ନ’ଅଙ୍କ ଦୁର୍ଭିକ୍ଷର ଦର୍ପଣରେ

ସାମାନ୍ୟ କଥନ - ପ୍ରୀତୀଶ ଆଚାର୍ଯ୍ୟ

ଓଡ଼ିଶା ଇତିହାସରେ ନ’ଅଙ୍କ ଦୁର୍ଭିକ୍ଷ (୧୮୬୬) ହେଉଛି ଏକ ଅବିସ୍ମୃତ ଘଟଣା। ଆଞ୍ଚଳିକ ସମାଜ, ରାଜନୀତି, ସଂସ୍କୃତି ଓ ଶିକ୍ଷାରେ ଏହାର ନାହିଁ ନ ଥିବା ପ୍ରଭାବ। ଦୁର୍ଭିକ୍ଷ ଜନିତ ଅନାହାର ମୃତ୍ୟୁରେ ଦଶ ଲକ୍ଷରୁ ଅ‌ଧିକ ଲୋକ ପୋକମାଛି ଭଳି ମଲେ। ସାମାନ୍ୟ ପାଣି ଓ ଚାରା ଅଭାବରୁ ମରିଥିବା ଗୃହପାଳିତ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ସଂଖ୍ୟା ତିରିଶ ଲକ୍ଷରୁ ଊଣା ନୁହେଁ ବୋଲି ଫକୀର ମୋହନ ଲେଖିଛନ୍ତି। ଫକୀର ମୋହନ ଥିଲେ ନ’ଅଙ୍କ ଦୁର୍ଭିକ୍ଷର ଜଣେ ପ୍ରତ୍ୟକ୍ଷଦର୍ଶୀ। ଦୁର୍ଭିକ୍ଷ ପରେ ତାଙ୍କ ଭଳି ଓଡ଼ିଶାର ହାତ ଗଣତି ନବ ଶିକ୍ଷିତ ରାଜ୍ୟରେ ଶିକ୍ଷାର ବିସ୍ତାରକୁ ବଳ ଦେଲେ; କାରଣ ସେମାନେ ଜାଣିପାରିଲେ ଯେ ଲୋକ ଶିକ୍ଷିତ ହେଲେ ଯାଇ ଏଭଳି ବିଷମ ସ୍ଥିତିର ମୁକାବିଲା କରିପାରିବେ; ସେମାନଙ୍କୁ ପୋକମାଛି ଭଳି ଅପାଙ୍‌କ୍ତେୟ ମନେ କରାଯିବ ନାହିଁ। ଦୁର୍ଭିକ୍ଷ ଭଳି ଦୁଃସମୟରେ ମଧ୍ୟ ଜାତି ବ୍ୟବସ୍ଥାର ଚେର ଦୃଢ଼ ହୋଇ ରହିଥିଲା। ଶିକ୍ଷା ଦ୍ବାରା ଏହି ଚେରକୁ ହୁଗୁଳା କରିହେବ ବୋଲି ଆଶା କରାଗଲା। ଏଭଳି ଧାରଣା ମଧ୍ୟ ହେଲା ଯେ ଓଡ଼ିଆ ଭାଷା-ଭାଷୀ କ୍ଷେତ୍ର ସବୁ ଗୋଟାଏ ପ୍ରଶାସନିକ କ୍ଷେତ୍ରରେ ରହିଲେ ଲୋକଙ୍କର ନ୍ୟାଯ୍ୟ ଦାବିକୁ ଅଣଦେଖା କରାଯିବ ନାହିଁ। ତେଣୁ ଓଡ଼ିଆ ଭାଷୀ କ୍ଷେତ୍ରଗୁଡ଼ିକର ପ୍ରଶାସନିକ ଏକତ୍ରୀକରଣ ପାଇଁ ‘ଓଡ଼ିଆ ଆନ୍ଦୋଳନ’ ଚାଲିଲା, ଯାହା ସମୟ କ୍ରମରେ (୧୯୨୦ରେ) ଜାତୀୟତା ଆନ୍ଦୋଳନରେ ଏକୀଭୂତ ହେଲା।

ନ’ଅଙ୍କ ଦୁର୍ଭିକ୍ଷ ନା ଓଡ଼ିଶାର ପ୍ରଥମ ଦୁର୍ଭିକ୍ଷ ଥିଲା, ନା ଥିଲା ଶେଷ! ଏହା ପରେ ୧୮୯୮-୯୯, ୧୯୦୭-୦୮ ଏବଂ ୧୯୧୮ରେ ଦୁର୍ଭିକ୍ଷ ଦେଖିବାକୁ ମିଳିଥିଲା। ସ୍ବାଧୀନତା ଉତ୍ତାରୁ ମଧ୍ୟ ୧୯୮୦ ଦଶକରେ କଳାହାଣ୍ଡିରେ ଅନାହାର ମୃତ୍ୟୁ ଏବଂ ୨୦୧୬ରେ କୁପୋଷଣ ଜନିତ ‘ନଗଡ଼ା’ ମୃତ୍ୟୁ (ଯାଜପୁର ଜିଲ୍ଲା) ଦେଖିବାକୁ ମିଳିଛି। ଏହି କାରଣରୁ ଦେଢ଼ ଶହ ବର୍ଷରୁ ଅଧିକ ହେଲେ ସୁଦ୍ଧା ନ’ଅଙ୍କ ଦୁର୍ଭିକ୍ଷକୁ ନେଇ ବିଚାର-ଆଲୋଚନା ତା’ର ପ୍ରାସଙ୍ଗିକତା ହରାଇ ନାହିଁ। ଏହାକୁ ଦୃଷ୍ଟିରେ ରଖି ନିକଟରେ ବିଦ୍ୟୁତ୍‌ ମହାନ୍ତି ଏକ ଉଚ୍ଚମାନର ଗବେଷଣା ପୁସ୍ତକ ଲେଖିଛନ୍ତି, ଯାହାର ଶୀର୍ଷକ- ‘ଏ ହଣ୍ଟିଂ ଟ୍ରାଜେଡି: ଜେଣ୍ଡର, କାଷ୍ଟ ଏଣ୍ଡ କ୍ଲାସ ଇନ୍‌ ଦ ୧୮୯୬ ଓଡ଼ିଶା।’ ପୁସ୍ତକର ବିଶେଷତ୍ବ ହେଲା ଜାତି, ବର୍ଗ ଏବଂ ଲିଙ୍ଗ ଆଧାରରେ ଦୁର୍ଭିକ୍ଷର ପ୍ରଭାବକୁ ଏହା ରେଖାଙ୍କିତ କରିବାର ଚେଷ୍ଟା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଦୁର୍ଭିକ୍ଷରେ ମୃତକଙ୍କ ସଂଖ୍ୟା ଅସୁମାରି। ଏ କଥା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ଅଧିକାଂଶ ମୃତକ ଥିଲେ ‘ତଳ’ ଜାତିର ଏବଂ ନିମ୍ନ ବର୍ଗର। ପୁଣି, ଆଉ ଟିକେ ତଳେଇ ଦେଖିଲେ, ସେମାନଙ୍କ ମଧ୍ୟରୁ ବି ଅଧିକାଂଶ ଥିଲେ ମହିଳା। ଏବେ ଏହାର ଏକ ସମାନ୍ତରାଳ ଭାବେ ଆମେ ସାଂପ୍ରତିକ ସମୟର ‘କରୋନା’ ପ୍ରକୋପକୁ ଏକ ଉଦାହରଣ ରୂପେ ନେଇପାରିବା। କରୋନା କାଳରେ ପିଲାଙ୍କ ପାଠପଢ଼ା ବ୍ୟାହତ ହେଲା। ମାତ୍ର ଦରିଦ୍ର ବର୍ଗର ଏବଂ ‘ତଳ’ ଜାତିର ପିଲାଙ୍କୁ ଅନ୍ୟ ତୁଳନାରେ ଅଧିକ କ୍ଷତି ସହ୍ୟ କରିବାକୁ ପଡ଼ିଲା। ପୁଣି, ସେମାନଙ୍କ ମଧ୍ୟରେ ବି ଝିଅ ପିଲାଙ୍କ କ୍ଷତି ଅଧିକ ହେଲା। ଅର୍ଥାତ୍‌ ଯେଉଁଠି ଝିଅ ଦରିଦ୍ର ବର୍ଗର ଏବଂ ‘ତଳ’ ଜାତିର ସେଠାରେ କରୋନାର କ୍ରୂରତମ ପ୍ରାଦୁର୍ଭାବ। ଦୁର୍ଭିକ୍ଷ ବା ମହାମାରୀ ବା ଯୁଦ୍ଧ; ସବୁ ଦୁଃସମୟର ଏହା ହିଁ ଏକ ଦୁଃଖଦ ବାସ୍ତବତା।

ନ’ଅଙ୍କ ଦୁର୍ଭିକ୍ଷ ଉତ୍ତାରୁ ଓଡ଼ିଶାର ଶବ୍ଦକୋଷରେ ‘ଛତ୍ରଖିଆ’ ବୋଲି ଏକ ନୂଆ ଶବ୍ଦ ଯୋଡ଼ି ହେଲା। ‘ଜଳଛତ୍ର’, ‘ଅନ୍ନଛତ୍ର’ ଆଦି ଶବ୍ଦ ଆମର ଆଗରୁ ରହିଛି। ମାତ୍ର ‘ଛତ୍ରଖିଆ’ ହେଉଛି ସମସ୍ତ ଲଜ୍ଜା, ଅପମାନ ତଥା କୁଳ, ଗୋତ୍ର ଆଦିର ଅଲଂଘ୍ୟ ବନ୍ଧନକୁ ଏଡ଼ି ପେଟ ବିକଳରେ ମାଗଣା ଭୋଜନ ପାଇଁ ହାତ ପତେଇଥିବା ବ୍ୟକ୍ତି। ବ୍ୟକ୍ତିର ଜୀବନ ସଂଘର୍ଷକୁ ସମାଜ ଦେଖେନା; ବରଂ ଅଧିକ ଲଜ୍ଜା ଓ ଅପମାନ ଦେଇ ତାକୁ ବର୍ଜନ କରେ। ପୁସ୍ତକ‌ର ଲେଖକ ଦର୍ଶାଇଛନ୍ତି ଯେ ‘ଛତ୍ରଖିଆ’ମାନେ ଜାତି ଅନୁକ୍ରମରେ ସବା ତଳର ଦଳିତ ମାନଙ୍କ ଠାରୁ ମଧ୍ୟ ତଳେ ସ୍ଥାନ ପାଇଲେ। ସେଇ ଅନୁସାରେ ଦଳିତ ଜାତିର ‘ଛତ୍ରଖିଆ’ର ସ୍ଥିତି ଆହୁରି ତଳକୁ ଖସିଗଲା। କେବଳ ଓଡ଼ିଶା ନୁହେଁ, ଏହା ସମଗ୍ର ଭାରତୀୟ ସମାଜରେ ରହିଥିବା ଜାତି ବ୍ୟବସ୍ଥାର କ୍ରୂରତାର ନିଦର୍ଶନ! ପ୍ରାୟତଃ ‘ଛତ୍ର’ର ଆୟୋଜକ ଥିଲେ ସରକାର ଏବଂ ଅଳ୍ପ କିଛି ଖ୍ରୀଷ୍ଟିଆନ ମିସ୍‌ନାରି ବା ପାଦ୍ରୀ। କେହି କେହି କହନ୍ତି ଯେ ମଠ, ମନ୍ଦିର ଏବଂ ଅନ୍ୟାନ୍ୟ ହିନ୍ଦୁ ଧର୍ମାନୁଷ୍ଠାନମାନ ଯଦି ସେତେବେଳେ ମାଗଣା ଅନ୍ନଛତ୍ରର ବ୍ୟବସ୍ଥା କରିଥାନ୍ତେ, ତେବେ ‘ଛତ୍ରଖିଆ’ ଏକ ଲାଂଛନାରେ ରୂପାନ୍ତରିତ ହୋଇ ନ ଥାନ୍ତା! ଅନ୍ନଛତ୍ରରେ ଅନ୍ନ ଗ୍ରହଣର ଲଜ୍ଜା ନ ଥିଲେ ସମ୍ଭବତଃ ମୃତ୍ୟୁ ସଂଖ୍ୟା ମଧ୍ୟ ଊଣା ହୋଇଥାନ୍ତା! ଦୁର୍ଭିକ୍ଷ ପ୍ରପୀଡ଼ିତ ମହିଳାମାନେ ମଧ୍ୟ ଘର କୋଣରୁ ବାହାରି ନିଃସଂକୋଚରେ ଭୋଜନ ସଂଗ୍ରହ କରିଥାନ୍ତେ!

ଏହି କାଳାଂଶରେ ଓଡ଼ିଶାରେ ଦୁଇଟି ଘଟଣାକୁ ପରଖିବାର ଆବଶ୍ୟକତା ରହିଛି। ଗୋଟାଏ ହେଲା- ଓଡ଼ିଶାର ବହୁ ସଂଖ୍ୟକ ଲୋକ ଆସାମର ଚା’ ବଗିଚାକୁ କୁଲି ରୂପରେ ଦେଶାନ୍ତର ଗମନ କଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ସେଠାରେ ‘ତନ୍ତୀ’ ସଂଜ୍ଞାରେ ପରିଚିତ। ଇଂରେଜ ଶାସନରେ ଦେଶୀୟ ହସ୍ତତନ୍ତ ଲୋପ ପାଇଲା। ତନ୍ତୀ ବର୍ଗ କୃଷି ଆଶ୍ରିତ ହେବାକୁ ବାଧ୍ୟ ହେଲେ। ପୁଣି, ଦୁର୍ଭିକ୍ଷ ଯୋଗୁଁ ବାଧ୍ୟ ହୋଇ ସେମାନେ ଦେଶାନ୍ତରୀ ହୋଇଥିବାରୁ ପରିଶ୍ରମ ମୁତାବକ ମଜୁରି ମଧ୍ୟ ଦାବି କରିପାରିଲେ ନାହିଁ। ଓଡ଼ିଶାର କୁଶଳୀ ‘ତନ୍ତୀ’ ଯାଇ ଦୂର ଆସାମରେ ‘କୁଲି’ ହେଲା! ଦ୍ବିତୀୟ ଘଟଣା ହେଲା, ଏହି ଅବଧିରେ ମହିମା ଧର୍ମର ବିସ୍ତାର। ଯେଉଁ ଜାତି ଓ ଧର୍ମର କ୍ରୂରତା ‘ଛତ୍ରଖିଆ’କୁ ଜାତିର ଧକ୍‌କା ଦେଲା, ସେହି କ୍ରୂରତାର ପ୍ରତିବାଦରେ ମହିମା ଧର୍ମ ମୁଣ୍ଡ ଟେକିଲା; ପ୍ରସାର ଲାଭ କଲା। ମହିମା ସନ୍ନ୍ୟାସୀମାନେ ଜାତି ଓ ଧର୍ମର ଭେଦଭାବ ସହିତ ବିଷୟ ସଂପତ୍ତିକୁ ଠୁଳ କରିବାକୁ ମଧ୍ୟ ହେୟ ମଣି ସେହି ଭଳି ଜ୍ଞାନବାଣୀ ଦେଲେ। ବିଡ଼ମ୍ବନା ହେଲା, ଏହା ସତ୍ତ୍ବେ ସମାଜରୁ ଜାତିଭେଦ ନିର୍ବାପିତ ହେଲା ନାହିଁ। ବରଂ ‘ମହିମା ଧର୍ମ’କୁ ମଧ୍ୟ ଜାତି ଆଧାରିତ ହିନ୍ଦୁ ଧର୍ମ ନିଜ ଭିତରେ ସମାହିତ କରି ନେଲା। ଏହା ସତ୍ତ୍ବେ ମହିମା ଧର୍ମର ପ୍ରତିବାଦୀ ଚରିତ୍ର ତା’ର ମହତ୍ତ୍ବ ହରାଇ ନାହିଁ।

ନ’ଅଙ୍କ ଦୁର୍ଭିକ୍ଷ କାଳରେ ଓଡ଼ିଶାର ପ୍ରଶାସନିକ କମିସନର ଥିଲେ ଟି.ଇ. ରେଭେନ୍‌ସା ସାହେବ। ଫକୀରମୋହନ ନିଜ ଆତ୍ମଜୀବନୀରେ ଦୁର୍ଭିକ୍ଷ କାଳୀନ ପ୍ରଶାସନିକ ଅବ୍ୟବସ୍ଥାକୁ ତ ‌ଯଥେଷ୍ଟ ମାତ୍ରାରେ ଚିହ୍ନିତ କରାଇଛନ୍ତି; ମାତ୍ର ତା’ ପାଇଁ ପ୍ରଶାସନର ହର୍ତ୍ତାକର୍ତ୍ତା ରେଭେନ୍‌ସା ସାହେବଙ୍କୁ ଦୋଷ ଦେଇ ନାହାନ୍ତି। ବାସ୍ତବତା ହେଲା, ଯେଉଁ ଅବଧିରେ ଇଂଲାଣ୍ଡ ଶିଳ୍ପ ବିପ୍ଳବର ଶିଖରକୁ ସ୍ପର୍ଶ କରୁଥିଲା, ସେହି ସମୟରେ ଦେଶରେ ନ’ଅଙ୍କ ଦୁର୍ଭିକ୍ଷ ସମେତ ଆହୁରି ଅନେକ ଦୁର୍ଭିକ୍ଷ ନିରନ୍ତର ଘଟିବାରେ ଲାଗିଥିଲା। ଏହା ପଛର କାରଣ ଥିଲା ବ୍ରିଟିସ ସରକାରର ମୁକ୍ତ ବାଣିଜ୍ୟ ନୀତି, ଯାହାର ଏକ ପ୍ରଖର ସମର୍ଥକ ଥିଲେ ରେଭେନ୍‌ସା ସାହେବ। ସେ ଓଡ଼ିଶାରୁ ବାହାରକୁ ଚାଉଳ ରପ୍ତାନି ଉପରେ ରୋକ ଲଗାଇ ନ ଥିଲେ ଏବଂ ଦୁର୍ଭିକ୍ଷ ସମୟରେ ବାହାରୁ ଓଡ଼ିଶାକୁ ଚାଉଳର ଆମଦାନିକୁ ମଧ୍ୟ ପ୍ରୋତ୍ସାହିତ କରିନଥିଲେ, କାରଣ ମୁକ୍ତ ବାଣିଜ୍ୟ ନୀତିର ଆଧାର ହେଲା ବାଣିଜ୍ୟରେ ସରକାରୀ ହସ୍ତକ୍ଷେପର ଅନୁପସ୍ଥିତି। ଦୁର୍ଭିକ୍ଷର ଠିକ୍‌ ପରେ ୧୮୬୮ରେ ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ପ୍ରଥମ କଲେଜ କଟକରେ ସ୍ଥାପିତ ହେଲା ଏବଂ ତା’ର ଏଗାର ବର୍ଷ ଉତ୍ତାରୁ ୧୮୭୯ରେ ଓଡ଼ିଶାର ରାଜା-ରାଜୁଡ଼ା ବର୍ଗ ତାକୁ ରେଭେନ୍‌ସାଙ୍କ ନାମରେ ନାମିତ କଲେ। ମୁକ୍ତ ବାଣିଜ୍ୟ ନୀତିର ମୁଖର ନାୟକ ପୁଣି ଶିକ୍ଷା ପ୍ରଦାତାର ମର୍ଯ୍ୟାଦା ଲାଭ କଲେ!
କେବଳ ନ’ଅଙ୍କ ଦୁର୍ଭିକ୍ଷ ନୁହେଁ, ଇଂରେଜ କାଳରେ ଘଟିଥିବା ବିଭିନ୍ନ ଦୁର୍ଭିକ୍ଷର ବିଶଦ ଅଧ୍ୟୟନ ଆଜି ମଧ୍ୟ ପ୍ରାସଙ୍ଗିକ। ଏହା ଦ୍ବାରା ଅତୀତର ପ୍ରେକ୍ଷାପଟରେ ବର୍ତ୍ତମାନକୁ ପରଖିବାର ମାର୍ଗ ଖୋଲିବ।
[email protected]

ସମ୍ବନ୍ଧିତ ଖବର