇ, ମଉସା-ମାଉସୀ, ପିଇସା-ପିଇସୀ, ଅଜା-ଆଈ, ଭାଇ-ଭାଉଜ, ମାମୁ-ମାଈଁ, ନନା-ନାନୀ, ନଣନ୍ଦ-ଦିଅର ଇତ୍ୟାଦି। ସେ ସବୁ ଲିଙ୍ଗ ସମ୍ବେଦନଶୀଳ ବା ଜେଣ୍ତର ସେନ୍‌ସିଟିଭ୍‌ ନୁହେଁ। ଜଣେ ମହିଳା କୌଣସି ସ˚ସ୍ଥାର ପ୍ରେସିଡେଣ୍ଟ୍‌ ହେଲେ ଆମେ ତାଙ୍କୁ କହେ ସଭାପତି; ସଭାପତ୍ନୀ ନୁହେଁ। ଏବେ ଚେୟାରମ୍ୟାନ୍‌ ବଦଳରେ କୁହାଯାଉଛି ଚେଆରପର୍ସନ୍‌। କିନ୍ତୁ… ସବୁ ବିଦେଶୀ ଶବ୍ଦର ପ୍ରତିଶବ୍ଦ ନ ଥାଏ। ସେଇ ସ˚ଜ୍ଞା ସମ୍ପର୍କ ଓ ସମ୍ବୋଧନକୁ ଆମେ କର୍ମ କ୍ଷେତ୍ରରେ ପ୍ରୟୋଗ କଲେ ବେଳେ ବେଳେ ବିଭ୍ରାନ୍ତି ସୃଷ୍ଟି ହୁଏ।

ଇଂରେଜୀ ଭାଷାରେ କେବଳ ଅଙ୍କଲ୍‌ ଓ ଆଣ୍ଟି କହିଦେଲେ ତା ମଧ୍ୟରେ ଅନେକ ସମ୍ପର୍କ ଲୁଚିଯାଏ। ସେଇ କାରଣରୁ ରାଷ୍ଟ୍ରପତି ନାମରେ ଥିବା ‘ପତି’ ପୁଲିଙ୍ଗ ହେଇଥିବାରୁ ପତ୍ନୀ ଶବ୍ଦଟି ମନକୁ ହୁଏ’ତ ଆସିପାରେ। କିନ୍ତୁ ପତି ଶବ୍ଦଟିର ଅର୍ଥ କେବଳ ସ୍ବାମୀ ନୁହେଁ; ଏହାର ଅର୍ଥ ମଧ୍ୟ ପ୍ରଭୁ। ଏହି ଅର୍ଥରେ ପତି ବା ପ୍ରଭୁ ଲିଙ୍ଗ ବିଚାରରୁ ଊର୍ଦ୍ଧ୍ବରେ। ମହାତ୍ମା ଗାନ୍ଧୀଙ୍କୁ ଯେତେବେଳେ ରାଷ୍ଟ୍ର ପିତା କୁହାଗଲା, କିଛି ଲୋକ ପଚାରିଥିଲେ କିଏ ରାଷ୍ଟ୍ରମାତା?

ଏବେ ଲିଙ୍ଗ ସଚେତନ ବ୍ୟକ୍ତିମାନେ ହଜ୍‌ବ୍ୟାଣ୍ତ୍‌-ଵାଇଫ୍‌ ବା ପତି-ପତ୍ନୀ ସ˚ଜ୍ଞା ବ୍ୟବହାର ନ କରି କହୁଛନ୍ତି ସ୍ପାଉଜ୍‌। ଇଣ୍ତୋନେସିଆ ସମେତ କେତେକ ଦକ୍ଷିଣ ପୂର୍ବ ଏସୀୟ ଦେଶରେ ବିବାହିତ ମହିଳାଙ୍କୁ କହନ୍ତି ‘ଧର୍ମବନିତା’। ସେମିତି ପିତାମାତାଙ୍କୁ ଗୋଟିଏ ଇଂରେଜୀ ଶବ୍ଦରେ କୁହାଯାଏ- ପ୍ୟାରେଣ୍ଟ୍‌। ପ୍ରାଚୀନ କାଳରେ ଭାରତରେ ସ୍ତ୍ରୀମାନେ ସ୍ବାମୀଙ୍କୁ ‘ଆର୍ଯ୍ୟ’ ବୋଲି ସମ୍ବୋଧନ କରୁଥିବାବେଳେ, ସ୍ବାମୀ ନିଜ ସ୍ତ୍ରୀଙ୍କୁ ‘ଦେବୀ’ ବୋଲି ଡାକୁଥିଲେ। ଅତୀତରେ ଜଣେ ଓଡ଼ିଆ ଅନୁବାଦକ ଓ ସ୍ପିଚ୍‌ ରାଇଟର‌୍‌ ଇଂରେଜୀ ଶବ୍ଦ ଡିଅର‌୍‌ ଲେଡିଜ୍‌ ଆଣ୍ତ୍‌ ଜେଣ୍ଟଲ୍‌ମ୍ୟାନ୍‌କୁ- ‘ମୋର ପ୍ରିୟ ସ୍ତ୍ରୀ ଓ ପୁରୁଷମାନେ’ ଭାବରେ ଅନୁବାଦ କରି ହାସ୍ୟାସ୍ପଦ ହେଇଥିଲେ। ଭାଷାକୁ ଠିକ୍‌ ଭାବରେ ପ୍ରକାଶ କରି ନ ପାରିଲେ ବା ଉଦ୍ଦେଶ୍ୟମୂଳକ ଭାବରେ ବ୍ୟବହାର କଲେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରେ। ଭାରତ ଏକ ବହୁଭାଷୀ ଦେଶ ହେଇଥିବାରୁ ଏବ˚ ଏଠି ରାଜ୍ୟମାନ ଭାଷା ଭିତ୍ତିରେ ସୃଷ୍ଟି ହୋଇଥିବାରୁ ସା˚ସଦମାନେ ଶବ୍ଦ ଚାଳନା କୌଶଳରେ ପୋଖତ ହେବା ଆବଶ୍ୟକ।

କୁରୁ ରାଜକୁମାର ଦୁର୍ଯ୍ୟୋଧନ ପାଣ୍ତବଙ୍କ ନବନିର୍ମିତ ରାଜପ୍ରାସାଦରେ ଗୋଡ଼ ଖସି ପଡ଼ିଯିବାରୁ ଦ୍ରୌପଦୀ ହସି ହସି ମଜା କରି ମନ୍ତବ୍ୟ ଦେଇ କହିଥିଲେ- ଅନ୍ଧର ପୁଅ ଅନ୍ଧ। ଏହି ପରିହାସରେ ଶ୍ବଶୁର ଧୃତରାଷ୍ଟ୍ର ପ୍ରତି କଟାକ୍ଷ ଓ ଭିନ୍ନକ୍ଷମଙ୍କ ପ୍ରତି ଅସମ୍ମାନ ଥିଲା। କୁରୁ ପାଣ୍ତବଙ୍କ କଳି ଓ ଯୁଦ୍ଧ ପାଇଁ କୁହୁଳୁଥିବ ନିଆଁରେ ଏହା ଘିଅ ଭଳି କାମ କରିଥିଲା। ଏହିପରି ଅନେକ ଦୃଷ୍ଟାନ୍ତ ଅଛି। ଏହି ପରିପ୍ରେକ୍ଷୀରେ, ପ୍ରାଇମ୍‌ ମିନିଷ୍ଟରଙ୍କୁ ଆମେ ଯେପରି ପ୍ରଧାନମନ୍ତ୍ରୀ କହୁଚେ ସେହିପରି ଭବିଷ୍ୟତରେ ଦେଶର ପ୍ରେସିଡେଣ୍ଟଙ୍କୁ ରାଷ୍ଟ୍ରପତି ନକହି ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ରାଧ୍ୟକ୍ଷ ବୋଲି କହିଲେ ଅଧିକ ଯୁକ୍ତିଯୁକ୍ତ ହେବ। ସାଧୁ ସାବଧାନ। ପାଟିରୁ ଖସିଗଲେ ମହାଭାରତ।
ମୋ: ୯୯୩୭୦୨୭୦୧୭

ସମ୍ବନ୍ଧିତ ଖବର